Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର କଳାହାଣ୍ଡି ପନିପରିବାର ପେଣ୍ଠସ୍ଥଳୀ ପାଲଟିଛି: ପ୍ରଧାନମନ୍ତ୍ରୀ ମୋଦୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ, କୃଷ୍ଣ ନାଗ ଏବଂ ତାଙ୍କ ସାଥୀ ଚାଷୀମାନେ ଏକ ସବୁଜ ବିପ୍ଳବର ନେତୃତ୍ୱ ନେଉଛନ୍ତି ଯାହା ଆଠଟି ଗ୍ରାମ ପଞ୍ଚାୟତକୁ ଏହି ଅଞ୍ଚଳର ଏକ ପନିପରିବା ହବ୍‌ରେ ପରିଣତ କରିଛି। କଳାହାଣ୍ଡି ଥରେ ପନିପରିବା ପାଇଁ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ଆଗ୍ରହୀ ଚାଷୀ ଉତ୍ପାଦକ କମ୍ପାନୀର ଗୋଲାମୁଣ୍ଡା ବ୍ଲକର ଚାଷୀମାନଙ୍କ ଦ୍ୱାରା ଚାଷ କରାଯାଇଥିବା ପନିପରିବା ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବ୍ୟତୀତ ଦୁଇଟି ପଡ଼ୋଶୀ ରାଜ୍ୟକୁ ପହଞ୍ଚୁଛି।

କିଛି ପ୍ରମୁଖ ପନିପରିବା ଚାଷୀ-ଉଦ୍ୟୋଗୀ ଚାଷୀଙ୍କ ସହିତ, ଉତ୍ପାଦକ କମ୍ପାନୀ ୨୦୨୨ ରେ ଆଠଟି ଜିପିରୁ ମାତ୍ର ୧୦ ଜଣ ସଦସ୍ୟଙ୍କ ସହିତ ପଞ୍ଜିକୃତ ହୋଇଥିଲା। ପ୍ରତିଷ୍ଠା ସମୟରେ କମ୍ପାନୀର ମୋଟ ଅଂଶଧନ ପୁଞ୍ଜି ମାତ୍ର ୧.୭୮ ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ଅଂଶଧନଧାରୀଙ୍କ ସଂଖ୍ୟା ୨୧୨ ରେ ପହଞ୍ଚିଛି, ଯାହା ମଧ୍ୟରୁ ୪୫ ଜଣ ମହିଳା।

୨୦୨୩-୨୪ ରେ ଅଗ୍ରିଚାଷିର ମୋଟ କାରବାର ୬.୫୭ ଲକ୍ଷ ଟଙ୍କା ଥିଲା ଯାହା ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ଟଙ୍କାରେ ପହଞ୍ଚିଥିଲା ଏବଂ ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ୨ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଆଜି ମନ କି ବାତ ରେ ଏହି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଥିବାରୁ ଚାଷୀ ଖୁସି ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁଶାସନ ଦିବସ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପାୟୀଙ୍କ ଜୟନ୍ତୀ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା ଅଡିଟୋରିଅମ ହଲଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଭରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତି ଡିସେମ୍ବର ୨୫ ତାରିଖକୁ ସୁଶାସନ ଦିବସ ଭାବରେ ପାଳନ କରାଯାଉଛି। ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ଆଦର୍ଶ ଜୀବନୀ, ଦେଶଭକ୍ତି ସମ୍ପର୍କରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଅନୁଷ୍ଠିତ ସ୍ମୃତି ଚାରଣ ସଭା ପ୍ରାରମ୍ଭରେ ଭାରତରତ୍ନ ବାଜପେୟୀଙ୍କ ପ୍ରତିଛବିରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ସଭାପୂର୍ବରୁ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କ ଅକାଳ ବିୟୋଗରେ ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଶ୍ରୀମତୀ ମାଳବିକା ଦେବୀ ମାନନୀୟା ସାଂସଦ ଲୋକସଭା କଳାହାଣ୍ଡି, ସମ୍ମାନୀତ ଅତିଥିଭାବେ ଦୟାମୟ ପାଢୀ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କଳାହାଣ୍ଡି, ଡଃ. ନିବେଦିତା ନାଥ ଭାରପ୍ରାପ୍ତ ଭି.ସି. ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ, ପିତାମ୍ବର ଭୋଇ ରେଜିଷ୍ଟ୍ରାର ଏବଂ ଜୟଦେବ ସାହୁ ଡେପୁଟି ରେଜିଷ୍ଟ୍ରାର ମାଁ ମାନିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା, ଉମାଶଙ୍କର କର ବରିଷ୍ଠ ସାମ୍ବାଦିକ, ଅଧ୍ୟାପକ ତପନ କୁମାର ରଥ, ବକ୍ତା ଭାବରେ ସତ୍ୟ ନାରାୟଣ ମୁଣ୍ଡଛିନ୍ନା ଯୋଗଦେଇ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ତାଙ୍କର ଆଦର୍ଶ ଆତ୍ମଜୀବନୀ ଉପରେ ଆଲୋକପାତ କରିଥିଲେ।

କବି, କବିୟତ୍ରୀମାନେ ବାଜପେୟୀଙ୍କ ଆଦର୍ଶ ଜୀବନୀ, ଦେଶାତ୍ମବୋଧକ ସମ୍ପର୍କରେ ସ୍ବରଚିତ କବିତା ପଠନ କରିଥିଲେ। କବିତା ପାଠ ଉତ୍ସବରେ ଅଧ୍ୟାପକ କବି ତପନ କୁମାର ରଥ, ସନ୍ତୋଷ ରଥ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ ସହଯୋଗ କରିଥିଲେ। ଏଥିରେ କବି କବୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା, ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ମୁଖ୍ୟ ଅତିଥି,ଅତିଥି ମାନଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, କବି, ସାହିତିକ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ହଳଧର ନିଆଲ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଆଜି ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ।

ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୧୭ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥିରୁ ବ୍ୟକ୍ତିଗତ ୯୧ ଗୋଟି ଓ ସାମୂହିତ ୨୪ ଗୋଟି ରହିଥିବା ବେଳେ ୧୦ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ୨ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ, ସାମାଜିକ ସୁରକ୍ଷା, ପୂର୍ତ୍ତ, ବିଦ୍ୟୁତ, ଶିଶୁ ସୁରକ୍ଷା, ଗ୍ରାମ୍ୟ ଉନ୍ନୟନ, ଅବକାରୀ, ତହସିଲ, ବ୍ଲକ ଇତ୍ୟାଦି ବିଭାଗୀୟ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ସମ୍ପର୍କିତ ଆପତ୍ତି ଅଭିଯୋଗର ଶୁଣାଣି କରି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢି, ପିଡିଡୁଡା ମୁନୀନ୍ଦ୍ର ହୋନନାଗା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ନିହାରେନ୍ଦ୍ର ପଣ୍ଡା, ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହଁର ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଥାନୀୟ ତହସିଲଦାର, ବିଡିଓ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

ଏହି ଜନଶୁଣାଣି ଶିବିର ର ପରିଚାଳନା ରେ ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡେପୁଟି ଜିଲ୍ଲାପାଳ ଚନ୍ଦ୍ରଦାଶ ମହାନନ୍ଦିଆ ସହଯୋଗ କରିଥିଲେ। ଆସନ୍ତା ଡିସେମ୍ବର ୯ ତାରିଖରେ ଗୋଲାମୁଣ୍ଡା ବ୍ଲକରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହେବ।

ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏହି ଶିବିରରେ ନିଜର ନାମ ପଞ୍ଜୀକରଣ କରି ରହିଥିବା ବ୍ୟକ୍ତିଗତ, ସାମୂହିକ ଆପତ୍ତି ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲାପାଳ, କଳାହାଣ୍ଡି ଙ୍କୁ ଭେଟି ଜଣାଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ଧାନ କିଣା ବ୍ୟବସ୍ଥା: ମାତ୍ର ୭୪ ଜଣ ମିଲର୍ସଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବ ଦ୍ରଷ୍ଟା

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ପ୍ରଶାସନ ପକ୍ଷରୁ ଆଜିଠାରୁ ଧାନ କିଣା ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ବେଳେ ମିଲର୍ସ ଚୁକ୍ତି ନ କଲେ ଧାନ ମଣ୍ଡି ପ୍ରଭାବିତ ହେବାର ଏକ ଅହେତୁକ ପରିକଳ୍ପନା ସୃଷ୍ଟି ହୋଇଯାଇଛି। ମିଲର୍ସ ମାନେ ନିଜ ଜିଦରେ ଆଦି ବସି ପ୍ରଶାସନକୁ ଚାପ ପକାଇବାର ଚେଷ୍ଟା କରୁଥିବା ଆଲୋଚନା ହେଉଛି।

କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୪ ଜଣ ମିଲର୍ସ କଷ୍ଟମ ମିଲିଙ୍ଗ ପାଇଁ ଜିଲ୍ଲା ପ୍ରଶାସନର ଯୋଗାଣ ବିଭାଗ ସହିତ ଚୁକ୍ତି କରିଥାନ୍ତି। ତଦନୁସାରେ ଆଇନ ଅନୁସାରେ ଧାନ କିଣୂଥିବା ସମବାୟ ସମିତି କିମ୍ବା ମହିଳା ଏସ ଏଚ ଜି ଗୁଡିକ ଚାଷୀଙ୍କ ଧାନ କୁ ମଣ୍ଡି ମାନଙ୍କରେ କିଣିବା ପରେ ନିର୍ଦ୍ଧାରିତ ମିଲର୍ସ ମାନଙ୍କୁ କଷ୍ଟମ ମିଲିଙ୍ଗ ପାଇଁ ଦିଆଯାଇଥାଏ। ପ୍ରାୟ ସମସ୍ତ ସମବାୟ ସମିତି ଗୁଡିକରେ ଗୋଦାମ ଗୃହ ସବୁ ନିର୍ମାଣ କରାଯାଇଥିବା ବେଳେ ପ୍ରାୟ ଅଧିକାଂଶ ମଣ୍ଡିରେ ଆର ଏମ ସି ପକ୍ଷରୁ ଗୋଦାମ ଗୃହ ସବୁ ନିର୍ମାଣ କରାଯାଇଛି କିନ୍ତୁ ସେସବୁ କୁ ଧାନ କିଣା ସମୟରେ ବ୍ୟବହାର କରାଯାଉ ନ ଥିବା ଦେଖା ଯାଉଛି। ଅନେକ ଆର ଏମ ସି ଗୋଦାମକୁ ବ୍ୟବସାୟିକ ଭିତ୍ତିରେ ଭଡାରେ ଦିଆଯାଇଥିବା ବେଳେ ସେସବୁ ଧାନ କିଣା ସମୟରେ କାମକୁ ଆସି ପାରୁ ନ ଥିବା ଦେଖା ଯାଉଛି।

କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କଷ୍ଟିଙ୍ଗ ସିଟ ରେ ମଣ୍ଡିକୁ ଧାନ ଆଣିବା ଠାରୁ ଆରମ୍ଭ କରି ବସ୍ତା, ସୁତୁଲି, ଲିଫଟିଙ୍ଗ, ଷ୍ଟୋରେଜ ଇତ୍ୟାଦି ସମସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି ଏବଂ ଓଡ଼ିଶା ରେ ସରକାରଙ୍କ ଯୋଗାଣ ବିଭାଗ ନିୟନ୍ତ୍ରଣ ରେ ଧାନ କିଣା ବ୍ୟବସ୍ଥା ପରିଚାଳନା କରାଯାଉଛି। ଦୀର୍ଘ ବର୍ଷ ର ଅବ୍ୟବସ୍ଥା ମଧ୍ୟରେ ମଣ୍ଡି ମାନଙ୍କରେ ମିଲର୍ସ ମାନଙ୍କ ମିୟନ୍ତ୍ରଣ ରେ ଧାନ କିଣା ବ୍ୟବସ୍ଥା ଚାଲୁଥିବା ହେତୁ ସେହି ପ୍ରକ୍ରିୟା ରେ ସମସ୍ତେ ଅଭ୍ୟସ୍ତ ହୋଇଯାଇଥିବା କାରଣରୁ କାଗଜପତ୍ର ରେ ଥିବା ନିୟମ କାନୁନ କୁ ପ୍ରାୟତଃ ଭୁଲିୟାଇଥିବା ପରିଲକ୍ଷିତ ହେଉଛି। ପରିସ୍ଥିତି ଏଭଳି ଅଭ୍ୟାସ ରେ ପରିଣତ ହୋଇଗଲାଣି ଯେ, ଚାଷୀ ଠାରୁ ଆରମ୍ଭ କରି ପ୍ରଶାସନ ସହିତ ସମସ୍ତେ ମିଲର୍ସ ନ ଆସିଲେ ମଣ୍ଡି ଚାଲି ପାରିବ ନାହି ବୋଲି ଏକ ଅହେତୁକ ବିଶ୍ବାସ ସୃଷ୍ଟି ହୋଇଯାଇଥିବା ପରିଲକ୍ଷିତ ହେଉଛି।

