Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବିଭିନ୍ନ ଗୋଶାଳାର ସ୍ଥିତି କିପରି ରହିଛି, ରାଜ୍ୟ ସରକାର କଲେ ସମୀକ୍ଷା

ଭୁବନେଶ୍ବର: ଜୀବେ ଦୟା ଓ ପ୍ରାଣୀ କଲ୍ୟାଣ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗୋଶାଳା ଏହି ମହାନ ସଂସ୍କୃତିର ଏକ ସଂପ୍ରସାରିତ ରୂପ। ଗାଈଗୋରୁମାନଙ୍କ ନିରାପଦ ଆଶ୍ରୟ ନିମନ୍ତେ ନିର୍ମିତ ଗୋଶାଳାଗୁଡ଼ିକରେ ଯେପରି ପର୍ଯ୍ୟାପ୍ତ ପରିମାଣର ସୁବିଧାସୁଯୋଗ ଉପଲବ୍ଧ ହେବ ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ ସେଥି ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହନ ଓ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଗୋଶାଳାଗୁଡ଼ିକୁ ଆହୁରି ଅଧିକ ସଶକ୍ତ କରିବା ଦିଗରେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପ୍‌ଲାଇନ୍‌ ସଂପର୍କିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପ୍ରାଣୀସଂପଦକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି। ପ୍ରାଣୀସଂପଦର ସୁରକ୍ଷା ଓ ସେମାନଙ୍କର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି।

ଗୋରୁଙ୍କ ମୂଲ୍ୟବାନ ଅବଦାନକୁ ବିଚାରକୁ ନେଇ ରାଜ୍ୟ ସରକାର ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଓ ପ୍ରାଣୀ କଲ୍ୟାଣ ଅନୁଷ୍ଠାନକୁ ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟରେ ସଂପ୍ରତି ୮୦ଟି ପଂଜିକୃତ ଗୋଶାଳା ରହିଛି। ବୁଲାଗାଈଗୋରୁଙ୍କ ପାଇଁ ଆଶ୍ରୟ ସ୍ଥଳ ଓ ଗୋଶାଳା ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଡିସେମ୍ବର ୨୦୨୨ରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି।

ଏଥି ସହିତ ବିଭିନ୍ନ ପଞ୍ଜିକୃତ ଗୋଶାଳାଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୨୦୨୨-୨୩ ବର୍ଷରେ ୫୨ଟି ପଂଜିକୃତ ଗୋଶାଳାକୁ ପ୍ରତି ବୟସ୍କ ଗୋରୁଙ୍କ ପାଇଁ ବାର୍ଷିକ ୧୬ ହଜାର ଟଙ୍କା ହିସାବରେ ୫ କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇ ଏ ବାବଦକୁ ୧୦ କୋଟି ଟଙ୍କା ମଂଜୁର କରାଯାଇଛି। ୫୦ରୁ ୧୫୦ ଗୋରୁଙ୍କ ଥଇଥାନ ଓ ଆଶ୍ରୟ ନିମନ୍ତେ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ଏ ପର୍ଯ୍ୟନ୍ତ ଏ ବାବଦରେ ୨୬ ଗୋଟି ଗୋ-ଆହେଡ୍‌ ପ୍ରଦାନ କରାଯାଇଛି।

ଗୋଶାଳାଗୁଡ଼ିକ କୃଷି ଓ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆବଶ୍ୟକ ହେଉଥିବା ଜୈବିକ ଖତ ଓ ଜିଆ ଖତ ଉତ୍ପାଦନ କରି ଆର୍ଥିକ ଉପାର୍ଜନ କରିବାର ସୁଯୋଗ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏଥି ପାଇଁ କୃଷି ବିଜ୍ଞାନ କେନ୍ଦ୍ର ବୈଷୟିକ ଜ୍ଞାନକୌଶଳ ଏବଂ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତା ଗ୍ରହଣ କରାଯାଇପାରେ ବୋଲି ସେ କହିଥିଲେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଜରୁରୀକାଳନୀ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟବ୍ୟାପୀ ଆନିମଲ ହେଲପ୍‌ଲାଇନ୍‌ ପ୍ରତିଷ୍ଠା କରାଯାଇଛି। ଟୋଲ୍‌ ଫି୍ର ନମ୍ବର ୧୯୬୨କୁ କଲ୍‌ କଲେ ପୀଡ଼ିତ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଚିକିତ୍ସା ସୁବିଧା ମିଳିପାରୁଛି। ରାଜ୍ୟର ୧୧ ଗୋଟି ସହରାଞ୍ଚଳରେ ଆନିମଲ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମୋବାଇଲ୍‌ ଭେଟେରିନାରୀ ୟୁନିଟ୍‌ ଏହି ସେବା ଯୋଗାଇ ଦେଉଛି। ଅସହାୟ ଓ ରୋଗଗ୍ରସ୍ତ ପ୍ରାଣୀଙ୍କ ପାଇଁ ଏହା ଏକ ଲାଇଫ୍‌ଲାଇନ୍‌ ଭାବରେ କାର୍ଯ୍ୟ କରୁଛି ଓ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ମିଳିପାରୁଛି।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଗୋଶାଳାଗୁଡ଼ିକର ଉନ୍ନତି ନିମନ୍ତେ ଅନ୍ୟ ବିଭାଗ ସହିତ ମିଳିମିଶି କାମ କରିବାକୁ ପଡ଼ିବ। ସ୍ଥାନୀୟ ପ୍ରାଣୀ ଚିକିତ୍ସକ ପ୍ରତି ମାସରେ ଥରେ ଗୋଶାଳା ପରିଦର୍ଶନରେ ଯିବେ ଏବଂ ଗୋଶାଳାଗୁଡ଼ିକରେ ଗାଈଗୋରୁଙ୍କ ଟୀକାକରଣ, ଡି-ୱର୍ମିଂ ଓ ଗୋ-ବନ୍ଧ୍ୟା ନିରାକରଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଭିତ୍ତିରେ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଶ୍ରୀ ବଶିଷ୍ଠ କହିଥିଲେ।

ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବୀରକିଶୋର ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ରାଜ୍ୟର ବିଭିନ୍ନ ଗୋଶାଳା ପରିଚାଳନା ସହ ଜଡ଼ିତ ଶତାଧିକ ବ୍ୟକ୍ତିବିଶେଷ, ଆନିମଲ୍‌ ହେଲପ୍‌ଲାଇନ୍‌ର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୃଷିବିଭାଗ ଉପଦେଷ୍ଟାଙ୍କ ଆସିକା ବ୍ଲକ ପରି ଦର୍ଶନ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଓଡିଶା ସରକାରଙ୍କ କୃଷି ବିଭାଗର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତ କ୍ଷେତ୍ର ପରିଦର୍ଶନ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ହରିଡ଼ାପଦର ପଞ୍ଚାୟତର ଧୋବାଡି ଗ୍ରାମର ସୁମନ ଲାଲ ପଟ୍ଟନାୟକଙ୍କ କ୍ଷେତ ପୋଖରୀ ସହ ନଡ଼ିଆ, ଆମ୍ବ, ସାପେଟା ଫଳ ବଗିଚା ପରିଦର୍ଶନ କରିଥିଲେ। ପରେ ପରେ ହରିଡ଼ା ପଦର ଗ୍ରାମବାସୀଙ୍କ ଦ୍ୱାରା ବାଘୁଆ ନଦୀରେ ଚେକ ଡ୍ୟାମ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଦ୍ୱାରା ୨୩୭ ହେକ୍ଟର ଚାଷ ଜମିରେ ଜଳସେଚିତ ହେଇ ପାରିବ।

ଜୟପୁର ଗ୍ରାମର ଚାଷୀ ମାନେ ଉଠା ଜଳସେଚନ ବିଭାଗର ବିଭିନ୍ନ ଉଠା ଜଳସେଚନ ପଏଣ୍ଟ କାର୍ଯକ୍ଷମ ପାଇଁ ଦାବି ଜଣେଇ ଥିଲେ। ଖଣ୍ଡଦେଉଳି ପଞ୍ଚାୟତର ପ୍ରେମାନନ୍ଦ ବିଷୋୟୀଙ୍କ OPIICRA ଯୋଜନା ଅନୁଯାୟୀ ସରଂକ୍ଷଣ ଗୃହ, ଅମୃତଭଣ୍ଡା, ବାଇଗଣ, ମାଟି ଆଳୁ, ଶାକର କନ୍ଦା, ମିଠା ମକା, ସହ ମୁଳି ଆଖୁ କ୍ଷେତ୍ର ପରିଭ୍ରମଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ, ସହକାରୀ କୃଷି ଅଧିକାରୀ ଶୁଭ୍ରତା ମିଶ୍ର, ସହକାରୀ ଉଦ୍ୟାନ ଅଧିକାରୀ ଗୀତାରାଣୀ ସାହୁ, ଅଗ୍ରଣୀ ଚାଷୀ ପୂର୍ଣ୍ଣ ଚନ୍ଦ୍ର ବରଡ଼, ଆତ୍ମା ଅଧକ୍ଷ ରାଜେଶ କୁମାର ପଟ୍ଟନାୟକଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ।