Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା: କଳାହାଣ୍ଡି ଜିଲ୍ଲାର କୁମକୁମ ପ୍ରିୟଦର୍ଶିନୀ ସାହୁ ହେଲେ ପ୍ରଥମ

ଭୁବନେଶ୍ବର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଓଡ଼ିଶା ଜୋନ୍ ସ୍ଥିତ ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଫେବୃଆରୀ ୧୯, ୨୦୨୪ରେ ମୋ ଭାରତ ବିକଶିତ ଭାରତ@୨୦୨୪ ଶୀର୍ଷକ ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସାଂସଦ (ରାଜ୍ୟସଭା) ମୁଜିବୁଲ୍ଲା ଖାନ୍‍ ଯୋଗ ଦେଇଥିଲେ। ଜିଲ୍ଲାସ୍ତରରେ ଆୟୋଜିତ ସମସ୍ତ ୩୦ ଟି ଜିଲ୍ଲା ପ୍ରତିଯୋଗିତାରେ ଏହି ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାର ଜୁରି ସଦସ୍ୟ ଥିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ସ୍ନାତକୋତ୍ତର ବିଭାଗର ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ହିନ୍ଦୀ ବିଭାଗର ମୁଖ୍ୟ ଡ. ସ୍ନେହଲତା ଦାସ, ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଡ. ସ୍ମୃତି ରଞ୍ଜନ ଦାଶ ଏବଂ କିଟ୍ ଏନ୍ଏସ୍ଏସ୍ ବ୍ୟୁରୋର ସିଇସି ଓ ପିସିର ଉପନିର୍ଦେଶକ ଡ. କାଜଲ ପରାଶର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସାଂସଦ ମୁଜିବୁଲ୍ଲା ଖାନ୍ ଙ୍କ ଠାରୁ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥ ପୁରସ୍କାର ପାଇଥିବା ପ୍ରଥମ ସ୍ଥାନରେ ଥିଲେ କଳାହାଣ୍ଡି ଜିଲ୍ଲାର କୁମକୁମ ପ୍ରିୟଦର୍ଶିନୀ ସାହୁ। ୫୦ ହଜାର ଟଙ୍କା ନଗଦ ପୁରସ୍କାର ପାଇ ଦ୍ବିତୀୟ ସ୍ଥାନରେ ଥିଲେ ବାଲେଶ୍ୱରର  ଇଶାବୈଶାଖୀ ଗିରି। ଖୋର୍ଦ୍ଧା ଜିଲ୍ଲାର ଦେବାଶିଷ ପଣ୍ଡା ୨୫ ହଜାର ଟଙ୍କା ପାଇ ତୃତୀୟ ସ୍ଥାନରେ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଆଲିଶା ପ୍ରିୟଦର୍ଶିନୀ ଖଣ୍ଡୁଆଳ ମଧ୍ୟ ୨୫ ହଜାର ଟଙ୍କା ନଗଦ ଅର୍ଥ ରାଶି ପାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ: ପୁରସ୍କୃତ ହେଲେ ୨୨୦୧ ଛାତ୍ରଛାତ୍ରୀ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ତରଫରୁ ଅନେକ ସମୟରେ ଅଭିନବ ଯୋଜନା ସବୁ ପ୍ରଣୟନ ହେଉଛି। ସେହି କ୍ରମରେ ଶିକ୍ଷାୟତନର ବିବିଧ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାସହ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତମାନଙ୍କୁ ଶିକ୍ଷାର ବିକାଶ ଦିଗରେ ଉତ୍ସାହିତ କରିବା ପାଇଁ ପ୍ରଚଳିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏକ ଅଭିନବ ପ୍ରୟାସ ବୋଲି କଳାହାଣ୍ଡି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଡିଆଇଇଟି ପଡ଼ିଆରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାରେନ୍ଦ୍ର ପଣ୍ଡା, ଡିଆଇଇଟି ଅଧ୍ୟକ୍ଷା ଡ.ସ୍ନେହପ୍ରଭା ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ଅତିଥି ଭାବେ ଯୋଗଦେଇ କୃତି ପ୍ରତିଭା ଓ ଅନୁଷ୍ଠାନମାନଙ୍କୁ ପୁରସ୍କୃତ କରିଥିଲେ।

ଏହି ଅବସରରେ ୧୧୭ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ଏକାଡେମିକ ପୁରସ୍କାର (₹୧୧,୭୦,୦୦୦), ୧୩୩୪ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ଏକାଡେମିକ ପୁରସ୍କାର (₹୬୬,୭୦,୦୦୦), ୬୧୪ ଜଣଙ୍କୁ ଛାତ୍ର ଲିଡରସିପ ପୁରସ୍କାର (₹୧୮,୪୨,୦୦୦), ୧୨ଟି ବ୍ଲକ ଆଲୁମିନି କମିଟି ପୁରସ୍କାର (₹୩,୬୦,୦୦୦), ୭ଟି ମାଧ୍ୟମିକ ପ୍ରଧାନଶିକ୍ଷକ ପୁରସ୍କାର (୨,୧୦,୦୦୦), ୩୯ଟି ଲେଖାଏଁ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର (₹୧,୧୭,୦୦,୦୦୦ ଓ (୩୯,୦୦,୦୦୦), ୧୩ଟି ଲେଖାଏଁ ବ୍ଲକ ସ୍ତରୀୟ ଗ୍ରାମପଞ୍ଚାୟତ ପୁରସ୍କାର (₹୧୩,୦୦,୦୦୦), ଏସଏମସି ପୁରସ୍କାର (₹୩,୯୦,୦୦୦) ଓ ପ୍ରାଥମିକ ଶିକ୍ଷକ ପୁରସ୍କାର ପ୍ରଦାନ (₹୩,୨୫,୦୦୦) ପ୍ରଦାନ କରାଯାଇଥିଲା। ଜିଲ୍ଲାର ୧୩ଟି ବ୍ଲକରୁ ସମୁଦାୟ ୨୨୦୧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବେଶ୍ୱର ଭୋଇ, ଜଗନ୍ନାଥ ତ୍ରିପାଠୀ, ସଂଗୀତା ରାଉତ ଓ ଯଦୁ ନାଏକ ସଂଗୀତ ପରିବେଷଣ କରିଥିବା ବେଳେ ଡିଆଇଇଟିର ଗୁରୁଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ବର ରଣା, ଶ୍ରୁତି ସିଲଭା ପଣ୍ଡା ଓ ବିରଞ୍ଚି ନାରାୟଣ ମୁଣ୍ଡ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ ଓ ଶଗଡ଼ା ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ସାହୁ। ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଡିଆଇଇଟି ଓ ଆୟୋଜକ କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ନୂଆ (ନୂତନ ଉନ୍ନତ ଅଭିଳାଷ) ଓଡ଼ିଶା ଯୋଜନା ର ଶୁଭାରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟର ଅଶ୍ଵାନ ସଭାଗୃହରେ ନୂଆ (ନୂତନ ଉନ୍ନତ ଅଭିଳାଷା) ଓଡିଶା ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାର ଶୁଭାରମ୍ଭ ଭୁବନେଶ୍ୱରରୁ ମାନ୍ୟବର ମନ୍ତ୍ରୀ ଦକ୍ଷତା ବିକାଶ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ଦ୍ୱାରା ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ କରାଯାଇ ଥିଲା। ଏଥିରେ ଦକ୍ଷତା ବିକାଶ ବିଭାଗ ର ପ୍ରମୁଖ ସଚିବ ଉଷା ପାଢ଼ୀ, ନିର୍ଦେଶକ ରେଘୁ ଜି ଏବଂ ଦକ୍ଷତା ବିକାଶ ବିଭାଗ ର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

ଏହି ଯୋଜନା ମାଧ୍ୟମରେ ୧ ଲକ୍ଷ ଯୁବକ ଯୁବତୀ ମାନଙ୍କୁ ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ନିଯୁକ୍ତିକ୍ଷମ କରାଇବାର ଲକ୍ଷ ରଖାଯାଇଛି। ଏହା ବ୍ୟତୀତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକର ରୂପରେଖ ପ୍ରସ୍ତୁତି ପାଇଁ ଜିଲ୍ଲା ମାନଙ୍କୁ ନୂଆ ଓଡିଶାରେ କ୍ଷମତା ପ୍ରଦାନ କରାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ ଆଲୁମିନା ସହଭାଗିତା ରେ ଚଳିତ ଆର୍ଥିକ ବର୍ଷରେ ୧୫୦ ଜଣ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ,କଳାହାଣ୍ଡି ଜିଲ୍ଲା ର ଆଗାମୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ଦିଶାନିର୍ଦେଶ ବିଷୟରେ ଉଦ୍ବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୋଇଥିଲା। ଏଥିରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ, ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା, ସୁଯୋଗ୍ୟ ମିଶ୍ର, ବେଦାନ୍ତ ତରଫରୁ ଶିଶିର ତରଫଦର, ଅଭିନୟ ପ୍ରତାପ ଓ ୫୦ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ନିଖିଳ ଭାରତ ସମବାୟ ସପ୍ତାହ- ୨୦୨୩ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ସ୍ଥାନୀୟ ଟାଉନ ହଲ ଠାରେ ଗିରିଶ ଚନ୍ଦ୍ର ବେହେରା, ସଭାପତି, ଭବାନିପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ପୌରହିତରେ ମହାସମାରୋହରେ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ, ଅଧ୍ୟକ୍ଷ୍ୟ ଜିଲ୍ଲା ପରିଷଦ କଳାହାଣ୍ଡି ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ବିଧାୟକ ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀ, ବିଧାୟକ ଧର୍ମଗଡ଼ ମୌସଧି ବାଗ, ଅଧ୍ୟକ୍ଷ୍ୟା ଭବାନୀପାଟଣା ପୌର ପାଳିକା ସଂଯୁକ୍ତା ବେହେରା ସମ୍ମାନିତ ଅତିଥିରୂପେ ଯୋଗଦାନ କରି ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ କରିବା ସହ ଚାଷୀ ମାନଙ୍କୁ ଋଣ ଓ ଅନ୍ୟ ସହାୟତା,ସମୃଦ୍ଧି ପାଇଁ ମତ ରଖିଥିଲେ।

ଏହି ସଭାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଉପନିବନ୍ଧକ ସମବାୟ ସମିତି କଳାହାଣ୍ଡି ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ  କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଧେଶକ ବୃନ୍ଧ ତଥା ପାକ୍ସ ଓ ଲାମ୍ପ୍ପ ର ସଭାପତି ଓ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଥିଲେ। ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କଳାହାଣ୍ଡି/ ଗଣମାଧ୍ୟମ ପ୍ରତିନିଧି / ସମବାୟ ବିଭାଗର ଅବସରପ୍ରାପ୍ତ  କର୍ମଚାରୀ ଓ  ବୁଦ୍ଧିଜୀବୀ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। ରୂପ କେଶରୀ ଦଳାଇ ମଞ୍ଚ ପରିଚାଳନା କରିଥିବାବେଳେ ଭବନାଥ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର, ସମବାୟ ବ୍ୟାଙ୍କ ଓ ନିୟନ୍ତ୍ରିତ ବଜାର କମିଟି ଭବାନୀପାଟଣା ଓ କେସିଙ୍ଗାର କର୍ମଚାରୀ ମାନେ ସହଯୋଗ କରିଥିଲେ। ସଭା ପରିଚାଳନା ସହଯୋଗରେ ସମବାୟ ବ୍ୟାଙ୍କର ସୁରେଶ ଶତପଥି ଓ ଚକ୍ରଧର ଦାଶ ଓ ଆର ଏମ ସି ର    କୁନୁ ପାଢୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାରରେ ବିଭାଗୀୟ ତଦନ୍ତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ହୋଇଥିବା ଗୁରୁତର ଅଭିଯୋଗ ହୋଇଥିଲା। ପ୍ରାୟ ୨୩ ରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଉଥିବା ବେଳେ ଏହାର ସୁଯୋଗ ନେଇ ଅସାଧୁ ଡିଲର ମାନେ ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ କୃଷିବିଭାଗ ତରଫରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ସେ ସମୟରେ ଭେଲି ଘଟଣାରେ ସମଗ୍ର ଓଡିଶାରେ ତୁମ୍ଭି ତୋଫାନ ଚାଲିଥିବା ବେଳେ କେତେ ଜଣ ଅସାଧୁ ଡିଲରଙ୍କୁ ଗିରଫ କରାଯାଇଥିବାର ଜଣାପଡିଥିଲା। କଳାହାଣ୍ଡି ଜିଲ୍ଲାରେ ଅସାଧୁ ଡିଲର ମାନଙ୍କ ଦ୍ୱାରା ଏହି ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହେଉଥିଲା। ଡିଲର ମାନଙ୍କ ପକ୍ଷରୁ ତଦନ୍ତ ସହିତ ସଂଶ୍ଳିଷ୍ଟ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇବାର ଉଦ୍ୟମ କରାଯିବା ସହିତ ଜିଲ୍ଲା କୃଷି ବିଭାଗ ଦପ୍ତର ମାନଙ୍କରେ ଡିଲର ମାନଙ୍କ ସପକ୍ଷରେ ଲବି ଆରମ୍ଭ କରାଯାଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ମଧ୍ୟ ବିଭିନ୍ନ ପ୍ରକାର ଚାପ ପକାଇବାର ଯୋଜନା ଜଣାପଡିବା ପରେ ସେସଂପର୍କରେ ରାଜ୍ୟ ଭିଜିଲାନ୍ସ ବିଭାଗ ଉକ୍ତ ଘଟଣାର ତଦନ୍ତ କରିଥିବା ଜଣାପଡିଛି। ହେଲେ ଅସାଧୁ ଡିଲର ମାନେ ବିଭିନ୍ନ ଉପାୟରେ ସରକାରୀ ନୀତି ନିୟମ ଆଖିରେ ଧୁଳି ପକାଇ ସଫଲ ହୋଇଯାଇଥିବା ଦେଖାଯାଉଛି। ଯାହାଫଳରେ ମାତ୍ର ଅଳ୍ପ କିଛି ପ୍ରଲୋଭନରେ ପଡି ସରକାରୀ ସବସିଡି ୬ଲକ୍ଷ ଟଙ୍କାକୁ ଅନ୍ୟ ହାତରେ ଟେକିଦେଇଥିବା ନୀରିହ ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତି ର ହିଁ କ୍ଷତିହେବ ଏଥିରେ କୌଣସି ଦ୍ୱିମତ ହିଁ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ସରକାର ସେଭଲି ବ୍ୟକ୍ତି ବିଶେଷଙ୍କୁ ସବସିଡି ଯୋଗାଇ ଦେବାର କୌଣସି ମୂଲ୍ୟ ହିଁ ରହୁ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି।

କ୍ଲାସ, ୟନମାର ଭଲି ନାମୀ କାମ୍ପାନିର ହାରଭେଷ୍ଟର ସୋରୁମ ରେ ଏଭଲି ଅସାଧୁ କାରବାର ହୋଇଥିବା ଜନସାଧାରଣରେ ଅଭିଯୋଗ ହେବା ସହିତ ଜୟପାଟଣା ଅଂଚଳରେ ଥିବା ଜନୈକ ଅସା ଭୟବସାୟୀ ଙ୍କ ନାମରେ ଥିଭା କୃଷି ଯନ୍ତପାତି ନିର୍ମାଣ କାରଖାନା ମାଧ୍ୟମରେ ଏଭଲି ଅନେକ ହେରାଫେରି ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ଏହି ବ୍ୟବସାୟୀ ପୁର୍ବରୁ ରାସତା କଢରେ ପେଟ୍ରୋଲ, ମୋବିଲ ବିକ୍ରି କରୁଥିବା ବେଳେ କୃଷି ଯନ୍ତ୍ରପାତି ନିର୍ମାଣ ଓ ଯୋଗାଣ ଫେକ୍ଟ୍ରି କରି କୃଷି ବିଭାଗରୁ ଚାଷିଙ୍କୁ ସବସିଡିରେ ଯୋଗାଣ କରିଥିବା କାଗଜାତ ପ୍ରସ୍ତୃତ କରିଦେଇ ବିଲ ଉଠାଣ କରି ହେରାଫେରି କରୁଥିବା ଅଭିଯୋଗ ହେଉଛି। ଏହି ବ୍ୟବସାୟିଙ୍କ ଲମ୍ବାହାତ ଥିବା ଏବଂ ସେଥିପାଇଁ କୌଣସି ତଦନ୍ତ କାରୀ ସଂସ୍ଥା ପହଂଚି ପାରୁନଥିବା ଜନସାଧାରଣରେ ଆଲୋଚନା ହେଉଛି।

ଏସଂପର୍କରେ ଜୁନାଗଡ ଠାରେ କୃଷି ଜିଲ୍ଲା ଅଧିକାରୀ ରଂଜନ ପଟେଲଙ୍କୁ ପଚାରିବାରୁ ଏବେ ଆଉ ସେଭଲି ଭାବେ ସବସିଡି ଦିଆଯାଉନାହିଁ ଆପଣ ପରେ ଆସନ୍ତୁ ଏବେ କିଛି କହିହେବ ନାହିଁ ବୋଲି ବେଶ ହାଲୁକା ଭାବେ ଜବାବ ଦେଇଥିଲେ। ହେଲେ ଏଭଲି ଅସାଧୁ ବ୍ୟବସାୟୀ ମାନେ ବିଭିନ୍ନ ଚାଷୀ ମାନଙ୍କ ନାମରେ ଆସୁଥିବା ସବସିଡି ଟଙ୍କା ବାଟମାରଣା କରୁଥିବା ବେଳେ ପ୍ରକୃତ ହିତାଧିକାରୀ ସେହି ସବସିଡି ଟଙ୍କା ପାଇ ପାରୁନଥିବା ହେତୁ ସରକାରୀ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସ-ଷ୍ଟି ହେଉଛି। ଏସଂପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନିୟ ତଥ୍ୟ ପଦାକୁ ଆସି ପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

Categories
ଆଜିର ଖବର

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୯ ରୁ ମାର୍ଚ୍ଚ ୩୧ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା।

ବୈଠକରେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଉପ ଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ,ଭବାନୀପାଟଣା ଡ. ବିଶ୍ୱଜିତ୍ ଦାସ, ବି ସି ସି ବି ବ୍ୟାଙ୍କ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା, ଲୋକସଭା ସାଂସଦ, କଳାହାଣ୍ଡି, ଭବାନୀପାଟଣା, ଧର୍ମଗଡ ଓ ଜୁନାଗଡ ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ସମସ୍ତଙ୍କୁ ସ୍ଵାଗତ କରି ଏଜେଣ୍ଡା ଅନୁଯାୟୀ ସଭା କାର୍ଯ୍ୟକୁ ଆଗେଇଥିଲେ। ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ,ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ି କୁ ଜବତ କରିବା ଉପରେ ମତ ଦେଇଥିଲେ। ନର୍ଲା ବିଧାୟକ ଭୁପିନ୍ଦର ସିଂହ ଗତ ଖରିଫ ରେ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ମିଲର ମାନେ ନିଜର କର୍ମଚାରୀ ନ ପଠାଇ ଦଲାଲ ମାଧ୍ୟମରେ ଧାନ ଉଠାଉ ଥିବାରୁ ଚାଷୀମାନେ କଟଣି ଛଟଣୀର ଶିକାର ହେଉଛନ୍ତି ପ୍ରକାଶ କରି ଜିଲ୍ଲାପାଳ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ସଭାରେ ଗନି ବ୍ୟାଗ୍ ର ଅସୁବିଧା, ମଣ୍ଡି ରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ , ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନ ର ଉପଲବ୍ଧି ଉପରେ ଆଲୋଚନା ହୋଇଥିଲା। ସଭାରେ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା ଅସୁବିଧାରେ କରିବାକୁ ସର୍ବସମ୍ମତି ପ୍ରକାଶ ପାଇଲା।

ସୁଚନା ଅନୁସାରେ କୋକସରା, ନର୍ଲା, ଏମ ରାମପୁର, କର୍ଲାମୁଣ୍ଡା ବ୍ଲକରେ ନଭେମ୍ବର ୨୯ ତାରିଖ, ଭବାନୀପାଟଣା,କେସିଙ୍ଗା, ଧର୍ମଗଡ଼, ଜୁନାଗଡ,ଗୋଲାମୁଣ୍ଡା, ଜୟପାଟଣା, କଲମପୁର ବ୍ଲକରେ ଡିସେମ୍ବର ୧ ତାରିଖ ଏବଂ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୧୮୩/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୨୦୩/- ଟଙ୍କା ରଖାଯାଇଛି। ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୧,୧୨,୨୮୨ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଚଳିତ ଖରିଫ ଋତୁରେ ୧୮୨୭୭୭ ହେକ୍ଟର ଧାନ ହୋଇଥିବା ଜମିରୁ ୭,୮୨,୯୫୬ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଖରିଫ ୨୦୨୩-୨୪ ରେ ଭବାନୀପାଟଣା ଓ ଧର୍ମଗଡ ସବ-ଡିଭିଜନ ରେ ୭୪ ଟି ପାକ୍ସ, ୨୧୩ ଟି ଧାନ ସଂଗ୍ରହ କେନ୍ଦ୍ର, ୩୨ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ। ସଭାରେ ବିଭାଗୀୟ ଅଧିକାରୀ, ଜିଲ୍ଲା ଚାଷୀ ପ୍ରତିନିଧ , ମିଲର ସଭାପତି,ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି, ପାକ୍ସ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ  ଭବାନୀପାଟଣା ସହର ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ 2023 ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡଃ ସଞ୍ଜୟ କୁମାର ଶତପଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡା ଅଜୟ କୁମାର ମିଶ୍ର, ପୁର୍ବତନ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଏବଂ ବର୍ତ୍ତମାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରୂପେଶ କୁମାର ହୋତା, ସଦସ୍ୟ ଭାରତ କୁମାର ପଣ୍ଡା, ସଦସ୍ୟ ସଞ୍ଜୟ କୁମାର ଏବଂ ସଦସ୍ୟ ଅଶୋକ କୁମାର ଚୌଧୁରୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଭବାନୀ ପଟ୍ଟନାୟକ ଏବଂ ସ୍ଵର୍ଣ୍ଣଲତା ମହାନ୍ତି ଏବଂ ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସାହ କାର୍ଯ୍ୟକ୍ରମରେ ଜିଲର 13 ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର 180 ଜଣ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀଙ୍କ ମଧ୍ୟରେ 100 ମିଟର ଦୌଡ ପ୍ରତିଯୋଗୀତା ଏବଂ 200 ମିଟର  ଦୌଡ, ଲମ୍ବଡିଆ, ଉଚ୍ଚଡିଆଁ, ଚେସ, କେରମ ଓ ଫୁଟବଲ ପ୍ରତୋଯୋଗିତାରେ ଅଂଶଗ୍ରହଣ କରି କୃତି ପ୍ରତିଯୋଗୀ ମାନେ ପୁରସ୍କୃତ ହୋଇଥିଲେ। 100 ମିଟର ଦୌଡ ରେ ବାଳକ ବିଭାଗର ଶୁଭମ ମାଝୀ (NSM), 200 ମିଟର ଦଉଡାରେ ବାଳକ ବିଭାଗର ମାଣିକ ନାୟକ (BSS), ଉଚ୍ଚଡିଆଁରେ ମାଣିକ ନାୟକ ( BSS ), ଲମ୍ବଡିଆଁରେ ସୁରେନ୍ଦ୍ର ସୁନାନୀ (NSS), ଚେସ ରେ ସୁଶାନ୍ତ ରାଉତ (BGSN), କେରମରେ ମାଣ୍ଟୁ ମାଝୀ (BSS) ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି।

ବାଳିକା ବିଭାଗରେ 100 ମିଟର ଦୌଡ ରେ ରାଇମତି ମାଝୀ (NSS), 200 ମିଟର ଦୌଡରେ ରାଇମତି ମାଝୀ (NSS), ଉଚ୍ଚ ଡିଆଁ ରେ ପୂଜା ମାଝୀ (NSM), ଲମ୍ବ ଡିଆଁ ରେ ବେଲମତି ମାଝୀ (NSS), କ୍ୟାରମରେ ଗୌରୀ ଜାଲ ( jashoda ), ଚେସରେ ଲୋପମୁଦ୍ରା ବିହାରୀ ( EMI ) ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଫୁଟବଲ ପ୍ରତିଯୋଗିତାରେ ବାଳକ ବିଭାଗର ( NSM ) ଏବଂ ବାଳିକା ବିଭାଗରେ (NSS) ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିଛନ୍ତି।

ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ଦୁଲାଳ ସେନାପତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବର୍ତ୍ତମାନର ଅଧ୍ୟକ୍ଷ ରୁପେଶ ହୋତା, ପୂର୍ବତନ ଅଧ୍ୟକ୍ଷ ଡା: ଅଜୟ ମିଶ୍ର ଏବଂ ରାଜେଶ ନାୟକ ତଥା ସମସ୍ତ ସଦସ୍ୟ ଗଣ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟଗଣ, ବିଭିନ୍ନ ଖେଳକୁଦ କୁ ପରିଚାଳନା କରୁଥିବା PET ଓ ବିଚାରକ ବୃନ୍ଦ ତଥା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟର ସମସ୍ତ କର୍ମକର୍ତ୍ତା ମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଶେଷରେ ଉତ୍ସାହ 2023 ର ଧ୍ଵଜା ଅବତରଣ କରାଯାଇ କାର୍ଯ୍ୟକ୍ରମ କୁ ସମାପ୍ତ ଘୋଷଣା କରଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମିଶନ ଶକ୍ତି ବିଭାଗ, ଓଡିଶା ସରକାରଙ୍କ ଆନୁକୁଲ୍ୟ ରେ ଆୟୋଜିତ ସଭାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି।
ଗତିଶୀଳତା ହିଁ ସଶକ୍ତିକରଣ ଆଭିମୁଖ୍ୟରେ ମିଶନ ଶକ୍ତି ମା ହିତାଧିକାରୀମାନଙ୍କୁ ସ୍କୁଟର ଯୋଜନାରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ସହାୟତା ଏସ ଏଚ ଜି ମାନଙ୍କୁ ସୁଧ ଫେରସ୍ତ, ବି.ଏଲ.ଏଫ. ଓ ଡି.ଏଲ.ଏଫ. ନିମନ୍ତେ ଗାଡି ବ୍ୟବସ୍ଥା, ଜି.ପି.ଏଲ.ଏଫ ଅଫିସ ଗୃହର ସୁବ୍ୟବସ୍ଥା କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଓସୱାନ ହଲରେ ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ପୌରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରକାଶ, ବି ସି ସି ବ୍ୟାଙ୍କ୍ ସଭାପତି ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ଭର୍ଚୁଆଲ ମୋଡ୍ ରେ ଯୋଡି ହୋଇଥିଲେ।

ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଅନ୍ତର୍ଗତ ୧୩ ଟି ବ୍ଲକରୁ ୨୩୨୭ ଟି ଆବେଦନ ଗ୍ରହଣ କରାଯାଇ ୨୨୩୦ ଟି ଆବେଦନକୁ ବ୍ୟାଙ୍କ ଋଣ ପାଇଁ ସୁପାରିଶ କରଯାଇଥିଲା ଏବଂ ବର୍ତ୍ତମାନ ୭୪୬ ଟି ବ୍ୟାଙ୍କ ଦ୍ଵାରା ଅନୁମୋଦିତ ହୋଇଅଛି।

ଆଜି ଏହି ଅବସରରେ ୧୩ ଟି ବ୍ଲକରେ ୩୬୪ ଜଣ ହିତାଧିକାରୀଙ୍କୁ ନୂତନ ସ୍କୁଟର ହସ୍ତାନ୍ତର କରଯାଇଥିଲା। ଓସୱାନ ହଲ ପ୍ରାଙ୍ଗଣରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ପତାକା ଦେଖାଇ ସ୍କୁଟର ଆରୋହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭବାନୀପାଟଣା ଗ୍ରାମାଞ୍ଚଳରୁ ୧୧୦ ଜଣଙ୍କୁ ସ୍କୁଟର ହସ୍ତାନ୍ତର କରାଗଲା। ଏହି ସ୍କୁଟର ଦ୍ଵାରା ହିତାଧିକାରୀ ନିଜର ବ୍ୟବସାୟିକ ଦିଗକୁ ଆହୁରି ସମୃଦ୍ଧ କରିବା ସହ ମହିଳା ସଶକ୍ତିକରଣ ଦିଗରେ ସହାୟକ ହେବେ।

ଓସୱାନ ହଲରେ ଅନ୍ୟମାନଙ୍କ ମଧ୍ୟରେ, ଡି.ଆଇ.ପି.ଆର.ଓ ମନୋଜ ବେହେରା, ଏଲ.ଡି.ଏମ ଧ୍ରୁବ ପ୍ରସାଦ ସିଂହ, ଡି.ଏସ.ଡବ୍ଲୁ ଓ ପ୍ରଭାତିରାଣୀ ତ୍ରିପାଠୀ, ଡି.ପି.ସି ମିଶନ ଶକ୍ତି ଅମୃତ ପାଢୀ, ମିଶନ ଶକ୍ତି ଏମ.ବି.କେ, ସି.ଆର.ପି, ଜି.ପି.ଏଲ.ଏଫ, ଡି.ଏଲ.ଏଫ , ବି. ଏଲ.ଏଫ. ସଭ୍ୟ ବ୍ୟାଙ୍କ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସ୍କୁଟର ହସ୍ତାନ୍ତର କାର୍ଯ୍ୟକ୍ରମରେ ଭବାନୀପାଟଣା ଗ୍ରାମାଞ୍ଚଳର 100 ରୁ ଊର୍ଦ୍ଧ୍ବ ହିତାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ, ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ସ୍ଥଳ ଜୁନାଗଡ ଠାରେ ଥିବା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି କର୍ମଚାରୀ ନିଯୁକ୍ତିରେ ପ୍ରିୟାପ୍ରୀତିପୋଷଣ କାରବାର ହେଉଥିବା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଥିବା ଦେଖାଯାଉଛି। ଦୀର୍ଘ ଦିନରୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ କର୍ମଚାରୀଙ୍କୁ ବିଗତ ସାତ ବର୍ଷ ହେବ ବାର୍ଷିକ ଚୁକ୍ତି ଅନୁସାରେ ଚୁକ୍ତିଭିତ୍ତିକ କର୍ମଚାରି ଭାବେ ରଖାଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ନିଷ୍ଠାପରତା ଅନୁସାରେ ଆର ଏମ ସି ର ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ରେ ଗତ ୨୦.୦୩.୨୦୧୮ ଦିନ ରେଜୁଲେସନ ହୋଇଥିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଥର ରେଜୁଲେସନ କରାଯାଇଥିବା ଜଣାପଡିଛି। ହେଲେ ସେମାନଙ୍କ ମଧ୍ୟରୁ କେବଳ ତିନି ଜଣଙ୍କୁ ଗତ ୨୩.୦୫.୨୦୨୩ ଦିନ ମଜୁରି ବୃଦ୍ଧି କରାଯାଇଥିବା ବେଳେ ବାକି ଦୁଇ ଜଣଙ୍କ ପ୍ରତି ଅଣଦେଖା କରାଯାଇଥିବା କୁହଯାଉଛି। ନେଇ ଆଣି ଥୋଇ ଜାଣିବା ବିଦ୍ୟାରେ ଧୁରନ୍ଧର ଜନୈକ ଅଧସ୍ତନ କର୍ମଚାରୀ ସମ୍ପାଦକ ଓ ଅଧ୍ୟକ୍ଷ ଙ୍କୁ ଭୁଲ ତଥ୍ୟ ଉପସ୍ଥାପନ କରି ନିଜ ହାତ ମୁଠାରେ ଆର ଏମ ସି ର ପରିଚାଳନା କରିବାରେ ସଫଳ ହୋଇ ଯାଉଥିବା ଯୋଗୁ ଏଭଳି ଅବ୍ୟବସ୍ଥା ହେଉଥିବା ଚର୍ଚ୍ଚା ହେଉଛି।

ଅନ୍ୟ ପକ୍ଷରେ ଅସ୍ଥାୟୀ ଭାବେ କମ କରୁଥିବା ନଅ ଜଣ କର୍ମଚାରୀଙ୍କୁ ଗତ ୨୫.୧୧.୨୦୨୦ ଦିନ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ରେଜୁଲେସନ କରାଯାଇ ଏବଂ ଓସାମା ବୋର୍ଡ ପତ୍ର ସଂଖ୍ୟା ୧୩୧୬ ତା.୧୭.୦୫.୨୦୧୬ ଅନୁସାରେ ସମ୍ପୂର୍ଣ୍ଣ ଭାବେ ବହିଷ୍କାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କୁ ସ୍ଵତନ୍ତ୍ର ଅନୁକମ୍ପା ଦେଖାଇ ପୁନର୍ବାର ଗତ ୦୨.୦୫.୨୦୨୩ ଦିନ ଠାରୁ ବାର୍ଷିକ ଚୁକ୍ତି ଭିତ୍ତିରେ ଚୁକ୍ତିଭିତ୍ତିକ କର୍ମଚାରି ଭାବେ ରଖାଯାଇଥିବା ଜଣାପଡିଛି। ଇତି ମଧ୍ୟରେ ଏହି ଛଅ ଜଣ ଙ୍କ ମଜୁରିବୃଦ୍ଧି କରାଇବା ପାଇଁ ସମ୍ପୃକ୍ତ କର୍ମଚାରୀ ଦୃଢ ପ୍ରତିଶୃତି ଦେଇଥିବା ଚର୍ଚ୍ଚା ହେଉଛି। ଏହା ଯଦି ସତ୍ୟ ହୋଇଥାଏ ତେବେ ଯେଉ ପାଞ୍ଚ ଜଣ ଚୁକ୍ତି ଭିତ୍ତିକ କର୍ମଚାରୀ ଦୀର୍ଘ ସାତ ବର୍ଷ ଖଟିବା ପରେ ବହୁ କଷ୍ଟରେ ସେମାନଙ୍କ ମଧ୍ୟରୁ କେବଳ ତିନି ଜଣଙ୍କ ମଜୁର ବୃଦ୍ଧି କରାଗଲା ଏବଂ ଅଦ୍ୟାବଧି ଦୁଇ ଜଣଙ୍କ ମଜୁରି ବୃଦ୍ଧି କରାଯାଇ ନାହି ସେମାନେ କେଉ ପ୍ରକାର ଦୋଷ କରିଥିଲେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଯେଉ ପାଞ୍ଚ ଜଣ ଚୁକ୍ତି ଭିତ୍ତିକ କର୍ମଚାରୀ ଦୀର୍ଘ ସାତ ବର୍ଷ ହେବ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମଜୁରି ବୃଦ୍ଧି କରାଯାଇ ନ ଥିବା ବେଳେ ମାତ୍ର ଚାରି ମାସ ତଳେ ଚୁକ୍ତି ଭିତ୍ତିକ କର୍ମଚାରୀ ଭାବେ ଯୋଗ ଦେଇଥିବା କର୍ମଚାରୀ ମାନଙ୍କ ମଜୁରି କେଉ ନିୟମ ଅନୁସାରେ ବୃଦ୍ଧି କରାଯିବ ତାହା ସର୍ବ ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି। ଗୋଦାମ ଭଡା, ଦୋକାନ ଭଡା ଦେବାରେ ବ୍ୟାପକ ଜାଲିଆତି କରାଯାଇଥିବା ଓ ସବ ଲେଟ ଦିଆ ଯାଇ ଭଡାଧାରି ଲାଭବାନ ହେଉଥିବା ବେଳେ ଆରଏମସି କ୍ଷତି ସହୁଥିବା ଅଭିଯୋଗ ହେଉଛି ଆର ଏମ ସି ର ଉପାଧ୍ୟକ୍ଷ ଙ୍କୁ ଦୀର୍ଘ ଦିନ ହେବ ସାମିଲ କରାଯାଉ ନ ଥିବା ବେଳେ ଆଉ ଜଣଙ୍କ ପ୍ରତି କୋହଳ ନୀତି କରାଯାଇଥିବା ଅଭିଯୋଗ ହେଉଛି। ସଭ୍ୟମାନେ ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇଲେ ସେମାନଙ୍କୁ ଅଣଦେଖା କରାଯାଉଥିବା ଏବଂ ନିଜକୁ ଶୁହାଇବା ଭଳି ଭୁଲ ଚିତ୍ରଣ କରାଯାଉଥିବା ଅଭିଯୋଗ ହେଉଛି। ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଙ୍କୁ ସମ୍ମାନ ଜଣାଇ ସଭ୍ଯ ମାନେ ନୀରବ ରହୁଥିବା ସୁଯୋଗ ନେଇ କିଛି ସୁବିଧାବାଦୀ ଙ୍କ ସହାୟତାରେ ସମ୍ପୃକ୍ତ କର୍ମଚାରୀ ମାନେ ସ୍ବର ଉଠାଉଥିବା ସଭ୍ୟ ସବୁ କଥାରେ ବିରୋଧ କରନ୍ତି ବୋଲି ଭୁଲ ତଥ୍ୟ ଉପସ୍ଥାପନ କରି ନିଜ ଫାଇଦା ଉଠାଉଥିବା ଚର୍ଚ୍ଚା ହେଉଛି।

ଜୁନାଗଡ ଆର ଏମ ସି ର ବିଭିନ୍ନ କାରବାର ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ସାଙ୍ଗକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଅର୍ଥ ନୈତିକ ଅପରାଧ ଶାଖା ତରଫରୁ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି। ସ୍ଥାୟୀ ଉପଜିଲ୍ଲାପାଳ ଯୋଗ ଦେଲେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ବର୍ତ୍ତମାନ ର ଭରପ୍ରାପ୍ତ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ କହୁଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ହତ୍ୟାଧମକ, ଥାନାରେ ଅଭିଯୋଗ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ହେଉଥିବା ଅନିୟମିତତା ଓ ଦୁର୍ନୀତି ପାଇଁ କୋକସରା ବ୍ଳକ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାଏ। ସେ’ ଆବାସ ଯୋଜନାର ଘୋଟାଲା ହେଉ କିମ୍ବା ମନରେଗା ଯୋଜନାରେ ଚଞ୍ଚକତା ନେଇ ଚର୍ଚ୍ଚାରେ ରହି ଆସିଛି।

ଏସବୁକୁ ନେଇ ଅନେକ ସମୟରେ ରାଜନୈତିକ ଦଳ, ପଞ୍ଚାୟତବାସୀ ପକ୍ଷରୁ ବ୍ଳକ ଘେରାଉ ଏବଂ ଆନ୍ଦୋଳନ ମଧ୍ୟ ବିଗତ ଦିନରେ ହୋଇସାରିଛି। ଏବେ ମହିଳା ସରପଞ୍ଚ ମାନଙ୍କ ସ୍ବାମୀମାନେ ସରପଞ୍ଚଙ୍କ ପ୍ରତିନିଧି ବୋଲାଇ ହୋଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଓ ଆଲୋଚନାକୁ ନେଇ ଗତ ୨୬ ତାରିଖରେ ଏକ ଦୈନିକ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା।

ଏହା ପରେ ସଂପୃକ୍ତ ଖବରକାଗଜର ବ୍ଳକ ପ୍ରତିନିଧିଙ୍କୁ ସରପଞ୍ଚ ମାନଙ୍କ ସ୍ବାମୀ ମାନେ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ସହିତ ଆକ୍ରମଣ କରିଥିବା ନେଇ ଗୁରୁବାର ସାମ୍ବାଦିକ ଜଣକ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ କୋକସରା ଥାନା ଅଧିକାରୀଣି ରନିତା ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୫ଜଣଙ୍କ ନାମରେ ମାମଲା ଦାଏର ହୋଇଥିବା ସୂଚନା ରହିଛି।

ତେବେ ସତ୍ୟ ଖବର ପ୍ରକାଶପରେ ସାମ୍ବାଦିକଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଦେବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଗଣ ମାଧ୍ୟମର କଣ୍ଠରୋଧ କରାଯିବା ପାଇଁ ଏହା ଏକ ଯୋଜନା ବୋଲି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୨୦ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ନେଇ ଧାରଣା: ସାମିଲ ହେଲେ ଉତ୍କଳ ମହିଳା ସମିତି

ଜୁନାଗଡ଼ (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣଧାରଣା ଆଜି ୨୦ ତମ ଦିନରେ ପହଞ୍ଚିଛି। ଆଜି ଉତ୍କଳ ମହିଳା ସମିତି ପକ୍ଷରୁ ଏହି ଗଣଧାରଣାରେ ସାମିଲ ହୋଇଥିଲେ।

ଜୁନାଗଡ଼ ହେଉଛି ଐତିହାସିକ ସହର। ନାଗବଂଶୀ ରାଜାଙ୍କ ସମୟରେ ଥିଲା ରାଜଧାନୀ। ତେଣୁ ଯିଏ ଯେଉଁ ଦଳରେ ରହୁନା କାହିଁକି ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ଆମକୁ ଦଳମତ ନିର୍ବିଶେଷରେ ଏକ ଜୁଟ ହୋଇ ଗୋଟିଏ ସ୍ୱର ହେବାକୁ ପଡ଼ିବ। ଅତୀତରେ ଆମ ହକକୁ ଛେଡେଇ ନିଆ ଯାଇଛି। ତେଣୁ ଆମ ପୂର୍ବ ଗୌରବକୁ ଫେରାଇ ଦିଅ, ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମହିଳାମାନେ ରକ୍ଷାକର୍ତ୍ତାରୁ ସଂଘାରକର୍ତ୍ତା ସାଜି ଦମନ କରିବାର କ୍ଷମତା ମଧ୍ୟ ରଖିଛନ୍ତି। ତେଣୁ ରାଜ୍ୟ ସରକାର ମାଁ ର ସମ୍ମାନ ପାଇଁ ମାଁ ମାନଙ୍କ ଆବେଦନକୁ ସ୍ୱୀକାର କରି ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦିଅନ୍ତୁ ବୋଲି ଉତ୍କଳ ମହିଳା ସମିତିର ମାଁ ମାନେ ଚେତାବନୀ ଦେଇଥିଲେ।

ଆଜି ଜିଲ୍ଲା ମାନ୍ୟତା ଦାବୀକୁ ସମର୍ଥନ ଜଣାଇ ଜୁନାଗଡ଼ ଉତ୍କଳ ମହିଳା ସମିତି ପକ୍ଷରୁ ଧାରଣାରେ ସାମିଲ ହୋଇଥିଲେ। କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ନଗରପାଳ ମୂକେଶ ଅଗ୍ରୱାଲ ଓ ପ୍ରଭାତ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଉତ୍କଳ ମହିଳା ସମିତିର ଅଧ୍ୟକ୍ଷ୍ୟା ମନୋରମା ମହାଳିକ ଅଧ୍ୟକ୍ଷତା କରିଥିଲେ।

ଏହି ବିକ୍ଷୋଭ ସଭାରେ ସମିତି ର ସଂଗୀତା ବାଗ, ସରୋଜିନୀ କାଣ୍ଡ, ଗୀତା ବିଭାର, କୁମୁଦିନି ପ୍ରଧାନୀ, ଜୟଶ୍ରୀ ନାଗ, ଦୟା ନିଆଲ, ଅମ୍ବିକା ବାଗ, କୁନି ବନ୍ଦିଛୋଡ, କଳ୍ପନା ବରାଡ଼, ଲଳିତା ରଣା, ସଂଯୁକ୍ତା ଚନ୍ଦନ, ସୁକାନ୍ତି ଦାସ, ରାନିମତି ଛତ୍ରୀଆ, ଟୁନି ପାତ୍ର, ମିନା ବାଗ, ଆଦିତ୍ୟ କୁମାର ମହାନ୍ତି, ଅରୁପାନନ୍ଦ ନାଗ, ଦୁଷ୍ମନ୍ତ ନାଏକ, ବିକ୍ରାନ୍ତ ପଟ୍ଟନାୟକ, ବିଶ୍ଵରଞ୍ଜନ ନାଏକ,ସନ୍ଦୀପ କୁମାର ସାହୁ, ଅଗସ୍ତି ସୁନାନୀ, ଗଣେଶ ପଧାନ, ବିମଳଚନ୍ଦ୍ର ଶତପଥୀ ପ୍ରମୁଖ ଉଦବୋଧନ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପ୍ରଧାମନ୍ତ୍ରୀ ଫସଲ ଵୀମା ଟଙ୍କା ହେରଫେର ଘଟଣାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗିରଫ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ଏକ ଠକେଇ ମାମଲାରେ କେଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକର ମକରାଗୁଡା ଅଞ୍ଚଳରେ ଚାଷୀଙ୍କ ଅଜାଣତରେ ଜମିପଟା ବ୍ୟବହାର କରି ପ୍ରଧାନମନ୍ତ୍ରୀ କୄଷୀବୀମା ଯୋଜନା କରାଯାଇଥିଲା, ଏବଂ କୄଷୀବୀମା ବାବଦକୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ନେଇ କେଗାଁ ଥାନାରେ ମକରା ଗୁଡ଼ା ଗ୍ରାମର କ୍ଷେତ୍ର ମୋହନ ବାଗ ନାମକ ଜଣେ ଚାଷୀ ତାଙ୍କ ଅଜାଣତରେ ବୀମା ରାଶି ଟଙ୍କା ଉଠାଯାଇଥିବା ନେଇ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୋଲିସ ଘଟଣାର ତଦନ୍ତ କରି ଏହାର ମାଷ୍ଟର ମାଇଣ୍ଡ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ବୋଲି ପ୍ରମାଣ ପାଇବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ତେବେ କେବଳ ମକରାଗୁଡ଼ା ଗ୍ରାମରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର ଠକାମୀ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଏହି ପ୍ରଧାନମନ୍ତ୍ରୀ କୄଷୀବୀମା ଯୋଜନାରେ ଏକ ସୁଚିନ୍ତିତ ରାକେଟରେ କେତେ ଟଙ୍କାର ଘୋଟାଲା ହୋଇଛି ଏବଂ ଆହୁରି କାହା କାହାର ସଂପୃକ୍ତି ରହିଛି ସେନେଇ ପୋଲିସ ସ୍ପଷ୍ଟ କରିନଥିବା ବେଳେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦର ଗିରଫଦାରୀକୁ ସ୍ପଷ୍ଟ କରିଛନ୍ତି ଧର୍ମଗଡ ଏସ ଡି ପି ଓ ଧିରଜ ଚୋପଦାର।

ଏ ସଂପର୍କରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଥାନା କେଶ ନଂ -୧୯୨/୨୦୨୩ ଦଫା-୪୧୯/୪୨୦/୪୬୭/୪୬୮ /୪୭୧/୩୪ ଆଇପିସି ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ପ୍ରକାଶ।

ଏହି ଘଟଣାରେ ପୂର୍ବରୁ ଏଥିରେ ସଂପୃକ୍ତ ଥିବା ବାଳକୃଷ୍ଣ ପଟେଲକୁ ମଧ୍ୟ ଗିରଫ କରିଛି ପୋଲିସ।

ତେବେ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ଚାଷୀ ଙ୍କ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ କୋଟିଏ ରୁ ଅଧିକ ଟଙ୍କା ଏହିପରି ଜାଲିଆତି ହୋଇଥିବା ଏବଂ ଅଧିକ ତଦନ୍ତ ହେଲେ ଆହୁରି ଅନେକ ଙ୍କ ସଂପୃକ୍ତି ଓ ଚାଷୀ ଙ୍କୁ ହରିଲୁଟ ଘଟଣା ର ପର୍ଦ୍ଦାଫାସ ହୋଇ ପାରିବ ବୋଲି ଆଲୋଚନା ହେଉଛି। ବିନ୍ଦୁ ମହାନନ୍ଦ ଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତ କୁ ପଠେଇ ଦିଆ ଯାଇ ଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ନୀତିର ଗନ୍ତା ଘର ପାଲିଟିଛି ଜୁନାଗଡ ଆରଏମସି, ଚୁଟକା ପ୍ରଭାବରେ ହାତୀ ପାଲଟୁଛି ମୂଷା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ସ୍ଥଳ ଜୁନାଗଡ ଠାରେ ସ୍ଥାନୀୟ କୃଷିଜାତ ସାମଗ୍ରୀ ଗୁଡିକର ଉଚିତ ବଜାର ବ୍ୟବସ୍ଥା ପାଇଁ ଓ ଏପିଏମ ଆଇନ ଆଧାରରେ ସତୁରୀ ଦଶକରେ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଗଠନ କରାଯାଇଥିଲା ଏବଂ ରାଜ୍ୟ ସମବାୟ ବିଭାଗ ଅଧୀନରେ ରଖା ଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ( ଓସାମା ବୋର୍ଡ ) ଗଠନ କରାଯାଇ ସମଗ୍ର ରାଜ୍ୟର ଆରଏମସି ଗୁଡିକୁ ନିୟନ୍ତ୍ରିତ କରିବା ଦାୟିତ୍ବ ଦିଆଯାଇଥିଲା। କୃଷକ ମାନଙ୍କର କଷ୍ଟ ଲବ୍ଧ କୃଷି ସାମଗ୍ରୀ ବିକ୍ରି କରିବା ପରେ ସେଥିରୁ ଶତକଡା ଅଢେଇ ଭାଗ ଟଙ୍କା କମିଶନ ମାଧ୍ୟମରେ ଆରଏମସି ଗୁଡିକୁ ଦିଆଯାଉଥିବା ବେଳେ ଆୟ ଅନୁସାରେ ଆର ଏମ ସି ଗୁଡିକୁ ଏ, ବି, ସି ଗ୍ରେଡେସନ କରା ଯାଇ ଥିବା ଜଣା ପଡିଛି। ସେହି କ୍ରମରେ ଜୁନାଗଡ ଆରଏମସିକୁ ଏ ଗ୍ରେଡ ତାଲିକାରେ ଥିବା କୁହା ଯାଉଥିବା ବେଳେ ଏଠାରେ ଦୁର୍ନୀତି ଘର କରି ରହିଯାଇଥିବା ଅଭିଯୋଗ ହେଉଛି।

କେତେକ ଦୁର୍ନୀତିଖୋର କର୍ମଚାରୀ ବିଭିନ୍ନ ଉପାୟରେ ଏହି ଆର ଏମ ସି ରୁ ହରି ଲୁଟ କରୁଥିବା ଅନେକ ଅଭିଯୋଗ ହେଉଛି। କେତେକାଂଶରେ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଗୁଡିକ ଫାଇଲ ତଳେ ଚାପି ହୋଇ ଯାଇଥିବା କୁହାଯାଉଛି। ମାନ୍ୟବର ସମବାୟ ସଚିବଙ୍କ ନିର୍ଦ୍ଦେଶରେ ଆର ଏମ ଓ ତଦନ୍ତ କରି ରିପୋର୍ଟ ଦେଇଥିବା ବେଳେ ତାକୁ ଚାପି ଦେବାକୁ ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ସଫଳ ହୋଇଥିବା ପ୍ରକାଶ। ଏପରିକି ମାନ୍ୟବର ହାଇ କୋର୍ଟ କଳାହାଣ୍ଡି ଜିଲ୍ଲପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ମଧ୍ୟ ବୁଢିଆଣୀ ଜାଲ ମଧ୍ୟରେ ଛନ୍ଦି ହୋଇ ଯାଇଥିବା କୁହାଯାଉଛି। କର୍ମଚାରୀ ନିଯୁକ୍ତି, ଗ୍ରେଡିଂ ଇକ୍ୟୁପମେଣ୍ଟ କିଣା, ରିଫ୍ରେଶ ମେଣ୍ଟନାମରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଆସୁଛି।

ବିଗତ ବର୍ଷ ମାନଙ୍କରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏହାର ସତ୍ୟା ସତ୍ୟ ପଦାକୁ ଆସି ପାରିବ ବୋଳି ଦାବୀ ହେଉଛି।

ଓଏପିଏମ ଆଇନ ଅନୁସାରେ ଆର ଏମ ସି ର ପରିଚାଳନା କମିଟିରେ ରେଜୁଲେସନ୍ କରାଯାଇ ପ୍ରତ୍ୟେକ କାର୍ଯ୍ୟ କ୍ରମ ତଥା ଖର୍ଚ୍ଚ କରାଯିବା ବ୍ୟବସ୍ଥା ଥିବା ବେଲେ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୧୫ ଜଣିଆ କମିଟି ରହିଛି। ହେଲେ ଉପଜିଲ୍ଲାପାଳଙ୍କୁ ସମ୍ମାନ ଜଣାଇ ସଭ୍ୟମାନେ କୌଣସି ପ୍ରତିବାଦ କରୁ ନ ଥିବା ବେଳେ ଏହାରି ସୁଯୋଗ ନେଇ ଆର ଏମ ସି ର ଦୁର୍ନୀତି ଗ୍ରସ୍ତ ଧୂର୍ତ୍ତ କର୍ମଚାରୀ ନିଜକୁ ସୁହାଇବା ଭଳି ଏବଂ ଫାଇଦା ଉଠାଇ ପରିବା ଭଳି ରେଜୁଲେଶନ ଲେଖି ଦେଉଥିବା ପ୍ରକାଶ।

ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଅତୀତରେ ଓସାମା ବୋର୍ଡ ର ପତ୍ର ସଂଖ୍ୟା ୨୯୬୮ତା ୧୨.୦୯.୨୦୧୭ କୁ ଖୋଲା ଖୋଲି ଉଲ୍ଲଂଘନ କରି ଫାଇଦା ଉଠାଇବା ପାଇଁ ତରବରିଆ ଭାବେ ସରକାରୀ ଜମି ଜବଦଖଲ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଇ ଥିବା ହେତୁ ଆର ଏମ ସି ଅଧ୍ୟକ୍ଷ ପତ୍ର ସଂଖ୍ୟା ୫୬୧ତା ୨୩.୦୬.୨୦୨୧ ଯୋଗେ ଚାରି କୋଟି ଟଙ୍କା ଭରଣା କରିବାକୁ ଜବାବ ତଲବ କରିଥିବା ବେଳେ ତାହା ମଧ୍ୟ ଏବେ ଫାଇଲ ତଳେ ଚାପି ହୋଇ ଯାଇଥିବା ଜଣା ପଡିଛି।

ଅନ୍ୟ ପକ୍ଷରେ କେତେକ ଦିନ ମଜୁରିଆ ମାନଙ୍କୁ ସ୍ଥାୟୀ କରିଦେବା ପାଇଁ ବ୍ୟାପକ କିକ ବେକ କରିଥିବା ଅଡିଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଚର୍ଚ୍ଚା ହେଉଥିଲା। ସେହି ନଅ ଦିନ ମଜୁରିଆ ମାନଙ୍କୁ ଓସାମା ବୋର୍ଡର ପତ୍ର ସଂଖ୍ୟା ୧୩୧୬ତା ୧୭.୦୫.୨୦୧୬ ଏବଂ ସେପ୍ଟେମ୍ବର ୨୦ କମିଟି ରେଜୁଲେଶନ ଅନୁସାରେ ବାହାର କରିଦିଆଯଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଛଅ ଜଣଙ୍କୁ ପୁନଃ ନିଯୁକ୍ତି ଦେବା ସହ ସ୍ଥାୟୀ କରିଦେବାକୁ ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ପୁରା ଦମ୍ ରେ ଲାଗି ପଡ଼ିଥିବା କୁହାଯାଉଛି।

ଅନ୍ୟ ପକ୍ଷରେ ଦୀର୍ଘ ଛଅ ସାତ ବର୍ଷ ହେବ ନିୟମିତ ଭାବେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଅନେକ ଥର କମିଟି ରେଜୁଲେଶନ କରାଯାଇ ଥିବା ବେଳେ ତାହା କାର୍ଯ୍ଯକାରୀ କରାଯାଉନଥିବା ଅଭିଯୋଗ ହେଉଛି। ଆଇନ ଅନୁସାରେ ସଂପାଦକ ସମସ୍ତ ଫାଇଲ ପତ୍ର କାଗଜ ପତ୍ର ଦାୟିତ୍ଵ ରେ ରହିବା ଉଲ୍ଲେଖ ଥିବା ବେଳେ ଜୁନାଗଡ ଆରଏମସି ରେ ବ୍ୟତିକ୍ରମ ଦେଖାଯାଏ।ବିଭିନ୍ନ ସାମଗ୍ରୀ କିଣା ରେ ବ୍ୟାପକ ହେରା ଫେରି ହେଇଥିବା ଏଵଂ ଫଲ୍ସ ବିଲ୍ କରାଉଥିବା ଅଭିଯୋଗ ହେଲେ ମଧ୍ୟ ସେସବୁ ର ତଦନ୍ତ ହୁଏ ନାହିଁ। ଜନୈକ ମାନବାଧିକାର କର୍ମୀ ଅନେକ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଥିବାବେଳେ ସେସବୁ ଶୀତଳ ଭଣ୍ଡାର ରେ ଥିବା କୁହା ଯାଉଛି।

ଏଭଳି ଅନେକ ଦୁର୍ନୀତି ହେଉ ଥିବା ବେଳେ ସେସବୁର ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। କମିଟି ସଭ୍ୟ ମାନେ ବିରୋଧ କଲେ ମଧ୍ୟ ତାହା ଚାପି ହୋଇ ଯାଉଥିବା ଚର୍ଚ୍ଚା ହେଉଛି। ଅନେକ ସଭ୍ୟଙ୍କ ଅଗୋଚରରେ ମିଟିଂ ହେବା ସହ ଯେଉଁମାନେ ଦୁର୍ନିତି ବିରୁଦ୍ଧରେ ସ୍ଵର ଉଠାଉଛନ୍ତି ସେମାନଂକୁ ନ ଜଣାଇ ମଧ୍ୟ କୋରମ୍ ଅନୁସାରେ ମିଟିଂ ସିଟିଂ ସହ ଆନୁସାଙ୍ଗିକ ବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି। ଯେଉଁମାନେ ସ୍ବର ଉଠାଉଛନ୍ତି ସେମାନଂକୁ ବିଭିନ୍ନ ଉପାୟ ରେ ବଦନାମ କରି ଉପ ଜିଲ୍ଲପାଳଙ୍କ ଠାରେ ଉପସ୍ଥାପନ କରିଦେଉଥିବା କୁହାଯାଉଛି, ଏପରିକି ଚାକିରି ଆଶାୟୀ ମାନଙ୍କୁ ଉସୁକାଇ ସେମାନଙ୍କ ସହ ଝଗଡା କରିବାକୁ ପ୍ରବତ୍ତାଉ ଥିବାର ମଧ୍ୟ ଚର୍ଚ୍ଚା ହେଉଛି।

ଯେତେ ଦକ୍ଷ ଅଧିକାରୀ, ସଚ୍ଚୋଟ ସଂପାଦକ ଓ ସଭ୍ୟ ହେଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ବିଭିନ୍ନ ଔଷଧ ଚୁଟୁକା ପ୍ରୟୋଗ କରି ବଶୀଭୂତ କରି ଦେଉଥିବା ଚର୍ଚ୍ଚା ହେଉଛି ଏଵଂ ସମ୍ପୃକ୍ତ ନିଜସ୍ଵ ଶୈଳୀରେ କାରବାର ଚଳାଉଥିବା ହେତୁ ଏହି ଚୁଟୁକା ପ୍ରଭାବରେ ହାତୀ ମଧ୍ୟ ମୂଷା ପାଲଟି ଯାଉଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏସଟିଏଫ କୁ ବଡ ସଫଳତା: ଚଢ଼ାଉ ବେଳେ ଜବତ କଲା ବିପୁଳ ପରିମାଣର ବାଘ ଓ ହରିଣ ଛାଲ

ଭୁବନେଶ୍ଵର: ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ କଳାହାଣ୍ଡି ଜିଲ୍ଲା ଏମ. ରାମପୁର-ନରଲା ରାଜ୍ୟ ରାଜପଥରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି। ଶିକାରୀ ଜଣକ ହେଉଛନ୍ତି ଏମ. ରାମପୁର ଥାନା ଅଞ୍ଚଳର ଖଗେଶ୍ୱର ପୁଟେଲ (୫୬)। ତାଙ୍କ ନିକଟରୁ ତିନି ଗୋଟି ଚିତ୍ତା ବାଘ ଛାଲ ଓ ତିନି ଗୋଟି ହରିଣ ଛାଲ ଜବତ କରିଛି ଏସଟିଏଫ।

ଅଭିଯୁକ୍ତଜଣଙ୍କ ବେଆଇନ ବନ୍ୟଜନ୍ତୁ ଛାଲ କାରବାର କରୁଥିବାର ଖବର ପାଇ ଗତକାଲି ସନ୍ଧ୍ୟାରେ ଏସଟିଏଫ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏସଟିଏଫ କେସ ନମ୍ବର ୧୪/୨୩ ରେ ମାମଲା ରୁଜୁ କରି ଅଭିଯୁକଙ୍କୁ କୋର୍ଟଚାଲାଣ କରିଛି।

ଅପରପକ୍ଷେ ଜବତ ଛାଲଗୁଡ଼ିକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଯିବ ବୋଲି ଏସଟିଏଫ କହିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପରିବହନ କ୍ଷତି ସହୁଛି ଯୋଗାଣ ନିଗମ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସରକାର ଚାଷୀଙ୍କ ଧାନକୁ ଶୃଙ୍ଖଳିତ ଶୈଳୀରେ କିଣିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିଥିବା ବେଳେ ଅନେକ ସମୟରେ ବିଭିନ୍ନ ସମସ୍ୟା ହେଉଥିବା ଚର୍ଚ୍ଚା ହେଉଛି। କଳାହାଣ୍ଡି ଜିଲ୍ଲାରେ ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ଧାନ ପରିବହନ ଖର୍ଚ୍ଚରେ ଯୋଗାଣ ନିଗମ ବ୍ୟାପକ କ୍ଷତି ସହୁଥିବା ଚର୍ଚ୍ଚା ହେଉଛି।

କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ଦ୍ବାରା ଜାରି କରାଯାଇଥିବା କଷ୍ଟିଂ ସିଟ ଅନୁସାରେ ଧାନ କିଣିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ମୂଲ୍ୟାଙ୍କନ କରାଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ନିଜସ୍ବ ଧାନ କିଣା ପରିଚାଳନା ଗାଇଡଲାଇନ ଜାରି କରିଥାନ୍ତି। ସେଣ୍ଟ୍ରାଲ ପୁଲ ଓ ଷ୍ଟେଟ ପୁଲ ପ୍ରକାରେ ଧାନ କିଣା ଯାଉଥିବା ବେଳେ ରାଜ୍ୟ ଯୋଗାଣ ନିଗମ କଳାହାଣ୍ଡି ଜିଲ୍ଲା ସମବାୟ ବ୍ୟାଙ୍କ ଅଧିନସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣିପଞ୍ଚାୟତ ମାଧ୍ୟମରେ ବିଭିନ୍ନ ଧାନ କିଣା କେନ୍ଦ୍ର ମଣ୍ଡିରୁ ଧାନ କିଣିଥାନ୍ତି।

ପ୍ରତ୍ୟେକ ଧାନ କିଣା କେନ୍ଦ୍ରରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ କଷ୍ଟମ ମିଲର୍ସଙ୍କୁ ସଂଯୋଗ କରି ମଣ୍ଡିରୁ ମିଲର୍ସ ଗୋଦାମକୁ ଧାନ ନେବାର ବ୍ୟବସ୍ଥା କରିଥାନ୍ତି। ଏହି ଧାନ ପରିବହନ ଖର୍ଚ୍ଚ ଯୋଗାଣ ନିଗମକୁ ବହନ କରିବାକୁ ପଡିଥାଏ ଏବଂ ସର୍ବନିମ୍ନ ଦୂରତା ଆଧାରରେ ମିଲର୍ସ ସଂଯୋଗ କରାଯାଇ ପରିବହନ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ରାଜ୍ୟ ଯୋଗାଣ ନିଗମ ଜିଲ୍ଲା ଯୋଗାଣ ବିଭାଗ ଉପରେ ଦାୟିତ୍ବ ନ୍ୟସ୍ତ କରିଥିବା ବେଳେ ଯୋଗାଣ ବିଭାଗ ସେଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଯାହା ଫଳରେ ପରିବହନ ଖର୍ଚ୍ଚ ବାବଦରେ ଯୋଗାଣ ନିଗମ ବହୁ ମାତ୍ରାରେ କ୍ଷତି ସହୁଥିବା ଜଣାପଡିଛି।

ଅତୀତରେ ଧର୍ମଗଡ ଉପଖଣ୍ଡ ଅଞ୍ଚଳରେ ଧାନ ମଣ୍ଡି ଥିବା ଅଞ୍ଚଳର ସ୍ଥାନୀୟ ଅସାଧୁ ମିଲର୍ସ ମାନେ ବିଭିନ୍ନ ଉପାଯରେ ଚାଷୀଙ୍କୁ ଶୋଷଣ କରୁଥିବା ଅନେକ ଅଭିଯୋଗ ହେବା ସହ ସ୍ଥାନୀୟ ମିଲର୍ସଙ୍କୁ ମଣ୍ଡିରେ ସଂଯୋଗ ନ କରିବାକୁ ଦାବି ହେଉଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଏମ ଏମ ଡି ଏଫ ସୂତ୍ର ରେ ପରିବହନ ଖର୍ଚ୍ଚ କମାଇବାକୁ କେବଳ ସ୍ଥାନୀୟ ମିଲର୍ସ ଙ୍କୁ ପ୍ରାଧାନ୍ୟ ଦେଇ ମଣ୍ଡିରେ ସଂଯୋଗ କରୁଥିଲେ। ସେସମୟରେ କେସିଙ୍ଗା ଅଞ୍ଚଳର ମିଲର୍ସ ଗୁଡିକ ମାଣ୍ଡି ମାନଙ୍କରେ ସଂଯୋଗ ହେଲେ ତୁରନ୍ତ ଧାନ ଉଠାଣ ହେଉଥିବା ଚାଷୀ ମହଲରେ ଆଲୋଚନା ହେଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଯୋଗାଣ ବିଭାଗ ଚାଷୀଙ୍କ କୌଣସି ଦାବୀକୁ ଗୁରୁତ୍ବ ନ ଦେଇ କେବଳ ସ୍ଥାନୀୟ ମିଲର୍ସ ଙ୍କୁ ହିଁ ସଂଯୋଗ କରୁଥିଲେ। ବିଗତ ଦୁଇ ତିନି ବର୍ଷ ହେବ ଏମ ଏମ ଡି ଏଫ ସୂତ୍ର କୁ ଆଖି ଠାର ମାରି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ମିଲର୍ସ ଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।

ମିଳିଥିବା ତଥ୍ୟ ଅନୁସାରେ ଧର୍ମଗଡ ଉପଖଣ୍ଡରେ ୬୬ ଗୋଟି ମିଲର୍ସ ଓ ଭବାନୀପାଟଣା ଉପଖଣ୍ଡ ରେ ୫୯ ଗୋଟି ମିଲର୍ସ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥା ରେ ୭୩ ଗୋଟି ମିଲର୍ସ ଅଂଶ ଗ୍ରହଣ କରୁଥିବା କୁହାଯାଉଛି। ଧର୍ମଗଡ ଉପଖଣ୍ଡରେ ପ୍ରଚୁର ଧାନ ଉତ୍ପାଦନ ହେଉଥିବା ବେଳେ ଭବାନୀପାଟଣା ଉପଖଣ୍ଡର ମିଲର୍ସଙ୍କୁ ପ୍ରାଧାନ୍ୟ ଦିଆ ଯାଇ ୧୧୦ କି ମି ଦୁରତାରୁ ଧାନ ଉଠାଣ କରା ଯାଉଥିବା ଦେଖା ଯାଉଛି। ଯଦିଓ ସ୍ଥାନୀୟ ମିଲର୍ସଙ୍କୁ ମଣିରେ ସଂଯୋଗ ଦେବେ ନାହି, ତେବେ ବ୍ଲକ ଅଦଳ ବଦଳ କରି ମିଲର୍ସ ସଂଯୋଗ କରି ଦୂରତା କମ କରା ଯାଇ ପାରିବ। କିନ୍ତୁ ସେଥି ପ୍ରତି କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।

ଜୁନାଗଡରୁ କେଶିଙ୍ଗାର ଦୂରତା ୬୦ କି ମି ହୋଇଥିବା ଦୃଷ୍ଟିରୁ ଧର୍ମଗଡ ଉପଖଣ୍ଡରୁ ଭବାନୀପାଟଣା ଉପଖଣ୍ଡର ସର୍ବାଧିକ ମିଲର୍ସ ଥିବା କେଶିଙ୍ଗା ଅଞ୍ଚଳର ଦୂରତା ନିଶ୍ଚିତ ଭାବରେ ୬୫ କି ମିରୁ ଅଧିକ ହେବ ହିଁ ହେବ। କାରଣ ଏହି ଭୌଗୋଳିକ ସ୍ଥିତିର ଦୂରତା ଅନୁସାରେ ଧର୍ମଗଡ ଉପଖଣ୍ଡ ମଧ୍ୟରେ ଏହି ଅଞ୍ଚଳର ମିଲର୍ସ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ମଣ୍ଡି ସଂଯୋଗ କଲେ ଏମ ଏମ ଡି ଏଫ ନୀତି ଅନୁସାରେ ଧାନ ପରିବହନ ଖର୍ଚ୍ଚ କମ ହୋଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରୁ ଜୁନାଗଡ ତହସିଲ ଅଫିସ ଓ ରେଲୱେ ଷ୍ଟେସନ ରାସ୍ତା ଗାଏବ, ରାଜସ୍ଵ ବିଭାଗ ନୀରବ ଦ୍ରଷ୍ଟା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କେନ୍ଦ୍ର ସ୍ଥଳ ଓ ପୁରାତନ ରାଜଧାନୀ ଭାବେ ଜଣାଶୁଣା ଜୁନାଗଡ ସହରରେ ଥିବା ଜାତୀୟ ରାଜପଥରୁ ଆରଏମସି ସାପ୍ତାହିକ ବଜାର ଓ ପଣ୍ୟାଗାର ନିଗମ ପାର୍ଶ୍ବ ଦେଇ ଜୁନାଗଡ ତହସିଲ ଅଫିସ ଏବଂ ରେଲୱେ ଷ୍ଟେସନ ତଥା ଭଇରିଗୁଡା ଓ ନାନ୍ଦୋଳ ପଟେ ଯାଇଥିବା ମୁଖ୍ୟ ରାସ୍ତା ଏବେ ଜନୈକ ପୁଞ୍ଜିପତି ପ୍ରଭାବଶାଳୀ ବ୍ୟବସାୟୀଙ୍କ ନାମରେ ଦରଜ କରାଯାଇଥିବା ଜଣାପଡିଛି। ଯାହାଫଳରେ ଏବେ ସରକାରଙ୍କ ଦଲିଲ ଦସ୍ତାବିଜ ୱେବ ସାଇଟ ଭୁଲେଖ ଏବଂ ଜୁନାଗଡ ମୌଜାର ସରକାରୀ ମେପ ରୁ ଉକ୍ତ ରାସ୍ତା ଗାଏବ ହୋଇ ଯାଇଥିବା ଦେଖା ଯାଉଛି।

ରାଜସ୍ବ ବିଭାଗର ଅମିନଙ୍କ ଦ୍ବାରା ପ୍ରସ୍ତୃତ ସ୍କେଚ ମେପ ଅନୁସାରେ ବିକ୍ରି ବଟା ହେବା ପରେ ଜୁନାଗଡ ସବ ରେଜିଷ୍ଟ୍ରାର ଦାୟିତ୍ବରେ ଥିବା ଜୁନାଗଡ ତହସିଲଦାର ଙ୍କ ଦ୍ବାରା ରେଜିଷ୍ଟ୍ରେସନ ଗ୍ରହଣ ହେବା ସହ ଜୁନାଗଡ ତହସିଲଦାର ଙ୍କ ଦ୍ବାରା ମ୍ୟୁଟେସନ ମଞ୍ଜୁର କରାଯାଇ ଦାଖଲ ଖାରଜ କରାଯାଇଥିବା ପ୍ରକାଶ। ଯାହା ଫଳରେ ଉକ୍ତ ରାସ୍ତାଟି ବର୍ତ୍ତମାନ ସମ୍ପୃକ୍ତ ବ୍ୟବସାୟୀଙ୍କ ନାମରେ ରେକର୍ଡ ଦରଜ ଥିବା ଯୋଗୁଁ ଆଗାମୀ ଦିନରେ ଆଇନ ଗତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଏପରିକି ସରଜମିନ ଉପରେ ଜାତୀୟ ରାଜପଥ ରେ ବର୍ତ୍ତମାନ ଥିବା ଛକ ରୁ ତେରଛା ଭାବେ ଆରଏମସି ସାପ୍ତାହିକ ବଜାର ମଧ୍ୟକୁ ଯାଇଥିବା ସରକାରୀ ରାସ୍ତାକୁ ମଧ୍ୟ ସେହି ପ୍ରଭାବଶାଳୀ ବ୍ୟବସାୟୀ କବଜା କରି ମାଡି ବସିଥିବା ଦେଖାଯାଉଛି।

ସୂଚନାରୁ ପ୍ରକାଶ ଯେ, ଜୁନାଗଡ ମୌଜାର ବର୍ତ୍ତମାନ ସରଜମିନ ଅନୁସାରେ ଜାତୀୟ ରାଜପଥ ଉପରେ ଥିବା ରେଲୱେ ଷ୍ଟେସନ ଛକ ଠାରୁ ଆରଏମସି ସାପ୍ତାହିକ ବଜାର ଓ ପଣ୍ୟାଗାର ନିଗମ ପାର୍ଶ୍ବ ଦେଇ ଜୁନାଗଡ ତହସିଲ ଅଫିସ ଏବଂ ରେଲୱେ ଷ୍ଟେସନ ତଥା ଭଇରିଗୁଡା ଓ ନାନ୍ଦୋଳ ପଟେ ଯାଇଥିବା ମୁଖ୍ୟ ରାସ୍ତା ରହିଛି। ରେକର୍ଡ ଅନୁସାରେ ଆରଏମସି ସାପ୍ତାହିକ ବଜାର ପ୍ଲଟ ନଂ ୯୯୯ ଓ ୯୯୮ ଉପରେ ଥିବା ବେଳେ ୧୦୦୦ ନମ୍ବର ପ୍ଲଟ ରେ ପଣ୍ୟାଗାର ନିଗମ ଗୋଦାମ ରହିଛି ଏବଂ ଏହାକୁ ଲାଗି କରି ସରଜମିନ ଉପରେ ଏହି ମୁଖ୍ୟ ରାସ୍ତା ରହିଛି କିନ୍ତୁ ସରକାରୀ ରେକର୍ଡ ରେ ଥିବା ମେପ ଓ ରେକର୍ଡ କୁ ଅନୁଧ୍ୟାନ କଲେ ପ୍ଲଟ ନଂ ୯୯୯ ଓ ୯୯୮ ଏବଂ ପ୍ଲଟ ନମ୍ବର ୧୦୦୦ ପାର୍ଶ୍ବରେ ପ୍ଲଟ ନଂ ୯୯୭ ରହିଛି। ଅନ୍ୟ ପକ୍ଷରେ ସରକାରୀ ରେକର୍ଡ କୁ ଅନୁଧ୍ୟାନ କଲେ ପ୍ଲଟ ନଂ ୯୯୭ ର ସମଗ୍ର ଅଂଶ ଟି ସନ୍ତୋଷ କୁମାର ସାହୁ ପିତା ଜୟରାମ ସାହୁ ଙ୍କ ନାମରେ ଦରଜ ରହିଛି।

ରେଜିଷ୍ଟ୍ରେସନ ଦଲିଲରେ ଜୁନାଗଡ ତହସିଲର ଅମିନଙ୍କ ଦ୍ବାରା ପ୍ରସ୍ତୃତ ଓ ସଂଲଗ୍ନ କରାଯାଇଥିବା ପ୍ଲଟ ନଂ ୯୯୭ ର ମେପ ଏବଂ ସରକାରୀ ରକର୍ଡ ରେ ଥିବା ପ୍ଲଟ ନଂ ୯୯୭ ର ମେପ ସମାନ ଥିବା ବେଳେ କିନ୍ତୁ ରେକର୍ଡ ରେ ସରକାରୀ ରାସ୍ତା ଗାଏବ ହୋଇଯିବା ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଘଟଣା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି। ବାସ୍ତବ ପକ୍ଷରେ ସନ୍ତୋଷ କୁମାର ସାହୁ ଉକ୍ତ ଛକ ସ୍ଥାନରେ ଚାରିକୋଣିଆ ଭାବରେ ଜମି ଦାଖଲ କରି ନିଜର ବ୍ୟୟ ବହୁଳ ଦାମୀ ହୋଟେଲ ନିର୍ମାଣ କରିଥିବା ଦେଖାଯାଉଛି ଏବଂ ଏହାର ପଶ୍ଚିମ ପାର୍ଶ୍ବରେ ଜାତୀୟ ରାଜପଥରୁ ତହସିଲ ଅଫିସ କୁ ରାସ୍ତା ଯାଇଛି, ସେହି ରାସ୍ତାରେ ପ୍ରତ୍ୟହ ରାଜସ୍ବ ବିଭାଗର ଅମିନ ଠାରୁ ତହସିଲଦାର ପର୍ଯ୍ୟନ୍ତ ସମସ୍ତେ ଯାଆସ କରୁଥିବା ବେଳେ ସମ୍ପୃକ୍ତ ଅମିନ ସରଜମିନ ତଦନ୍ତ ନ କରି କିପରି ଭାବରେ ମେପ ପ୍ରସ୍ତୃତ କଲେ ଏବଂ ଜୁନାଗଡ ତହସିଲଦାର କିପରି ସବ ରେଜିଷ୍ଟ୍ରାର ପଦରେ ରେଜିଷ୍ଟ୍ରେସନ ଗ୍ରହଣ କଲେ ତାହା ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଦାମୀ ମାଲିକଙ୍କ ସପକ୍ଷରେ ରେଜିଷ୍ଟ୍ରେଶନ ହୋଇଥିବାରୁ ମୋଟା ଅଙ୍କର ହାତ ଗୁଞ୍ଜା ର ଚାପରେ କୌଣସି ବିଷୟକୁ ବିଚାରକୁ ନିଆ ଯାଇ ନ ଥିବା ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ରାଇସ ମିଲର ଏସୋସିଏସନ ପକ୍ଷରୁ ଗଣଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଏଫ.ସି.ଆଇ. ର ମୁଖ୍ୟ ଗେଟରେ କଳାହାଣ୍ଡି ଜିଲ୍ଲା ମିଲର ଏସୋସିଏସନ ପକ୍ଷରୁ ଠିକ ଭାବେ ଚାଉଳ ନ ଉଠାଇ ପାତର ଅନ୍ତର କରୁ ଥିବାରୁ କଳାହାଣ୍ଡି ଜିଲା ମିଲର ଏସୋସିଏସନର ସଭାପତି ନଳିନୀ କୁମାର ପଟ୍ଟଯୋଶୀଙ୍କ ନେତୃତ୍ୱରେ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଥିବାର ଜଣା ପଡ଼ିଛି। ଏଫ.ସି.ଆଇ.ସହିତ ମିଳର ମାନଙ୍କୁ ସଂଯୋଗ କରାଯାଇଛି।ଡିସେମ୍ବର ୨୦୨୨ ମସିହାରୁ ରେକ ଲୋଡିଙ୍ଗ ସମୟରେ ଶ୍ରମିକ ଙ୍କ ସମସ୍ୟା ରହି ଆସୁଅଛି। କଳାହାଣ୍ଡି ଜିଲ୍ଲାର ୧୫ଟି ମିଲରଙ୍କୁ ମାର୍ଚ୍ଚ ୨୦୨୩ ସୁଦ୍ଧା ୪୩୩ ଲଟ ମଧ୍ୟରୁ ୨୪୮ ଲଟ ଡେଲିଭରି କରାଯାଇଛି।ବାକି ୨୮୫ଲଟ ଚାଉଳ ଆଉ କେବେ ଡେଲିଭରି କରା ଯିବ। କିନ୍ତୁ ବଲାଙ୍ଗିର ଜିଲା ଟିଟିଲାଗଡ ର ୬ଟି ମିଲର ର ଚାଉଳ କୁ କାହିଁକି କେସିଙ୍ଗା ଏଫ.ସି.ଆଇ .ରେ ଅନଲୋଡ କରା ଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ସବୁ ପାତର ଅନ୍ତର ସମସ୍ୟା କୁ ନେଇ ଏହି ଗଣଧାରଣା ମଙ୍ଗଳବାର ସକାଳୁ ସନ୍ଧ୍ୟା ଯାଏ ଚାଲିଛି।

ଡିଭିଜନାଲ ମେନେଜର ଟିଟିଲାଗଡ ଯଦି ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ନଚେତ ସବୁ ମିଲରସ ୱେର ହାଉସ କୁ ଚାଉଳ ସ୍ଥାନାନ୍ତରିତ କରିବୁ ବୋଲି ମିଲର ମାନେ ଦାବି କରିଛନ୍ତି। ଏହି ଗଣଧାରଣାରେ ଅଳ ଓଡ଼ିଶା ରାଇସ ମିଲର ଏସୋସିଏସନ ର ରାଜ୍ୟ ସଭାପତି ମହେଶ ଅଗ୍ରୱାଲ, କଳାହାଣ୍ଡି ଜିଲ୍ଲା ରାଇସ ମିଲରସ ଆସୋସିଏସନର ସମ୍ପାଦକ ରମେଶ କୁମାର ଜୈନ, ଉପ ସଭାପତି ଯୁଗଳ କିଶୋର ଅଗ୍ରୱାଲ ପ୍ରମୁଖ ମିଲର ମାନେ ଅଂଶଗ୍ରହଣ କରିଥିଲେ। କେସିଙ୍ଗା ଅଞ୍ଚଳ ର ୧୫ ଟି ଓ ଭବାନୀପାଟଣା ସବ ଡିଭିଜନ ର ପ୍ରାୟ ୪୦ଟି ମିଲରସଙ୍କ ଠାରୁ ଠିକ ଭାବେ କେସିଙ୍ଗା ଏଫ.ସି.ଆଇ. ଚାଉଳ ଉଠାଉ ନାହିଁ।ବଲାଙ୍ଗିର ଜିଲା ଟିଟିଲାଗଡ ର ୬ଟି ମିଲର ଙ୍କ ଠାରୁ ଚାଉଳ ରଖୁଥିବା ପ୍ରତିବାଦରେ ଏହି ଗଣଧାରଣା ଦେଇଛନ୍ତି।

ଆସନ୍ତା ଖରୀଫ ଋତୁରେ ପୁଣି ମିଲର୍ସ ଧାନ କେଉଁଠି ରଖିବେ।ତେଣୁ ତୁରନ୍ତ ମିଲର ଗଚ୍ଛିତ ଥିବ ଚାଉଲ କୁ କେସିଙ୍ଗା ଏଫ.ସି.ଆଇ ଉଠାଇବା ପାଇଁ ଦାବି ହେଉଛି। ଟିଟିଲାଗଡ ସବ ଡିଭିଜନ ମେନେଜର ବି.ଚନ୍ଦ୍ର ମୋହନ ଙ୍କୁ ପଚାରିବାରୁ ଅଳ୍ପ ଦିନ ମଧ୍ୟରେ ସମାଧାନ କରା ଯିବ ବୋଲି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ଅମୃତ ସରୋବର ଅର୍ଥ ହେରଫେର ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଦପ୍ତରରେ ସରକାରୀ କର୍ମଚାରୀ ଅଭାବ ରହୁଥିବା ବେଳେ ଆଉଟ ସୋରସିଂ କର୍ମଚାରୀଙ୍କ ଦ୍ବାରା ଅଫିସ କାର୍ଯ୍ୟ ଚାଳୁଥିବାର ଦେଖା ଯାଉଛି। ଏହି ଆଉଟ ସୋରସିଂ କର୍ମଚାରୀ ମାନଙ୍କୁ ଠିକା ସଂସ୍ଥା ନିଯୁକ୍ତି ଦେଇ ସରକାରୀ ଅଫିସ ରେ କାମ କରୁଥିଲେ ହେଁ ସମ୍ପୃକ୍ତ ଠିକା ସଂସ୍ଥା ର ନିୟନ୍ତ୍ରଣ ରହିଥାଏ। ସମ୍ପୃକ୍ତ ସରକାରୀ ଅଫିସ ର ନିୟନ୍ତ୍ରଣ ନ ଥିବା ବେଳେ କୋଟି କୋଟି ଟଙ୍କା ର କାରବାର ଏହି ଆଉଟ ସୋରସିଂ ସଂସ୍ଥା ଦ୍ବାରା ନିଯୁକ୍ତ କର୍ମଚାରୀ ଙ୍କ ଦ୍ବାରା ସମ୍ପାଦିତ ହୋଇଥାଏ। ଏହାର ସୁଯୋଗ ନେଇ ଏହି କର୍ମଚାରୀ ମାନେ ଆର୍ଥିକ ହେରାଫେରି କରୁଥିବା ଆଭିଯୋଗ ହୋଇଛି।

ଜୁନାଗଡ ବ୍ଲକ ଅଧୀନରେ ଥିବା ୧୬ ଟି ପଞ୍ଚାୟତରେ ଅମୃତ ସରୋବର ବାବଦ କୁ ଥିବା ୩ କୋଟି ୬୧ ଲକ୍ଷ ୪୨ ହଜାର ୬୫୭ ଟଙ୍କା ଚଞ୍ଚକତା କରାଯାଇ ହେରାଫେରି କରାଯାଇ ଅନ୍ୟତ୍ର ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୩୫୧ ତା୦୯/୦୩/୨୦୨୩ ଯୋଗେ ସମ୍ପୃକ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଙ୍କ ଠାରୁ ଅସୁଲ କରିବାକୁ ଜୁନାଗଡ ବିଡିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ସେହିପରି ନର୍ଲା ବ୍ଲକରେ ଅମୃତ ସରୋବର ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୬ ଟି ପଂଚାୟତ ର ୩୩ ଲକ୍ଷ ୬ ହଜାର ୪୬୭ ଟଙ୍କା ଚଞ୍ଚକତା କରି ହେରାଫେରି କରିଥିବା ଅଭିଯୋଗ ହୋଇଛି। ସେ ସମ୍ପର୍କରେ କଳାହାଣ୍ଡି ଜିଲ୍ଲାପାଳ ପତ୍ର ସଂଖ୍ୟା ୧୩୫୧ ତା ୦୯.୦୩.୨୦୨୩ ଏବଂ ପତ୍ର ସଂଖ୍ୟା୧୩୪୭ ତା ୦୯.୦୩.୨୦୨୩ ଅନୁସାରେ ସମ୍ପୃକ୍ତ ଗ୍ରାମ ପଂଚାୟତ ଗୁଡିକର ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କ ଠାରୁ ଅସୁଲ କରିବାକୁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ସମ୍ପୃକ୍ତ ବ୍ଲକ ଗୁଡିକର ଆସିଷ୍ଟାଣ୍ଟ କମ୍ପ୍ୟୁଟର ପ୍ରୋଗ୍ରାମର ଓ ମନରେଗା ଆସିଷ୍ଟାଣ୍ଟ ମାନଙ୍କୁ ବଦଳ କରିଦେବାକୁ ସମ୍ପୃକ୍ତ ଆଉଟ ସୋରସିଂ ସଂସ୍ଥା କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଆଉଟ ସୋରସିଂ ସଂସ୍ଥା ମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମାନେ କିପରି ଭାବେ ବିଭାଗୀୟ ଉଚ୍ଚ ପଦାଧିକାରୀ ମାନଙ୍କର ପ୍ରାକ ଅନୁମତି ବିନା କେଉଁ ଉଦ୍ଦେଶ୍ୟରେ ଗୋଟାଏ ଯୋଜନାର ଅର୍ଥକୁ ଅନ୍ୟ ଯୋଜନାରେ ବିନିଯୋଗ କରି ପାରୁଛନ୍ତି ସେ ବିଷୟରେ ଉଚ୍ଚ ସ୍ତରୀୟ ତଦନ୍ତ କଲେ ଆହୁରି ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇବାରେ ଲାଗିଛି।

Categories
ବିଶେଷ ଖବର

ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଆରମ୍ଭ

ଭୁବନେଶ୍ଵର: ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ। ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୁଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି। ଏହା ସହିତ ଏହି ତିନି ଗୋଟି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମହିଳା ସଶକ୍ତିକରଣର କର୍ଣ୍ଣଧାର ବିଜୁବାବୁ ଙ୍କ ଜୟନ୍ତୀ ଅବସରରେ ବରଗଡ ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି।

ଏହି ଅବସରରେ ଆୟୋଜିତ ସମାବେଶ ମାନଙ୍କରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା। ଏହି ଏକ୍ସପ୍ରେସ ୱେ କେବଳ ଏ ଅଞ୍ଚଳ ନୂହେଁ ସାରା ଓଡ଼ିଶା ପାଇଁ ବିକାଶ ର ନୂଆ ଇତିହାସ ଲେଖିବ। ବିଜୁ ଏକ୍ସପ୍ରେସ ଓ୍ଵେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଚାଷୀ ପାଇଁ ବଜାର ସୁବିଧା ମିଳିବ।  ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ସୁବିଧା, ବ୍ୟବସାୟୀ ମାନଙ୍କୁ ସୁବିଧା, ସ୍ୱାସ୍ଥ୍ୟ ସେବାରେ ଆହୁରି ଉନ୍ନତି ଆସିବ ,ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟତ ରୂପାନ୍ତର କାମକୁ ମଜଭୁତ କରିବ।

ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସର ଦୁଇପାଖେ ବିଜୁ ଅର୍ଥନୈତିକ କରିଡର ହେବାଦ୍ଵାରା ପୁଞ୍ଜି ବିନିଯୋଗ ବଢିବ ଏବଂ ନୂଆ ନୂଆ ଶିଳ୍ପ ଗଢି ଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ସେ କଥା ନୂହେଁ କାମ ରେ ବିଶ୍ବାସ କରନ୍ତି ବୋଲି ତାଙ୍କ ଉକ୍ତି କୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବିଶେକମାନଙ୍କୁ ମିଳିବ।

ଶିଳ୍ପ ବିକାଶ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ବିଜୁ ଅର୍ଥନୈତିକ କରିଡର ଦ୍ଵାରା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ। ପଶ୍ଚିମ ଓ ଦକ୍ଷିଣ ଓଡିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ।  ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ।

ଘଟିପଡାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ଓ୍ଵେର ଚାରିଥାକିଆ ରାସ୍ତା କାମ ରେକର୍ଡ ଏକ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ. ଓଡିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଗ୍ରଣୀ ଭୁମିକା ନେଇଥିବା ମହାନ ଜନନାୟକ ବିଜୁ ବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ବାବୁଙ୍କ ଆଦର୍ଶରେ ଏକ ସଶକ୍ତ ଓଡିଶା ଗଠନ ପାଇଁ ସେ କାମ କରି ଚାଲିଛନ୍ତି।

ସମ୍ବଲପୁର- ରାଉଲକେଲା ରାସ୍ତା ବିଜୁବାବୁଙ୍କ ପରିକଳ୍ପନା ଥିଲା। L&T ରାସ୍ତାଭାବେ ପରିଚିତ ଏହି ରାସ୍ତାର ଆରମ୍ଭ ସ୍ଵର୍ଗତ ବିଜୁବାବୁ ୧୯୯୩ ମସିହାରେ ଆରମ୍ଭ କରିଥିଲେ।  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଶା ମାଟି ଓ ଏ ମାଟିର ମଣିଷର ସ୍ଵପ୍ନ ସହ ବିଜୁବାବୁ ସବୁବେଳେ ଯୋଡିହୋଇ ରହିଥିଲେ ବୋଲି ମତ ଦେଇ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲ।

ଏହି ସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ତଥା ବିଧାୟକ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ ଖବର ଦାତା ସମ୍ମିଳନୀ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନଫରେନ୍ସ ହଲ ଠାରେ ରାଷ୍ଟ୍ରୀୟ ବାହକ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଗାମୀ ୧୦ ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଫାଇଲେରିଆ ନିରାକରଣ ଅଭିଯାନ ର ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବା ମାସ ଡ୍ରଗ୍ସ ଆଡ୍ମିନିଷ୍ଟ୍ରସନ ର ପ୍ରେସବାର୍ତା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀକଂ ଅଧ୍ୟକ୍ଷତା ରେ ସମାପନ କରାଯାଇଛି।

କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକର ଚିହିଁତ ଗ୍ରାମରେ ରାତ୍ରିକାଳୀନ ରକ୍ତ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ଏହି ପରୀକ୍ଷା ପରେ ନର୍ଲା ବ୍ଲକରେ ଫାଇଲେରିଆ କୃମିମାତ୍ର ୧ % ରୁ ଅଧିକ ଥିବା ଜଣା ପଡିଛି। ସେଥିପାଇଁ କଳାହାଣ୍ଡି ଜିଲ୍ଲାର କେବଳ ନର୍ଲା ବ୍ଲକକୁ ପ୍ରଥମ ଥର ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବା ମାସ ଡ୍ରଗ୍ସ ଆଡ୍ମିନିଷ୍ଟ୍ରସନ ପାଇଁ ରାଜ୍ୟ ସରକାର ପକ୍ଷ ରୁ ଚିହ୍ନଟ କରାଯାଇଛି। ବୈଠକରେ ସିଡି ଏମଓ ଡ ରଞ୍ଜନ ମିତ୍ରଙ୍କ ଅଧ୍ୟକ୍ଷତାରେ ଡ ରାକେଶ ସାହୁ, ଡିପିଏଚଓ, ମନୋଜ ବେହେରା, ଡି ଆଇପିଆର୍ ଓ, ଡ ନିଶିତ୍ ଦାସ, ଡବ୍ଲୁ ଏଚ ଓ ପ୍ରତିନିଧି, ଭବାନୀ ସାହୁ, ଡି ଏମ ଆର୍ ସି ଏଚ, ନିହାର ଠାକୁର, ଶେଖ୍ ନିଶାର, ଭି ବି ଡି ବିଶେଷଜ୍ଞ, ସନ୍ତୋଷ ବାଗ, ଭି ବି ଡି ପରାମର୍ଶଦାତା ସହ ପ୍ରେସ ଓ ଇଲେକ୍ଟ୍ରୋନିକ ମିଡିଆର ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ।

ଏହି ପ୍ରେସ୍ ବାର୍ତ୍ତାରେ ସାମ୍ବାଦିକ ବନ୍ଧୁ ମାନଙ୍କୁ ବିସ୍ତୃତରେ ଫାଇଲେରିଆ ନିରାକରଣ ଅଭିଯାନ, ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ୧୦ ରୁ ୧୯ ଫେବୃଆରୀ ୨୦୨୩ ବିଷୟରେ ଅବଗତ କର ଗଲା. ଯେଉଁ ଥିରେ ସାମ୍ବାଦିକ ବନ୍ଧୁ ମାନଙ୍କ ପ୍ରଶ୍ନ ର ସଠିକ ଉତ୍ତର ଦିଆଯାଇଥିଲା।

ଏହି ଦିନ ସମସ୍ତେ ଡି.ଇ.ସି. ବଟିକା ସହିତ ଆଲବେଣ୍ଡାଜଲ୍ ବଟିକାର ଗୋଟିଏ ମାତ୍ରା ନିଶ୍ଚୟ ଖାଆନ୍ତୁ। ଆଶାକର୍ମୀ କିମ୍ବା ଚାଲିମପ୍ରାପ୍ତ ସ୍ଵେଚ୍ଛାସେବୀମାନେ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ବୟସ ଅନୁପାତରେ ବଟିକା ଖୁଆଇବେ। ଏହି ବଟିକା ଖାଦ୍ୟ ଖାଇ ସାରିବା ପରେ ଖାଇବେ । ସରକାରଙ୍କ ତରଫରୁ ବଟିକା ସମ୍ପୂର୍ଣ ମାଗଣା ରେ ଦିଆଯାଉଅଛି।

ଗୋଡ ହାତ ଓ ପାଦଫୁଲି ଗୋଦର ହେଲେ ଆମେ ଫାଇଲେରିଆ ହୋଇଛି ବୋଲି କହିଥାଉ। ଏହା ଏକ ମଶା ଜନିତ ରୋଗ, ଗୋଦର ହେବା ୮ ରୁ ୧୦ ବର୍ଷ ଆଗରୁ ଫାଇଲେରିଆ ରୋଗ ସଂକ୍ରମଣ ହୋଇଥାଏ। ସଂକ୍ରମିତ ମଶା କାମୁଡିବା ଦ୍ୱାରା ଫାଇଲେରିଆ ପରଜୀବୀ କୀଟାଣୁ ସଂକ୍ରମିତ ରୋଗୀ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କ ଦେହକୁ ସଂକ୍ରମିତ ହୋଇଥାଏ।

ଗୋଡ, ପାଦ ହାତ ଆଦି ଫୁଲିଯାଏ ଗୋଦର ହୁଏ। ପୁରୁଷମାନଙ୍କ ଅଣ୍ଡକୋଷ ଫୁଲେ, ଏହାକୁ ହାଇଡ୍ରୋସିଲ କହନ୍ତି। କେତେକ କ୍ଷେତ୍ର ରେ ଧଳା ପରିସ୍ରା ମଧ୍ୟ ହୁଏ। ପ୍ରଥମ ଅବସ୍ଥା ରୁ ଉପଯୁକ୍ତ ଯତ୍ନ ନ ନେଲେ ଫୁଲ କମେ ନାହିଁ ଓ ଅଙ୍ଗଟି ବିକଳାଙ୍ଗ ହୋଇଥାଏ। ଏହି ରୋଗ ବଂଶାନୁଗତ ନୁହେଁ।

ଆମ ଜିଲ୍ଲା ସହିତ ଓଡିଶା ରାଜ୍ୟ ରେ ୨୦ଟି ବାତଜ୍ଵର ପ୍ରବଣ ଜିଲ୍ଲା ମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯାଉଅଛି। ଲଗାତାର ୫ ରୁ ୬ ବର୍ଷ ପର୍ଯ୍ୟନ୍ତ ଯଦି ଗୋଟିଏ ଗୋଷ୍ଠିରେ ୮୫% ଅଧିକ ଲୋକ ବର୍ଷର ଗୋଟିଏ ଦିନ ବାତଜ୍ଵର ନିରାକରଣ ପାଇଁ ଦିଆଯାଉଥିବା ଔଷଧ ସେବନ କରନ୍ତି, ତେବେ ଗୋଷ୍ଠୀରୁ ବାତଜ୍ଵର ନିରାକରଣ ହୋଇପାରିବ। ସେଥିପାଇଁ ୫ ରୁ ୬ ବର୍ଷ ଲଗାତାର ସାର୍ବଜନୀନ ଔଷଧ ସେବନ କରିବା ଦ୍ୱାରା ବାତଜ୍ଵର କୃମି ବା କୀଟାଣୁ ସମ୍ପୂର୍ଣ ନଷ୍ଟ ହୋଇଯିବେ। କେବଳ ୨ ବର୍ଷ ରୁ କାମ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଏହିକଦିନ ଧରି ରୋଗରେ ପୀଡିତ ଥିବା ଲୋକମାନକୁଂ ଛାଡି ଅନ୍ୟ ସମସ୍ତେ ଏହି ଔଷଧ ସେବନ ଲରିପାରିବେ। ବୟସ ଅନୁସାରେ ଡ଼ିଇସି ଆଲବେନଡ଼ାଯ଼ୋଲ ବଟିକା ଦିଆଯାଇଥାଏ।

ଏଥିପାଇଁ ନର୍ଲା ବ୍ଲକ ରେ ଔଷଧ ସେବନ କରାଇବା ପାଇଁ ୫୧୬ ଟି ଟିମ (ଆଶା ଦିଦି, ଅଙ୍ଗନବାଡୀ ଦିଦି ଏବଂ ସ୍ଵେଛା ସେବକ), ୫୩ ସୁପରଭାଇଜର ଏବଂ ୨ ଟି ରେପିଡ ରେଷ୍ପିରେଶନ ଟିମ ଗଠିତ କର ଯାଇଛି । ଜିଲ୍ଲା ଏବଂ ବ୍ଲକ ରେ କଂଟ୍ରୋଲ ରୁମ ମଧ୍ୟ ସ୍ଥାପନ କର ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ଭିନ୍ନକ୍ଷମ ସଂଘ ମାନଙ୍କ ସହଯୋଗ ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି। ସକାଳେ ପ୍ରଥମେ ଜିଲ୍ଲାପାଳ ପି ଅନ୍ୱେଷ। ରେଡ୍ଡୀଙ୍କ ଦ୍ଵାରା ପତାକା ଦେଖାଇ ଭିନ୍ନକ୍ଷମ ମାନଙ୍କ ଏକ ବିରାଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପ ଯାଏଁ ଯାଇଥିଲା। ଶୋଭାଯାତ୍ରା ସେଠାରେ ପହଂଚିବା ପରେ ଅନ୍ତର୍ଜାତୀୟ ଦିବସ ପାଳନ ପାଇଁ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ରଞ୍ଜନ ମିତ୍ର ମୁଖ୍ୟ ଅତିଥି, ଜିଲ୍ଲା ଆଇନ ସେବା ପ୍ରାଧିକାରଣର ସମ୍ପାଦକ ଶୁଭ ଗୌତମ ମିଶ୍ର ସ୍ୱତନ୍ତ୍ର ଅତିଥି, ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଯୋଧନ ବିଶି, ଜିଲ୍ଲା ପରିଷଦ ସଭ୍ୟ ତଥା ଭିନ୍ନକ୍ଷମ ମଞ୍ଚର ମୁଖ୍ୟ ସୁରେଶ ଚୌଧୁରୀ ଓ ଭିନ୍ନକ୍ଷମ ଫେଡେରେସନର ମୁଖ୍ୟ ହେମନ୍ତ ତାଣ୍ଡି ଅତିଥି ଭାବେ ଯୋଗଦେଇଥିଲେ।

ଏହି ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ସଭାପତିତ୍ୱ କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ୧୪ ଜଣ ଭିନ୍ନକ୍ଷମ ଦମ୍ପତି ଙ୍କୁ ବିବାହ ପ୍ରୋସ୍ଥାହନ ରାଶି ପ୍ରଦାନ ସହ ୨୪ ଜଣ ଭିନ୍ନକ୍ଷମଙ୍କୁ ଆତ୍ମ ନିଯୁକ୍ତି ସହାୟକ ଉପକରଣ ମାନ ବଣ୍ଟନ, ଭିନ୍ନକ୍ଷମ ମାନଙ୍କୁ ସହାୟକ ଉପକରଣ ଯଥା ଟ୍ରାଇ ସାଇକେଲ,ହୁଇଲ ଚେୟାର ଇତ୍ୟାଦି ପ୍ରଦାନ କରାଯାଇଛି।

ଜିଲ୍ଲାରେ ଭିନ୍ନକ୍ଷମ ସଶକ୍ତିକରଣରେ ସକ୍ରିୟ ସହଯୋଗ କରୁଥିବା ୩ ଜଣ ସୁରେଶ ଚୌଧୁରୀ, ହେମନ୍ତ ତାଣ୍ଡି ଓ ଡୋଳାମଣି ପ୍ରଧାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହିତ କାର୍ଯ୍ୟକ୍ରମ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।