Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ବଜେଟ ଦଳିତ ଆଦିବାସୀଙ୍କ ପାଇଁ ନୈରାଶ୍ୟଜନକ: ଆମ୍ବେଦକର ଲୋହିଆ ବିଚାରମଞ୍ଚ

ଭୁବନେଶ୍ୱର: ଗତ ଫେବୃୟାରୀ ୧ ତାରିଖ ଦିନ ଦେଶର ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବଜେଟ ୨୦୨୨-୨୩ ସଂସଦରେ ଆଗତ କରିଛନ୍ତି। ଏହି ବଜେଟ ଦେଶର ପ୍ରାୟ ୩୫କୋଟି ଦଳିତ ଆଦିବାସୀଙ୍କ ପାଇଁ ନୈରାଶ୍ୟଜନକ ଓ ଏହି ବର୍ଗ ପାଇଁ ଉଦ୍ଦିଷ୍ଟ ବିକାଶ ନୀତିର ପରିପନ୍ଥୀ ଏବଂ ସେଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବୋଲି ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଚାରମଞ୍ଚ ପକ୍ଷରୁ କୁହାଯାଇଛି। ସଂସଦରେ ଆଲୋଚନା କାଳରେ ଏଥିରେ ଯଥାଯଥ ସଂଶୋଧନ କରିବାକୁ ୯ ଦଫା ପ୍ରସ୍ତାବ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି।

ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‘ଏନ୍‌ସିଡ଼ିଏଚ୍‌ଆର ଓ ଦଳିତ ଆର୍ଥିକ ଅଧିକାର ଆନ୍ଦୋଳନ’ ପକ୍ଷରୁ କରାଯାଇଥିବା ‘ଦଳିତ ଆଦିବାସୀ ବଜେଟ ବିଶ୍ଲେଷଣ ରିପୋର୍ଟ-୨୦୨୨’କୁ ଲୋକାର୍ପଣ କରାଯାଇ ଚଳିତବର୍ଷ ବଜେଟରେ ରହିଥିବା ଅସଙ୍ଗତିଗୁଡ଼ିକ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ପ୍ରାଥମିକ ସ୍ତରରେ ମୋଟ ସରକାରୀ ଖର୍ଚ୍ଚ ୩୯.୪୪ ଲକ୍ଷ କୋଟି ଟଙ୍କା ଦର୍ଶାଯାଇଥିଲା ବେଳେ ବିଭିନ୍ନ ପବ୍ଲିକ ଏଣ୍ଟରପ୍ରାଇଜରେ ୪.୬୯ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ଦଳିତ ଓ ଆଦିବାସୀବର୍ଗଙ୍କ ତ୍ୱରିତ ବିକାଶ ପାଇଁ ଅଭିପ୍ରେତ ଅନୁସୂଚିତ ଜାତି ମଙ୍ଗଳ ଆବଣ୍ଟନ ଓ ଅନୁସୂଚିତ ଜନଜାତି ମଙ୍ଗଳ ଆବଣ୍ଟନ ଯଥାକ୍ରମେ ୧,୪୨,୩୪୨ କୋଟି ଓ ୮୯,୨୬୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଏହି ବଜେଟରେ ଆଗତ କରାଯାଇଛି । ସାମଗ୍ରିକ ଭାବରେ ଦଳିତ ଆଦିବାସୀ ବଜେଟ ଗତବର୍ଷ ତୁଳନାରେ ମୋଟ ୨୫,୪୦୬ କୋଟି ଟଙ୍କା ବୃଦ୍ଧି ଘଟିଥିଲା ବେଳେ ବ୍ୟୟବରାଦ କରାଯାଇଥିବା ଅର୍ଥର ୬୨% ଓ ୫୧% ଅର୍ଥ ଯଥାକ୍ରମେ ଏସ୍‌.ସି. ଓ ଏସ୍‌.ଟିମାନଙ୍କର ସିଧାସଳଖ ବିକାଶ ପାଇଁ ଉପଯୋଗୀ ନହୋଇ ସାଧାରଣ ସ୍କିମ୍‌ଗୁଡ଼ିକରେ ବିନିଯୋଗ ହେବାର ପ୍ରସ୍ତାବ ଏହି ଦୁଇବର୍ଗ ମଧ୍ୟରେ ନିରାଶା ସୃଷ୍ଟି କରିଛି।

ବିବରଣୀରୁ ଜଣାଯାଏ ଯେ, ନୀତି ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏସ୍‌.ସି. ଓ ଏସ୍‌.ଟିମାନଙ୍କ ପାଇଁ ଯେତିକି ପରିମାଣର ବ୍ୟୟବରାଦ କରାଯିବା କଥା, ସେଥିରୁ ଯଥାକ୍ରମେ ୪୦,୬୩୪ କୋଟି ଟଙ୍କା ଓ ୯,୩୯୯ କୋଟି ଟଙ୍କା କମ୍ ଅର୍ଥର ପ୍ରସ୍ତାବ ଚଳିତବର୍ଷ ବଜେଟରେ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୫ବର୍ଷ ମଧ୍ୟରେ ଏହି ଗାଇଡ଼ଲାଇନ ଅନୁଯାୟୀ ଏସ.ସି.ମାନଙ୍କ ଆବଣ୍ଟନରୁ ୨,୫୨,୧୮୧କୋଟି ଟଙ୍କା ଓ ଏସ୍‌.ଟି. ଆବଣ୍ଟନରୁ ୮୯,୯୭୨ କୋଟି ଟଙ୍କା କମ୍ ଅର୍ଥ ବଜେଟରେ ବ୍ୟବସ୍ଥା କରାଯାଇଛି। ଗତବର୍ଷର କୋଭିଡ଼ ମହାମାରୀରେ ଭୟଙ୍କର ଭାବରେ ପ୍ରଭାବିତ ହୋଇଥିବା ଦଳିତ ଆଦିବାସୀବର୍ଗଙ୍କ ମହାମାରୀ ଜନିତ ପ୍ରଭାବ ପ୍ରଶମିତ କରିବା ପାଇଁ କୌଣସି ଗୋଟିଏ ନୂତନ ଯୋଜନା ଘୋଷଣା ବା ପ୍ରସ୍ତାବନା କରାଯାଇ ନାହିଁ; ଅପରପକ୍ଷରେ ସଫେଇ କର୍ମଚାରୀମାନଙ୍କ ଆତ୍ମନିଯୁକ୍ତି ଓ ଥଇଥାନ ପାଇଁ ଗତବର୍ଷ ୧୦୦କୋଟି ଟଙ୍କା ରହିଥିଲା ବେଳେ ଚଳିତବର୍ଷ ୭୦କୋଟି ଟଙ୍କାକୁ ହ୍ରାସ କରାଯାଇଛି ଏବଂ ସଫେଇ କର୍ମଚାରୀ ଉନ୍ନୟନ ଅର୍ଥ ନିଗମ ବାବଦକୁ ଗତବର୍ଷ ୫୦କୋଟି ଟଙ୍କାରୁ ୨୫ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ପ୍ରକାଶଯୋଗ୍ୟ ଯେ, ୨୦୨୧ ମସିହା ଅଗଷ୍ଟମାସ ସୁଦ୍ଧା ୯୪୧ଜଣ ବ୍ୟକ୍ତି ସ୍ୱରେଜ ସଫେଇ ସମୟରେ ମୃତ୍ୟୁବରଣ କରିଛନ୍ତି।

ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ଅର୍ଥ ବରାଦ ଦର୍ଶାଯାଇଥିଲା ବେଳେ ସେଥିରୁ ୪୮୨୦ କୋଟି ଟଙ୍କା ଏସ୍‌.ସି, ଏସ୍‌.ଟି ଛାତ୍ରଛାତ୍ରୀଙ୍କ ସିଧାସଳଖ ବିକାଶ ଦିଗରେ ବିନିଯୋଗ ହେବନାହିଁ କିନ୍ତୁ ତାହା ଏସ୍‌.ସି ଓ ଏସ୍‌.ଟି ମଙ୍ଗଳ ଆବଣ୍ଟନରେ ଦର୍ଶାଯାଇଛି। ଏସ୍‌.ସି., ଏସ୍‌.ଟି ଛାତ୍ରଛାତ୍ରୀଙ୍କ ବିଦେଶରେ ଶିକ୍ଷା ପାଇଁ ୩୬କୋଟି, ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ୩୬କୋଟି, ଜାତୀୟ ମେରିଟ ସ୍କଲାରସିପ୍ ପାଇଁ ୬୬କୋଟି ଓ କଲେଜ ତଥା ବିଶ୍ୱବିଦ୍ୟାଳୟ ସ୍କଲାରସିପ୍ ପାଇଁ ୩୦କୋଟି ଟଙ୍କା ପ୍ରସ୍ତାବ ରହିଥିଲା ବେଳେ ଏସ୍‌.ଟି ଛାତ୍ରଛାତ୍ରୀଙ୍କ ପାଇଁ ଯଥାକ୍ରମେ ୪ କୋଟି ଟଙ୍କା, ୧୭ କୋଟି ଟଙ୍କା, ୩୬ କୋଟି ଓ ୨୦ କୋଟି ଟଙ୍କାର ବ୍ୟୟବରାଦ ଏହି ବର୍ଗର ତ୍ୱରିତ ବିନାଶ ସାଧିତ ହେବା ନେଇ ଆଶଙ୍କା ସୃଷ୍ଟି କରିଛି।

ବିଚାରମଞ୍ଚର ସଭାପତି ସଂଗ୍ରାମ ମଲିକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳିତ ଆଦିବାସୀବର୍ଗର ବିଭିନ୍ନ ସଂଗଠନ ଓ ନେତୃତ୍ୱମାନେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ହାବଡ଼ା, ଅଭିରାମ ମଲ୍ଲିକ, ଲକ୍ଷ୍ମୀଧର ବେହେରା, ହଳଧର ସେଠୀ, ନନ୍ଦିନୀ ନାଏକ, ତପନ ନାଏକ, ସୁନାକର ବେହେରା, ଅଭିମନ୍ୟୁ ସେଠୀ, ଅରବିନ୍ଦ ମଲ୍ଲିକ, ମଧୁସ୍ମିତା ବେହେରା, ସଞ୍ଜୟ ମଲିକ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘ଅମୃତ କାଳରେ ମଳିନ ଭାରତର ଚିତ୍ର’ ୨୦୨୨ କେନ୍ଦ୍ରୀୟ ବଜେଟ

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ ଏପରି ସମୟରେ ଆଗତ କରାଯାଇଛି ଯେତେବେଳେ ଦେଶର ସଂଖ୍ୟାଗରିଷ୍ଠ ମଣିଷ ରୋଜଗାର ହରେଇଛନ୍ତି। ଜୀବନ ଓ ଜୀବିକା ବଞ୍ଚାଇବା ପାଇଁ ଛଟପଟ ହେବା ସହିତ ନିତିଦିନିଆ ନ୍ୟୁନତମ ଆବଶ୍ୟକତା ମେଣ୍ଟାଇବା ପାଇଁ ଡ଼ହଳବିକଳ ହେଉଛନ୍ତି। ଦେଶରେ ୯୯% ଲୋକଙ୍କର ଆୟ କମିଛି। ଏପରି ସ୍ଥିତିରେ ଯେକୌଣସି ସରକାରଙ୍କ ପ୍ରାଥମିକତା ହେଉଛି ରୋଜଗାରର ନ୍ୟୁନତମ ନିଶ୍ଚୟତା। ଲୋକଙ୍କ ହାତକୁ ଆବଶ୍ୟକତା ମେଣ୍ଟାଇବା ପାଇଁ ଅର୍ଥ କିପରି ଆସିବ ତାର ବନ୍ଦୋବସ୍ତ କରିବା।

ସରକାର ଏହି ବଜେଟରେ ଏହାର ବ୍ୟବସ୍ଥା କରିବା ତ ଦୂରର କଥା, ବର୍ଷକୁ ୨ କୋଟି ରୋଜଗାର ଯୋଗାଇ ଦେବା ପାଇଁ ଦେଇଥିବା ନିଜ ପ୍ରତିଶ୍ରୁତିରୁ ମଧ୍ୟ ଓହରି ଯାଇଛନ୍ତି। ଏପରିକି ଗ୍ରାମାଞ୍ଚଳରେ ୧୦୦ ଦିନିଆ ରୋଜଗାର ଯୋଜନାର ଅର୍ଥ ବରାଦ ମଧ୍ୟ ୧୪ ପ୍ରତିଶତ କମ୍ କରିଦିଆଯାଇଛି। ବର୍ତ୍ତମାନ ଦେଶରେ ୨୦କୋଟି ଲୋକ ଭୋକିଲା ରହିଥିବା ବେଳେ ସରକାର ଖାଦ୍ୟ ଉପରେ ରିହାତିକୁ ୧୬ ପ୍ରତିଶତ ହ୍ରାସ କରିଛନ୍ତି। ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍ ଉପରେ ଲାଗୁ ଥିବା ଟିକସ କମାଇବା ପରିବର୍ତ୍ତେ ରନ୍ଧନ ଗ୍ୟାସ୍ ପାଇଁ ରିହାତିକୁ ହ୍ରାସ କରିଛନ୍ତି ଯାହାଦ୍ୱାରା ଏହାର ଅଧିକ ମୂଲ୍ୟବୃଦ୍ଧି ଘଟିବ।

ଏହି ବଜେଟରେ ମହିଳାମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରାଯାଇଛି। ମହିଳାମାନଙ୍କୁ ରୋଜଗାର ଯୋଗାଉଥିବା ସମ୍ମିଳିତ ଯୋଜନାର ବ୍ୟୟବରାଦ ୨୦୨୧-୨୨ରେ ୩.୨ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହାକୁ କମାଇ ୨.୫ ପ୍ରତିଶତ କରାଯାଇଛି। ସରକାର ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଡ଼ିଜିଟାଲ କରିବା ଯୋଗୁଁ ପଛୁଆ ଓ ଗରିବ ଝିଅମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି। ଏମାନଙ୍କ ପାଇଁ ବଜେଟରେ କୌଣସି ଉଲ୍ଲେଖ ମଧ୍ୟ ନାହିଁ। ୨ ଲକ୍ଷ ସ୍ମାର୍ଟ ଅନଙ୍ଗୱାଡ଼ି କେନ୍ଦ୍ର ଖୋଲାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି। କିନ୍ତୁ ଅଙ୍ଗନୱାଡ଼ି କର୍ମୀ ସହ ଅନ୍ୟସବୁ ଯୋଜନାରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ନ୍ୟୁନତମ ମଜୁରୀ ତ ଦୂରର କଥା, ସେମାନଙ୍କ ଦରମା ମଧ୍ୟ ବୃଦ୍ଧି କରିନାହାଁନ୍ତି। ଏପରିକି ସାମାଜିକ ସୁରକ୍ଷା ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇ ନାହିଁ। କରୋନା କାଳରେ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କମାଇ ଦିଆଯାଇଛି।

ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନଛକଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଓଡ଼ିଶା ରାଜ୍ୟ କମିଟି ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମିତିର ଜାତୀୟ ସମ୍ପାଦିକା ତାପସୀ ପ୍ରହରାଜ ଯୋଗଦେଇ କହିଲେ ଯେ, କର୍ପୋରେଟ ସଂସ୍ଥାମାନଙ୍କୁ ଟିକସ ଛାଡ଼ କରାଯାଇଥିବା ବେଳେ ସାର ଉପରେ ରିହାତି ୨୫ ପ୍ରତିଶତ କମାଇ ଦିଆଯାଇଛି। ଦେଶ ଯେତେବେଳେ ତୀବ୍ର ବେରୋଜଗାରୀ, କ୍ଷୁଧା ଓ ଦାରିଦ୍ର‌୍ୟ, ଲଗାମହୀନ, ମୁଦ୍ରାସ୍ଫୀତି ଓ ଗଭୀର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସରକାର ଦେଶବାସୀଙ୍କ ସ୍ୱାର୍ଥ ସହିତ ବିଶ୍ୱାସଘାତକତା କରିଛନ୍ତି।

କର୍ପୋରେଟ ସ୍ୱାର୍ଥ ରକ୍ଷାକାରୀ, ଜନବିରୋଧୀ ଏହି ବଜେଟକୁ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଓଡ଼ିଶା ରାଜ୍ୟ କମିଟି ତରଫରୁ ତୀବ୍ର ବିରୋଧ କରାଯିବା ସହିତ ଏହି ବଜେଟକୁ ଦୃଢ ପ୍ରତିବାଦ କରିବା ପାଇଁ ଶ୍ରୀମତୀ ପ୍ରହରାଜ ଆହ୍ୱାନ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁଗ୍ମ ସମ୍ପାଦିକା ମିନତୀ ପାଣିଗ୍ରାହୀ, ବିମଳି ନାୟକ, ନିରୂପମା ନାୟକ, ନୟନା ନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ବଜେଟକୁ ତୀବ୍ର ବିରୋଧ କରିବା ସହିତ ବଜେଟକୁ ପୋଡ଼ିଥିଲେ।

Categories
Budget2022 ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲିଠାରୁ କୋଭିଡ କଟକଣା ଭିତରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେସନ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେସନ ଆରମ୍ଭ ହେବ। ଆସନ୍ତାକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବା ପରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ସେହିପରି ଆସନ୍ତାକାଲି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୧-୨୨ ଗୃହରେ ମଧ୍ୟ ଉପସ୍ଥାପିତ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ୧ ତାରିଖ ମଙ୍ଗଳବାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ।

ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଆସନ୍ତାକାଲି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସେ ଗୃହର କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେବେ। ସେହିପରି ଗୃହ କାର‌୍ୟ୍ୟ ସୁରୁଖୁରୁରେ ଚାଲିବା ପାଇଁ ରାଜନୈତିକ ଦଳ ସହଯୋଗ ଲୋଡ଼ିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ସର୍ବଦଳୀୟ ବୌଠକ ଆହ୍ବାନ କରାଯାଇଛି।

କୋଭିଡ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟସଭା ଓ ଲୋକସଭାରେ ରାଜନୈତିକ ଦଳର ନେତାଙ୍କୁ ଏହି ବୈଠକ ପାଇଁ ନିମନ୍ତ୍ରଣ କରାଯାଇଛ। ଚଳିତ ବର୍ଷ ଏହି ବଜେଟ୍ ଅଧିବେଶନ ଦୁଇଟି ଭାଗରେ ଅନୁଷ୍ଠିତ ହେବ। ପ୍ରଥମ ଭାଗ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଫେବୃୟାରୀ ମାସର ୧୧ ତାରିଖ ପର‌୍ୟ୍ୟନ୍ତ ଜାରି ରହିବ। ଏକ ମାସର ଛୁଟି ପରେ ପୁଣିଥରେ ଅଧିବେଶନର ଦ୍ୱିତୀୟ ଭାଗ ୧୪ ମାର୍ଚ୍ଚରୁ ଆରମ୍ଭ ହୋଇ ୮ ଏପ୍ରିଲରେ ଶେଷ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ରୀୟ ବଜେଟ ଆଗତ ହେବା ପୂର୍ବରୁ ସେୟାର ବଜାରରେ ବୃଦ୍ଧି

ମୁମ୍ବାଇ: ଆଜି ଦେଶରେ କେନ୍ଦ୍ରୀୟ ବଜେଟ ଆଗତ ହେବା ପୂର୍ବରୁ ସେୟାର ବଜାରର ପାଇଁ ଭଲ ଖବର ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍ସେକ୍ସ ପାଖାପାଖି ୪୦୦ ଅଙ୍କ ବୃଦ୍ଧି ହୋଇ ୪୬,୬୧୭.୯୫ ଅଙ୍କରେ ଖୋଲିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୩,୭୫୮.୬୦ ଅଙ୍କରେ ରହିଛି। ଶୁକ୍ରବାର ଦିନ ସେୟାର ବଜାରର ସେଂସେକ୍ସ ୪୬,୨୮୫.୭୭ ଅଙ୍କ ଏବଂ ନିଫ୍ଟି ୧୩,୬୩୪.୬୦ ଅଙ୍କରେ ବନ୍ଦ ହୋଇଥିଲା।