Categories
ଆଞ୍ଚଳିକ

ଗୋଦାବରୀଶ ମହାପାତ୍ରଙ୍କ ଗାଁ କୁମାରାଙ୍ଗ ଶାସନରେ କୁମାରଉତ୍ସବ ପାଳିତ

ବାଣପୁର: କାଳଜୟୀ ଲେଖକ, ସମାଲୋଚକ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଜନ୍ମସ୍ଥାନ ବାଣପୁର ବ୍ଲକର କୁମାରାଙ୍ଗ ଶାସନ ଗାଁରେ ରହିଥିବା ଶତାୟୁ ପାଠାଗାରର ୧୧୧ ତମ ଜନ୍ମ ଜୟନ୍ତୀ ଓ କୁମାରଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏହି ପାଠାଗାରଟି ଗୋଦାବରୀଶ ମହାପାତ୍ର ଓ ଜଗନ୍ନାଥ ମହାପାତ୍ର ଗ୍ରାମର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ରେ ସହାୟକ ହେଵା ଲକ୍ଷ୍ୟରେ ୧୯୧୨ ମସିହା କୁମାର ପୂର୍ଣ୍ଣିମା ତିଥିରେ ସ୍ଥାପନ କରିଥିଲେ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଗଣ୍ୟମାନ୍ୟ ଅତିଥିବୃନ୍ଦ କୁମାର ପାଠାଗାର ପରିଦର୍ଶନ କରିଥିଲେ। କୁମାର ପାଠାଗାରର ସଭାପତି ହୃଷିକେଶ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ପ୍ରିନସିପାଲ ଚିଫ ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଅବନିନ୍ଦ୍ର ଉଦଗାତା, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଅଂଚଳର ଖ୍ୟାତନାମା ଡାକ୍ତର ସୁରେନ୍ଦ୍ର ନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଗ୍ରାମର ଅବସରପ୍ରାପ୍ତ ମେଜର ଡାକ୍ତର ଶ୍ରୀକାନ୍ତ ମହାପାତ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ଏବଂ କୁମାର ପାଠାଗାରର ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ବ୍ୟଙ୍ଗ ଲେଖକ ତଥା ଅଧ୍ୟାପକ ଡ଼. ରମାକାନ୍ତ ମହାପାତ୍ରଙ୍କ ସମ୍ପାଦିତ କୁମାର ପାଠାଗାରର ବାର୍ଷିକ ମୁଖପତ୍ର ‘କୁମାର’ ର ୨୦୨୨ ସଂସ୍କରଣ ଉନ୍ମୋଚିତ ହୋଇଥିଲା ଏବଂ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଛଅ ଜଣ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ପ୍ରଦାନ ସ୍ୱରୂପ ସମ୍ମାନିତ କରାଯାଥିଲା। ଏମାନଙ୍କ ମଧ୍ୟରେ ରହିଥିଲେ ନିକଟରେ ଓଡିଶା ପ୍ରଶାସନିକ ସେବା ୨୦୨୨ ରେ କୃତକାର୍ଯ୍ୟ ହୋଇଥିବା ବାଣପୁର ଅଲାଇଡିହ ଗ୍ରାମର ଦୃଷ୍ଟିବାଧିତ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା, ସ୍ଥାନୀୟ ଅଂଚଳର ଖ୍ୟାତନାମା ଡାକ୍ତର ସୁରେନ୍ଦ୍ର ନାଥ ଦାଶ, ଗ୍ରାମର ଉନ୍ନତି ପାଇଁ କାର୍ଯ୍ୟ କରିଆସିଥିବା ରାମନାଥ ମହାପାତ୍ର, କୁମାର ପାଠାଗାରର ପୂର୍ବତନ ସଭାପତି ବିଭୁ ପ୍ରସାଦ ମହାପାତ୍ର, ସ୍ବର୍ଗତ ସୁବାସ ଚନ୍ଦ୍ର ମହାପାତ୍ର ଓ ପୂର୍ବତନ ସମ୍ପାଦକ ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ର।

ଏଥିସହିତ ଗ୍ରାମରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସଭା ପରେ ଗ୍ରାମବାସୀଙ୍କ ଦ୍ୱାରା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ସଂଗୀତ ପରିବେଷଣ ଏବଂ ଏକ ପୌରାଣିକ ଗୀତିନାଟ୍ୟ କୃଷ୍ଣ ଜନ୍ମ – ଦୁର୍ମିଳାସୁର ବଧ ମଞ୍ଚସ୍ଥ ହୋଇଥିଲା।

Categories
ଆଞ୍ଚଳିକ

ଗୋଦାବରୀଶ ମହାପାତ୍ରଙ୍କ ସ୍ଥାପିତ କୁମାର ପାଠାଗାରର ୧୧୦ ତମ ଜନ୍ମୋତ୍ସଵ ପାଳିତ

ବାଣପୁର: ବାଣପୁର ବ୍ଲକ କୁମାରାଙ୍ଗ ଶାସନରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଦ୍ୱାରା ୧୯୧୨ ମସିହାରେ ସ୍ଥାପିତ କୁମାର ପାଠାଗାରର ୧୧୦ ତମ ଜନ୍ମୋତ୍ସଵ ପାଳିତ ହୋଇଛି। ଏହି ଅବସରରେ ଲୋକପ୍ରିୟ ବ୍ୟଙ୍ଗ ସାହିତ୍ୟିକ ସତ୍ୟନାଶ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅନ୍ୟ ଅତିଥିଗଣଙ୍କ ସହିତ କୁମାର ପାଠାଗାରର ବାର୍ଷିକ ମୁଖପତ୍ର ‘କୁମାର’ ର ୨୦୨୧ ସଂସ୍କରଣ ଉନ୍ମୋଚିତ କରିଥିଲେ।

ଗ୍ରାମର ଯୁବକ ଯୁବତୀମାନେ ଗୋଦାବରୀଶ ମହାପାତ୍ରଙ୍କ କାଳଜୟୀ ରଚନା ଉଠ କଙ୍କାଳ .. ଛିଡୁ ଶୃଙ୍ଖଳ .. ଗାୟନ କରିବା ସହ ବୈଠକର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଗ୍ରାମରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ,୧୯୧୨ ମସିହାରେ କୁମାରାଙ୍ଗ ଶାସନ ଗ୍ରାମର ଦୁଇ ଜଣ ଦୁରଦ୍ରଷ୍ଟା ମହାପୁରୁଷ ସ୍ବର୍ଗତ ଗୋଦାବରୀଶ ମହାପାତ୍ର (ନିଆଁଖୁଣ୍ଟା) ଓ ସ୍ବର୍ଗତ ଜଗନ୍ନାଥ ମହାପାତ୍ର ଗାଁ ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ପାଠାଗାର ର ସ୍ଥାପନା କରିଥିଲେ।

Categories
ଆଜିର ଖବର ମତାମତ

ବାଣପୁରର ଭିନ୍ନ ଏକ ପାଠାଗାର, ଯାହାର ବୟସ ହେଲା ୧୦୯ ବର୍ଷ

କୃଷ୍ଣ ମହାପାତ୍ର

ଆମ ଗାଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ କୁମାରାଙ୍ଗ ଶାସନର ୧୦୯ ବର୍ଷ ପୁରୁଣା ପାଠାଗାରର ଆଜି ହେଉଛି ଜନ୍ମଦିନ। ନାଁ ଟା କୁମାର ପାଠାଗାର । ଆମ ଗାଆଁରେ କୁମାରୋତ୍ସଵରେ ଅନ୍ୟ ଅଞ୍ଚଳ ଭଳି ଚାନ୍ଦ ପୂଜା ନ ହୋଇ ପାଳିତ ହୋଇଥାଏ କୁମାର ପାଠାଗାରର ଜନ୍ମୋତ୍ସଵ । ସମ୍ମାନୀତ ଅତିଥିଙ୍କୁ ନେଇ ବୈଠକ, କୁମାର ପାଠାଗାରର ମୁଖପତ୍ର ‘କୁମାର ପତ୍ରିକା’ ର ନୂତନ ସଂସ୍କରଣ ଉନ୍ମୋଚନ, ପୂର୍ବରୁ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଏବଂ ଗାଁ ପିଲା ଓ ଯୁବ ପିଢ଼ିଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ କୁମାରାଙ୍ଗରେ ପାଳିତ ହୋଇଥାଏ କୁମାରୋତ୍ସଵ ।

ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ଠାରୁ ଆରମ୍ଭ କରି ତତ୍କାଳୀନ ରାଜ୍ୟପାଳ ଶ୍ରୀଯୁକ୍ତ ମୁରଲୀଧର ଚଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ, ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, କଣ୍ଠଶିଳ୍ପୀ ତାନସେନ ସିଂ, ବ୍ୟଙ୍ଗ କବି ଜ୍ଞାନ ହୋତା ଓ ସତ୍ୟାନାଶଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ବିଭିନ୍ନ ବର୍ଷରେ ସାମିଲ ହୋଇଛନ୍ତି ଏହି ଅଭୂତପୂର୍ବ ଜନ୍ମୋତ୍ସଵ ତଥା କୁମାରୋତ୍ସଵ ସମାରୋହରେ। କରୋନା କାଳରେ ମଧ୍ୟ ସମସ୍ତ ସତର୍କତା ସହିତ ଅପେକ୍ଷାକୃତ କ୍ଷୁଦ୍ର ଆକାରରେ ଜାରି ରହିଛି ଏହି ଉତ୍ସବ ପାଳନ । ଏଥିପାଇଁ ଗ୍ରାମବାସୀ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ବେଶ ପ୍ରଶଂସନୀୟ ।

୧୯୧୨ ମସିହାରେ ଗାଁର ଦୁଇ ଜଣ ଦୁରଦ୍ରଷ୍ଟା ମହାପୁରୁଷ ସ୍ବର୍ଗତ ଗୋଦାବରୀଶ ମହାପାତ୍ର (ନିଆଁଖୁଣ୍ଟା) ଓ ସ୍ବର୍ଗତ ଜଗନ୍ନାଥ ମହାପାତ୍ରଙ୍କ କରକମଳରେ ଗାଁ ପିଲାମାନଙ୍କ ପାଇଁ ସ୍ଥାପିତ ହୋଇଥିଲା ଏହି ପାଠାଗାର। ଅବଶ୍ୟ ସମୟକ୍ରମେ ବଦଳିଛି ପାଠାଗାରର କାୟା କଳେବର। ମାଟି କାନ୍ଥ ଓ ଚାଳ ଘରେ ଠିଆ ହୋଇଥିବା ଏହି ଗ୍ରାମ୍ୟ ପାଠାଗାରଟି ଗାଁର କିଛି ବଦାନ୍ୟ ବ୍ୟକ୍ତିଙ୍କ ସୌଜନ୍ୟରୁ ଦୀର୍ଘ କାଳ ପରେ କିଛି ଦଶନ୍ଧି ପୂର୍ବେ ପରିଣତ ହୋଇଛି ଏକ ବିଶାଳ କୋଠା ଘରରେ । ତେବେ ଆଜିକାର ଡିଜିଟାଲ, ମୋବାଇଲ ଓ ଗୁଗୁଲ କାଳଖଣ୍ଡରେ କେଇ ସହସ୍ର ପୁସ୍ତକ ବିମଣ୍ଡିତ ପୁରାତନ ପାଠାଗାରଟିର ଉପଯୋଗୀତା ଓ ଆବଶ୍ୟକତା ଅନ୍ୟ ସମସ୍ତଙ୍କ ଭଳି ଯଥେଷ୍ଟ ହ୍ରାସ ପାଇଛି, ଯାହା ଏକ ସ୍ୱତନ୍ତ୍ର ବିତର୍କର ବିଷୟ ହୋଇପାରେ ।

ତେବେ ମୋ ପିଲାଦିନେ ମୋ ନିଜର ତଥା ଗାଁରେ ବଢିଥିବା ମୋ ଭଳି ଶତାଧିକ ପିଲାମାନଙ୍କର ବୌଦ୍ଧିକ ବିକାଶରେ କୁମାର ପାଠାଗାରର ଯେ ବିଶେଷ ଯୋଗଦାନ ରହିଥିଲା ତାହା ଅସ୍ବୀକାର କରିହେବ ନାହିଁ । ମୋ ଦେଖିବାରେ ଓ ନିଜସ୍ୱ ଅନୁଭବରେ ଅଶୀ ଓ ନବେ ଦଶକ ଶେଷ ପର୍ଯ୍ୟନ୍ତ ଏହି ପାଠାଗାର ଥିଲା ଆମମାନଙ୍କ ପାଇଁ ଜ୍ଞାନର ଗନ୍ତାଘର। ବିଭିନ୍ନ ଖବରକାଗଜ଼ ଓ ପତ୍ରପତ୍ରିକା ସାଙ୍ଗକୁ କୁମାର ପାଠାଗାରର ଅସଂଖ୍ୟ ଗପ ବହି ଓ ଉପନ୍ୟାସ ଆମକୁ ପରିଚିତ କରାଇଥିଲା ବ୍ୟାସକବି ଫକୀରମୋହନ ସେନାପତିଙ୍କଠାରୁ ଆରମ୍ଭ କରି ଫତୁରାନନ୍ଦ, ଗୋପୀନାଥ ମହାନ୍ତି, ମନୋଜ ଦାସ, ପ୍ରତିଭା ରାୟ, ବାମାଚରଣ ମିତ୍ର, ବାରିଷ୍ଟର ଗୋବିନ୍ଦ ଦାସ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ରଙ୍କ ସମେତ ଅନେକ କାଳଜୟୀ ସ୍ରଷ୍ଟାଙ୍କ ସହିତ। ଏବେ ମନେପଡିଲେ ଅମୋଦିତ ଲାଗେ ଯେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ମାତ୍ରେ ଛୋଟ ପିଲା ମାସିକ ଜହ୍ନମାମୁଁ ପତ୍ରିକାର ୧୨ ଟି ଲେଖାଏଁ ସଂଖ୍ୟାକୁ ପଇତା ସୂତାରେ ଗୁନ୍ଥା ଯାଇଥିବା ମୋଟା ସଂକଳନକୁ ପାଠାଗାର ରେଜିଷ୍ଟରରୁ ନିଜ ନାଁ ରେ ଲେଖି ପଢିବାକୁ ଘରକୁ ନେଉଥିଲେ।

ପିଲାଟି ବେଳୁ ପ୍ରତିବର୍ଷ କୁମାର ପାଠାଗାରର ବାର୍ଷିକ ମୁଖପତ୍ର ‘କୁମାର’ ରେ ନିଜସ୍ୱ ଲେଖା ଦେବାପାଇଁ ଚାଲୁଥିଲା ଏକ ରକମ ପ୍ରତିଯୋଗିତା। ପ୍ରଥମେ ହାତରେ ସୁନ୍ଦର ଭାବରେ ଲେଖା ହୋଇ ପ୍ରକାଶିତ ହେଉଥିବା କୁମାର ପତ୍ରିକା ପରବର୍ତ୍ତୀ ସମୟରେ ମୁଦ୍ରଣ ପ୍ରେସରେ ଡିଜିଟାଲ ହୋଇ ଛପାଗଲା। ତେବେ ଏହି ପତ୍ରିକା ସମସ୍ତ କୁମାରାଙ୍ଗିଆଙ୍କୁ ପିଲାଟି ବେଳୁ ପ୍ରେରିତ କରିଥିଲା ଏବଂ କରିଆସୁଛି ନିଜେ ଲେଖିବା ପାଇଁ । ସେହିଭଳି ପ୍ରତିବର୍ଷ କୁମାରୋତ୍ସଵ ପୂର୍ବରୁ ଦୌଡ଼କୁଦରୁ ଆରମ୍ଭ କରି କୁଇଜ଼, ବକ୍ତୃତା, ରଚନା, ଚିତ୍ରଙ୍କନ, ଗଣିତ ଦୌଡ଼ ଇତ୍ୟାଦି ବିବିଧ କ୍ରୀଡା ପ୍ରତିଯୋଗିତା ତଥା କୁମାର ପୂର୍ଣ୍ଣିମା ଦିନ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ସୃଜନଶୀଳତା ବିକାଶରେ ବିଶେଷ ସହାୟକ ହୋଇଛି ।

ଏହି ଦୃଷ୍ଟିରୁ ଦେଖିଲେ କୁମାର ପାଠାଗାର ଏକ ଅନୁଷ୍ଠାନ ଭାବରେ ପିଢ଼ି ପରେ ପିଢ଼ି ଗ୍ରାମର ଯୁବ ବର୍ଗକୁ ବେଶ ଉତ୍ସାହିତ ଓ ଅନୁପ୍ରାଣିତ କରିଛି। ଶତାୟୁ କୁମାର ପାଠାଗାରକୁ ଜନ୍ମଦିନରେ ଶତ ପ୍ରଣାମ, ଅଭିନନ୍ଦନ ଓ ଶୁଭେଚ୍ଛା।