Categories
ବିଶେଷ ଖବର ବ୍ୟବସାୟ

ଏନ୍‌ଆଇଆଇଏଫ୍‌ରେ 6 ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏନ୍‌ଆଇଆଇଏଫ୍‌ ପୁଞ୍ଜିଲଗାଣ ପ୍ଲାଟଫର୍ମ ବା ଡେଟ୍‌ ପ୍ଲାଟଫର୍ମରେ 6000 କୋଟି ଟଙ୍କାର ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହି ପ୍ଲାଟଫର୍ମଟି ଜାତୀୟ ପୁଞ୍ଜି ନିବେଶ ଓ ଭିତ୍ତିଭୂମି ପାଣ୍ଠି (ଏନ୍‌ଆଇଆଇଏଫ୍‌) ଦ୍ୱାରା ପ୍ରାୟୋଜିତ ହୋଇଛି । ଏହି ପ୍ଲାଟଫର୍ମରେ ଅସୀମ ଇନ୍‌ଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିମିଟେଡ (ଏଆଇଏଫ୍‌ଏଲ୍‌) ଏବଂ ଏନ୍‌ଆଇଆଇଏଫ୍‌ ଇନ୍‌ଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିମିଟେଡ (ଏନ୍‌ଆଇଆଇଏଫଏଲ୍‌) ନିମ୍ନଲିଖିତ ସର୍ତ୍ତ ଅନୁସାରେ ପୁଞ୍ଜି ନିବେଶ କରିବେ ।

ସର୍ତ୍ତାବଳୀ

(1) କେବଳ 2000 କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍‌ 2020-21ରେ ପ୍ରଦାନ କରାଯିବ । ତେବେ କରୋନା ମହାମାରୀ କାରଣରୁ ଅଭୂତପୂର୍ବ ଆର୍ଥିକ ସ୍ଥିତି ଏବଂ ସୀମିତ ଆର୍ଥିକ ସମ୍ବଳର ସୁଯୋଗ ଥିବାରୁ ପ୍ରସ୍ତାବିତ ଏହି ଅର୍ଥରାଶି ପରିମାଣକୁ ଋଣ ଆବଶ୍ୟକତାର ଜରୁରୀ ସ୍ଥିତି ଏବଂ ଚାହିଦାକୁ ଦେଖି ଯୋଗାଇ ଦିଆଯିବ ।

(2) ଏନ୍‌ଆଇଆଇଏଫ୍‌ ଏ ବାବଦ ଅର୍ଥ ବ୍ୟବସ୍ଥା କରିବାକୁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ । ଆବଶ୍ୟକ ସ୍ଥଳେ ଘରୋଇ ଏବଂ ଗ୍ଳୋବାଲ ପେନସନ ଫଣ୍ଡର ଇକ୍ୟୁଟି ନିବେଶ ଓ ସଭରେନ ୱେଲ୍‌ଥ ଫଣ୍ଡକୁ ଏହା ତ୍ୱରିତ କାମରେ ଲଗାଇପାରିବ ।

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀତାରମଣ ଭାରତୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ନିମନ୍ତେ 2020 ନଭେମ୍ବର 12 ତାରିଖରେ ଆତ୍ମନିର୍ଭର ଭାରତ 3.0 ପ୍ୟାକେଜରେ ଘୋଷଣା କରିଥିବା ପ୍ରସ୍ତାବର ଏହା ଅଂଶବିଶେଷ ।

ଏନ୍‌ଆଇଆଇଏଫ୍‌ ଷ୍ଟ୍ରାଟେଜିକ୍‌ ଅପରଚ୍ୟୁନିଟିଜ ଫଣ୍ଡ ଏକ ଋଣ ପ୍ଲାଟଫର୍ମଭାବେ ଗଠିତ ହୋଇଥିଲା । ଏନ୍‌ବିଏଫ୍‌ସି ଇନ୍‌ଫ୍ରା ଡେଟ ଫଣ୍ଡ ଏବଂ ଏନ୍‌ବିଏଫ୍‌ସି ଇନ୍‌ଫ୍ରା ଫାଇନାନ୍ସ କଂପାନୀକୁ ନେଇ ଏହି ପ୍ଲାଟଫର୍ମ ଗଠିତ ହୋଇଥିଲା । ଏନ୍‌ଆଇଆଇଏଫ୍‌ ଏହାର ଷ୍ଟ୍ରାଟେଜିକ୍‌ ଅପରଚ୍ୟୁନିଟିଜ ଫଣ୍ଡ ମାଧ୍ୟମରେ ଉଭୟ କଂପାନୀରେ ସଂଖ୍ୟାଗରିଷ୍ଠ ଅଂଶଧନର ଅଧିକାରୀ । ଏହା ଇତିମଧ୍ୟରେ ଏହି ପ୍ଲାଟଫର୍ମରେ  1899 କୋଟି ଟଙ୍କା ନିବେଶ କରିସାରିଲାଣି । ଏହି  ଷ୍ଟ୍ରାଟେଜିକ୍‌ ଅପରଚ୍ୟୁନିଟିଜ ଫଣ୍ଡ  ସଂକ୍ଷେପରେ ସଫ୍‌ଫଣ୍ଡ ନାମରେ ପରିଚିତ । ତା ମାଧ୍ୟମରେ ଏନ୍‌ଆଇଆଇଏଫ୍‌ର ନିବେଶ କରାଯାଇଛି ।

ଏହି ନିବେଶ ମାଧ୍ୟମରେ ଦୁଇ କଂପାନୀ ଆର୍ଥିକ ସୁବିଧା ଲାଭକରି ଉପଯୁକ୍ତ ଓ ଲାଭଦାୟକ ନିବେଶ ସୁଯୋଗରେ ଅର୍ଥଲଗାଣ କରୁଛନ୍ତି । ପ୍ରଚଳିତ ପ୍ରସ୍ତାବ ଅନୁସାରେ ଭାରତ ସରକାର ସିଧାସଳଖ ଏହି ମଞ୍ଚର ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ନିବେଶ କରିବାର ବ୍ୟବସ୍ଥା ରହିଛି । ବିଭିନ୍ନ କ୍ଷେତ୍ରକୁ ଋଣ ଯୋଗାଇ ସେ ସବୁର ପୁନରୁତ୍ଥାନ କରିବା ଏହାର ଲକ୍ଷ୍ୟ । ଏଥିରେ ଭାରତ ସରକାରଙ୍କ ସଂପୃକ୍ତି ରହୁଥିବାରୁ ଏହି ପ୍ଲାଟଫର୍ମ ମଧ୍ୟ ଆନ୍ତର୍ଜାତିକ ଇକ୍ୟୁଟି ଉଠାଣର ସୁବିଧା ପାଉଛି ।

କେତେକ ଘରୋଇ ଉଦ୍ୟୋଗ ମଧ୍ୟ ଏହି ପ୍ଲାଟଫର୍ମରେ ପୁଞ୍ଜିନିବେଶ କରିଛନ୍ତି । ଆଶା କରାଯାଉଛି ଯେ ବିଭିନ୍ନ ସୂତ୍ରରୁ ଉତ୍ତମ ନିବେଶର ସୁବିଧା ଥିବାରୁ ଏହି ପ୍ଲାଟଫର୍ମ ଯଥେଷ୍ଟ ପୁଞ୍ଜି ସଂଗ୍ରହ କରି 2025 ସୁଦ୍ଧା ବିଭିନ୍ନ ପ୍ରକଳ୍ପକୁ 1,10,000 କୋଟି ଟଙ୍କା ଋଣ ସହାୟତା ଯୋଗାଇ ଦେବାର ସକ୍ଷମ ହେବ ।

ରୂପାୟନ ରଣକୌଶଳ ଓ ଲକ୍ଷ୍ୟ     

(କ) ଏଆଇଏଫ୍‌ଏଲ୍‌ର ରଣନୀତି ହେଲା ଏହା ମୁଖ୍ୟତଃ ନିର୍ମାଣ, ନୂଆ ପ୍ରକଳ୍ପ, ପୁରୁଣା ସଂପତ୍ତି ବା ଉଦ୍ୟୋଗର ପୁନରୁଦ୍ଧାର (ଯାହା ଆରମ୍ଭର ଏକ ବର୍ଷ ଭିତରେ ବନ୍ଦ ହୋଇଯାଇଥିବ) ଆଦିକୁ ଋଣ ଯୋଗାଇଦେବ । ଯେଉଁ ସଂସ୍ଥାକୁ ଋଣ ଦିଆଯିବ ତାହାର ଦକ୍ଷତା, ସ୍ଥିତି ଓ ଭବିଷ୍ୟତ ଆକଳନ କରିବା କାର୍ଯ୍ୟ ଏନ୍‌ଆଇଆଇଏଫ୍‌ ନିଜସ୍ୱ ବ୍ୟବସ୍ଥାରେ କରିବ । ଯେଉଁଠି ପ୍ରକଳ୍ପର ପୁନରୁଦ୍ଧାର ସୁବିଧା ସୁଯୋଗ ଅଧିକ ଥିବ, ସେଠାରେ ଅଧିକ ପାଣ୍ଠି ଯୋଗାଣର ବ୍ୟବସ୍ଥା କରାଯିବ ।

(ଖ) ଏନ୍‌ଆଇଆଇଏଫ୍‌ ଆଇଏଫ୍‌ଏଲ୍‌ (ଏନ୍‌ବିଏଫ୍‌ସି-ଆଇଡିଏଫ୍‌) ଏକ ପୋଖତ କାର୍ଯ୍ୟକାରୀ ପୁଞ୍ଜିଭାବେ କାର୍ଯ୍ୟ କରିବ । ଏହା ଭିତ୍ତିଭୂମି କ୍ଷେତ୍ରରେ ନିବେଶକଙ୍କୁ ସହାୟତା ଯୋଗାଇବା ସହ ସୁଲଭ ମୂଲ୍ୟରେ ବ୍ୟାଙ୍କଠାରୁ କମ୍‌ ସୁଧରେ ଋଣ ଯୋଗାଇଦେବ । ଆସନ୍ତା 5 ବର୍ଷ ମଧ୍ୟରେ ଏନ୍‌ଆଇଆଇଏଫ୍‌ ଇନ୍‌ଫ୍ରାଷ୍ଟ୍ରକଚର ଫାଇନାନ୍ସ ଡେଟ୍‌ ପ୍ଲାଟଫର୍ମ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ପାଇଁ ଋଣ ଯୋଗାଇ ଦେବାର ଦକ୍ଷତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।

(ଗ) ଏହି ପ୍ଲାଟଫର୍ମ ମଧ୍ୟ ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ବଜାରରୁ ଆସନ୍ତା କେଇବର୍ଷ ମଧ୍ୟରେ ଦୀର୍ଘମିଆଦି ଇକ୍ୟୁଟି ପୁଞ୍ଜି ଓ ଋଣ ଉଠାଇବ । ଭାରତ ସରକାର ଆସନ୍ତା 5 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ 6000 କୋଟି ଟଙ୍କା ବିନିଯୋଗ କରିବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ 14ରୁ 18 ଗୁଣ ବଢାଇବା ପାଇଁ ଏହି ପ୍ଲାଟଫର୍ମ ମଧ୍ୟ ଉଦ୍ୟମ କରିବ ।

(ଘ) ଏନ୍‌ଆଇଆଇଏଫ୍‌ ମଧ୍ୟ ଉଭୟ ଘରୋଇ ଓ ଆନ୍ତର୍ଜାତିକ ବଜାରରୁ ଇକ୍ୟୁଟି ନିବେଶ ସଂଗ୍ରହ କରିବାକୁ ଉଦ୍ୟମ କରିବ । ଗ୍ଲୋବାଲ ପେନସନ, ଇନ୍‌ସୁ୍ୟରାନ୍ସ ଓ ସଭରେନ ୱେଲ୍‌ଥ ଫଣ୍ଡରୁ ଇକ୍ୟୁଟି ସଂଗ୍ରହ କରିବା ପାଇଁ ଏହା ଉଦ୍ୟମ ଅବ୍ୟାହତ ରଖିବ ।

ମୋଟ ଖର୍ଚ୍ଚ ପରିମାଣ

ଏନ୍‌ଆଇଆଇଏଫ୍‌ ଡେଟ୍‌ ପ୍ଲାଟଫର୍ମରେ ଆସନ୍ତା ଦୁଇଟି ଆଥିକ ବର୍ଷ ଅର୍ଥାତ୍‌ 2020-21 ଏବଂ 2021-22ରେ 6000 କୋଟି ଟଙ୍କା ଇକ୍ୟୁଟି ଆକାରରେ ନିବେଶ କରାଯିବ ।

ପ୍ରଭାବ

ଏନ୍‌ଆଇଆଇଏଫ୍‌ ଇନ୍‌ଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିମିଟେଡ ଆସନ୍ତା 5 ବର୍ଷ ମଧ୍ୟରେ ଭିତ୍ତିଭୂମି କ୍ଷେତ୍ରକୁ ପ୍ରାୟ1 ଲକ୍ଷ କୋଟି ଟଙ୍କା ଋଣ ଆକାରରେ ଯୋଗାଇଦେବ ବୋଲି ଆଶା କରାଯାଉଛି । ଏହା ଫଳରେ ଭିତ୍ତିଭୂମି କ୍ଷେତ୍ର ପାଇଁ ଅଧିକରୁ ଅଧିକ ପୁଞ୍ଜି ନିବେଶ ନିମନ୍ତେ ଜାତୀୟ ଇନ୍‌ଫ୍ରାଷ୍ଟ୍ରକଚର ପାଇପ ଲାଇନରେ ଯେଉଁ ବ୍ୟବସ୍ଥା ରହିଛି ତାହାକୁ ପ୍ରୋତ୍ସାହନ ମିଳିବ ଏବଂ ଅଧିକରୁ ଅଧିକ କ୍ଷେତ୍ରରେ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବ ।

ଏହି ପ୍ରକ୍ରିୟା ବ୍ୟାଙ୍କ ଉଦ୍ୟୋଗକୁ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଚାପମୁକ୍ତ କରିବ । ସେମାନେ ନୂଆ ପ୍ରକଳ୍ପଗୁଡିକ ପାଇଁ ଋଣ ଯୋଗାଣ ନିମନ୍ତେ ଆଗ୍ରହ ଦେଖାଇବେ । ବ୍ୟାଙ୍କମାନେ ସଂପ୍ରତି ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ଋଣ ଦେବାକୁ ବିଭିନ୍ନ କାରଣରୁ ଅନାଗ୍ରହୀ ।  ଏହା ମଧ୍ୟ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ନିବେଶ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ ଏବଂ ଏ କ୍ଷେତ୍ରରେ ନଗଦ ପ୍ରବେଶ ପରିମାଣ ବୃଦ୍ଧି ପାଇବ ।

ଭାରତରେ ଭିତ୍ତିଭୂମି  ପ୍ରକଳ୍ପଗୁଡିକ ସ୍ପେଶାଲ ପର୍ପସ ଭେଇକିଲ ବା ଏସ୍‌ପିଭି ଦ୍ୱାରା କାର୍ଯ୍ୟକାରୀ ହେଉଛି । ତେବେ କେତେକ କ୍ଷେତ୍ରରେ ଏସ୍‌ପିଭି ନିବେଶ ଗ୍ରେଡ ରେଟିଂରେ ଆହ୍ୱାନର ସମ୍ମୁଖୀନ ହେଉଥିବାରୁ ଋଣ ପାଇବାରେ ଅସୁବିଧା ଭୋଗୁଛନ୍ତିି । ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ମଧ୍ୟ ଏସ୍‌ପିଭିକୁ ରେଟିଂ ମିଳୁନାହିଁ । ତେଣୁ ଏହିସବୁ ଏସ୍‌ପିଭି ଋଣ ଓ ପୁଞ୍ଜି ସଂଗ୍ରହରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ନୂଆ ବ୍ୟବସ୍ଥାରେ ଡେଟ୍‌ ପ୍ଲାଟଫର୍ମ, ବଣ୍ଡ ମାର୍କେଟରୁ ପୁଞ୍ଜି ଉଠାଇ ଏକ ବିଶ୍ୱସ୍ତ ମଧ୍ୟସ୍ଥଭାବରେ ବିଭିନ୍ନ ପ୍ରକଳ୍ପକୁ ଋଣ ଯୋଗାଇଦେବ । ଏଆଇଏଫ୍‌ଏଲ୍‌କୁ ଏଏ କେୟାର ରେଟିଂ ମିଳିଛି । ସେହିଭଳି ଏନ୍‌ଆଇଆଇଏଫ୍‌-ଆଇଏଫ୍‌ଏଲ୍‌ କେୟାର ରେଟିଂ ସଂସ୍ଥା ଓ ଆଇସିଏଆରଏ ଦ୍ୱାରା ଏଏଏ ରେଟିଂ ପାଇଛି । ବଣ୍ଡ ଇନ୍‌ଭେଷ୍ଟର ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କଠାରୁ କମ୍‌ ସୁଧ ଚାହିଁଥାନ୍ତି ।

ତେବେ ସେମାନେ ସର୍ବଦା ଏଏଏ କିମ୍ବା ଏଏ ରେଟିଂର ସଂସ୍ଥାରେ ନିବେଶ କରିବାକୁ ଚାହାନ୍ତି। ନିବେଶ ହୋଇଥିବା ଅର୍ଥର ସୁରକ୍ଷା ପାଇଁ ସେମାନେ ଏହା କରିଥାନ୍ତି । ସେହିଭଳି ଦୀର୍ଘମିଆଦୀ ବଣ୍ଡ ଇନ୍‌ଭେଷ୍ଟର ତଥା ପେନସନ୍‌ ଓ ଇନ୍‌ସୁ୍ୟରାନ୍ସ ଫଣ୍ଡ ଆଦି ଏଏଏ ବଣ୍ଡ ରେଟିଂ ସଂସ୍ଥାରେ ନିବେଶ କରିବାକୁ ଆଗ୍ରହ ଦେଖାଇଥାନ୍ତି ।

ଆଶା କରାଯାଉଛି ଯେ ଉତ୍ତମଭାବେ ପାଣ୍ଠି ପାଉଥିବା ଏବଂ ସୁଶାସିତ ଏନ୍‌ଆଇଆଇଏଫ୍‌ ଋଣ ପ୍ଲାଟଫର୍ମ ଭିତ୍ତିଭୂମି ଋଣ ଯୋଗାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଏହା ମଧ୍ୟ ଏଏଏ/ଏଏ ରେଟର ମାନ୍ୟତା ପାଇ ବଣ୍ଡ ମାର୍କେଟର ବିକାଶରେ ମଧ୍ୟ ଉଲ୍ଲେଖନୀୟ ସଂଯୋଜକଭାବେ କାର୍ଯ୍ୟ କରିବ । ଏହା ସିଧାସଳଖ ବଣ୍ଡ ମାର୍କେଟ, ଭିତ୍ତିଭୂମି ପ୍ରକଳ୍ପ ଓ କଂପାନୀମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମନ୍ୱୟ ରକ୍ଷାରେ ସହାୟକ ହେବ ।

ପୃଷ୍ଠଭୂମି

ଜାତୀୟ ଭିତ୍ତିଭୂମି ପ୍ଲାଟଫର୍ମ (ଏନ୍‌ଆଇପି) ଅନୁସାରେ ଭିତ୍ତିଭୂମି କ୍ଷେତ୍ରରେ ଆସନ୍ତା 5 ବର୍ଷ ମଧ୍ୟରେ 111 ଲକ୍ଷ କୋଟି ଟଙ୍କାର ନିବେଶ କରିବାର ଲକ୍ଷ୍ୟ ରଖାଯାଇଛି । ଏଥିରେ ବିଭିନ୍ନ କ୍ଷେତ୍ର ଓ ଉପକ୍ଷେତ୍ର ମଧ୍ୟ ଅନ୍ତର୍ଭୁକ୍ତ । ଏଥିପାଇଁ ଯେଉଁ ବିପୁଳ ଋଣର ଆବଶ୍ୟକତା ରହିଛି ତାହା ଯୋଗାଡ କରିବା ସବୁଠୁ ବଡ଼ ଆହ୍ୱାନ ।

ଏନ୍‌ଆଇପିରେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ପୂରଣ କରିବା ପାଇଁ 60ରୁ 70 ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ଆବଶ୍ୟକତା ରହିଛି । ବର୍ତ୍ତମାନର ପରିବେଶରେ ଏଥିପାଇଁ ଉତ୍ତମ ପୁଞ୍ଜି ବ୍ୟବସ୍ଥା ଥିବା ସ୍ୱତନ୍ତ୍ର ଭିତ୍ତିଭୂମି ଭିତ୍ତିକ  ଆର୍ଥିକ ଅନୁଷ୍ଠାନର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ଏନ୍‌ଆଇଆଇଏଫ୍‌ ବା ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି ଅନ୍ୟତମ । ନିଜର ଏକ ଦୃଢ ପୁଞ୍ଜିଭିତ୍ତି ସହିତ ନିଜର ପେସାଗତ ସାମର୍ଥ୍ୟ ଓ ଦକ୍ଷତା ବଳରେ ଏହି ସଂସ୍ଥା ବିଭିନ୍ନ ଉଦ୍ୟୋଗର ଋଣ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟିତ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଓଡିଶା ସହ ଛଅଟି ରାଜ୍ୟର ଶିକ୍ଷା ବିକାଶ ପାଇଁ 5718 କୋଟି ଟଙ୍କାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ ନିଷ୍ପତି ନିଆଯାଇଛି। ଏଥିରେ ବିଶ୍ବ ବ୍ୟାଙ୍କ ସହଯୋଗରେ ସ୍କୁଲ ଶିକ୍ଷା ଉନ୍ନତି ପାଇଁ 5718 କୋଟି ଟଙ୍କାକୁ କ୍ୟାବିନେଟ ମଂଜୁର ଦେଇଛନ୍ତି। ଶିକ୍ଷା ପାଇଁ ଜୁନ 24 ତାରିଖରେ ବିଶ୍ବ ବ୍ୟାଙ୍କ କେନ୍ଦ୍ରକୁ 500 ମିଲିୟନ ଡଲାର ସହଯୋଗ ପ୍ରଦାନ କରିଛି। ଏହି ଅନୁଦାନରେ ଦେଶର ଓଡିଶା ସମେତ ଛଅ ଟି ରାଜ୍ୟରେ ଲାଗୁ ହେବ।

ଏହି ଯୋଜନାର ନାମ ରହିଛି ଷ୍ଟାରସ୍। ଯାହାକୁ ଇଂରାଜୀରେ କୁହାଯାଏ Strengthening Teaching-Learning and Results for States Program ବା STARS। ଏହି ଯୋଜନା କେବଳ ଓଡିଶା ସହିତ ହିମାଚଳ ପ୍ରଦେଶ,ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ରାଜସ୍ଥାନ ଏବଂ କେରଳ ରାଜ୍ୟରେ ଲାଗୁ ହେବ।

ଏହି ଯୋଜନା ମାଧ୍ୟମରେ ଏହି ଛଅଟି ରାଜ୍ୟର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ସ୍କୁଲ ଶିକ୍ଷା ପରିଚାଳନା ପାଇଁ ଖର୍ଚ୍ଚ ହେବ। ଏହାକୁ ‘ସମଗ୍ର ଶିକ୍ଷା’ ବୋଲି କୁହାଯାଉଛି। ଏହି ଯୋଜନାରେ 6ଟି ରାଜ୍ୟର 6 ବର୍ଷରୁ 17 ବର୍ଷର ପ୍ରାୟ 25 କୋଟି ଛାତ୍ରଛାତ୍ରୀ ଉପକୃତ ହେବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି, ଏଣିକି ମହାକାଶ କ୍ଷେତ୍ରରେ ଘରୋଇ କଂପାନୀ ହୋଇପାରିବେ ଭାଗିଦାରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ମହାକାଶ ଗତିବିଧିର ସମସ୍ତ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗିଦାରୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଦୂରଦର୍ଶୀ ସଂସ୍କାରମୂଳକ ପଦକ୍ଷେପକୁ ମଞ୍ଜୁରି ଦେଇଛନ୍ତି। ଏହି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ପ୍ରଯୁକ୍ତି କ୍ଷେତ୍ରରେ ସମୃଦ୍ଧ ତଥା ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘକାଳୀନ ଦୃଷ୍ଟିକୋଣ ଅନୁରୂପ ଏହି ନିଷ୍ପତ୍ତି ନିଆଯାଇଛି।

ମହାକାଶ କ୍ଷେତ୍ରରେ ଉନ୍ନତ କ୍ଷମତାସମ୍ପନ୍ନ ହାତଗଣତି ରାଷ୍ଟ୍ର ମଧ୍ୟରେ ଭାରତ ସାମିଲ। ଏହି ସଂସ୍କାର ଫଳରେ ମହାକାଶ କ୍ଷେତ୍ରକୁ ନୂତନ ଶକ୍ତି ଏବଂ ଗତିଶୀଳତା ପ୍ରାପ୍ତ ହେବ, ଯାହାଦ୍ବାରା ଦେଶକୁ ମହାକାଶ ଗତିବିଧିର ପରିବର୍ତ୍ତୀ ପର‌୍ୟ୍ୟାୟରେ ଦ୍ରୁତଗତିରେ ଆଗେଇ ଯିବାର ସହାୟତା ମିଳିବ। କେବଳ ଏହି କ୍ଷେତ୍ରରେ ବିକାଶ ହେବ ନାହିଁ ବରଂ ଭାରତୀୟ ଉଦ୍ୟୋଗ ବିଶ୍ବର ମହାକାଶ ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। ପ୍ରଯୁକ୍ତି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗର ସମ୍ଭାବନା ସୃଷ୍ଟି ହେବା ସହିତ ଭାରତ ଏକ ବୈଶ୍ବିକ ପ୍ରଯୁକ୍ତି ଶକ୍ତିକେନ୍ଦ୍ରରେ ପରିଣତ ହେବ।

ପ୍ରମୁଖ ଲାଭ:
ପ୍ରଯୁକ୍ତି ବିକାଶ ତଥା ଶିଳ୍ପ ଆଧାର ସମ୍ପ୍ରସାରଣ କ୍ଷେତ୍ରରେ ମହାକାଶ କ୍ଷେତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିବ। ପ୍ରସ୍ତାବିତ ସଂସ୍କାର ବଳରେ ମହାକାଶ ସମ୍ପତ୍ତି, ଡାଟା ଏବଂ ଉନ୍ନତ ସୁବିଧା ଉପଲବ୍ଧତାର ମାଧ୍ୟମ ମିଳିବ। ମହାକାଶ ପରିସମ୍ପତ୍ତି ଓ ଗତିବିଧିରେ ସାମାଜିକ-ଆର୍ଥିକ ଉପଯୋଗକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ।

ନବଗଠିତ ଭାରତୀୟ ରାଷ୍ଟ୍ରୀୟ ମହାକାଶ ସମ୍ବର୍ଦ୍ଧନ ତଥା ପ୍ରାମାଣୀକରଣ କେନ୍ଦ୍ର (ଇନ-ସ୍ପେସ) ଭାରତୀୟ ମହାକାଶ ଭିତ୍ତିଭୂମିର ଉପଯୋଗ କରିବା ନିମନ୍ତେ ଘରୋଇ କ୍ଷେତ୍ରର କମ୍ପାନୀଗୁଡ଼ିକ ଲାଗି ସମାନ ସୁଯୋଗ ଉପଲବ୍ଧ କରାଇବ। ଏହା ପ୍ରୋତ୍ସାହନମୂଳକ ନୀତି ତଥା ଅନୁକୂଳ ନିୟାମକ ବାତାବରଣ ଜରିଆରେ ମହାକାଶ ଗତିବିଧିରେ ଘରୋଇ କ୍ଷେତ୍ରକୁ ପ୍ରାରମ୍ଭିକ ସହାୟତା ଯୋଗାଇ ଦେବ, ସେମାନଙ୍କୁ ପ୍ରୋତ୍ସାହନ ତଥା ଦିଶା-ନିର୍ଦ୍ଦେଶ ପ୍ରଦାନ କରିବ।

ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉପକ୍ରମ ‘ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ’ ମହାକାଶ ଗତିବିଧିକୁ ଏକ ‘ଯୋଗାଣ ଆଧାରିତ’ ମଡେଲ ପରିବର୍ତ୍ତେ ‘ଚାହିଦା ଆଧାରିତ’ ମଡେଲ ଆଡ଼କୁ ରୂପାନ୍ତରିତ କରିବା ଲାଗି ପ୍ରୟାସ କରିବ ଯାହାଫଳରେ ଆମର ମହାକାଶ ସମ୍ପତ୍ତିର ସର୍ବୋତ୍ତମ ଉପଯୋଗ ସୁନିଶ୍ଚିତ ହୋଇପାରିବ।

ଏହି ସଂସ୍କାର ଇସ୍ରୋକୁ ଗବେଷଣା ଏବଂ ବିକାଶ ଗତିବିଧି, ନୂଆ ପ୍ରଯୁକ୍ତି, ଅନୁସନ୍ଧାନ ମିଶନ ତଥା ମାନବ ମହାକାଶ ଉଡ଼ାଣ କାର‌୍ୟ୍ୟକ୍ରମ ଉପରେ ଅଧିକ ଫୋକସ କରିବା ଲାଗି ସମର୍ଥ କରିବ। କେତେକ ଗ୍ରହ ସମ୍ବନ୍ଧୀୟ ସନ୍ଧାନ ମିଶନକୁ ମଧ୍ୟ ‘ଅବସର ଘୋଷଣା’ ବ୍ୟବସ୍ଥା ଜରିଆରେ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇପାରିବ।