Categories
ଆଞ୍ଚଳିକ

ପଙ୍କପାଳ ଜ୍ଞାନ ବିକାଶରେ ଗୁରୁ ଦିବସ ପାଳିତ

କୁଜଙ୍ଗ: କୁଜଙ୍ଗ ବ୍ଳକ ପଙ୍କପାଳ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ସତ୍ୟସାଇ ଜ୍ଞାନ ବିକାଶ ପରିସର ମଧ୍ୟରେ ଆଜି ପାରମ୍ପରିକ ଗୁରୁ ଦିବସ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇଂ.ଗଗନବିହାରୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବିଦ୍ୟାଳୟ ପ୍ରତିଷ୍ଠା ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବର୍ଷିୟାନ ଶିକ୍ଷକ ବ୍ରଜନାଥ ଷଡଙ୍ଗୀ, ପ୍ରାଣକୃଷ୍ଣ ଜେନା, ସମାଜସେବୀ ତଥା ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ତିର୍ତ୍ତୋଲ ସତ୍ୟସାଇ ସମିତିର ପ୍ରମୁଖ ଶରତଚନ୍ଦ୍ର ମହାନ୍ତି, ଅଧ୍ୟାପକ ଚିତ୍ତରଞ୍ଜନ ଜେନା, ବିଭୂତି ଭୂଷଣ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଗୁରୁ ଭାରତୀୟ ଶିକ୍ଷା ପରମ୍ପରାର ଅଗ୍ରପୂଜ ଦେବତା ବୋଲି ବକ୍ତାମାନ ପ୍ରକାଶ କରିବା ସହିତ ଦେଶର ବିକାଶ ପାଇଁ ଉତ୍ତମ ନାଗରିକ ସୃଷ୍ଟି କରିବା କ୍ଷେତ୍ରରେ ସେମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ସତିନ୍ଦ୍ର ପଟ୍ଟନାୟକ ସ୍ୱଗତ ଭାଷଣ ଦେଇଥିବାବେଳେ ଲିଲିମା ମହାପାତ୍ର, ଅଳ୍ପନା ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଓମକାର, ସାଇଗାୟତ୍ରୀ ଓ ଭଜନ ପରିବେଷ କରାଯାଇଥିଲା।

Categories
ଆଞ୍ଚଳିକ

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜଗତସିଂପହୁର ଜିଲ୍ଲାପାଳ

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗବ୍ଳକରେ କୋଭିନ-୧୯ ପରିଚାଳନା ପାଇଁ ପଂଚାୟତ ସ୍ତରରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଆଜି ଜଗତସିଂପହୁର ଜିଲ୍ଲାପାଳ ସଙ୍ଗ୍ରାମ କେଶରୀ ମହାପାତ୍ର ସରପ୍ରାଇଜ ଭିଜିଟରେ ଆସିଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀଯୁକ୍ତ ମହାପାତ୍ର ଅଗପାଳ ଏବଂ ପଙ୍କପାଳ ଠାରେ ଥିବା ଅସ୍ଥାୟୀ ଶିବିର ପରିଦର୍ଶନ କରିଥିଲେ। ସମ୍ଭାବ୍ୟ ସଙ୍କ୍ରମଣର ପ୍ରାଥମିକ ସ୍ତରରେ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଏହି ଶିବିରକୁ ଦେଖିବାପରେ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ। ଅଗପାଳରେ ୧୫ ଟି ଏବଂ ପଙ୍କପାଳ ପଂଚାୟତରେ ୧୫ଟି ଶିବିର ପ୍ରତିଷ୍ଠା କରାଯାଇଛି। ସେହିପରିଭାବେ ପଙ୍କପାଳରେ ଅଧିକ ୧୫ଟି ଅସ୍ଥାୟୀ ଶିବିର ନିର୍ମାଣ ପାଇଁ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଏହି ଅବସରରେ ନିର୍ଦ୍ଦେଶ ପ୍ରଦାନ କରିଥିବା ସମ୍ପୃକ୍ତ ପଂଚାୟତର ସରପଂଚଙ୍କ ପ୍ରତିନିଧ କୃଷ୍ଣପ୍ରସନ୍ନ ଦାସ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ କୁଜଙ୍ଗର ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାର ଡ଼. ପୂଜାଲେଙ୍କା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟଜିତ ସ୍ୱାଇଁ ପ୍ରମୁକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ଏହି କାର୍ଯ୍ୟକ୍ରମରେ ପଙ୍କପାଳ ସରପଂଚ ମିନାକ୍ଷୀ ଦାସ, ସମିତିସଭ୍ୟ ଅକ୍ଷୟ କୁମାର ସାହୁ, ଅଗପାଳ ସରପଂଚ ମେନକା ବେହେରା, ସମିତିସଭ୍ୟା ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ପ୍ରଭାବଶାଳୀଙ୍କ ଲୋଲୁପ ଦୃଷ୍ଟିରେ ସରକାରୀ ସମ୍ପତ୍ତି: ଅଙ୍ଗନବାଡି ପାଚେରୀ ଭାଙ୍ଗିବାକୁ ଚାଲିଛି ମସୁଧା

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଏକ ଅଙ୍ଗନବାଡ଼ୀ ପାଚେରୀକୁ ଭାଙ୍ଗିବାକୁ ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତି ଉଦ୍ୟମ କରୁଥିବାବେଳେ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅଭିଭାବକମାନେ ଜିଲ୍ଲାପାଳଙ୍କ  ନିକଟରେ ନିବେଦନ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଥାନା ଅଧିକାରୀ, ବିଡ଼ିଓ ଏବଂ ତହସିଲଦାରଙ୍କୁ ମଧ୍ୟ ଅଭିଭାବକମାନେ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ତେବେ କୋମଳମତି ଶିଶୁଙ୍କୁ ହୀନ ରାଜନୀତିର ଶିକାର କରାଯାଉଥିବାରୁ ଏହି ଘଟଣାରେ ବୁଦ୍ଧିଜୀବୀଙ୍କ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ପ୍ରକାଶଯେ, ମଙ୍ଗରାଜପୁର ଅଙ୍ଗନବାଡ଼ୀ-୨ କେନ୍ଦ୍ରରେ ସ୍ଥାନୀୟ ଅଂଚଳର କୁନିକୁନି ପିଲାମାନେ ଅଧ୍ୟୟନ କରୁଛନ୍ତି। ଏହି କେନ୍ଦ୍ର ମଧ୍ୟ ପରିଚାଳନା କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନକରି ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ଚର୍ତୁପାଶ୍ୱରେ ପାଚେରୀ ନଥିବାରୁ ଶିଶୁମାନେ ଅସୁରକ୍ଷିତ ଭାବେ ଏଠାରେ ଅଧ୍ୟୟନ କରୁଥିଲେ। ତେବେ ବ୍ଳକ ପକ୍ଷରୁ ୨ ଲକ୍ଷ ଟଙ୍କାରେ ଏହାର ପାଚେରୀ ନିର୍ମାଣ କରାଯାଇଥିଲା। ମାତ୍ର ଏହି ପାଚେରୀ ରାସ୍ତାର ବହୁ ଦୂରରେ ଥିବା ସତ୍ତ୍ବେ ଏହାକୁ ଭାଙ୍ଗିବାକୁ ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତିମାନେ  କିଛିଦିନ ହେବ ଉଦ୍ୟମ ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏନେଇ ଏକାଧିକବାର ଉଦ୍ୟମ ହୋଇଥିବା ଜଣାପଡ଼ିଛି। ତେବେ ସରକାରୀ ଅର୍ଥ ବ୍ୟୟରେ ସରକାରୀ ଜମି ଉପରେ ସରକାରଙ୍କ ଗୃହର ପାଚେରୀ ଭାଙ୍ଗିବାପାଇଁ ଏହି ବ୍ୟକ୍ତିମାନେ କେଉଁଠାରୁ ଅଧିକାର ପାଇଲେ ବୋଲି ପ୍ରଶ୍ନ ଉଠିଛି। ତପନ କୁମାର ସାହୁ, ଆଲୋକ କୁମାର ସ୍ୱାଇଁ, ଲକ୍ଷ୍ମୀଧର ସ୍ୱାଇଁ, କାଳନ୍ଦୀ ସ୍ୱାଇଁ, ପବିତ୍ର ବେହେରା, ଜଗନ ସ୍ୱାଇଁ, କବିନ୍ଦ୍ର ବେହେରା, ବୈଦ୍ୟନାଥ ରାଉତ,ରୂପକ ସ୍ୱାଇଁ,ରଶ୍ମୀତା ଦାସ,ସୁବାଷ ବେହେରା, ପ୍ରତିମା ବେହେରା ପ୍ରମୁଖ ଶତାଧିକ ଅଙ୍ଗନବାଡ଼ୀ ଶିଶୁଙ୍କ ଅଭିଭାବକ ଏବଂ ଅଭିଭାବିକା ମାନେ ଏଥିରେ ହସ୍ତକ୍ଷେପ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତଭାବେ ନିବେଦନ କରିଥିବା ଜଣାପଡ଼ିଛି। ସେହିପରିଭାବେ ଏନେଇ ସ୍ଥାନୀୟ ତହସିଳଦାର ଏବଂ ଥାନା ଅଧିକାରୀଙ୍କ ନିକଟରେ ମଧ୍ୟ ଲିଖିତଭାବେ ଆବେଦନ କରାଯାଇଥିବା ଜଣାପଡ଼ିଛି।

ତେବେ ଏହି ଅଙ୍ଗନବାଡ଼ି ପାଚେରଟି ସମ୍ପୂର୍ଣ୍ଣ ଭାବରେ ସରକାରୀ ଜାଗାରେ ରହିଛି। ଏଥିରେ କାହାର ଅସୁବିଧା ହେଉନଥିବାର ଜଣାଯାଇଛି। ଯଦି କେହି ଏହାକୁ ଭାଙ୍ଗିବାକୁ ଉଦ୍ୟମ କରନ୍ତି, ତା’ହେଲେ, ସରକାରୀ ନିୟମ ଅନୁସାରେ ଦଣ୍ଡିତ ହେବାର ପ୍ରାବଧାନ ରହିଛି। ଅପରପକ୍ଷରେ ଥାନା ଅଧିକାରୀ ଏହି କାର୍ଯ୍ୟ ନ କରିବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରଣ କରିଥିବା ଜଣାପଡିଛି। ତେବେ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ସରକାରୀ ଦଣ୍ଡାକୁ ନିଜ ନାମରେ ସ୍ଥାୟୀ ରେକର୍ଡ କରାଇନେଇଥିବାର ଜଣାଯାଇଛି। ସେହିପରି ଅନ୍ୟ କେତେକ ସରକାରୀ ଜମିରେ ସ୍ଥାୟୀ ନିର୍ମାଣ କରିଛନ୍ତି। ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ କାହିଁକି ଅଙ୍ଗନବାଡି କେନ୍ଦ୍ରର ପାଚେରୀ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

Categories
ଆଞ୍ଚଳିକ ଖେଳ

ନେତାଜୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ଧର୍ମଶାଳା ଓ ନିମେଇଶାପୁର

ସମୀକ୍ଷା ବ୍ୟୁରୋ

କୁଜଙ୍ଗ,୩/୧: କୁଜଙ୍ଗ ବ୍ଳକ ଅନ୍ତର୍ଗତ ମଙ୍ଗରାଜପୁର ଷ୍ଟାଡିୟମରେ ୨୪ ତମ ନେତାଜୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି  ଦୁଇଟି ସେମିଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଧର୍ମଶାଳା ଏବଂ ନିମେଇଶାପୁର ଫାଇନାଲରେ ପହଂଚିଛନ୍ତି। ପ୍ରଥମ ସେମିଫାଇନାଲ ମ୍ୟାଚ ଅଲଷ୍ଟାର ଫୁଟବଲ କ୍ଳବ କଟକ ଏବଂ ନିମେଇଶାପୁର କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିମେଇଶପୁର ଦଳ ଅଲଷ୍ଟାର ଫୁଟବଲ କ୍ଳବକୁ ୪-୧ ଗୋଲ ବ୍ୟବଧାନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରିଭାବେ ଧର୍ମଶାଳା ଏବଂ ପାରାଦୀପ ମଧରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଧର୍ମଶାଳା ଦଳ ପାରାଦୀପକୁ ୩-୧ ଗୋଲ ବ୍ୟବଧାନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା।

ଏହି କ୍ରୀଡ଼ା ଉତ୍ସବରେ ଅତିଥି ଭାବେ କଂଗ୍ରେସ ନେତା ଅରିନ୍ଦମ ସାର୍ଖେଲ ଯୋଗଦେଇ ଏହି ଷ୍ଟାଡ଼ିୟମର ବିକାଶ ତଥା କ୍ରୀଡ଼ାର ବିକାଶ ପାଇଁ ଆଗାମୀ ଦିନରେ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ାକ୍ତର ରଞ୍ଜନ କୁମାର ସାମଲ, ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ତ୍ରିପାଠୀ, ଏଏନଡ଼ି ଯାଦବ, ରମେଶ ଚନ୍ଦ୍ର ଦାସ, ମାୟଧର ଦାସ, କୁଳମଣୀ ତରାଇ, ରଞ୍ଜିତ କୁମାର ଦାସମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଆଜି  ଧର୍ମଶାଳା ଏବଂ ନିମେଇଶାପୁର କଟକ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମକୁ ଆସୋସିଏସନର ସଭାପତି ପ୍ରଦୀପ୍ତ କୁମାର ଦାସମହାପାତ୍ର, ସମ୍ପାଦକ ଦୁଷ୍ମନ୍ତ ମାଝୀ ପରିଚାଳନା କରିଥିବାବେଳେ ଉପସଭାପତି ମାନସ କୁମାର ତରାଇ, କୋଷାଧ୍ୟକ୍ଷ ବିନ୍ଦୁସାଗର ତରାଇ, ଗ୍ୟାନଦା ପ୍ରସାଦ ତରାଇ, ତପନ କୁମାର ତରାଇ, ସୁଶାନ୍ତ କୁମାର ବେହେରା, ସୋମନାଥ ପାଣି, ପ୍ରଶାନ୍ତ କୁମାର ତରାଇ, ଜଟାଧାରୀ ଦାସ, ସୁଦର୍ଶନ ତରାଇ, ନୃସିଂହ ସ୍ୱାଇଁ, ରିଙ୍କୁ ସ୍ୱାଇଁ, ଚନ୍ଦନ ସାମଲ, କୃଷ୍ଣଚନ୍ଦ୍ର ବାରିକ, ନିଧି ଦାସ, ରିମି ଦାସ, ଜିତିନ ସେଠୀ, ଜୁଳୀ ସେଠୀ ପ୍ରମୁଖ ପ୍ରତିଯୋଗିତାର ପରିଚାଳନା କରିଥିଲେ।