Categories
ଆଜିର ଖବର ରାଜ୍ୟ ଖବର

ଆଜି କାଳବୈଶାଖୀ ସମ୍ଭାବନା, ଦିଆଗଲା ଅରେଞ୍ଜ ଚେତାବନୀ

ଭୁବନେଶ୍ବର: ଆଜି କାଳବୈଶାଖୀ ହେବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଚେତାବନୀ ଦେଇଛି। କାଳବୈଶାଖୀ ସକାଶେ ଅରେଞ୍ଜ ଚେତାବନୀ ଦିଆଯାଇଛି। ଫଳରେ ଆଜି ଅର୍ଥାତ ୨୩ ଅପ୍ରେଲରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଏବଂ ଝଡ-ପବନ ହେବ।

ଘଣ୍ଟା ପ୍ରତି ୪୦ ରୁ ୫୦ କିମି ହେବାର ସମ୍ଭାବନା ରହିଛି। ସେହିପରି ୨୪ ଅପ୍ରେଲରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ ପବନ ସହ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ପବନ ପ୍ରବାହିତ ହେବ। ଏହାଦ୍ବାରା ପ୍ରାୟ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ସୃଷ୍ଟି ହେଲା ଲଘୁଚାପ, ଆଜି ମଧ୍ୟ କାଳ ବୈଶାଖୀର ତାଣ୍ଡବ ଚାଲିବ, ୨୨ଟି ଜିଲ୍ଲାକୁ ସତର୍କ

ଭୁବନେଶ୍ବର: ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ଘଣ୍ଟା ରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଏଥିସହିତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ମଧ୍ୟ ଜାରୀ ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଗତକାଲି ଏହାର ପ୍ରଭାବ ସାରା ଓଡିଶାରେ ପରିଲକ୍ଷିତ ହୋଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ଏହାର ପ୍ରଭାବ ଲାଗି ରହିଛି।

ଏହି କାଳ ବୈଶାଖୀର ପ୍ରଭାବ ଏପରି ଥିଲା ଯେ, କେତେକ ସ୍ଥାନରେ ଟେଲିଫୋନ ଟାୱାର ଭଙ୍ଗି ପଡିବା ସହିତ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇଯାଇଥିଲା। ସେହିପରି ଚିଲିକାରେ ଡଙ୍ଗା ବୁଡି ଘଟଣା ମଧ୍ୟ ପରିଲକ୍ଷିତ ହୋଇଥିଲା। ଗତକାଲି ଅପରାହ୍ନରୁ ଏକ ପ୍ରକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ଏବଂ ତାର ଛିଣ୍ଡିବା ଯୋଗୁଁ ବିଦ୍ୟୁତ ସରବାରହ ମଧ୍ୟ ବନ୍ଦ ରହିଛି।

ତେବେ ପାଣିପାଗ ବିଭାଗ ଅନୁସାରେ ଆଜି ମଧ୍ୟ ଏହି କାଳ ବୈଶାଖୀ ପ୍ରଭାବ ଜାରୀ ରହିବ। ସେଥିପାଇଁ ୨୨ଟି ଜିଲ୍ଲାକୁ ସତର୍କତା ଜାରୀ କରାଯାଇଛି। କାରଣ ଏହି କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି କୁହାଯାଇଛି।

ତେବେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତି ସମୟରେ ବାତ୍ୟାର ରୂପ ନେବ କି ନାହିଁ ତାହା ଜଣାପଡି ନାହିଁ। ବର୍ତ୍ତମାନ ଏହି ଲଘୁଚାପକୁ ପାଣିପାଗ ବିଭାଗ ଟ୍ରାକ କରିବାରେ ଲାଗିଛି। ଆଜି ସଂଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ଏହି କେଉଁ ପ୍ରକାରର ରୂପ ନେବା ତାହା ଜଣପାଡିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ଆରମ୍ଭ ହେଲା କାଳ ବୈଶାଖୀର ପ୍ରଭାବ, ଭୁବନେଶ୍ବରରେ ଝିପିଝିପି ବର୍ଷା

ଭୁବନେଶ୍ବର: ଆଜିଠୁ ଓଡିଶାରେ ସକ୍ରିୟ ହେବ କାଳବୈଶାଖୀ ପ୍ରଭାବ। ଏହି କାଳବୈଶାଖୀ ପ୍ରକ୍ରିୟା ଅଧିକ ସକ୍ରିୟ ହୋଇ ବିଜୁଳି ଘଡଘଡି ପରିଲକ୍ଷିତ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଥିସହିତ ଘଣ୍ଟାକୁ  ୪୦ ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ କେତେକ ଜିଲ୍ଲାକୁ ଚେତାବନୀ ମଧ୍ୟ ଦିଆଯାଇଛି। ଆଜି ସକାଳୁ ଭୁବନେଶ୍ବରର ପାଣିପାଗ ମେଘୁଆ ରହିଛି। ଏପରିକି ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।

ମୁଖ୍ୟତଃ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଜଳୀୟବାଷ୍ପ -ପୂର୍ଣ୍ଣ ସାମୁଦ୍ରିକ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଏହି କାଳ ବୈଶାଖୀ ପ୍ରଭାବ ପରିଲକ୍ଷିତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି କାଳ ବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା  ରହିଛି। ଆସନ୍ତା ମେ ୪ ତାରିଖରେ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କାଳବୈଶାଖୀ ବର୍ଷାରେ ବୁଡ଼ିଲା ବାଣପୁର ଏନଏସି, ପ୍ରହସନ ପାଲଟିଛି ଡ୍ରେନେଜ ନିର୍ମାଣ

ସୀତାରାମ ଅଗ୍ରୱାଲ

ବାଣପୁର: ଅସରାଏ ବର୍ଷାରେ ଉବୁଟୁବୁ ସହର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସଂନ୍ଧ୍ୟାରେ ସାମାନ୍ୟ କାଳବୈଶାଖୀ ବର୍ଷା ଫଳରେ ସହରର ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଛି। ମେଡିକାଲ ଛକ, ପୁରୁଣା ଏନଏସି ଅଫିସ ସମ୍ମୁଖ, ପାଣ୍ଡିରୀପଦର ଛକ, ଚିଆଁକସାହି ଛକ ଆଦି ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଛି।

ତେବେ ଏ ସମସ୍ୟା ଆଜିର ନୁହେଁ ଦୀର୍ଘ ବର୍ଷର। ବାଣପୁର ଏନଏସିରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ଦୟନୀୟ ସ୍ଥିତି ବର୍ଷତମାମ ଲାଗିରହୁଛି। କିନ୍ତୁ ବିଭାଗୀୟ ଅଧିକାରୀ ନିଦ୍ରାରେ। ପୂର୍ତ୍ତବିଭାଗ, ଏନଏସି ପ୍ରଶାସନ ଏବଂ ତହସିଲ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଏପରି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି ସହରରେ।

ଏନଏସି ସ୍ଥାପନ ଦିନଠାରୁ ଏଠାରେ ଡ୍ରେନେଜ ବ୍ୟବସ୍ଥା ହୋଇନାହିଁ, ଯାହାଦ୍ୱାରା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ଦାବି ପରେ ପାଣ୍ଡିରୀପଦର ଛକରେ ଗତବର୍ଷ ପୂର୍ତ୍ତବିଭାଗ ପକ୍ଷରୁ ବର୍ଷା ଜଳ ନିଷ୍କାସନ ନିମନ୍ତେ ଲକ୍ଷାଧିକ ଅର୍ଥ ବ୍ୟୟରେ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ତାହାକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ନିର୍ମାଣ ହେବାର କେଇ ମାସ ମଧ୍ୟରେ ପୋତି ସାରିଲେଣି, କିନ୍ତୁ ଏଥିରେ ପୂର୍ତ୍ତବିଭାଗ ଚୁପ।

ସେହିପରି ଭାବେ ଦୀର୍ଘ ଛଅ ମାସ ହେଲାଣି ଗାଲୁଆ ଛକରେ ଜଳ ନିଷ୍କାସନ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣଧୀନ ଡ୍ରେନେଜ କାମ ଶେଷ ହେଉନାହିଁ। ଫଳରେ ମୁକୁଳା ଡ୍ରେନେଜ ଲାଗି ସ୍ଥାନୀୟ ବାସିନ୍ଦା ଏବଂ ଜନସାଧାରଣଙ୍କ ଜୀବନ ବିପଦପୂର୍ଣ୍ଣ ହୋଇ ଉଠିଛି। ଗ୍ରୀଷ୍ମ ଦିନ ସାମାନ୍ୟ କାଳବୈଶାଖୀ ବର୍ଷାରେ ଯଦି ସହରର ଏପରି ଅବସ୍ଥା, ତେବେ ବର୍ଷା ଦିନରେ ଉକ୍ତ ସମସ୍ୟା କି ରୁପ ନେବ ତାହା ସହଜରେ ଅନୁମେୟ।

ବର୍ତ୍ତମାନ ଏନଏସି ନୂଆ ଅଧ୍ୟକ୍ଷ ପାଇଛି। ଜନସାଧାରଣ ମାନେ ଆଶା କରିଛନ୍ତି ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଖୁବଶୀଘ୍ର ଉକ୍ତ ସମସ୍ୟାକୁ ସମାଧାନ କରିବେ। ନଚେତ ବେଳ ଥାଉ ଥାଉ ଯଦି ବେଣୀ ନ ବନ୍ଧା ଯାଏ, ତେବେ ଭବିଷ୍ୟତରେ ବାଣପୁର ସହର ବାସି ଜଳବନ୍ଦୀ ହୋଇ ରହିବେ ଏଥିରେ କୌଣସି ଦ୍ବିମତ ନାହିଁ।