ମଣ୍ଡିରେ ମିଲର୍ସ ଧାନ କିଣନ୍ତି କି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି ହେଉଛି। ଯଦିଓ ମିଲର୍ସ ଙ୍କ ଚୁକ୍ତି ନ ହେଲେ ମଣ୍ଡି ଚାଲିପାରିବ ନାହି ତେବେ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ମଣ୍ଡିରେ ମିଲର୍ସ ସିଧା ସଳଖ ଧାନ କିଣୁଛନ୍ତି ଏବଂ କାଗଜପତ୍ର ରେ ଧାନ କିଣା ଦାୟିତ୍ବ ରେ ଥିବା ସମବାୟ ସମିତି କିମ୍ବା ମହିଳା ଏସ ଏଚ ଜି ଗୁଡିକ କେବଳ କାଗଜ ପତ୍ର ପ୍ରସ୍ତରୁତ କରିଥାନ୍ତି।

ଅନ୍ୟପକ୍ଷରେ ଯଦିଓ ମିଲର୍ସ ଙ୍କ ଚୁକ୍ତି ବିନା ଧାନ ମଣ୍ଡି ଚାଲିବ ନାହି ଏବଂ ମିଲର୍ସ ଆସିଲେ ହିଁ ଧାନ ମଣ୍ଡି ଚାଲିବ ତେବେ ଧାନ କିଣା ବାବଦ କୁ ସମବାୟ ସମିତି ଓ ମହିଳା ଏସ ଏଚ ଜି ଗୁଡିକୁ ଦିଆଯାଉଥିବା କମିଶନ ଟଙ୍କା ସିଧା ସଳଖ ଭାବେ ମିଲର୍ସ ଙ୍କୁ ଦେଇ ଦିଆ ଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କଷ୍ଟିଙ୍ଗ ସିଟ ରେ ମଣ୍ଡିକୁ ଧାନ ଆଣିବା ଠାରୁ ଆରମ୍ଭ କରି ବସ୍ତା, ସୁତୁଲି , ଲିଫଟିଙ୍ଗ, ଷ୍ଟୋରେଜ ଇତ୍ୟାଦି ସମସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି। ତଥାପି ସମସ୍ତ ନିୟମ କାନୁନକୁ ଆଖିଠାର ମାରି ମିଲର୍ସ ପଛରେ ପ୍ରଶାସନ ଗୋଡାଇବା ଘଟଣା କୁ ବିଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

ସରକାରୀ ନିୟମ ଅନୁସାରେ ଯୋଗାଣ ବିଭାଗର ଏଜେଣ୍ଟ ଭାବେ ସମବାୟ ସମିତି ଓ ମହିଳା ଏସ ଏଚ ଜି ଗୁଡିକ ଧାନ କିଣୁଥିବା କାଗଜପତ୍ର ରେ ଲେଖାଯାଉଥିବା ବେଳେ ବାସ୍ତବ ପକ୍ଷେ ମଣ୍ଡିରେ ମିଲର୍ସ ମାନେ ହି ସିଧା ସଳଖ ଧାନ କିଣୂଥିବା ଅଭିଯୋଗ ହେଉଛି। ଅନେକ ସ୍ଥାନରେ ସମବାୟ ସମିତି ଗୁଡିକରେ ମିଲର୍ସ ମାନଙ୍କ ସଂଶ୍ଳିଷ୍ଟ ରହୁଥିବା ବେଳେ କେତେକ ସ୍ଥାନରେ ମିଲର୍ସ ମାନଙ୍କ ପ୍ରଯୋଜିତ ମହିଳା ଏସ ଏଚ ଜି ଗୁଡିକ ଧାନ କିଣୁଥିବା ହେତୁ ମଣ୍ଡିରେ ସିଧା ସଳଖ ଭାବେ ମିଲର୍ସ ଙ୍କ ସମ୍ପୂର୍ଣ୍ଣ ପ୍ରଭାବ ରହୁଥିବା ଅଭିଯୋଗ ହେଉଛି।

ମୋଟାମୋଟି ଭାବରେ କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୪ ଜଣ ମିଲର୍ସ ପ୍ରଶାସନିକ ନୀରବତା ଯୋଗୁଁ ଲକ୍ଷାଧିକ ଚାଷୀଙ୍କୁ ନିୟନ୍ତ୍ରଣ କରୁଥିବା ଆଲୋଚନା ହେଉଛି। ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତ ଗୋଦାମ ଗୁଡିକୁ ନିୟନ୍ତ୍ରଣ କୁ ନେଇ ସିଧା ସଳଖ ଭାବେ ଚାଷୀଙ୍କ ଧାନ କିଣିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଲା କମିଟି ବୈଠକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।

ବୈଠକରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପତ୍ତଯୋଶୀ,ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, , ଉପ ଜିଲ୍ଲାପାଳ ଧର୍ମଗଡ ଧିମନ ଚକମା,ଲୋକସଭା ସାଂସଦ କଳାହାଣ୍ଡିଙ୍କ ପ୍ରତିନିଧି ପ୍ରମୁଖ  ଉପସ୍ଥିତ ଥିଲେ।

ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ,ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ି କୁ ଜବତ କରିବା ।ଗତ ଖରିଫ ରେ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ,ଚାଷୀମାନେ କଟଣି ଛଟଣୀର ଶିକାର ନହେବା ପାଇଁ ବିଶେଷ ଧ୍ୟାନ ଦେବାକୁ କହିଥିଲେ।

ସଭାରେ ଗନି ବ୍ୟାଗର ଅସୁବିଧା,ମଣ୍ଡିରେ ବିଜୁଳି, ଭିତ୍ତିଭୂମି,ଆଶ୍ରୟ ସ୍ଥଳ,ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନ ର ଉପଲବ୍ଧି ଉପରେ ଆଲୋଚନା ହୋଇଥିଲା।   ସଭାରେ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା ଅସୁବିଧାରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଚଳିତ ଖରିଫରେ ଗୋଲାମୁଣ୍ଡା ବ୍ଲକରୁ ନଭେମ୍ବର ୨୯ ତାରିଖରେ ପ୍ରଥମ ଧାନ କ୍ରୟ ଆରମ୍ଭ ହେବ।  ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୧,୧୪,୭୫୮ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ୧,୭୬,୫୪୭ ହେକ୍ଟର ଧାନ ହୋଇଥିବା ଜମିରୁ  ୮,୪୧,୪୧୦ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଖରିଫ ୨୦୨୪-୨୫ ରେ ଭବାନୀପାଟଣା ଓ ଧର୍ମଗଡ ସବ-ଡିଭିଜନ ରେ ୮୧ ଟି ପାକ୍ସ, ୨୨୩ଟି ଧାନ ସଂଗ୍ରହ କେନ୍ଦ୍ର, ୨୭ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ ।

ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି। ଚଳିତ  ବର୍ଷ  ସମସ୍ତ ମଣ୍ଡିରେ ଆପ ମାଧ୍ୟମରେ ଚାଷୀ ତାଙ୍କ ଅଭିଯୋଗ ଦେଇ ପାରିବେ। ଯାହା   ଜିଲ୍ଲା ପାଳ ତୁରନ୍ତ ଦେଖି ଏବଂ ଉପଯୁକ୍ତ ପଦକ୍ଷେପ ନେବେ।

ଏହାଛଡା  ବଡ଼ ମଣ୍ଡି ମାନଙ୍କରେ  GRAIN Annalizer ଏବଂ ସମସ୍ତ ମଣ୍ଡି ମାନଙ୍କରେ  ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର ଲଗାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।ସଭାରେ ବିଭାଗୀୟ ଅଧିକାରୀ, ଜିଲ୍ଲା ଚାଷୀ ପ୍ରତିନିଧ , ମିଲର  ସଭାପତି,ବିଭିନ୍ନ  ବ୍ଲକରୁ ଚାଷୀ ପ୍ରତିନିଧି, ପାକ୍ସ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡି: ଜାଣନ୍ତୁ କେମିତି ହେଲା ଏହି ଜିଲ୍ଲାର ନାମକରଣ ଓ ଇତିହାସ ପୃଷ୍ଠଭୂମି

ଦୁଷ୍ମନ୍ତ କୁମାର ପଣ୍ଡା

କଳାରେ ଭରପୁର ହାଣ୍ଡି ଏବଂ କଳା ହାଣ୍ଡି ଭଳି କଳାହାଣ୍ଡି ପାଇଁ ଅନେକ ବ୍ୟାଖ୍ୟା ହେଉଥିବା ବେଳେ ମହାକାନ୍ତାର, ତ୍ରିକଳିଙ୍ଗ, କାରୁଣ୍ଡ ମଣ୍ଡଳ, ଇନ୍ଦ୍ରବନ, ଚକ୍ରକୋଟ ମଣ୍ଡଳ ଭଳି ଅନେକ ନାମରୁ ଆଧୁନିକ କଳାହାଣ୍ଡିର ନାମକରଣ ହୋଇଥିବାର ଇତିହାସ ପୃଷ୍ଠଭୂମି ରହିଛି। ଅଠର ଗଡର ରାଜ୍ୟ ଥିଲା କଳାହାଣ୍ଡି।

କଳାହାଣ୍ଡି ଜିଲ୍ଲା ଗଠନ ୧୯୪୯ ମସିହା ୧ ତାରିଖ ଦିନ ହୋଇଥିବା ବେଳେ ପୂର୍ବରୁ ଏହା କଳାହାଣ୍ଡି ଗଡଜାତ ରାଜ୍ୟ ଭାବେ ପରିଗଣିତ ହେଉଥିଲା। ସମଗ୍ର ଓଡ଼ିଶାର ୨୭ ଗୋଟି ଗଡଜାତ ମଧ୍ୟରୁ କଳାହାଣ୍ଡି ଗଡଜାତ ଅନ୍ୟତମ ରାଜ୍ୟ। କଳାହାଣ୍ଡିର ତତ୍କାଳୀନ ମହାରାଜା ହିଁ ଓଡ଼ିଶାର ଶେଷ ରାଜା ଯିଏ କି ଭାରତ ବର୍ଷରେ ବିଲୀନ ହେବା ପାଇଁ ସବା ଶେଷରେ କଟକ ଠାରେ ସ୍ବାକ୍ଷରିତ କରିଥିଲେ।

ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାପଡେ ଯେ, କଳାହାଣ୍ଡି ରାଜ୍ୟ ୧ ନଭେମ୍ବର ୧୯୪୮ ରେ ଭାରତ ବର୍ଷରେ ମିଶ୍ରଣ ହେବା ପରେ ସମ୍ବଲପୁର ଜିଲ୍ଲା ଅଧୀନରେ ଥିବା ନୂଆପଡ଼ା ଉପଖଣ୍ଡକୁ କଳାହାଣ୍ଡିରେ ମିଶ୍ରଣ କରି ଓଡ଼ିଶା ସରକାରଙ୍କ ଅଧୀନରେ ନୂତନ କଳାହାଣ୍ଡି ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା। ସେତେବେଳେ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନର ଧର୍ମଗଡ ଉପଖଣ୍ଡ, ଭବାନୀପାଟଣା ଉପଖଣ୍ଡ ଏବଂ କାଶୀପୁର ବ୍ଲକ ଥିଲା ଏବଂ ସେଥିରେ ନୂଆପଡ଼ା ଉପଖଣ୍ଡ ସାମିଲ ହୋଇ ଏକ ବୃହତ କଳାହାଣ୍ଡି ଜିଲ୍ଲା ୧ ନଭେମ୍ବର ୧୯୪୮ ଗଠନ ହେଲା। ସେହି ଦିନ ଠାରୁ ନଭେମ୍ବର ୧ ତାରିଖକୁ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି। ଅବଶ୍ୟ ପ୍ରଶାସନିକ ସୁବିଧା ଦୃଷ୍ଟିକୋଣରୁ ୧୯୬୭ ମସିହାରେ କାଶୀପୁର ବ୍ଲକକୁ କୋରାପୁଟ ଜିଲ୍ଲାର ରାୟଗଡା ଉପଖଣ୍ଡରେ ସାମିଲ କରାଯାଇଥିବା ବେଳେ ୧୯୯୩ ମସିହାରେ ନୂଆପଡ଼ା ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଅର୍ଥାତ ୧୯୪୮ ମସିହାରେ କଳାହାଣ୍ଡି ଜିଲ୍ଲାର ଯେଉଁ ପରିସୀମା ଥିଲା ଆଜି ତାହା ଆଉ ନାହି।

କଳାହାଣ୍ଡି ଆଜିମଧ୍ୟ ରତ୍ନଗର୍ଭା। ଚାଷରେ ଉନ୍ନତ ଥିବା ବେଳେ ବଙ୍ଗ ଦୁର୍ଭିକ୍ଷ ସମୟରେ କଳାହାଣ୍ଡିରୁ ଏକ ଲକ୍ଷ ଟନ ଚାଉଳ ଯୋଗାଣ କରାଯାଇଥିବା ତଥ୍ୟ ରହିଛି। ସେହିପରି ଚାଷ କାର୍ଯ୍ୟରେ ଜଳସେଚନର ଉନ୍ନତି ପାଇଁ କଳାହାଣ୍ଡିରେ ୧୯୩୦ ମସିହାରେ ଇନ୍ଦ୍ରାବତୀ ଜଳ ସେଚନ ଯୋଜନାର ପରିକଳ୍ପନା କରାଯାଇଥିଲା ଯାହାକି ସ୍ବାଧୀନତା ପରେ ୧୯୭୮ ରେ ସରକାରଙ୍କ ଦ୍ବାରା ସ୍ୱୀକୃତି ଲାଭ କରିପାରିଥିଲା। ଏତେ ସମୃଦ୍ଧ ଥିଲେ ମଧ୍ୟ କଳାହାଣ୍ଡିରେ ୧୯୬୭ ପରଠାରୁ ୧୯୮୦ ମଧ୍ୟରେ ବିଶେଷ କରି ନୂଆପଡ଼ା ଅଞ୍ଚଳରେ ଦୁର୍ଭିକ୍ଷ ହେବାପରେ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଗମନ ହେବାପରେ ଏହି ଅଞ୍ଚଳର ବିକାଶ ପାଇଁ କେବିକେ ପ୍ରୋଜେକ୍ଟ ନାମରେ ଏକ ନୂତନ ଯୋଜନାର ସୂତ୍ରପାତ ହୋଇଥିଲା। ସେଦିନର ଭୋକର ଭୂଗୋଳ କଳାହାଣ୍ଡି ଆଉ ନାହିଁ, ଆଜିର କଳାହାଣ୍ଡି ରାଜ୍ୟର ଦ୍ବିତୀୟ ବୃହତ ଧାନ ଉତ୍ପାଦନକାରୀ ଜିଲ୍ଲା ଭାବେ ପରିଗଣିତ। ସେଦିନର କଳାହାଣ୍ଡି ଏବଂ ଆଜିର କଳାହାଣ୍ଡି ମଧ୍ୟ ରେ ଆକାଶ ପାତାଳ ଫରକ ଦେଖାଗଲାଣି। ଆଜିର କଳାହାଣ୍ଡି ମାଟିରେ ଅନେକ ଜିଲ୍ଲା ଓ ରାଜ୍ୟର ଅନେକ ଲୋକ ଆସି ବସ ବାସ କଲେଣି, ଫଳତଃ ଏହାର ସାଂସ୍କୃତିକ, ସାମାଜିକ ଓ ପାରିବାରିକ ପରମ୍ପରା କ୍ରମଶଃ ବଦଳିବାରେ ଲାଗିଛି।

କଳାହାଣ୍ଡି ଗଡଜାତ ରାଜ୍ୟ ବ୍ରିଟିଶ ଶାସନାଧୀନ ଥିବା ସମୟରେ କାରୁଣ୍ଡ ମଣ୍ଡଳ ନାମରେ ନାମିତ ଥିବା ସହିତ ଏହାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ଵରୀ ଅଟନ୍ତି। ରତ୍ନଗର୍ଭା କଳାହାଣ୍ଡି ରେ ଥିବା ମାଣିକ୍ୟ ର ଅଧୀଶ୍ଵରୀ ବୋଲି ଦେବୀଙ୍କ ନାମ ମାଣିକେଶ୍ଵରୀ ହୋଇଥିବା କୁହାଯାଏ।

ଏସବୁ ସତ୍ବେ କଳାହାଣ୍ଡିର ଅସ୍ଥିତ୍ଵ କୁ ବିଚାର କୁ ନେଲେ ଜୁନାଗଡର ଗୁରୁତ୍ବ ରହିଛି। ଯଦିଓ ୧୦୦୫ ମସିହାରୁ କଳାହାଣ୍ଡି କୁ ନାଗ ବଂଶୀ ରାଜା ମାନେ ଶାସନ କରୁଥିଲେ ଏବଂ ସେମାନଙ୍କ ରାଜଧାନୀ ୧୮୪୯ ମସିହା ପର୍ଯ୍ୟନ୍ତ ଜୁନାଗଡ ରେ ହିଁ ଥିଲା। ବର୍ତ୍ତମାନ ର ଜୁନାଗଡ ସେ ସମୟରେ କଳାହାଣ୍ଡି ନଗର ନାମରେ ନାମିତ ଥିଲା। କଳାହାଣ୍ଡି ଅଧୀନରେ ଅଠର ଗୋଟି ଗଡ ଥିବାର ଜଣାଯାଏ। ସେହିପରି ଛଅ କୋଡି ବନ୍ଧ କୁ ନଅ କୋଟି ତୋଟା ର ନଗର ଥିଲା କଳାହାଣ୍ଡି ନଗର ବା ଆଧୁନିକ ଜୁନାଗଡ । କଳାହାଣ୍ଡି ର ଇତିହାସ ରେ ଜୁନାଗଡ ର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଥିବା ବେଳେ ୧୮୪୯ ମସିହାରେ ତତ୍କାଳୀନ ମହାରାଜା ଫତେ ନାରାୟଣ ଦେୟ ଙ୍କ ସମୟରେ କଳାହାଣ୍ଡି ନଗର ରୁ ଭୌମଦେବ ପାଟଣା ତଥା ଆଜିର ଭବାନୀପାଟଣା କୁ କଳାହାଣ୍ଡି ର ରାଜଧାନୀ କୁ ସ୍ଥାନାନ୍ତର କରାଗଲା ଏବଂ ମାଣିକେଶ୍ଵରୀ ଙ୍କୁ ଇଷ୍ଟ ଦେବୀ ଭାବେ ପୂଜା କରିବାକୁ ଲାଗିଲେ।

ନବମ ଓ ଦଶମ ଶତାଦ୍ଦୀ ମଧ୍ୟରେ କଳାହାଣ୍ଡି, କୋରାପୁଟ ଓ ବସ୍ତର ଅଞ୍ଚଳ କୁ ମିଶାଇ ତ୍ରିକଲିଙ୍ଗ ନାମରେ ନାମିତ କରାଯାଇଥିଲା। ଏହି ଅନୁସାରେ କଳାହାଣ୍ଡି ସେସମୟରେ ତ୍ରିକଲିଙ୍ଗ ର ଅଂଶ ବିଶେଷ ଥିଲା। ଏହାର କିଛି ସମୟ ପରେ କଳାହାଣ୍ଡି ଚକ୍ରକୋଟ ମଣ୍ଡଳ ମଧ୍ୟରେ ଥିବାର ମଧ୍ୟ କୁହାଯାଏ  ପଞ୍ଚମ ଶତାଦ୍ଦୀ ରେ କଳାହାଣ୍ଡି ର ତେଲ ନଦୀ ଅବବାହିକା ଅଞ୍ଚଳ ରେ ପର୍ବତ ଦ୍ଵାରକା ନାମକ ରାଜ୍ୟ ସ୍ଥାପନ କରାଯାଇ ବର୍ତ୍ତମାନ ର ବେଳଖଣ୍ଡି ନିକଟରେ ତାଳଭମ୍ରକ ଠାରେ ରାଜଧାନୀ ସ୍ଥାପନ କରାଜିଥିବାର ବର୍ଣ୍ଣିତ ହୋଇଛି। ଚତୁର୍ଥ ଶତାଦ୍ଦୀ ରେ କଳାହାଣ୍ଡି, କୋରାପୁଟ ଓ ବସ୍ତର ଅଞ୍ଚଳକୁ ମିଶାଇ ମହାକାନ୍ତାର ରାଜ୍ୟ ନାମରେ ଶାସନ କରାଯାଉଥିଲା। ସେ ସମୟରେ ଘଞ୍ଚ ଜଙ୍ଗଲ ଥିବା ଯୋଗୁ ଏହି ଅଞ୍ଚଳ ର ନାମ କାନ୍ତାର ବା ମହାକାନ୍ତାର ନାମରେ ନାମିତ ହୋଇଥିଲା। ସେ ସମୟରେ କଳିଙ୍ଗ ଓ ମହାକାନ୍ତାର ମଧ୍ୟରେ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାରେ ଅସୁର ଗଡ ପ୍ରମୁଖ ଭୂମିକା ନେଇଥିବା କୁହାଯାଏ।

ପଞ୍ଚମ ଶତାଦ୍ଦୀ ରେ କାନ୍ତାର ବା କଳାହାଣ୍ଡି ରେ ଜଗନ୍ନାଥ ସଂସ୍କୃତି ଆଧାର ରେ ସ୍ତମ୍ଭ ପୂଜାର ଅୟମାରମ୍ଭ କରାଯାଇଥିବା ବେଳେ ସ୍ତମ୍ଵେଶ୍ଵରୀ ଙ୍କ ସାଧନା ପାଇଁ ଅସୁର୍ଗଦ ରେ ପ୍ରଥମ ଇଟା ନିର୍ମିତ ମନ୍ଦିର ନିର୍ମାଣ କରାଯାଇଥିବା ଜଣାପଡିଛି।

ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାଦ୍ଦୀରେ କଳାହାଣ୍ଡି ଅଞ୍ଚଳ ଆଟବିକ ଅଞ୍ଚଳ ନାମରେ ନାମିତ ଥିବା ବେଳେ ଅସୁର ଗଡ ର ଆଟବିକ ଯୋଦ୍ଧା ମାନେ କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକ ଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିବା ଇତିହାସ ପୃଷ୍ଠା ରୁ ଜଣାପଡେ।

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାଦ୍ଦୀ ରେ କଳାହାଣ୍ଡି ଅଞ୍ଚଳ ଇନ୍ଦ୍ରବନ ନାମରେ ନାମିତ ହୋଇଥିବା ଇତିହାସ ପୃଷ୍ଠା ରୁ ଜଣାପଡେ। ଏହି ଅଞ୍ଚଳ ଅନେକ ମୁଲ୍ୟବାନ ପଥର ରେ ଭରପୁର ଥିବା ହେତୁ ଏହି ଅଞ୍ଚଳକୁ ଇନ୍ଦ୍ରବନ ନାମରେ ନାମିତ କରାଯାଇଥିବା ଐତିହାସିକ ମାନେ ମତ ପ୍ରକାଶ କରିଥିବା କୁହାଯାଉଛି।

କୌଟିଲ୍ୟ ହିଁ କଳାହାଣ୍ଡି ନଗର କୁ ଇନ୍ଦ୍ରବନ ନାମରେ ନାମିତ କରିଥିବା ଜଣାପଡେ। କୌଟିଲ୍ୟ ପ୍ରଣିତ ଅର୍ଥ ଶାସ୍ତ୍ର ରେ ବର୍ଣ୍ଣନା ଅନୁସାରେ ଇନ୍ଦ୍ରାବତୀ ନଦୀ ଓ ତେଲ ନଦୀ ର ମଧ୍ୟ ଭାଗ ଅଞ୍ଚଳ ହିଁ ଇନ୍ଦ୍ରବନ ହୋଇଥିବା ମତ ପ୍ରକାଶ ପାଉଥିବା ବେଳେ ଇନ୍ଦ୍ରବନ ଅନୁସାରେ ଇନ୍ଦ୍ରାବତୀ ନଦୀ ର ନାମ କରଣ ହୋଇଥିବା କୁହାଯାଏ।

ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ରେ କଳାହାଣ୍ଡି ଅଞ୍ଚଳ ତିତିଲକ ଜନପଦ ନାମରେ ନାମିତ ହୋଇଥିବା ବେଳେ କଳାହାଣ୍ଡି ବିଭିନ୍ନ ସମୟରେ ବିଭିନ୍ନ ନାମରେ ନାମିତ ହୋଇ ଆସିଛି। କଳାହାଣ୍ଡି ର ଇତିହାସ କୁ ଅବଲୋକନ କଲେ ପ୍ରାକ୍ତନ କଳାହାଣ୍ଡି ନଗର ବା ଆଧୁନିକ ଜୁନାଗଡ ର ସ୍ଵତନ୍ତ୍ରତା ରହିଛି। ମନ୍ଦିର ମାଳିନି ସହର ଏହି ଜୁନାଗଡ ରେ ଅନେକ ଐତିହାସିକ ପୃଷ୍ଠ ଭୂମି ରହିଥିବା ବେଳେ ଜୁନାଗଡ ସହର ମଧ୍ୟରେ ଅନେକ ସତୀ ପଥର ସମେତ ବହୁ ପୁରାତନ ଭିତ୍ତିଭୂମି ରହିଛି।

କଳାହାଣ୍ଡି ନଗର ରେ ଆଜି ମଧ୍ୟ ଇନ୍ଦ୍ରଖୁଣ୍ଟି ରହିଛି। ଏଠାରେ ସ୍ବୟଂ ଦେବରାଜ ଇନ୍ଦ୍ର ଙ୍କୁ ଖୁଣ୍ଟ ରେ ବନ୍ଧା ଯାଇଥିବା ଜନଶ୍ରୁତି ରହିଛି। ତତ୍କାଳୀନ କଳାହାଣ୍ଡି ର ମହାରାଜା ଙ୍କ କଳାହାଣ୍ଡି ନଗର ସ୍ଥିତ ରାଜ ପ୍ରସାଦ ନିକଟ ବର୍ତ୍ତୀ କନକଦୁର୍ଗା ମନ୍ଦିର ପାର୍ଶ୍ବରେ ଏହି ଇନ୍ଦ୍ରଖୁଣ୍ଟି ଥିବାର ଦେଖାଯାଏ। ଏପରିକି କଳାହାଣ୍ଡି ନଗର ରେ ଗଡଖାଇ ର ଅଂଶ ବିଶେଷ ଆଜି ମଧ୍ୟ ରହିଥିବା ବେଳେ ଚତୁର୍ପାର୍ଶ୍ଵରେ ଚାରି ଗୋଟି ଭୈରବ ମୂର୍ତ୍ତି ଗଡ ଜଗୁଥିବାର ଆଜି ମଧ୍ୟ ନଜିର ରହିଛି। ଏପରିକି ସଅଳ ମର୍ଦ୍ଦନ ପଥର, ସତୀ ପଥର ଭଳି ଅନେକ ପ୍ରତ୍ନତାତ୍ଵିକ ଭିତ୍ତିଭୂମି ରହିଥିବା ବେଳେ ଏଠାରେ ଥିବା ସମିଆ ବନ୍ଧ ମଧ୍ୟରେ ଏକ ବିରାଟ ପଥର ରହିଥିବା କୁହାଯାଏ। ଏସବୁର ପ୍ରତ୍ନତାତ୍ଵିକ ସର୍ଭେ କରାଗଲେ ବହୁ ପୁରାତନ ତଥ୍ୟ ପଦାକୁ ଆସିପାରନ୍ତା।

କଳାହାଣ୍ଡି ନଗର ହିଁ ପୁରାତନ ଇନ୍ଦ୍ରବନ ତେବେ ପୌରଣିକ ଭିତ୍ତିଭୂମି ଅନୁସାରେ ଏଠାରେ ହିଁ ରାବଣ ପୁତ୍ର ମେଘନାଦ ଦେବରାଜ ଇନ୍ଦ୍ର ଙ୍କୁ ପରାଜିତ କରି ଇନ୍ଦ୍ରଜିତ ନାମରେ ନାମିତ ହୋଇଥିବା ବିଶ୍ବାସ କରାଯାଏ। ସେହିପରି ଲଙ୍କା ର ଅଧୀଶ୍ଵରୀ ଲଙ୍କେଶ୍ଵରୀ ହିଁ କଳାହାଣ୍ଡି ନଗର ବା ଇନ୍ଦ୍ରବନ ତଥା ଆଧୁନିକ ଜୁନାଗଡ ର ଅଧିଷ୍ଠାତ୍ରୀ ଦେବୀ ହୋଇଥିବା କାରଣରୁ ଇନ୍ଦ୍ରବନ ନାମ ର ଯଥାର୍ଥତା ପ୍ରତିପାଦନ କରୁଥିବା ଜଣାପଡେ।

ହି ପରିପ୍ରେକ୍ଷୀ ରେ ଆଧୁନିକ କଳାହାଣ୍ଡି ର ମୂଳ ପିଣ୍ଡ ଭାବରେ କଳାହାଣ୍ଡି ନଗର ବା ଜୁନାଗଡ ର ଗୁରୁତ୍ବ ରହିଛି, ଏହାକୁ ଅସ୍ଵୀକାର କରାଯାଇ ପାରେନା।

ଜୁନାଗଡ, କଳାହାଣ୍ଡି, ଓଡ଼ିଶା ୭୬୬୦୧୪
ଦୂରଭାଷ ,- ୯୧୧୪୯୩୯୩୨୯

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ବଦଳିବ କି ଜୁନାଗଡ ରାଜନୀତି ସମୀକରଣ!

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ରାଜନୀତି ସଦାବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚା ରେ ରହି ଆସିଛି। କଳାହାଣ୍ଡି ଜିଲ୍ଲା ର ପ୍ରାକ୍ତନ ରାଜଧାନୀ ତଥା ପୁରୁଣା ସହର ଜୁନାଗଡ ରେ ମଧ୍ୟ ରାଜନୀତି ମଧ୍ୟ ସଦାବେଳେ ଚର୍ଚ୍ଚାରେ ରହିଆସିଛି। ରାଜ୍ୟରେ ବିଗତ ୨୪ ବର୍ଷର ବିଜେଡ଼ି ସରକାର ଗତ ୨୦୨୪ ସାଧାରଣ ନିର୍ବାଚନ ରେ ବଦଳିବା ପରେ ମଧ୍ୟ ଜୁନାଗଡ ରାଜନୀତି ବଦଳି ନଥିବା ବେଳେ ତୃତୀୟ ଥର ପାଇଁ ମଧ୍ୟ ଜୁନାଗଡ ବିଜେଡ଼ି ଦଖଲ ରେ ରହିଛି।

ସ୍ବାଧୀନତା ପରେ ସବୁବେଳେ କଳାହାଣ୍ଡି ରାଜ ପରିବାର ର ଦବ ଦବା ଥିବା ଜୁନାଗଡ ବିଧାନସଭା ଆସନ ୨୦୦୯ ମସିହାରୁ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ୧୯୭୭ ମସିହା ପର୍ଯ୍ୟନ୍ତ ରାଜ ପରିବାରର ସିଧା ସଳଖ ଅକ୍ତିଆରରେ ରହିଥିବା ଜୁନାଗଡ ବିଧାନସଭା କ୍ଷେତ୍ର ଚାଣକ୍ୟ ନୀତି ବଳରେ ଦୁଇଥର କଂଗ୍ରେସ ହାତକୁ ଯାଇଥିବା ବେଳେ ୧୯୮୫ ରେ ପୁନଃ ରାଜ ପରିବାରକୁ ଫେରିଆସିଥିଲା।

୧୯୮୫ ( ଜନତା ଦଳ )୧୯୯୦ ଓ ୧୯୯୫ (ବିଜେପି) ରେ କଳାହାଣ୍ଡି ରାଜପରିବାରର ସିଧା ସଳଖ ପ୍ରତିନିଧିତ୍ଵ ଥିବା ବେଳେ ୧୯୯୭, ୨୦୦୦,ଓ ୨୦୦୪ (ବିଜେପି) ରେ ରାଜପରିବାରଙ୍କ ମନୋନୀତ ସମର୍ଥକଙ୍କର ପ୍ରତିନିଧିତ୍ବ ରହିଆସିଛି। ସେହିପରି ୨୦୦୯ ରେ କଂଗ୍ରେସ ଓ ଗତ ୨୦୧୪ ମସିହାରୁ ବିଜେଡ଼ିର ସକ୍ରିୟ ସଂଗଠନ ଆରମ୍ଭ କରି ସମଗ୍ର ଦେଶ ଓ ରାଜ୍ୟରେ ପ୍ରବଳ ମୋଦୀ ହାୱା ସତ୍ବେ ୨୦୧୯ ଓ ୨୦୨୪ ରେ ମଧ୍ୟ ଜୁନାଗଡ ଠାରେ ବିଜେଡ଼ିର ପ୍ରତିନିଧିତ୍ବ ରହିଆସିଛି।

ଅନ୍ୟ ପକ୍ଷରେ ଦେଶ ଓ ରାଜ୍ୟ ରାଜନୀତିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ସଂଘ) ର ପ୍ରମୁଖ ଭୂମିକା ରହିଆସିଥିବା ବେଳେ ଜୁନାଗଡ ଠାରେ ବରିଷ୍ଠ କାର୍ଯ୍ୟକର୍ତ୍ତା ସାଙ୍ଗକୁ ଆତ୍ମ ଘୋଷିତ ସଂଘୀୟ କାର୍ଯ୍ୟକର୍ତ୍ତା ଥିଲେ ସୁଦ୍ଧା ସେଭଳି ପ୍ରଭାବ ବିସ୍ତାର କରିପାରୁ ନ ଥିବା କୁହାଯାଉଛି। କେବଳ ଶିଶୁ ମନ୍ଦିର ମଧ୍ୟରେ ସୀମିତ ରହୁଥିବା ବେଳେ ଦୁଇ ଜଣ ବ୍ୟବସାୟୀ ହିଁ ଜୁନାଗଡ ସଙ୍ଘକୁ ପରିଚାଳନା କରୁଥିବା କୁହାଯାଉଛି। ଦେଶ ମାତୃକା ପାଇଁ ତ୍ୟାଗ ଓ ବଳିଦାନ ଦେବାକୁ ଆଗ୍ରହ ଥିବା କେତେକ ଶିକ୍ଷକ ସାମିଲ ହେଉଥିଲେ ହେଁ ଦୀର୍ଘ ବର୍ଷ ହେବା ପରେ ମଧ୍ୟ ଏହାର ପ୍ରସାର ହେଉଥିବା ଭଳି ଦେଖାଯାଉନହିଁ।

ଯେଉଁମାନେ ଜୁନାଗଡ ମଣ୍ଡଳ ସଂଘର ଦାୟିତ୍ବରେ ଅଛନ୍ତି ସେମାନେ ନିଜ ପଦକୁ ଜାବୁଡି ରଖିବା ଉଦ୍ଦେଶ୍ୟରେ କେବଳ ନିଜକୁ ସୁହାଇବା ଭଳି ସମର୍ଥକ ଏବଂ ନିଜ ବନ୍ଧୁ ବାନ୍ଧବ ମାନଙ୍କୁ ଡାକି ଔପଚାରିକ ଭାବେ କାର୍ଯ୍ୟକ୍ରମ ସାରିଦେଉଥିବା ଦେଖାଯାଉଛି। ଯାହା ଫଳରେ ଅନେକେ ସଂଘ ପ୍ରତି ଆକୃଷ୍ଟ ଥିଲେ ହେଁ କାର୍ଯ୍ୟକ୍ରମର ସୂଚନା ପାଇ ପାରୁନାହାନ୍ତି।

ଚାନ୍ଦାକୁ ଗୁରୁତ୍ବ ଦେଇ ଶିଶୁ ମନ୍ଦିର କମିଟି ଗଠନ କରାଯାଉଥିବା ବେଳେ ବିଗତ ଦଶ ବର୍ଷର ହିସାବ ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ଆସିବ ବୋଲି ବହୁ ବୟସ୍କ ସ୍ଵୟମ ସେବକ ନାମ ଗୋପନ ରଖିବା ସର୍ତ୍ତ ରେ ପ୍ରକାଶ କରିଛନ୍ତି।

ବିଗତ ୨୦୧୯ ସାଧାରଣ ନିର୍ବାଚନ ବୁଥ କମିଟି କଥା ବୁଝିବାକୁ କେତେକ ତଥା କଥିତ ସଚ୍ଚୋଟ କାର୍ଯ୍ୟକର୍ତ୍ତା ଦାୟିତ୍ବ ନେଇଥିବା ବେଳେ ସଠିକ ଭାବେ ବୁଝା ଯାଇ ନ ଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଏପରିକି ବିଗତ ଦିନରେ ଜୁନାଗଡ ଠାରେ ହୋଇଥିବା ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଅତି ସ୍ୱଳ୍ପ ସଂଖ୍ୟକ ଲୋକ ଯୋଗ ଦେଇଥିବାରୁ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ।

ସଂଘର ନୀତି ଆଦର୍ଶର ସହିତ ଦେଶ ମାତୃକା ପାଇଁ ତ୍ୟାଗ ତପସ୍ୟା ଓ ବଳିଦାନ ଦେବାକୁ ସ୍ଵୟମ ସେବକ ମାନେ ସର୍ବଦା ତତ୍ପର ଥିବା ବେଳେ କାର୍ଯ୍ୟକର୍ତ୍ତା ମାନଙ୍କ ସଂକୀର୍ଣ୍ଣତା ଯୋଗୁ କଳେବର ବୃଦ୍ଧି ହୋଇପାରୁ ନ ଥିବା ଦେଖା ଯାଉଛି।

ସେହିପରି ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କ ସହ ସମ୍ପର୍କ ଥିବା ବେଳେ ସେମାନେ ଦଳୀୟ ରଣନୀତିକୁ ନେଇ ଅନ୍ୟମାନେ ସଫଳ ହେଉଥିବା ବେଳେ ବିଜେପି ବେକ ଫୁଟରେ ରହୁଥିବା କୁହାଯାଉଛି। ଜୁନାଗଡ ଠାରେ ଥିବା କାର୍ଯ୍ୟକର୍ତ୍ତା ମାନେ କେବଳ ନିଜ ମନ ମୁତାବକ ଲୋକଙ୍କୁ ସୂଚନା ଦେଉଥିବା ବେଳେ ଅନ୍ୟ ମାନଙ୍କୁ ପୂରାଇ ଦେଉ ନ ଥିବା କୁହାଯାଉଛି।

ଏତେ ବର୍ଷ ହେଲା ଶାଖା ଚାଲିଥିବା କୁହାଯାଉଛି, ବରିଷ୍ଠ କାର୍ଯ୍ୟକର୍ତ୍ତା ଥିବାର କୁହାଯାଉଛି କିନ୍ତୁ ସ୍ଵୟମ ସେବକ ସଂଖ୍ୟା ବଢାଇ ପାରୁ ନ ଥିବା ବେଳେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ମାନଙ୍କ କାର୍ଯ୍ୟଧାରା ପ୍ରତି ପ୍ରଶ୍ନବାଛି ସୃଷ୍ଟି ହେଉଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

‘ଦିଦି ନମ୍ବର ୧’ ଯାକପଟ ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଲେ କଳାହାଣ୍ଡିର ତୁଲାସା ନାୟକ

ଭୁବନେଶ୍ଵର: ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି। କେବଳ ଧାରାବାହିକ ନୁହେଁ ବରଂ ରିଏଲିଟି ସୋ ମାଧ୍ୟମରେ ମଧ୍ୟ ସଫଳତାର ସହ ଆଗକୁ ବଢି ଚାଲିଛି। ସଂପୂର୍ଣ୍ଣ ଓଡିଆ ଜାତି ଓ ଆମ ରାଜ୍ୟର ପ୍ରଥା, ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଲିପିଙ୍କ ଉପସ୍ଥାପନାରେ ‘ଦିଦି ନମ୍ବର ୧’ ଦର୍ଶକଙ୍କ ଭଲ ପାଇବା ସାଉଁଟିଛି ଓ ପହଞ୍ଚିଛି ଯାକପଟ ରାଉଣ୍ଡରେ ଯାହାର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡିର ତୁଲାସା ନାୟକ।

‘ଦିଦି ନମ୍ବର ୧’ ର ଏହି ସିଜିନର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ତୁଲାସା ନାୟକ। ଓଡ଼ିଶାର ୬ଟି ଜିଲ୍ଲାର ୬ ଜଣ ପ୍ରତିଯୋଗୀ ଥିଲେ। ଏହି ରିଏଲିଟି ସୋ ର ଫିନାଲେରେ ସମସ୍ତଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ତୁଲାସା। ଅଡିସନ ମାଧ୍ୟମରେ ଆସିଥିବା ନାରୀ ମାନେ ନିଜର କର୍ମମୟ ଓ ଗତିଶୀଳ ଜୀବନକୁ ଏହି ମଞ୍ଚରେ ପରିପ୍ରକାଶ କରିଥିଲେ, ଯାହା ସେମାନଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ସୋର ଏହି ସିଜନରେ, ନୂଆ ନୂଆ ଖେଳ ସହ ଆହୁରି ଅଧିକ ମଜାଦାର ହୋଇଛି ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ମଧ୍ୟ ନେଇ ଆସିଛି।

ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀମାନେ କହିଛନ୍ତି। ‘ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି କାର୍ଯକ୍ରମ ଏକ ବଡ଼ ମାଧ୍ୟମ ହୋଇଛି ବୋଲି କହିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ରାଜ୍ୟ ଖବର

ସରପଂଚଙ୍କ ମିଥ୍ୟା ସତ୍ୟପାଠ ଦାଖଲ ଘଟଣା: ଜିଲ୍ଲାପାଳ ଓ ବିଡ଼ିଓ ଙ୍କୁ ନିର୍ବାଚନ କମିଶନଙ୍କ ରିପୋର୍ଟ ତଲବ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରା ଜୁନାଗଡ଼ ବ୍ଳକ ଅନ୍ତର୍ଗତ କାଲୋପଲା ଗ୍ରାମ ପଂଚାୟତର ସରପଂଚ ଙ୍କୁ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଅଯୋଗ୍ୟ ଘୋଷିତ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଜୁନାଗଡ ବିଡ଼ିଓ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏହି ଘଟଣାରେ ଅଭିଯୋଗକାରିଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ସୁଫଳ ନ ମିଳିବାରୁ ନିର୍ବାଚନ କମିଶନଙ୍କ ଅଦାଲତରେ ଅଭିଯୋଗ ଦାଖଲ କରିବା ପରେ ଜିଲ୍ଲାପାଳ ଓ ଜୁନାଗଡ ବିଡ଼ିଓ ଙ୍କୁ ରିପୋର୍ଟ ତଲବ କରିଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ଗତ ୨୦୨୨ ପଞ୍ଚାୟତିରାଜ ନିର୍ବାଚନରେ ଜୁନାଗଡ ବ୍ଲକ ଅନ୍ତର୍ଗତ କଲୋପଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜନ୍ମେଜୟ ସାହୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ବୋଲି ଉଲ୍ଲେଖ କରିଥିବା ବେଳେ ମହିଚଳା ବାଲାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସୂତ୍ର ରୁ ମିଳିଥିବା ତଥ୍ୟ ଅନୁସାରେ ସେ ଦଶମ ଫେଲ ହୋଇଥିବା ଜଣାପଡିଥିଲା।

ସେହିପର ଜନ୍ମେଜୟଙ୍କର ଦୁଇ ଗୋଟି ଟ୍ରାକ୍ଟର ଥିବା ବେଳେ ତାହା ସତ୍ୟପାଠରେ ସମ୍ପତ୍ତି ତାଲିକାରେ ଉଲ୍ଲେଖ କରି ନ ଥିଲେ ବୋଲି ପ୍ରମାଣୀତ ହୋଇଥିଲା। ଏ ସମ୍ପର୍କରେ ପୁର୍ବତନ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ସତ୍ୟ ନାରାୟଣ ବେହେରା ବିଭିନ୍ନ ସରକାରୀ ଅଫିସରୁ ତଥ୍ୟ ସଂଗ୍ରହ କରି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ପ୍ରାଥମିକ ପ୍ରମାଣ ପାଇବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଦାଲ ରେ ଅଭିଯୋଗ ଦାଖଲ କରିଥିଲେ।

ଜିଲ୍ଲାପାଳ ଜି ପି ଇଲେକ୍ସନ୍ କେଶ ନଂ ୭/୨୨ ଅନୁସାରେ ଉଭୟ ପକ୍ଷଙ୍କ ଶୁଣାଣି କରିଥିଲେ। ଏହା ସହିତ ସମସ୍ତ ସରକାରୀ ଅଫିସରୁ ଜିଲ୍ଲାପାଳ କାଗଜାତ ତଦନ୍ତ କରିବା ପରେ ଗତ ୨୭ ଅକ୍ଟୋବର ଦିନ କଲୋପଲା ଗ୍ରାମପଞ୍ଚାୟତର ସରପଂଚ ଜନ୍ମେଜୟ ସାହୁଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏବଂ ସେ ସଂପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସରକାର ସ୍ୱାୟତ୍ତ ଶାସନରେ କ୍ଷମତାର ବିକେନ୍ଦ୍ରିକରଣ କରିବା ପାଇଁ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କରିଥିବା ବେଳେ ଏଭଳି ଆସାଧୁ ଲୋକଙ୍କ ପାଇଁ ଯୋଗ୍ୟ ବ୍ୟକ୍ତି ମାନେ ସୁଯୋଗ ପାଇ ପାରୁ ନ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜୁନାଗଡ଼ ସମେତ ବିଭିନ୍ନ ବ୍ଲକରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଂଚ ମିଥ୍ୟା ସତ୍ୟ ପାଠ ଦାଖଲ କରିଥିବା ବେଳେ ଅଫିସରମାନେ ରାଜନୈତିକ ପ୍ରଭାବରେ ପଡ଼ି ଏଭଳି ଭାବେ ଅଣଦେଖା କରୁଥିବା ହେତୁ ସଠିକ ବ୍ୟକ୍ତି ରାଜନୀତିରୁ ଦୂରେଇ ରହୁଥିବା ସାଧାରଣରେ ଆଲୋଚନା ହେଉଛି।

ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ ର ଧାରା ୨୫(୧) ଅନୁସାରେ ପ୍ରଶାସନ ଏହି ମିଥ୍ୟା ସତ୍ୟପାଠ ଘଟଣାରେ ଜିଲ୍ଲାପାଳ ଦୃଢ ପଦକ୍ଷେପ ଗ୍ରହଣ କରି ଅଯୋଗ୍ୟ ଘୋଷିତ କରିଥିବା ବେଳେ ଜୁନାଗଡ ବିଡ଼ିଓ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଅଭିଯୋଗକାରୀଙ୍କ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଦାଲତରେ ଅଭିଯୋଗ କରିଥିବା ଜଣାପଡ଼ିଛି। ନିର୍ବାଚନ କମିଶନ ପତ୍ର ସଂଖ୍ୟା ୧୧୪୦/ତା ୦୮/୦୪/୨୦୨୪ ଯୋଗେ ରିପୋର୍ଟ ତଲବ କରିଥିବା ଜଣା ପଡ଼ିଛି। ଏ ସମ୍ପର୍କରେ ଜୁନାଗଡ ବିଡ଼ିଓ ଙ୍କ ମତାମତ ମିଳି ପାରିନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେଡିର ପାଞ୍ଚ ଲୋକସଭା ଆସନ ପାଇଁ ସଂଯୋଜକ

ଭୁବନେଶ୍ବର: ଆଜି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ସଂଯୋଜକ ନିଯୁକ୍ତି କରିଛି। ସେମାନେ ହେଲେ

