କୂଅରେ ପଡିଥିବା ଝିଅକୁ ବଂଚାଇବା ଉଦ୍ୟମ ବିଫଳ: କାନ୍ଧରେ ଧରି ୨ କିମି ରାସ୍ତା ଓ ନାଳ ପାର ହେଲେ ବାପା

Published: Oct 12, 2021, 2:17 pm IST

କନ୍ଦର୍ପ ବେହେରା
ରେଢାଖୋଲ: କୂଅରେ ପଡି ଜଣେ ୫ ବର୍ଷର ଶିଶୁ ଗୁରୁତର ହୋଇପଡିଥିଲା। ଆମ୍ବୁଲାନସ୍ ଯୋଗେ ଡାକ୍ତରଖାନାକୁ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ଆମ୍ବୁଲାନସ୍‌ଟି ନାଳ ପଡିବାରୁ ପହଞ୍ଚିପାରି ନଥିଲା। ଫଳରେ ଶିଶୁଟିକୁ ବଞ୍ଚାଇବା ଉଦ୍ୟମ ବିଫଳ ହୋଇଥିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କମଳାନାଳି ଗ୍ରାମରେ।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଘୋଷରାମାଳ ଗ୍ରାମପଂଚାୟତ କମଳାନାଳି ଗ୍ରାମର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷର ଝିଅ ମିତା ଦେହୁରି ଗାଁ ଦାଣ୍ଡରେ ଗାଁର ସାଥିମାନଙ୍କ ସହ ଖେଳୁଥିଲେ। ହେଲେ ପାଖରେ ଥିବା ଏକ କୂଅରେ ଝିଅଟି ପଡିଯାଇଥିଲା। ବାପା, ମାଆ ଝିଅଟିକୁ ନ ପାଇ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇ ପାରି ନଥିଲେ। ପାଖରେ ଥିବା କୂଅ ପାଖକୁ ଯାଇ ଦେଖିଲେ ଯେ ଝିଅଟି ପଡିଛି। ସଙ୍ଗେ ସଙ୍ଗେ ଝିଅଟିକୁ ଉଦ୍ଧାର କରି ଥିଲେ ଗ୍ରାମବାସୀଙ୍କ ସହାୟତାରେ।

ରେଢାଖୋଲରୁ ଆମ୍ବୁଲାନସ୍ ଡକାଇ ଥିଲେ ହେଲେ ଗାଁ ଠାରୁ ୨ କିମି ଦୂରରେ ଥିବା ନାଳରେ ଆମ୍ବୁଲାନସ୍ ଯାଇ ନ ପାରିବାରୁ ଝିଅଟିକୁ ବାପା ରାତିରେ ବାଧ୍ୟ ହୋଇ କାନ୍ଧରେ ଧରି ୨ କିମି ଚାଲି ଚାଲି ଯାଇ ନାଳ ପାର ହୋଇ ଶେଷରେ ଆମ୍ବୁଲାନସ୍ ରେ ବସି ରେଢାଖୋଲ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ଝିଅଟି ମୃତ ବୋଲି ଘୋଷଣା କରିଥିଲେ।

ରେଢାଖୋଲ ପୋଲିସ୍ ଡାକ୍ତରଖାନାକୁ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡିଛି। ଝିଅଟିକୁ ବଂଚାଇବା ପାଇଁ ବାପା କାନ୍ଧରେ ଧରି୨ କିମିଦୂର ନାଳ ପାର ହୋଇ ଯିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଗାଁ ର ସେଇ ନାଳ ରେ ପୋଲ କାମ ସରି ନ ଥିବାରୁ ଆମ୍ବୁଲାନସ୍ ଟି ପହଂଚିପାରି ନ ଥିବାରୁ ଜଣେ କୁନି ଝିଅର ଜୀବନ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଯଦି ପୋଲଟିର କାମ ସରିଥାନ୍ତା ହୁଏତ ଝିଅଟିକୁ ବଂଚାଇପାରି ଥାନ୍ତେ ବାପା, ମା’। ରାଜ୍ୟସରକାର ଝିଅକୁ ହରାଇଥିବା ପିତା ମାତାଙ୍କୁ ସହଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସୂଚନା ଥାଉକି ଅତୀତରେ ରେଢାଖୋଲ ଥାନା ଘୋଷରାମାଳ ଗ୍ରାମରେ ୨ଜଣ ଶିଶୁ ମଧ୍ୟ ଏକ ପରିତ୍ୟକ୍ତ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ସେ ସମୟରେ ରାଜନୈତିକ ନେତା ମାନଙ୍କର ସୂଅ ଛୁଟିଥିଲା ସେଇ ଘୋଷରାମାଳ ଗ୍ରାମକୁ।

Related posts