Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରର ଭିନ୍ନ ଏକ ପାଠାଗାର, ଯାହାର ବୟସ ହେଲା ୧୦୯ ବର୍ଷ
ଆଜିର ଖବର

ବାଣପୁରର ଭିନ୍ନ ଏକ ପାଠାଗାର, ଯାହାର ବୟସ ହେଲା ୧୦୯ ବର୍ଷ

October 20, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁରର ଭିନ୍ନ ଏକ ପାଠାଗାର, ଯାହାର ବୟସ ହେଲା ୧୦୯ ବର୍ଷ

କୃଷ୍ଣ ମହାପାତ୍ର

ଆମ ଗାଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ କୁମାରାଙ୍ଗ ଶାସନର ୧୦୯ ବର୍ଷ ପୁରୁଣା ପାଠାଗାରର ଆଜି ହେଉଛି ଜନ୍ମଦିନ। ନାଁ ଟା କୁମାର ପାଠାଗାର । ଆମ ଗାଆଁରେ କୁମାରୋତ୍ସଵରେ ଅନ୍ୟ ଅଞ୍ଚଳ ଭଳି ଚାନ୍ଦ ପୂଜା ନ ହୋଇ ପାଳିତ ହୋଇଥାଏ କୁମାର ପାଠାଗାରର ଜନ୍ମୋତ୍ସଵ । ସମ୍ମାନୀତ ଅତିଥିଙ୍କୁ ନେଇ ବୈଠକ, କୁମାର ପାଠାଗାରର ମୁଖପତ୍ର ‘କୁମାର ପତ୍ରିକା’ ର ନୂତନ ସଂସ୍କରଣ ଉନ୍ମୋଚନ, ପୂର୍ବରୁ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଏବଂ ଗାଁ ପିଲା ଓ ଯୁବ ପିଢ଼ିଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ କୁମାରାଙ୍ଗରେ ପାଳିତ ହୋଇଥାଏ କୁମାରୋତ୍ସଵ ।

ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ଠାରୁ ଆରମ୍ଭ କରି ତତ୍କାଳୀନ ରାଜ୍ୟପାଳ ଶ୍ରୀଯୁକ୍ତ ମୁରଲୀଧର ଚଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗିରିଧର ଗମାଙ୍ଗ, ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, କଣ୍ଠଶିଳ୍ପୀ ତାନସେନ ସିଂ, ବ୍ୟଙ୍ଗ କବି ଜ୍ଞାନ ହୋତା ଓ ସତ୍ୟାନାଶଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ବିଭିନ୍ନ ବର୍ଷରେ ସାମିଲ ହୋଇଛନ୍ତି ଏହି ଅଭୂତପୂର୍ବ ଜନ୍ମୋତ୍ସଵ ତଥା କୁମାରୋତ୍ସଵ ସମାରୋହରେ। କରୋନା କାଳରେ ମଧ୍ୟ ସମସ୍ତ ସତର୍କତା ସହିତ ଅପେକ୍ଷାକୃତ କ୍ଷୁଦ୍ର ଆକାରରେ ଜାରି ରହିଛି ଏହି ଉତ୍ସବ ପାଳନ । ଏଥିପାଇଁ ଗ୍ରାମବାସୀ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ବେଶ ପ୍ରଶଂସନୀୟ ।

୧୯୧୨ ମସିହାରେ ଗାଁର ଦୁଇ ଜଣ ଦୁରଦ୍ରଷ୍ଟା ମହାପୁରୁଷ ସ୍ବର୍ଗତ ଗୋଦାବରୀଶ ମହାପାତ୍ର (ନିଆଁଖୁଣ୍ଟା) ଓ ସ୍ବର୍ଗତ ଜଗନ୍ନାଥ ମହାପାତ୍ରଙ୍କ କରକମଳରେ ଗାଁ ପିଲାମାନଙ୍କ ପାଇଁ ସ୍ଥାପିତ ହୋଇଥିଲା ଏହି ପାଠାଗାର। ଅବଶ୍ୟ ସମୟକ୍ରମେ ବଦଳିଛି ପାଠାଗାରର କାୟା କଳେବର। ମାଟି କାନ୍ଥ ଓ ଚାଳ ଘରେ ଠିଆ ହୋଇଥିବା ଏହି ଗ୍ରାମ୍ୟ ପାଠାଗାରଟି ଗାଁର କିଛି ବଦାନ୍ୟ ବ୍ୟକ୍ତିଙ୍କ ସୌଜନ୍ୟରୁ ଦୀର୍ଘ କାଳ ପରେ କିଛି ଦଶନ୍ଧି ପୂର୍ବେ ପରିଣତ ହୋଇଛି ଏକ ବିଶାଳ କୋଠା ଘରରେ । ତେବେ ଆଜିକାର ଡିଜିଟାଲ, ମୋବାଇଲ ଓ ଗୁଗୁଲ କାଳଖଣ୍ଡରେ କେଇ ସହସ୍ର ପୁସ୍ତକ ବିମଣ୍ଡିତ ପୁରାତନ ପାଠାଗାରଟିର ଉପଯୋଗୀତା ଓ ଆବଶ୍ୟକତା ଅନ୍ୟ ସମସ୍ତଙ୍କ ଭଳି ଯଥେଷ୍ଟ ହ୍ରାସ ପାଇଛି, ଯାହା ଏକ ସ୍ୱତନ୍ତ୍ର ବିତର୍କର ବିଷୟ ହୋଇପାରେ ।

ତେବେ ମୋ ପିଲାଦିନେ ମୋ ନିଜର ତଥା ଗାଁରେ ବଢିଥିବା ମୋ ଭଳି ଶତାଧିକ ପିଲାମାନଙ୍କର ବୌଦ୍ଧିକ ବିକାଶରେ କୁମାର ପାଠାଗାରର ଯେ ବିଶେଷ ଯୋଗଦାନ ରହିଥିଲା ତାହା ଅସ୍ବୀକାର କରିହେବ ନାହିଁ । ମୋ ଦେଖିବାରେ ଓ ନିଜସ୍ୱ ଅନୁଭବରେ ଅଶୀ ଓ ନବେ ଦଶକ ଶେଷ ପର୍ଯ୍ୟନ୍ତ ଏହି ପାଠାଗାର ଥିଲା ଆମମାନଙ୍କ ପାଇଁ ଜ୍ଞାନର ଗନ୍ତାଘର। ବିଭିନ୍ନ ଖବରକାଗଜ଼ ଓ ପତ୍ରପତ୍ରିକା ସାଙ୍ଗକୁ କୁମାର ପାଠାଗାରର ଅସଂଖ୍ୟ ଗପ ବହି ଓ ଉପନ୍ୟାସ ଆମକୁ ପରିଚିତ କରାଇଥିଲା ବ୍ୟାସକବି ଫକୀରମୋହନ ସେନାପତିଙ୍କଠାରୁ ଆରମ୍ଭ କରି ଫତୁରାନନ୍ଦ, ଗୋପୀନାଥ ମହାନ୍ତି, ମନୋଜ ଦାସ, ପ୍ରତିଭା ରାୟ, ବାମାଚରଣ ମିତ୍ର, ବାରିଷ୍ଟର ଗୋବିନ୍ଦ ଦାସ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ରଙ୍କ ସମେତ ଅନେକ କାଳଜୟୀ ସ୍ରଷ୍ଟାଙ୍କ ସହିତ। ଏବେ ମନେପଡିଲେ ଅମୋଦିତ ଲାଗେ ଯେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ମାତ୍ରେ ଛୋଟ ପିଲା ମାସିକ ଜହ୍ନମାମୁଁ ପତ୍ରିକାର ୧୨ ଟି ଲେଖାଏଁ ସଂଖ୍ୟାକୁ ପଇତା ସୂତାରେ ଗୁନ୍ଥା ଯାଇଥିବା ମୋଟା ସଂକଳନକୁ ପାଠାଗାର ରେଜିଷ୍ଟରରୁ ନିଜ ନାଁ ରେ ଲେଖି ପଢିବାକୁ ଘରକୁ ନେଉଥିଲେ।

ପିଲାଟି ବେଳୁ ପ୍ରତିବର୍ଷ କୁମାର ପାଠାଗାରର ବାର୍ଷିକ ମୁଖପତ୍ର ‘କୁମାର’ ରେ ନିଜସ୍ୱ ଲେଖା ଦେବାପାଇଁ ଚାଲୁଥିଲା ଏକ ରକମ ପ୍ରତିଯୋଗିତା। ପ୍ରଥମେ ହାତରେ ସୁନ୍ଦର ଭାବରେ ଲେଖା ହୋଇ ପ୍ରକାଶିତ ହେଉଥିବା କୁମାର ପତ୍ରିକା ପରବର୍ତ୍ତୀ ସମୟରେ ମୁଦ୍ରଣ ପ୍ରେସରେ ଡିଜିଟାଲ ହୋଇ ଛପାଗଲା। ତେବେ ଏହି ପତ୍ରିକା ସମସ୍ତ କୁମାରାଙ୍ଗିଆଙ୍କୁ ପିଲାଟି ବେଳୁ ପ୍ରେରିତ କରିଥିଲା ଏବଂ କରିଆସୁଛି ନିଜେ ଲେଖିବା ପାଇଁ । ସେହିଭଳି ପ୍ରତିବର୍ଷ କୁମାରୋତ୍ସଵ ପୂର୍ବରୁ ଦୌଡ଼କୁଦରୁ ଆରମ୍ଭ କରି କୁଇଜ଼, ବକ୍ତୃତା, ରଚନା, ଚିତ୍ରଙ୍କନ, ଗଣିତ ଦୌଡ଼ ଇତ୍ୟାଦି ବିବିଧ କ୍ରୀଡା ପ୍ରତିଯୋଗିତା ତଥା କୁମାର ପୂର୍ଣ୍ଣିମା ଦିନ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ସୃଜନଶୀଳତା ବିକାଶରେ ବିଶେଷ ସହାୟକ ହୋଇଛି ।

ଏହି ଦୃଷ୍ଟିରୁ ଦେଖିଲେ କୁମାର ପାଠାଗାର ଏକ ଅନୁଷ୍ଠାନ ଭାବରେ ପିଢ଼ି ପରେ ପିଢ଼ି ଗ୍ରାମର ଯୁବ ବର୍ଗକୁ ବେଶ ଉତ୍ସାହିତ ଓ ଅନୁପ୍ରାଣିତ କରିଛି। ଶତାୟୁ କୁମାର ପାଠାଗାରକୁ ଜନ୍ମଦିନରେ ଶତ ପ୍ରଣାମ, ଅଭିନନ୍ଦନ ଓ ଶୁଭେଚ୍ଛା।

କୁମାର ପାଠାଗାର କୁମାରାଙ୍ଗ ଶାସନ କୃଷ୍ଣ ମହାପାତ୍ର ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026

ଆଜିଠୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ!: ଜାଣନ୍ତୁ କେଉଁ ସେବା ଚାଲିବ, କିପରି କରିବେ ଟଙ୍କା କାରବାର?

September 11, 2026
Latest News

ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦ ଅଭିଯାନ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.