Categories
ଆଜିର ଖବର ରାଜ୍ୟ ଖବର

ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ୭ମ ଶ୍ରୀଜଗନ୍ନାଥ ମହୋତ୍ସବ: ମା’ଭଗବତୀଙ୍କ ପୀଠରେ ପ୍ରଥମ ନିମନ୍ତ୍ରଣ

ବାଣପୁର: ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ଯବନମାନଙ୍କ ବାରମ୍ବାର ଆକ୍ରମଣ କାଳରେ ଦାରୁ ବ୍ରହ୍ମଙ୍କୁ ବିଭିନ୍ନ ସ୍ଥାନରେ ରଖି ଗୋପନ ଲୀଳା ପ୍ରକାଶ କରାଯାଇଥିଲା। ଆକ୍ରମଣପୂର୍ବରୁ ଡ଼ଗରମାନଙ୍କଠାରୁ ସୂଚନା ପାଇଁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ପାଇକ ସୈନ୍ୟ ଓ ସେବାୟତମାନେ ଚ଼ତୁର୍ଦ୍ଧାମୂର୍ତ୍ତିଙ୍କୁ ନିଳାଦ୍ରୀ ମଣ୍ଡପରୁ ଓଲାଗି କରାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୋପ୍ୟ କରାଯାଇଥିବାର କଥା ମାଦଳାପାଞ୍ଜିରୁ ଜଣା ପଡେ।

ସେହି ଅନୁସାରେ ପ୍ରଭୁ ଦାରୁ ବୁହ୍ମଙ୍କୁ ୭ ଥର କେବଳ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୀଳାଖେଳା କରାଯାଇ ଥିବାର ସ୍ମୃତି ଏବେ ମଧ୍ୟ ରହିଛି। ଚିଲିକାର ଗୁରୁବାଇ, ଚ଼ଡ଼େଇ ହଗା, ନଇରୀର ହରିହରେଶ୍ଵର ମନ୍ଦିର, ଚିଲିକାର କାଙ୍କଣକୁଦ, ଗବପଦର, ନିଳାଦ୍ରୀ ପ୍ରସାଦ ର ଘଞ୍ଚ ଅରଣ୍ୟ, ଅନ୍ଧାରୀ ମହିମ, ( ବର୍ତ୍ତମାନ ଅଳନ୍ଦା ନିକଟବର୍ତ୍ତି ଅନ୍ଧାରି ପାହାଡ ବୋଲି କେତେକ ଗବେଷକ କହନ୍ତି) ସାହାସପୁର, ବଡ଼ହନ୍ତୁ ଆଡ଼ ଇତ୍ୟାଦି ସ୍ଥାନ ପ୍ରଭୁଙ୍କ ଗୋପନ ରହଣି ସ୍ଥଳ ଭାବରେ ପରିଚିତ ହୋଇ ପରବର୍ତ୍ତୀକାଳରେ ଲୀଳାକ୍ଷେତ୍ରର ମାନ୍ୟତା ଲାଭ କରିଛି।

ବିଶେଷକରି ଚିଲିକାର ନଇରୀ ବଉଳା ବନ୍ଧ ଉପକଣ୍ଠରେ ଥିବା ଚିଲିକା ଜଳଘେରି କାଙ୍କଣକୁଦ ଯାହା କାଙ୍କଣ ଶିଖରୀ ଭାବରେ ପରିଚିତ ସେହିଠାରେ ଦାରୁ ବିଗ୍ରହମାନଙ୍କୁ ୪ ମାସ ଧରି ରଖାଯାଇ ମଣୋହିରେ କାଙ୍କଣ ଫଳ ଲାଗି କରାଯାଇଥିବାର କଥା ସେଠାର ମାଟିତଳୁ ମିଳିଥିବା ପ୍ରଭୁଙ୍କ ସେବାରେ ଲାଗିଥିବା ବିଭିନ୍ନ ଦ୍ରବ୍ୟରୁ ଜଣାପଡ଼େ। ସେ ମାଟିର ବାସ୍ନା ଏବେ ମଧ୍ୟ ଚନ୍ଦନ କର୍ପୁରର ମହକ ପରିବାସୁଥିବାର ଜଣାପଡ଼ିବା ପରେ ସେହି ପବିତ୍ରପୀଠକୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଲା। ଏପରିକି ଗଜପତି ମହାରାଜା ଦିବ୍ୟସିଂହ ଦେବ , ଦଇତାପତି ସେବକ, ପୂଜାପଣ୍ଡା, ମହାସୁଆର, ପୁରୀର ମଠ ମନ୍ଦିରର ମହନ୍ତ, ଶ୍ରୀ ମନ୍ଦିର ପ୍ରଶାସନ, ସାଧୁ ସନ୍ଥ ଓ ଇତିହାସ ଗବେଷକମାନେ ମଧ୍ୟ ସେଠାରେ ପହଞ୍ଚି ସେହି ସ୍ଥାନକୁ ନିରୀକ୍ଷଣ କରି ପ୍ରଭୁଙ୍କ ପ୍ରଧାନ ଲୀଳାକ୍ଷେତ୍ର ଭାବରେ ମାନ୍ୟତା ପ୍ରଦାନକରିବା ପରେ ସେହିଦିନଠାରୁ ସେଠାରେ ସ୍ଥାନୀୟ ଜଗନ୍ନାଥ ପ୍ରେମୀଙ୍କ ସହଯୋଗରେ ଶ୍ରୀଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି।

ଚଳିତବର୍ଷ ୭ ମ ମହୋତ୍ସବ ଚଳିତ ମାଘ ଶୁକ୍ଳ ନବମୀ ଗୁରୁବାର ତା-୬-୨-୨୫ରିଖରୁ ଆରମ୍ଭ ହୋଇ ତା୯-୨-୨୫ ରିଖରବିବାର ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚିଲିକା ବାଣପୁର ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ସମିତି ଓ ଲୀଳକ୍ଷେତ୍ର କାଙ୍କଣ ଶିଖରୀ ଉନ୍ନୟନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଶିଖରୀଠାରେ ୪ଦିନ ଧରି ମହାଯଜ୍ଞ, ସାଧୁସଂନ୍ଥ, ମଠାଧୀଶ, ‘ଶ୍ରୀଜଗନ୍ନାଥଙ୍କ ପ୍ରମୁଖ ସେବକ, ଇତିହାସ ଗବେଷକ, କବି ସାହିତ୍ୟିକ, ରାଜନୈତିକ ନେତୃମଣ୍ଡଳୀଙ୍କ ସମାଗମ, ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବଚନ, ଭଜନ କୀର୍ତ୍ତନ ଇତ୍ୟାଦି ବିରାଟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଚଳିତ ବର୍ଷର ବିଶେଷ ଆକର୍ଷଣ କେବଳ ନିମ ଦାରୁରେ ନିର୍ମିତ୍ତ ଶ୍ରୀଜଗନ୍ନାଥଙ୍କ ୨୪ ବେଶର ଦାରୁ ବିଗ୍ରହ ସେଠାରେ ସ୍ଥାପନ କରାଯାଇ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ର ଶୁଭ ଉଦ୍ ଘାଟନ ହେବ। ଶ୍ରୀପଞ୍ଚମୀରେ ଟ୍ରଷ୍ଟର ପ୍ରମୁଖ ଡ଼ା.ସୁଶାନ୍ତ କୁମାର ସାହୁ, ସଭାପତି ହାଡ଼ିବନ୍ଧୁ ପଟ୍ଟନାୟକ,ଶ୍ରଦ୍ଧାଳୁ ଚ଼ିନ୍ମୟ ଘଡ଼ାଇ ନିମନ୍ତ୍ରଣ ପତ୍ର ଧରି ବାଣପୁରର ଆରାଧ୍ୟା ଦେବୀ, ମଙ୍ଗଳମୟୀ ମା’ଭଗବତୀଙ୍କ ପୀଠରେ ପହଞ୍ଚି ମହୋତ୍ସବର ମଙ୍ଗଳ କାମନା ନିମତ୍ତ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନିମନ୍ତେ ଶରଣାପର୍ଣ୍ଣ ହୋଇ ଗୁଆନଡ଼ିଆ ମହାପ୍ରସାଦ ଦେଇ ନିମନ୍ତ୍ରଣ ଅନୁକୂଳ କରିଥିଲେ।ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ,ପୂଜକ ସାଆନ୍ତ ପ୍ରକାଶ ମହାପାତ୍ର, ପାଳିଆ ମାଳି ସେବକ ସଂଜୟ ମହାପାତ୍ର, ପବିତ୍ର ନାୟକ ପ୍ରମୁଖ ନିମନ୍ତ୍ରଣଗ୍ରହଣ କରି ସ୍ୱୀକୃତ୍ତି ପ୍ରଦାନକରିବା ପରେ ଚିଲିକା ଓ ବାଣପୁର ମଣ୍ଡଳରେ ଥିବା ସମସ୍ଥ ଶ୍ରୀଜଗନ୍ନାଥ ମନ୍ଦିରକୁ ଗୁଆନିମନ୍ତ୍ରଣ ଆରମ୍ଭ ହୋଇଥିଲା ।

ମହାଯଜ୍ଞର ପ୍ରଥମ ଦିନ ୬ ତାରିଖ ଗୁରୁବାର ଅଧିବାସ ଅବସରରେ ମା’ଙ୍କ ଆଜ୍ଞାମାଳ ସହିତ ଦୁଇ ମଣ୍ଡଳର ସବୁ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଥାଟ ପଟୁଆରରେ ବାହାରି କାଙ୍କଣ ଶିଖରୀରେ ପହଞ୍ଚିବାପରେ ମହାଯଜ୍ଞ ଆରମ୍ଭ ହେବ ବୋଲି ଟ୍ରଷ୍ଟର ପ୍ରମୁଖ ଡ଼ା ସାହୁଙ୍କ ଠାରୁ ପ୍ରକାଶ ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଟାପୁରେ ନୌବିହାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ଘୋଷ ଯାତ୍ରା

ସୀତାରାମ ଅଗ୍ରୱାଲ
ବାଲୁଗାଁ: ପବିତ୍ର ରଥଯାତ୍ରା ଅବସରରେ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ଚିଲିକା ଟାପୁରେ ନୌବିହାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବାନୁମାନ ଅନୁସାରେ ୧୭୩୧ ମସିହାରେ ଜବନମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ କଙ୍କଣ ଶିଖରୀରେ ୪ ମାସ ୧୬ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାସ କରିଥିଲେ। ୨୦୧୪ ମସିହାରେ ଶ୍ରୀକ୍ଷେତ୍ର ପୁରୀରୁ ନନ୍ଦିଘୋଷ ରଥର ଚକ ଆଣି ଏଠାରେ ସ୍ଥାପନ କରିବା ପରଠୁ ଅର୍ଥାତ ନଅ ବର୍ଷ ଧରି ଚିଲିକାର ନୀଳ ଜଳରାଶିରେ ରଥ ଯାତ୍ରା ପାଳନ କରାଯାଉଛି।

ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ବିଧି ବିଧାନ ପରମ୍ପରା ଅନୁଯାୟୀ ଏଠାରେ ନୀତି କାନ୍ତି ସମ୍ପନ୍ନ ହେବା ପରେ, ତିନି ଠାକୁର ମନ୍ଦିରରୁ ବାହାରି ପହଣ୍ଡି ହେଇ କାଠ ଡଙ୍ଗାରେ ନିର୍ମିତ ରଥରେ ହୋମ ଯଜ୍ଞ ପରେ ରଥାରୂଢ ହୋଇ ଚିଲିକା ମଝିରେ ଥିବା କଙ୍କଣ ଶିଖରୀ ଟାପୁ ଚାରିପଟେ ଭ୍ରମଣ କରି ଭୋଗ ମଣ୍ଡପରେ ବିରାଜ କରିଥିଲେ। ଜଗନ୍ନାଥଙ୍କ ଭକ୍ତ ତଥା ଆଦ୍ୟ ସେବକ କୁମାଣ୍ଡଳପାଟଣାର ହାଡିବନ୍ଧୁ ପଟ୍ଟନାୟକ ଛେରା ପହଁରା କରିଥିଲେ। ସ୍ଥାନୀୟ ନଈରୀ ଓ ଆଖପାଖ ଅଞ୍ଚଳର ଭକ୍ତମାନଙ୍କ ସହଯୋଗରେ ଏହି ଅନନ୍ୟ ରଥ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଘଣ୍ଟ କାହାଳି, ହୁଳହୁଳିରେ ଫାଟି ପୁରା ଟାପୁ ଫାଟି ପଡୁଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଣରେ ଆଧ୍ୟାତ୍ମିକ ପରିବେଶରେ ପ୍ରଭୁଙ୍କ ଚିଲିକା ମଧ୍ୟରେ ପରିକ୍ରମା କରୁଥିଲେ।

ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ମାତ୍ର ଅହେତୁକ ଭକ୍ତଙ୍କ ସମାଗମରେ ଡଙ୍ଗାର ଆବଶ୍ୟକ ମୁତାବକ ନଥିବାରୁ ବହୁ ଭକ୍ତ ନିରାଶରେ ଫେରୁଥିବା ଦେଖିବାକୁ ମିଳିଥିଲା।

Categories
ଆଞ୍ଚଳିକ

କାଙ୍କଣ ଶିଖରୀରେ ରଥଯାତ୍ରାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ସ୍ଥାନ ପରିଦର୍ଶନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ସ୍ଥିତ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ପୂର୍ବାହ୍ନରେ ତହସିଲଦାର ଦିଲ୍ଲୀପ ଷଡ଼ଙ୍ଗୀ, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଏବଂ ନାଚୁଣି ଆଇଆଇସି ଚନ୍ଦ୍ର ଶେଖର ଜେନା ଉକ୍ତ ଅଞ୍ଚଳ ଗସ୍ତ କରି ବ୍ୟବସ୍ଥା ପରଖିଥିଲେ। ଏହି ଅବସରରେ ଟ୍ରଷ୍ଟ ସମ୍ପାଦକ ସୁଶାନ୍ତ ସାହୁ ଚିଲିକା ହ୍ରଦରେ ନୌବିହାର ମାଧ୍ୟମରେ ଅନୁଷ୍ଠିତ ରଥଯାତ୍ରାର ବିସ୍ତୃତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଆସନ୍ତାକାଲି ରଥଯାତ୍ରାରେ ଟାପୁମଧ୍ୟକୁ ବିଗ୍ରହମାନଙ୍କୁ ନିରାପଦ ଭାବେ ନେବା ପାଇଁ ଡଙ୍ଗା ମାଲିକମାନଙ୍କୁ ସଚେତନ କରାଯାଇଥିଲା।

ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ନିୟୋଜିତ ରହିବେ।ଏଥିସହିତ ଆସନ୍ତାକାଲି ସମସ୍ତ ଭକ୍ତଙ୍କୁ ପ୍ରଶାସନ ପକ୍ଷରୁ ମାଗଣା ପ୍ରସାଦ ମଧ୍ୟ ବଣ୍ଟନ କରାଯିବ। ଅନୁରୂପ ଭାବେ ଟାପୁ ଚତୁଃପାର୍ଶ୍ଵକୁ ସଫା କରିବା ପାଇଁ ଧୀବରମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି। ଭିଡ଼ ନିୟନ୍ତ୍ରଣ,ପାର୍କିଂ,ଚିକିତ୍ସା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଯାହାଫଳରେ ସମସ୍ତ ଭକ୍ତଙ୍କୁ ଏହି ଅନନ୍ୟ ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିବା ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ କହିଛନ୍ତି।