କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହ ସଂପ୍ରସାରଣ, ହେଲେ କାହିଁକି ? ଜାଣନ୍ତୁ ଏହାର 7ଟି କାରଣ

Published: Jun 12, 2021, 1:51 pm IST

ନୂଆଦିଲ୍ଲୀ, କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସହିତ ଅଦଳବଦଳ ହେବ ବୋଲି ବର୍ତ୍ତମାନ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି। ତେବେ ଏହି ଚର୍ଚ୍ଚା କିଛି ମାତ୍ରାରେ ସତ ବୋଲି ଅନୁମାନ କରି ହେଉଛି। ସେଗୁଡିକ ମଧ୍ୟରେ ରହିଛି

1-ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ 12ଟି ମନ୍ତ୍ରୀ ପଦଖାଲି ରହିଛି। ଏଥିସହିତ 6 ଜଣ ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ରହିଛି। ତାହାକୁ ଦୃଷ୍ଟିରେ ରଖିଲେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ଆବଶ୍ୟକତା ରହିଛି।

2- ଅନ୍ୟ ଏକ କାରଣ ହେଲା ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ସେଗୁଡିକ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସେହି ରାଜ୍ୟର ପ୍ରତିନିଧିତ୍ବକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାର ସମ୍ଭାବନା ମଧ୍ୟ ରହିଛି।

3-ପଶ୍ଚିମବଂଗ ନିର୍ବାଚନରେ ବିଜେପିକୁ ଏକ ଧକ୍କା ଲାଗିଛି। ସେହିପରି ଅବସ୍ଥା ଯେପରି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ନ ହୁଏ ସେଥିପାଇଁ ମୋଦିସାହାଙ୍କ ଆଗୁଆ ପ୍ରସ୍ତୁତି। ବର୍ତ୍ତମାନଠାରୁ ସେହି ରାଜ୍ୟର ନେତାଙ୍କୁ ପ୍ରାଧାନ୍ୟ ଦେଇ ଦଳକୁ ସୁଦୃଢ କରିବାକୁ ଆଶା ରଖିଛି ବିଜେପି।

4- ଶୁକ୍ରବାର ଦିନ ମୋଦିସାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତାହା କୁଆଡେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅଦଳବଦଳ ଆଲୋଚନା ଥିଲା ବୋଲି କୁହାଯାଉଛି।

5-ମୋଦି ସରକାରର ଦ୍ବିତୀୟ ପାଳିର ଦ୍ବିତୀୟ ବର୍ଷ ହୋଇଗଲାଣି। ଏଥିରେ ମନ୍ତ୍ରୀ ହେବା ପାଇଁ ଯେଉଁମାନେ ଆଗଭର ଅଛନ୍ତି ସେମାନଙ୍କୁ ସନ୍ତୁଷ୍ଠୀକରଣର ଅବଶ୍ୟକତା ରହିଛି।

6-ଏଥିସହିତ ମେଣ୍ଟ ସରକାରରେ କେତେକ ଦଳର ପ୍ରତିନିଧିଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇ ନାହିଁ। ମୁଖ୍ୟତଃ ଜେଡିୟୁ ଏବଂ ଉତ୍ତରପ୍ରଦେଶର ଆପନା ଦଳକୁ ସନ୍ତୁଷ୍ଠ କରିବା ପାଇଁ ସେମାନଙ୍କ ସଦସ୍ୟହଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ।

7-ପ୍ରଧାନମନ୍ତ୍ରୀ ସବୁ ବିଭାଗର ମନ୍ତ୍ରୀମାନଙ୍କର ପରୀକ୍ଷା ନେବା ଆରମ୍ଭ କରିଛନ୍ତି। ଏହି ଦୁଇ ବର୍ଷରେ କେଉଁ ବିଭାଗ କିପରି ଦକ୍ଷତା ପ୍ରତିପାଦନ କରିଛନ୍ତି ତାହାର ହିସାବ କରୁଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଯେଉଁମାନଙ୍କର ଭଲ କାର୍ଯ୍ୟଦକ୍ଷତା ନାହିଁ ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯିବ। ଫଳରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନା ନିଶ୍ଚିତ ରହିବ।

Related posts