ଦୁବାଇ/କାୟରୋ: ଇଜିପ୍ଟର ରାଜଧାନୀ କାୟରୋର ଏକ ଜନବହୁଳ ଅଞ୍ଚଳରେ ଏକ ଇନ୍ଧନ ଟ୍ୟାଙ୍କର ଓଲଟି ବିସ୍ଫୋରଣ ଘଟିବାରୁ ସୃଷ୍ଟି ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ଅତି କମ୍ରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫ ଜଣ ଆହତ ହୋଇଛନ୍ତି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ବୃହତ୍ତର କାୟରୋ ଅଞ୍ଚଳର ପ୍ରମୁଖ ରାଜପଥଗୁଡ଼ିକୁ ସଂଯୋଗ କରୁଥିବା ଏକ ବ୍ୟସ୍ତବହୁଳ ଚକ୍ରପଥରେ (ରିଙ୍ଗ୍ ରୋଡ୍) ଏହି ଟ୍ୟାଙ୍କରଟି ଯାଉଥିଲା। ନୀଳ ନଦୀର ପଶ୍ଚିମ କୂଳରେ ତଥା ମଧ୍ୟ କାୟରୋ ନିକଟରେ ଥିବା ଶ୍ରମିକ ଓ ମଧ୍ୟବିତ୍ତ ଶ୍ରେଣୀର ବସତି ଅଞ୍ଚଳ ଅଲ୍ ୱାରାକ୍ର ଏକ ସୁଡ଼ଙ୍ଗ ଉପର ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ଘଟଣାସ୍ଥଳକୁ ପଠାଯାଇଥିବା ସରକାରୀ ଓକିଲମାନେ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡରେ ୨୭ଟି କାର୍ ଏବଂ ମୋଟରସାଇକେଲ୍ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। କେତେକ ମୃତକଙ୍କ ଶରୀର ଏବଂ ସେମାନଙ୍କ ନିକଟରେ ଥିବା ପରିଚୟପତ୍ର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାରୁ ସେମାନଙ୍କର ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା କରାଯାଉଛି ବୋଲି ସାଧାରଣ ଅଭିଯୋଜନ ବିଭାଗ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। ଆହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ଦୁର୍ଘଟଣାସ୍ଥଳକୁ ପ୍ରାୟ ୪୦ଟି ଆମ୍ବୁଲାନ୍ସ ପଠାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ପରବର୍ତ୍ତୀ ସମୟରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତକୁ ଆଣିଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ରାଷ୍ଟ୍ରପତି ଅବଦେଲ୍ ଫତାହ ଅଲ୍ ସିସି ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଜରିଆରେ ଗଭୀର ଶୋକ ପ୍ରକାଶ କରିବା ସହ ଆହତ ଏବଂ ମୃତକଙ୍କ ପରିବାରକୁ ସମସ୍ତ ଆବଶ୍ୟକୀୟ ସହାୟତା ଓ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରେ ଦୁର୍ଘଟଣାସ୍ଥଳରୁ କଳା ଧୂଆଁର ବହଳ ଆସ୍ତରଣ ଆକାଶକୁ ଉଠୁଥିବା ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ଜରୁରୀକାଳୀନ ସେବାକୁ ଡାକିବା ପାଇଁ ଲୋକଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ଦ୍ରୁତ ଗତି, ଯାତାୟାତ ନିୟମର ଦୁର୍ବଳ କାର୍ଯ୍ୟକାରିତା ଏବଂ ଖରାପ ରାସ୍ତା ଅବସ୍ଥା ଯୋଗୁଁ ଇଜିପ୍ଟରେ ସଡ଼କ ଦୁର୍ଘଟଣା ଏକ ସାଧାରଣ ଘଟଣା ପାଲଟିଛି। ନିକଟ ବର୍ଷଗୁଡ଼ିକରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ସହରୀକରଣକୁ ଦୃଷ୍ଟିରେ ରଖି ଭିଡ଼ କମାଇବା ପାଇଁ ଇଜିପ୍ଟ ବହୁ କୋଟି ଡଲାରର ଭିତ୍ତିଭୂମି ଯୋଜନା ଅଧୀନରେ ନୂଆ ରାଜପଥ ଓ ପୋଲ ନିର୍ମାଣ କରି ସଡ଼କ ନେଟୱାର୍କକୁ ବ୍ୟାପକ ଭାବେ ବିସ୍ତାର କରିଛି। ଏହାଦ୍ୱାରା କେତେକ ଅଞ୍ଚଳରେ ଯାତାୟାତ ସୁଗମ ହୋଇଥିଲେ ମଧ୍ୟ ସଡ଼କ ସୁରକ୍ଷାକୁ ନେଇ ଚିନ୍ତା ଏବେ ବି ଲାଗି ରହିଛି।


