Categories
ବିଶେଷ ଖବର

‘କୃଷି ଓଡ଼ିଶା ୨୦୨୩’: ଜଳବାୟୁ ଉପଯୋଗୀ ଚାଷ ଉପରେ ଗୁରୁତ୍ବ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପାରମ୍ପରିକ କୃଷି କାର୍ଯ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଫସଲର ବିବିଧିକରଣ ଓ ଜଳବାୟୁ ସହନଶୀଳ ଚାଷକାର୍ଯ୍ୟ ଦ୍ୱାରା ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦା ପୂରଣ କରିହେବ ବୋଲି ବିଜ୍ଞାନ ଓ କାରଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ଗତକାଲି କୃଷି ଓଡ଼ିଶା ୨୦୨୩ର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ସମନ୍ୱିତ କୃଷି କାର୍ଯ୍ୟ ଫଳରେ କୃଷକମାନଙ୍କର ରୋଜଗାର ବୃଦ୍ଧି ପାଇବ। କୃଷି ସହିତ ଉଦ୍ୟାନ କୃଷି, ଗୋପାଳନ, କୁକୁଡ଼ା ପାଳନ ଓ ମତ୍ସ୍ୟଚାଷ ଆଦି ଆନୁଷଙ୍ଗିକ କାର୍ଯ୍ୟ ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧିରେ ସହାୟକ ହୋଇଥାଏ। ଏଥି ସହିତ କୃଷି ଯାନ୍ତ୍ରିକୀକରଣ ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଥିବାବେଳେ ଯାନ୍ତ୍ରିକୀକରଣ ଫଳରେ ଚାଷୀମାନଙ୍କର ଜୀବନରେ ଅନେକ ପରିବର୍ତ୍ତନ ଆସିପାରିଛି ବୋଲି କହିଥିଲେ।

ସବୁଜ ବିପ୍ଳବ ସମୟରେ କୃଷି କାର୍ଯ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଥିବାବେଳେ କୃଷି ଯାନ୍ତ୍ରିକୀକରଣ ଫଳରେ କୃଷି କାର୍ଯ୍ୟ ଏକ ନୂତନ ମୋଡ଼ ନେବାକୁ ଯାଉଛି । ଛୋଟ ଛୋଟ କୃଷି ଯନ୍ତ୍ରପାତି ବ୍ୟବହାର ଫଳରେ ମଧ୍ୟ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟୁଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ। ସଂପ୍ରତି ଚାଷୀମାନେ ଅନେକ ବିଦେଶୀ ଫଳ ଓଡ଼ିଶାରେ ଚାଷ କରିବା ସହିତ ଉଚ୍ଚ ମୂଲ୍ୟର ଫସଲ ମଧ୍ୟ ଚାଷ କରୁଛନ୍ତି। କୃଷି ଓଡ଼ିଶାର ଆୟୋଜନ ମାଧ୍ୟମରେ ରାଜ୍ୟର ଚାଷୀମାନେ ନୂତନ ଜ୍ଞାନକୌଶଳ, ଯନ୍ତ୍ରପାତି, ଫସଲ କିସମ ଆଦି ବିଷୟରେ ସହଜରେ ଜାଣିବାର ସୁଯୋଗ ପାଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ କୃଷି ରାଜ୍ୟ ଜିଡ଼ିିପିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାବେଳେ ୭୦ ପ୍ରତିଶତ କୃଷି ଶ୍ରମିକ ମହିଳା ଅଟନ୍ତି। ମହିଳାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦ୍ୱାରା ମହିଳା ସଶକ୍ତିକରଣ ସମ୍ଭବ ହେବ ବୋଲି ଶ୍ରୀମତୀ ଦାସ କହିଥିଲେ। ଏଥି ସହିତ ଅଣଧାନ ଚାଷ ସମେତ କୁକୁଡ଼ା ଓ ମତ୍ସ୍ୟଚାଷ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ବିଗତ ୨୦ ବର୍ଷ ମଧ୍ୟରେ ଉପଯୁକ୍ତ କୃଷି ନୀତି ଯୋଗୁ ରାଜ୍ୟ ଚାଉଳ ଉତ୍ପାଦନରେ ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ବଳକା ରାଜ୍ୟରେ ପରିଣତ ହୋଇପାରିଛି ବୋଲି ଶ୍ରୀମତୀ ଦାସ କହିଥିଲେ।

ଉତ୍ସବରେ ସମବାୟ ବିଭାଗର ସଚିବ ସଂଜୀବ କୁମାର ଚଢ଼ା କହିଲେ ଯେ ଉପଯୁକ୍ତ ବିକି୍ରବଟାର ସୁବିଧା ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ପାଇଁ ଅଧିକ ମୂଲ୍ୟ ପାଉଥିବାରୁ ବଜାର ବ୍ୟବସ୍ଥାକୁ ବିଭାଗ ପକ୍ଷରୁ ସୁଦୃଢ଼ କରାଯାଉଛି। ସମବାୟ ବ୍ୟାଙ୍କ ପକ୍ଷରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କୃଷି ଋଣ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ଚଢ଼ା କହିଥିଲେ।

ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରଭାତ କୁମାର ରାଉଳ କହିଲେ ଯେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଫଳରେ ରାଜ୍ୟରେ ଆଜି କୃଷି କ୍ଷେତ୍ରରେ ବିକାଶ ସମ୍ଭବ ହୋଇପାରିଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ, ଅନୁଷ୍ଠାନ ଓ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଚାଷୀମାନଙ୍କୁ ପ୍ରଯୁକ୍ତିିବିଦ୍ୟାର ପ୍ରୟୋଗ ସଂପର୍କରେ ନିୟମିତ ପ୍ରଶିକ୍ଷଣ ଦିଆଯାଉଛି।

ଉତ୍ସବ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବାବେଳେ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାର ସଫଳ ଓ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଫେବୃଆରୀ ୧୬ରୁ ‘କୃଷି ଓଡ଼ିଶା ୨୦୨୩’: ମେଳାରେ ରହିବ ୧୭୫ ଗୋଟି ମଣ୍ଡପ

ଭୁବନେଶ୍ୱର: କୃଷି ଓ ଆନୁଷଙ୍ଗିକ କୃଷିର ଉନ୍ନତିକରଣ ନିମନ୍ତେ ସମୟ ଅନୁସାରେ ବିକଶିତ ହେଉଥିବା ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକୀକରଣ, ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା, ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ପାଇଁ ଗୋଟିଏ ଛାତତଳେ ଆବଶ୍ୟକ ସମସ୍ତ ସୂଚନା ଉପଲବ୍ଧ କରିବା ଦିଗରେ କୃଷି ଓଡ଼ିଶା ଏକ ସଫଳ ପ୍ରୟାସ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଚଳିତ ଫେବୃଆରୀ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ ‘କୃଷି ଓଡ଼ିଶା ୨୦୨୩’ ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ କୃଷି ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ କୃଷିମେଳାରୁ ଚାଷୀମାନଙ୍କଠାରୁ ମିଳୁଥିବା ମତାମତ ଓ ସେମାନଙ୍କର ଅନୁଭୂତିକୁ ଆଧର କରି ରାଜ୍ୟ ସରକାର କୃଷି କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ତି।

ଚଳିତ ବର୍ଷର କୃଷି ଓଡ଼ିଶାର ବିଷୟବସ୍ତୁ ‘କୃଷି ବିକାଶରେ ନୂତନ ଜ୍ଞାନକୌଶଳ’ ରହିଥିବାବେଳେ ବିଭାଗ ପକ୍ଷରୁ ସର୍ବଦା ନୂତନ ପ୍ରଯୁକ୍ତିବିଦ୍ୟା ଓ ଯନ୍ତ୍ରପାତିର ପ୍ରୟୋଗକୁ ଗୁରୁତ୍ୱ ଦିଆଯିବା ସହ ଏଥି ନିମନ୍ତେ ଚାଷୀମାନଙ୍କୁ ଆକର୍ଷଣୀୟ ରିହାତି ଯୋଗାଇ ଦିଆଯାଉଛି। ଏହା ଦ୍ୱାରା ଉତ୍ପାଦନ ଖର୍ଚ୍ଚ କମ ହେବା ସହ ସମୟର ସଂଚୟ ହୋଇପାରୁଛି।

ଏଥି ସହିତ କୃଷି କାର୍ଯ୍ୟରେ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତିର ବ୍ୟବହାରକୁ ବିଭାଗ ପକ୍ଷରୁ ପ୍ରାଥମିକତା ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। କୃଷି ବିକାଶ ଯୋଜନା ଏବଂ ଆଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିକୁ କୃଷକମାନଙ୍କ ନିକଟତର କରିବା ପାଇଁ ଚଳିତ ବର୍ଷ ପ୍ରଥମଥର ପାଇଁ ଆଞ୍ଚଳିକ କୃଷିମେଳାର ଆୟୋଜନ କରାଯାଇଛି ଓ ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ମହିଳା ସଶକ୍ତିକରଣ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ବହୁଳ ଭାବରେ ଭାଗନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଛନ୍ତି।

ତିନିଦିନିଆ କୃଷି ଓଡ଼ିଶାକୁ ୧୬ ତାରିଖ ଦିନ ୧୧ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ୧୮ ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ମାନ୍ୟବର ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ କୃଷି ଓଡ଼ିଶାରେ ମୋଟ ୧୭୫ ଗୋଟି ମଣ୍ଡପ ପ୍ରଦର୍ଶିତ ହେବ। ଏଥିରେ କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ମିଶନ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଜାତୀୟ ଧାନ ଗବେଷଣା କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା, କୃଷି ଉଦ୍ୟୋଗୀ, ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ସାମଗ୍ରୀ ବିତରକ, କୃଷି ଉତ୍ପାଦନ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଓଡ଼ିଶା ମିଲେଟ୍‌ ମିଶନ ଆଦି ସଂସ୍ଥା ଭାଗନେବେ।

ଏହି ଅବସରରେ ୧୦ ଗୋଟି ବିଷୟବସ୍ତୁ ଉପରେ କୃଷକ, କୃଷି ଉଦ୍ୟୋଗୀ, ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନାଚକ୍ରର ଆୟୋଜନ କରାଯାଇଛି। କ୍ଷୁଦ୍ରଶସ୍ୟ, ଧାରଣକ୍ଷମ ବିହନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା, ଚିରନ୍ତନ କୃଷି, ଜଳସେଚିତ ଅଞ୍ଚଳରେ ଘରୋଇ ସଂପ୍ରସାରଣ, ଉଦ୍ୟାନକୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ ଓ ପ୍ରାକୃତିକ ସଂପଦର ସୁପରିଚାଳନା ଆଦି ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। କୃଷି ଓଡ଼ିଶା ଉପଲକ୍ଷେ ରାଜ୍ୟର ୩୦ଟି ଜିଲ୍ଲାର ଅଗ୍ରଣୀ ଚାଷୀ, କୃଷି ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ସମସ୍ତ ଜିଲ୍ଲାରୁ କୃଷକମାନଙ୍କୁ କୃଷି ପ୍ରଦର୍ଶନୀ ପରିଭ୍ରମଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ‘କୃଷି ଓଡ଼ିଶା ୨୦୨୩’ େୱବ୍‌ସାଇଟକୁ ଲୋକାର୍ପିତ କରିଥିଲେ।

ସାମ୍ବାଦିକ ସମ୍ମିଳନୀକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସମ୍ବୋଧିତ କରିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ।