Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାର କାଇଁଚ ଶିଳ୍ପ, କେନ୍ଦ୍ରପଡା କାରୀଗରଙ୍କୁ ଆଣି ଦେଇଛି ରୋଜଗାରର ଭିନ୍ନ ମାଧ୍ୟମ

ଭୁବନେଶ୍ବର: କେନ୍ଦ୍ରାପଡ଼ାର କାଇଁଚ ଶିଳ୍ପ କାରିଗରମାନଙ୍କ ପାଇଁ ଜୁଲାଇ ଏକ ଉତ୍ସାହଜନକ ମାସ ଥିଲା। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ କାଇଁଚ ଶିଳ୍ପରେ ମହିଳାମାନଙ୍କ ‘ଦକ୍ଷତା ଏବଂ ଉଦ୍ୟୋଗ ବିକାଶ’ ନିମନ୍ତେ ଚାଲିଥିବା ଏକ ପ୍ରକଳ୍ପ ଯାହାକି ‘ସଂକଳ୍ପ’ କେନ୍ଦ୍ରାପଡ଼ା ପ୍ରକଳ୍ପ ନାମରେ ବେଶ ଜଣାଶୁଣା। ଏହି ଅବସରରେ ପ୍ରକଳ୍ପ ଅଧୀନରେ କାରିଗରମାନଙ୍କ ପାଇଁ ପର୍ଯ୍ୟାୟକ୍ରମେ କର୍ମଶାଳାମାନ ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାଗୁଡ଼ିକ ଅପେକ୍ଷାକୃତ କମ୍‌ ଶିକ୍ଷା ଦିଆଯାଉଥିବା କିନ୍ତୁ ଗୁରୁତ୍ୱପୂର୍ଣ୍ଣ କୌଶଳ ଯଥା: ସଚେତନ ଉତ୍ପାଦନ ଓ ସ୍ଥିରତା, ବ୍ରାଣ୍ଡ ଫିଡ୍‌ବ୍ୟାକ୍‌, ଗ୍ରାହକଙ୍କ ମତାମତ, ଆଧୁନିକ ଦିନର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା, ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଏବଂ ଟିକସ ଏବଂ ଦୈନନ୍ଦିନ ଆର୍ଥିକ ପରିଚାଳନାର ମୌଳିକ ବିଷୟ ଉପରେ କେନ୍ଦି୍ରତ ଥିଲା।

ଜାଭିୟର୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଅଧିନସ୍ଥ ସ୍କୁଲ ଅଫ୍‌ ସଷ୍ଟେନେବିଲିଟିର ଡିନ୍‌ ପ୍ରଫେସର (ଡ.) ସୁତପା ପତିଙ୍କ ଦ୍ୱାରା ସଚେତନ ଉତ୍ପାଦନ ଓ ସ୍ଥିରତା କର୍ମଶାଳା ତଥା ସ୍କୁଲ ଅଫ୍‌ କମର୍ସର ସହକାରୀ ପ୍ରଫେସର ଅଭିମନୁ୍ୟ ସାହୁଙ୍କ ଦ୍ୱାରା ଆର୍ଥିକ ବୁଝାମଣା କର୍ମଶାଳା ଯଥାକ୍ରମେ ପରିଚାଳନା କରାଯାଇଥିଲା। ବ୍ରାଣ୍ଡ ଫିଡ୍‌ବ୍ୟାକ୍‌ ଏବଂ ପାରସ୍ପରିକ ଆଦାନପ୍ରଦାନ କର୍ମଶାଳାରେ ୬ଟି ଅଧିବେଶନ ହାତତିଆରି ସାମଗ୍ରୀର ଖୁଚୁରା ବ୍ୟବସାୟ କରୁଥିବା ୬ଟି ଭିନ୍ନ ଭିନ୍ନ ବ୍ରାଣ୍ଡ ସହିତ ପରିଚାଳିତ ହୋଇଥିଲା। ଏହି ୬ଟି ବ୍ରାଣ୍ଡ ସ୍ଥାନୀୟ ଏବଂ ଜାତୀୟସ୍ତରର ଯଥା: ଇକାଇ ଆସାଇ, କ୍ରାଫଫ କାଉନ୍‌ସିଲ୍‌ ଇଣ୍ଡିଆ, ଫିକ୍ସି ଫ୍ଲୋ, ଭିଣ୍ଟେଜ୍‌ ଭିଷ୍ଟାରା, ସିମ୍ପଲ୍‌ କ୍ରେଜି ଏବଂ ଡିଆର୍‌ପି ଆର୍ଟଲାଇଫ୍‌ ଥିଲା।

ଏହି ବର୍ଷରେ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା କର୍ମଶାଳାଗୁଡ଼ିକରେ ଇବାଣିଜ୍ୟ, ଖୁଚୁରା ଏବଂ ସାମାଜିକ ଗଣମାଧ୍ୟମ ଓ ଫୋନ୍‌ ଫଟୋଗ୍ରାଫି ଉପରେ ଧ୍ୟାନ ଦିଆଯିବ । ‘ସ୍କିଲ୍‌ ଇଣ୍ଡିଆ’ (କୌଶଳ ଭାରତ) କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ପୂର୍ବରୁ ରହିଥିବା ଦକ୍ଷତା ପ୍ରଶିକ୍ଷଣ ପଦକ୍ଷେପଗୁଡ଼ିକୁ ଏକତ୍ର କରିବା ଏବଂ ପ୍ରଶିକ୍ଷଣ ପ୍ରଚେଷ୍ଟାର ପରିମାପ ଏବଂ ଗୁଣବତ୍ତାର ସମିଶ୍ରଣ ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନରେ ଦକ୍ଷତା ଆହରଣ ଏବଂ ଜୀବିକାର ଉନ୍ନତି ନିମନ୍ତେ ଜ୍ଞାନ ସଚେତନତା (ସଂକଳ୍ପ) ୨୦୧୮ ମସିହରେ ପ୍ରତିଷ୍ଠା କରାଯାଇଥିଲା ।

ସଂକଳ୍ପ କେନ୍ଦ୍ରାପଡ଼ା ପ୍ରକଳ୍ପଟି ୨୦୨୦ ମସିହା ନଭେମ୍ବର ମାସରେ ଆରମ୍ଭ ହୋଇଥିଲା, ଯାହା ଜାତୀୟ ଆଦେଶ ଅଧୀନସ୍ଥ ଏକ ପାଇଲଟ୍‌ ପ୍ରକଳ୍ପ। ଏହି ପ୍ରକଳ୍ପଟି ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରାଳୟ, ଭାରତ ସରକାର, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା, ଓଡ଼ିଶା ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପ ଜରିଆରେ କେନ୍ଦ୍ରାପଡ଼ା ଜିଲ୍ଲାର କାଇଁଚ ଶିଳ୍ପ ପୁଞ୍ଜ (କ୍ଲଷ୍ଟର)ରେ ପ୍ରକଳ୍ପ ଅଧିନସ୍ଥ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୩୦ରୁ ଊଦ୍ଧ୍ୱର୍ ଗ୍ରାମର ୩୦୦୦ରୁ ଊଦ୍ଧ୍ୱର୍ ମହିଳା କାରିଗର ଉପକୃତ ହେବେ।

ଏହି ପ୍ରକଳ୍ପର ପ୍ରଶିକ୍ଷଣ ଏବଂ କାର୍ଯ୍ୟକ୍ରମ କ୍ଷେତ୍ରଗୁଡ଼ିକ ଯଥା: ଶିଳ୍ପ ପ୍ରଶିକ୍ଷଣ, ନମୂନା ଏବଂ ଗୁଣାତ୍ମକ ପ୍ରଶିକ୍ଷଣ, ଉଦ୍ୟୋଗିକ ପ୍ରଶିକ୍ଷଣ, ବ୍ୟବହାରିକ କୌଶଳ ପ୍ରଶିକ୍ଷଣ, ବିପଣନ ବ୍ୟବସ୍ଥା, ବୈଷୟିକ ଜ୍ଞାନକୌଶଳ, ପ୍ରଦର୍ଶନ (ଏକ୍ସପୋଜର) ଏବଂ ଭିତ୍ତିଭୂମି ଇତ୍ୟାଦିରେ ବିଭକ୍ତ କରାଯାଇଛି । କାରିଗରମାନେ ସେମାନଙ୍କର ସୋସିଆଲ୍‌ ମିଡିଆକୁ ବ୍ୟବହାର କରି ସ୍ୱ ଓଡ଼ିଶା ମାଧ୍ୟମରେ ତଥା ପ୍ରଦର୍ଶନୀ ଏବଂ କ୍ରେତା-ବିକ୍ରେତା ସମ୍ମିଳନୀ ମାଧ୍ୟମରେ ନିୟମିତ ଅର୍ଡର ଗ୍ରହଣ କରି ଆସୁଛନ୍ତି । କର୍ମଶାଳା ସମୟରେ ଶିଖାଯାଇଥିବା ସୂକ୍ଷ୍ମ କୌଶଳ କାରିଗରମାନଙ୍କୁ ସେମାନଙ୍କର ବଜାର ଚାହିଦା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେଉଛି ।

Categories
ବିଶେଷ ଖବର ବ୍ୟବସାୟ

ତୋଷାଳି ମେଳା: କାଇଁଚ ଶିଳ୍ପର ଜିଆଇ ଟ୍ୟାଗ ପାଇଁ ଚାଲିଛି ପକ୍ରିୟା; ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଜି ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏଗାର ଦିନ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ ସହ ଜଗନ୍ନାଥଙ୍କ ପାଦରେ ପୁଷ୍ପଗୁଚ୍ଛ ନିବେଦନ କରି ମେଳାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସମବେତ ଶିଳ୍ପୀ, କଳାକାର, ବୁଣାକାର ଓ ଦର୍ଶକମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ପ୍ରଥମ ଥର କରି ତୋଷାଳି ମେଳାକୁ ସମାରୋହ ଓ ସଫଳତାର ସହିତ ଆୟୋଜନ କରାଯାଇଛି । ଏହା କୋଭିଡ୍‌ କ୍ଷତିଗ୍ରସ୍ତ ଶିଳ୍ପୀମାନଙ୍କ ପାଇଁ ନୂଆ ଆଶା ସଂଚାର କରିଛି । ପ୍ରଦର୍ଶନୀକୁ ଦୈନିକ ହଜାର ହଜାର ସଂଖ୍ୟାର ଦର୍ଶକ ପରିଦର୍ଶନ କରୁଛନ୍ତି ଏବଂ ଶିଳ୍ପୀ ଓ କାରିଗରମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି ବହୁଗୁଣିତ ହୋଇଛି।

କାଇଁଚ ଶିଳ୍ପ ଓଡ଼ିଶାର ଏକ ସ୍ୱତନ୍ତ୍ର ହସ୍ତଶିଳ୍ପ। କାଇଁଚ ଶିଳ୍ପୀମାନେ ଦୈନିଦିନ ଜୀବନରେ ବ୍ୟବହାର୍ଯ୍ୟ ପଦାର୍ଥଠାରୁ ଆରମ୍ଭ କରି କାର୍ଯ୍ୟାଳୟ ଓ ବିଭିନ୍ନ ପ୍ରକାର ସାଜସଜ୍ଜାରେ ଆବଶ୍ୟକ ପଡ଼ୁଥିବା ଦ୍ରବ୍ୟ ଉତ୍ପାଦନ କରନ୍ତି। ଏହି ଶିଳ୍ପୀମାନଙ୍କର ଉତ୍ପାଦ ବେଶ୍‌ ଆକର୍ଷଣୀୟ ଏବଂ ଉପଯୋଗୀ। କାଇଁଚ ହସ୍ତଶିଳ୍ପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଲୋକପି୍ରୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ।

କେନ୍ଦ୍ରାପଡ଼ା କାଇଁଚ ଉତ୍ପାଦର ଜି.ଆଇ. ଟ୍ୟାଗିଂ ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ ହସ୍ତଶିଳ୍ପୀ ଓ କାରିଗରମାନଙ୍କୁ ବର୍ଷତମାମ୍‌ ବିକି୍ରବଟା ସୁଯୋଗ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱର ଏକାମ୍ର ହାଟରେ ସ୍ୱତନ୍ତ୍ର ଷ୍ଟଲମାନ ପ୍ରତିଷ୍ଠା କରାଯାଇଛି। ପୁରୀ ଓ କୋଣାର୍କରେ ଥିବା ନୀଳାଚଳ ଓ କୋଣାର୍କ ହାଟକୁ ନବୀକରଣ କରାଯାଇ ବର୍ଷତମାମ୍‌ ଚାଲୁ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ମଧ୍ୟ ସେ କହିଥିଲେ।

ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଜଣାଇଥିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରାୟ ୩ ହଜାର କାଇଁଚ ଶିଳ୍ପୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ୯୦ ଭାଗ ହେଉଛନ୍ତି ମହିଳା। ଚିହ୍ନିତ ଶିଳ୍ପୀମାନଙ୍କୁ ଆଧୁନିକ କାଇଁଚ କଳା ବିଷୟରେ ତାଲିମ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଇତି ମଧ୍ୟରେ ୯୬୫ ଜଣଙ୍କୁ ତାଲିମ ଦିଆସରିଛି ଏବଂ ଆଉ ୫୦୦ ଜଣଙ୍କର ତାଲିମ କାର୍ଯ୍ୟକ୍ରମ ଚାଲୁ ରହିଛି। ଚଳିତ ବର୍ଷ ଅକେଫାବର ଶେଷ ସୁଦ୍ଧା ସମସ୍ତ ଚିହ୍ନିତ ଶିଳ୍ପୀମାନଙ୍କୁ ତାଲିମ ଦିଆଯିବ ବୋଲି ଶ୍ରୀମତୀ ଶର୍ମା ଜଣାଇଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାୟ ୪୫୦ ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହେଉଛି। ଓଡ଼ିଶା ସମେତ ପ୍ରାୟ ୨୪ଟି ରାଜ୍ୟରୁ କାରିଗର ଓ ବୁଣାକାରମାନେ ନିଜ ନିଜ ଉତ୍ପାଦ ବିକ୍ରିବଟା କରୁଛନ୍ତି। ମୁଖ୍ୟ ଶାସନ ସଚିବ ମେଳାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଶିଳ୍ପୀ ଓ ବୁଣାକାରଙ୍କ ସହ ଆଲୋଚନା କରିଥିଲେ। ଶିଳ୍ପୀ ଓ ବୁଣାକାରମାନେ ସଂପୃକ୍ତ ହସ୍ତଶିଳ୍ପର ବିକାଶ ନିମନ୍ତେ ଆବଶ୍ୟକୀୟ ମତାମତ ଦେଇଥିଲେ।

ମେଳାର ଅନ୍ୟ ଏକ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାରର ଓଡ଼ିଆ ଖାଦ୍ୟଦ୍ରବ୍ୟ, ସୁସ୍ୱାଦୁ ଆମିଷ ଓ ନିରାମିଷ ଖାଦ୍ୟ ଷ୍ଟଲ। ଏସବୁ ଖାଦ୍ୟ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସନ୍ଧ୍ୟାରେ ଗୁରୁ ଶତ୍ରୁଘ୍ନ ନାୟକ ଏବଂ ସାଥୀ କଳାକାର, ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟ ପ୍ରତିଭା’ ଓ ‘ବିନାରୀ ୱେଲ୍‌ଫେୟାର ଅର୍ଗାନାଇଜେସନ୍‌’ର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ, ଦେବଦାସୀ ଓ ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା।