Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା: କଳାହାଣ୍ଡି ଜିଲ୍ଲାର କୁମକୁମ ପ୍ରିୟଦର୍ଶିନୀ ସାହୁ ହେଲେ ପ୍ରଥମ

ଭୁବନେଶ୍ବର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଓଡ଼ିଶା ଜୋନ୍ ସ୍ଥିତ ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଫେବୃଆରୀ ୧୯, ୨୦୨୪ରେ ମୋ ଭାରତ ବିକଶିତ ଭାରତ@୨୦୨୪ ଶୀର୍ଷକ ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସାଂସଦ (ରାଜ୍ୟସଭା) ମୁଜିବୁଲ୍ଲା ଖାନ୍‍ ଯୋଗ ଦେଇଥିଲେ। ଜିଲ୍ଲାସ୍ତରରେ ଆୟୋଜିତ ସମସ୍ତ ୩୦ ଟି ଜିଲ୍ଲା ପ୍ରତିଯୋଗିତାରେ ଏହି ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାର ଜୁରି ସଦସ୍ୟ ଥିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ସ୍ନାତକୋତ୍ତର ବିଭାଗର ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ହିନ୍ଦୀ ବିଭାଗର ମୁଖ୍ୟ ଡ. ସ୍ନେହଲତା ଦାସ, ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଡ. ସ୍ମୃତି ରଞ୍ଜନ ଦାଶ ଏବଂ କିଟ୍ ଏନ୍ଏସ୍ଏସ୍ ବ୍ୟୁରୋର ସିଇସି ଓ ପିସିର ଉପନିର୍ଦେଶକ ଡ. କାଜଲ ପରାଶର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସାଂସଦ ମୁଜିବୁଲ୍ଲା ଖାନ୍ ଙ୍କ ଠାରୁ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥ ପୁରସ୍କାର ପାଇଥିବା ପ୍ରଥମ ସ୍ଥାନରେ ଥିଲେ କଳାହାଣ୍ଡି ଜିଲ୍ଲାର କୁମକୁମ ପ୍ରିୟଦର୍ଶିନୀ ସାହୁ। ୫୦ ହଜାର ଟଙ୍କା ନଗଦ ପୁରସ୍କାର ପାଇ ଦ୍ବିତୀୟ ସ୍ଥାନରେ ଥିଲେ ବାଲେଶ୍ୱରର  ଇଶାବୈଶାଖୀ ଗିରି। ଖୋର୍ଦ୍ଧା ଜିଲ୍ଲାର ଦେବାଶିଷ ପଣ୍ଡା ୨୫ ହଜାର ଟଙ୍କା ପାଇ ତୃତୀୟ ସ୍ଥାନରେ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଆଲିଶା ପ୍ରିୟଦର୍ଶିନୀ ଖଣ୍ଡୁଆଳ ମଧ୍ୟ ୨୫ ହଜାର ଟଙ୍କା ନଗଦ ଅର୍ଥ ରାଶି ପାଇଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ଉଦଯାପିତ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ସୋମବାର ଉଦଯାପିତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ତାରିଖ ଯାଏଁ ୪ ଦିନ ଧରି ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସୋମବାର ଆୟୋଜିତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ବିଜେତା ଓ ଉପବିଜେତା ହୋଇଥିବା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ସହ ଅର୍ଥରାଶି ପୁରସ୍କାର ଆକାରରେ ଦିଆଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କ ପାଇଁ ମୋଟ ୨୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରଖାଯାଇଥିଲା। ଏହାସହ ସବୁ ବର୍ଗରେ ସେମିଫାଇନାଲକୁ ଯାଇଥିବା ଖେଳାଳିମାନଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଏହି ଟୁର୍ଣ୍ଣାମେଣ୍ଟର ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ କମ୍, ୧୭ ବର୍ଷରୁ କମ୍, ୧୫ ବର୍ଷରୁ କମ୍, ୧୩ ବର୍ଷରୁ କମ୍, ୧୧ ବର୍ଷରୁ କମ୍ ବୟସ ବର୍ଗରେ ୪୦୦ରୁ ଅଧିକ ଏକକ ଟେବୁଲ ଟେନିସ୍ ମ୍ୟାଚ୍ ଖେଳାଯାଇଥିଲା।

ଭୁବନେଶ୍ଵରସ୍ଥିତ ଓଡ଼ିଶା ସ୍ପୋର୍ଟସ୍ କ୍ଲବର ଖେଳାଳି ଶ୍ଵେତପଦ୍ମା ଦଳାଇ ଟୁର୍ଣ୍ଣାମେଣ୍ଟର ୩ଟି ବର୍ଗରେ ଚାମ୍ପିୟନ ହୋଇଥିଲେ। ସେ ୧୭ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଏବଂ ସିନିୟର ମହିଳା ବର୍ଗରେ ଟାଇଟଲ ଜିତିଥିଲେ। ସେହିପରି ସିନିୟର ପୁରୁଷ ବର୍ଗରେ ଓଡ଼ିଶା ଆକାଉଣ୍ଟସ୍ ଜେନେରାଲ ଦଳର ସମ୍ରାଟ ଚକ୍ରବର୍ତ୍ତୀ  ଚାମ୍ପିୟନ ହୋଇଥିଲେ।

ଅନ୍ୟପଟେ ବାଳକ ବର୍ଗରେ କଟକର ଜିଜ୍ଞାସୁ ସାହୁ ୧୫ ବର୍ଷରୁ କମ୍, ୧୭ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ଆଦି ୩ଟି ବର୍ଗରେ ଟାଇଟଲ ହାସଲ କରିଥିଲେ। ଟୁର୍ଣ୍ଣାମେଣ୍ଟରେ କଟକର ଶ୍ଵେତା ବର୍ମା ୧୧ ବର୍ଷରୁ କମ୍ ଓ ୧୩ ବର୍ଷରୁ କମ୍ ବୟସର ୨ଟି ବର୍ଗରେ ବିଜୟୀ ହୋଇଥିଲେ।

ଏହାସହ ୧୧ ବର୍ଷରୁ କମ୍ ବାଳକ ବର୍ଗରେ କଟକର ଆୟୁଷ ମାଣିଆ ବିଜୟୀ ହୋଇଥିବାବେଳେ ୧୩ ବର୍ଷରୁ କମ୍ ବାଳକ ବର୍ଗରେ ପୁରୀର ସାଇ କିରନ ପ୍ରଧାନ ବିଜୟୀ ହୋଇଛନ୍ତି। ସେହିପରି ୧୫ ବର୍ଷରୁ କମ୍ ବୟସ ବାଳିକା ବର୍ଗରେ କଟକର ଉର୍ଜା ବର୍ମାଙ୍କୁ ଜିତାପଟ ମିଳିଥିବାବେଳେ ଅୟାମ ମୁସ୍ତାକ ଓ ଫରାଜ ରାଜାଙ୍କ ଯୋଡ଼ି ବାଳକ ଯୁଗଳ ବର୍ଗରେ ଚାମ୍ପିୟନ ହୋଇଥିଲେ।

“୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପକୁ ଆମେ ସଫଳତାର ସହ ଆୟୋଜନ କରିଛୁ। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀମାନେ ମ୍ୟାଚଗୁଡ଼ିକରେ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କୁ ମିଳିଥିବା ପଏଣ୍ଟ ଓ ରାଙ୍କ୍ ଅନୁସାରେ ସେମାନେ ଜାତୀୟସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପାଇବେ”, କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନର ସାଧାରଣ ସଂପାଦକ ସ୍ମୃତିରଞ୍ଜନ ଦାସ।

ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ପୂର୍ବତନ ଟେବୁଲ ଟେନିସ୍ ଖେଳାଳିମାନଙ୍କୁ ନେଇ ପୁରୁଷ ଏକକ ଓ ଯୁଗଳ ବର୍ଗର ମ୍ୟାଚ୍ ଖେଳାଯାଇଥିଲା। ସେଥିରେ ବିଜୟୀ ହୋଇଥିବା ଖେଳାଳିମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଉଦଯାପନୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ୍ ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ମହାରଣା ଓ ଯୁଗ୍ମ ସଚିବ ଶଶାଙ୍କ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପି.କେ. ସାମନ୍ତରାୟ, ତ୍ରୈଲୋକ୍ୟ ରାଉତ, ନିରଞ୍ଜନ ସେଠୀ, ବିଜନ ଦାସମହାପାତ୍ର ଏବଂ ତପନ ଖା ଟୁର୍ଣ୍ଣାମେଣ୍ଟର ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ସେମିନାର ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ। ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏକ ଉନ୍ନତ ସମାଜ ଗଠନ ପାଇଁ ଶିକ୍ଷା’ ବିଷୟବସ୍ତୁ ଉପରେ ଏକ ଜାତୀୟ ସେମିନାର ଆୟୋଜିତ ହୋଇଯାଇଛି। ବୌଦ୍ଧ ମଡେଲ ଡିଗ୍ରୀ କଲେଜରେ ଆୟୋଜିତ ଏହି ସେମିନାରରେ କିଟ୍‌ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ସେମିନାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ପ୍ରଦ୍ୟୋତ କେଶରୀ ପ୍ରଧାନ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ମହେଶ୍ୱର ସାହୁ, କିଟ୍‌ର ନିର୍ଦ୍ଦେଶକ ପ୍ରଫେସର ଜୟନ୍ତ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାର ୪୫୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀମାନେ ସେମିନାରରେ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ କିଟ୍ ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଆଜି ‘‘ନୂଆ ପ୍ରଯୁକ୍ତି ଦ୍ୱାରା ସୃଷ୍ଟି ସମସ୍ୟାର ମୁକାବିଲା କରିବା ଓ ଅନୁକୂଳନ ହେବା ଲାଗି ଯୁବବର୍ଗଙ୍କ ସଶକ୍ତିକରଣ’’ ବିଷୟବସ୍ତକୁ ନେଇ କିଟ୍‌ ପକ୍ଷରୁ ଏକ ବୌଦ୍ଧିକ ବକ୍ତୃତା ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥିଲା।

ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ଚୁଡ଼ାନ୍ତ ପର୍ଯ୍ୟାୟକୁ ୩୦ ଜଣ ଛାତ୍ରଛାତ୍ରୀ ମନୋନିତ ହୋଇଥିଲେ। ଶେଷରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୈଷୟିକ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି କିଟ୍‌ କ୍ୟାମ୍ପସରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ବାଙ୍ଗାଲୋର ସ୍ଥିତ ସିପିଆରଆଇର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ତ୍ରିପାଠୀ ଏହି କର୍ମଶାଳାରେ ଯୋଗ ଦେଇ ‘‘ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଏବଂ ସହଭାଗୀ କରିବା’’ ବିଷୟବସ୍ତୁ ଉପରେ ବୈଷୟିକ ଆଲୋଚନାଚକ୍ରକୁ ସମ୍ବୋଧିତ କରିଥିଲେ। ସେ କମ୍ପ୍ୟୁଟର ପ୍ରଯୁକ୍ତିର ଯୁଗ, ବିଭିନ୍ନ ପ୍ରକାର ଉପକରଣ, ସଫ୍ଟ କମ୍ପ୍ୟୁଟିଂ ପାଇଁ ସଫ୍ଟୱେର, ଆଧୁନିକ ଅଧ୍ୟୟନ ପ୍ରଯୁକ୍ତି, ସହଭାଗୀ ପ୍ରକଳ୍ପ, ପାୱାର ସିଷ୍ଟମ ପ୍ରୟୋଗ, ବିଭିନ୍ନ ପ୍ରକାର ସମସ୍ୟା, ସବୁଜ ହାଇଡ୍ରୋଜେନ ଏବଂ ବିଭିନ୍ନ ଅଧ୍ୟୟନ ପ୍ରଯୁକ୍ତି ଉପରେ ବକ୍ତବ୍ୟ ରଖିଥିଲେ। ଏହି କର୍ମଶାଳାରେ ମୋଟ୍‌ ୯୨ ଜଣ ଇଞ୍ଜିନିୟରିଂ ସ୍ନାତକ ଓ ସ୍ନାତକୋତ୍ତୋର ଛାତ୍ରଛାତ୍ରୀ, ଗବେଷକ, ପ୍ରୟୋଗଶାଳା ବୈଷୟିକ ସହାୟକ ଏବଂ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ କନ୍ଧମାଳ ସ୍ଥିତ ସରକାରୀ ପଲିଟେକ୍ନିକ ଠାରେ କିଟ୍‌ ବିଶ୍ୱବିଦ୍ୟାଳୟ ସହଯୋଗରେ ଏକ ପଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ‘ଜି-୨୦ ଏବଂ ଭାରତର ଭୂମିକା’ ଶୀର୍ଷକ ଏହି ପ୍ରତିଯୋଗିତାରେ ୫୨ ଜଣ ପଲିଟେକ୍ନିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିଏମ ଶ୍ରୀ ଯୋଜନାରେ ଓଡ଼ିଶାକୁ ଆସିବ ୮୦୦ଟି ସ୍କୁଲ ଏବଂ ମିଳିବ ୧୬୦୦ କୋଟି: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ତରଫରୁ ‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ପ୍ରସଙ୍ଗ ଉପରେ ଆୟୋଜିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ସହ ରାଜ୍ୟ ସରକାର ଓ ପଞ୍ଚାୟତ ସ୍ତରର ଜନପ୍ରତିନିଧି ମାନଙ୍କୁ ମୋଟ ୮ଟି ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ଦେଶରେ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ମଜଭୂତ କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନରେ ଅର୍ଥ ବ୍ୟୟବରାଦ ପାଞ୍ଚ ଗୁଣା ବୃଦ୍ଧି ପାଇଁ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପଞ୍ଚାୟତିରାଜ ସହ ସଂଶ୍ଲିଷ୍ଟ ଅନୁଷ୍ଠାନ ଗୁଡିକ ମଜଭୂତ୍ କରିବା ପାଇଁ ଏହି ଅର୍ଥ ଦିଆଯାଉଛି। କିନ୍ତୁ ରାଜ୍ୟ ସରକାର କନଭରଜେନ୍ସ ନାଁରେ ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଉଥିବା ଖବର ଆସୁଛି। ଓଡ଼ିଶାରେ ଅର୍ଥର ଅଭାବ ନ ଥିବା ବେଳେ ରାଜ୍ୟ ସରକାର ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଇବା ଅନୁଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଆସିବ ଏବଂ ୧୬୦୦ କୋଟି ଟଙ୍କା ମିଳିବ। ମାତ୍ର ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରିନାହାନ୍ତି। ତେଣୁ ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ଜାତୀୟ ସ୍ତରରେ ଆଲୋଚନା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।

ତୃତୀୟତଃ ଓଡ଼ିଶାରେ ନବଜାତ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ତଥ୍ୟରୁ ଜଣାପଡିଛି । ଏନଏଫଏଚଏସ ସର୍ଭେ ଅନୁଯାୟୀ, ଓଡ଼ିଶାର ୧୯% ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ  ୩୧% ଶିଶୁ ପୁଷ୍ଟିହୀନର ଶୀକାର ଅଛନ୍ତି। ୧୮% ଉଚ୍ଚତା କମ୍ ଓ ୬୦%ରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ, ଯାହା ଚିନ୍ତାଜନକ। ୧୩ ବର୍ଷ ପରେ ଓଡ଼ିଶା ଭାଷାଭିତ୍ତିକରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ ଓ ୨୫ ବର୍ଷ ପରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହି ସମୟରେ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନ ନଦେଲେ ଓଡିଶା ସମୃଦ୍ଧଶାଳୀ ହେବ ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଶିଶୁ ଓ ମହିଳାଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ପାଇଁ ହେଉଥିବା ଯୋଜନାକୁ ସଠିକ୍ କ୍ରିୟାନ୍ୱୟନର ଦାୟିତ୍ୱ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହାବ୍ୟତିତ ଜିଲ୍ଲା ସ୍ତରରେ ସ୍କିଲ୍ ମ୍ୟାପିଂ କରିବାରେ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। ଦେଶ ସ୍ୱାଧୀନତା ପର ଠାରୁ ଏବେ ୮୦ ପ୍ରତିଶତ ସାକ୍ଷର ଓ ୨୦ ପ୍ରତିଶତ ନିରକ୍ଷଣ ଅଛନ୍ତି। ଏହି ସମୟରେ ରାଜ୍ୟର ପଞ୍ଚାୟତ ସ୍ତରରେ ଥିବା ନିରକ୍ଷରଙ୍କୁ ସାକ୍ଷରତା କରିବା ପାଇଁ ପଡିବ। ଏହା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି) ପୂରଣ ହୋଇପାରିବ। ଓଡ଼ିଶାରେ ସ୍କୁଲରେ ପଢୁଥିବା ପିଲା ମାନଙ୍କ ସଂଖ୍ୟା ଶତପ୍ରତିଶତ। ମାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ଏହି ସଂଖ୍ୟା କ୍ରମାଗତ ହ୍ରାସ ପାଉଛି। ଛାତ୍ରଛାତ୍ରୀଙ୍କ ନାମଲେଖା ବଢାଇବା ତଥା ଡ୍ରପ ଆଉଟ କମାଇବା ପାଇଁ ଦାୟିତ୍ୱ ନେବାକୁ ହେବ। ଅନୁରୂପ ଭାବରେ ଛାତ୍ରଛାତ୍ରୀମାନେ କେବଳ ସ୍କୁଲ ଗଲେ ହେବ ନାହିଁ ବରଂ ପଞ୍ଚାୟତ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ମଧ୍ୟାହ୍ନ ଭୋଜନ ଦେଖିବା ଦିଗରେ ପଞ୍ଚାୟତ ସ୍ତରର ନେତୃତ୍ୱମାନେ ଅନୁଧ୍ୟାନ କରିବା ପାଇଁ ଅଭିଭାବକର ଦାୟିତ୍ୱ ନେବା ଦରକାର। ଚଳିତ କେନ୍ଦ୍ର ବଜେଟରେ ମିଶନ ଶକ୍ତିର ଭଉଣୀଙ୍କ ପାଇଁ କ୍ଲଷ୍ଟର ଯୋଜନା ହୋଇଛି। ରାଜ୍ୟ ସରକାର ଏଥିରେ ସହଯୋଗୀ ହେବା ତଥା ସେମାନଙ୍କୁ ଇ-ବଜାର ସହ ଯୋଡିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ମହିଳା ଓ ଶିଶୁଙ୍କ ସହ ଜଡିତ ଯୋଜନାରେ ମୋଦି ସରକାର ୧ ଲକ୍ଷ ୮୨ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଖାଦ୍ୟ ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୪୧, ୫୪୭ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫, ୪୩୩ କୋଟି, ସ୍ୱଚ୍ଛ ଭାରତ ଯୋଜନାରେ ୯,୨୬୨ କୋଟି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮୪୮ କୋଟି, ମୁଦ୍ରା ଲୋନ ପାଇଁ ୩୧, ୦୦୦ କୋଟି, ଜନଧନ ଆକାଉଣ୍ଟର ହିତାଧିକାରୀଙ୍କୁ ୧,୨୫୮ କୋଟି, ପୋଷଣ ବା ଆଇସିଡିଏସ ଯୋଜନାରେ ୧୨,୯୨୦ କୋଟି, ଏନଆରଏଲଏମରେ ୧୩, ୪୦୦ କୋଟି, ପିଏମ ପୋଷଣରେ ୩,୯୯୫ କୋଟି, ବେଟି ବଚାଓ, ବେଟି ପଢାଓ ପାଇଁ ୩୭୫ କୋଟି, ସକ୍ଷମ ଅଙ୍ଗନବାଡିରେ ୭୫୪.୩୬ କୋଟି ସମେତ ଅନେକ ଯୋଜନାରେ ମୋଦି ସରକାରରେ ଲାଭାର୍ଥୀ ଶିଶୁ ଓ ମହିଳା ଅଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ଭୂମି ପଞ୍ଚାୟତିରାଜ ସହ ଯୋଡି ହୋଇଅଛି। ଭାରତ ଗଣତନ୍ତ୍ରର ଜନନୀ। ମାତ୍ର ଏହି ଭୂମିରେ ହଜାର ବର୍ଷ ପୂର୍ବେ କଳିଙ୍ଗ ଯୁଦ୍ଧ ହୋଇଥିଲା। ସେ ସମୟରେ ଓଡ଼ିଆ ଲୋକଙ୍କର କେହି ରାଜା ନଥିଲେ ଅର୍ଥାତ୍ କଳିଙ୍ଗ ଯୁଦ୍ଧ ସମୟରୁ ହିଁ ଓଡ଼ିଶାରେ ଗଣତନ୍ତ୍ର ଓ ପଞ୍ଚାୟତିରାଜ ବ୍ୟବସ୍ଥା ବିଦ୍ୟମାନ। ଏହାବ୍ୟତିତ ମହିଳା ନେତୃତ୍ୱ ରାଜ୍ୟରେ ସ୍ୱଳ୍ପ ସମୟର ନୁହେଁ ବରଂ ଆମ ଓଡିଆ ପରମ୍ପରାରେ ପୂଜିତ ମା’ ମହାଲକ୍ଷ୍ମୀ ଏବଂ ସୁଭଦ୍ରା ଓଡ଼ିଆ ସଂସ୍କୃତି ଓ ନାରୀ ସଶକ୍ତିକରଣର ଉଦାହରଣ। ମାଆ ମହାଲକ୍ଷ୍ମୀ ସମାଜରେ ଛୁଆଁ ଅଛୁଆଁ ଭେଦଭାବକୁ ପରିସମାପ୍ତ କରିବାର ବାର୍ତ୍ତା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ଶ୍ରୀବଳଭଦ୍ରଙ୍କ ସହ ଭଉଣୀ ମାଆ ସୁଭଦ୍ରା ବି ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି। ସେହିପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ଦେବୀ, ନନ୍ଦିନୀ ଶତପଥୀ ଏବଂ କୁନ୍ତଳା କୁମାରୀ ସାବତଙ୍କ ଅବଦାନ ବି ଅତୁଳନୀୟ।

ଗ୍ରାମାଞ୍ଚଳରେ ୭୦% ରୁ ଅଧିକ ଭାଗ ଲୋକ ବାସ କରୁଥିବା ବେଳେ ମହିଳାଙ୍କ ସଂଖ୍ୟା ଅଧିକ। ଗାଁରେ ରାସ୍ତା, ପାନୀୟ ଜଳ, ଘର, ବ୍ୟାଙ୍କ ଖାତା, ରୋଜଗାର ସମେତ ମୌଳିକ ବ୍ୟବସ୍ଥା ସୁଦୃଢ଼ ହେଲେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ସଶକ୍ତ ହେବ। ଚଳିତ ବଜେଟରେ ମହିଳାଙ୍କୁ ଉଦ୍ୟମୀ କରିବା ପାଇଁ ଅନେକ ଯୋଜନା କରାଯାଇଛି। ଯେ ପର୍ଯ୍ୟନ୍ତ ପଞ୍ଚାୟତିରାଜ ଦିଲ୍ଲୀରେ ହେଉଥିବା ଯୋଜନା ନବୁଝିବ ସେ କେବଳ ଯୋଜନାରେ ସୀମିତ ରହିବ। ମହିଳା ଓ ଶିଶୁଙ୍କ ବିକାଶ ତେବେ ସମ୍ଭବ ଯେବେ ଗ୍ରାମର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ଏହି ଅବସରରେ ପଞ୍ଚାୟତିରାଜ ଓ ମହିଳା ଏବଂ ଶିଶୁ ବିକାଶ ସହ ଜଡ଼ିତ ବିଭିନ୍ନ ଡିଜିଟାଲ ପୁସ୍ତକର ଉନ୍ମୋଚନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୭ତମ କିଟ୍ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଜମଣିଙ୍କୁ ସ୍ୱର୍ଣ୍ଣପଦକ

ଭୁବନେଶ୍ୱର: ୧୭ତମ ‘କିଟ୍‌’ ଓ ‘କିସ୍‌’ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ୨୦୨୧ବର୍ଷ ପାଇଁ ସମାପନ ହୋଇଯାଇଛି। ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତ୍ୟେକ ବିଭାଗରେ ସର୍ବାଚ୍ଚ ନମ୍ବର ରଖିଥିବା କୃତୀଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ମେଡ଼ାଲ ପ୍ରଦାନ କରାଯାଇଛି।

ପ୍ରକାଶଥାଉକି, ଏଲ୍‌.ଏଲ୍‌.ଏମ୍ (ସ୍କୁଲ୍ ଅଫ୍ ଲ)ରେ ରାଜମଣି ମହାନ୍ତି ସର୍ବୋଚ୍ଚ ନମ୍ବର ରଖିଥିବାରୁ ସମାବର୍ତ୍ତନ ଉତ୍ସବରେ ରାଜମଣିଙ୍କୁ ସ୍ୱର୍ଣ୍ଣପଦକ (ମେଡ଼ାଲ) ଅର୍ଥାତ୍ ଚାନ୍‌ସେଲର ଗୋଲ୍‌ଡ଼ ମେଡ଼ାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଉକ୍ତ ସ୍ୱର୍ଣ୍ଣ ପଦକ ଚାନ୍‌ସଲରଙ୍କ ଠାରୁ ପ୍ରାପ୍ତ ଏବଂ ପ୍ରୋ.ଭି.ସି. ସସ୍ମିତା ସାମନ୍ତ ସାର୍ଟିଫିକେଟ ପ୍ରଦାନ କରିଛନ୍ତି।

ଶ୍ରୀ ମହାନ୍ତି ବି.ଏସ୍‌.ସି.ଏଲ୍‌.ଏଲ୍‌.ବି.ରେ ଟପ୍ପର ହୋଇ ଭାଇସ୍ ଚାନ୍‌ସେଲର ସିଲ୍‌ଭର (ରୌପ୍ୟ) ପଦକ ୨୦୨୦ ମସିହାରେ ପାଇଥିଲେ। ୧୦ଟି ଯାକ ସେମଷ୍ଟରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିଲେ। ସର୍ବଭାରତୀୟ ମୋର୍ଟ କୋର୍ଟ ପରୀକ୍ଷାରେ କେରଳ, ତ୍ରିବେନ୍ଦ୍ରମଠାରେ ପ୍ରଥମ ହୋଇ କେରଳ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଠାରୁ ମେଡ଼ାଲ ଗ୍ରହଣ କରି କିଟ୍ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହି ଉତ୍ସବରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ପାର୍ଲାମେଣ୍ଟର ଲୋକସଭା ସଦସ୍ୟ ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ। କିଟ୍‌ର ରେଜିଷ୍ଟ୍ରାର ଜ୍ଞାନରଞ୍ଜନ ମହାନ୍ତିଙ୍କ ସମେତ ସମସ୍ତ ବିଭାଗର ନିର୍ଦ୍ଦେଶକ ଓ ସମାବର୍ତ୍ତନ ଉତ୍ସବର ସମସ୍ତ ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ।

ରାଜମଣି ହେଉଛନ୍ତି ଜିଲ୍ଲା ଲାୟନ୍ସ ଗଭର୍ଣ୍ଣର ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ପଦାଧିକାରୀ ବିଶ୍ୱନାଥ ମହାନ୍ତି ଏବଂ ଓଡ଼ିଶା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେବତୀ ସଙ୍କ ପୁତ୍ର। ତାଙ୍କର ଭଉଣୀ ସ୍ମିତା ମହାନ୍ତି, ଭିଣୋଇ ଡଃ ଦେବାଶୀଶ ସୌମ୍ୟରଞ୍ଜନ ଦାସ। କିଟ୍ ବିଶ୍ୱବିଦ୍ୟାଳୟର ଏତାଦୃଶ କାର୍ଯ୍ୟ ତଥା ସମାବର୍ତ୍ତନ ଉତ୍ସବରେ ସର୍ବଭାରତୀୟ ତଥା ବିଶ୍ୱର ବହୁ ବିଦେଶୀ ରାଷ୍ଟ୍ରର ପିଲାମାନେ ସ୍ୱର୍ଣ୍ଣ, ରୌପ୍ୟ ମେଡ଼ାଲ ଲାଭ କରୁଥିବା ଦେଖି ରାଜମଣିଙ୍କ ପିତା ବିଶ୍ୱନାଥ ମହାନ୍ତି ଏବଂ ମାତା ରେବତୀ ସ ଆଶ୍ଚର୍ଯ୍ୟ ହୋଇଥିବା ସ୍ଥଳେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସମାବର୍ତ୍ତନ ପରିଚାଳନା ନିମନ୍ତେ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।