Categories
ଆଜିର ଖବର ଜାତୀୟ ଖବର ସିନେମା

କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତର ଅଂଶଗ୍ରହଣ ନେଇ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତର ଅଂଶଗ୍ରହଣ ନେଇ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍‍ ମୁରୁଗନ୍‌ ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ବସୁଧୈବ କୁଟୁମ୍ବକମ୍‍ର ଆବେଗ ସହିତ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ୭୬ ତମ ସଂସ୍କରଣରେ ଅଂଶଗ୍ରହଣ କରିବ। ‘ଗୋଟିଏ ବିଶ୍ୱ ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ’ ବିଚାର ହେଉଛି ଆମ ସମୃଦ୍ଧ ଭାରତୀୟ ସଂସ୍କୃତିର ମୂଳଦୁଆ। କାନ୍ସରେ ଭାରତୀୟ ପ୍ରତିନିଧୀଙ୍କ ନେତୃତ୍ୱ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଭାରତରୁ ଆସିଥିବା ଚଳଚ୍ଚିତ୍ର ଗୁଡିକ ସମୃଦ୍ଧ ଏବଂ ବିବିଧତା ସହ ବିଶ୍ୱ ଭ୍ରମଣ କରୁଛି। “ଆରଆରଆର” ଏବଂ “ଦି ଏଲିଫାଣ୍ଟ ହ୍ୱିସପର୍ସ” ର ଓସ୍କାର ସଫଳତା ଭାରତୀୟ ଚଳଚ୍ଚିତ୍ରର ସମୃଦ୍ଧତାକୁ ଦର୍ଶାଉଛି।

ଆମର ଚଳଚ୍ଚିତ୍ର ଏବଂ ଚଳଚ୍ଚିତ୍ର ର୍ନିମାତା ସମଗ୍ର ବିଶ୍ୱରେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ଗଠନରେ ଅତୁଳନୀୟ ସହଯୋଗ କରୁଛନ୍ତି। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଢ ନେତୃତ୍ୱରେ ଭାରତ ସକ୍ରିୟ ଭାବରେ ଲୋକାଲ ଟୁ ଗ୍ଲୋବାଲ ମିଶନକୁ ବିଶ୍ୱବ୍ୟାପୀ ଉପସ୍ଥାପନ କରୁଛି। ଗତ ବର୍ଷ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତକୁ ‘କଣ୍ଟ୍ରି ଅଫ୍‍ ଅନର’ ଭାବରେ ସମ୍ମାନିତ କରାଯାଇଥିଲା। ଭାରତରେ ବିଦେଶୀ ଚଳଚ୍ଚିତ୍ର ସୁଟିଂ ଏବଂ ଚଳଚ୍ଚିତ୍ରର ମୂଳ ପ୍ରସ୍ତୁତି ପାଇଁ ଆମେ ପ୍ରୋତ୍ସାହନମୂଳକ ଯୋଜନା ଘୋଷଣା କରିଛୁ। ମୁଁ ଏହା ଘୋଷଣା କରି ଖୁସି ଯେ, ଆମେରିକାର ଏକ ଆନ୍ତର୍ଜାତୀୟ ପ୍ରକଳ୍ପ “ଦି ଇନହେରିଟାନ୍ସ” ପ୍ରକଳ୍ପକୁ ପ୍ରଥମ ଚଳଚ୍ଚିତ୍ର ସୁଟିଂ ପ୍ରୋତ୍ସାହନ ଅନୁଦାନ ମଞ୍ଜୁର କରାଯାଇଛି ଏବଂ ଏପରି ବହୁ ପ୍ରକଳ୍ପ ଧାଡିରେ ରହିଛନ୍ତି।

ବ୍ୟବସାୟ କରିବାର ସହଜତା ଭାରତକୁ ଅନେକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରକଳ୍ପକୁ ଆକର୍ଷିତ କରିଛି। ଭାରତ ବର୍ତ୍ତମାନ ୧୬ ଟି ଦେଶ ସହିତ ସହ-ଉତ୍ପାଦନ ଚୁକ୍ତି କରିଛି । ଅଧିକନ୍ତୁ, ଅଡିଓ-ଭିଜୁଆଲ୍ ସହ-ଉତ୍ପାଦନ ଚୁକ୍ତିନାମା ସ୍ୱାକ୍ଷର ପାଇଁ ୨୦ ରୁ ଅଧିକ ଦେଶ ଭାରତ ସହିତ ବୁଝାମଣାର ଏକ ଉନ୍ନତ ପର୍ଯ୍ୟାୟରେ ଅଛନ୍ତି। କାନ୍ସ ଉତ୍ସବର ପ୍ଲାଟଫର୍ମକୁ ଅନ୍ୟ ଦେଶର ସମାନ ଚଳଚ୍ଚିତ୍ର ଆୟୋଗଙ୍କ ସହ ଆଲୋଚନା ପାଇଁ ବ୍ୟବହାର କରିବାକୁ ଆମେ ଆଶା ରଖିଛୁ। ଚାରିଟି ଭାରତୀୟ ଚଳଚ୍ଚିତ୍ର ଏହାକୁ କାନ୍ସ ଚଳଚିତ୍ର ଉତ୍ସବର ଅଫିସିଆଲ୍ ବିଭାଗରେ ସ୍ଥାନିତ କରିଛି। ଏହା ବ୍ୟତୀତ ମାର୍ଚ୍ଚ ଡୁ ଫିଲ୍ମରେ ସ୍କ୍ରିନିଂ ପାଇଁ ଅନେକ ଭାରତୀୟ ଚଳଚ୍ଚିତ୍ର ଚୟନ କରାଯାଇଛି ଯାହା କାନ୍ସ ବର୍ଗରେ ପ୍ରଦର୍ଶିତ ହେଉଥିବା ଭାରତୀୟ ଚଳଚ୍ଚିତ୍ରର ବଢୁଥିବା ପ୍ରଭାବକୁ ଦର୍ଶାଉଛି। କାନ୍ସରେ ଥିବା ଭାରତୀୟ ପାଭିଲିୟନରେ ଭାରତୀୟ ସଂସ୍କୃତିର ବିଷୟବସ୍ତୁ ପ୍ରଦର୍ଶିତ ହେବ। ଏହାର ଡିଜାଇନ୍ ଉପାଦାନଗୁଡିକ ସରସ୍ୱତୀ ଯନ୍ତ୍ର ଦ୍ୱାରା ଅନୁପ୍ରାଣିତ ଏବଂ ରଙ୍ଗଗୁଡ଼ିକ ଭାରତର ଜାତୀୟ ପତାକାର ରଙ୍ଗରୁ ପ୍ରେରଣା ପାଇଥାଏ। ଭାରତୀୟ ପାଭିଲିୟନ ଭାରତୀୟ ଚଳଚ୍ଚିତ୍ର ର୍ନିମାତାମାନଙ୍କ ପାଇଁ ଏକ ହବ୍ ଭାବରେ କାର୍ଯ୍ୟ କରିବ।

ଭାରତୀୟ ଚଳଚ୍ଚିତ୍ର ର୍ନିମାତାମାନେ ଏକାଠି ହୋଇ ପରସ୍ପର ସହିତ ଏବଂ ଅନ୍ୟ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ର୍ନିମାତାମାନଙ୍କ ସହିତ ଯୋଗାଯୋଗ କରିବେ। ସମଗ୍ର ଭାରତୀୟ ପାଭିଲିୟନରେ ଚଳଚିତ୍ର ଉପରେ ପାରସ୍ପାରିକ ଆଲୋଚନା ଅଧିବେଶନ, ସଂପୂର୍ଣ୍ଣ ଚଳଚ୍ଚିତ୍ରର ଗନ୍ତବ୍ୟସ୍ଥଳ ଏବଂ ସହ-ଉତ୍ପାଦନ ଭାବରେ ଭାରତର ପ୍ରଦର୍ଶନ ଉପରେ ଅଧିବେଶନ ଆୟୋଜିତ ହେବ  ଭାରତରେ ଫୋଷ୍ଟର ଚଳଚ୍ଚିତ୍ର ବିଶ୍ୱ ଚଳଚ୍ଚିତ୍ର ଆୟୋଗ ସହିତ ଜଡିତ। ଏହା କେବଳ ଆମ ଚଳଚ୍ଚିତ୍ର କ୍ଷେତ୍ରର ଅଭିବୃଦ୍ଧିରେ ଉତ୍ସାହ ଦେବ ନାହିଁ ବରଂ ଦେଶରେ ପର୍ଯ୍ୟଟନକୁ ବହୁଗୁଣିତ କରିବାର ସାମର୍ଥ୍ୟ ମଧ୍ୟ ରଖିଛି। ଗତ ବର୍ଷ କାନ୍ସରେ ଘୋଷିତ ପ୍ରୋତ୍ସାହନ ଭାରତକୁ ଅଧିକ ଚଳଚ୍ଚିତ୍ର ର୍ନିମାତା ଆଣିବା ପାଇଁ ଯୋଜନା କରିବ।

ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ଚଳଚ୍ଚିତ୍ର ବଜାର ଏବଂ ଉତ୍ସବଗୁଡିକ ଆମର ନିଜର ଆଇଏଫ୍‍ଏଫ୍‍ଆଇ ପାଇଁ କ୍ଷେତ୍ର ପ୍ରସ୍ତୁତ ସହିତ ନିୟୋଜିତ ହେବେ। ଆମେ ବିଶ୍ୱର ଚଳଚ୍ଚିତ୍ର ର୍ନିମାତାମାନଙ୍କୁ କାନ୍ସରେ ଭାରତୀୟ ପାଭିଲିୟନ ପରିଦର୍ଶନ କରିବାକୁ ଏବଂ ଭାରତୀୟ ଚଳଚ୍ଚିତ୍ର ର୍ନିମାତାମାନଙ୍କ ସହ ସହଯୋଗ, ଏହାର ଚଳଚ୍ଚିତ୍ର କାହାଣୀ, ଭାରତୀୟ କଳାର ସମୃଦ୍ଧତା, ସଂସ୍କୃତି ଏବଂ ସ୍ୱତନ୍ତ୍ର ବିଷୟବସ୍ତୁ ସୃଷ୍ଟି ପାଇଁ ସମନ୍ୱୟ ଗଠନ ବିଷୟରେ ନିମନ୍ତ୍ରଣ କରୁଛୁ।

Categories
ବିଶେଷ ଖବର ମନୋରଂଜନ

କାନ୍ସ ଚଳଚ୍ଚିତ୍ର ମହୋତ୍ସବର ବିପୁଳ ସଫଳତା କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ‘ସମ୍ମାନିତ ରାଷ୍ଟ୍ର’ ଭାବେ ଭାରତର ଅଂଶଗ୍ରହଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଅଂଶଗ୍ରହଣ ଏପରି ଏକ ସ୍ମରଣୀୟ ମୁହୂର୍ତ୍ତରେ ହେଉଛି ଯେତେବେଳେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରୁଛି, କାନ୍ସ ଚଳଚ୍ଚିତ୍ର ମହୋତ୍ସବର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଛି ଏବଂ ଭାରତ-ଫ୍ରାନ୍ସ କୂଟନୈତିକ ସମ୍ପର୍କକ ମଧ୍ୟ ୭୫ ବର୍ଷରେ ପଦାର୍ପଣ କରିଛି।

ଭାରତକୁ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପ୍ରଯୋଜନାକାରୀ ରାଷ୍ଟ୍ର ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଚଳଚ୍ଚିତ୍ର କ୍ଷେତ୍ରର ବହୁବିବିଧତା ଉଲ୍ଲେଖନୀୟ ଏବଂ ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ବିବିଧତା ଆମର ସାମର୍ଥ୍ୟ। ଭାରତରେ କହିବା ଲାଗି ଅନେକ କାହାଣୀ ରହିଛି ଏବଂ ବିଶ୍ବର କଣ୍ଟେଣ୍ଟ ହବ୍‌ (ବିଷୟବସ୍ତୁ କେନ୍ଦ୍ର) ହେବାର ଅପାର ସମ୍ଭାବନା ଦେଶରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଚଳଚ୍ଚିତ୍ର କ୍ଷେତ୍ରରେ ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସହପ୍ରଯୋଜନା ପାଇଁ ସୁବିଧା ଦେବା ଠାରୁ ଆରମ୍ଭ କରି ସାରା ଦେଶରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁମତି ଦେବା ନିମନ୍ତେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ, ବିଶ୍ବର ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଭାରତ ଅପାର ସମ୍ଭାବନା ଦେଇଛି।

ଭାରତ ଚଳିତ ବର୍ଷ ମହାନ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛି, ଏହି ଉପଲକ୍ଷେ ତାଙ୍କର ଏକ ପୁନରୁଦ୍ଧାର ହୋଇଥିବା ଚଳଚ୍ଚିତ୍ର କାନ୍ସ କ୍ଲାସିକ ବର୍ଗରେ ସ୍କ୍ରିନିଂ ହେବାକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

ପ୍ରଥମ ଥର ପାଇଁ ଚଳିତ ବର୍ଷ ଅନେକ କଥା ଘଟୁଛି, ଭାରତର ଷ୍ଟାର୍ଟଅପ୍ସମାନେ ଚଳଚ୍ଚିତ୍ର ଦୁନିଆକୁ ସେମାନଙ୍କର ସାମର୍ଥ୍ୟ ପ୍ରଦର୍ଶନ କରିବେ। ମହୋତ୍ସବ ପରିସରରେ ଭାରତୀୟ ପାଭିଲିୟନ ଭାରତୀୟ ଚଳଚ୍ଚିତ୍ର ଦୁନିଆର ବିଭିନ୍ନ ଦିଗ ପ୍ରଦର୍ଶିତ କରିବ ଏବଂ ଅନ୍ତର୍ଜାତୀୟ ସହଭାଗିତା ଓ ଅଧ୍ୟୟନକୁ ପ୍ରୋତ୍ସାହିତ କରିବ।

ପୃଷ୍ଟଭୂମି:  

ଫ୍ରାନ୍ସରେ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ୭୫ତମ ସଂସ୍କରଣ ଉପଲକ୍ଷେ ଆୟୋଜିତ ହେଉଥିବା ଆଗାମୀ ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ଭାରତକୁ ବିଧିବଦ୍ଧ ଭାବେ ସମ୍ମାନିତ ରାଷ୍ଟ୍ର ରୂପରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି। ସମ୍ମାନିତ ରାଷ୍ଟ୍ର ମାନ୍ୟତା ସହ ଭାରତର ଉପସ୍ଥିତିର ଅର୍ଥ ହେଉଛି ମାଜେଷ୍ଟିକ ବେଳାଭୂମିରେ ଆୟୋଜିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ଭାରତ, ଏହାର ଚଳଚ୍ଚିତ୍ର ଜଗତ, ସଂସ୍କୃତି ଓ ଐତିହ୍ୟ ଧ୍ୟାନର କେନ୍ଦ୍ରବିନ୍ଦୁ ହେବ।

କାନ୍ସ ନେକ୍ସଟରେ ମଧ୍ୟ ଭାରତକୁ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି, ଯାହା ଅଧୀନରେ ଅଡିଓ-ଭିଜୁଆଲ (ଦୃଶ୍ୟ-ଶ୍ରାବ୍ୟ) ଉଦ୍ୟୋଗରେ ୫ଟି ନୂଆ ଷ୍ଟାର୍ଟଅପକୁ ପ୍ରଦର୍ଶନର ସୁଯୋଗ ମିଳିବ। ୧୦ ଜଣ ପେସାଦାର ଆନିମେସନ ଡେ ନେଟୱର୍କିଂରେ ଅଂଶଗ୍ରହଣ କରିବେ। କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଚଳିତ ସଂସ୍କରଣରେ ଭାରତର ଅଂଶଗ୍ରହଣର ସବୁଠୁ ଉଲ୍ଲେଖନୀୟ ଦିଗ ହେଉଛି, ଏଥିରେ ଆର. ମାଧବନଙ୍କ ପ୍ରଯୋଜିତ ‘‘ରକେଟ୍ରୀ’’ ଚଳଚ୍ଚିତ୍ରର ୱାର୍ଲ୍ଡ ପ୍ରିମିୟର ହେବ। ଏହି ଚଳଚ୍ଚିତ୍ର ୧୯ ମେ ୨୦୨୨ରେ ପାଲାଇସ ଡେସ ମହୋତ୍ସବର ମାର୍କେଟ୍‌ ସ୍କ୍ରିନିଂରେ ପ୍ରଦର୍ଶିତ ହେବ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ବରେ ଅଂଶଗ୍ରହଣ କରିଥିବା ଭାରତୀୟ ପ୍ରତିନିଧି ଦଳରେ ଦେଶର ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ପ୍ରକାଶ ପାଇଲା କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି କାନ୍ସ ଚଳଚ୍ଚିତ୍ର ସମାରୋହରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା ଜାରି କରାଯାଇଛି। ଏହି ତାଲିକାରେ ‘ରକେଟ୍ରୀ’ ଚଳଚ୍ଚିତ୍ରକୁ ସାମିଲ କରାଯାଇଛି। ଆର. ମାଧବନ ଏ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହିତ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। କାନ୍ସର ଚଳିତ ସଂସ୍କରଣରେ ‘ରକେଟ୍ରୀ’ର ୱାର୍ଲ୍ଡ ପ୍ରିମିୟର ହେବ। ପାଲାଇସ୍‌ କେ. ଠାରେ ‘ରକେଟ୍ରୀ- ଦ ନାମ୍ବୀ ଇଫେକ୍ଟ’ର ପ୍ରିମିୟର ହେବ। ଅନ୍ୟ ଚଳଚ୍ଚିତ୍ରର ପ୍ରଦର୍ଶନ ଅଲିମ୍ପିଆ ଥିଏଟରରେ କରାଯିବ। ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ତାଲିକା ନିମ୍ନରେ ଦିଆଗଲା।

୧- ରକେଟ୍ରୀ – ଦ ନାମ୍ବୀ ଇଫେକ୍ଟ

ନିର୍ଦ୍ଦେଶକ : ଆର. ମାଧବନ

ନିର୍ମାତା : ଆର. ମାଧବନ

ଭାଷା : ହିନ୍ଦୀ, ଇଂରାଜୀ, ତାମିଲ

ସାରାଂଶ:

ରକେଟ୍ରୀ- ଦ ନାମ୍ବି ଇଫେକ୍ଟ ଚଳଚ୍ଚିତ୍ରରେ ନାମ୍ବି ନାରାୟଣନଙ୍କ ଜୀବନ କାହାଣୀ ପ୍ରଦର୍ଶିତ ହୋଇଛି ଯାହାକି ଲୋକପ୍ରିୟ ଚଳଚ୍ଚିତ୍ର ତାରକା ତଥା ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ଙ୍କ ଦ୍ବାରା  ଏକ ଟିଭି ସାକ୍ଷାତକାରରେ ପରିପ୍ରକାଶ ହୋଇଛି। ନିଜର ପ୍ରତିଭା ଏବଂ ଉଚ୍ଚାଭିଳାଷ କାରଣରୁ ନାମ୍ବି ନାରାୟଣନଙ୍କୁ ଅନେକ ଶତ୍ରୁତା ଓ ବିରୋଧର ସମ୍ମୁଖିନ ହେବାକୁ ପଡ଼ିଥିଲା। ଏସବୁ ଦିଗ ତାଙ୍କୁ ଜଣେ ଆକର୍ଷଣୀୟ ତଥା ଆଧୁନିକ ନାୟକରେ ପରିଣତ କରିଥିଲା। ନିରବ ହୋଇ ସମାଜରେ ରହି ଉପଲବ୍ଧି ହାସଲ କରିବା ଏବଂ ଆଗକୁ ଯାଇ ଅଧିକ ସଫଳତା ହାସଲ କରିବାର ଜଣେ ବ୍ୟକ୍ତିଙ୍କ ଜୀବନ ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି। ନାମ୍ବି ନାରାୟଣନ ହୁଅନ୍ତୁ କିମ୍ବା ଗରିବ ପିଲାମାନଙ୍କୁ ଶିକ୍ଷା ଦେଉଥିବା ଶିକ୍ଷକ, ସୀମାରେ ନିୟୋଜିତ ସୈନିକ, ଦୂରବର୍ତ୍ତୀ ଗାଁରେ ସେବା ଦେଉଥିବା ଡାକ୍ତର, କିମ୍ବା ଦରିଦ୍ରମାନଙ୍କର ସେବା କରୁଥିବା ସ୍ବେଚ୍ଛାସେବୀ, ପ୍ରତ୍ୟେକ ସ୍ବତନ୍ତ୍ର ଯୋଗଦାନକାରୀଙ୍କୁ ଚିହ୍ନିବା ଏବଂ ସେମାନଙ୍କୁ ସମ୍ମାନ ଦେବା ଲାଗି ଏ ଚଳଚ୍ଚିତ୍ର ଦର୍ଶକଙ୍କୁ ଆହ୍ବାନ କରିଛି। ଚଳଚ୍ଚିତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚରାଯାଇଛି – ଆମେ ନିର୍ଦ୍ଦୋଷ ଓ ଶକ୍ତିହୀନଙ୍କ ପାଇଁ ଶକ୍ତିଶାଳୀ ଲୋକମାନଙ୍କ ଆଧିପତ୍ୟ ବିରୋଧରେ କାହିଁକି ଛିଡ଼ା ହୋଇନଥାଉ? କେବଳ ନାମ୍ବି ନୁହନ୍ତି, ଏମିତି ମୌନ ରହି ଉପଲବ୍ଧି ହାସଲ କରୁଥିବା ହଜାର ହଜାର ଲୋକ ରହିଛନ୍ତି, ସେମାନେ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ।

ଏସବୁ କାହାଣୀ-ଜାଣିବା ଶୁଣିବାର ଆବଶ୍ୟକତା ରହିଛି। ଏହା ନାମ୍ବିଙ୍କ ଠାରୁ ଆରମ୍ଭ ହୋଇଛି, କିନ୍ତୁ ଏହା କେବଳ ଏକ ଆରମ୍ଭ।

୨- ଗୋଦାବରୀ:

ନିର୍ଦ୍ଦେଶକ: ନିଖିଲ ମହାଜନ

ନିର୍ମାତା: ବ୍ଲୁ ଡ୍ରପ୍‌ ଫିଲ୍ମସ୍‌ ପ୍ରାଇଭେଟ୍‌ ଲିମିଟେଡ

ଭାଷା: ମରାଠୀ

ସାରାଂଶ:

ଏହା ନିଶିକାନ୍ତ ଦେଶମୁଖଙ୍କ କାହାଣୀ – ଯିଏକି ଏକ ନଦୀ କୂଳରେ ନିଜ ପରିବାର ସହିତ ଏକ ପୁରୁଣା ବଙ୍ଗଳାରେ ରହିଥାନ୍ତି । ଅନେକ ପିଢ଼ି ଧରି ନିଶି ଓ ତାଙ୍କ ପରିବାର ଭଡ଼ା ଅସୁଲ କରିବା କାମ କରୁଛନ୍ତି । ତାଙ୍କ ପାଖରେ ସହରର ପୁରୁଣା ପାର୍ଶ୍ବରେ ଅନେକ ସମ୍ପତ୍ତି ରହିଛି । ତାଙ୍କର ଜେଜେବାପା ନରୋପନ୍ତ ଡିମେନସିୟା ରୋଗରେ ପୀଡ଼ିତ, ତାଙ୍କ ପିତା ନୀଳକାନ୍ତଙ୍କୁ ଭୂଲାରୋଗ ରହିଛି ।

ଏ ପରିବାରର ବର୍ତ୍ତମାନର ବଂଶଜ ରୂପରେ, ନିଶିକାନ୍ତ ନିଜ ଜୀବନକୁ ନେଇ ନିରାଶ ହୋଇଯାଇଛନ୍ତି । ସେ ପୁରୁଣା ସହରର ଚାଲିଚଳଣିକୁ ଘୃଣା କରିଥାନ୍ତି, ସେ ନିଜ ଜୀବନର ତୁଚ୍ଛତାକୁ ନେଇ ଘୃଣା କରିଥାନ୍ତି, ସେ ଏହାକୁ ନେଇ ମଧ୍ୟ ଘୃଣା କରିଥାନ୍ତି ଯେ ସେ ଅକ୍ଷମ ଅଟନ୍ତି- କିନ୍ତୁ ଅଧିକାଂଶ ଭାରତୀୟ ପୁରୁଷଙ୍କ ଭଳି ସେ ନିଜ ଘୃଣାକୁ ନିଜ ଭିତରେ ସମାହିତ କରିଥାନ୍ତି ଏବଂ ସାରା ଦୋଷ ଭଡ଼ାଟିଆ ଏବଂ ସହର ଭଳି କାରଣକୁ ଦେଇଥାନ୍ତି, ଯେଉଁମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଦୋଷମୁକ୍ତ ମଧ୍ୟ କୁହାଯାଇପାରିବ ନାହିଁ । ନିଶିକାନ୍ତ ଭଡ଼ା ଅସୁଲ କରିଥାନ୍ତି ଏବଂ ନଦୀ ଠାରୁ ଦୂରରେ ନିଜର ଛୋଟ ଆପାର୍ଟମେଣ୍ଟରେ ଭିଡ଼ିଓ ଗେମ୍‌ ଖେଳିଥାନ୍ତି । ନିଜ ଜୀବନକୁ ସେ ଅର୍ଥହୀନ ବୋଲି ଭାବି ବିତାଇଥାନ୍ତି।

୩- ଅଲଫା ବୀଟା ଗାମା:

ନିର୍ଦ୍ଦେଶକ: ଶଙ୍କର ଶ୍ରୀକୁମାର

ନିର୍ମାତା: ଛୋଟୀ ଫିଲ୍ମ ପ୍ରଡକ୍ସନ

ଭାଷା: ହିନ୍ଦୀ

ସାରାଂଶ

ନିର୍ଦ୍ଦେଶନା କ୍ଷେତ୍ରରେ ଜୟଙ୍କ କ୍ୟାରିୟର ନିରନ୍ତର ଉଚ୍ଚତା ଆଡ଼କୁ ଆଗକୁ ବଢ଼ୁଛି କିନ୍ତୁ, ତାଙ୍କର ବୈବାହିକ ଜୀବନ ସଙ୍କଟରେ ପଡ଼ିଛି । ସେ ନିଜ ପ୍ରେମିକା କାୟରାଙ୍କ ସହିତ ଜୀବନ ଆଗକୁ ବଢ଼ାଇବା ଲାଗି ଚେଷ୍ଟା କରୁଛନ୍ତି । ତାଙ୍କ ପତ୍ନୀ ମୀତାଲି ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି ଏବଂ ଇଞ୍ଜିନିୟର ପ୍ରେମିକ ରବିଙ୍କୁ ବାହା ହେବାକୁ ଇଚ୍ଛା କରୁଛନ୍ତି । ଏମାନଙ୍କ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି।

୪- ବୁମ୍ବା ରାଇଡ୍:

ନିର୍ଦ୍ଦେଶକ: ବିଶ୍ବଜିତ୍‌ ବୋରା

ନିର୍ମାତା: କ୍ବାଟରମୁନ୍‌ ପ୍ରଡକ୍ସନ

ଭାଷା: ମିଶିଙ୍ଗ

ସାରାଂଶ:

ଗଡ଼ ଅନ୍‌ ଦ ବାଲକୋନୀର ନିର୍ଦ୍ଦେଶକ ବିଶ୍ବଜିତ ବୋରାଙ୍କ ବୁମ୍ବା ରାଇଡ୍‌ ଭାରତର ଗ୍ରାମୀଣ ଶିକ୍ଷା ପ୍ରଣାଳୀରେ ବ୍ୟାପି ରହିଥିବା ଦୁର୍ନୀତିକୁ ନେଇ ଆଧାରିତ ଏକ ସମାଲୋଚନାଧର୍ମୀ ହାସ୍ୟ ବ୍ୟଙ୍ଗ ଚଳଚ୍ଚିତ୍ର – ଏହା ଆଠ ବର୍ଷର ଏମିତି ଜଣେ ବାଳକ (ନବୋଦିତ ଇନ୍ଦ୍ରଜିତ ପେଗୁ, ଏକ ଉଲ୍ଲେଖନୀୟ ଭୂମିକାରେ)ର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଯିଏକି ଗୋଳମାଳ କରି ଖେଳକୁ ନିଜ ପକ୍ଷରେ କରିବା ଲାଗି ଜାଣନ୍ତି । ଏକ ସତ୍ୟ ଘଟଣା ଉପରେ ଆଧାରିତ, ଏ ଚଳଚ୍ଚିତ୍ରକୁ ଆସାମର ବ୍ରହ୍ମପୁତ୍ର ନଦୀ ତଟରେ ଅଧିକାଂଶ ଅଣପେସାଦାର କଳାକାରଙ୍କୁ ନେଇ ଶୁଟିଂ କରାଯାଇଛି ।

୫- ଧୂଇଁ:

ନିର୍ଦ୍ଦେଶକ: ଅଚଳ ମିଶ୍ରା

ନିର୍ମାତା: ଅଚଳ-ଚିତ୍ର

ଭାଷା: ହିନ୍ଦୀ, ମରାଠୀ

ସାରାଂଶ:

ଅଭିନେତା ହେବାକୁ ଚାହୁଁଥିବା ପଙ୍କଜ ସ୍ଥାନୀୟ ନଗରପାଳିକା ପାଇଁ ପଥପ୍ରାନ୍ତ ନାଟକ କରି ପେଟ ପୋଷିଥାନ୍ତି। ତାଙ୍କର ବହୁତ ବଡ଼ ସ୍ବପ୍ନ ରହିଛି। ସେ ନିଜ ବନ୍ଧୁ ପ୍ରଶାନ୍ତଙ୍କ ସହିତ ମାସକ ଭିତରେ ମୁମ୍ବାଇ ଯିବାକୁ ଚାହୁଁଛନ୍ତି, ଏଥିପାଇଁ ସେ ଯଥେଷ୍ଟ ସଞ୍ଚୟ କରୁଛନ୍ତି। ଲକଡାଉନ ପରେ ତାଙ୍କ ଘରେ ଆର୍ଥିକ ସଙ୍କଟ ଦେଖାଦେଉଛି। ତାଙ୍କର ଅବସରପ୍ରାପ୍ତ ପିତା କୌଣସି ଏକ ଚାକିରି ସନ୍ଧାନରେ ରହିଛନ୍ତି। ଏମିତି ସବୁ କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି।

୬- ଟ୍ରି ଫୁଲ୍‌ ଅଫ ପ୍ୟାରୋଟ୍ସ:

ନିର୍ଦ୍ଦେଶକ: ଜୟରାଜ

ନିର୍ମାତା: ନବନୀତ ଫିଲ୍ମସ

ଭାଷା: ମଲୟାଲମ

ଆଠ ବର୍ଷର ବାଳକ ପୂଜନ କୌଣସି ସାଧାରଣ ବାଳକ ନଥିଲା। ଝରଣା କୂଳରେ ସେ ମାଛ ଧରିବା ଭଳି ଛୋଟ ଛୋଟ କାମ କରି ସେ ପେଟ ପୋଷୁଥିଲା ଓ ପରିବାର ଚଳାଉଥିଲା। ତା’ ପରିବାରରେ ମଦୁଆ ବାପା, ଜେଜେବାପା ଓ ଅଣଜେଜେବାପା ଥିଲେ। ଥରେ ସେ ନୌକା ନେଇ ନଦୀକୂଳରେ ବସିଥିବା ସମୟରେ ଜଣେ ଅନ୍ଧ ବ୍ୟକ୍ତିଙ୍କୁ ଭେଟିଥିବ। ଉକ୍ତ ଅନ୍ଧ ବ୍ୟକ୍ତିଙ୍କ ବିଷୟରେ ଅନୁସନ୍ଧାନ କରି ଜାଣିବାକୁ ଚେଷ୍ଟା କରି ପୂଜନ ନିରାଶ ହୋଇଥିବ। ଶେଷରେ ସେ ଏକ ଶୁଆ ଠାରୁ ‘ଶୁଆ ଭର୍ତ୍ତି ଥିବା ଗଛ’ ବିଷୟରେ ଶୁଣିବ। ସେହି ଗଛ ପାଖରେ ବୃଦ୍ଧଙ୍କ ଘର ଥିବ ଭାବି ସେ ତାଙ୍କୁ ସେଠାକୁ ନେଇଯିବ। କିନ୍ତୁ ଅନ୍ଧ ବୃଦ୍ଧଙ୍କ ପରିବାର ଲୋକମାନେ ତାଙ୍କୁ ବୋଝ ବୋଲି ଭାବୁଥିବେ ଏବଂ ପାଖରେ ରଖିବା ପାଇଁ ଚାହୁଁନଥିବେ। ଏହାପରେ ପୂଜନ ସେହି ବୃଦ୍ଧଙ୍କୁ ଧରି ନୌକାରେ ନିଜ ସାଥୀରେ ଫେରାଇ ଆଣିବା ଲାଗି ନିଷ୍ପତ୍ତି ନେବ। ଏହି କାହାଣୀକୁ ନେଇ ଟ୍ରି ଫୁଲ୍‌ ଅଫ ପ୍ୟାରୋଟ୍ସ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି।

Categories
ଆଜିର ଖବର ମନୋରଂଜନ

କାନ୍ସ ଚଳଚ୍ଚିତ୍ର ମହୋତ୍ସବ: ଚଳିତ ଥର ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପାଇବେ ଦେଶର ଏହି ଚଳଚ୍ଚିତ୍ର ତାରକା, ଜାଣନ୍ତୁ କିଏ?

ନୂଆଦିଲ୍ଲୀ: ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ ଥର ଭାରତୀୟ ଦର୍ଶକମାନଙ୍କ ନିମନ୍ତେ ଏକ ଚିତାକର୍ଷକ ଘଟଣା ହେବାକୁ ଯାଉଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ତାରକାମାନଙ୍କୁ ନେଇ ଯାଉଥିବା ପ୍ରତିନିଧିଦଳକୁ ଆସନ୍ତା ୧୭ତାରିଖ ଦିନ ମହୋତ୍ସବରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

କାନ୍ସରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭାରତର ପ୍ରତିନିଧିତ୍ୱ କରିବେ। ଦେଶରେ ସଙ୍ଗୀତ ଶିଳ୍ପର ଅନେକ ଏହି ପ୍ରତିନିଧି ଦଳରେ ରହିବେ।

ନିମ୍ନୋକ୍ତ ପ୍ରତିଷ୍ଠିତ କଳାକାରମାନେ ଏହି ପ୍ରତିନିଧି ଦଳରେ ଅଛନ୍ତି। ସେମାନେ ହେଲେ…

୧. ଅକ୍ଷୟ କୁମାର (ଅଭିନେତା ଓ ପ୍ରଯୋଜକ, ବଲିଉଡ)

୨.ଏ.ଆର ରେହମାନ (ଆନ୍ତର୍ଜାତିକ ସଙ୍ଗୀତ ନିର୍ଦ୍ଦେଶକ)

୩. ମାମେ ଖାଁ (ଲୋକ ସଙ୍ଗୀତ ପ୍ରଯୋଜକ ଓ ଗାୟକ)

୪. ନୱାଜ ଉଦ୍ଦିନ ସିଦ୍ଦିକ(ଅଭିନେତା, ବଲିଉଡ)

୫. ନୟନ ତାରା (ଅଭିନେତ୍ରୀ, ମାଲୟାଲମ, ତାମିଲ)

୬. ପୂଜା ହେଗଡେ (ଅଭିନେତ୍ରୀ, ହିନ୍ଦି, ତେଲୁଗୁ)

୭. ପ୍ରସୂନ ଯୋଶୀ (ଅଧ୍ୟକ୍ଷ ସିବିଏଫସି)

୮.ଆର ମାଧବନ (ଅଭିନେତା ଓ ପ୍ରଯୋଜକ) ୱାର୍ଲଡ ପ୍ରିମିୟମ ଅଫ ରକେଟେରୀ ଆଟ କାନ୍ସ

୯. ରିକି କେଜ (ସଙ୍ଗୀତ ପ୍ରଯୋଜକ)

୧୦. ଶେଖର କପୁର (ଚଳଚ୍ଚିତ୍ର ନିର୍ମାତା)

୧୧. ତମନ୍ନା ଭାଟିଆ(ଅଭିନେତ୍ରୀ ହିନ୍ଦି, ତେଲୁଗୁ ଓ ତାମିଲ ଚଳଚ୍ଚିତ୍ର)

୧୨. ବାଣୀ ତ୍ରିପାଠୀ (ଅଭିନେତ୍ରୀ)

ଚଳଚ୍ଚିତ୍ର ଜରିଆରେ ଭାରତରେ ବିବିଧତା, ସଂସ୍କୃତି, ଐତିହ୍ୟ, ଗାଥା ଓ ବିକାଶ ବାର୍ତ୍ତାକୁ ଲୋକଲୋଚନକୁ ଆଣିବା ଚଳିତବର୍ଷର ଯୋଜନା ରହିଛି। ବିଭିନ୍ନ ବିଷୟର ପ୍ରତିନିଧିତ୍ୱ କରୁଥିବା ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଦେଶର କୋଣ ଅନୁକୋଣରୁ ପ୍ରତିନିଧିମାନଙ୍କୁ ଚୟନ କରାଯାଇଛି।

ନିକଟରେ ଅନୁଷ୍ଠିତ ହୋଇଯାଇଥିବା ୫୨ତମ ଭାରତ, ଆର୍ନ୍ତଜାତିକ ଚଳଚ୍ଚିତ୍ର ମହୋତ୍ସବ ତଥା ନେଟଫ୍ଲିକ୍ସ, ଆମାଜନ ଭଳି ଓଟିଟି ଫ୍ଲାଟଫର୍ମର ସହଯୋଗ, ଆଗାମୀପିଢିର ୭୫ ସୃଜନଶୀଳ ବ୍ୟକ୍ତିତ୍ୱ ଓ ବ୍ରିକ୍ସ ଚଳଚ୍ଚିତ୍ର ମହୋତ୍ସବ ଇତ୍ୟାଦିର ବିଶ୍ଳେଷଣରେ ଅନେକ ନୂତନ ପଦକ୍ଷେପମାନ ମଧ୍ୟ ନିଆହୋଇଛି। ସେହିପରି ଚଳିତବର୍ଷ କାନ୍ସ ପାଇଁ କେତେକ ଅଭିନବ ଓ ନୂତନ ବିଷୟବସ୍ତୁ ମଧ୍ୟ ବଛାଯାଇଛି।

ଉଲ୍ଲେଖଯୋଗ୍ୟ ଯେ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଚଳିତ ସଂସ୍କରଣରେ ଭାରତ ଆନୁଷ୍ଠାନିକ ସମ୍ମାନ ମାର୍ଚ ଡ୍ୟୁ ଫିଲ୍ମ ପାଇବ। ଏଭଳି ସମ୍ମାନ ପ୍ରଥମଥର ନିମନ୍ତେ କୌଣସି ଦେଶକୁ ପ୍ରଦାନ କରାଯାଉଥିବାବେଳେ, ଏହା ଭାରତ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଥିବାବେଳେ ପ୍ରଦାନ କରାଯାଉଛି। ଚଳିତବର୍ଷ ଭାରତ ଓ ଫ୍ରାନ୍ସ ମଧ୍ୟ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି।