Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଲେ ଆଉ ୪ ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୬୧ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, କଳାହାଣ୍ଡି, ନୂଆପଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଭୁବନେଶ୍ବରରୁ ୩୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ ୪୫ ବର୍ଷୀୟା ମହିଳା, ନୂଆପଡ଼ାରୁ ୬୫ ବର୍ଷୀୟ ପୁରୁଷ ଓ ସୁନ୍ଦରଗଡରୁ ୭୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଯୁଦ୍ଧରେ ବିଜୟୀ ହେଲେ ୮୬ ବର୍ଷୀୟା ମହିଳା: ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ୱର: ଉପଯୁକ୍ତ ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍‌
ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଜଣେ ବୟୋଜ୍ୟେଷ୍ଠା ମହିଳା ଏହି ମାରାତ୍ମକ ଭାଇରସ୍‌କୁ ପରାସ୍ତ କରିଛନ୍ତି।

ଢେଙ୍କାନାଳର ୮୬ ବର୍ଷୀୟା ଶ୍ରୀମତି ନିରୁପମା ମହାପାତ୍ର କରୋନା ସଂକ୍ରମିତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ଶାରୀରିକ ଅସୁସ୍ଥତା ଥିଲା। କରୋନା ପଜିଟିଭ ହେବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ମାତ୍ର ହଠାତ୍ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ପଡ଼ିବାରୁ ପ୍ରଥମେ ଢେଙ୍କାନାଳ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ତେବେ କିଛି ସମୟ ମଧ୍ୟରେ ଢେଙ୍କାନାଳରୁ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସମ୍ କୋଭିଡ ହସ୍ପିଟାଲ୍‌ରେ ଏହି ବୟସ୍କା ମହିଳାଙ୍କର ଉତ୍ତମ ଯତ୍ନ ନେଇଥିଲେ ଡାକ୍ତର ଓ ନର୍ସମାନେ। ସମ୍‌ କୋଭିଡ ଟିମ୍‌ର ସଫଳ ଚିକିତ୍ସା ଫଳରେ ଶ୍ରୀମତି ମହାପାତ୍ର ସୁସ୍ଥ ହୋଇ ନିଜ ଗୃହକୁ ଫେରିଯାଇଛନ୍ତି।

ମା’ ସୁସ୍ଥ ହେବା ପରେ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପୁଅ ଶ୍ରୀ ଇତିକାନ୍ତ ମହାପାତ୍ର।