Categories
ଆଜିର ଖବର ଜାତୀୟ ଖବର

କୁନୋ ଜାତୀୟ ଉଦ୍ୟାନରେ ‘ଚିତା” ମୃତ୍ୟୁ ପ୍ରାକୃତିକ କାରଣରୁ ଘଟିଛି: ଏନ୍ଟିସିଏ

ନୂଆଦିଲ୍ଲୀ: ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବିୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ସେମାନଙ୍କ ସ୍ୱଚ୍ଛ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି ଅଭୟାରଣ୍ୟରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତେବେ ଏହି କୋଡିଏ ଚିତାଙ୍କ ମଧ୍ୟରୁ ଏ ଯାଏ ପୂର୍ଣ୍ଣବୟସ୍କ ୫ଟି ଚିତାଙ୍କର ଏହି ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଲାଣି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ପ୍ରାଥମିକ ବିଶ୍ଳେଷଣ ଅନୁସାରେ ଏହି ପାଂଚଟି ଯାକ ‘ଚିତା’ ପ୍ରାକୃତିକ କାରଣରୁ ମରିଛନ୍ତି। ଦେଶରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଏନ୍ଟିସିଏ ସର୍ବୋଚ୍ଚ ସଂସ୍ଥା। ଏହା ମଧ୍ୟ ଚିତା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କୁନୋରେ ଚିତାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି। ରେଡିଓ କୋଲାର ବେକରେ ବନ୍ଧାଯାଇଥିବା କାରଣଠାରୁ ଆରମ୍ଭ କରି ଆହୁରି ଅନେକ କଥାକୁ ଏହି ବାଘ ମୃତ୍ୟୁ ସହିତ ଯୋଡାଯାଇଛି। ଗଣମାଧ୍ୟମର ଏହି ରିପୋର୍ଟ ଅନୁମାନ ସର୍ବସ୍ୱ ଓ କପୋଳକଳ୍ପିତ । ଏହା ଗୁଜବ ଓ ଅସତ୍ୟ। ଏଭଳି ଖବର ପଛରେ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ନାହିଁ ବୋଲି ଏନ୍ଟିସିଏ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

‘ପ୍ରୋଜେକ୍ଟ ଚିତା’ କାର୍ଯ୍ୟକ୍ରମକୁ ଏକ ବର୍ଷ ମଧ୍ୟ ହୋଇନାହିଁ। ଅତଏବ ଏତେ କମ୍ ସମୟରେ ଏହି ପ୍ରୋଜେକ୍ଟର ଫଳାଫଳକୁ ସଫଳତା ଓ ବିଫଳତା ଦୃଷ୍ଟିରୁ ବିିିଚାର କରି ଏକ ନିଷ୍ପତ୍ତିରେ ପହଂଚିବାର ସମୟ ଆସିନାହିଁ। ଚିତାକୁ ଭାରତ ଭଳି ଏକ ନୂଆ ପରିବେଶରେ ପୁନଃ ପ୍ରବେଶ କରାଇ ସେମାନଙ୍କୁ ବଂଚାଇ ରଖିବା ଓ ବଂଶବୃଦ୍ଧି କରାଇବା ଏକ ଦୀର୍ଘମିଆଦି କାମ। ବିଗତ ୧୦ମାସ ମଧ୍ୟରେ ଏହି ପ୍ରକଳ୍ପ ସହିତ ସମ୍ପୃକ୍ତ ସମସ୍ତ ପକ୍ଷ ଚିତା-ରକ୍ଷଣାବେକ୍ଷଣ ଓ ପରିଚାଳନାରେ ମୂଲ୍ୟବାନ ଅଭିଜ୍ଞତା ଅର୍ଜନ କରିଛନ୍ତି। ସେମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି କିପରି ଅଧିକ ହେବ ସେ ବାବଦରେ ଅନେକ ଅଭିଜ୍ଞତା ମିଳିଛି। ଏଥିରୁ ଜଣାପଡୁଛି ଯେ ଏହି ପ୍ରୋଜେକ୍ଟ ନିଶ୍ଚିତ ସଫଳ ହେବ। ଏଭଳି ସମୟରେ ଚିତା ମୃତ୍ୟୁକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କଳ୍ପନା ପ୍ରସୂତ କାହାଣୀ ପ୍ରକାଶ କରିବା ଠିକ୍ ନୁହେଁ ବୋଲି ସଂସ୍ଥାପକ୍ଷରୁ କୁହାଯାଇଛି।

ପୁନଃ ସଂସ୍ଥାପିିତ ଚିତାମାନଙ୍କୁ ସୁରକ୍ଷିତଭାବେ ରଖି ସେମାନଙ୍କ ବଂଶ ବୃଦ୍ଧି ପାଇଁ ଉଦ୍ୟମ ଚାଲିଛି ବୋଲି ଏହି ସ୍ପଷ୍ଟୀକରଣରେ ଏନ୍ଟିସିଏ କହିଛି। ଚିତାମୃତ୍ୟୁର କାରଣ ଅନୁସନ୍ଧାନ କରିବାକୁ ଆନ୍ତର୍ଜାତିକ ଚିତା ବିଶେଷଜ୍ଞ, ଦକ୍ଷିଣ ଆଫ୍ରିକାର ଓ ନାମିବିୟାର ପ୍ରାଣୀ ଚିକିତ୍ସକଙ୍କ ସହିତ ନିୟମିତ ପରାମର୍ଶ କରାଯାଉଛି। ଏହାଛଡା ଆମ ଦେଶର ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱାଧୀନ ଭାବେ କୁନୋ ଜାତୀୟ ଉଦ୍ୟାନରେ ଚିତା ପ୍ରକଳ୍ପର ତଦାରଖ ବ୍ୟବସ୍ଥା, ସୁରକ୍ଷା ନୀତି, ପରିଚାଳନା ବ୍ୟବସ୍ଥା, ତାଲିମ, ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି। ଚିତା ପ୍ରକଳ୍ପ ଷ୍ଟିଅରିଂ କମିଟି ମଧ୍ୟ ଏହି ଘଟଣାକୁ ନିବିଡଭାବେ ପର୍ଯ୍ୟବେକ୍ଷଣ କରି ପରିଚାଳନା ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ କରିଛି।

ଚିତାଙ୍କ ସଂରକ୍ଷଣ ଓ ସୁରକ୍ଷାକୁକୁ ଅଧିକ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାର ଆବଶ୍ୟକ ମୌଳିକ ସୁବିଧା ସୁଯୋଗ କୁନୋ ଜାତୀୟ ଉଦ୍ୟାନରେ ସୃଷ୍ଟି କରାଯାଇଛି। ଏହା ସହିତ କୁନୋ ଜାତୀୟ ଉଦ୍ୟାନରେ ପ୍ରାକୃତିକ ପରିବେଶକୁ ଆହୁରି ଏହି ବାଘଙ୍କ ଅନୁକୂଳ କରି ଅତିରିକ୍ତ ଜଙ୍ଗଲାଞ୍ଚଳକୁ ଏଥିରେ ମିଶାଯାଇଛି। ଏହାଛଡା ସମ୍ମୁଖ ଧାଡିର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ସେଥିମଧ୍ୟରେ ଏକ ସ୍ୱତନ୍ତ୍ର ଚିତା ସୁରକ୍ଷା ବାହିନୀ ଅନ୍ତର୍ଭୁକ୍ତ। ଏହାଛଡା ଚିତାଙ୍କ ପାଇଁ ମଧ୍ୟପ୍ରଦେଶର ଗାନ୍ଧିସାଗର ବନ୍ୟାପ୍ରାଣୀ ଅଭୟାରଣ୍ୟରେ ଏକ ଦ୍ୱିତୀୟ ଆବାସସ୍ଥଳ ସୃଷ୍ଟି କରିବାକୁ ଉଦ୍ୟମ ଚାଲିଛି।

ପ୍ରାକୃତିକ ଆବାସରୁ ନୂଆ ଜାଗାକୁ ଚିତାଙ୍କୁ ନେଇ ଥଇଥାନ କରିବାରେ ବୈଶ୍ୱିକ ଅଭିଜ୍ଞତା
ଭାରତ ସରକାର ଦେଶରେ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉପଯୁକ୍ତ ନୀତି ପ୍ରଣୟନ କରି ତାହାକୁ ନିଷ୍ଠାର ସହ ପାଳନ କରୁଛନ୍ତି। ଭାରତକୁ ଚିତା ବଂଶ ଲୋପ ପାଇବାର ସାତ ଦଶନ୍ଧି ପରେ ଏକ ପ୍ରକଳ୍ପ ହାତକୁ ନିଆଯାଇ ଆଫ୍ରିକାରୁ ଚିତା ଆଣି ଥଇଥାନ କରିବାର ଉଦ୍ୟମ ହୋଇଛି। ତେଣୁ ଏହି ପ୍ରକଳ୍ପର ଉତ୍ଥାନ ପତନ ଓ ସମସ୍ୟା ନିଶ୍ଚିତ ରହିବ। ଏହି ଚିତା ଟ୍ରାନ୍ସଲୋକେସନ ବା ସ୍ଥାନାନ୍ତରଣ ପ୍ରୟାସର ବୈଶ୍ୱିକ ଅଭିଜ୍ଞତା ମଧ୍ୟ ଏଯାଏ ଶତ ପ୍ରତିଶତ ସଫଳ ହୋଇନାହିଁ। ଦକ୍ଷିଣ ଆଫ୍ରିକାର ତଥ୍ୟ କହୁଛି ଯେ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଚିତାଙ୍କ୍ୁ ଛାଡି ସେମାନଙ୍କ ବଂଶ ବୃଦ୍ଧି କରିବାରେ ଯେଉଁ ଉଦ୍ୟମ ହୋଇଥିଲା ସେଥିରେ ଚିତା ମୃତ୍ୟୁ ସଂଖ୍ୟା ୫୦ ଶତାଂଶରୁ ଅଧିକ ଥିଲା। ଏହି ମୃତ୍ୟୁର ଅନେକ କାରଣ ରହିଛି। ଆନ୍ତଃ ପ୍ରଜାତି ଲଢେଇ, ବିଭିନ୍ନ ପ୍ରକାର ରୋଗ, ଜଙ୍ଗଲରେ ସେମାନଙ୍କୁ ଛାଡିବା ପୂର୍ବ ଓ ପରବର୍ତ୍ତୀ ଦୁର୍ଘଟଣା ସେଥିମଧ୍ୟରୁ ଅନ୍ୟତମ। ଆହୁରି ମଧ୍ୟ ଶିକାରବେଳେ ଚିତା ଆହତ ହୋଇ ମୃତ୍ୟୁ ମୁଖରେ ପଡିଥାଆନ୍ତି ସେମାନଙ୍କୁମ ଦ୍ୟ ମଣିଷ ବେଳେବେଳେ ଶିକାର କରିଥାଏ। ତେଣୁ ସବିଶେଷ କାରଣ ଜଣା ନ ପଡିବା ପୂର୍ବରୁ ଚିତା ମୃତ୍ୟୁକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରିବା ଠିକ୍ ନୁହେଁ।

ପୃଷ୍ଠଭୂମି

ଭାରତ ସରକାର ଦେଶରେ ଚିତା ବଂଶ ପୁନର୍ବାର ବଢାଇବା ସହ ଏହି ପ୍ରଜାତିକୁ ଆମ ଜଙ୍ଗଲରେ ପୁନର୍ବାସ କରାଇବାକୁ ଉଚ୍ଚାଭିଳାଷୀ ଯୋଜନା ହାତକୁ ନେଇଛନ୍ତି । ପ୍ରୋଜେକ୍ଟ ଚିତା ନାମକ ଏହି ପ୍ରକଳ୍ପ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଦ୍ୱାରା କାର୍ଯ୍ୟକାରୀ ହେଉଛି । ଏହି ପ୍ରାଧିକରଣ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଏକ ବୈଧାନିକ ସଂସ୍ଥା । ଏହା ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗର ସହଯୋଗ କାର୍ଯ୍ୟ କରୁଛି । ଏହି ପ୍ରକଳ୍ପକୁ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ, ନାମିବିୟା ଓ ଦକ୍ଷିଣ ଆଫ୍ରିକାର ଚିତା ବିଶେଷଜ୍ଞମାନେ ପରାମର୍ଶ ଓ ସହଯୋଗ ଯୋଗାଉଛନ୍ତି । ଚିତା ବିଶେଷଜ୍ଞ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏହି ଷ୍ଟିୟରିଂ କମିଟିର ସୁପାରିସ ଅନୁସାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପୂର୍ବରୁ ସରିସ୍କା ଓ ପାନ୍ନା ଅଭୟାରଣ୍ୟରେ ମହାବଳ ବାଘମାନଙ୍କୁ ପୁନଃ ଥଇଥାନ କରିବାବେଳେ ଏଭଳି କମିଟି କରାଯାଇ ତାହାର ପରାମର୍ଶରେ କାମ ହୋଇଥିଲା । ସେହି ଦୁଇଟିଯାକ ପ୍ରକଳ୍ପ ସଫଳ ହୋଇଛି ।

‘ପ୍ରୋଜେକ୍ଟ ଚିତା’ ଯୋଜନାରେ ନାମିବିୟା ଓ ଦକ୍ଷିଣ ଆଫ୍ରିକାରୁ ମୋଟ ୨୦ଟି ଚିତା ବାଘ ଅଣାଯାଇ ସେମାନଙ୍କ ବେକରେ ରେଡିଓ କୋଲାର ଲଗାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛଡାଯାଇଛି । ରେଡିଓ କୋଲାର ମାଧ୍ୟମରେ ସେମାନଙ୍କ ଗତିବିଧିକୁ ତଦାରଖ କରାଯାଉଛି । ନୂଆ ପରିବେଶ ସହିତ ସେମାନେ କିପରି ଖାପ ଖାଉଛନ୍ତି ତାହାକୁ କର୍ତ୍ତୃପକ୍ଷ ଅନୁଧ୍ୟାନ କରୁଛନ୍ତି । ଏହି ୨୦ ଚିତାଙ୍କ ମଧ୍ୟରୁ ୧୦ଟିକୁ ଏବେ ଜଙ୍ଗଲରେ ମୁକ୍ତ ଭାବେ ଛଡାଯାଇଥିବାବେଳେ ଅବଶିଷ୍ଟ ଛ’ ଟିକୁ (ଗୋଟିଏ ନବଜାତକ) କ୍ୱାରେନଟାଇନ୍ ଖୁଆଡରେ ରଖାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

କୁନୋ ଜାତୀୟ ଉଦ୍ୟାନରେ ଚିତା ଛାଡିବାକୁ ନେଇ ବିବାଦ, ବିଷ୍ନୋଇ ସମାଜର ବିରୋଧ ପ୍ରଦର୍ଶନ

ଫତେହାବାଦ (ହରିୟାଣା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆସିଥିବା ଚିତାକୁ ଛାଡିବା ନେଇ ବିବାଦ ଦେଖାଦେଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ସର୍ବଦା ଆଗରେ ରହିଥିବା ବିଷ୍ନୋଇ ସମାଜ ଏହି ଚିତାଙ୍କ ଖାଦ୍ୟ ପାଇଁ କୁନୋ ଜାତୀୟ ଉଦ୍ୟାନରେ ହରିଣଙ୍କୁ ଛଡାଯାଇଛି ବୋଲି ଆପତ୍ତି କରିଛନ୍ତି। ଏହି ପଦକ୍ଷେପ ବିରୋଧରେ ବିଷ୍ନୋଇ ସମାଜରେ କ୍ରୋଧ ରହିଛି। ଏହି ପ୍ରସଙ୍ଗରେ ବିଷ୍ନୋଇ ସମାଜର ଲୋକମାନେ ହରିୟାଣାର ଫତେହାବାଦସ୍ଥିତ ଜିଲ୍ଲାପାଳ ଅଫିସ ବାହାରେ ଏକ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆଣିଥିବା ୮ ଟି ଚିତାଙ୍କ ଭୋକ ମେଣ୍ଟାଇବା ପାଇଁ ରାଜସ୍ଥାନ ଜଙ୍ଗଲରୁ ଶୋପୁରକୁ ୧୮୧ ଟି ହରିଣ ପଠାଯାଇଛି ବୋଲି ଅସନ୍ତୋଷ ପ୍ରକାଶ କରି ଅଲ ଇଣ୍ଡିଆ ବିଷ୍ନୋଇ ମହାସଭାର ସଭାପତି ଦେବେନ୍ଦ୍ର ବୁଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି।

ଦେବେନ୍ଦ୍ର ବୁଡିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠିରେ ଲେଖିଛନ୍ତି ଯେ, ବିଲୁପ୍ତ ପ୍ରଜାତିର ପୁନରୁଦ୍ଧାର ପାଇଁ ଭାରତ ସରକାର ନାମିବିଆରୁ ୮ ଟି ଚିତା ଆଣିଛନ୍ତି, କିନ୍ତୁ ସେମାନଙ୍କର ଖାଦ୍ୟ ମୁଖ୍ୟତଃ ହରିଣ, ମୃଗ ଇତ୍ୟାଦି ଅଟନ୍ତି। ସେହି ଜଙ୍ଗଲରେ ହରିଣ ଇତ୍ୟାଦିଙ୍କୁ ଛାଡିଥିବାରୁ ବିଷ୍ନୋଇ ସମାଜକୁ ଗଭୀର ଆଘାତ ଲାଗିଛି।

ଉଲ୍ଲେଖ ଯୋଗ୍ୟ ଯେ, ୭୦ ବର୍ଷ ପରେ ଦେଶକୁ ଚିତା ଫେରି ଆସିଛି। ଏହାପୂର୍ବରୁ ୧୯୫୨ ମସିହାରେ ଦେଶରୁ ଚିତା ପ୍ରଜାତିର ବିଲୁପ୍ତ ହେବାର ଖବର ନିଶ୍ଚିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ଛାଡିବା ପରେ ପ୍ରଧାନମନ୍ତ୍ରୀଙ୍କ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତରୁ ବିଲୁପ୍ତ ହୋଇଥିବା ନାମ୍ବିଆରୁ ଅଣାଯାଇଥିବା ହିଂସ୍ର ଚିତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଛନ୍ତି। ଚିତା ପ୍ରକଳ୍ପ ଅଧୀନରେ ଏହି ନାମ୍ବିଆରୁ ଆସିଥିବା ଚିତାକୁ ଭାରତ ସହ ପରିଚିତ କରାଯାଇଛି ଓ ଏହା ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ବୃହତ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ। କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତା ଗୁଡିକୁ ଛାଡିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଚିତା ମିତ୍ର, ଚିତା ପୁନର୍ବାସ ଓ ଥଇଥାନ ଗ୍ରୁପ ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ସହ ସେଠାରେ ମତ ବିନିମୟ କରିଛନ୍ତି।

ଏହି ଐତିହାସିକ ଘଟଣା ଅବସରରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଛନ୍ତି। ଦେଶକୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ କିଛି ସୁଯୋଗ କିପରି ମାନବ ସମାଜକୁ ଅତୀତର ଭୂଲଭଟକା ସୁଧାରି ଏକ ନୂତନ ଭବିଷ୍ୟତ ଗଠନ ଲାଗି ବାଟ କଢ଼ାଇଥାଏ ତା ଉପରେ ଆଲୋକପାତ କରିଥିଲେ। ଏହିପରି ଏକ ସୁଯୋଗ ଆଜି ଆମ ଆଗରେ ଉପନୀତ ବୋଲି ଶ୍ରୀ ମୋଦୀ କହିଥିଲେ।

କିଛି ଦଶନ୍ଧି ଆଗରୁ ଯୁଗଯୁଗ ଧରି ରହି ଆସିଥିବା ଜୈବ ବିବିଧତା ଲୋପ ପାଇଯାଇଥିବା ବେଳେ ଆଜି ତାର ପୁନରୁଦ୍ଧାର କରିବାର ସୁଯୋଗ ପାଇଛୁ ଓ ଏହି ପରିପ୍ରେକ୍ଷୀରେ ଚିତା ପୁଣି ଭାରତର ମାଟିକୁ ଫେରିବାରେ ସକ୍ଷମ ହୋଇଛି ବୋଲି ସେ କହିଥିଲେ। ଏହି ଚିତା ସ୍ମରଣୀୟ ମୂହୁର୍ତ୍ତ ଭାରତର ପ୍ରକୃତିପ୍ରେମୀ ସଚେତନତାକୁ କଳେ ବଳେ ଜାଗରିତ କରିଛି। କେତେ ଯୁଗ ପରେ ନାମ୍ବିଆରୁ ଚିତା ଭାରତୀୟ ମାଟିକୁ ଫେରିବା ନେଇ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ନାମ୍ବିଆକୁ ସ୍ୱତନ୍ତ୍ର ଭାବେ ସ୍ମରଣ କରି ଅଭିନନ୍ଦନ ଶ୍ରୀ ମୋଦୀ ଜଣାଇଛନ୍ତି। “ମୁଁ ନିଶ୍ଚିତ ଯେ ଏହି ଚିତା କେବଳ ଆମକୁ ଆମର ପ୍ରକୃତି ପ୍ରତି ଦାୟୀତ୍ୱ ମନେ ପକାଇ ଦେବେନାହିଁ ବରଂ ଆମକୁ ଆମର ମଣିଷପଣିଆ ଓ ପରମ୍ପରା ମନେ ପକାଇ ଦେବେ ବୋଲି ଶ୍ରୀ ମୋଦୀ କହିଥିଲେ।”

ସ୍ୱାଧୀନତାର ଅମୃତକାଳ ବିଷୟ ଅବତାରଣା କରି ପ୍ରଧାନମନ୍ତ୍ରୀ ପଞ୍ଚପ୍ରାଣର ସ୍ମରଣ କରି ଆମର ଐତିହ୍ୟ ନେଇ ଗର୍ବ କରିବା ସହ ଦାସତ୍ୱ ମନୋବୃତ୍ତିରୁ ସ୍ୱାଧୀନ ହେବାର ଗୁରୁତ୍ୱ ଉପରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯେତେବେଳେ ଆମେ ଆମ ମୂଳଠାରୁ ଦୂରେଇଯାଉ, ସେତେବେଳେ ଆମକୁ ବହୁ କ୍ଷତି ସହିବାକୁ ପଡିଥାଏ। ସେ ଗତ ଶତାବ୍ଦୀର ସ୍ମୃତିଚାରଣ କରି କହିଥିଲେ ଯେ ସେତେବେଳେ ପ୍ରକୃତିର ଶୋଷଣ ଆଧୁନିକତାର ଏକ ପ୍ରତୀକ ଥିଲା।”

୧୯୪୭ରେ ଯେତେବେଳେ ମାତ୍ର ତିନିଟି ଚିତା ବଞ୍ଚିଥିଲେ, ସେମାନଙ୍କୁ ମଧ୍ୟ ଶାଳ ଜଙ୍ଗଲରେ ଅତ୍ୟନ୍ତ ନିଷ୍ଠୁର ଓ ଦାୟୀତ୍ୱହୀନ ଭାବେ ହତ୍ୟା କରାଯାଇଥିଲା ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ୧୯୫୨ରେ ଭାରତରୁ ଚିତାବଂଶ ବିଲୁପ୍ତ ହେଲା, ଗତ ସାତ ଦଶନ୍ଧି ମଧ୍ୟରେ ସେମାନଙ୍କ ପୁନର୍ବସତି ପାଇଁ କୌଣସି ଉଦ୍ୟମ ମଧ୍ୟ ହୋଇନଥିଲା। ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଚିତାକୁ ନୂତନ ଶକ୍ତି ଓ ଉତ୍ସାହ ସହ ଥଇଥାନ ନେଇ ପ୍ରଧାନମନ୍ତ୍ରୀ ଖୁସିପ୍ରକଟ କରିଥିଲେ। “ଅମୃତର ମୃତପ୍ରାଣୀକୁ ଜୀବିତ କରିବାର ମଧ୍ୟ ଶକ୍ତି ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ କର୍ତ୍ତବ୍ୟ ଓ ବିଶ୍ୱାସର ଏହି ଅମୃତ କେବଳ ଆମର ଐତିହ୍ୟକୁ ପୁନର୍ଜିବିତ କରିବ ନାହିଁ ବରଂ ଚିତା ମଧ୍ୟ ଭାରତ ମାଟିରେ ଗୋଡ ରଖିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ପୁନର୍ବାସକୁ ସାକାର କରିବା ନିମନ୍ତେ ବର୍ଷ ବର୍ଷ ଧରି ଯେଉଁ କଠିନ ପରିଶ୍ରମ ହୋଇଛି ତାହା ଉପରେ ସମସ୍ତଙ୍କ ଧ୍ୟାନକେନ୍ଦ୍ରିତ କରି ପ୍ରଧାନମନ୍ତ୍ରୀ କହିଥିଲେ ରାଜନୀତିକ ଗୁରୁତ୍ୱ ଦିଆଯାଉନଥିବା ସେ ଅଞ୍ଚଳ ପାଇଁ ପ୍ରଚୁର ଶକ୍ତି ଖଟା ଯାଇଥିଲା। ଏଥିପାଇଁ ଏକ ବିସ୍ତୃତ ଚିତା କାର୍ଯ୍ୟନ୍ୱୟନ ଯୋଜନା ପ୍ରସ୍ତୁତ ସହ ଆମର ବିଜ୍ଞାନୀମାନେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକଙ୍କ ସହ ମିଶି ବିସ୍ତୃତ ଗବେଷଣା କରିଥିଲେ। ଚିତା ଗୁଡିକ ନିମେନ୍ତ ଉତକୃଷ୍ଠ ବାସସ୍ଥାନ ନେଇ ବ୍ୟାପକ ବୈଜ୍ଞାନିକ ସର୍ଭେ ପରେ କୁନୋ ଜାତୀୟ ଉଦ୍ୟାନକୁ ଏଥିପାଇଁ ପ୍ରକୃଷ୍ଟ ବିବେଚନା କରାଗଲା। ଆଜି ଆମର କଠିନ ପରିଶ୍ରମ ଆମ ଆଗରେ ଫଳସ୍ୱରୂପ ଦଣ୍ଡାୟମାନ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ ଯେତେବେଳେ ଆମ ଭବିଷ୍ୟତ ସୁରକ୍ଷିତ ରଖିବ ସେତେବେଳେ ଅଭିବୃଦ୍ଧି ଓ ସମୃଦ୍ଧିର ବାଟ ମଧ୍ୟ ଖୋଲିଥାଏ। ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଯେତେବେଳେ କୁନୋ ଜାତୀୟ ଉଦ୍ୟାନରେ ଚିତା ଦୌଡିବେ ସେତେବେଳେ ଆମ ତୃଣବୁଦା ଶ୍ରେଣୀୟ ବାତାବରଣର ପୁନରୁଦ୍ଧାର ହେବା ସହ ଆମର ଜୈବ ବିବିଧତାରେ ମଧ୍ୟ ଅଭିବୃଦ୍ଧି ଘଟିବ। ସେ ଅଞ୍ଚଳରେ ପରିବେଶ ପର୍ଯ୍ୟଟନ ବୃଦ୍ଧି ସହ ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସହ ବିକାଶର ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ସେ କହିଥିଲେ। ଯେଉଁ ଚିତା ଗୁଡିକୁ କୁନୋ ଜାତୀୟ ଉଦ୍ୟାନକୁ ଛଡାଯାଉଛି ସେମାନଙ୍କୁ ଦେଖିବା ପାଇଁ ଦେଶବାସୀ ଆଉ କିଛି ଦିନ ଧୈର୍ଯ୍ୟ ଧରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଆଜି ଏହି ଚିତା ଗୁଡିକ ଆମ ପାଇଁ ଅତିଥି ହୋଇ ଆସିଛନ୍ତି ଓ ଏହି ଅଞ୍ଚଳ ନେଇ ବିଶେଷ କିଛି ଜାଣି ନାହାନ୍ତି।

