କାଙ୍କଣ ଶିଖରୀରେ ରଥଯାତ୍ରାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ସ୍ଥାନ ପରିଦର୍ଶନ

Published: Jun 19, 2023, 9:12 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ନଇରୀ ସ୍ଥିତ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ପୂର୍ବାହ୍ନରେ ତହସିଲଦାର ଦିଲ୍ଲୀପ ଷଡ଼ଙ୍ଗୀ, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଏବଂ ନାଚୁଣି ଆଇଆଇସି ଚନ୍ଦ୍ର ଶେଖର ଜେନା ଉକ୍ତ ଅଞ୍ଚଳ ଗସ୍ତ କରି ବ୍ୟବସ୍ଥା ପରଖିଥିଲେ। ଏହି ଅବସରରେ ଟ୍ରଷ୍ଟ ସମ୍ପାଦକ ସୁଶାନ୍ତ ସାହୁ ଚିଲିକା ହ୍ରଦରେ ନୌବିହାର ମାଧ୍ୟମରେ ଅନୁଷ୍ଠିତ ରଥଯାତ୍ରାର ବିସ୍ତୃତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଆସନ୍ତାକାଲି ରଥଯାତ୍ରାରେ ଟାପୁମଧ୍ୟକୁ ବିଗ୍ରହମାନଙ୍କୁ ନିରାପଦ ଭାବେ ନେବା ପାଇଁ ଡଙ୍ଗା ମାଲିକମାନଙ୍କୁ ସଚେତନ କରାଯାଇଥିଲା।

ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ୍ ଫୋର୍ସ ନିୟୋଜିତ ରହିବେ।ଏଥିସହିତ ଆସନ୍ତାକାଲି ସମସ୍ତ ଭକ୍ତଙ୍କୁ ପ୍ରଶାସନ ପକ୍ଷରୁ ମାଗଣା ପ୍ରସାଦ ମଧ୍ୟ ବଣ୍ଟନ କରାଯିବ। ଅନୁରୂପ ଭାବେ ଟାପୁ ଚତୁଃପାର୍ଶ୍ଵକୁ ସଫା କରିବା ପାଇଁ ଧୀବରମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି। ଭିଡ଼ ନିୟନ୍ତ୍ରଣ,ପାର୍କିଂ,ଚିକିତ୍ସା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଯାହାଫଳରେ ସମସ୍ତ ଭକ୍ତଙ୍କୁ ଏହି ଅନନ୍ୟ ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିବା ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ କହିଛନ୍ତି।

Related posts