Categories
ଆଜିର ଖବର

ବାଣପୁର: କୂଅରେ ପଡି ଅଢେଇ ବର୍ଷର ଶିଶୁ ପୁତ୍ର ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖେଳୁଥିବା ଅବସ୍ଥାରେ କୂଅରେ ପଡି ପ୍ରାଣ ହରାଇଛନ୍ତି ଜଣେ ଶିଶୁ ପୁତ୍ର।

ହସ୍ତଗତ ତଥ୍ୟ ମୁତାବକ ଅଲାଇଡିହ ଗ୍ରାମର ଶିବ ଶଙ୍କର କୁମାରଙ୍କ ଅଢେଇ ବର୍ଷର ପୁତ୍ର ସୂର୍ଯ୍ୟ କୁମାର ଘରେ ଖେଳୁଥିବାବେଳେ ଅସାବଧାନତା ବଶତଃ ବାରିରେ ଥିବା କୂଅରେ ଗଳିପଡ଼ିଥିଲେ। ଏହାଦେଖି ସଙ୍ଗେସଙ୍ଗେ ପରିବାର ବର୍ଗ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ଟିମ ଦୀର୍ଘ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରି ୪୦ ଫୁଟ ଗଭୀର କୂଅରୁ ଶିଶୁକୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କୂଅରେ ପଡିଥିବା ଝିଅକୁ ବଂଚାଇବା ଉଦ୍ୟମ ବିଫଳ: କାନ୍ଧରେ ଧରି ୨ କିମି ରାସ୍ତା ଓ ନାଳ ପାର ହେଲେ ବାପା

କନ୍ଦର୍ପ ବେହେରା
ରେଢାଖୋଲ: କୂଅରେ ପଡି ଜଣେ ୫ ବର୍ଷର ଶିଶୁ ଗୁରୁତର ହୋଇପଡିଥିଲା। ଆମ୍ବୁଲାନସ୍ ଯୋଗେ ଡାକ୍ତରଖାନାକୁ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ଆମ୍ବୁଲାନସ୍‌ଟି ନାଳ ପଡିବାରୁ ପହଞ୍ଚିପାରି ନଥିଲା। ଫଳରେ ଶିଶୁଟିକୁ ବଞ୍ଚାଇବା ଉଦ୍ୟମ ବିଫଳ ହୋଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କମଳାନାଳି ଗ୍ରାମରେ।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଘୋଷରାମାଳ ଗ୍ରାମପଂଚାୟତ କମଳାନାଳି ଗ୍ରାମର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷର ଝିଅ ମିତା ଦେହୁରି ଗାଁ ଦାଣ୍ଡରେ ଗାଁର ସାଥିମାନଙ୍କ ସହ ଖେଳୁଥିଲେ। ହେଲେ ପାଖରେ ଥିବା ଏକ କୂଅରେ ଝିଅଟି ପଡିଯାଇଥିଲା। ବାପା, ମାଆ ଝିଅଟିକୁ ନ ପାଇ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇ ପାରି ନଥିଲେ। ପାଖରେ ଥିବା କୂଅ ପାଖକୁ ଯାଇ ଦେଖିଲେ ଯେ ଝିଅଟି ପଡିଛି। ସଙ୍ଗେ ସଙ୍ଗେ ଝିଅଟିକୁ ଉଦ୍ଧାର କରି ଥିଲେ ଗ୍ରାମବାସୀଙ୍କ ସହାୟତାରେ।

ରେଢାଖୋଲରୁ ଆମ୍ବୁଲାନସ୍ ଡକାଇ ଥିଲେ ହେଲେ ଗାଁ ଠାରୁ ୨ କିମି ଦୂରରେ ଥିବା ନାଳରେ ଆମ୍ବୁଲାନସ୍ ଯାଇ ନ ପାରିବାରୁ ଝିଅଟିକୁ ବାପା ରାତିରେ ବାଧ୍ୟ ହୋଇ କାନ୍ଧରେ ଧରି ୨ କିମି ଚାଲି ଚାଲି ଯାଇ ନାଳ ପାର ହୋଇ ଶେଷରେ ଆମ୍ବୁଲାନସ୍ ରେ ବସି ରେଢାଖୋଲ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ଝିଅଟି ମୃତ ବୋଲି ଘୋଷଣା କରିଥିଲେ।

ରେଢାଖୋଲ ପୋଲିସ୍ ଡାକ୍ତରଖାନାକୁ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡିଛି। ଝିଅଟିକୁ ବଂଚାଇବା ପାଇଁ ବାପା କାନ୍ଧରେ ଧରି୨ କିମିଦୂର ନାଳ ପାର ହୋଇ ଯିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଗାଁ ର ସେଇ ନାଳ ରେ ପୋଲ କାମ ସରି ନ ଥିବାରୁ ଆମ୍ବୁଲାନସ୍ ଟି ପହଂଚିପାରି ନ ଥିବାରୁ ଜଣେ କୁନି ଝିଅର ଜୀବନ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯଦି ପୋଲଟିର କାମ ସରିଥାନ୍ତା ହୁଏତ ଝିଅଟିକୁ ବଂଚାଇପାରି ଥାନ୍ତେ ବାପା, ମା’। ରାଜ୍ୟସରକାର ଝିଅକୁ ହରାଇଥିବା ପିତା ମାତାଙ୍କୁ ସହଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସୂଚନା ଥାଉକି ଅତୀତରେ ରେଢାଖୋଲ ଥାନା ଘୋଷରାମାଳ ଗ୍ରାମରେ ୨ଜଣ ଶିଶୁ ମଧ୍ୟ ଏକ ପରିତ୍ୟକ୍ତ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ସେ ସମୟରେ ରାଜନୈତିକ ନେତା ମାନଙ୍କର ସୂଅ ଛୁଟିଥିଲା ସେଇ ଘୋଷରାମାଳ ଗ୍ରାମକୁ।