ବ୍ରହ୍ମପୁର- ଚନ୍ଦ୍ରଶେଖର ସାହୁ

ଭଦ୍ରକ- ଦେବାଶୀଷ ସାମନ୍ତରାୟ

କେନ୍ଦ୍ରାପଡା- ପ୍ରତାପ ଜେନା

କଳାହାଣ୍ଡି- ସୁଜିତ କୁମାର

ପୁରୀ-ଶୁଭାଶୀଷ ଖୁଣ୍ଟିଆ

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ୮୯ ତମ ଓଡ଼ିଶା ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିକଟସ୍ଥ ଜାରିଙ୍ଗ ଠାରେ ନବମ ଭାରତୀୟ ରିଜର୍ଭ ବାଟାଲିୟନ ଠାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି।  ଏଥିରେ ମୁଖ୍ୟ ଅତିଥି ଭାବେ ନବମ ଭାରତୀୟ ସଂରକ୍ଷିତ ବାହିନୀ ର କମାଣ୍ଡାଣ୍ଟ ଅକ୍ଷୟ କୁମାର ନାୟକ ଯୋଗଦେଇ ମିଳିତ ପେରେଡ୍ ର ଅଭିବାଦନ ଗ୍ରହଣ କରିଥିଲେ।

ଆୟୋଜିତ ଭବ୍ୟ ପେରେଡ୍ ରେ ସଶସ୍ତ୍ର ପୋଲିସ୍ ନିରୀକ୍ଷକ ହବେଲାଲ ମାଝୀ ପେରେଡ୍ କମାଣ୍ଡର ଏବଂ ସସସ୍ତ୍ର ପୋଲିସ୍ ନିରୀକ୍ଷକ ବିଜୟ ଓରାମ ସହକାରୀ ପେରେଡ୍ କମାଣ୍ଡର ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୨୩ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବାଟାଲିୟନ ର ସବ୍ ଇନ୍ସପେକ୍ଟର (ଆର୍ମଡ୍) ପର୍ଶୁରାମ ଦଲେଇ, ସହକାରୀ ଉପ ନିରୀକ୍ଷକ ଶୁଭେନ୍ଦୁ ପଟ୍ଟନାୟକ, ହାବିଲଦାର ମଣି କୁମାର ରାୟ ଏବଂ କନେଷ୍ଟବଳ ସନ୍ତୋଷ କୁମାର ପଣ୍ଡା ଙ୍କୁ ପୁରସ୍କୃତ କରାଯାଇଥିଲା।

ଡେପୁଟି କମାଣ୍ଡାଣ୍ଟ ସନ୍ତୋଷ କୁମାର ବିଶ୍ବାଳ କାର୍ଯ୍ୟ କ୍ରମ ପରିଚାଳନା କରିଥିଲାବେଳେ ପଦ୍ମଶ୍ରୀ ପଟ୍ଟାୟତ୍ ସାହୁ ତଥା ବାଟାଲିୟନର ବରିଷ୍ଠ ଅଧିକାରୀ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମହେନ୍ଦ୍ର ଭୋଇ ଓ ଦୁର୍ଯୋଧନ ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଚଳିତ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟ ରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ୭ ଟି କକ୍ଷରେ ଏବଂ ସରକାରୀ ମହାବିଦ୍ୟାଳୟର ୭ ଟି କକ୍ଷରେ,ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ସିଟି ସ୍କୁଲ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ତାଲିମ କାର୍ଯ୍ୟକ୍ରମ ଚାଲିଛି। ଜିଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମ ରେ ଏ ଏଲ ଏମ ଟି ଓ ଡି ଏଲ ଏମ ଟି ରୂପେ ନିୟୋଜିତ ବି ଡି ଓ ,ତହସିଲଦାର ଓ ଅନ୍ୟ ଅଧିକାରୀ ତାଲିମ ପ୍ରଦାନ କରୁଛନ୍ତି।

ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ବୁଥ୍ ପର୍ଯ୍ୟନ୍ତ ଯିବେ, ଇ ଭି ଏମ ଓ ଭି ଭି ପାଟ ମେସିନ୍ ର ସଂଯୋଗ ଓ କାର୍ଯ୍ୟକାରିତା, କଣ୍ଟ୍ରୋଲ ୟୁନିଟ ର ବ୍ୟବହାର,ଭୋଟ ଦାନ ପ୍ରକ୍ରିୟା କୁ ଶୃଙ୍ଖଳିତ, ସେକ୍ଟର ଅଧିକାରୀ ଙ୍କୁ ସୁଚନା ଓ ଯୋଗାଯୋଗ ଉପରେ ବିଶେଷ ତାଲିମ ନେବେ।ଧର୍ମଗଡ ଉପଖଣ୍ଡ ରେ ମୋଟ ୧୪୮୨ ଜଣ ଏବଂ ଭବାନୀପାଟଣା ଉପଖଣ୍ଡ ରେ ମୋଟ ୧୮୫୬ ଜଣ ତିନି ଦିନ ୧୫/୩,୧୬/୩ ଏବଂ ୧୭/୩ ପର୍ଯ୍ୟାୟ କ୍ରମେ ତାଲିମ ନେବେ।

ଆଜି ଧର୍ମଗଡ ଉପଖଣ୍ଡ ରେ ୫୨୨ ଜଣ ଓ ଭବାନୀପାଟଣା ଉପଖଣ୍ଡରେ ୬୯୬ ଜଣ ତାଲିମ ନେଉଛନ୍ତି।ଜିଲ୍ଲାରେ ମୋଟ ୧୪୧୨ ଟି ଵୁଥ ରେ ତାଲିମ ନେଉଥିବା କର୍ମଚାରୀ ଭୋଟ ଗ୍ରହଣ ଦିନ ଭୋଟଦାନ ପ୍ରକ୍ରିୟାକୁ ଶ୍ରୁଙ୍ଖଳିତ ଭାବେ ଦାୟିତ୍ଵ ନିର୍ବାହ କରିବେ।

ଭବାନୀପାଟଣା ଉପଖଣ୍ଡ ପାଇଁ ଭବାନୀପାଟଣା ଉପଜିଲ୍ଲାପାଳ ଡ଼ ବିଶ୍ୱଜିତ ଦାସ ,ନିର୍ବାଚନ ସଂଯୁକ୍ତ ଅଧିକାରୀ ବିବେକାନନ୍ଦ ମହାନନ୍ଦ ଏବଂ ଧର୍ମଗଡ ଉପଖଣ୍ଡ ପାଇଁ ଧର୍ମଗଡ ଉପ ଜିଲ୍ଲାପାଳ ଧୀମନ ଚକମା ଓ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗୁଣାତ୍ମକ ଶିକ୍ଷା ଏବଂ ପ୍ରି -ମେଟ୍ରିକ୍ ସ୍କଲାରସିପ୍ ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଏନ୍ ଜି ଓ ମାନଙ୍କୁ ନେଇ ୧୪ ମାର୍ଚ୍ଚ ୨୦୨୪ ରେ ଡି ପି ଏମ୍ ୟୁ ସଭା ଗୃହରେ ଶ୍ରୀକାନ୍ତ ଦଳେଇ, ଡେପୁଟି ଡାଇରେକ୍ଟର, ଡି ପି ଏମ୍ ୟୁ ଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମ ଶାଳାରେ ଅରବିନ୍ଦ ରାୟ, ଡବ୍ଲୁଓ, କଳାହାଣ୍ଡି, ପବିତ୍ର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି, ଡାକ୍ତର କୁମୁଦିନୀ ମିଶ୍ର, ଜୀବିକା ଏକସ୍ପଟ, ଈଶ୍ୱର ଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ, ଡାଇଟ, ନିହାରିକା ଦେବୀ, ବରିଷ୍ଠ ଶିକ୍ଷକ, ଡାଇଟ, ସୌମେନ୍ଦ୍ର ନାଥ ପଟ୍ଟନାୟକ, ପ୍ରୋଗ୍ରାମର, ବିକ୍ରମ କିଶୋର ରଣା ଓ ଚାର୍ଲସ୍ ଜିମି, ପ୍ରୋଗ୍ରାମ ମାନେଜର, ପିରାମଲ୍ ଫାଉଣ୍ଡେସନ ତରଫରୁ ଉପସ୍ଥିତ ଥିଲେ।

ପିରାମଲ ଫାଉଂଡେସନ ତରଫରୁ ଏହି କର୍ମଶାଳା ଟି ସଚଳା ବାରିକ୍ ଙ୍କ ଦ୍ଵାରା ଚେତନା ଗୀତ ସହ ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥି ତାଙ୍କ ଅଭିଭାଷଣରେ ବାଳିକା ଶିକ୍ଷା, ଗୁଣାତ୍ମକ ଶିକ୍ଷାରେ ଏନ୍ ଜି ଓ ର ଯୋଗଦାନ ସହ ପ୍ରି- ମେଟ୍ରିକ ଛାତ୍ରବୃତ୍ତି ପାଇବାରେ କିପରି ସହାୟକ ହୋଇପାରିବେ ତାହା ଅତି ସୁନ୍ଦର ଭାବରେ ବର୍ଣନା କରିଥିଲେ। ଶ୍ରୀକାନ୍ତ ଦଳେଇ, ଡେପୁଟି କଲେକ୍ଟର, ଏସ୍ ଡି ଜି ଲକ୍ଷ -୪ ବିଶେଷ ଆଲୋଚନା କରିବା ସହିତ କିପରି ତାହାର ସମସ୍ତ ଇଂଡିକେଟରକୁ ୨୦୩୦ ସୁଧା ହାସଲ କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ। ଅରବିନ୍ଦ ରାୟ, ଜିଲ୍ଲା ମଂଗଳ ଅଧିକାରୀ ପ୍ରାକ ଛାତ୍ରବୃତ୍ତି ପାଇ ଆମ ଅଂଚଳର ଅଭାବ ଗ୍ରସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ତାହା ଉପରେ ଆଲୋକପାତ କହିଥିଲେ।

ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନ ରତ ଅନୁସୂଚୀତ ଜନଜାତି, ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ /ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ, ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ସ୍ୱତନ୍ତ୍ର ଛାତ୍ରବୃତ୍ତି ବ୍ୟବସ୍ଥା ରହିଛି।

ନବମ ଏବଂ ଦଶମ ଶ୍ରେଣୀ ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟତା –

୧. ଆବେଦନକାରୀ ଅନୁସୂଚୀତ ଜନଜାତି, ଅନୁସୂଚୀତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)ରେ ଅନ୍ତର୍ଭୁକ୍ତ ଥିବେ।

୨. ଆବେଦନକାରୀ ଓଡ଼ିଶାର ସ୍ଥାୟୀ ଅଧିବାସୀ ହୋଇଥିବେ।

୩. ଆବେଦନକାରୀଙ୍କ ପାରିବାରିକ ବାର୍ଷିକ ଆୟ ସମସ୍ତ ସୁତ୍ରରୁ ଟ.୨,୫୦,୦୦୦/-ଙ୍କା (ଦୁଇଲକ୍ଷ ପଚାଶ ହଜାର) ରୁ ଅଧିକ ହୋଇନଥିବ।

୪. ଆବେଦନକାରୀ ମାନେ ବୈଧ UDISE CODE ପ୍ରାପ୍ତ ସରକାରୀ କିମ୍ବା ମାନ୍ୟତା ପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ପୁର୍ଣ କାଳୀନ ଭିତିରେ ଅଧ୍ୟୟନରତ ଥିବେ।

୫. ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ) ଛାତ୍ରଛାତ୍ରୀମାନେ କେବଳ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ହିଁ ଏହି ଛାତ୍ରବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ।

ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଆବେଦନ ପ୍ରକ୍ରିୟା ୧୫ ଡ଼ିସେମ୍ବର ୨୦୨୩ ରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ଙ୍କ ମାଧ୍ୟମରେ ଆରମ୍ଭ ହୋଇଛି।

ଆବଶ୍ୟକୀୟ ନଥିପତ୍ର –

୧. ଆଧାର କାର୍ଡ
୨. ଜାତି ପ୍ରମାଣ ପତ୍ର
୩. ଆୟ ପ୍ରମାଣ ପତ୍ର ( ଟ. ୨,୫୦,୦୦୦ ରୁ କମ),
୪. ଆଧାର ସଂଯୋଗ ବ୍ୟାଙ୍କ ଖାତା

ବୃତ୍ତିରାଶି ହାର (ଟଙ୍କାରେ) (ବାର୍ଷିକ)

ଅନୁସୂଚୀତ ଜନଜାତି ବର୍ଗ ଦିବାଧ୍ୟାୟୀ -୩୦୦୦ ଏବଂ ଅନ୍ତେବାସୀ ୬୨୫୦
ଅନୁସୂଚୀତ ଜାତି ବର୍ଗ ଦିବାଧ୍ୟାୟୀ -୩୫୦୦ ଏବଂ ଅନ୍ତେବାସୀ ୭୦୦୦

ଅନ୍ୟାନ୍ୟ ପଛୁଆ ବର୍ଗ / ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ- ୪୦୦୦

ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)- ४००० ଅଭିଭାବକ ଏବଂ ଲୋକ ମାନଙ୍କର ସଚେତନତା ବଢିଲେ ଛାତ୍ର ଛାତ୍ରୀମାନେ ଅଧିକରୁ ଅଧିକ ଛାତ୍ରବୃତ୍ତି ଆବେଦନ କରିପାରିବେ ବୋଲି ଆଶା ପୋଷଣ କରାଯାଇଥିଲା। ତେଣୁ ଏଦିଗରେ ସବୁ ଏନ୍ ଜି ଓ ମାନଙ୍କୁ ନିବେଦନ କରାଯାଇଛି କି ସେମାନେ ଏହି ବିଷୟରେ ଅଧିକ ଅଧିକ ଲୋକଙ୍କ ସଚେତନ କରାଇବେ।

ଶେଷରେ ରିକେତା କୁମାରୀ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କର୍ମଶାଳା ଶେଷ କରାଯାଇଥିଲା।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗ ଦେଲେ ବିଜେପି ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୧୬ ସମିତି ସଭ୍ୟ, ଜାଣନ୍ତୁ କାରଣ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଅର୍ନ୍ତଗତ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୧୬ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍‌ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ପାତ୍ର, ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି କଳାହାଣ୍ଡି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀପାତ୍ର, ଶ୍ରୀ ବଳବନ୍ତରାୟ ଓ ଶ୍ରୀ ସିଂହଦେଓ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ଦଳ ଆଗକୁ ଯାହା ଦାୟିତ୍ୱ ଦେବ ତାହାକୁ ସୂଚାରୁ ରୂପେ ତୁଲାଇବୁ। ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ କୁମାର ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସମିତି ସଭ୍ୟ ସନ୍ତୋଷ ଦାଶ, ନଳିନୀ ମାଝୀ, ଗୀତା ସାହୁ, ଦାମ ଧରୁଆ, ତିଳୋତ୍ତମା ଜାଲ, ବଲବୀ ନାୟକ, ବିଦ୍ୟାଧର ହଞ୍ଜା, ସାଧବୀ ମାଝୀ, ଶୁକ୍ରୁ ମାଝୀ, ଜଗମୋହନ ମାଝୀ, ଗୋପାଳ ରଣା, ଟେକରାଜ ସାହୁ, ନୀଳେନ୍ଦ୍ରି ଝଙ୍କାର, ଜନନୀ ବେମଳ, ସୁମନ୍ତ ପାଢ଼ୀ, ଜଗଦୀଶ, ପୁର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ସାହୁ, ମେମ୍ବର ଜଗଦୀଶ ଭୋଇ, ବେଲାସେନ ଜାନୀ, ମନୋଜ ଜାନ, ପରମେଶ୍ୱର ଝଙ୍କାର, ବିଶ୍ୱନାଥ ମାଝୀ, ଘାସୀ ମାଝୀ, ଦୟା ବେମଲ, ଜନନୀ ବେମଲଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍‌ ହୋଇ ଥିଲ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟ ବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି କଳା, ସଂସ୍କୃତି ଓ ଐତିହ୍ୟ ତଥା ପରମ୍ପରାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥିବା ଆଦିବାସୀ, ଜନଜାତିର ଅସ୍ମିତା ଓ ଆତ୍ମସମ୍ମାନ ରକ୍ଷା କରିବା ସହିତ ସେମାନଙ୍କ ଜୀବନ ଜୀବିକାରେ ସୁଧାର ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ, ଏ ଦିଗରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ସଶକ୍ତ ଆଦିବାସୀ ସମାଜ ଗଠନ ସହିତ ସମୃଦ୍ଧ ରାଜ୍ୟ ଗଠନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଜି ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ବୈଠକରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଶଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ପି. ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ସ୍ବର୍ଣ୍ଣ ଚମ୍ପା ମାଝୀ, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସେହିପରି ହଲବା ସମାଜର ଜିଲ୍ଲା ସଭାପତି ସହଦେବ ନେଗୀ, ବିଞ୍ଝାଲ ସମାଜ ସଭାପତି ସମ୍ପଦ ବରିହା, କନ୍ଧ ସମାଜର ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ଭତ୍ରା ସମାଜର ସଭାପତି କୈଳାସ ଚନ୍ଦ୍ର ମାଝୀ, ମିର୍ଦ୍ଧା ସମାଜର ସଭାପତି ସ୍ୱୟଂମ୍ବର ମିର୍ଦ୍ଧା, ଧ୍ରୁବଗଣ୍ଡ ସମାଜର ସଭାପତି ଜଗମୋହନ ମାଝୀ, ଗଣ୍ଡ ସମାଜର ସଭାପତି ପଦ୍ମନ ପାତ୍ର, ଆଦିବାସୀ ସଙ୍ଘର ସଭାପତି ପ୍ରକାଶ ମାଝୀ, ସମ୍ପାଦକ ଋତୁରାଜ ମାଝୀ, ବଂଜାରା ସମାଜର ସଭାପତି ଲଳିତ ନାଏକ ଏହି ଅବସରରେ ମଂଚାସୀନ ଥିଲେ। ଜିଲ୍ଲା ଯୋଜନା ସମ୍ମନ୍ଵୟ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ସଭା ପରିଚାଳନା କରିଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ଆଦିବାସୀ ଜନଜାତି ସମୁହର ବହୁସଂଖ୍ୟକ ନେତୃ ସ୍ଥାନୀୟ ପୁରୁଷ, ମହିଳା ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆସନ୍ତା ମାର୍ଚ୍ଚ ମାସ ୩ ତାରିଖରେ ଆରମ୍ଭ ହେବାକୁ ଥିବା ପୋଲସ ପୋଲିଓ ଟୀକାକରଣ ନିମନ୍ତେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀଗୃହରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ନିହାରେନ୍ଦ୍ର ପଣ୍ଡା, ସି ଡି ଓ ଜିଲ୍ଲାପରିଷଦ ମଧୁଛନ୍ଦା ସାହୁ, ଡି ପି ଏଚ ଓ ଡ ରାକେଶ ସାହୁ, ଡି ଏମ ଓ ଡ ରଂଜନ ମିତ୍ର, ଏ ଡି ପି ଏଚ ଓ ଡ ମୋନୋ ମାଝୀ, ଡି ଆଇ ପି ଆର୍ ଓ ମନୋଜ ବେହେରା ଙ୍କ ସମେତ ଜିଲ୍ଲା ଏବଂ ବ୍ଲକ ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ, ସ୍ବାସ୍ଥ୍ୟ କର୍ମୀ, ଶିକ୍ଷା ବିଭାଗ, ସମନ୍ଵିତ ଶିଶୁ ବିକାଶ ବିଭାଗ, ପରିବହନ ବିଭାଗ, ସମାଜ ମଙ୍ଗଳ ବିଭାଗ, ବିଦ୍ୟୁତ ବିଭାଗ, ସମାଜସେବୀ ସଂଗଠନର କର୍ମୀମାନେ ଯୋଗ ଦେଇଥିଲେ।

ଭାରତ ବର୍ଷ ଆଜି ଏକ ପୋଲିଓ ମୁକ୍ତ ଦେଶ ଅଟେ କିନ୍ତୁ କେତେକ ଦେଶରେ ଏବେବି ପୋଲିଓ ରୋଗୀ ଜନ୍ମ ହେଉଛନ୍ତି ତାହା କେବେ ବି ଆମ ଦେଶ ରେ ଦେଖାଦେଇପାରେ। ସମ୍ପୂର୍ଣ୍ଣ ପୋଲିଓ ନିରାକରଣ ପାଇଁ ଜିଲ୍ଲାରେ ମାର୍ଚ୍ଚ ମାସ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ୦ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସମସ୍ତ ବୁଥ ମାନଙ୍କ ରେ ମାର୍ଚ୍ଚ ୩ ତାରିଖ ଏବଂ ମୋବାଇଲ ଟିମ୍ ଓ ଘରକୁ ଘର ଯାଇ ଅଙ୍ଗନବାଡ଼ି କର୍ମୀ ଓ ନିୟୋଜିତ କର୍ମଚାରୀ ପୋଲିଓ ବୁନ୍ଦା ଖୁଆଇବା ପାଇଁ ଗସ୍ତ କରିବେ। ପ୍ରତ୍ୟେକ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଦିଆଯିବ।

ଏହି ଅଭିଯାନର ବିଶେଷ ପ୍ରଚାର ପ୍ରସାର ପାଇଁ ଲିଫ୍ଲେଟ୍, ପୋଷ୍ଟର ସହ ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା, ବୁଥ ମାନଙ୍କରେ ସବିଶେଷ ବ୍ୟବସ୍ଥା, ଟୀକା ପରିବହନ ବ୍ୟବସ୍ଥା, ମନିଟରିଂ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା। ଡବ୍ଲୁ ଏଚ ଓ ମେଡ଼ିକାଲ ଅଧିକାରୀ ଡ ଶ୍ୟାମ ଆଡପା ପିପିଟି ମାଧ୍ୟମରେ ଗୃହରେ ସମସ୍ତ ବିଷୟ ରେ ତଥ୍ଯ ରଖିଥିଲେ ଓ ଜିଲ୍ଲାପାଳ ଏହି ଅଭିଯାନ କୁ ସଫଳ କରିବାପାଇଁ ସମସ୍ତଙ୍କ ଆନ୍ତରିକ ସହଯୋଗ କୁ ଗୁରୁତ୍ଵ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡି ଜିଲ୍ଲାରେ ୫ଟି ଉପକ୍ରମରେ “ଆମ ହସ୍ପିଟାଲ” ଯୋଜନା ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪.୩୦ ମି ସମୟରେ “ଆମ ହସ୍ପିଟାଲ “ଯୋଜନାରେ କଳାହାଣ୍ଡି ଜିଲ୍ଲାକୁ ସାମିଲ କରି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। “ଆମ ହସ୍ପିଟାଲ” ଯୋଜନାରେ କଳାହାଣ୍ଡି ଜିଲ୍ଲାର ୪ ଟି ହସ୍ପିଟାଲ ମୂଖ୍ୟ ଡାକ୍ତରଖାନା, ଭବାନୀପାଟଣା, ସରକାରୀ ଉପଖଣ୍ଡ ଚିକିତ୍ସାଳୟ, ଧର୍ମଗଡ଼, ଜୁନାଗଡ ଏବଂ ବିଶ୍ୱନାଥ ପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସାମିଲ କରି ରୁପାନ୍ତିକରଣ କରାଯାଇଛି।