ସେ କହିଥିଲେ ଯେ, ଏହି ଚିତା ଗୁଡିକୁ କୁନୋ ଜାତୀୟ ଉଦ୍ୟାନକୁ ସେମାନଙ୍କ ବାସସ୍ଥଳୀ ଭାବେ ଗ୍ରହଣ କରିବାକୁ ଆମକୁ ଆଉ କିଛି ସମୟ ଦେବାକୁ ପଡିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଆନ୍ତର୍ଜାତିକ ମାର୍ଗଦର୍ଶିକାର ଅନୁପାଳନ କରାଯାଇଛି ଓ ଭାରତ ଏହି ଚିତା ଗୁଡିକୁ ଏଠାରେ ବସତି ସ୍ଥାପନ ନିମନ୍ତେ ସବୁମତେ ଚେଷ୍ଟା କରିବ। ଆମ ଆମର ଉଦ୍ୟମକୁ କେବେ ବି ନିସ୍ଫଳ ହେବାକୁ ଦେବାନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେତେବେଳେ ବିଶ୍ୱ ପ୍ରକୃତି ଓ ପରିବେଶ କଥା କୁହେଁ ସେତେବେଳେ ସ୍ଥାୟୀ ଓ ନିରନ୍ତର ବିକାଶ ଉପରେ କହିଥାଏ। ଭାରତ ପାଇଁ ପ୍ରକୃତି ଓ ପରିବେଶ ଓ ଏହାର ଜୀବଜନ୍ତୁ ପକ୍ଷୀ କେବଳ ସ୍ଥାୟୀ ଓ ନିରନ୍ତର ସୁରକ୍ଷା ପାଇଁ ନୁହଁ ବରଂ ଏହା ଭାରତର ସମ୍ବେଦନଶୀଳତା ଓ ଆଧ୍ୟାତ୍ମିକତାର ମୂଳପିଣ୍ଡ ବୋଲି ସେ କହିଥିଲେ। ଆମେ ଆମ ଆଖପାଖରେ ରହୁଥିବା କ୍ଷୁଦ୍ରବିକ୍ଷୁଦ୍ର ପ୍ରାଣୀର ଯତ୍ନ ନେବାକୁ ଶିକ୍ଷା ପାଇଛୁ। ଆମ ପରମ୍ପରାରେ ଯଦି କୌଣସି ଜୀବନ୍ତ ପ୍ରାଣୀର ଜୀବନ ବିନା କାରଣରେ ମଧ୍ୟ ମୃତ୍ୟୁ ଘଟେ ସେତେବେଳେ ଆମକୁ ମାଡି ମାଡି ପଡେ। ତେଣୁ ସମଗ୍ର ଜୀବଜଗତ ଆମ ଦ୍ୱାର ଧ୍ୱଂସ ହେବା କଥାକୁ ଆମେ କିପରି ଭାବିପାରିବା ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଚିତା ଆଫ୍ରିକାର କେତେକ ଦେଶ ଓ ଇରାନରେ ଦେଖାଯାଉଥିବା ବେଳେ ଭାରତର ନାମ କେବେ ଠାରୁ କଟିଯାଇଛି। ମାତ୍ର ପିଲାମାନେ ଏହିଭଳି ରହସ୍ୟ ଆଉ ବେଶୀ ଦିନ ଶୁଣିବାକୁ ପାଇବେ ନାହିଁ। ମୁଁ ନିଶ୍ଚିତ ଯେ ସେମାନେ ତାଙ୍କର ନିଜ ଦେଶରେ ଚିତା ଦୌଡୁଥିବା ଦେଖିବାକୁ ପାଇବେ, ତାହା ପୁଣି କୁନୋ ଜାତୀୟ ଉଦ୍ୟାନରେ। ଆଜି ଚିତା ଯୋଗୁଁ ଆମ ଜଙ୍ଗଲ ଓ ଜୀବନରେ ଏକ ବିରାଟ ଶୂନ୍ୟସ୍ଥାନ ପୂରଣ ହେବ ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତ ସମଗ୍ର ବିଶ୍ୱକୁ ଏକ ସନ୍ଦେଶ ଦେବାକୁ ଚାହୁଁଛି ଯେ ଅର୍ଥନୀତି ଓ ପରିବେଶ ଦୁଇଟି ବିବଦମାନ ବିଷୟ ନୁହେଁ। ଭାରତ ଏକ ଜ୍ୱଳନ୍ତ ଉଦାହରଣ ଯେ ଏଠାରେ ଆର୍ଥିକ ପ୍ରଗତି ଓ ପରିବେଶ ସୁରକ୍ଷା ଏକା ସହ ହୋଇପାରିବ। ଏକ ପଟରେ ଆମେ ବିଶ୍ୱ ଦୃତତମ ଆର୍ଥିକ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଥିବା ବେଳେ, ଅନ୍ୟପକ୍ଷରେ ଆମ ଦେଶର ଜଙ୍ଗଲ ଇଲାକା ମଧ୍ୟ ଦ୍ରୁତ ସଂପ୍ରସାରିତ ହେଉଛି ବୋଲି ସେ କହିଥିଲେ। ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ ୨୦୧୪ରେ ଆମ ସରକାର ଗଠନ ହେବା ପରଠାରୁ ପ୍ରାୟ ୨୫୦ଟି ସୁରକ୍ଷିତ ଅଞ୍ଚଳ ଦେଶରେ ମିଳିଛି। ଏସୀୟ ସିଂହ ସଂଖ୍ୟା ଦେଶରେ ବୃଦ୍ଧି ପାଇଥିବାବେଳେ ଗୁଜରାଟ ଦେଶର ଏ କ୍ଷେତ୍ରରେ ଖୁବ ଆଗରେ ଅଛି। ଯୁବ ଯୁଗ ଧରି କଠିନ ପରିଶ୍ରମ, ଗବେଷଣାଲବ୍ଧ ନୀତି ଓ ଜନଭାଗିଦାରୀତା ଏହା ପଛରେ ଅଛି ବୋଲି ଶ୍ରୀ ମୋଦୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ “ମୋର ମନେ ଅଛି ଆମେ ଗୁଜରାଟରେ ଏକ ଶପଥ ନେଇଥିଲୁ, ଆମେ ହିଂସ୍ରପ୍ରାଣୀଙ୍କୁ ସମ୍ମାନ ଦେବୁ ଓ ଝଗଡା କମ କରିବୁ । ଆଜି ତାର ଫଳ ଆମ ସାମ୍ନାରେ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ବାଘ ସଂଖ୍ୟା ନିର୍ଦ୍ଧାରିତ ସମୟର ଆଗରୁ ଦ୍ୱିଗୁଣିତ କରିଛୁ। ସେ ସ୍ମୃତିଚାରଣ କରି କହିଥିଲେ ଯେ ଯେତେବେଳେ ଏକ ସିଂହ ବିଶିଷ୍ଟ ଗଣ୍ଡାଙ୍କ ସ୍ଥିତି ବିପଦପୂର୍ଣ୍ଣ ଆସାମରେ ଥିଲା ଆଜି ସେଥିରେ ସୁଧାର ଆସିଛି। ଗତ ଅଳ୍ପ କିଛି ବର୍ଷ ମଧ୍ୟରେ ଦେଶରେ ହାତୀ ସଂଖ୍ୟା ୩୦ ହଜାର ଅତିକ୍ରମ କରିଛି। ଆମ ଦେଶରେ ଆର୍ଦ୍ରଭୂମୀର ସଂପ୍ରସାରଣ ଯୋଗୁଁ ଜୀବଜନ୍ତୁ ଓ ଗଛଲତା ସଂରକ୍ଷଣ ପାଇଁ ସୁବିଧା ହୋଇଛି। ଆର୍ଦ୍ରଭୂମୀ ବାତାବରଣ ଉପରେ ବିଶ୍ୱର କୋଟି କୋଟି ଜନସାଧାରଣ ନିର୍ଭରଶୀଳ।” ଆଜି ଦେଶର ୭୫ଟି ଆର୍ଦ୍ରଭୂମୀ ରାମସାର ସ୍ଥଳୀ ଭାବେ ଘୋଷିତ ହୋଇଥିବାବେଳେ କେବଳ ଗତ ଚାରି ବର୍ଷ ମଧ୍ୟରେ ୨୬ଟି ସ୍ଥଳୀ ବିକଶିତ ହୋଇଛି। ଏହି ଉଦ୍ୟମର ଫଳ ଦେଶରେ ଆଗାମୀ ଶହ ଶହ ବର୍ଷ ଧରି ଦେଖାଦେବ ଓ ପ୍ରଗତିର ନୂତନ ପଥ ପାଇଁ ପରିସ୍କାର କରିବ। ଭାରତ ଆଜି ଯେଉଁ ବୈଶ୍ୱିକ ସମସ୍ୟା ଉପରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି, ପ୍ରଧାନମନ୍ତ୍ରୀ ତା ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରିଥିଲେ। ସେ ବୈଶ୍ୱିକ ସମସ୍ୟାର ବିଶ୍ଳେଷଣ କରି ଆମ ଜୀବନରେ ଏହାର ସାମଗ୍ରିକ ପ୍ରଭାବ ନେଇ ଗୁରୁତ୍ୱ ଆରୋପ କରିଥିଲେ। ବିଶ୍ୱର ଜୀବନଶୈଳୀ ଓ ଆନ୍ତର୍ଜାତିକ ସୌରଚୁକ୍ତି ସମ୍ପର୍କରେ ଭାରତ ବିଶ୍ୱକୁ ଏକ ମଞ୍ଚ ପ୍ରଦାନ କରିଛି ବୋଲି ସେ କହିଥିଲେ। ଏହି ଉଦ୍ୟମର ସଫଳତା ବିଶ୍ୱର ଭବିଷ୍ୟତ ଓ ଦିଗର ନିଷ୍ପତ୍ତି ନେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଆଗରେ ରହିଥିବା ଆହ୍ୱାନକୁ ଆମ ଜୀବନ ଆହ୍ୱାନ ଭାବେ ବିବେଚନା କରିବାକୁ ପଡିବ। ମୁଁ ନିଶ୍ଚିତ ଯେ ଭାରତର ଉଦ୍ୟମ ଓ ପରମ୍ପରା ଏ ଦିଗରେ ସମଗ୍ର ମାନବଜାତିକୁ ପଥ ପ୍ରଦର୍ଶନ କରିବ ଓ ଏକ ଉନ୍ନତ ବିଶ୍ୱ ନିମନ୍ତେ ସ୍ୱପ୍ନକୁ ମଜଭୁତ କରିବ ବୋଲି ସେ କହିଥିଲେ। ପୃଷ୍ଠଭୂମୀ କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ବାଘ ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ଆବାସସ୍ଥଳୀକୁ ସଶକ୍ତି କରିବା ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉଦ୍ୟମ। ୧୯୫୨ ମସିହାରେ ଭାରତରୁ ଚିତା ଲୋପ ପାଇଯିବା ଘୋଷଣା କରାଯାଇଥିଲା। ଛଡା ଯାଇଥିବା ଚିତା ବାଘ ଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଇଛି । ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଇଛି।

ଏହା ବିଶ୍ୱର ପ୍ରଥମ ଆର୍ନ୍ତମହାଦେଶୀୟ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ। ଚିତା ଛଡାଯିବା ଦ୍ୱାର ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମୀ ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ। ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣ ମଧ୍ୟରେ ଜଳ ସୁରକ୍ଷା, ଅଙ୍ଗାରଆତ୍ମୀକରଣ ଓ ମାଟିର ଆର୍ଦ୍ରତା ସଂରକ୍ଷଣ ସହ ପରିବେଶ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ସହ ଜୀବିକାର୍ଜନ ମଧ୍ୟ ବୃଦ୍ଧିପାଇବ।

Categories
ଜାତୀୟ ଖବର ବିଶେଷ ଖବର

ଭାରତରେ ବିଲୁପ୍ତ ଜଙ୍ଗଲୀ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କୁନୋ ଜାତୀୟ ଉଦ୍ୟାନରେ ଜଙ୍ଗଲୀ ଚିତା ବାଘମାନଙ୍କୁ ଛାଡ଼ିଛନ୍ତି। ଚିତା ବାଘ ପ୍ରଜାତି ଭାରତରୁ ବହୁ ବର୍ଷ ପୂର୍ବରୁ ବିଲୁପ୍ତ ହୋଇଯାଇଥିଲେ। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟାରୁ ଭାରତକୁ ଚିତା ବାଘ ଗୁଡ଼ିକୁ ଅଣାଯାଇଛି। ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ଅଣାଯାଇଥିବା ଆଠଟି ଚିତା ମଧ୍ୟରୁ ୫ଟି ମାଈ ଏବଂ ୩ଟି ଅଣ୍ଡିରା ରହିଛନ୍ତି।

କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତାଗୁଡ଼ିକୁ ଛାଡ଼ିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚିତା ମିତ୍ର, ଚିତା ପୁନର୍ବାସ ପରିଚାଳନା ଦଳ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସମାରୋହରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ।

ଭାରତର ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସସ୍ଥଳୀର ପୁନରୁଦ୍ଧାର ଏବଂ ବିବିଧକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ଏହି ଉଦ୍ୟମର ଅଂଶବିଶେଷ ସ୍ୱରୂପ ସେ କୁନୋ ଜାତୀୟ ଉଦ୍ୟାନରେ ଚିତାଗୁଡ଼ିକୁ ଛାଡ଼ିଛନ୍ତି। ୧୯୫୨ ମସିହା ଠାରୁ ଭାରତରେ ଚିତା ବାଘମାନଙ୍କୁ ବିଲୁପ୍ତ ଘୋଷଣା କରାଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ରାଜିନାମା ଅନ୍ତର୍ଗତ ନାମିବ୍ୟାରୁ ଏହି ଚିତାଗୁଡ଼ିକୁ ଆଣି ଏଠାରେ ଛଡ଼ାଯାଇଛି। ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଚିତାମାନଙ୍କର ସଂରକ୍ଷଣ ପାଇଁ ଏହି ଉଦ୍ୟମ କରାଯାଉଛି।

ଭାରତକୁ ଚିତା ଅଣାଯିବା ଦ୍ୱାରା ମୁକ୍ତ ଜଙ୍ଗଲ ଏବଂ ଚାରଣଭୂମି ପରିବେଶ ପରିତନ୍ତ୍ରର ପୁନରୁଦ୍ଧାର ହେବ। ଏହା ମଧ୍ୟ ଜୈବ ବିବିଧତାର ସଂରକ୍ଷଣ ସହିତ ଜଳ ସୁରକ୍ଷା, କାର୍ବନ ସିକ୍ୟୁଷ୍ଟ୍ରେସନ ବା ଅଙ୍ଗାରକ ପୃଥକୀକରଣ ଏବଂ ଜଳ ଆର୍ଦ୍ରତା ସଂରକ୍ଷଣ ଭଳି ଇକୋସିଷ୍ଟମ ବା ପରିବେଶ ପରିତନ୍ତ୍ର ସେବାକୁ ବଢ଼ାଇବ ଯାହାର ବ୍ୟାପକ ଲାଭ ସମାଜକୁ ମିଳିପାରିବ। ପରିବେଶ ସୁରକ୍ଷା ଏବଂ ଜଳବାୟୁ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅନୁରୂପ, ଏହି ପ୍ରୟାସ ବଳରେ ପରିବେଶର ବିକାଶ ଓ ପରିବେଶ ପର୍ଯ୍ୟଟନ ଗତିବିଧି ମାଧ୍ୟମରେ ସ୍ଥାନୀୟ ସମୁଦାୟଙ୍କ ପାଇଁ ଜୀବିକା ଅର୍ଜନ ନିମନ୍ତେ ସୁଯୋଗ ସୃଷ୍ଟି ହେବ।

ଗତ ଆଠ ବର୍ଷ ମଧ୍ୟରେ ଦୀର୍ଘସ୍ଥାୟିତ୍ୱ ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ଚିତା ପୁନର୍ବାସ ପ୍ରକଳ୍ପ ଆରମ୍ଭ ହେବା ଏହି କାର୍ଯ୍ୟଧାରାର ଏକ ଅଂଶବିଶେଷ। ଏସବୁ ପଦକ୍ଷେପ ଫଳରେ ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରାଯାଇପାରିଛି। ଉଦାହରଣ ସ୍ୱରୂପ, ୨୦୧୪ରେ ଦେଶର ମୋଟ୍‌ ଭୌଗଳିକ କ୍ଷେତ୍ର ମଧ୍ୟରୁ ସଂରକ୍ଷିତ ଅଞ୍ଚଳର ପ୍ରସାର ୪.୯୦ ପ୍ରତିଶତ ଥିଲା, ବର୍ତ୍ତମାନ ଏହା ୫.୦୩ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୪ରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ କ୍ଷେତ୍ରଗୁଡ଼ିକର ସଂଖ୍ୟା ଥିଲା ୭୪୦ ଏବଂ ଏସବୁ କ୍ଷେତ୍ରର ମୋଟ୍‌ କ୍ଷେତ୍ରଫଳ ଥିଲା ୧,୬୧,୦୮୧.୬୨ ବର୍ଗ କିଲୋମିଟର। ବର୍ତ୍ତମାନ ସଂରକ୍ଷିତ ଅଞ୍ଚଳ ସଂଖ୍ୟା ୯୮୧କୁ ବୃଦ୍ଧି ପାଇଥିବା ବେଳେ ଏସବୁ ଅଞ୍ଚଳର କ୍ଷେତ୍ରଫଳ ୧,୭୧,୯୨୧ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି।

ଗତ ୪ ବର୍ଷ ମଧ୍ୟରେ ଦେଶରେ ଜଙ୍ଗଲ ଓ ଗଛର ଘନତ୍ୱ ୧୬ ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି। ନିରନ୍ତର ଭାବେ ଜଙ୍ଗଲ ଘନତ୍ୱ ବୃଦ୍ଧି କ୍ଷେତ୍ରରେ ଭାରତ ବିଶ୍ୱର ହାତଗଣତି ରାଷ୍ଟ୍ରମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି।

ଦେଶରେ ଗୋଷ୍ଠୀ ଅଭୟାରଣ୍ୟ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୧୪ରେ ଏପରି କ୍ଷେତ୍ର ସଂଖ୍ୟା ୪୩ ଥିବା ବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୧୦୦ରୁ ଅଧିକ ହୋଇଯାଇଛି।

ଭାରତରେ ୫୨ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି ଏବଂ ୧୮ ରାଜ୍ୟରେ ବ୍ୟାପି ରହିଥିବା ଏସବୁ ଅଭୟାରଣ୍ୟର ମୋଟ୍‌ କ୍ଷେତ୍ରଫଳ ହେଉଛି ୭୫ ହଜାର ବର୍ଗ କିଲୋମିଟର। ବିଶ୍ୱସ୍ତରରେ ମୋଟ ଜଙ୍ଗଲୀ ବାଘଙ୍କ ମଧ୍ୟରୁ ୭୫% କେବଳ ଭାରତରେ ରହୁଛନ୍ତି। ୨୦୨୨ ସୁଦ୍ଧା ବାଘଙ୍କ ସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଭାରତ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା, କିନ୍ତୁ ଏହାର ୪ ବର୍ଷ ପୂର୍ବରୁ ୨୦୧୮ରେ ଦେଶ ଏହି ଲକ୍ଷ୍ୟ ହାସଲ କରିପାରିଛି। ୨୦୧୪ରେ ଦେଶରେ ବାଘଙ୍କ ସଂଖ୍ୟା ୨,୨୨୬ ଥିବା  ଥିବା ବେଳେ ୨୦୧୮ରେ ଏହା ୨୯୬୭କୁ ବୃଦ୍ଧି ପାଇଛି।

୨୦୧୪ରେ ବାଘ ସଂରକ୍ଷଣ ପାଇଁ ବଜେଟ୍‌ ଆବଣ୍ଟନ ପରିମାଣ ୧୮୫ କୋଟି ଟଙ୍କା ଥିବା ବେଳେ ୨୦୨୨ରେ ଏହା ୩୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ୨୦୧୫ରେ ଏମାନଙ୍କ ସଂଖ୍ୟା ୫୨୩ ଥିଲା, ବର୍ତ୍ତମାନ ଏହା ୬୭୪କୁ ବୃଦ୍ଧି ପାଇଛି। ସିଂହଙ୍କ ସଂଖ୍ୟାରେ ୨୮.୮୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ଯାହାକି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଅଭିବୃଦ୍ଧି ହାର।

ଏବେ (୨୦୨୦ ସୁଦ୍ଧା) ଭାରତରେ ୧୨, ୮୫୩ଟି କଲରାପତରିଆ ବାଘ ଅଛନ୍ତି। ୨୦୧୪ରେ କରାଯାଇଥିବା ଗଣନା ଅନୁଯାୟୀ ଏମାନଙ୍କ ସଂଖ୍ୟା ୭୯୧୦ ଥିଲା। କଲରାପତରିଆ ବାଘଙ୍କ ସଂଖ୍ୟାରେ ୬୦% ବୃଦ୍ଧି ଦେଖିବାକୁ ମିଳିଛି।

ଆଜିର ପ୍ରୋଜେକ୍ଟ ଚିତା କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଭୂପେନ୍ଦ୍ର ଯାଦବ, ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ, ଅଶ୍ୱିନୀ କୁମାର ଚୌବେ ପ୍ରମୁଖ ଉପସ୍ଥିତ ଥିଲେ।