କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ବିପୁଳ ସ୍ବାଗତ, ଓଡିଶା ଜଳବିବାଦର ସମାଧାନ ପାଇଁ ଦେଲେ ପ୍ରତିଶୃତି

Published: Sep 6, 2021, 11:17 pm IST

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଦ୍ୟ ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ଛଅ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ବରରେ ପହଂଚିବା ପରେ ବିମାନ ବନ୍ଦରରେ ବିଜେପି ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଅସୁସ୍ଥତା କାରଣରୁ ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେଇପାରିନଥିବା କେନ୍ଦ୍ରମନ୍ତ୍ରୀ  ଟୁଡୁ ମନ୍ତ୍ରୀପଦ ଦାୟୀତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି । ବିମାନ ବନ୍ଦରରୁ ସେ ପ୍ରଥମେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ସିଧାସଳଖ ପୁରୀ ଗସ୍ତ କରିଥିଲେ । ପୁରୀ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ପିପିଲି, ସାକ୍ଷୀ ଗୋପାଳ ଆଦି ସ୍ଥାନରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।

ପୁରୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତନ କରି ସେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କୁ ଉପଢୌକନ ପିନ୍ଧାଇ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ ଓ ଐର ଖାରବେଳ ସ୍ୱାଇଁ , ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶନୀ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ସର୍ବପ୍ରଥମେ ବିଜେପି ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପରେ ପାର୍ଟୀର ବିଭିନ୍ନ ମୋର୍ଚ୍ଚା ଓ ସେଲ୍‌, ବିଭିନ୍ନ ଜିଲ୍ଲା ସଭାପତି, ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’କୁ ପାଥେୟ କରି ପ୍ରଧାନ ସେବକ ଭାବେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍‌ରେ ସାମିଲ ହୋଇଥିବାରୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି । ଆଗାମୀ ଦିନରେ ଦେଶ ତଥା ରାଜ୍ୟର ବିକାମୂଳକ କାର୍ଯ୍ୟ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବି ବୋଲି ଶ୍ରୀ ଟୁଡୁ କହିଛନ୍ତି । ଏଥିସହିତ ଓଡିଶାର ଯେତେସବୁ ଜଳବିବାଦ ରହିଛି, ସେଗୁଡିକର ଖୁବ ଶିଘ୍ର ସମାଧାନ କରାଯିବ ବୋଲି ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ ଆସନ୍ତା କାଲି ଭୁବନେଶ୍ୱରରୁ ବାହାରି ବାଲେଶ୍ୱର ଦେଇ ବାରିପଦା ଗସ୍ତ କରି ରାତ୍ରଯାପନ କରିବେ । ଆସନ୍ତା ୮, ୯, ୧୦ ଓ ୧୧ ତାରିଖ ଦିନ ମୟୁରଭଂଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ ।

Related posts