Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କିସିଣ୍ଡା ରାସ୍ତାର ବାଲି କିଆରୀ ଗ୍ରାମ ନିକଟସ୍ଥ ରାସ୍ତା କଡ଼ରେ ବୁଧବାର ସକାଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ କାଲି ରେଢ଼ାଖୋଲ ଅଞ୍ଚଳରେ ଘଡ଼ଘଡ଼ି ବର୍ଷା ସହ ଝଡ ତୋଫାନ ହୋଇଥିଲା। ଏଥିରେ ରେଢ଼ାଖୋଲରୁ କିସିଣ୍ଡା ଅଞ୍ଚଳକୁ ରାସ୍ତା କଡ଼ରେ ଯାଇଥିବା ବିଦ୍ୟୁତ ତାର ବାଲିକିଆରୀ ଗ୍ରାମ ନିକଟରେ ଝଡ ତୋଫାନ ଯୋଗୁଁ ଛିଣ୍ଡି ତଳେ ପଡ଼ିଥିଲା। ଭାଲୁ ଟି ଉକ୍ତ ରାସ୍ତାରେ ଯାଉଥିବା ସମୟରେ ଉକ୍ତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଭାଲୁର ମୃତ ଦେହ ଜବତ କରି ଘଟଣାର ତଦନ୍ତ କରୁଛି।‌

Categories
ଆଞ୍ଚଳିକ

ନାକଟିଦେଉଲରେ ସାଇବର ସୁରକ୍ଷା ସଚେତନତା

ରେଢାଖୋଲ (କନ୍ଦର୍ପ ବେହେରା): କିସିଣ୍ଡା ଓ ନାକଟିଦେଉଲ ଥାନା ଅଂଚଳର ବିଭିନ୍ନ ଗାଁ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ସାଇବର ସୁରକ୍ଷା ରଥ ଆଜି କିସିଣ୍ଡା ଥାନା ଅଞ୍ଚଳର କିସିଣ୍ଡା ହାଇସ୍କୁଲ, କଲେଜ, କିସିଣ୍ଡା ବଜାର ଓ ଗିରିଶ୍ଚନ୍ଦ୍ରପୁର ପଂଚାୟତରେ ପହଂଚି ଜନସାଧାରଣଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କିସିଣ୍ଡା ଥାନାଧିକାରୀ ଅଞ୍ଜଳି କୁମ୍ଭାର, ଏ ଏସ ଆଇ କସ୍ତୁ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟାରେ ସଚେତନତା ରଥ ନାକଟିଦେଉଳ ଥାନା ଅଂଚଳର ବାଟଗାଁ, ସାହେବି, ଜଗନ୍ନାଥ ପ୍ରସାଦ ଗ୍ରାମ ପରିକ୍ରମା କରି ନାକଟିଦେଉଳ ପହଂଚି ସ୍ଥାନୀୟ କ୍ଲବ ପରିସରରେ ନାକଟିଦେଉଳ ଥାନାଧିକାରୀ ଧୀରେନ୍ଦ୍ର କୁମାର ସ୍ୱାଇଁ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ଼ି ଏସ ପି ପ୍ରଶାନ୍ତ ମେହେର, ପୂର୍ବତନ ବ୍ଳବ ଅଧ୍ୟକ୍ଷ ତଥା ଘୋଷରାମାଳ ସମିତିସଭ୍ୟ ସୁଦର୍ଶନ ସାହୁ, ନାକଟିଦେଉଳ ସରପଞ୍ଚ ଜିତେନ୍ଦ୍ରିୟ ସାହୁ, ସାହେବି ସରପଞ୍ଚ ରାମପ୍ରସାଦ ସାହୁ ଓ ସାଲେଭଟା ସରପଞ୍ଚ ପାଣ୍ଡବ ପ୍ରଧାନ ପ୍ରମୁଖ ଯୋଗଦେଇ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ସାଇବର ଠକମାନେ ବ୍ୟାଙ୍କ କେୱା ଇସି ଅପଡେଟ ସମେତ ବିଭିନ୍ନ ଉପାୟରେ ସାଇବର ଠକେଇ ହେଉଥିବାରୁ ଏଭଳି ସାଇବର ଠକମାନଙ୍କ ଠାରୁ ରକ୍ଷା ପାଇବା ଉପରେ ସଚେତନ କରିଥିଲେ।

ଏହି ଅବସରରେ ନମସଂକୀର୍ତ୍ତନ୍ୟ, କୃଷ୍ଣ ଗୁରୁ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିକ୍ଷକ ରାଜେନ୍ଦ୍ର ବିଶି ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ଏ ଏସଆଇ ହୀରାଧର ବେହେରା ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଲଟିଲା ଭବନେଶ୍ୱରରୁ କିସିଣ୍ଡା ଯାଉଥିବା ଶିବଶଙ୍କର ବସ୍, ୪ ଯାତ୍ରୀ ଆହତ

କନ୍ଦର୍ପ ବେହେରା
ରେଢାଖୋଲ: ଭବନେଶ୍ୱରରୁ କିସିଣ୍ଡା ଯାଉଥିବା ଶିବଶଙ୍କର ବସ୍ ଆଜି ଭୋରରୁ କେଲୋ ନିକଟସ୍ଥ କାଜୁ ବଗିଚା ପାଖରେ ଓଲଟି ପଡିଥିବା ଜଣା ପଡିଛି। ଏଥିରେ ୪ ଜଣ ଯାତୀ ଆହତ ହୋଇଥିବା ବେଳେ ଡ୍ରାଇଭର ଫେରାର୍ ଥିବା ଜଣା ପଡିଛି।

ସବୁଦିନ ପରି ଆଜି ଭୋରରୁ ଭୁବନେଶ୍ୱରୁ କିସିଣ୍ଡା ଫେରୁଥିବା ଶିବଶଙ୍କର ବସ୍ ଟି କିସିଣ୍ଡା ଥାନା ବଳମ୍ ପଂଚାୟତର କେଲୋ କାଜୁବଗିଚା ନିକଟରେ ରାସ୍ତାର ଅପରପାଶ୍ୱର୍କୁ ଓଲଟି ପଡିବାରୁ ୪ ଜଣା ଯାତ୍ରୀ ଆହତ ହୋଇଛନ୍ତି। ଆହତ ୪ ଜଣ ଯାତ୍ରୀ ବିଶେଷ କିଛି ଗୁରୁତର ହୋଇ ନ ଥିବା ଜଣା ପଡିଛି। ବସ୍ ର ଚାଳକ ଭୟରେ ଗାଡି ଛାଡି କେଉଁଆଡେ ଫେରାର୍ ହୋଇଯାଇଥିଲା। କିସିଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଏକ ମାମଲା ରୁଜୁ କରିଛି।

Categories
ଆଞ୍ଚଳିକ

ସମ୍ବଲପୁର ପୋଲିସ ଦ୍ବାରା କିସିଣ୍ଡାରେ ରକ୍ତଦାନ ଶିବିର

କନ୍ଦର୍ପ ବେହେରା
ରେଢ଼ାଖୋଲ: କିସିଣ୍ଡା ଥାନା ରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା। ଏହି ଶିବିରକୁ ଏସଡିପିଓ ରେଢ଼ାଖୋଲ ପ୍ରଶାନ୍ତ କୁମାର ମେହେର ଉଦଘାଟନ କରିଥିବାବେଳେ ଆଇଆଇସି ପ୍ରଶାନ୍ତ ସାମଲ ଉପସ୍ଥିତ ଥିଲେ।

ଏହି ଶିବିରରେ ସର୍ବମୋଟ ୮୨ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି। ଏହି ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ପ୍ରତୀକ ପ୍ରିୟବ୍ରତ, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ପାଇନୁ ଭୋଇ, ସ୍ମୃତି ପଟ୍ଟନାୟକ ଏବଂ ଜନକ ବେହେରା ପରିଚାଳନା କରିଥିଲେ। ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲl।

ଏହି ଶିବିରକୁ ପାଣିମୋରା ସରପଞ୍ଚ ଜଗନ୍ନାଥ ସାହୁ, ଗିରିଶ୍ଚନ୍ଦ୍ରପୂର୍ ସରପଞ୍ଚ ଶୁଭେନ୍ଦୁ ପ୍ରଧାନ, କିସିଣ୍ଡା ଥାନାର ସମସ୍ତ କର୍ମଚାରୀ, ସ୍ଵାଧୀନ ପ୍ରଧାନ ଏବଂ ସ୍ଥାନୀୟ ଲୋକ ସହଯୋଗ କରିଥିଲେ। ଏସଡିପିଓ ପ୍ରଶାନ୍ତ ମେହେର ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବୀରେନ ପ୍ରଧାନ, ଶଙ୍କର ନାୟକ, ଅକ୍ଷୟ ନାୟକ, ଅତୁଲ୍ୟ ରାଉଳ, ପ୍ରମୋଦ ମାଝୀ ଏବଂ ନେତ୍ରାନନ୍ଦ ରାଉଳ ଶିବିରରେ ସହଯୋଗ କରିଥିଲେ। ରକ୍ତ ଅଭାବରେ କାହାରି ଜୀବନ ନ ଯାଉ ଏହା ହିଁ ସମ୍ବଲପୁର ପୋଲିସ ର ଉଦେଶ୍ୟ। ପୋଲିସର ଏହି ଶିବିରକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

ଶେଷରେ ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମାନଙ୍କୁ ଆଇଆଇସି ପ୍ରଶାନ୍ତ ସାମଲ ଧନ୍ୟବାଦ୍ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କିସିଣ୍ଡାରେ ଚୋରାରେ ମହୁଲ କାରବାର: ୪୨୫ ବସ୍ତା ମହୁଲ ଫୁଲ ଜବତ, ୨ ଗାଡି ସହ ୭ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ଅଂଚଳରେ ମହୁଲ ଫୁଲ ଚୋରା ବେପାରିମାନଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଚାଷୀ ମହୁଲ ଫୁଲ ବିକ୍ରି କରିପାରି ନଥିବା ବେଳେ ଦଲାଲିମାନେ କମ୍ ଦରରେ ଚାଷୀମାନଙ୍କଠାରୁ ମହୁଲ ଫୁଲ କିଣି ଚଢା ଦରରେ ବାହାର ରାଜ୍ୟରେ ବିକ୍ରି କରି ଲାଭ ବାନ୍ ହେଉଛନ୍ତି। ହେଲେ ଆଜି ରାତିରେ କିସିଣ୍ଡା ପୋଲିସ୍ କୁ ବଡ ସଫଳତା ମିଳିଛି। କିସିଣ୍ଡା ପୋଲସ୍‌ ଗତ ରାତି ପ୍ରାୟ ୧୨.୩୦ ସମୟରେ କିସିଣ୍ଡା ଥାନା ଉପରମୁଣ୍ଡା ଗ୍ରାମରୁ ୨ ଟି ଗାଡି ସାହାଯ୍ୟରେ ମହୁଲ ଫୁଲ ଲୋଡ୍ ହୋଇ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ଗାଡି ସହ ଏହାର ମୁଖ୍ୟ ନାୟକ ତଥା ତାର ସହଯୋଗୀମାନଙ୍କୁ ପୋଲିସ୍ ଗିରଫ କରିଛି।

ପ୍ରକାଶ ଯେ, କିସିଣ୍ଡା ପୋଲିସ୍ ଗତକାଲି ରାତିରେ ବଳମ୍, ବଲାସିଂଘା, ଉପରମୁଣ୍ଡା ଗ୍ରାମରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଉପରମୁଣ୍ଡା ଗ୍ରାମରେ ମହୁଲ ଫୁଲ ୨ ଟି ଗାଡିରେ ଲୋଡ ହେଉଥିବା କୈାଣସି ସୂତରୁ ଖବର ପାଇ ଚଢଉ କରିଥିଲା। ଚଢଉ ସମୟରେ ୨ ଟି ଚାରି ଚକିଆ ଗାଡିକୁ ପୋଲିସ୍ ଜବତ କରି କିସିଣ୍ଡା ଥାନାକୁ ନେଇଯାଇଥିଲା। ଏଥରେ ସଂପୃକ୍ତି ଥିବା ମୁଖ୍ୟ ଦଲାଲି ବିଦ୍ୟାଧର ସାହୁ ସମେତ ଡିଲେଶ୍ୱର ରାଉଳ, ପ୍ରାଣବନ୍ଧୁ ବନଛୋର, ଦୁଆରୁ ରାଉଳ, ସୁବଳ ରାଉଳ, ଧବଳେଶ୍ୱର ପୁଲେଇ, ନରେନ୍ଦ୍ର ପ୍ରଧାନକୁ ପୋଲିସ୍ ଗିରଫ କରିଛି।

ଚାଷୀ ମାନଙ୍କ ଠାରୁ କମ୍ ଦରରେ ମହୁଲ କିଣି ଚଢା ଦରରେ ବିକ୍ରି କରୁଥିବା ମୁଖ୍ୟ ଦଲାଲି ବିଦ୍ୟାଧର ସାହୁ ଏହି ବେପାରର ମୁଖ୍ୟ ପୁରୋଧା ବୋଲି ଜଣା ପଡିଛି। ସେ ସବୁ ସମୟରେ ଏମିତି ଅନୈତିକ ଭାବରେ ଚୋରାରେ ଜଙ୍ଗଲଜାତ ଦ୍ରବ୍ୟ ଚାଷୀମାନଙ୍କ ଠାରୁ କିଛି ଚଢା ଦରରେ ବିକ୍ରି କରିଥାଏ ବୋଲି ପୋଲିସ୍ ପ୍ରକାଶ କରିଛି।

ପୋଲିସ୍ କୁ ଦଲାଲି ମହୁଲ ଫୁଲ କିଣୁଥିବାର କୌଣସି କାଗଜ ପତ୍ର ଦେଖାଇ ପାରି ନ ଥିଲା। ଜବତ ଟ୍ରକ୍ ଓଡି-୧୫-ଆର୍ ୩୫୯୫ ରେ ୪୦୦ ବସ୍ତା, ଏବଂ ପିକ୍ ଅପ୍ ଭ୍ୟାନ୍ ଓଡି ୧୫-ଏଚ୍ ୩୮୩୦ ରୁ ୨୦ ବସ୍ତା କୁ ଜବତ କରାଯାଇଛି। କିସିଣ୍ଡା ଥାନା କେସ୍ ନଂ ୟୁ/ଏସ୍‌-୩୭୯/୪୧୧/୩୪ଆଇପିସି/୫୨(ଏ)(ଆଇଆଇ)୬୨ ଓଡିଶା ଏକ୍ସ ସାଇଜ୍ ଆଇନ୍ ବଳରେ ମାମଲା ରୁଜୁ କରାଯାଇଥିବା ବେଳେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା କିସିଣ୍ଡା ପୋଲିସ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛି।

ସମ୍ବଲପୁର ଏସ୍.ପି ଙ୍କ ନିର୍ଦ୍ଦେଶ କ୍ରମେ କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ୍,ଏସ୍ ଆଇ ସନତ କୁମାର ମାନଡଙ୍ଗି, ଏସ୍‌ଆଇ କଷ୍ଟୁ ଚରଣ ବେହେରା ସଦଳେବଳେ ଚଢଉରେ ସାମିଲ୍ ହୋଇଥିଲେ।

Categories
ଅପରାଧ ଆଞ୍ଚଳିକ

ଦେଶୀ ବନ୍ଧୁକ, ବାଇକ୍ ସହ ୨ କେଜି ବାରହା ମାଂସ ଜବତ, ଜଣେ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ କିସିଣ୍ଡା ଅଂଚଳରୁ ବନବିଭାଗ ଅବାଧରେ ଜନ୍ତୁ ଶିକାର କରୁଥିବା ଶିକାରୀମାନଙ୍କୁ ଧରିବାରେ ସଫଳ ହେଉଛି। ଗତକାଲି ସଂଧ୍ୟାରେ ଖଳାସୁଣି ବନ୍ୟପ୍ରାଣୀ ବନାଂଚଳ ର କଂଚନପୁର ଛକରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ରୁ ୨ କେଜି ବାରହା ମାଂସ ଜବତ କରିଛି କିସିଣ୍ଡା ବନବିଭାଗ। ଏଥିରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଖଳାଶୁଣି ବନ୍ୟପ୍ରାଣୀ ବନାଂଚଳ ଅଧୀନସ୍ଥ କଂଚନପୁର ଗ୍ରାମର ଅନୀଲ ମିଲୁଆର ନିଜର ବାଇକରେ ବାରହା ମାଂସ ଧରି କଂଚନପୁର ଛକକୁ ଆସୁଥିବା ବେଳେ କିସିଣ୍ଡା ଫରେଷ୍ଟ ତଥା ଅନ୍ୟ କର୍ମଚାରୀମାନେ ଖବର ପାଇ ସଂଧ୍ୟା ୫ ଟାରେ ବାଇକକୁ କଂଚନପୁର ଛକ ଠାରେ ଅଟାକାଇ ଥିଲେ। ବାଇକରୁ ୨ କେଜି ବାରହା ମାଂସ ଜବତ କରିବା ସହ ସେ କେଉଁଠାରୁ ଏହି ମାଂସ ଆଣି ଥିଲା ବନବିଭାଗ ପଚାରିଥିଲା। ସେ ନିଜେ ବାରହାକୁ ମାରି ମାଂସ ଆଣିଥିବା ସ୍ୱୀକାର କରିଥିଲା। ଭରାଦେଇ ଜଙ୍ଗଲରେ ଲୁଚାଇ ରଖିଥିବା ବନ୍ଧୁକ ମଧ୍ୟ ବନବିଭାଗକୁ ଦେଖାଇଥିଲା।

ବନବିଭାଗ ବନ୍ଧୁକକୁ ଜବତ କରିଥିଲା। ଆଜି ଶିକାରୀ ଅନୀଲ ମିଲୁଆର୍ କୁ ବନବିଭାଗ କୋର୍ଟଚାଲାଣ କରିଛି । ଏହି ଚଢଉରେ ଖଳାଶୁଣି ବନ୍ୟପ୍ରାଣୀ ବନାଂଚଳର କିସିଣ୍ଡା ଫରେଷ୍ଟର ଅନୁରାଧା ଖରସେଲ୍ ତଥା ବନବିଭାଗର କର୍ମଚାରୀ ସାମିଲ୍ ହୋଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କିସିଣ୍ଡାରେ ଆଦିବାସୀ ଉଚ୍ଛେଦ ଦାବୀରେ ରେଞ୍ଜ ଅଧିକାରୀଙ୍କୁ ଦାବୀପତ୍ର

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ଉପଖଣ୍ଡ କିସିଣ୍ଡା ର ଲଣ୍ଡାକୋଟ ଜଙ୍ଗଲରେ ଆଦିବାସୀ ମାନଙ୍କ ଅନୁପ୍ରବେଶ ଓ ଶହ ଶହ ଜଙ୍ଗଲ କାଟିବା ପ୍ରତିବାଦରେ ଆଜି କିସିଣ୍ଡା ଠାରେ ବନ ସୁରକ୍ଷା ସମିତି ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା।

ପ୍ରକାଶ ଯେ, କିସିଣ୍ଡା ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରେ ୨୦ ବର୍ଷ ହେଲା ବାହାର ଅଂଚଳର ଆଦିବାସୀ ମାନେ ଆସି ବସବାସ କରୁଛନ୍ତି। ଆଦିବାସୀ ଲୋକମାନେ ଶହ ଶହ ଏକର ଜଙ୍ଗଲ ଜମିକୁ କାଟି ଚାଷ କରିବା ସହ ହଜାର ହଜାର ଗଛ କାଟି ଲଣ୍ଡାକୋର୍ଟ ଜଙ୍ଗଲକୁ ଧ୍ୱଂସ କରିଦେଇଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଛି। ଧ୍ୱଂସ ପାଇଥିବା ଜଙ୍ଗଲର ପୁନରୁଦ୍ଧାର କରିବାକୁ ବନ ସୁରକ୍ଷା ସମିତି ଦାବୀ କରିଛି।

ଆସନ୍ତା ୭ ଦିନ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୮ ଜାନୁଆରୀରେ ଡିଏଫ୍‌ଓ ଙ୍କୁ ଘେରାଉ କରିବା ସହ ରେଢାଖୋଲ ଠାରେ ଥିବା ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାକୁ ବନ ସୁରକ୍ଷା ସମିତି ଚେତାବନୀ ଦେଇଛି ବୋଲି ବନସୁରକ୍ଷା ସମିତିର ସଭ୍ୟମାନେ ଲିଖିତାକାରରେ ଜଣାଇଛନ୍ତି। ଏହାର ଏକ କପି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗକୁ ମଧ୍ୟ ପଠାଇଛନ୍ତି। ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କୁ ସାକ୍ଷାତ୍ କରି ଏହାର ତଦନ୍ତ କରିବାକୁ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ/ସଭ୍ୟା ଦାବୀ କରିଛନ୍ତିି।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସମିତି ବହୁବାର ଏ ସଂପର୍କରେ ବନବିଭାଗର ବରିଷ୍ଠ ଅଧିକାରୀଙ୍କୁ ଲିଖିତାକାରରେ ଜଣାଇବା ସହ ବହୁବାର ଅନ୍ଦୋଳନ ମଧ୍ୟ କରିଥିଲେ। ଏହା ସତ୍ୱେ ବନବିଭାଗ ତଥା ସରକାର ଜଙ୍ଗଲ କାଟି ପଦା କରିଥିବା ଆଦିବାସୀମାନଙ୍କ ବିରୁଦ୍ଧରେ କୌଣସି ପଦେକ୍ଷପ ନେଇ ନ ଥିବା ସମିତି ପ୍ରକାଶ କରିଛି। ରେଞ୍ ଅଧିକାରୀଙ୍କୁ ସାକ୍ଷାତ୍ କରିବା ସମୟରେ କିସିଣ୍ଡା ଥାନାଧିକାରୀ ଚିତରଞନ ନାଏକ ମଧ୍ୟ ଉପସ୍ଥିତ ଥିଲେ। ବନ ସୁରକ୍ଷା ସମିତିର ସଭାପତି ଶଙ୍କର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ୍ ବିହାରୀ ପ୍ରଧାନ, ନାରାୟଣ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା।