Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହିତ ସଂପ୍ରସାରଣ, ଚର୍ଚ୍ଚାରେ ଓଡିଶାର 2AB

ନୂଆଦିଲ୍ଲୀ, ଖୁବ ଶିଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ସହିତ ସଂପ୍ରସାରଣ କରିବେ। ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଏହି ଅଦଳବଦଳ ସହ ସଂପ୍ରସାରଣ ହେବ ବୋଲି ଜଣାପଡିଛି। ସେଥିପାଇଁ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂପ୍ରସାରଣରେ ଉତ୍ତର ପ୍ରଦେଶକୁ ବେଶୀ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି।

ତେବେ ଏହି ସଂପ୍ରସାରଣର ଆଶା ଓ ଆଶଙ୍କା ଭିତରେ ଓଡିଶାର ଭାଗ୍ୟ କଣ ହେବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ନୂଆଦିଲ୍ଲୀର ରାଜନୈତିକ ହାୱା ଅନୁସାରେ ଓଡିଶାର ତିନିଜଣଙ୍କ ନାମ କୁଆଡେ କେନ୍ଦ୍ର ଦରବାରରେ ବେଶ୍ ଚର୍ଚ୍ଚା ଚାଲିଛି। ସେମାନେ ହେଲେ 2AB।  ଅପରାଜିତା ଷଡଙ୍ଗୀ, ଅଶ୍ବନୀ ବୈଷ୍ଣବ ଏବଂ ବୈଜୟନ୍ତ ପଣ୍ଡା।

ବୈଜୟନ୍ତ ପଣ୍ଡା ବର୍ତ୍ତମାନ କୌଣସି ଗୃହର ସଦସ୍ୟ ନାହାଁନ୍ତି। ହେଲେ ତାଙ୍କର ଆସାମ ସଫଳତା ଏହି ମନ୍ତ୍ରୀ ପଦ ଆଣିବ ବୋଲି ଚର୍ଚ୍ଚା ଚାଲିଛି। ତାଙ୍କୁ ଏବେ ମନ୍ତ୍ରୀ କରି, ପରେ କୌଣସି ରାଜ୍ୟରୁ ରାଜ୍ୟସଭା ସଦସ୍ୟ ଭାବେ ମନୋନିତ କରାଯିବ ବୋଲି ବିଚାର ଚାଲିଛି। ଆସାମ ନିର୍ବାଚନର ସଫଳତା ପରେ ବୈଜୟନ୍ତଙ୍କ କ୍ଷମତା ଦିଲ୍ଲୀ ଦରବାରରେ ବେଶ୍ ବୃଦ୍ଧି ପାଇଛି। ଏଥିସହିତ ଅନ୍ୟ ମନ୍ତ୍ରୀମାନଙ୍କ ସହିତ ବୈଜୟନ୍ତଙ୍କ ଘନିଷ୍ଠତା ମଧ୍ୟ ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିବ। ସେଥିପାଇଁ ତାଙ୍କ ନାମ ଦିଲ୍ଲୀ ଦରବାରରେ ବେଶ୍ ଆଲୋଚନା ଚାଲିଛି।

ସେହିପରି ଆଉ ଦୁଇ ସାଂସଦ ଅଶ୍ବନୀ ବୈଷ୍ଣବ ଏବଂ ଅପରାଜିତା ଷଡଙ୍ଗୀଙ୍କ ନାମ ମଧ୍ୟ ରହିଛି। ଯଦି ଓଡିଶା ସାଂସଦଙ୍କ ମଧ୍ୟରେ ଦିଲ୍ଲୀ ଦରବାରରେ କାହାର ସବୁଠୁ ବେଶୀ ଦବଦବା ଥାଏ ତେବେ ସେ ହେଉଛନ୍ତି ସାଂସଦ ଅଶ୍ବନୀ ବୈଷ୍ଣବ। ରାଜ୍ୟସଭା ସଦସ୍ୟ ଭାବେ ସେ ବିଜେପିର ପ୍ରାର୍ଥ ହୋଇ ବିଜେଡିର ସମର୍ଥନ ହାସଲ କରିଥିଲେ। ସେଥିପାଇଁ ଓଡିଶାର ଯଦି କାହାକୁ ନୂଆ ମନ୍ତ୍ରୀ କରାଯାଏ ତେବେ ସେ ଅଶ୍ବନୀ ବୈଷ୍ଣବ ହେବେ ବୋଲି ଆଶା କରାଯାଉଛି।

ସେହିପରି ଓଡିଶା ରାଜନୀତି ସମ୍ଭାଳିବା ପାଇଁ ଅପରାଜିତାଙ୍କୁ ମଧ୍ୟ ମନ୍ତ୍ରୀ କରାଯିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେଥିପାଇଁ ନୂଆଦିଲ୍ଲୀରେ ଥିବା ତାଙ୍କର ରାଜନୈତିକ ଗୁରୁମାନେ ଲବି କରୁଛନ୍ତି ବୋଲି ଜଣାପଡିଛି। ଅପରାଜିତ ସିଧା ଦିଲ୍ଲୀ ଲବିରେ ଓଡିଶା ରାଜନୀତିରେ ପ୍ରବେଶ କରିଛନ୍ତି। ଓଡିଶାରେ ସେ ଯାହା କରୁଛନ୍ତି ସେଥିରେ ଦିଲ୍ଲୀର ଗୋଟିଏ ଶକ୍ତି କେନ୍ଦ୍ରର ଆର୍ଶିବାଦ ରହିଛି।

ଫଳରେ ଏକଲା ଚଲୋ ନ୍ୟାୟରେ ଅପରାଜିତା ନିଜେ ସଂଗଠନ କରି ଲୋକପ୍ରିୟତା ବଢାଇବାରେ ଲାଗିଛନ୍ତି। ସେଥିପାଇଁ ଓଡିଶା ସଂଗଠନକୁ ମଜବୁତ କରିବା ପାଇଁ ଅପରାଜିତାଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି। ତେବେ କେନ୍ଦ୍ରମନ୍ତ୍ରୀ ଅଦଳବଦଳ ଭିତରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବଳି ପଡିଯାଇ ପାରନ୍ତି ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହ ସଂପ୍ରସାରଣ, ହେଲେ କାହିଁକି ? ଜାଣନ୍ତୁ ଏହାର 7ଟି କାରଣ

ନୂଆଦିଲ୍ଲୀ, କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସହିତ ଅଦଳବଦଳ ହେବ ବୋଲି ବର୍ତ୍ତମାନ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି। ତେବେ ଏହି ଚର୍ଚ୍ଚା କିଛି ମାତ୍ରାରେ ସତ ବୋଲି ଅନୁମାନ କରି ହେଉଛି। ସେଗୁଡିକ ମଧ୍ୟରେ ରହିଛି

1-ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ 12ଟି ମନ୍ତ୍ରୀ ପଦଖାଲି ରହିଛି। ଏଥିସହିତ 6 ଜଣ ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ରହିଛି। ତାହାକୁ ଦୃଷ୍ଟିରେ ରଖିଲେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ଆବଶ୍ୟକତା ରହିଛି।

2- ଅନ୍ୟ ଏକ କାରଣ ହେଲା ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ସେଗୁଡିକ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସେହି ରାଜ୍ୟର ପ୍ରତିନିଧିତ୍ବକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାର ସମ୍ଭାବନା ମଧ୍ୟ ରହିଛି।

3-ପଶ୍ଚିମବଂଗ ନିର୍ବାଚନରେ ବିଜେପିକୁ ଏକ ଧକ୍କା ଲାଗିଛି। ସେହିପରି ଅବସ୍ଥା ଯେପରି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ନ ହୁଏ ସେଥିପାଇଁ ମୋଦିସାହାଙ୍କ ଆଗୁଆ ପ୍ରସ୍ତୁତି। ବର୍ତ୍ତମାନଠାରୁ ସେହି ରାଜ୍ୟର ନେତାଙ୍କୁ ପ୍ରାଧାନ୍ୟ ଦେଇ ଦଳକୁ ସୁଦୃଢ କରିବାକୁ ଆଶା ରଖିଛି ବିଜେପି।

4- ଶୁକ୍ରବାର ଦିନ ମୋଦିସାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତାହା କୁଆଡେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅଦଳବଦଳ ଆଲୋଚନା ଥିଲା ବୋଲି କୁହାଯାଉଛି।

5-ମୋଦି ସରକାରର ଦ୍ବିତୀୟ ପାଳିର ଦ୍ବିତୀୟ ବର୍ଷ ହୋଇଗଲାଣି। ଏଥିରେ ମନ୍ତ୍ରୀ ହେବା ପାଇଁ ଯେଉଁମାନେ ଆଗଭର ଅଛନ୍ତି ସେମାନଙ୍କୁ ସନ୍ତୁଷ୍ଠୀକରଣର ଅବଶ୍ୟକତା ରହିଛି।

6-ଏଥିସହିତ ମେଣ୍ଟ ସରକାରରେ କେତେକ ଦଳର ପ୍ରତିନିଧିଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇ ନାହିଁ। ମୁଖ୍ୟତଃ ଜେଡିୟୁ ଏବଂ ଉତ୍ତରପ୍ରଦେଶର ଆପନା ଦଳକୁ ସନ୍ତୁଷ୍ଠ କରିବା ପାଇଁ ସେମାନଙ୍କ ସଦସ୍ୟହଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ।

7-ପ୍ରଧାନମନ୍ତ୍ରୀ ସବୁ ବିଭାଗର ମନ୍ତ୍ରୀମାନଙ୍କର ପରୀକ୍ଷା ନେବା ଆରମ୍ଭ କରିଛନ୍ତି। ଏହି ଦୁଇ ବର୍ଷରେ କେଉଁ ବିଭାଗ କିପରି ଦକ୍ଷତା ପ୍ରତିପାଦନ କରିଛନ୍ତି ତାହାର ହିସାବ କରୁଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଯେଉଁମାନଙ୍କର ଭଲ କାର୍ଯ୍ୟଦକ୍ଷତା ନାହିଁ ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯିବ। ଫଳରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନା ନିଶ୍ଚିତ ରହିବ।