Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଣିକି ରାଜ୍ୟଗୁଡିକୁ ରିହାତି ଦରରେ ଡାଲି ଯୋଗାଇ ଦେବ କେନ୍ଦ୍ର, ମିଳିଲା କ୍ୟାବିନେଟ ମଂଜୁରୀ 

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣା ରାଜ୍ୟମାନଙ୍କୁ ଯୋଗାଇ ଦେବେ।

ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ। ଅନ୍ୟପଟେ ବିରି, ହରଡ଼ ଓ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଅନୁମୋଦିତ ଯୋଜନାରେ, ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚଣା ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପ୍ରସ୍ତାବ ଦିଆଯାଇଛି। ପ୍ରଥମେ ଅନୁରୋଧ ଆସିଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ପ୍ରଥମେ ଏହି ଯୋଜନାର ସୁବିଧା ମିଳିପାରିବ।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ସେମାନଙ୍କର ବିଭିନ୍ନ କଲ୍ୟାଣମୂଳକ କାର‌୍ୟ୍ୟକ୍ରମ/ଯୋଜନା ଯଥା ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ସମନ୍ବିତ ଶିଶୁ ବିକାଶ କାର‌୍ୟ୍ୟକ୍ରମ (ଆଇସିଡିପି) ଆଦିରେ ଏହିସବୁ ଡାଲିକୁ ନିଜ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଉପଯୋଗ କରିବେ।

୧୨ ମାସର ଏକକାଳୀନ ବିତରଣ ଅବଧି କିମ୍ବା ୧୫ ଲକ୍ଷ ମେଟ୍ରିକ ଟନ୍ ଚଣା ଷ୍ଟକ୍ ସରିବା ପର‌୍ୟ୍ୟନ୍ତ, ଯାହା ପ୍ରଥମେ ହେବ ସେହି ସୀମା ଅନୁଯାୟୀ ଏହି ସୁବିଧା ଉପଲବ୍ଧ ରହିବ। ଭାରତ ସରକାର ଏହି ଯୋଜନାକୁ କାର‌୍ୟ୍ୟକାରୀ କରିବା ଲାଗି ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ।

କ୍ୟାବିନେଟଙ୍କ ନିଷ୍ପତ୍ତି ଫଳରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ପିଡିଏସ, ମଧ୍ୟାହ୍ନ ଭୋଜନ ଯୋଜନା ଆଦି ବିଭିନ୍ନ କଲ୍ୟାଣମୂଳକ କାର‌୍ୟ୍ୟକ୍ରମରେ ଏହି ଚଣାକୁ ଉପଯୋଗ କରିବା ଲାଗି ସକ୍ଷମ ହେବେ। ମହଜୁଦ ଡାଲି ଉପଯୋଗ ହେବା ପରେ ପଣ୍ୟାଗାରଗୁଡ଼ିକରେ ସ୍ଥାନ ଖାଲି ହୋଇପାରିବ ଯାହାକି ଆସନ୍ତା ରବି ଋତୁ ସମୟରେ ମୂଲ୍ୟ ସମର୍ଥନ ଯୋଜନାରେ କିଣାଯାଇଥିବା ଡାଲି ଜାତୀୟ ଫସଲ ମହଜୁଦ କରି ରଖିବାରେ ସହାୟକ ହେବ।

ଏହାଦ୍ବାରା ଚାଷୀମାନେ ସେମାନଙ୍କ ଡାଲିର ଉଚିତ୍ ମୂଲ୍ୟ ପାଇପାରିବେ ଏବଂ ଅଧିକ ଡାଲିଜାତୀୟ ଫସଲ ଚାଷରେ ନିବେଶ କରିବା ପାଇଁ ସେମାନେ ଅନୁପ୍ରାଣିତ ହେବେ। ଭବିଷ୍ୟତରେ ମଧ୍ୟ ସେମାନେ ନିଜ ଉତ୍ପାଦର ଉଚିତ୍ ମୂଲ୍ୟ ପାଇପାରିବେ। ଅଧିକନ୍ତୁ, ଏହା ଆମ ଦେଶକୁ ଏପରି ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭର ହେବା ଦିଗରେ ସହାୟକ ହେବ।

ନିକଟ ଅତୀତରେ, ବିଶେଷ କରି ଗତ ତିନି ବର୍ଷ ମଧ୍ୟରେ ଚଣା (ଡାଲି) ଉତ୍ପାଦନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ରବି ଋତୁରେ ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ ଭାରତ ସରକାର ରେକର୍ଡ ପରିମାଣର ଚଣା କିଣି ପାରିଛନ୍ତି।

ଏହି କାରଣରୁ ପିଏସଏସ ଏବଂ ପିଏସଏଫ ଅଧୀନରେ ସରକାରଙ୍କ ପାଖରେ ୩୦.୫୫ ଲକ୍ଷ ମେଟ୍ରିକ ଟନ୍ ଚଣା ମହଜୁଦ ଅଛି। ପରବର୍ତ୍ତୀ ରବି ଋତୁରେ ଚଣା ଉତ୍ପାଦନ ମଧ୍ୟ ଭଲ ରହିବ ବୋଲି ଆଶା କରାଯାଉଛି। ଏହାଛଡ଼ା ୨୦୨୨-୨୩ ଋତୁ ପାଇଁ ଚଣାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା କାରଣରୁ ମୂଲ୍ୟ ସମର୍ଥନ ଯୋଜନାରେ ଅଧିକ ଡାଲି କିଣାଯିବ।

Categories
ଆଜିର ଖବର ଜାତୀୟ ଖବର

ୟୁପିୟୁ ସମ୍ବିଧାନରେ ଥିବା ଏକାଦଶ ଅତିରିକ୍ତ ପ୍ରୋଟୋକଲକୁ ଅନୁମୋଦନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ (ୟୁପିୟୁ) ସମ୍ବିଧାନରେ ଥିବା ଏକାଦଶ ଅତିରିକ୍ତ ପ୍ରୋଟୋକଲକୁ ଅନୁମୋଦନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ୯-୨୭ ଅଗଷ୍ଟ ୨୦୨୧ରେ ଆବିଦଜାନ (କୋଟ୍‌ ଡି ଆଇଭର) ଠାରେ ଅନୁଷ୍ଠିତ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନର ୨୭ତମ କଂଗ୍ରେସ ସମୟରେ ୟୁପିୟୁ ସମ୍ବିଧାନରେ ସଂଶୋଧନ ଜରିଆରେ ଏହି ଅତିରିକ୍ତ ପ୍ରୋଟୋକଲ ସ୍ବାକ୍ଷରିତ ହୋଇଥିଲା।

କ୍ୟାବିନେଟ ମଞ୍ଜୁରି ଫଳରେ, ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ସ୍ବାକ୍ଷରିତ ‘ଅନୁମୋଦନ ପତ୍ର’ (ଇନଷ୍ଟ୍ରୁମେଣ୍ଟ ଅଫ ରେଟିଫିକେସନ) ପ୍ରାପ୍ତି ଏବଂ ଏହି ପତ୍ରକୁ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନର ଅନ୍ତର୍ଜାତୀୟ ବ୍ୟୁରୋ ମହାନିର୍ଦ୍ଦେଶକଙ୍କ ପାଖରେ ଜମା କରିବା ଲାଗି ଭାରତ ସରକାରଙ୍କ ଡାକ ବିଭାଗ ସକ୍ଷମ ହୋଇପାରିବ।

କ୍ୟାବିନେଟର ଏହି ନିଷ୍ପତ୍ତି ୟୁପିୟୁ ସମ୍ବିଧାନର ଅନୁଚ୍ଛେଦ ୨୫ ଏବଂ ୩୦ରେ ବର୍ଣ୍ଣିତ ଦାୟିତ୍ବକୁ ସମ୍ପୂର୍ଣ୍ଣ କରିବ। ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ବାରା ଯେକୌଣସି କଂଗ୍ରେସରେ ଅନୁମୋଦନ ଲାଭ କରିଥିବା ସମ୍ବିଧାନକୁ ଯଥାଶୀଘ୍ର ମଞ୍ଜୁରି ଦେବାର ବ୍ୟବସ୍ଥା ଏହି ଅନୁଚ୍ଛେଦରେ ସାମିଲ ରହିଛି।

ସଂକ୍ଷେପରେ କହିବାକୁ ଗଲେ, ୟୁପିୟୁ କଂଗ୍ରେସ ଦ୍ବାରା ଅନୁମୋଦିତ ସମ୍ବିଧାନ ସଂଶୋଧନ ‘ଚୁକ୍ତିନାମା ଆଇନ ଉପରେ ଭିଏନା କନଭେନ୍ସନ, ୧୯୬୯’ର ଭାବନା ଅନୁରୂପ। ଯାହାକି ୟୁନିୟନର ଆଇନ ବିଷୟରେ ଆହୁରି ଅଧିକ ଆଇନଗତ ସ୍ପଷ୍ଟତା ଓ ସ୍ଥିରତା ସୁନିଶ୍ଚିତ କରିଥାଏ, ଏହାର ଶବ୍ଦାବଳୀକୁ ସୁସଂଗତ କରିଥାଏ, ଏହାର ବିଷୟବସ୍ତୁରେ ରହିଥିବା ବିଳମ୍ବିତ ବିସଙ୍ଗତି ଦୂର କରିଥାଏ ଏବଂ ଆଇନର ‘ସ୍ବୀକୃତି କିମ୍ବା ଅନୁମୋଦନ’ ବ୍ୟବସ୍ଥାକୁ ସ୍ଥାନିତ କରିଥାଏ।

Categories
ବିଶେଷ ଖବର

କେନ୍ଦ୍ର କ୍ୟାବିନେଟ ମଞ୍ଜୁରି: ୨୦୨୨-୨୩ ବିପଣନ ଋତୁ ପାଇଁ ବଢ଼ିଲା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ବିପଣନ ଋତୁ ପାଇଁ ସମସ୍ତ ଅଧିସୂଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ସରକାର ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବା ଏବଂ ଚାଷୀମାନଙ୍କୁ ସେମାନଙ୍କ ଫସଲ ପାଇଁ ଲାଭକାରୀ ମୂଲ୍ୟ ଯୋଗାଇ ଦେବା ନିମନ୍ତେ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି, ଯାହାର ତାଲିକା ନିମ୍ନରେ ଦିଆଗଲା।

୨୦୨୨-୨୩ ବିପଣନ ଋତୁ ପାଇଁ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (କୁଇଣ୍ଟାଲ ପ୍ରତି ଟଙ୍କା)

ଫସଲ  ଏମଏସପି 2014-15  ଏମଏସପି 2021-22    ଏମଏସପି 2022-23 ଉତ୍ପାଦନ ଖର୍ଚ୍ଚ* 2022-23 ଏମଏସପିରେ ବୃଦ୍ଧି

(ସମ୍ପୂର୍ଣ୍ଣ)

ଉତ୍ପାଦନ ଖର୍ଚ୍ଚ ଉପରେ ଲାଭ

(ପ୍ରତିଶତରେ)

ଧାନ (ସାଧାରଣ) 1360 1940   2040 1360 100 50
ଧାନ (ଗ୍ରେଡ୍‌ ଏ)^ 1400 1960   2060 100
ଯଅ (ହାଇବ୍ରିଡ୍‌) 1530 2738   2970 1977 232 50
ଯଅ (ମାଲଦାଣ୍ଡି) ^ 1550 2758   2990 232
ବାଜରା 1250 2250   2350 1268 100 85
ମାଣ୍ଡିଆ 1550 3377   3578 2385 201 50
ମକା 1310 1870   1962 1308 92 50
ହରଡ଼ 4350 6300   6600 4131 300 60
ମୁଗ 4600 7275   7755 5167 480 50
ବିରି 4350 6300   6600 4155 300 59
ଚିନାବାଦାମ 4000 5550   5850 3873 300 51
ସୂର୍ଯ୍ୟମୁଖୀ ମଞ୍ଜି 3750 6015   6400 4113 385 56
ସୋୟାବିନ (ହଳଦିଆ) 2560 3950   4300 2805 350 53
ରାଶି 4600 7307   7830 5220 523 50
କଳାରାଶି 3600 6930   7287 4858 357 50
କପା (ମଧ୍ୟମ ଷ୍ଟେପଲ) 3750 5726   6080 4053 354 50
କପା (ସାଧାରଣ ଷ୍ଟେପଲ)^ 4050 6025   6380 355

* ଉତ୍ପାଦନ ଖର୍ଚ୍ଚରେ ସବୁ ପ୍ରକାରର ଖର୍ଚ୍ଚକୁ ସାମିଲ କରାଯାଇଛି ଯଥା : ଶ୍ରମିକଙ୍କ ମଜୁରି, ବଳଦ ଖର୍ଚ୍ଚ/ମେସିନ ଖର୍ଚ୍ଚ, ଭାଗ ଜମି ପାଇଁ ଦିଆଯାଇଥିବା ଭଡ଼ା, ବିହନ, ସାର, ଖତ, ଜଳସେଚନ ଖର୍ଚ୍ଚ ଭଳି ସବୁ ଭୌତିକ ଉପକରଣ ପାଇଁ ଖର୍ଚ୍ଚ, ଉପକରଣ ଏବଂ ଫାର୍ମ ଭବନ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ଖର୍ଚ୍ଚ, ଡିଜେଲ/ବିଦ୍ୟୁତ, ବିବିଧ ବ୍ୟୟ ଏବଂ ପାରିବାରିକ ଶ୍ରମର ମୂଲ୍ୟ ଆଦି ।

^ ଧାନ (ଗ୍ରେଡ୍‌ ଏ), ଯଅ (ମାଲଦାଣ୍ଡି) ଏବଂ କପା (ଲମ୍ବା ରେଶା) ପାଇଁ ଖର୍ଚ୍ଚର ତଥ୍ୟ ପୃଥକ ଭାବେ ସଂକଳିତ କରାଯାଏ ନାହିଁ ।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ (ସିଓପି) ଠାରୁ ଅତିକମରେ ୫୦ ପ୍ରତିଶତ ଲାଭ ହାରରେ ଏମଏସପି ଦର ନିର୍ଦ୍ଧାରଣ କରିବା ନିମନ୍ତେ ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅନୁରୂପ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପିରେ ବୃଦ୍ଧି କରାଯାଇଛି। ଚାଷୀଙ୍କ ପାଇଁ ଉପଯୋଗୀ ନିରପେକ୍ଷ ଦର ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏମଏସପି ବଢ଼ାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବାଜରା, ହରଡ଼, ବିରି, ସୂର୍ଯ୍ୟମୁଖି ମଞ୍ଜି, ସୋୟାବିନ ଏବଂ ଚିନାବାଦାମର ଏମଏସପି ଉପରେ ଲାଭ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ ଠାରୁ ୫୦ ପ୍ରତିଶତ ଅଧିକ ନିର୍ଦ୍ଧାରଣ କରାଯାଇଛି ଯାହାକି ଯଥାକ୍ରମେ : ୮୫%, ୬୦%, ୫୯%, ୫୬%, ୫୩% ଏବଂ ୫୧% ରଖାଯାଇଛି।

ବିଗତ କିଛି ବର୍ଷ ମଧ୍ୟରେ ଏମଏସପିକୁ ତୈଳବୀଜ, ଡାଲି ଏବଂ ମୋଟା ଶସ୍ୟ କ୍ଷେତ୍ରରେ ପୁନଃସଂଗଠିତ କରିବା ଲାଗି ଦୃଢ଼ ପ୍ରୟାସ କରାଯାଇଛି । ଏହି ଫସଲ ଅମଳ ପାଇଁ ଚାଷୀମାନଙ୍କୁ ବିସ୍ତୃତ କ୍ଷେତ୍ରକୁ ନେଇଯିବା ଏବଂ ଉତ୍କୃଷ୍ଟ ଜ୍ଞାନକୌଶଳ ଓ କୃଷି ପଦ୍ଧତି ଆପଣାଇବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି । ଚାହିଦା-ଯୋଗାଣ ମଧ୍ୟରେ ରହିଥିବା ଅସନ୍ତୁଳନକୁ ଦୂର କରିବା ଲାଗି ଉଦ୍ୟମ କରାଯାଇଛି ।

୨୦୨୧-୨୨ ଆର୍ଥିକ ବର୍ଷର ଅଗ୍ରୀମ ଆକଳନ ଅନୁସାରେ, ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୪.୫୧ ନିୟୁତ ଟନ୍‌ ହେବା ନେଇ ପୂର୍ବାନୁମାନ କରାଯାଇଛି ଯାହାକି ୨୦୨୦-୨୧ ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୩.୭୭ ନିୟୁତ ଟନ୍‌ ଠାରୁ ଅଧିକ। ୨୦୨୧-୨୨ ଆର୍ଥିକ ବର୍ଷରେ ଉତ୍ପାଦନ, ବିଗତ ୫ ବର୍ଷ (୨୦୧୬-୧୭ ଠାରୁ ୨୦୨୦-୨୧)ର ହାରାହାରୀ ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୨୩.୮୦ ନିୟୁତ ଟନ୍‌ ଅଧିକ।