ଆସନ୍ତାକାଲିଠାରୁ କୋଭିଡ କଟକଣା ଭିତରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେସନ

Published: Jan 30, 2022, 1:23 pm IST

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେସନ ଆରମ୍ଭ ହେବ। ଆସନ୍ତାକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବା ପରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ସେହିପରି ଆସନ୍ତାକାଲି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୧-୨୨ ଗୃହରେ ମଧ୍ୟ ଉପସ୍ଥାପିତ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ୧ ତାରିଖ ମଙ୍ଗଳବାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ।

ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଆସନ୍ତାକାଲି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସେ ଗୃହର କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେବେ। ସେହିପରି ଗୃହ କାର‌୍ୟ୍ୟ ସୁରୁଖୁରୁରେ ଚାଲିବା ପାଇଁ ରାଜନୈତିକ ଦଳ ସହଯୋଗ ଲୋଡ଼ିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ସର୍ବଦଳୀୟ ବୌଠକ ଆହ୍ବାନ କରାଯାଇଛି।

କୋଭିଡ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟସଭା ଓ ଲୋକସଭାରେ ରାଜନୈତିକ ଦଳର ନେତାଙ୍କୁ ଏହି ବୈଠକ ପାଇଁ ନିମନ୍ତ୍ରଣ କରାଯାଇଛ। ଚଳିତ ବର୍ଷ ଏହି ବଜେଟ୍ ଅଧିବେଶନ ଦୁଇଟି ଭାଗରେ ଅନୁଷ୍ଠିତ ହେବ। ପ୍ରଥମ ଭାଗ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଫେବୃୟାରୀ ମାସର ୧୧ ତାରିଖ ପର‌୍ୟ୍ୟନ୍ତ ଜାରି ରହିବ। ଏକ ମାସର ଛୁଟି ପରେ ପୁଣିଥରେ ଅଧିବେଶନର ଦ୍ୱିତୀୟ ଭାଗ ୧୪ ମାର୍ଚ୍ଚରୁ ଆରମ୍ଭ ହୋଇ ୮ ଏପ୍ରିଲରେ ଶେଷ ହେବ।

Related posts