ଏହି ଚାରିଟି ରୂପାନ୍ତରଣ ଡାକ୍ତରଖାନା ମାନଙ୍କରେ ପଞ୍ଜିକରଣ କେନ୍ଦ୍ର, ଔଷଧ ବିତରଣ କେନ୍ଦ୍ର, ସହାୟତା କେନ୍ଦ୍ର, ରୋଗୀଙ୍କ ଅପେକ୍ଷା ଗୃହ, ଶୌଚାଳୟ , ପାର୍କିଂ ବ୍ୟବସ୍ଥା, ପିଇବା ପାଣି, ମିଶନ ଶକ୍ତି କଫେ, ଏଲ୍ଇଡି ବ୍ୟବସ୍ଥା, କର୍ମଚାରୀ ମାନଙ୍କ ଉପସ୍ଥାପନ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା, ଆଇ ଭି ଆର୍ ପଦ୍ଧତିରେ ରୋଗୀଙ୍କ ମତାମତ ସଂଗ୍ରହ ସହ ଧର୍ମଗଡ଼ ଏମସିଏଚ କୋଠାର ସମ୍ପୂର୍ଣ୍ଣ ଓ ଅନ୍ୟ ବିଭାଗର ମରାମତି ଓ ନୂତନ କୋଠା ର ନିର୍ମାଣ ସହ ରୁପାନ୍ତିକରଣ କରାଯାଇଛି। ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ନିଜ ବକ୍ତବ୍ୟ ରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ, ମେଡିକାଲ କଲେଜ, କ୍ୟାନ୍ସର ହସପିଟାଲ ଉଲ୍ଲେଖ କରି ଜିଲ୍ଲାବାସୀ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା ର ସୁଯୋଗ ପାଉ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଜିଲ୍ଲା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମଧୁଛନ୍ଦା ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ସୂଚେତା ପାଣି, ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ଏ ଡି ପି ଏଚ ଓ ଡ ରଞ୍ଜନ ମିତ୍ର, ଡ ନିହାରେନ୍ଦ୍ର ପଣ୍ଡା, ଡି ଆଇ ପି ଆର୍ ଓ ମନୋଜ ବେହେରା ,ସହରର ବିଶିଷ୍ଟ ବ୍ୟକ୍ତି,ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ହଜାର ହଜାର ସଂଖ୍ୟାରେ ଏସ ଏ ଚ ଜି ଓ ମିଶନ ଶକ୍ତି ମା ସଭ୍ୟା, ଆଶା କର୍ମୀ,ଅଙ୍ଗନବାଡ଼ି କର୍ମୀ, ଜନ ସାଧାରଣ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ସହର ଓ କଳାହାଣ୍ଡି ଲାଞ୍ଜିଗଡ଼ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଆଜି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋପାଳପଲ୍ଲୀ ଠାରେ ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଅଟକିଥିଲା। ସଚେତନତା ବାହନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ ମୋଦୀ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା। ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର  ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଗୁଣ୍ଡରି ପଞ୍ଚାୟତଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଯୋଜନାର ହିତାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍‌ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ମହିଳାମାନେ ପୂଜାର୍ଚ୍ଚନା କରି ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଥିଲା। ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଥିଲେ। ବିଶେଷ କରି ମାଗଣା ଗ୍ୟାସ ସଂଯୋଗ ପାଇଥିବା ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଯାତ୍ରା ରହଣୀ ସ୍ଥଳରେ ସ୍ବାସ୍ଥ୍ୟ ଶିବିର ଏବଂ କେନ୍ଦ୍ରୀୟ ଯୋଜନାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନର ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏଵଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜୀ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୩୬ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୦୬ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଜଣ ଙ୍କୁ ସହାୟତା ମଞ୍ଜୁର କରାଯାଇଥିଲା।

ସଦର ବ୍ଲକର ରିଶି ଗାଁ ପଞ୍ଚାୟତର ତପସ୍ଵିନୀ ବାଗଙ୍କୁ ୫୦୦୦ ଟଙ୍କା ଏବଂ ନିଲା ଦେଇ ଙ୍କୁ ୨୦୦୦ ଟଙ୍କା, କୋକସରା ବ୍ଲକ ଆମପାଣିର ବୈଜନ୍ତି ସୁନଙ୍କୁ ୫୦୦୦ ଟଙ୍କା, ଜୁନାଗଡ଼ ବ୍ଲକର ଛୋରିଆଗଡ ଗ୍ରାମର ସଚ୍ଚିଦାନନ୍ଦ ନାଏକଙ୍କୁ ୫୦୦୦ ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ବିଜେପିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ, ବ୍ୟାକଫୁଟ ରେ ସାଂସଦ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାନ ସଭା କ୍ଷେତ୍ର ମାନଙ୍କରେ ଭାରତୀୟ ଜନତା ପାର୍ଟିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ସେଥିରେ କଳାହାଣ୍ଡି ସାଂସଦ ପଦସ୍ତ ହେଉଥିବାର ଦେଖାଯାଉଛି। ସଂଗଠନକୁ ତୃଣମୂଳ ସ୍ତରରେ କିପରି ମଜବୁତ କରାଯାଇ ପାରିବ ଓ ଲୋକସମ୍ପର୍କ କିପରି ସୁଦୃଢ ହେବ ସେ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ କର୍ମୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି।

ଗତ ୨୦୧୯ ରେ ନିର୍ବାଚିତ ହେବା ପରେ ନିଜକୁ ନୂଆପଡ଼ା- କଳାହାଣ୍ଡି ସାଂସଦ ବୋଲି ପରିଚୟ ଆରମ୍ଭ କରିଥିବା ସାଂସଦ ବସନ୍ତ ପଣ୍ଡା କର୍ମୀ ମାନଙ୍କୁ ଅଣ ଦେଖା କରୁଥବା ଏପରିକି ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ତଥା ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ମାନଙ୍କୁ ଚିହ୍ନି ନ ଥିବା ବେଳେ ନିର୍ବାଚନ ପାଖକୁ ଆସିଥିବାରୁ ଏବେ ସାଙ୍ଗଠନିକ ସଭା କରିବା କେତେ ଦୂର ସଠିକ ବୋଲି କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।

ନିଜର ନୂଆପଡ଼ା ବିଧାନସଭା କ୍ଷେତ୍ରରେ ଅଲୋଡା ହେବା ପରେ ରାଜ୍ୟ ସଭାପତି ଥିବା ହେତୁ ନିଜର ରାଜନୈତିକ ପତିଆରା ବଜାୟ ରଖିବା ନିମନ୍ତେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାକୁ ନେଇ ଗଠିତ କଳାହାଣ୍ଡି ସଂସଦୀୟ କ୍ଷେତ୍ରକୁ ବାଛି ନେଇ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନାମରେ ଭୋଟ ପାଇ ଜିତିଯିବା ପରେ କେବଳ ହାତ ଗଣତି କିଛି ନିକଟ ସମ୍ପର୍କୀୟ ମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଧରାଛୁଆ ଦେଉନଥିବା ସାଂସଦ ବସନ୍ତ ପଣ୍ଡା କର୍ମୀ ମାନଙ୍କୁ ସାଙ୍ଗରେ ନେଇ କଳାହାଣ୍ଡି ବିଜେପି ସଙ୍ଗଠନକୁ ଦୁର୍ବଳ କରିଦେଇଥିବା ଚର୍ଚ୍ଚା ହେଉଛି।

ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସାଂସଦ କର୍ମୀ ମାନଙ୍କ କଥା ବୁଝୁ ନ ଥିବା ହେତୁ ଏବଂ ସାଂସଦ ନିଜ ସମର୍ଥକଙ୍କୁ ଜିଲ୍ଲା ସଭାପତି କରାଇଥିବା ବେଳେ ସେ ମଧ୍ୟ ସାଂସଦଙ୍କ କଥାରେ ଉଠ ବସ ହେଉଥିବା ହେତୁ କର୍ମୀ ମାନେ ଏକପ୍ରକାର ମୁରବି ଶୂନ୍ୟ ହୋଇ ପଡିଥିବା ଆଲୋଚନା ହେଉଥିଲା।

ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାତ ଗୋଟି ବିଧାନସଭା କ୍ଷେତ୍ରରୁ କେବଳ ଭବାନୀପାଟଣା ବିଧାନ ସଭାରେ ପ୍ରଦୀପ୍ତ ନାୟକ ନିଜସ୍ବ ପାତୀୟାରାରେ ବିଜେପିରୁ ନିର୍ବାଚିତ ହୋଇଥିବା ବେଳେ ସାଂସଦଙ୍କ ନିଜସ୍ବ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ବିଜେଡ଼ି ଜୟତୀ ଥିବା ହେତୁ ସାଂସଦଙ୍କ ଲୋକପ୍ରିୟତା ସ୍ପଷ୍ଟ ଜଣାପଡ଼ୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଏପରିକି ୨୦୧୯ ନିର୍ବାଚନରେ ବସନ୍ତ ପଣ୍ଡା ବିଧାୟାକ ପ୍ରାର୍ଥୀ ମାନଙ୍କୁ ଦଳୀୟ ନିର୍ବାଚନ ଖର୍ଚ୍ଚ ଦେଇ ନ ଥିବା ଏବଂ ଜନୈକ ପ୍ରାର୍ଥୀଙ୍କୁ ଘର ଡିହ ବଦଳରେ ଟିକଟ ଦେଇ ଥିବାର ଅଭିଯୋଗ ହୋଇଥିବା ବେଳେ ସେହି ଅଭିଯୋଗକୁ ବସନ୍ତ ପଣ୍ଡା ଖଣ୍ଡନ କରିଛନ୍ତି। ତଥାପି ମଧ୍ୟ କର୍ମୀ ମହଲରେ ଅସନ୍ତୋଷ ଲାଗି ରହୁଥିବା ଦେଖା ଯାଉଛି।

କର୍ମୀ ମାନଙ୍କୁ ସାଙ୍ଗରେ ନେବାରେ ବସନ୍ତ ବିଫଳ ହେଉଥିବା ଏବଂ କଥା କଥାରେ ଗାଳି ଗୁଲାଜ କରୁଥିବା, କୌଣସି ସମସ୍ୟାର ସମାଧାନ ପାଇଁ କହିଲେ ତୁମେ ଅନ୍ୟ ଦଳର ଲୋକ ହୋଇଥିବ ବୋଲି କହିବା, ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡାଙ୍କ ଭବାନୀପାଟଣା କାର୍ଯ୍ୟକ୍ରମରେ ଖାଇବାକୁ ବନ୍ଦୋବସ୍ତ କରି ନ ପାରି ହୋଟେଲରୁ ଖାଇବା ଆଣିବାରୁ ଅତିଥି ମାନେ ନ ଖାଇ ଚାଲିଯିବା ଆଦି ଘଟଣା ଯୋଗୁ ବସନ୍ତଙ୍କ ସାଙ୍ଗଠନିକ ଦକ୍ଷତା ଉପରେ କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେବଳ ମୋଦୀ ହାୱା ରେ ଥରେ ସିନା ନିର୍ବାଚନୀ ବୈତରଣୀ ପାର ହୋଇଗଲେ ଆଗକୁ କିପରି ପାରି ହେବେ ସେହି ଆଶାରେ ଶେଷ ମୂହୁର୍ତ୍ତ ରେ ସାଙ୍ଗଠନିକ ସଭାରେ ଯୋଗ ଦେବା ନିଷ୍ଫଳ ପ୍ରୟାସ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି।

ଅନ୍ୟ ପକ୍ଷରେ ଦେବାଦେବୀଙ୍କ ଉପରେ ପ୍ରଗାଢ ବିଶ୍ବାସ ରଖୁଥିବା ସାଂସଦ ବସନ୍ତ ପଣ୍ଡା ଗୁରୁ ଗୁଣିଆ ମାଧ୍ୟମରେ ନିଜର ଓ ନିଜ ସମର୍ଥକଙ୍କ ପାଇଁ ବିଧାନ ସଭା ଟିକଟ ଆଣିବା ସହିତ ନିର୍ବାଚନ ବୈତରଣୀ ମଧ୍ୟ ପାରି ହୋଇଯିବେ ବୋଲି ମଧ୍ୟ ଆଲୋଚନା ହେବାରେ ଲାଗିଛି।

Categories
ବିଶେଷ ଖବର

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୧୩ ଲକ୍ଷ ଲୋକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍‌ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଲେ। ଏହି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସୁବିଧା ମିଳିଲା। ଏ ସବୁ ଜିଲ୍ଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା। ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟତ ଅସୁବିଧା ବିଷୟରେ ଜାଣି ଏହି ଯୋଜନା ଆରମ୍ଭ କରାଯାଇଛି। ଲକ୍ଷ୍ମୀ ବସ୍‌ ସମସ୍ତଙ୍କୁ ଯୋଡିବା କାମ କରିବ। ପିଲାମାନଙ୍କୁ ସ୍କୁଲ କଲେଜ ନେବ। ରୋଗୀକୁ ହସ୍ପିଟାଲ ନେବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହେବ। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଲକ୍ଷ୍ମୀ ବସ୍‌ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। ବିକାଶ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ପଞ୍ଚାୟତଗୁଡିକ ବିକାଶ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ପାଲଟିଛି। ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଓଡିଶା ଆମ ସମସ୍ତଙ୍କର। ଏ ବିକାଶ ମଧ୍ୟ ଆମ ସମସ୍ତଙ୍କର ବୋଲି କହିବା ସହିତ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ବସ୍‌ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି। ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋରାପୁଟର ନୂଆ ବସ୍‌ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଗାଁରୁ ସହର, ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ । ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କୋଟପାଡ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢୀ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଜିଲ୍ଲାର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ସହ ଜନସାଧାରଣଙ୍କ ଆର୍ଥିକ ବିକାଶରେ ଲକ୍ଷ୍ମୀ ଯୋଜନା ବିଶେଷ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।