Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଭୁବନେଶ୍ୱର: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ଚାଲୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିଜୋନାଲ ଅଫିସର ବିରେନ୍ଦ୍ର ସିଂ ଏବଂ ପ୍ରୋଜେକ୍ଟ ଡାଇରେକ୍ଟର ବାଲେଶ୍ୱର ପିଆଇଓ ଜେପି ବର୍ମ୍ମା ଉପସ୍ଥିତ ଥିଲେ।

ବାଙ୍ଗିରିପୋଷୀ ଘାଟିର ସଂପ୍ରସାରଣ, ଏନଏଚ୍ଆଇର ବିଦ୍ୟୁତିକରଣ, ରୋଡ ସାଇଟ୍ରେ ହାତୀ ଓ ବନ୍ୟଜନ୍ତୁଙ୍କ ପାଇଁ ଅଣ୍ଡର ପାସ୍ ଗୁଡିକ ଚିହ୍ନଟ କରି ଖୁବ୍ ଶିଘ୍ର ଡିପିଆର ପ୍ରସ୍ତୁତ କରାଯାଇ ଡିସେମ୍ବର ସୁଧା କାମ ଆରମ୍ଭ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଝରପୋଖରୀଆର ଅର୍ଦ୍ଧ ନିର୍ମିତ ପୋଲ ଏବଂ ପାଲବଣୀ ଓ ଯୁବଲୀ ପେଟ୍ରୋଲ ପମ୍ପ ନିକଟରେ ହେଉଥିବା ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ପରିବେଶ ଉପଯୋଗୀ ଗଛ ଯଥା ନିମ୍ବ, ଜାମୁ, ଶାଳ, ପିଆଶାଳ, ଆମ୍ବ ଇତ୍ୟାଦି ଲଗାଇବା ପାଇଁ ଏନଏଚ୍ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଦ୍ୱାରା ପଶୁପକ୍ଷୀଙ୍କର ଆବଶ୍ୟକତା ପୂରଣ ହୋଇପାରିବ। ଗଛ ବୃଦ୍ଧି ପାଇଁ ଗୋଶାଳାମାନଙ୍କ ଠାରୁ ପ୍ରାକୃତିକ ସାର ଓ ଜୈବିକ ସାର ନେଇ ଗଛଗୁଡିକରେ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗୋପାଳପୁର, ଦୀଘା କୋଷ୍ଟାଲ ହାଇୱେର ନୂତନ ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ବସ୍ ଷ୍ଟପ ଗୁଡିକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ଡିସ୍ପ୍ଲେ କରିବା ଏବଂ ସୋଲାର ଅପରେଟେଡ୍ ଲାଇଟିଂ ବ୍ୟବସ୍ଥା ବସ୍ଷ୍ଟପ୍ ଗୁଡିକରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଶାରେ ଦୁର୍ଘଟଣାପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରି କଳାଦାଗ ଘୋଷଣା କରି ବିହୀତ ପଦକ୍ଷେପ ନେବା ପାଇଁ ଆଦେଶ ଦେଇଥିଲେ। ବହୁଦିନରୁ ବାଙ୍ଗିରିପୋଷି ରାସ୍ତାର ସମ୍ପ୍ରସାରଣରେ ବାଧା ଆସୁଥିବା ପଥରକୁ ଫଟେଇବା ପାଇଁ ବ୍ଲାଷ୍ଟିଂ ଅନୁମତି ଯଥାଶୀଘ୍ର ଜିଲ୍ଲାପାଳ ତଥା ଜଙ୍ଗଲ କର୍ତୃପକ୍ଷଙ୍କ ଠାରୁ ନେବା ପାଇଁ ଏନଏଚଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏକଲବ୍ୟ ମଡେଲ ରେସିଡେନ୍ସଆଲ ସ୍କୁଲ(ଇଏମ୍ଆର୍ଏସ) 

ଓଡିଶାରେ ଏକଲବ୍ୟ ମଡେଲ ରେସିଡେନ୍ସଆଲ ସ୍କୁଲ ନିର୍ମାଣ କରୁଥିବା ସମସ୍ତ ଭାରତ ସରକାରଙ୍କର ବ୍ୟବସାୟୀଙ୍କ ସଂସ୍ଥା(ପିଏସ୍ୟୁ)ର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଆଜି ପର‌୍ୟ୍ୟନ୍ତ ରାଜ୍ୟ ସରକାର ଜଙ୍ଗଲ ସମସ୍ୟା ଥିବା ଇଏମ୍ଆରଏସ୍ ସ୍ଥାନ ଗୁଡିକ ସମାଧାନ କରି ବିଭାଗକୁ ହସ୍ତାନ୍ତର ନକରୁଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି ମନ୍ତ୍ରୀ।

ମୟୂରଭଞ୍ଜ ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ଏକଲବ୍ୟ ବିଦ୍ୟାଳୟକୁ ଶୀଘ୍ର ଶେଷ କରିବା ସହିତ ଓଡ଼ିଶାରେ ନିର୍ମାଣ କରିବାକୁ ଥିବା ୮୭ଟି ଏକଲବ୍ୟ ବିଦ୍ୟାଳୟ ଗୁଡିକର ପୂର୍ବ ନିର୍ମାଣ ପ୍ରସ୍ତୁତି ଶେଷ କରି ଭୂମିପୂଜନ ସାରିବା ପାଇଁ ପିଏସୟୁଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୋଳିଅଣାଠାରେ ଏକଲବ୍ୟ ମଡେଲ ରେସିଡିନ୍ସିଆଲ୍ ସ୍କୁଲର ଶୁଭ ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା ଆସନ୍ତା ନଭେମ୍ବର ୨୦ତାରିଖରେ କରାଯିବାକୁ ସ୍ଥିରିକୃତ ହୋଇଛି। ସମସ୍ତ ଏକଲବ୍ୟ ମଡେଲ ରେସିଡିନ୍ସିଆଲ୍ ସ୍କୁଲ ନିର୍ମାଣ ଶେଷ ହୋଇ କାର‌୍ୟ୍ୟକ୍ଷମ ହେଲେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ହେବା ଆଶା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ।

ଶେଷରେ ମନ୍ତ୍ରୀ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅଧିକାରୀଙ୍କ ସହିତ ଓଡ଼ିଶାର ଜଳ ସମସ୍ୟା ଉପରେ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ ଯଥାଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଟ୍ରାଇଫେଡ କମିଶନର ଓ ତାଙ୍କ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ବନଧନ ବିକାଶ କେନ୍ଦ୍ରର କିପରି ବିକାଶ ହେବ ଓ ଆଦି ମହୋତ୍ସବ ବିଷୟରେ ମାନନୀୟ ମନ୍ତ୍ରୀ ଆଲୋଚନା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପାଇଁ ଦୁଇ ରାଜନୈତିକ ଦଳର ବଳକଷା

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲା ରାଜନୀତି ଆଦିବାସୀ ବହୁଳ ମତାଦାତାଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛି। ତେଣୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ଲୋକପ୍ରିୟ ଆଦିବାସୀ ନେତାଙ୍କୁ ନେଇ ନିଜର ଗୋଟି ଚାଳନା କରିଥାନ୍ତି। ଏହି କ୍ରମରେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କନ୍ୟା ଇତିଶ୍ରୀ ମୁର୍ମୁଙ୍କୁ ନେଇ ଜିଲ୍ଲା ରାଜନୀତି ବେଶ ସରଗରମ ହୋଇ ଉଠିଛି।

ଜିଲ୍ଲାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ପରେ ତାଙ୍କ ପରିବାର ସଦସ୍ୟ କହିଲେ ଝିଅ ଇତିଶ୍ରୀ ଏବେ ରାଜନୈତିକ ଦଳଗୁଡ଼ିକର ପ୍ରଥମ ପସନ୍ଦ ହୋଇଛନ୍ତି। କାରଣ ଇତିଶ୍ରୀ ଉଚ୍ଚ ଶିକ୍ଷିତା ହୋଇଥିବାରୁ ସେ ଲୋକମାନଙ୍କର ସମସ୍ୟାକୁ ତାଙ୍କ ମା’ଙ୍କ ଭଳି ପ୍ରାଥମିକତା ଦେଇ ସମାଧାନ କରିପାରିବେ ବୋଲି ମତଦାତା ତଥା ରାଜନୈତିକଦଳଗୁଡ଼ିକର ନେତୃମଣ୍ଡଳୀ ବିଶ୍ୱାସ କରୁଛନ୍ତି।

ମୟୁରଭଞ୍ଜ ଲୋକସଭା ଆସନ ଶାସକ ବିଜେଡି ପାଇଁ କେବେବି ସହଜ ହୋଇନାହିଁ । ଗତ ନିର୍ବାଚନରେ ଏଠାରୁ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ବିଜେଡି ପ୍ରାର୍ଥୀଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ମୟୁରଭଞ୍ଜ ଲୋକସଭା ଆସନକୁ ହାତେଇବା ପାଇଁ ଶାସକ ବିଜେଡି ପକ୍ଷରୁ ଇତିଶ୍ରୀଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ଇତିଶ୍ରୀ ବିଜେଡି ପଟକୁ ଢଳିବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି।

ଅପର ପକ୍ଷରେ ବିଜେପିରେ ମୁର୍ମୁଙ୍କ ପରିବାର ରାଜନୀତି ଆରମ୍ଭ କରିଛନ୍ତି। ଇତିଶ୍ରୀଙ୍କ ମା’ ତଥା ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିରୁ ତାଙ୍କ ରାଜନୈତିକ ଯାତ୍ରା କରିଥିଲେ।ସେ ବିଜେପିରୁ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଇରଙ୍ଗପୁର ବିଧାୟିକା ଭାବେ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ କାମ କରି ବହୁ ସୁନାମ ଅର୍ଜନ କରିଛନ୍ତି।

ଏହାପରେ ମୋଦି ସରକାରଙ୍କୁ ତାଙ୍କୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବରେ ନିର୍ବାଚିତ କରି ଦେଶର ଆଦିବାସୀ ମତଦାତାମାନଙ୍କୁ ନିଜ ପଟକୁ ଆଣିବାର ପ୍ରୟାସ କରିଛନ୍ତି। ଯେହେତୁ ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଜୀବନ ବିଜେପିରେ କଟିଛି ତେଣୁ ତାଙ୍କ ଝିଅ ବିଜେପି ସହିତ ରହିବାରେ କୌଣସି ଅସୁବିଧା ହେବା ନାହିଁ।

ତେଣୁ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କୁ ବିଜେପିରୁ ପ୍ରାର୍ଥୀ କରିବା ପାଇଁ ବିଜେପି କେନ୍ଦ୍ରୀୟ ନେତା ଚିନ୍ତା କରୁଥିବାର ଜଣାପଡିଛି। ଇତିଶ୍ରୀ ସେଠାରୁ ପ୍ରାର୍ଥି ହେଲେ ଦଳ ସାଂସଦ ପଦ ଫେରିପାଇବା ସହିତ ବିଧାୟକ ଆସନଗୁଡିକରେ ମଧ୍ୟ ସେ ବେଶ ପ୍ରଭାବ ପକାଇ ପାରିବେ।

ତେବେ ଏ ନେଇ ଉଭୟ ଇତିଶ୍ରୀ ଏବଂ ବିଜେପି ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଜୋରଦାର ଆଲୋଚନା ଚାଲିଛି। ତେବେ ଇତିଶ୍ରୀ ଲୋକସଭା ପ୍ରାର୍ଥୀ ହେଲେ ବିଶେଶ୍ବର ଟୁଡୁଙ୍କୁ ବିଧାୟକ ପ୍ରାର୍ଥୀ ପ୍ରାର୍ଥୀ କରାଯିବ ବୋଲି ମୟୁରଭଂଜରେ ବେଶ୍ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Dhamnagar Bypoll: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିରୋଧରେ ବିଜେଡି ଆଣିଲା ଅଭିଯୋଗ

ଭୁବନେଶ୍ବର: ଆଜି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେଡି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରିଛି ଦଳ। କେନ୍ଦ୍ରମନ୍ତ୍ରୀ ଟୁଡୁ ଧାମନଗର ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି। ସେ ନିର୍ବାଚନ ପ୍ରଚାରରେ ଧାମନଗର ବୈତରଣୀ ବନ୍ୟାର ସମାଧାନ ହେବ ବୋଲି କହିଛନ୍ତି।

ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଏପରି ପ୍ରତିଶୃତି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ବିଜେପି ପ୍ରାର୍ଥୀଙ୍କ ପ୍ରଚାର ବେଳେ ସେ ମନ୍ତ୍ରୀ ଥାଇ କିପରି ପ୍ରତିଶୃତି ଦେଲେ ବୋଲି ବିଜେଡି କହିଛି। ବର୍ତ୍ତମାନ ବିଜେପି ଧାମନଗରରେ ହାରୁଥିବାର ଜାଣିବା ପରେ ମନ୍ତ୍ରୀ ଆଇନ ଉଲ୍ଲଘଂନ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଗତକାଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରୁଥିଲେ। ଏହି ସମୟରେ ସେ ଭୋଟରମାନଙ୍କୁ ବୈତରଣୀ ବନ୍ୟା ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସେ କହିଥିଲେ ଯେ, ନିର୍ବାଚନ ପରେ ଏହାକୁ ଜରୁରୀ ଭାବେ ଗ୍ରହଣ କରି ସମାଧାନ କରାଯିବ। ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ବୋଲି ବିଜେଡି କହିଛି।

ଏ ନେଇ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଭିଯୋଗ ପତ୍ର ଦେବା ସହିତ ମନ୍ତ୍ରୀ ଟୁଡୁଙ୍କ ଭାଷଣର ଏକ ଭିଜୁଆଲ କପି ମଧ୍ୟ ପ୍ରଦାନ କରିଛି। ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି। ବିଜେଡି ନେତା ଲେନୀନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି।

ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ବିଜେଡି ମଧ୍ୟ ଅଭିଯୋଗ କରିବ ବୋଲି ଦଳ ତରଫରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମହାନଦୀରେ କୌଣସି ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରି ନାହାଁନ୍ତି, ମନ୍ତ୍ରୀ ଟୁଡୁ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୋମବାର ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ବର ଟୁଡୁ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ଲାଗି ୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ମହାନଦୀ ଶଯ୍ୟାରେ ଯେକୌଣସି ବିବାଦର ସମାଧାନ ଲାଗି ଏହି ଟ୍ରିବ୍ୟୁନାଲର କ୍ଷମତା ରହିଛି। ମହାନଦୀ ଶଯ୍ୟାର ତଳମୁଣ୍ଡରେ ଥିବା ଓଡ଼ିଶାର ଦାବି ପୂରଣ, ମହାନଦୀ ଶଯ୍ୟାରେ ରହିଥିବା ସବୁ ରାଜ୍ୟର ପ୍ରକଳ୍ପ ଯୋଜନା ପ୍ରସ୍ତୁତି ଆଦି ପ୍ରସଙ୍ଗ ଟ୍ରିବ୍ୟୁନାଲର ଅନୁମତିକ୍ରମେ କାର୍ଯ୍ୟକାରୀ ହୋଇପାରିବ ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ, ମହାନଦୀ ଶଯ୍ୟାରେ ଯେକୌଣସି ପ୍ରକଳ୍ପର ବୈଷୟିକ-ଆର୍ଥିକ ମଞ୍ଜୁରି ପାଇଁ ଟ୍ରିବ୍ୟୁନାଲଙ୍କ ଠାରୁ ଆଗୁଆ ସହମତି ଆଣିବା ଜରୁରି । ତେବେ ସେହି ସବୁ ପ୍ରକଳ୍ପ ପାଇଁ ବୈଷୟିକ-ଆର୍ଥିକ ମଞ୍ଜୁରି ପ୍ରଦାନ କରାଯାଇ ପାରିବ, ଯେଉଁଥିରେ ଟ୍ରିବ୍ୟୁନାଲଙ୍କ ଠାରୁ ଆଗୁଆ ସହମତି ଆଣି ନଦୀ ଶଯ୍ୟାରେ ଥିବା ରାଜ୍ୟମାନେ ଏକ ରାଜିନାମା ଅଧୀନରେ ଅନୁବନ୍ଧିତ ହୋଇଥିବେ।

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ହେବା ପରେ ମହାନଦୀ ଶଯ୍ୟାରେ ଥିବା ରାଜ୍ୟମାନଙ୍କ ନିକଟରୁ ଏପରି କୌଣସି ଆବେଦନ କେନ୍ଦ୍ର ଜଳ ଆୟୋଗଙ୍କୁ ମିଳିନାହିଁ, ଯେଉଁଥିରେ କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଟ୍ରିବ୍ୟୁନାଲଙ୍କ ପ୍ରାରମ୍ଭିକ ସହମତି ରହିଥିବ । ତେଣୁ ମହାନଦୀ ପ୍ରସଙ୍ଗରେ ପ୍ରକଳ୍ପ ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକଳ୍ପ ମଞ୍ଜୁରି ପ୍ରଦାନ କରାଯାଇନାହିଁ । ମହାନଦୀ ଜଳ ବିବାଦ ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ନେବାର କ୍ଷମତା କେବଳ ଟ୍ରିବ୍ୟୁନାଲଙ୍କ ନିକଟରେ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ସୂଚନା ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ବିପୁଳ ସ୍ବାଗତ, ଓଡିଶା ଜଳବିବାଦର ସମାଧାନ ପାଇଁ ଦେଲେ ପ୍ରତିଶୃତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଦ୍ୟ ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ଛଅ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ବରରେ ପହଂଚିବା ପରେ ବିମାନ ବନ୍ଦରରେ ବିଜେପି ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଅସୁସ୍ଥତା କାରଣରୁ ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେଇପାରିନଥିବା କେନ୍ଦ୍ରମନ୍ତ୍ରୀ  ଟୁଡୁ ମନ୍ତ୍ରୀପଦ ଦାୟୀତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି । ବିମାନ ବନ୍ଦରରୁ ସେ ପ୍ରଥମେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ସିଧାସଳଖ ପୁରୀ ଗସ୍ତ କରିଥିଲେ । ପୁରୀ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ପିପିଲି, ସାକ୍ଷୀ ଗୋପାଳ ଆଦି ସ୍ଥାନରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।

ପୁରୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତନ କରି ସେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କୁ ଉପଢୌକନ ପିନ୍ଧାଇ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ ଓ ଐର ଖାରବେଳ ସ୍ୱାଇଁ , ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶନୀ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ସର୍ବପ୍ରଥମେ ବିଜେପି ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପରେ ପାର୍ଟୀର ବିଭିନ୍ନ ମୋର୍ଚ୍ଚା ଓ ସେଲ୍‌, ବିଭିନ୍ନ ଜିଲ୍ଲା ସଭାପତି, ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’କୁ ପାଥେୟ କରି ପ୍ରଧାନ ସେବକ ଭାବେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍‌ରେ ସାମିଲ ହୋଇଥିବାରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି । ଆଗାମୀ ଦିନରେ ଦେଶ ତଥା ରାଜ୍ୟର ବିକାମୂଳକ କାର୍ଯ୍ୟ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବି ବୋଲି ଶ୍ରୀ ଟୁଡୁ କହିଛନ୍ତି । ଏଥିସହିତ ଓଡିଶାର ଯେତେସବୁ ଜଳବିବାଦ ରହିଛି, ସେଗୁଡିକର ଖୁବ ଶିଘ୍ର ସମାଧାନ କରାଯିବ ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଆସନ୍ତା କାଲି ଭୁବନେଶ୍ୱରରୁ ବାହାରି ବାଲେଶ୍ୱର ଦେଇ ବାରିପଦା ଗସ୍ତ କରି ରାତ୍ରଯାପନ କରିବେ । ଆସନ୍ତା ୮, ୯, ୧୦ ଓ ୧୧ ତାରିଖ ଦିନ ମୟୁରଭଂଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ ।