Categories
ଆଜିର ଖବର ରାଜ୍ୟ ଖବର

ରାଜସୁନାଖଳା ମହୋତ୍ସବ ଉଦଯାପିତ: ଶୀତୁଆ ସନ୍ଧ୍ୟାରେ ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତରେ ଝୁମିଲେ ଦର୍ଶକ

ରଣପୁର: ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୩ ମଙ୍ଗଳବାର ଅନ୍ତିମ ସଂଧ୍ୟାରେ ପ୍ରବଳ ଜନସମାଗମ ଥିବା ବେଳେ ବିଭିନ୍ନ ଜିନିଷର ଦୋକାନ, ଦୋଳି, ମୀନା ବଜାର ଓ ଖାଦ୍ୟ ଦୋକାନଗୁଡିକ ରେ ଲୋକଙ୍କ ଭିଡ଼ ଜମିଥିଲା। ଓଡିଶା ସରକାରଙ୍କର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହାଭାଗିତାରେ ଚାଲିଥିବା ଏହି ମହୋତ୍ସବରେ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ମୁଖ୍ୟ ବକ୍ତାଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସମ୍ମାନିତ ବକ୍ତା ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ସର୍ବେଶ୍ୱର ସାହୁ, ଶିଶିର କୁମାର ସାହୁ, ସେବା ମହୋତ୍ସବ ଅଧ୍ୟକ୍ଷ ଶିବରାମ ମହାପାତ୍ର, ମହୋତ୍ସବ ପ୍ରଚାର ପ୍ରସାର କମିଟି ସମ୍ପାଦକ ତଥା ଯୁବ ସାମ୍ବାଦିକ ରାଜେନ୍ଦ୍ର କୁମାର ସାହୁ, ନୟାଗଡ଼ ଜିଲ୍ଲା ପରିଷଦ ସରୋଜ କୁମାର ସିଂ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ମଞ୍ଚରେ ସୁନ୍ଦର ସଙ୍ଗୀତ ଗାନ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ କରି ସମସ୍ତଙ୍କୁ ବିମୋହିତ କରିଥିଲେ।

ପରିଶେଷରେ ମହୋତ୍ସବ କମିଟିର ସମ୍ପାଦକ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଂଚଳର ବିଭିନ୍ନ ପ୍ରତିଭା ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ଫୁଲ ଗୁଚ୍ଛଦେଇ ସମ୍ମାନୀତ କରାଯାଇଥିଲା। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆସାମର ଲୋକ ନୃତ୍ୟ ବିହୁ ମଧ୍ୟ ପରିବେଷଣକୁ ଦର୍ଶକମାନେ ଉପଭୋଗ କରିଥିଲେ। ପରେ ପରେ ଶେଷ ଦିବସକୁ ସ୍ମରଣୀୟ କରିବା ପାଇଁ ଅତସବାଜି ପଦର୍ଶନ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କାଉଁରୀ-୨୦୨୩ ପାଇଁ ପ୍ରସ୍ତୁତି: ରାଜ୍ୟପାଳ କରିବେ ଉଦଘାଟନ, ଆକର୍ଷଣୀୟ କାର୍ଯ୍ୟକ୍ରମ ପାଇଁ ମିଳିଲା ପ୍ରତିଶୃତି

ରାଜସୁନାଖଳା: ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ ହେବ ପଞ୍ଚମ ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜସୁନାଖଳା ମହୋତ୍ସବ କମିଟି ସୂଚନା ଦେଇଛି।

ନୟାଗଡ଼ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ଭାବେ ପରିଚିତ ରାଜସୁନାଖଳାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ଗଢିଉଠିଥିବା ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାଜସୁନାଖଳା ମହୋତ୍ସବ କମିଟି ଆନୁକୂଲ୍ୟରେ ଆଗାମୀ ଡିସେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ଏହି ରାଜ୍ୟସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ।

ତେବେ ଗତବର୍ଷ ମାନଙ୍କ ଅପେକ୍ଷା ଆହୁରି ଆକର୍ଷଣୀୟ କାର୍ଯ୍ୟକ୍ରମ କରିବା ନିମନ୍ତେ ପ୍ରତିଶୃତି ରଖିଲେ ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ। ଗଣମାଧ୍ୟମ ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତର ରଖି କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଚଳିତ ବର୍ଷ ମହୋତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଦଳ ଆଣିବା ପାଇଁ ପ୍ରକାଶ କରିଛନ୍ତି। ବିଗତ ବର୍ଷରେ ବହୁ ଜନ ସମାଗମକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ମତ ପ୍ରକାଶ ପାଇଛି।

ଏତଦ ବ୍ୟତୀତ ଦର୍ଶକ ମାନେ କିପରି ମିନା ବଜାର, ରାମଦୋଳି ଏବଂ ପଲ୍ଲଶ୍ରୀ ମେଳାର ଭରପୁର ମଜା ଉଠାଇ ପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ରଖି କମିଟି ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ ମତ ପ୍ରକାଶ କରିଥିଲେ। ଦେଖଣାହାରୀ ମାନଙ୍କର ସୁରକ୍ଷା ଏବଂ ସମସ୍ତ ପ୍ରକାରର ସୁବିଧା ଅସୁବିଧାର ତୁରନ୍ତ ପଦକ୍ଷେପ ନିମନ୍ତେ ରାଜସୁନାଖଳାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସହାୟତା ନିଆଯିବ ବୋଲି ଦୃଢୋକ୍ତି ପ୍ରକାଶ ପାଇଛି।

ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠର ଅଧୀଶ୍ଵରୀ ଦେବୀ ମା କାଉଁରୀଙ୍କର ନାମରେ ନାମିତ ଏହି ମହୋତ୍ସବର ପ୍ରଥମ ଦିନ ମଶାଲ ଶୋଭାଯାତ୍ରା, ପୀଠ ହୋମ, ସନ୍ଧ୍ୟାରେ ରାଜ୍ୟପାଳଙ୍କ ଦ୍ୱାରା ମଞ୍ଚ ଉଦଘାଟନ ହେବ।

ଏହି ଅବସରରେ ଏକ ବାର୍ଷିକ ସ୍ମରଣୀକା “କାଉଁରୀ” ପ୍ରକାଶ କରାଯିବା ନିମନ୍ତେ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ପ୍ରକାଶ କରିଥିଲେ। ଏଥିନିମନ୍ତେ ରାଜସୁନାଖଳାକୁ ଭଲ ପାଉଥିବା ରାଜ୍ୟର କବି, ଲେଖକ ତଥା ଗବେଷକ ମାନଙ୍କ ଠାରୁ ଲେଖା ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆରେ ପଠାଇବା ପାଇଁ ପତ୍ରିକା ସମ୍ପାଦକ ପ୍ରଦୀପ ରଣା ମହୋଦୟ ଅନୁରୋଧ କରିଥିଲେ।

ପ୍ରକାଶ ଥାଉକି ବିଗତ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ମହାମାରୀ କରୋନା ସମୟରେ ବି ଡିଜିଟାଲ ମହୋତ୍ସବ ଆୟୋଜନ କରି ବେଶ ସୁନାମ ସାଉଁଟି ଥିଲା।ଉକ୍ତ କାର୍ଯ୍ୟକ୍ରମକୁ ମହୋତ୍ସବ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ଆହ୍ବାନ କରିଥିବା ବେଳେ କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ।

ଉପାଧ୍ୟକ୍ଷ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଯୁବ ସାମ୍ବାଦିକ ପ୍ରଚାର ପ୍ରସାର କମିଟି ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁ ଏବଂ ପ୍ରଦୀପ କୁମାର ସାହୁ ସରସ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ପ୍ରତିଶୃତି ସହ ସାମ୍ବାଦିକଙ୍କ ପ୍ରେସ ଗ୍ୟାଲେରୀ ରେ ବ୍ୟାପକ ବ୍ୟବସ୍ଥା ପାଇଁ ପ୍ରତିଶୃତି ଦେଇଥିଲେ।

ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆସାମ ବିହୁ, ରାଜ୍ୟସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟ ଦଳ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବ। ସେହିପରି ଦଶାବତାର, ପୁରୀ ସାହିଯାତ ମେଢ଼ ସହ ଓଲିଉଡ଼ ର ବହୁ କଳାକାର ଯୋଗ ଦେବେ। ଏଥିସହ ମେଲୋଡି ଏବଂ ଝୁମର ନାଚ ଦର୍ଶକ ଙ୍କୁ ବାନ୍ଧି ରଖିବ।

ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିବାରେ ଯୁବ ସାମ୍ବାଦିକ ରାକେଶ ପାଢ଼ୀ ଏବଂ ଯାଦୁନାଥ ସାମନ୍ତରାୟ ସହଯୋଗ କରିଥିଲେ। ଉକ୍ତ ପ୍ରେସ ମିଟରେ ଖୋର୍ଦ୍ଧା ଏବଂ ନୟାଗଡ ଉଭୟ ଜିଲ୍ଲାର ଗଣ ମାଧ୍ୟମ ପ୍ରତିନିଧି ଉଭୟ ଇଲୋକ୍ଟ୍ରୋନିକ୍ସ ଏବଂ ପ୍ରିଣ୍ଟ ମିଡ଼ିଆର ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ରାଜସୁନାଖଳା ମହୋତ୍ସବ ‘କାଉଁରୀ ୨୦୨୩’ ପ୍ରସ୍ତୁତି ବୈଠକ

ରଣପୁର: ରାଜସୁନାଖଳା ମହୋତ୍ସବ କମିଟିର ପୂର୍ବପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ସମସ୍ତ ସଦସ୍ୟଙ୍କ ଗହଣରେ ରାଜସୁନାଖଳାର ଅଧିଷ୍ଠାତ୍ରୀ ଦେବୀ ମା’ କାଉଁରୀଙ୍କ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ ହୋଇଥିଲା।

ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ଉପଦେଷ୍ଟା ମଣ୍ଡଳି, ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ସଦସ୍ୟ, କାର୍ଯ୍ୟକାରୀ ସଦସ୍ୟ ଏବଂ ଆଜୀବନ ସଦସ୍ୟ ଉପସ୍ଥିତ ରହିଥିଲେ। ରାଜସୁନାଖଳା ଅଞ୍ଚଳର କଳା, ସାହିତ୍ୟ ଏବଂ ସଂସ୍କୃତିର ବିକାଶ ନିମନ୍ତେ ଚଳିତ ବର୍ଷ ଡିସେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ମହୋତ୍ସବ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟ ଏବଂ ଜାତୀୟ ସ୍ତରୀୟ କଳାକାର ମାନଙ୍କୁ ଆମନ୍ତ୍ରଣ କରାଯିବା ସହିତ ବିଭିନ୍ନ ଦିନରେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଧାରାବାହିକ ସେଲିବ୍ରେଟି ମାନଙ୍କୁ ନିମନ୍ତ୍ରିତ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା।

ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସ୍ଥାନୀୟ କଳାକାର ମାନଙ୍କୁ ଚୟନ ପାଇଁ କମିଟିର ସାଂସ୍କୃତିକ ସମ୍ପାଦକ ମତ ରଖିଥିଲେ। ଚଳିତ ବର୍ଷ ଆସାମ ଏବଂ ମେଘାଳୟ ରୁ କଳାକାର ଦଳ ଆସି ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିବାବେଳେ ଉପାଧ୍ୟକ୍ଷ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉପଦେଷ୍ଟା ପ୍ରଦୀପ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ତଥା ଶାନ୍ତି ଶୃଙ୍ଖଳା କମିଟି ପକ୍ଷରୁ ଶୃଙ୍ଖଳା କୁ ଗୁରୁତ୍ୱ ଦେବାପାଇଁ ଦୃଢ଼ତା ପ୍ରକାଶ କରାଯାଇଛି।

ସଭା ଶେଷରେ ଅଧ୍ୟକ୍ଷଙ୍କ ପକ୍ଷରୁ କମିଟି ମିଡ଼ିଆ ସେଲ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।