Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ବର: ଆଜି ରାଜ୍ୟରେ ମୋଟ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନା ରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୯୧ ଜଣ ଆକ୍ରାନ୍ତ କଟକ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଗଜପତିରୁ ୮୮, କୋରାପୁଟରୁ ୬୬, ଖୁର୍ଦ୍ଧାରୁ ୬୧, ରାୟଗଡାରୁ ୫୭, ଗଞ୍ଜାମରୁ ୪୩, ସୁନ୍ଦରଗଡରୁ ୩୨, ନୟାଗଡରୁ ୩୦, ସୁବର୍ଣ୍ଣପୁରରୁ ୨୫, କନ୍ଧମାଳରୁ ୨୦, କେନ୍ଦୁଝର ଓ ଢେଙ୍କାନାଳରୁ ୧୮,  ଭଦ୍ରଖରୁ ୧୬, ସମ୍ବଲପୁରରୁ ୧୫, ଜଗତସିଂପୁରା ଓ ଯାଜପୁରରୁ ୧୪, ଦେବଗଡରୁ ୧୩, ମୟୂରଭଞ୍ଜ ଓ ପୁରୀରୁ ୧୦, ଝାରସୁଗୁଡା ଓ କଳାହାଣ୍ଡି ରୁ ୭, ବଲାଙ୍ଗୀରରୁ ୬, ଅନୁଗୁଳ, ବାଲେଶ୍ବର ଓ ମାଲକାନଗିରିରୁ ୫, କେନ୍ଦ୍ରାପଡା ରୁ ୪ ଓ ବୌଦ୍ଧ ରୁ ଜଣେ ଆରୋଗ୍ଯ ଲାଭ କରିଛନ୍ତି। ଏବେ ରାଜ୍ୟରେ  ସମୁଦାୟ ୨୧,୯୫୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି।

Categories
ଆଞ୍ଚଳିକ

୨୪ ଘଂଟା ପାଇଁ ଧର୍ମଗଡ ଏନଏସି ସଟ ଡାଉନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯ରେ ପହଂଚିଥିବା ବେଳେ ଗତକାଲି ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଜିଲ୍ଲାର ଧର୍ମଗଡ ଏନଏସିକୁ ୨୪ ଘଂଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ତେବେ ଏହି ସଟଡାଉନ ସମୟରେ ଧର୍ମଗଡ ଏନଏସିର ୧୪ ଟି ୱାର୍ଡରେ ବସବାସ କରୁଥିବା ୧୬ହଜାର ବାସିନ୍ଦାଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମ ଅଙ୍ଗନୱାଡି ଆଶା ଦିଦି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟଗତ ତଥ୍ୟ ସରକାରଙ୍କ ଠାରେ ପହଂଚାଇବ।

ଏଥିପାଇଁ ଧର୍ମଗଡ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୩୧ ଜଣିଆ ଟିମ ଗଠନ କରାଯାଇଛି ବୋଲି ଧର୍ମଗଡ ଉପଜିଲ୍ଲାପାଳ ଦିବାକର ଟିଏସ ସୁଚନା ଦେଇଛନ୍ତି। ତେବେ ଏହି ସଟଡାଉନ ସମୟରେ ଧର୍ମଗଡ ଏନଏସି ଭିତରକୁ ପ୍ରବେଶ ଓ ବାହାରକୁ ଯିବାକୁ ଜନସାଧାରଣଙ୍କୁ ବାରଣ କରାଯାଇଥିବା ବେଳେ ସମସ୍ତ ଲୋକ ନିଜ ଘରେ ରହି ସ୍ୱତପ୍ରବୃତ ଭାବେ ସମସ୍ତ ତଥ୍ୟ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଉପଜିଲ୍ଲାପାଳ ନିବେଦନ କରିଛନ୍ତି।

ପୁଲିସ ପ୍ରଶାସନ ପକ୍ଷରୁ ଧର୍ମଗଡ ସହରରେ ସମସ୍ତ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେବା ସହିତ ଜରୁରୀକାଳିନ ଓ ଡାକ୍ତରଖାନା ଯିବା ପାଇଁ ଅନୁମତି ଦିଆଯଅଉଥିବା ଦେଖିବାକୁ ମିଳିଛି। ସଟଡାଉନ ଯୋଗୁଁ ଧର୍ମଗଡ ସହରର ଦୋକାନ ବଜାର ସବୁ ବନ୍ଦ ରହିବା ସହିତ ଯାତାୟତ ମଧ୍ୟ ବନ୍ଦ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି ସାତ ଜଣଙ୍କ ଜୀବନ ନେଲା କରୋନା: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 147କୁ ବୃଦ୍ଧି

ଭୁବନେଶ୍ବର: ଆଜି ପୁଣି ସାତ ଜଣଙ୍କ ଜୀବନ ନେଇଛି କରୋନା। ସାତ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ତିନିଜଣ ସୁନ୍ଦରଗଡ, ଭୁବନେଶ୍ବର,କଟକ ଓ ମାଲକାନଗିରିରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି।

ଗଞ୍ଜାମରୁ ଆଜି ତିନି ମୃତକଙ୍କ ମଧ୍ୟରେ ଜଣେ 51 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇଜଣ 55 ଓ 58 ବର୍ଷ ପୁରୁଷ ବୋଲି ସୂଚନା ରହିଛି।

ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ପୁରୁଷ ବୋଲି ଜଣାପଡିଛି। ସୁନ୍ଦରଗଡରୁ 63 ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଥିବାବେଳେ କଟକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 66 ବର୍ଷ।  ସେହିପରି ମାଲ୍‌କାନଗିରିରୁ 51 ବର୍ଷୀୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି।

ଆଜି 7 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 147କୁ ବୃଦ୍ଧି ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ 18 ଓ କଟକ ଜିଲ୍ଲାରେ ମୃତ୍ୟୁସଂଖ୍ୟା 10କୁ ବୃଦ୍ଧି ହୋଇଛି।  ସୁନ୍ଦରଗଡରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଥିବାବେଳେ ମାଲ୍‌କାନଗିରିରୁ ଆଜି ପ୍ରଥମ ମୁଣ୍ଡ ନେଇଛି କରୋନା।

 

Categories
ଆଜିର ଖବର ରାଜ୍ୟ ଖବର

28 ଜିଲ୍ଲାରୁ ମୋଟ୍‌ 1503 ପଜିଟିଭ୍‌ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟର 28ଟି ଜିଲ୍ଲାରୁ 1503 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 491 ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 223, କଟକରୁ 136, କନ୍ଧମାଳ ଓ ଗଜପତିରୁ 73ଜଣ ଲେଖାଏଁ,  ରାୟଗଡାରୁ 68, ସୁନ୍ଦରଗଡରୁ 57, ଯାଜପୁରରୁ 51,  କେଉଁଝରରୁ 43, ମାଲକାନଗିରି ଓ କୋରାପୁଟରୁ 34 ଜଣ ଲେଖାଏଁ ରହିଥିବାବେଳେ ଢେଙ୍କାନାଳରୁ 32, ମୟୂରଭଞ୍ଜରୁ 28, ଭଦ୍ରକରୁ 25, ବରଗଡରୁ 23, ବଲାଙ୍ଗିରରୁ 21, ବାଲେଶ୍ବରରୁ 19, ସମ୍ବଲପୁରରୁ 17, ଝାରସୁଗୁଡା ଓ କଳାହାଣ୍ଡିରୁ 10 ଜଣ ଲେଖାଏଁ ରହିଛନ୍ତି। ସେହିପରି କେନ୍ଦ୍ରାପଡାରୁ 9, ନୟାଗଡରୁ 8, ଜଗତସିଂହପୁରରୁ 6, ସୋନପୁର ଓ ପୁରୀରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁରରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ଓ ଅନୁଗୁଳୁର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲୋକସେବା ଭବନରେ କରୋନା, ବିଏମସି ସହିତ ଅଗ୍ନିଶମ ବିଭାଗ ତରଫରୁ କରାଗଲା ସାନିଟାଇଜେସନ୍

ଭୁବନେଶ୍ବର, କୋଭିଡ19 ନିୟନ୍ତ୍ରଣ ପାଇଁ ଯେଉଁଠି ଆଲୋଚନା ଓ ନିଷ୍ପତି ହୁଏ ସେହି ଲୋକସେବା ଭବନରେ ବର୍ତ୍ତମାନ ବାହାରିଛି ପଜେଟିଭ୍। ଫଳରେ ରାଜ୍ୟରେ କରୋନା ମୁକାବିଲା କିପରି ହେବ ସେ ନେଇ ସମସ୍ତେ ଚିନ୍ତିତ। ତେବେ ଲୋକସେବା ଭବନରେ ଏହି ଭୂତାଣୁ ସଂକ୍ରାମଣ ହେବା ପୂର୍ବରୁ ବିଏମସି ତରଫରୁ ନିଆଯାଇଛି ପଦକ୍ଷେପ।

ଆଜି ଅଗ୍ନିଶମ ବିଭାଗର ତିନୋଟି ସାନିଟାଇଜେସନ ଗାଡି ପୁରା ଲୋକସେବା ଭବନକୁ ଭୂତାଣୁ ମୁକ୍ତ କରୁଛନ୍ତି। ପ୍ରଥମେ ବାହାରକୁ ଏହି ସାନିଟାଇଜେସନ କରିବା ପରେ ଭିତରେ ମଧ୍ୟ ଯେଉଁ ବିଭାଗରୁ ପଜେଟିଭ ବାହାରିଛି ତାହାକୁ ମଧ୍ୟ ଭୂତାଣୁ ମୁକ୍ତ କରାଯାଇଛି।

ଲୋକସେବା ଭବନରୁ ପଜେଟିଭ ବାହାରିବା ପରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଗାଇଡ ଲାଇନ ଜାରୀ କରାଯାଇଛି। କର୍ମଚାରୀମାନେ କିପରି ଆସିବେ, କେତେ ପରିମାଣର ଆସିବେ ତାହା ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ କମିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁଠୁ ବାହାରିଲେ ଆଜିର 52 ପଜିଟିଭ୍

ଭୁବନେଶ୍ବର, ଲଗାତର ଦୁଇ ତିନି ଦିନ ହୁ ହୁ ହୋଇ ବଢିବା ପରେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସାମାନ୍ୟ କମିଛି। ଦିନକରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆଜି ଆଉ 52 ଜଣ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟ୍ରାକ୍ସ କେସ ସଂଖ୍ୟା ବି ଦୁଇ ଦିନ ତୁଳନାରେ ତଳକୁ ଖସିଛି। ଆଜି ସଂଗରୋଧରୁ 34 ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ସଂଖ୍ୟା ରହିଛି 18। ପୂର୍ବରୁ କିଛି ଦିନ ହେଲା ଲୋକାଲ କଣ୍ଟ୍ରାକ୍ଟ କେସ ସଂଗରୋଧଠାରୁ ଅଧିକ ରହୁଥିଲା।  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।Imageସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୩୪ଜଣଙ୍କ ମଧ୍ୟରୁ ଆଇଆରସି ଭିଲେଜ୍‌ ଏନ୍‌-୩ ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍‌ପିଟାଲର ଜଣେ ମହିଳା କର୍ମଚାରୀ, ନୀଳାଦ୍ରି ବିହାର ଇସାନେଶ୍ୱର ବସ୍ତି ଅଞ୍ଚଳରୁ ଜଣେ ମହିଳା, ନୂଆଗାଁ ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍‌ପିଟାଲରୁ ଜଣେ ପୁରୁଷ କର୍ମଚାରୀ, ଆଇଆରସି ଭିଲେଜ ଏନ୍‌-୬ରୁ ଜଣେ ପୁରୁଷ, ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ପୁରୁଷ, ୟୁନିଟ-୧ ଆଖଣ୍ଡଳମଣି ବସ୍ତି ନିଳାଦ୍ରୀ ବିହାର ଅଞ୍ଚଳରୁ ଜଣେ ବାଳକ, ମଞ୍ଚେଶ୍ୱର ଅଞ୍ଚଳରୁ ଜଣେ ପୁରୁଷ, ଭୀମଟାଙ୍ଗି ଭୀମେଶ୍ୱର ମନ୍ଦିର ଅଞ୍ଚଳରୁ ଜଣେ ପୁରୁଷ, ନୀଳାଦ୍ରି ବିହାର ସେକ୍ଟର-୨ ଅଞ୍ଚଳରୁ ଜଣେ ପୁରୁଷ, ଏକ ଘରୋଇ ହସ୍‌ପିଟାଲର ଜଣେ ମହିଳା କର୍ମଚାରୀଙ୍କ ସ୍ୱାବ ପରୀକ୍ଷାରେ କୋଭିଡ ପିଜିଟିଭ୍‌ ଚିହ୍ନଟ ହୋଇଛି।

Image

ସେହିପରି ସାଲିଆ ସାହି ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ ପୁରୁଷ, ମଞ୍ଚେଶ୍ୱର ଅଞ୍ଚଳର ଜଣେ ରେଳ କର୍ମଚାରୀ, ନୟାପଲ୍ଲୀ ଗାନ୍ଧୀବସ୍ତି ଅଞ୍ଚଳରୁ ଦୁଇଜଣେ ମହିଳା, ସହିଦ ନଗର ଅନ୍‌ଗାନ୍‌ ରେସ୍ତୋରାଁ ଅଞ୍ଚଳରୁ ୭ଜଣ ମହିଳା ଓ ଜଣେ ପୁରୁଷ, ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ପୁରୁଷ, ଝାରପଡ଼ା ବୈରାଗୀ ନଗର ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍‌ପିଟାଲର ୬ଜଣ ପୁରୁଷ କର୍ମଚାରୀ, ରବିଟକିଜ ରାଧାବଲ୍ଲଭ ମଠ ଅଞ୍ଚଳରୁ ଜଣେ ପୁରୁଷ ଓ ଟଙ୍କପାଣି ରୋଡ ବ୍ରହ୍ମେଶ୍ୱରୀ ମନ୍ଦିର ଅଞ୍ଚଳରୁ ଜଣେ ପୁରୁଷ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି।

ସେହିପରି କରୋନା ଚିହ୍ନଟ ହୋଇଥିବା ୧୮ଟି ସ୍ଥାନୀୟ ମାମଲା ମଧ୍ୟରୁ ନୟାପଲ୍ଲୀ ବ୍ରିଟ୍‌ କଲୋନିରୁ ଜଣେ ମହିଳା, ରସୁଲଗଡ଼ ଜିଜିପି କଲୋନିରୁ ଜଣେ ମହିଳା, ଅଶୋକ ନଗର ଅଞ୍ଚଳରୁ ଜଣେ ପୁରୁଷ, ହଳଦୀପଡ଼ା ବସ୍ତି ଅଞ୍ଚଳରୁ ଜଣେ ପୁରୁଷ, ଡୁମଡୁମା ଫେଜ-୩ ଅଞ୍ଚଳରୁ ଜଣେ ମହିଳା, ୟୁନିଟ-୮ ଡେଲଟା ସ୍କୋୟାର ଅଞ୍ଚଳରୁ ଜଣେ ପୁରୁଷ, ଜାଗମରା ମନାପୁରମ୍‌ ଫାଇନାନ୍‌ସ ଅଞ୍ଚଳରୁ ଜଣେ ମହିଳା, ଘାଟିକିଆ ଅଞ୍ଚଳରୁ ଜଣେ ମହିଳା, ଘରୋଇ ହସ୍‌ପିଟାଲରୁ ଜଣେ ଛାତ୍ରୀ, ଆଇଆରସି ଭିଲେଜ ଏନ୍‌-୫ ଅଞ୍ଚଳରୁ ଜଣେ ମହିଳା, ଚନ୍ଦ୍ରଶେଖରପୁର ଗାୟତ୍ରୀ ବିହାର ଅଞ୍ଚଳରୁ ଜଣେ ମହିଳା, ରବି ଟକିଜ ଅଞ୍ଚଳରୁ ଜଣେ ପୁରୁଷ, ବଡ଼ଗଡ଼ ବ୍ରିଟ୍‌ କଲୋନିରୁ ଜଣେ ପୁରୁଷ, ଶୈଳଶ୍ରୀ ବିହାର ବଜରଙ୍ଗ ନଗର ଅଞ୍ଚଳରୁ ଜଣେ ପୁରୁଷ, ସାମନ୍ତରାପୁର ପୋଷ୍ଟ ଅଫିସ୍‌ ଅଞ୍ଚଳରୁ ଜଣେ ପୁରୁଷ ଓ ଚିନ୍ତାମଣିଶ୍ୱର ଲୋନ୍‌-୮ ଅଞ୍ଚଳରୁ ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ସଂଖ୍ୟାକୁ ମିଶାଇ ଏଯାବତ ରାଜଧାନୀରେ ମୋଟ କରୋନା ପଜିଟିଭ ସଂଖ୍ୟା 1182କୁ ବୃଦ୍ଧି ପାଇଛି। 523 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 11 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 646 ଜଣ ସକ୍ରିୟ ସଂକ୍ରମିତ ରୋଗୀ ରହିଛନ୍ତି।

Categories
ବିଶେଷ ଖବର

ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଉଚ୍ଛେଦ, କରୋନା ପାଇଁ ବେକାରି ଓ ଦାରିଦ୍ର୍ୟର ପ୍ରଦର୍ଶନୀ ପଡିଆ ପାଲଟିବ ଓଡିଶା

କେଦାର ମିଶ୍ର

ଆମ ଲାଗି ଜୀବନ ବଞ୍ଚାଇବା ବହୁତ ଗୁରୁତ୍ୱପୂର୍ଣ୍ଣ- ବାରମ୍ବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକଥା କହି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା ଜରିଆରେ କରୋନା ଭୂତାଣୁରୁ ପ୍ରତିଟି ଜୀବନ ବଞ୍ଚାଇବା ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି କହୁଛନ୍ତି। ତେବେ ସରକାରଙ୍କର କଥା ଓ କାମ ଭିତରେ ବହୁତ ବଡ ଫାଙ୍କ ଦେଖିବାକୁ ମିଳୁଛି। ମାର୍ଚ୍ଚ ମାସରେ ଯେତେବେଳେ ସରକାର ଲୋକଙ୍କ ଉପରେ ଲକ ଡାଉନ ଲଦିଦେଲେ, ସେତେବେଳେ ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି  ଦିଆଗଲା ଯେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା କଥା ସରକାର ଚିନ୍ତା କରିବେ। ସମୟ କ୍ରମେ କରୋନା ଜନିତ କଟକଣା ବଢିଲା ଓ ଲକ ଡାଉନ ଯୋଗୁଁ ଦେଶ ତଥା ରାଜ୍ୟର ଅର୍ଥନୀତି ଭୁଶୁଡିବା ଆରମ୍ଭ କଲା। ସଂକ୍ରମଣର  ଚାରି ମାସ ପରେ ମଧ୍ୟ ଓଡିଶାରେ ଅର୍ଥନୈତିକ ଗତିବିଧି ଓ ଜନଜୀବନ ସ୍ଵାଭାବିକ ହୋଇନି, ବରଂ ଅଧିକ ଜଟିଳ ହୋଇଛି। ଯଦିଓ ରାଜ୍ୟରେ ସାମଗ୍ରିକ ଲକ ଡାଉନ ନାହିଁ, ହେଲେ ରାଜ୍ୟର ୯୦ ଭାଗ ଅଞ୍ଚଳ ସଂପୂର୍ଣ୍ଣ ବନ୍ଦ ହୋଇ ରହିଛି। ଲୋକଙ୍କର ଜୀବିକା ସହିତ ଜୀବନ ଆଜି ସବୁଠୁ ଅଧିକ ବିପନ୍ନ ହୋଇଛି। ଏଥିଲାଗି ସରକାର ନିଜକୁ ଦାୟୀ କରିବା ଉଚିତ ହେବନାହିଁ କି?

ଲକ ଡାଉନର ପ୍ରଥମ ପର୍ଯ୍ୟାୟରେ ସରକାର ଘରୋଇ ସଂସ୍ଥାମାନଙ୍କୁ ନିଜର କର୍ମଚାରୀମାନଙ୍କ ଦରମା ନ କାଟିବାକୁ ଓ ଛଟେଇ ନ କରିବାକୁ ଅନୁରୋଧ କରୁଥିଲେ। ଓଡିଶା ସରକାର ତାଙ୍କର ନିୟମିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସାଧାରଣ ଲୋକେ ନିଜ ଘରେ କାମ କରୁଥିବା ଲୋକଙ୍କ ପ୍ରତି ସଂବେଦନଶୀଳ ହେବାକୁ ଓ ସେମାନଙ୍କ ଦରମା ନ କାଟିବାକୁ ପରାମର୍ଶ ଦେଉଥିଲେ। ହେଲେ ଗତ ଚାରିମାସର ଆର୍ଥିକ ଦୁର୍ଗତି ସରକାରଙ୍କର ମାନବିକ ଅଙ୍ଗକୁ ଅଚଳ କରି ଦେଇଛି। ଏବେ ଖୋଦ ଓଡିଶା ସରକାର ରାଜ୍ୟର ଲକ୍ଷାଧିକ ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କ ଚାକିରୀ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ କାମ କରୁଥିବା ଅସ୍ଥାୟୀ ତଥା ଠିକା ଭିତ୍ତିକ କର୍ମଚାରୀଙ୍କ କାର୍ୟକାଳ ସମ୍ପ୍ରସାରିତ କରିବାକୁ ସରକାର ମନା କରି ଦେଇଛନ୍ତି। ଏହି କର୍ମଚାରୀମାନେ ପ୍ରାୟତଃ ୩ ମାସିଆ କିମ୍ବା ବାର୍ଷିକ ଠିକା ରେ କାମ କରିଥାନ୍ତି। ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ୨ ଲକ୍ଷ ପରିବାର ଆକ୍ରାନ୍ତ ହେବେ ଇଂରାଜୀ ଖବର କାଗଜ “ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ” କହିଛି।

କରୋନା କଟକଣା ଆଳରେ ଓଡିଶା ସରକାର ପ୍ରଥମେ ନୂଆ ନିଯୁକ୍ତି ଆଉ ହେବନାହିଁ ବୋଲି କହିଥିଲେ। ଏହା ସହିତ ଗତ ୫ ପାଞ୍ଚ ବର୍ଷ ଭିତରେ ସରକାରରେ ଖାଲି ପଡିଥିବା ପଦବୀ ଆଉ ପୂରଣ କରିବେ ନାହିଁ ବୋଲି ମଧ୍ୟ ଘୋଷଣା କଲେ। ଏ ପ୍ରକାର ନିଷ୍ପତ୍ତିର ପ୍ରତ୍ୟେକ୍ଷ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବା ସ୍ଵାଭାବିକ। ତେବେ କୌଣସି ସରକାରୀ ନିଷ୍ପତ୍ତି କୁ ବିରୋଧ କରିବାର ସ୍ଥିତି ବର୍ତ୍ତମାନ ଆମ ପାଖରେ ନାହିଁ। ମହାମାରୀର ଆତଙ୍କ ସହିତ ସରକାରୀ କଟକଣା ଭିତରେ ସାଧାରଣ ଲୋକ ଡରି ମରି ବଞ୍ଚୁଛନ୍ତି। ସେହି ସମୟରେ ଲକ୍ଷାଧିକ ଲୋକଙ୍କୁ ସରକାରୀ ଚାକିରିରୁ ବିଦା କରିବାର ନିଷ୍ପତ୍ତି, ଅତ୍ୟନ୍ତ ଅମାନବୀୟ। ଆଜିର ମହାମାରୀ ସମୟରେ ସରକାର ନିଜ କର୍ମଚାରୀ (ସେ ଅସ୍ଥାୟୀ ବା ଠିକା କର୍ମଚାରୀ ହୁଅନ୍ତୁ ପଛକେ)ଙ୍କ ପ୍ରତି ଏ ପ୍ରକାର ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ।

ସଂକ୍ରମଣ ସମୟରେ ଗତ ଚାରି ମାସ ହେଲା ସରକାରୀ ଅଫିସ ଗୁଡିକ ପ୍ରାୟତଃ କାମ କରୁନାହିଁ। ଅନେକ ଅଫିସକୁ ଲୋକଙ୍କ ପ୍ରବେଶ ବାରଣ କରା ଯାଇଛି। ୩୦% କର୍ମଚାରୀଙ୍କୁ ନେଇ କାମ କରନ୍ତୁ ବୋଲି ସରକାରୀ ନିର୍ଦ୍ଦେଶ  ପଛରେ ବାକି ୭୦% କର୍ମଚାରୀଙ୍କୁ ବିଦା କରିବାର ଏକ ଗୋପନ ଇଙ୍ଗିତ ରହିନାହିଁ ତ! ପ୍ରଲମ୍ବିତ ଲକ ଡାଉନ ଓ ଆର୍ଥିକ ଦୁର୍ଗତିକୁ ଆଖି ଆଗରେ ରଖି ଅନେକ ବିଭାଗ ଓ ଅଫିସର ସଂକୋଚନ ତଥା ଉଚ୍ଛେଦ କଥା ସରକାର ଚିନ୍ତା କରିପାରନ୍ତି। ଓଡିଶା ଭଳି ରାଜ୍ୟ ଯେଉଁଠି ସଂଖ୍ୟାଧିକ ଶିକ୍ଷିତ ଯୁବକ ଯୁବତୀ ସରକାରୀ ଚାକିରିକୁ ଆଶା କରି ରହିଛନ୍ତି, ସେମାନଙ୍କ ଅବସ୍ଥା ଆଗାମୀ ଦିନରେ ଶୋଚନୀୟ ହେବାକୁ ଯାଉଛି।

କରୋନା ଭୂତାଣୁରୁ ହୁଏତ ବର୍ତ୍ତିବା ସହଜ, କାରଣ ଦେଶରେ ମୃତ୍ୟୁହାର ୨% ରୁ ସାମାନ୍ଯ ଅଧିକ ରହିଛି। ହେଲେ ଭୋକ, ବେକାରି ଓ ଅର୍ଥନୈତିକ ଦୁଃସ୍ଥିତି ରୁ ବଞ୍ଚିବା ସହଜ ନୁହେଁ। ଆଗକୁ ଲକ୍ଷ ଲକ୍ଷ ଲୋକଙ୍କ ଚାକିରୀ ଚାଲିଯିବା ଓ ବ୍ୟବସାୟ ଉଜୁଡି ଯିବାର ସଙ୍କଟ ବିଷୟରେ ରାଜ୍ୟ ସରକାରଙ୍କର ବିଶେଷ କିଛି ଯୋଜନା ଥିଲା ଭଳି ଦେଖା ଯାଉନାହିଁ। ବର୍ଷ ବର୍ଷ ଧରି ଅଳ୍ପ ଦରମାରେ  ଅଧିକ କାମ କରୁଥିବା ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ଜୀବିକାରୁ ବଞ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କର ନିଷ୍ପତ୍ତିକୁ ସବୁ ସ୍ତରରେ କଡା ବିରୋଧ ହେବା ଉଚିତ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ପଢନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।  ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୦୬ ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ କଟକରୁ ୭୧, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜରୁ ୩୮, ଯାଜପୁରରୁ ୨୫, ନବରଙ୍ଗପୁରରୁ ୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୨୨ ଜଣ, ଖୋର୍ଦ୍ଧାରୁ ୧୫, ବାଲେଶ୍ବରରୁ ୯, ବରଗଡ଼ରୁ ୬ ଜଣ, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ କଳାହାଣ୍ଡିରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଜଗତସିଂହପୁର ଏବଂ କୋରାପୁଟରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଭଦ୍ରକ, କେନ୍ଦୁଝର, ବୌଦ୍ଧରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀ ଏବଂ ନୟାଗଡରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ୫୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାରେ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସ୍ଥିିତି ସଂଗୀନ ହେବାରେ ଲାଗିଛି। ତେବେ ଏପର୍ଯ୍ଯନ୍ତ ରାଜ୍ୟରୁ ୮୭୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୨୮୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସ୍ପିଟାଲରେ ଜଣେ ମହିଳାଙ୍କୁ କରୋନା: ହସ୍ପିଟାଲକୁ ସିଲ କଲା ଜିଲ୍ଲାପ୍ରଶାସନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କରୋନା ଚିହ୍ନଟ ମହିଳା ଜଣଙ୍କ ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ୱରୀ ସୁପର ସ୍ପେଶାଲିଟୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଉକ୍ତ ହସ୍ପିଟାଲକୁ ସିଲ କରିଦିଆଯାଇଥିବା ଜଣାପଡିଛି। ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି ଯେ, ଗତ ଜୁଲାଇ ୯ ତାରିଖ ଦିନ ଏହି ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଜଣେ ମହିଳା ପରବର୍ତ୍ତୀ ସମୟରେ ଛତିଶଗଡ ରାଜ୍ୟ ରାୟପୁରସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ଆଜି ସେହି ରିପୋର୍ଟ ପଜିଟିଭ ଆସିବା ପରେ ସେହି ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସେହିପରି ଉକ୍ତ ହସପିଟାଲର ଆଉଟଡୋର ପରୀକ୍ଷଣ ବନ୍ଦ କରିଦିଆଯାଇଥିବା ଜଣାପଡିଛି। ସେହି ଆକ୍ରାନ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କର ଏବଂ ହସ୍ପିଟାଲରେ ସେବା ଯୋଗାଇଥିବା କର୍ମଚାରୀ ମାନଙ୍କ ସ୍ୱାବ ପରୀକ୍ଷା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡିଛି।

ଅପରପକ୍ଷରେ ଆଜି (ଶନିବାର) ୪ ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ତିନିଜଣ ପୁରୁଷ ଓ ଜଣେ ମହିଳା। ସେମାନଙ୍କ ମଧ୍ୟରୁ ୨ ଜଣ ହାଇଦ୍ରାବାଦରୁ କଳାହାଣ୍ଡି ଫେରିବା ପରେ କଲମପୁର ବ୍ଲକସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିଲେ। ଗତ ଜୁଲାଇ ୭ ତାରିଖ ଦିନ ସେମାନଙ୍କୁ କରୋନା ସନ୍ଦେହରେ ଭବାନୀପାଟଣାସ୍ଥିତ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ୯ ତାରିଖ ଦିନ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା।

ସେହିପରି ତୃତୀୟ ଜଣକ ପଶ୍ଚିମବଙ୍ଗରୁ ଫେରିବା ପରେ କେସିଙ୍ଗା ବ୍ଲକ ରେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ଚତୁର୍ଥ ଜଣକ ଆନ୍ଧ୍ର ପ୍ରଦେଶର ତିରୁପତିରୁ ଫେରି ଗତ ଜୁନ ୨୮ ତାରିଖ ଠାରୁ କେସିଙ୍ଗା ବ୍ଲକର ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସମସ୍ତ ଚାରିଜଣ ଯାକ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ଭବାନୀପାଟଣା କୋଭିଡ ହସପିଟାଲରେ ରଖାଯାଇଥିବା ଜିଲ୍ଲାପ୍ରଶାସନ ତରଫରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ଦଇତାପତିଙ୍କ କରୋନା ପରୀକ୍ଷଣ

ଭୁବନେଶ୍ବର : ପୁରୀରେ ଆଜିଠାରୁ ଆରମ୍ଭ ହୋଇଛି ଦଇତାପତିଙ୍କ କରୋନା ପରୀକ୍ଷଣ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ବରେ ଏହି କରୋନା ପରୀକ୍ଷଣ ଆରମ୍ଭ ହୋଇଛି । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପର୍ଯ୍ୟନ୍ତ ଏହି ପରୀକ୍ଷଣ ଜାରି ରହିବ । ଦଇତା ନିଯୋଗ ସମ୍ପାଦକ ଦୁର୍ଗା ଦାସମହାପାତ୍ରଙ୍କ ସ୍ବାବ୍‌ ପ୍ରଥମେ ସଂଗୃହୀତ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ନାନ ପୂର୍ଣ୍ଣିମାର ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ଏହି କ୍ରମରେ ଆଜିଠାରୁ କରୋନା ପରୀକ୍ଷଣ ଆରମ୍ଭ କରାଯାଇଛି ।

Categories
ଆଞ୍ଚଳିକ

କରୋନା ଦ୍ବାରା ଗଭୀର ଭାବରେ ପ୍ରଭାବିତ ସାବିତ୍ରୀ ବଜାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ସବୁଠାରୁ ସଙ୍କଟମୟ ସ୍ଥିତିରେ ସାରା ବିଶ୍ୱ ଗତି କରୁଥିବା ବେଳେ ଭାରତର କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଛି । ଓଡ଼ିଶାରେ ମଧ୍ୟ ବିଗତ କିଛି ଦିନ ଭିତରେ ରେକର୍ଡ଼ ପରିମାଣର ରୋଗୀ ବୃଦ୍ଧି ପାଇଛି ଯାହାକି ଚିନ୍ତାର କାରଣ ରହିଛି । କରୋନା ପ୍ରଭାବରେ ବିଭିନ୍ନ ବ୍ୟବସାୟ ପ୍ରଭାବିତ ହୋଇଥିବା ବେଳେ ସାବିତ୍ରୀ ବଜାର ମଧ୍ୟ ମାନ୍ଦା ରହିଛି । ଶାଢୀ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ରହିଥିବା ବେଳେ ଫଳ ବ୍ୟବସାୟ ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଛି ।  ବ୍ରହ୍ମପୁର ସହରର ବିଭିନ୍ନ ଶାଢୀ ଦୋକାନରେ ଗ୍ରାହକ ନଥିବା ବେଳେ ବାଟଘାଟରେ ନଡ଼ିଆ, ତାଳ, ପଣସ, ଅଙ୍ଗୁର, କଦଳୀ, ଆମ୍ବ, ଖଜୁରୀ କୋଳି ବିକ୍ରେତା ମଧ୍ୟ ଖାଲି ବସିଥିବା ଦେଖିବାକୁ ମିଳୁଛି ।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ତିନି ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛନ୍ତି। ରାଉରକେଲାରୁ ତିନି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇଥିବାବେଳେ ଆଜି ତିନିଜଣ ସେଠାରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡର ନୂଆ ତିନି ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର। ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ 23 ବର୍ଷୀୟ ଯୁବକ, 60 ବର୍ଷୀୟ ବୃଦ୍ଧ ଓ 57 ବର୍ଷୀୟ ମହିଳା ଆକ୍ରାନ୍ତ ରହିଛନ୍ତି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଦୁଇ ନୂଆ ଆକ୍ରାନ୍ତ। ଅନ୍ୟ ଜଣେ ନୂଆ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଇଛି। ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଉଛି।

Categories
ଆଞ୍ଚଳିକ

କଟକର ୧୪ଟି ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସରପଞ୍ଚଙ୍କ ଶପଥପାଠ

ଚନ୍ଦ୍ରକାନ୍ତି ବୌଦ୍ଧ

ନରସିଂହପୁର: କରୋନା ପାଇଁ ଶପଥ ନେଇଛନ୍ତି ସରପଞ୍ଚ। କଟକ ଜିଲ୍ଲା ଅଧିନରେ ଥିବା ୧୪ ଗୋଟି ବ୍ଲକର ଭିସି ହଲରେ ଶପଥପାଠ କରିଛନ୍ତି ସମସ୍ତ ସରପଞ୍ଚ। ଆଠଗଡ ବ୍ଲକ ଭିସି ହଲରେ ଆଜି ଆଠଗଡ ବିଡିଓ ଆଠଗଠ ବ୍ଲକ ଚେୟାରମ୍ୟାନ ଓ ଆଠଗଡ ବ୍ଲକର ସମସ୍ତ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ। ସେହିପରି ତିଗିରିଆ ବଡ଼ମ୍ବା ନରସିଂହପୁର ରେ ବ୍ଲକ ସମ୍ମିଳନୀ କକ୍ଷରେ ବିଡ଼ିଓ, ଚେୟାରମ୍ୟାନ ସରପଞ୍ଚମାନେ ଉପସ୍ଥିତ ଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ସରପଞ୍ଚମାନଙ୍କୁ ଶପଥ ପାଠ କରାଇଛନ୍ତି। ନିଜ ପଞ୍ଚାୟତକୁ କରୋନାକୁ ମୁକ୍ତ ରଖିବାକୁ ପରାମର୍ଶ ଦିଆଯାଇଛି। ସେମାନେ ଶପଥ ପାଠ କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ଗାଁକୁ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବେ। ସେମାନଙ୍କ ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବେ। ସରକାରଙ୍କ ସବୁ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ଏହାସୁବ ପାଳନ ହେବ। ମୋ ପଞ୍ଚାୟତରେ କରୋନାକୁ ପଶିବାକୁ ଦେବି ନାହିଁ ବୋଲି ସରପଞ୍ଚମାନେ ଶପଥ କରିଛନ୍ତି। ଏବଂ ସରପଞ୍ଚ ମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହିତ କୋରୋନାକୁ ହରାଇ ଓଡିଶା କୁ ହସାଇବା ସହିତ ପଞ୍ଚାୟତକୁ ହସାଇବେ ବୋଲି ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର

କରୋନା ଭଳି ଏକ ମହାମାରୀର ସାମ୍ନା କଲାବେଳେ ଗଣମାଧ୍ୟମ ସରକାର ସାଙ୍ଗରେ ରହିବ ନା ଲୋକଙ୍କ ସାଙ୍ଗରେ?

କେଦାର ମିଶ୍ର

ଯେତେବେଳେ ଦେଶରେ ଦୁର୍ବିପାକ ବା ବିପର୍ୟୟ ଆସେ, ସେତେବେଳେ ସବୁ ନାଗରିକ ଏକାଠି ହୋଇ କାମ କରିବାକୁ ବାଧ୍ୟ। ତେବେ ଏକାଠି ହୋଇ କାମ କରିବାର ଅର୍ଥ ଗଣମାଧ୍ୟମ ପାଇଁ ସବୁବେଳେ ଅଲଗା। ଆମେ ଯେ କୌଣସି ବିପର୍ୟୟ ବେଳେ ଆମର କ୍ୟାମେରା ତଥା କଲମ ଧରି ଲୋକଙ୍କ ସହ ଛିଡା ହୋଇଥାଉ। ଆମର କାମ ହେଉଛି ଲୋକଙ୍କ କଥା ଦେଖାଇବା ଓ ଲେଖିବା। ଲୋକ ଯେଉଁ ପରିସ୍ଥିତିରେ ଅଛନ୍ତି ଓ ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ଯାହା କରୁଛନ୍ତି, ତା ଉପରେ ଆମର କଡା ନଜର ରହିବା ଉଚିତ। ଯୁଗେ ଯୁଗେ ତାହା ହିଁ ସାମ୍ବାଦିକତାର ଧର୍ମ। ତେବେ ଏପ୍ରକାର ପରିସ୍ଥିତିରେ ସରକାରକୁ ସମାଲୋଚନା କରିବା କିମ୍ବା ଭୁଲତୃଟି ଦେଖାଇବା ଉଚିତ ନୁହଁ ବୋଲି ଏବେ ଏକ ଧାରଣା ସୃଷ୍ଟି ହୋଇଛି। ଏପ୍ରକାର ଧାରଣା, ଗୋଟେ ସମାଜକୁ ପଙ୍ଗୁ କରିଦେବ ଓ ସରକାରକୁ ଅନ୍ଧ କରିଦେବ, ଏ କଥା ଆମକୁ ବୁଝିବାକୁ ପଡିବ।

କରୋନା ଭଳି ଏକ ସଂକ୍ରାମକ ମହାମାରୀର ସ୍ଥିତିକୁ ଅନୁଧ୍ୟାନ କଲାବେଳେ ଆମେ ସରକାରଙ୍କ ଭଲକାମକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବୁ ଓ ସରକାର ଯେଉଁଠି ଶିଥିଳ ପଡିବେ ସେଠି ଆମେ ଖେଞ୍ଚା ମାରିବୁ। ଏକଦା କେହିଜଣେ ଦାର୍ଶନିକ କହିଥିଲେ, ଆମର କାମ ହେଉଛି ମଶା ପରି। ଘୁମେଇ ପଡୁଥିବା ଲୋକର କାନରେ ଗୁଣୁ ଗୁଣୁ ହୋଇ ଉଠେଇଦେବାର କାମଟି ଆମେ କରିଥାଉ। ତେବେ ଘୁମେଇ ପଡୁଥିବା ଲୋକର କାନରେ ଗୁଣୁ  ଗୁଣୁ କଲେ ସେ ରାଗିକି ହେଉ ବା ବିରକ୍ତିରେ ହେଉ ଆପଣଙ୍କୁ ଚଟକଣା ପକାଇପାରେ। ତେବେ ସେଥିପ୍ରତି ଆମେ ସବୁବେଳେ ସତର୍କ ଓ ସଜାଗ। କରୋନା ମହାମାରୀର ବ୍ୟାପକତାକୁ ଦେଖି ଭାରତରେ ଯେଉଁ ୨୧ ଦିନିଆଁ ତାଲାବନ୍ଦ ଚାଲିଛି, ତାହା ଦେଶ ପାଇଁ ଏକାନ୍ତ ଆବଶ୍ୟକ। ସଂକ୍ରମଣର ଶ୍ରୁଙ୍ଖଳା କାଟିବାକୁ ହେଲେ ଏମିତି କିଛି ବଡ ମୂଲ୍ୟ ଆମକୁ ଦେବାକୁ ପଡିବ ଓ ତାହା ଆମେ ଦେଉଛୁ ମଧ୍ୟ। ତେବେ ଏମିତି ସମୟରେ ସରକାର ଶୋଇରହିଲେ, ଆମେ ଚୁପ ବସିବା ଉଚିତ ହେବ କି?

ଏହି ଦୁର୍ଦ୍ଦିନରେ କିଛି ଚିତ୍ର ଆମକୁ ପ୍ରବଳ ବିଚଳିତ ଓ ବ୍ୟଥିତ କରୁଛି। କରୋନା ରୋକିବା ଲାଗି ଯେଉଁ ସାମାଜିକ ଦୂରତ୍ଵ ବା ତାଲା ବନ୍ଦର କଥା କୁହାଯାଇଛି, ଏହା ଏକପ୍ରକାର ମଧ୍ୟବିତ୍ତ ଛୁଟି କି? ୟା ଭିତରେ ଦୁଇଟି ଚିତ୍ର ଆମେ ଦେଖିଲୁ। ଗୋଟେ ଚିତ୍ରରେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜ ପତ୍ନୀଙ୍କ ସହିତ ଲୁଡୁ ଖେଳୁଛନ୍ତି ଓ ଆଉ ଗୋଟେ ଚିତ୍ରରେ ଦେଶର ପରିବେଶ ତଥା ସୂଚନା-ପ୍ରସାରଣ ମନ୍ତ୍ରୀ ଟ୍ରାକସୁଟ ପିନ୍ଧି ବଡ ଆରାମରେ ଟିଭିରେ ରାମାୟଣ ଦେଖୁଛନ୍ତି। ଏହାକୁ ଆମେ କଣ ବୋଲି କହିବା? ଏ ପ୍ରକାର ଛୁଟି ମନାଇବାର ଚିତ୍ର ଆମକୁ ବ୍ୟଥିତ କରୁନାହିଁ କି? ଦେଶରେ ଯେତେବେଳେ ସବୁଠୁ ବଡ ସ୍ୱାସ୍ଥ୍ୟ ସଙ୍କଟ ଦେଖା ଦେଇଛି, ସେତେବେଳେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଲୁଡୁ ଖେଳିବାର ଚିତ୍ର, ଏହା ରୋମ ନଗରୀ ଜଳିଗଲା ବେଳେ ସେତେବେଳର ସମ୍ରାଟ ନୀରୋଙ୍କ ବଂଶୀବାଦନ ନୁହେଁ ତ!! ଅବଶ୍ୟ ଆଉ ଗୋଟେ ଚିତ୍ର ବି ଆସିଛି, ପ୍ରଧାନମନ୍ତ୍ରୀ ତାଙ୍କର ଯୋଗମୂଦ୍ରାର ଚିତ୍ର ଆମକୁ ଦେଖାଇଛନ୍ତି। ଏହାକୁ ଆମେ ସରକାରୀ ତତ୍ପରତାର ଉଦାହରଣ ବୋଲି ଭାବିନେଇ ଚୁପ ରହିବା କି?

ଭାରତରେ ଏହି ସମୟ ଅତ୍ୟନ୍ତ ସଙ୍କଟର ସମୟ। ଯେତେବେଳେ ଆମର ବଡ ବଡ ରାଜନେତାମାନେ ଛୁଟିର ସମୟ ବିତାଉଛନ୍ତି, ସେତେବେଳେ ଦେଶର ଗରିବ ଓ ଅସହାୟ ଜନତାଙ୍କ ଉପରେ ପ୍ରବଳ ନିର୍ୟାତନା ଆରମ୍ଭ ହୋଇଛି। ସରକାର କହୁଛନ୍ତି, ଲୋକଙ୍କୁ ସବୁ ପ୍ରକାର ସହାୟତା ଦିଆଯିବ, ହେଲେ ଲୋକ ସରକାର ଉପରେ ବିଶ୍ଵାସ କରୁନାହାନ୍ତି। ଯାହା ଫଳରେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଏବେ ରାଜରାସ୍ତାରେ ଚାଲି ଚାଲି ଗାଁ କୁ ଫେରୁଛନ୍ତି। ରାସ୍ତାରେ ଅନେକ ଲୋକ ପ୍ରାଣ ବି ହରାଇସାରିଲେଣି। ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଏହି ଶ୍ରମିକ ଓ ଗରିବଙ୍କ ଉପରେ ଅକଥନୀୟ ନିର୍ୟାତନାର ଚିତ୍ର ଆମେ ଦେଖୁଛୁ। ଲୋକଙ୍କ ଉପରେ ରାସାୟନିକ କୀଟାଣୁ ନାଶ ଛିଞ୍ଚୁଥିବାର ଦୃଶ୍ୟ ଦେଖି ମାନବିକତା ଉପରେ ଆମର ଭରସା ରହିବ ତ! ଏ ପ୍ରଶ୍ନ ଆଜି ଗଣମାଧ୍ୟମ ପଚାରିବାକୁ ବାଧ୍ୟ।

ଓଡିଶା ସରକାର କରୋନା ମୁକାବିଲା କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି ଓ ସେଥିଲାଗି ସରକାରଙ୍କୁ ପ୍ରଶଂସା କରିବାରେ ଆମର କାର୍ପଣ୍ୟ କରିବାର ନାହିଁ। ତେବେ ଏହି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯେଉଁ କିଛି ଚିତ୍ର ଆସୁଛି, ତାହା ଆଦୌ ପ୍ରଶଂସାଯୋଗ୍ୟ ନୁହେଁ। ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିବା ପରିବର୍ତ୍ତେ ଅନେକ ପୋଲିସ ଅଧିକାରୀ କଙ୍ଗାରୁ ଅଦାଲତ ଖୋଲି ବସିଛନ୍ତି। କିଏ ଲୋକଙ୍କୁ ମନଇଛା ମାଡ ମାରିଲାଣି ତ ଆଉ କିଏ ଲୋକଙ୍କୁ ରାସ୍ତାରେ କାନଧରେଇ ବସ ଉଠ କଲାଣି। ସବୁଠୁ ଜଘନ୍ୟ ଚିତ୍ର ହେଉଛି, ଲୋକଙ୍କୁ ହୀନସ୍ତା କରାଇବାକୁ ସେମାନଙ୍କ ଛାତିରେ ଏକ ପୋଷ୍ଟର ମାରି “ମୁଁ ଦେଶର ଶତ୍ରୁ” ବୋଲି ଦେଖାଯାଉଛି ଓ ବୀରଦର୍ପରେ ଆମର ଗଣମାଧ୍ୟମ ଏହାକୁ ପ୍ରଦର୍ଶିତ କରୁଛନ୍ତି।

ଉଭୟ ପୋଲିସ ଓ ଗଣମାଧ୍ୟମର ଏହା ସବୁଠୁ ବଡ ବର୍ବରତା। ଦେଶର ଶତ୍ରୁ ବୋଲି ଜଣେ ଲୋକର ଛାତିରେ ପୋଷ୍ଟର ମାରିବା ଏକ ଅପରାଧ ଓ ଏ ପ୍ରକାର ଅପରାଧ ପାଇଁ ଦେଶର ସମ୍ବିଧାନ ଆଗରେ ଆମେ ସମସ୍ତେ ଲଜ୍ଜିତ ହେବାକୁ ବାଧ୍ୟ।

Categories
ବିଶେଷ ଖବର

କରୋନାରୁ ବଞ୍ଚିବା ଲାଗି ଅଲଗା ରହିବାର ଅର୍ଥ ବାସନ୍ଦ ବା ଅସ୍ପୃଶ୍ୟତା ନୁହେଁ, ଏହା ସଂକ୍ରମଣ ରୋକିବା ପାଇଁ ଏକ ତପସ୍ୟା

 କେଦାର ମିଶ୍ର

ଯେତେବେଳେ ଏକ ବଡ ସଙ୍କଟ ଆସେ ସେତେବେଳେ ତାକୁ ଘେରି ଅନେକ ରକମର ସମସ୍ୟା ମଧ୍ୟ ତିଆରି ହୁଏ। ଏବେ କରୋନା ଭୂତାଣୁର ଭୟ ସାରା ପୃଥିବୀକୁ ସନ୍ତ୍ରସ୍ତ କରି ରଖିଛି। ପୃଥିବୀର ବହୁ ବିତ୍ତଶାଳୀ ଓ ପ୍ରଭାବଶାଳୀ ଦେଶ ଏହାର ମୁକାବିଲା କରି ପାରୁନଥିବାରୁ, ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସ୍ଵାଭାବିକ। ଏହି ଭୂତାଣୁ କୁ ପ୍ରତିହତ କରିବା ପାଇଁ କୌଣସି ଟୀକା ବା ଔଷଧ ବାହାରି ନ ଥିବାରୁ ସେ ମଧ୍ୟ ଲୋକଙ୍କର ଚିନ୍ତା ବଢାଇଛି। ଏକ ଅଜଣା ରୋଗର ଆତଙ୍କକୁ ମୁକାବିଲା କରିବା ଲାଗି ଆମକୁ ମଧ୍ୟ ଭିନ୍ନ ଭିନ୍ନ ଉପାୟ କରିବାକୁ ପଡୁଛି। ଭାରତ ନିଜକୁ ତିନି ସପ୍ତାହ ଲାଗି ସଂପୂର୍ଣ୍ଣ ଭାବରେ ଗୃହବନ୍ଦୀ କରି ରଖିବାର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଏତେ ଶଜା ନୁହେଁ। ତିନି ସପ୍ତାହ ଧରି ଆୟ, ଉପାର୍ଜନ ଓ ସ୍ବାଧିନତାକୁ ଜଳାଞ୍ଜଳି ଦେଇ ଘରେ ବସି ରହିବା ସବୁଠୁ ବଡ ଆହ୍ଵାନ। ତେବେ ଏହା ଛଡା ଆମ ପାଖରେ ଅନ୍ୟ ଉପାୟ ନାହିଁ।

ଏଇ କିଛି ଦିନ ହେଲାଣି ଆମର ସାମାଜିକ ଅନୁଭବ ଓ ଚେତନା ମଧ୍ୟ ବଦଳି ଯାଉଛି। ଆମେ ନୂଆ ନୂଆ ଆହ୍ଵାନ ଓ ସଙ୍କଟକୁ ସାମ୍ନା କରୁଛୁ। ସେଥିରୁ ଗୋଟେ ବଡ ଆହ୍ଵାନ ହେଉଛି, ବାହାରେ ରହୁଥିବା ଲୋକଙ୍କୁ ଆମେ କେମିତି ଗ୍ରହଣ କରିବା। କରୋନା ଭୂତାଣୁ ଯେହେତୁ ବିଦେଶରୁ ଆସିଛି, ତେଣୁ ସବୁ ବିଦେଶୀ ବା ବିଦେଶରୁ ଆସିଥିବା ସବୁ ଲୋକଙ୍କୁ ଆମେ ସନ୍ଦେହ କରିବା କି? ସେମାନେ ଆମ ଲାଗି ସଂପୂର୍ଣ୍ଣ ଅସ୍ପୃଶ୍ୟ ବୋଲି ଭାବିନେବା ଉଚିତ ହେବ କି? ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯେଉଁମାନେ ବାହାରେ ରହି ଘରକୁ ଫେରିଛନ୍ତି, ସେମାନେ ଆମର ସମ୍ପର୍କୀୟ ବା ଆତ୍ମୀୟ। ସେମାନଙ୍କୁ ହତାଦର କରିବା, ବାସନ୍ଦ କରିବା ବା ଅସ୍ପୃଶ୍ୟ କରି ରଖିବାର ଭାବନା ମନକୁ ଆଣିବା ଆଦୌ ଉଚିତ ନୁହେଁ। ହେଲେ ଏହା ସହିତ ଆମେ ଅସତର୍କ ବା ଅଧିକ ଭାବ ପ୍ରବଣ ହେବା ମଧ୍ୟ ଉଚିତ ନୁହେଁ। ଏହି ଭୂତାଣୁର ସଂକ୍ରମଣ ସ୍ପର୍ଶ ରୁ ହେଉଥିବାରୁ ଯେ କୌଣସି ସନ୍ଦିଗ୍ଧଙ୍କୁ ଦୂରରେ, ସଙ୍ଗଛଡା କରି ରଖିବାକୁ ଆମେ ବାଧ୍ୟ।

ସଙ୍ଗଛଡା କରି ରଖିବା ଓ ବାସନ୍ଦ କରି ରଖିବା ଏକା କଥା ନୁହେଁ। ଆମକୁ ସରକାର ବାରମ୍ବାର କହୁଛନ୍ତି ଯେ ଯେଉଁମାନେ ବାହାରୁ ଆସୁଛନ୍ତି, ସେମାନଙ୍କୁ ଅନ୍ତତଃ ୧୪ ଦିନ ଲାଗି ଏକାନ୍ତରେ ରହିବାକୁ ପଡିବ। ସେମାନେ  ସମସ୍ତେ ଯେ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ, ତାହା ବିଲକୁଲ ନୁହେଁ। ମାର୍ଚ୍ଚ ୧୫ ଆଗରୁ ଯେଉଁମାନେ ଭାରତ ବାହାରୁ ଆସୁଥିଲେ, ସେମାନଙ୍କୁ ୧୪ ଦିନ ଏକାନ୍ତ ବାସ ବା ସଙ୍ଗରୋଧରେ ରହିବାକୁ ସରକାର ବାଧ୍ୟତାମୂଳକ କରିଥିଲେ। ଏବେ ଯେଉଁମାନେ ଅଲଗା ରାଜ୍ୟରୁ ଓଡିଶା ଫେରିଛନ୍ତି, ସେମାନଙ୍କୁ ମଧ୍ୟ ୧୪ ଦିନର ସଙ୍ଗରୋଧ ପାଇଁ ପରାମର୍ଶ ଦିଆ ଯାଉଛି। ଏହା ଗାଁ ଓ ଛୋଟ ସହର ସ୍ତରରେ ଆଉ ଗୋଟେ ପ୍ରକାର ରୂପ ନେଲାଣି। ଯେଉଁମାନେ ଭୁବନେଶ୍ବରରୁ ବା ଅନ୍ୟ ସହରରୁ ଗାଁକୁ ଫେରୁଛନ୍ତି, ଅନେକ ଗାଁରେ ସେମାନଙ୍କୁ ମଧ୍ୟ ପୂରେଇ ଦିଆ ଯାଉନାହିଁ।

ଗୋଟେ ଭଲ ଉଦ୍ଦେଶ୍ୟକୁ ଠିକ ଭାବରେ ବୁଝି ନ ପାରିଲେ, ତାହା ଏକ ବଡ ସଙ୍କଟ ସୃଷ୍ଟି କରିଥାଏ। ଏହା ସମାଜ ଓ ପରିବାରକୁ ଭାଙ୍ଗିଦେବା କିମ୍ବା ଧ୍ଵଂସ କରି ଦେବାର ସମ୍ଭାବନା ମଧ୍ୟ ରହିଛି। ସଙ୍ଗରୋଧ ଏକ ଆବଶ୍ୟକତା। ସଂକ୍ରମଣ ଏଡାଇବା ଲାଗି ଏହା ଏକ ସହଜ ବାଟ। ତେଣୁ ଯିଏ ଆମଠୁ ୧୪ ଦିନ ଅଲଗା ରହୁଛନ୍ତି, ସେ ଆମଠୁ ଅଧିକ ସ୍ନେହ ଓ ଯତ୍ନ ପାଇବା ଉଚିତ। ତାଙ୍କୁ ରୋଗୀ, ଶତ୍ରୁ ବା ସନ୍ଦିଗ୍ଧ ବୋଲି ଭାବିବା ଅପେକ୍ଷା ସେ ଯେ ଏକାନ୍ତ ଆପଣାର, ସେ ଅନୁଭବ ତାଙ୍କୁ ଦେବାକୁ ପଡିବ। ତାହା ନକରି ଯଦି ଅସ୍ପୃଶ୍ୟତା ଓ ନାକ ଟେକିବାର ଭାବନା ତିଆରି କରାଯାଏ, ତାହା ଅଧିକ ସଙ୍କଟ ସୃଷ୍ଟି କରିବ।

କରୋନା ଏକ ସଂକ୍ରାମକ ରୋଗ ଓ ଏହା ହୁ ହୁ ହୋଇ ବଢୁଛି। ତେଣୁ ଏହାକୁ ହାଲୁକା ଭାବେ ଆମେ ନେଇପାରିବା ନାହିଁ। ତେବେ ୭୫୦ କୋଟି ଲୋକଙ୍କ ପୃଥିବୀରେ ଏହି ଭୂତାଣୁ ୫,୫୨,୯୪୩ ଲୋକଙ୍କୁ ଛୁଇଛି। ସେଥିରୁ ୨୫.୦୪୫ ଲୋକ ପ୍ରାଣ ହରାଇଛନ୍ତି। ୧,୨୮, ୭୨୬ ଲୋକ ଏଥିରୁ ସୁସ୍ଥ ହୋଇ ସାରିଲେଣି। ଏବେ ଯେଉଁ ୩୯୯,୧୯୨ ଲୋକ ଆକ୍ରାନ୍ତଙ୍କ ମଧ୍ୟରୁ ୨୧.୦୬୨ ଲୋକଙ୍କ ସ୍ଥିତି ଜଟିଳ ରହିଛି। ବାକି ସମସ୍ତେ ଭଲ ଅଛନ୍ତି ଓ ସେମାନେ ଭଲ ହେବାର ସମ୍ଭାବନା ଅଧିକ। ମୋଟାମୋଟି ଏହି ଭୂତାଣୁ ଦ୍ଵାରା ଆକ୍ରାନ୍ତ ହେଉଥିବା ୩.୪% ଲୋକ ପ୍ରାଣ ହରାଉଛନ୍ତି। ଯେଉଁମାନେ ପ୍ରାଣ ହରାଉଛନ୍ତି, ସେମାନେ ପ୍ରାୟତଃ ବୟସ୍କ କିମ୍ବା ସେମାନଙ୍କର ପୁରୁଣା ରୋଗ ରହିଛି। ତେଣୁ ଖୁବ ବେଶୀ ଆତଙ୍କିତ ହେବା ଭଳି ସ୍ଥିତି ଆଜି ବି ଆମର ନାହିଁ। ଆମର ଏକମାତ୍ର ଦାୟିତ୍ଵ ହେଉଛି, ଏହାର ସଂକ୍ରମଣକୁ ଅଟକାଇବା। ସେଥିଲାଗି ଯେଉଁଠି ବି ସନ୍ଦେହ ଅଛି, ସେଠି ସଙ୍ଗରୋଧ ଜରୁରୀ।

ଆମକୁ ସତର୍କ ଓ ସଚେତନ ହୋଇ ରହିବାକୁ ପଡିବ। ଯେଉଁମାନେ ବାହାରୁ ଫେରିଛନ୍ତି ସେମାନଙ୍କୁ ଆମେ ଅଲଗା କରି ରଖିଲା ବେଳେ ସେମାନଙ୍କୁ ଯେମିତି ନ ଲାଗେ ଯେ ଆମେ ସେମାନଙ୍କୁ ଅସ୍ପୃଶ୍ୟ ବା ବାସନ୍ଦ କରି ରଖିଛୁ। ଏହି ସଂକ୍ରମଣ ରୋକିବାରେ ସେମାନଙ୍କର ଏକାନ୍ତବାସ ବା ସଙ୍ଗରୋଧ ଏକ ପ୍ରକାର ତପସ୍ୟା ବୋଲି ଆମେ ସେମାନଙ୍କୁ ବୁଝାଇ ପାରିବା କି?

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋରୋନା: ୧୧ ଦିନ ପର୍ଯ୍ୟନ୍ତ ସମସ୍ତ ଧର୍ମ ଅନୁଷ୍ଠାନକୁ ସର୍ବସାଧାରଣ ପ୍ରବେଶ ବାରଣ, ମାର୍ଗଦର୍ଶିକା ଜାରୀ କଲେ ରାଜ୍ୟ ସରକାର

ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 ରାଜ୍ୟ ସରକାର ଗତକାଲି ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶକୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ବାରଣ କରାଯାଇଛି ।

 ରାଜ୍ୟ ସରକାର ସବୁଦୃଷ୍ଟିରୁ ବିଚାର କରି ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ସେହିଭଳି ମାର୍ଗଦର୍ଶିକା ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ୍‌, ମନ୍ଦିର, ମସଜିଦ୍‌, ଗୀର୍ଜା ଓ ଗୁରୁଦ୍ୱାରଗୁଡ଼ିକ ୨୦ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି ।

 ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଏହି ସମୟରେ ଧାର୍ମିକ ରୀତିନୀତି ବିନା ପ୍ରତିବନ୍ଧକରେ ଚାଲୁରହିବ ।

 ଅଦ୍ୟାବଧି ଓଡ଼ିଶାରେ ୬୧ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୬୦ଟି କରୋନା ନେଗେଟିଭ୍‌ ଥିବାବେଳେ ଗୋଟିଏ ପଜିଟିଭ୍‌ ଚିହ୍ନଟ ହୋଇଛି ।

 ଗତକାଲି ୫ଟି ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେସବୁ କରୋନା ନେଗେଟିଭ୍‌ ରିପୋର୍ଟ ଆସିଛି ।

 ଆଜି ଅପରାହ୍ନ ୨ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲୋସନ୍‌ରେ ରଖାଯାଇଛି ।

 ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ଗୁଡ଼ିକରେ ଆଇସୋଲେସନ୍‌ ସୁବିଧା ଉପଲବ୍ଧ ଅଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୩୧୮୩ଟି ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ ଅଛି ।

 ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲପ ଲାଇନ୍‌କୁ ୧୨,୨୬୮ କଲ୍‌ ଆସିଛି ।

 ଆଜି ଅପରାହ୍ନ ୨ଟା ସୁଦ୍ଧା ବିଦେଶରୁ ଫେରିଥିବା ୨୬୦୦ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛି ।

 ସହରାଞ୍ଚଳରେ ୪୫୦ଟି କୋଠା ଚିହ୍ନଟ କରାଯାଇଛି ଯେଉଁଥିରେ କି ୫୧ ହଜାର ୧୬୦ଜଣ ବ୍ୟକ୍ତି ଏହାର ସୁବିଧା ନେଇପାରିବେ ।

 ଆଜି ରାଜ୍ୟର ୬୭୯୮ଟି ଗ୍ରାମପଞ୍ଚାୟତରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କି ରାଜ୍ୟର ୨ ଲକ୍ଷ ୩୭ ହଜାର ପଞ୍ଚାୟତିରାଜ ପ୍ରତିନିଧି ଯୋଗ ଦେଇଥିଲେ ।

 ଗ୍ରାମାଞ୍ଚଳରେ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟର ୬ ହଜାର ୭୯୮ଟି ଗ୍ରାମପଞ୍ଚାୟତର

୭ ହଜାର ୧୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରାଯାଇଛି । ଫଳରେ ଶଯ୍ୟା ସଂଖ୍ୟା ୪ ଲକ୍ଷ ୨୨ ହଜାର ୪୨୬କୁ ବୃଦ୍ଧି ପାଇଛି ।

 ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ମୋଟ ୪୮ ଲକ୍ଷ ୩୮ ହଜାର ୫୪୮ ଜଣ ହିତାଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶନାମାନୁସାରେ ଅଗ୍ରୀମ ୪ ମାସର ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି । ହିତାଧିକାରୀମାନଙ୍କୁ ସେମାନଙ୍କ ଗ୍ରାମରେ ସିଧାସଳଖ ଅଗୀମ ଭାବେ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି ଦୈବାତ୍‌ କୌଣସି କର୍ମଚାରୀଙ୍କର କୋଭିଡ୍‌-୧୯ ଭୂତାଣୁ ଲକ୍ଷଣ ଦେଖାଦିଏ, ତେବେ ସେ ତୁରନ୍ତ ନିଜର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହିତ କାର୍ଯ୍ୟକ୍ଷେତ୍ରକୁ ନଆସି ୧୪ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍‌ ଉଦ୍ଦେଶ୍ୟରେ ଛୁଟି ଆବେଦନ କରିବେ । ପୁନଶ୍ଚ ଯଦି କୌଣସି ସରକାରୀ କର୍ମଚାରୀ ୪ ମାର୍ଚ୍ଚ ପରେ ବିଦେଶରୁ ଫେରିଥିବା ପରିବାର ସଦସ୍ୟଙ୍କ ସହିତ ରହୁଥିବେ ତେବେ ସେ ୧୪ଦିନ ସଂଗରୋଧରେ ରହିବେ । ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ କାର୍ଯ୍ୟାଳୟ ମୁଖ୍ୟଙ୍କ ନିର୍ଦ୍ଦେଶ କ୍ରମେ ରୋଷ୍ଟର ଡୁ୍ୟଟିରେ କାର୍ଯ୍ୟାଳୟ ଆସିବେ । ଏ ସଂପର୍କିତ ଆବଶ୍ୟକୀୟ ନିର୍ଦ୍ଦେଶନାମା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଛି ।

 ସଂକ୍ରମଣ ସନ୍ଦେହକୁ ଦୃଷ୍ଟିରେ ରଖି ଜେଲ୍‌ ଅଧୀକ୍ଷକମାନଙ୍କୁ ଏକ ମୁକ୍ତ ବାୟୁ ଚଳାଚଳ କରୁଥିବା ସ୍ଥାନକୁ ଆଇସୋଲେସନ୍‌ ପ୍ରକୋଷ୍ଠ ଭାବେ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

 ଜିଲ୍ଲା ମୁଖ୍ୟାଳୟ କାରାଗାରମାନଙ୍କରେ ଇ-ମୁଲାକାତ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

 ଅନ୍ୟାଦେଶ ପର୍ଯ୍ୟନ୍ତ ହାଇ-ଏଣ୍ଡ୍‌ ସେଲୁନ୍‌, ବୁ୍ୟଟିପାର୍ଲର, ସ୍ପା ଆଦି ନିଶ୍ଚିତ ଭାବେ ବନ୍ଦ ରହିବ।

 ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ। ସଂଗ୍ରହାଳୟ, ଗ୍ରନ୍ଥାଗାର, ଥିଏଟରଗୁଡ଼ିକ ବନ୍ଦ ରହିବ।

 ଗାଧୁଆ, ପରିଷ୍କାର ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ସର୍ବସାଧାରଣଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ପୋଖରୀ ଭଳି ଜଳାଶୟଗୁଡ଼ିକରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ। ଏହା ପରିବର୍ତ୍ତେ ନଳକୂପ ଏବଂ ପାଇପ୍‌ ଜଳଯୋଗାଣ ବ୍ୟବସ୍ଥାର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

 ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆବାସିକ କଲ୍ୟାଣ ସଂଘ (ରେସିଡେଣ୍ଟ ୱେଲ୍‌ଫେୟାର ଆସୋସିଏସନ୍‌)ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

 ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ପରିଚାଳନାଧୀନ ଭିତରକନିକା ପ୍ରକୃତି ଶିବିର, ରାଜ୍ୟର ସମସ୍ତ ଚିଡ଼ିଆଖାନା, ପରିବେଶ-ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରାଯାଇଛି । ଆଞ୍ଚଳକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଭୁବନେଶ୍ୱରର ଉଦ୍ଭିଦ ଉଦ୍ୟାନକୁ ପ୍ରତିଦିନ ଅପରାହ@ ୨ଟାରୁ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 ଦ୍ରବ୍ୟ ଓ ସାମଗ୍ରୀ ନେଇ ଚଳାଚଳ କରୁଥିବା ବସ୍‌, ଟ୍ରେନ୍‌ ଏବଂ ଗାଡ଼ିଗୁଡ଼ିକ ରାଜ୍ୟ ଭିତରେ କିମ୍ବା ଆନ୍ତରାଜ୍ୟ ସୀମାରେ ବନ୍ଦ ହେବ ନାହିଁ ।

 କୁକଡ଼ା, କୁକଡ଼ା ଅଣ୍ଡା ସହ ଅନ୍ୟ ପୋଲଟି୍ର ଉତ୍ପାଦ ନିରାପଦ ଅଟେ। ଏସବୁ ପରିହବନ ଓ ବ୍ୟବହାର ସମୟରେ ଆବଶ୍ୟକୀୟ ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

 ବିପିୟୁଟି ଏବଂ ଭିସୁଟ୍‌ର ଶେଷ ସେମିଷ୍ଟାର ଏବଂ ବ୍ୟାକ୍‌ ପେପର୍‌ର ସମସ୍ତ ପରୀକ୍ଷାଗୁଡ଼ିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

 ସୋମବାର ଅର୍ଥାତ୍‌ ୨୩ ମାର୍ଚ୍ଚ ୨୦୨୦ ଠାରୁ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୦କୁ ସ୍ଥଗିତ ରଖାଯାଇଛି।

 

Categories
ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ବିମାନ ଅବତରଣ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କେନ୍ଦ୍ର ସରକାର ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏନେଇ ସମସ୍ତ ଅନ୍ତର୍ଜାତୀୟ ବିମାନଙ୍କୁ ଦେଶରେ ଅବତରଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଉପରେ ଏହି କଟକଣା ଲଗାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତରେ କାରୋନାରେ ୨୫ ବିଦେଶୀ ନାଗରିକଙ୍କ ସମେତ ୧୭୩ ଜଣ ଆକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଚାରି ଜଣ ଲୋକ କରୋନା ଭୂତାଣୁ ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। (ଏଜେନ୍ସି)