୨୪ ଘଂଟା ପାଇଁ ଧର୍ମଗଡ ଏନଏସି ସଟ ଡାଉନ

Published: Jul 30, 2020, 8:39 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯ରେ ପହଂଚିଥିବା ବେଳେ ଗତକାଲି ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଜିଲ୍ଲାର ଧର୍ମଗଡ ଏନଏସିକୁ ୨୪ ଘଂଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ତେବେ ଏହି ସଟଡାଉନ ସମୟରେ ଧର୍ମଗଡ ଏନଏସିର ୧୪ ଟି ୱାର୍ଡରେ ବସବାସ କରୁଥିବା ୧୬ହଜାର ବାସିନ୍ଦାଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମ ଅଙ୍ଗନୱାଡି ଆଶା ଦିଦି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟଗତ ତଥ୍ୟ ସରକାରଙ୍କ ଠାରେ ପହଂଚାଇବ।

ଏଥିପାଇଁ ଧର୍ମଗଡ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୩୧ ଜଣିଆ ଟିମ ଗଠନ କରାଯାଇଛି ବୋଲି ଧର୍ମଗଡ ଉପଜିଲ୍ଲାପାଳ ଦିବାକର ଟିଏସ ସୁଚନା ଦେଇଛନ୍ତି। ତେବେ ଏହି ସଟଡାଉନ ସମୟରେ ଧର୍ମଗଡ ଏନଏସି ଭିତରକୁ ପ୍ରବେଶ ଓ ବାହାରକୁ ଯିବାକୁ ଜନସାଧାରଣଙ୍କୁ ବାରଣ କରାଯାଇଥିବା ବେଳେ ସମସ୍ତ ଲୋକ ନିଜ ଘରେ ରହି ସ୍ୱତପ୍ରବୃତ ଭାବେ ସମସ୍ତ ତଥ୍ୟ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଉପଜିଲ୍ଲାପାଳ ନିବେଦନ କରିଛନ୍ତି।

ପୁଲିସ ପ୍ରଶାସନ ପକ୍ଷରୁ ଧର୍ମଗଡ ସହରରେ ସମସ୍ତ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେବା ସହିତ ଜରୁରୀକାଳିନ ଓ ଡାକ୍ତରଖାନା ଯିବା ପାଇଁ ଅନୁମତି ଦିଆଯଅଉଥିବା ଦେଖିବାକୁ ମିଳିଛି। ସଟଡାଉନ ଯୋଗୁଁ ଧର୍ମଗଡ ସହରର ଦୋକାନ ବଜାର ସବୁ ବନ୍ଦ ରହିବା ସହିତ ଯାତାୟତ ମଧ୍ୟ ବନ୍ଦ ରହିଛି।

Related posts