ନୂଆଦିଲ୍ଲୀ/ଭୁବନେଶ୍ୱର: ନିରନ୍ତର ବିକାଶ ଏବଂ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉତ୍ପେରକ ବୋଲି ଶନିବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ “ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ୍ ସମ୍ମିଟର ଶିକ୍ଷା ମନ୍ତ୍ରୀମାନଙ୍କ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
“ମାନବ ସମ୍ବଳ ବିକାଶକୁ ପ୍ରାଥମିକତା: ଗ୍ଲୋବାଲ ସାଉଥର ଦୃଷ୍ଟିକୋଣ” କଥାବସ୍ତୁ ଉପରେ ଆୟୋଜିତ ଏହି ଅଧିବେଶନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗ୍ଲୋବାଲ ସାଉଥ ଔପନିବେଶିକ ଇତିହାସ, ସାମାଜିକ-ଆର୍ଥିକ ଆକାଂକ୍ଷା, ସମୃଦ୍ଧ ଜୀବନ୍ତ ସଂସ୍କୃତି ଏବଂ ଅପାର ସମ୍ଭାବନାର ଏକ ପରିଚୟକୁ ପ୍ରତିଫଳିତ କରୁଛି। ଏହି ପରିପ୍ରେକ୍ଷୀରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା କେବଳ ଦକ୍ଷତା ପ୍ରଦାନ ପାଇଁ ନୁହେଁ ବରଂ ପ୍ରତିଭାକୁ ଚିହ୍ନଟ କରିବା, ଅଭିନବ ଉଦ୍ୟମକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥିର ସମୁଦାୟ ଗଠନ ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ। ନିରନ୍ତର ବିକାଶ ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉତ୍ପେରକ ଭାବରେ କାର୍ଯ୍ୟ କରିପାରିବ। ଶିକ୍ଷା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ପରିକଳ୍ପନାର ମୂଳଦୁଆ। ତାଙ୍କ ନେତୃତ୍ୱରେ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତି ଭାବରେ ପରିଣତ କରିବା ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ ହୋଇଛି। ଜାତୀୟ ଶିକ୍ଷାନୀତି ଏକ ଦାର୍ଶନିକ ଦସ୍ତାବିଜ୍, ଯାହା ସର୍ବବ୍ୟାପୀ, ସର୍ବସ୍ପର୍ଶୀ ତଥା ବହମୁଖୀ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରେ। ଏହି ନୂତନ ଶିକ୍ଷା ନୀତିରେ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।
ସ୍ଥାୟୀ ଉର୍ଜା ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଗୁରୁତ୍ୱ ଦେଇ ଭାରତ ନିଜର ଗବେଷଣା ଅନୁଷ୍ଠାନ ଏବଂ ଅନ୍ତର୍ଜାତୀୟ ସହଯୋଗ ଉପରେ କାର୍ଯ୍ୟ କରୁଛି। ଗବେଷଣା ପ୍ରଦର୍ଶନ(ରିସର୍ଚ୍ଚ ଆଉଟପୁଟ)ରେ ଭାରତର ମାନ ୫୪ ପ୍ରତିଶତକୁ ବୃଦ୍ଧି ଘଟିଛି, ଯାହା ବିଶ୍ୱ ତୁଳନାରେ ହାରାହାରି ଦୁଇଗୁଣରୁ ଅଧିକ। ଗ୍ଲୋବାଲ ଇନୋଭେସନ୍ ଇଣ୍ଡେକ୍ସରେ ଭାରତ ୭୬ରୁ ୪୦ତମ ସ୍ଥାନକୁ ବୃଦ୍ଧି ପାଇ ଏକ ଅଗ୍ରଣୀ ଗବେଷଣା କେନ୍ଦ୍ରରେ ପରିଣତ ହେଉଛି।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ଦେଶ ଓ ବିଦେଶରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଶିକ୍ଷକମାନଙ୍କର ବିଶ୍ୱସ୍ତରୀୟ ଚାହିଦାକୁ ପୂରଣ କରୁଛି। ଶିକ୍ଷା କ୍ଷେତ୍ରରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ତଥା ମାଗଣା ଶିକ୍ଷା ପ୍ରଦାନ ପାଇଁ ସ୍ୱୟମ୍ କାର୍ଯ୍ୟକ୍ରମ, ୨୦୦ ଡିଟିଏସ ଚ୍ୟାନେଲ, ୪୦୦ ରେଡିଓ ଷ୍ଟେସନ, ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଭର୍ଚ୍ଚୁଆଲ ଲ୍ୟାବ, ଭାରତୀୟ ସାଙ୍କେତିକ ଭା।ଷାରେ ଇ-କଣ୍ଟେଣ୍ଟ ଓ ଅଡିଓ ପୁସ୍ତକ ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀଙ୍କ ନାମଲେଖା ଯଥେଷ୍ଟ ବୃଦ୍ଧି ପାଇଛି। ଷ୍ଟେମ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ କେବଳ ୪୩ ପ୍ରତିଶତ ମହିଳା ଅଛନ୍ତି। ଆମେ ଶିଳ୍ପ ବିପ୍ଳବ ୪.୦ର ସମ୍ମୁଖୀନ ହେଉଥିବା ବେଳେ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତିବିଦ୍ୟାର ନିର୍ମାତା ଏବଂ ପରିଚାଳକ ହେବା ପାଇଁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।