Categories
ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁରରେ କାହିଁକି ଛିଡା ହେବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳରେ ହାରିବା ଭୟ ଅଛି କି ?

ଭୁବନେଶ୍ୱର:ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଏକ ସଭାରେ ସେ କହିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନରେ ସେ ସମ୍ବଲପୁରରୁ ଛିଡା ହେବେ। ସେହିପରି ପୂର୍ବରୁ ସେ କହିଥିଲେ ଯେ, ସେ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ପାଇଁ ଇଛାପ୍ରକାଶ କରି ତାଙ୍କୁ ସୁଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଚିଠି ଲେଖି ଜଣାଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ସେ ସମ୍ବଲପୁର ଆସନକୁ କାହିଁକି ବାଛିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜ ଘର ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚେର ହୋଇଥିବାବେଳେ ସେ ସମ୍ବଲପୁରରୁ କାହିଁକି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ତାହାହିଁ ତାଙ୍କ କର୍ମୀ ମହଲରେ ସଂଶୟ ସୃଷ୍ଟି କରିଛି। ଦିନ ଥିଲା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ବିଜେପିର ପୋଷ୍ଟର ବୟ ଥିଲେ। ଏହି ସୁଯୋଗକୁ ସେ ହାତଛଡ଼ା କରି ଅନ୍ୟର ଦୟାରେ ରାଜ୍ୟନୀତି କରିବାକୁ ଅଣ୍ଟାଭିଡ଼ି ବାହାରିଛନ୍ତି।

ଏପରି ହେବାର କାରଣ ହେଉଛି, ଗତ ନିର୍ବାଚନରେ ଶାସକ ବିଜେଡି ଯେଉଁ ଅଯୋଗ୍ୟ ନେତାମାନଙ୍କୁ ଦଳରୁ ଫିଙ୍ଗି ଦେଇଥିଲେ ସେମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଉଁଟି ଆଣି ନିଜର ତୋଷାମଦକାରୀ ଗୋଷ୍ଠୀ ତିଆରି କରିଛନ୍ତି। ଏହି ଗୋଷ୍ଠୀ ଇତି ମଧ୍ୟରେ ନିଜକୁ କେନ୍ଦ୍ରମନ୍ତ୍ରୀ ବିବେଚନା କରି ବିଜେପିର ନିଷ୍ଠାପର କର୍ମୀ ଓ ସଂଘର ପ୍ରଚାରକମାନଙ୍କୁ ଦୁର୍ବ୍ୟବାର କରିବାରେ ଲାଗିଛନ୍ତି। ଫଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଦୃଢ଼ ସମର୍ଥକମାନଙ୍କ ଆସ୍ଥା ହରାଇଛନ୍ତି।

ନିକଟରେ ବିଜେପରି କେନ୍ଦ୍ରୀୟ ସଂଗଠନ ପକ୍ଷରୁ ହୋଇଥିବା ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ସର୍ଭେର ରିପୋର୍ଟ ଅନୁସାରେ ଢେଙ୍କାନାଳ ଲୋକସଭା ଅନ୍ତର୍ଗତ ଢେଙ୍କନାଳ ସଦର, କାମାକ୍ଷାନଗର, ତାଳଚେର ଓ ପାଲଲହଡ଼ା ବିଧାନସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଲୋକପ୍ରିୟତା ଆଦୌ ନାହିଁ।

ଏହିସବୁ ବିଧାନସଭା କ୍ଷେତ୍ରରେ ସେ ଦଳୀୟ ସଂଗଠନରେ ଯେଉଁ ବିଭେଦ ସୃଷ୍ଟି କରିଚନ୍ତି ତାର ସେ ପରାଭବ ପାଇବେ। ସେ ଢେଙ୍କାନାଳରୁ ଲୋକସଭା ପ୍ରାର୍ଥୀ ହେଲେ ପରାଜିତ ହେବ ନିଶ୍ଚିତ ବୋଲି ଏହି ରପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିଜର ମତ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି।

ଢେଙ୍କାନାଳ ଲୋକସଭା ସର୍ଭେ ରିପୋର୍ଟ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବା ପାଇଁ କେନ୍ଦ୍ରୀୟ ସଂଗଠନକୁ ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନଙ୍କ ଗଡରେ ପାଣ୍ଡିଆନଙ୍କ ଗର୍ଜନ, ଜାଣୁଶୁଣି ଧର୍ମେନ୍ଦ୍ରଙ୍କ ଅଞ୍ଚଳକୁ ଯାଇ ତାଙ୍କୁ କରୁଛନ୍ତି ଟାର୍ଗେଟ

ଭୁବନେଶ୍ବର: ଏବେ ଓଡିଶାର ରାଜନୀତିରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ କାର୍ତ୍ତିକ ପାଣ୍ଡିଆନ ଆଇଏଏସ ଚାକିରୀରେ ଥିବା ବେଳେ ତାଙ୍କୁ ଧର୍ମେନ୍ଦ୍ର ଗୁମାସ୍ତା କହି ଉପହାସ କରୁଥିଲେ। ହେଲେ ସେତେବେଳେ ପାଣ୍ଡିଆନ କିଛି କହିପାରୁ ନ ଥିଲେ। ଏବେ ସେ ଉଡନ୍ତା ବିହଙ୍ଗ। ସେହି ରାଗ ସୁଝାଇବା ପାଇଁ ବର୍ତ୍ତମାନ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଗଡରେ ପଶି ଗର୍ଜନ ଆରମ୍ଭ କରିଦେଇଛନ୍ତି।

ଗତକାଲି ସେ ଧାମନଗର ଯାଇ ସେଠାରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ। ଧାମନଗର ଧର୍ମେନ୍ଦ୍ରଙ୍କ ଗଡ ହୋଇ ନ ଥିଲେ ମଧ୍ୟ ସେଠାରେ ସେ ନିକଟରେ ହୋଇଥିବା ଉପନିର୍ବାଚନର ମଙ୍ଗ ଧରିଥିଲେ। ସେତେବେଳେ ଧର୍ମେନ୍ଦ୍ର ନିର୍ବାଚନ ପ୍ରଚାର ବେଳେ କେତେଥର ଯାଇଥିଲେ ଆଉ ଜିତିବା ପରେ ସେ ଆଉ ସେହି ଅଞ୍ଚଳକୁ ଚାହିଁଲେ ନାହିଁ କି ଆସିଲେ ନାହିଁ। ସେହି କଥା ଲୋକଙ୍କୁ ଜଣାଇ, ଧର୍ମେନ୍ଦ୍ରଙ୍କ ମୁଖା ଖୋଲିବାକୁ ପାଣ୍ଡିଆନ ଜାଣିଶୁଣି ଧାମନଗର ଗସ୍ତରେ ଯାଇଥିଲେ।

ସେଠାରେ ସେ ଲୋକଙ୍କୁ ପ୍ରଶ୍ନ କରିଥିଲେ ଯେ, ଉପନିର୍ବାଚନରେ ବିଜେପିର ଯିଏ ମଙ୍ଗ ଧରିଥିଲେ ସେହି ଲୋକଙ୍କୁ ଚିହ୍ନଚ ନା ନାହିଁ। ଲୋକେ ହଁ କଲେ, ତାପରେ ପାଣ୍ଡିଆନ କହିଲେ ସେହି ଲୋକ ନିର୍ବାଚନ ପ୍ରଚାର ପାଇଁ ଏଠାକୁ ପାଞ୍ଚଥର ଆସିଥିଲେ, ହେଲେ ଜିତିବା ପରେ ଆଉ ଆପଣମାନଙ୍କ ପାଖକୁ ଆସିଲେ ନାହିଁ। ସେହି ଲୋକଙ୍କୁ ଆଉ ଟିକିଏ ଭଲକରି ଚିହ୍ନ ବୋଲି ପାଣ୍ଡିଆନ କହିଥିଲେ।

ଆଜି ସେହିପରି ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଘରେ ଗର୍ଜନ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଆଜି ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଅଞ୍ଚଳ ଅନୁଗୁଳ ଜିଲ୍ଲା ଗସ୍ତ କରି ଗଡସନ୍ତୀଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଏହି ଗର୍ଜ୍ଜନ କରିଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କେନ୍ଦ୍ରରେ ଦୀର୍ଘ ଦିନ ଧରି ସେ ମନ୍ତ୍ରୀ ହୋଇ ରହିଛନ୍ତି। କିନ୍ତୁ ଏ ଅଞ୍ଚଳ ପାଇଁ ତାଙ୍କର କଣ ଅବଦାନ ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ।

ପାଣ୍ଡିଆନ କହିଛନ୍ତି ଯେ, ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ସବୁ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିଥାନ୍ତେ। ସେ କାହିଁକି କଲେ ନାହିଁ। ସେହିଭଳି ଏ ଅଂଚଳର ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି। ସେ ନିଜେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି। ଚାହିଁଥିଲେ ଏ ଅଂଚଳରେ ବହୁ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିପାରିଥାନ୍ତେ।  କାହିଁକି ଏଠାରେ କେନ୍ଦ୍ରମନ୍ତ୍ରୀ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କଲେ ନାହିଁ ବୋଲି ଲୋକଙ୍କୁ ପଚାରିଥିଲେ ପାଣ୍ଡିଆନ।

ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ୪୦ ଥର ଅନୁଗୁଳ ଜିଲ୍ଲାକୁ ଆସିଛନ୍ତି। ପ୍ରତିଥର ଟିକିଏ ଟିକିଏ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ ଅନୁଗୁଳର ପ୍ରଭୂତ ବିକାଶ ହୋଇପାରିଥାନ୍ତା। କିନ୍ତୁ କେନ୍ଦ୍ରମନ୍ତ୍ରୀ ତାହା କରିନାହାନ୍ତି। ଜୁନ ମାସରେ ଥରୁଟିଏ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଅନୁଗୁଳ ଜିଲ୍ଲା ଆସିଥିଲି। ଏହାପରେ ୧୦୦ କୋଟି ଟଙ୍କା ଜିଲ୍ଲାକୁ ପ୍ରଦାନ କରାଯାଇଛି ବୋଲି ପାଣ୍ଡିଆନ କହିଛନ୍ତି।

ନିଜ ଅଂଚଳ ପାଇଁ ନିଜର କର୍ତ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମସମୀକ୍ଷା କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ତାଙ୍କୁ ଆହ୍ବାନ ଦେଇଛନ୍ତି। କାର୍ତ୍ତିକ ପାଣ୍ଡିଆନଙ୍କ ଧର୍ମେନ୍ଦ୍ରଙ୍କୁ ଏପରି ଟାର୍ଗେଟ ବର୍ତ୍ତମାନ ରାଜ୍ୟ ରାଜନୀତିକୁ ବେଶ ଗରମ କରି ରଖିଛି। ଯାହା ଜଣାପଡୁଛି ଆଗାମୀ ଦିନରେ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କ ଉପରେ ସେ ଆହୁରି କଠିନ ହେବେ। ଆହୁରି ସମାଲୋଚନା କରିବେ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ହକି ଖେଳାଳି ଅମିତ ରୋହିଦାସଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିବା ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି ଯେ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଏହି ପ୍ରତିଭାବାନ ଯୁବ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ। ତାଙ୍କର ଏହି ସଫଳତାରୁ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଓଡ଼ିଶାରୁ ଅନେକ ହକି ଖେଳାଳି ସୃଷ୍ଟି ହେବେ ଏବଂ ନିଜର ପ୍ରଦର୍ଶନ ମାଧ୍ୟମରେ ଆମ ଦେଶ ଓ ରାଜ୍ୟକୁ ଗର୍ବିତ କରାଇବେ ବୋଲି ମୋର ଦୃଢ଼ ବିଶ୍ୱାସ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଏହା କୌଣସି ରାଜନୈତିକ କାରଣ ନାହିଁ। ତାହା ହେଲା ଝାରସୁଗୁଡା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଏହି ଚିଠି ଲେଖିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଐତିହାସିକ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଜନଜାତି ସମୁଦାୟର ପ୍ରତିନିଧିତ୍ୱ କାହିଁ କେଉଁ କାଳରୁ ରହିଆସିଛି। ଜନଜାତିକୁ ବାଦ୍ ଦେଇ ଓଡ଼ିଆ ସଭ୍ୟତାର ପରିକଳ୍ପନା ଅସମ୍ଭବ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଜନଜାତୀୟ ମୂଳକୁ ମନେ ପକାଇ ଓଡ଼ିଆ ଜାତି ସବୁବେଳେ ଗର୍ବ କରିଆସିଛି। ଏହି କାରଣରୁ ହିଁ ଓଡ଼ିଶାର ଶାସକଶ୍ରେଣୀ କାଳେକାଳେ ଜନଜାତି ଭାଇଭଉଣୀମାନଙ୍କୁ ଆପଣା ପ୍ରଜାଠାରୁ ବି ଅଧିକ ବୋଲି ମଣିଆସିଛନ୍ତି।

ଏହି କ୍ରମରେ ଝାରସୁଗୁଡ଼ା କୋଲାବିରାର ଗୋଁଣ୍ଡ ଗଉଁତିଆ ଶହୀଦ କରୁଣାକର ସିଂହ ନାଏକ ଥିଲେ ଗୋଁଣ୍ଡ ସମୁଦାୟର ଅନ୍ୟତମ ସର୍ବମାନ୍ୟ ମୁଖିଆ। ପୃଥିବୀର ସର୍ବପୁରାତନ ଜନଜାତି ଭିତରୁ ଅନ୍ୟତମ ଏହି ଗୋଁଣ୍ଡ ସମୁଦାୟ ଓଡ଼ିଶା ସମେତ ସମଗ୍ର ମଧ୍ୟ-ଭାରତର ବିରାଟ ଭୂଖଣ୍ଡରେ ଶତାବ୍ଦୀ ଶତାବ୍ଦୀ ଧରି ରାଜୁତି କରି ଆସୁଛନ୍ତି।

ରାଣୀ ଦୁର୍ଗାବତୀ, ଭଗବାନ ବିର୍ସା ମୁଣ୍ଡା, ଶହୀଦ ମାଧୋ ସିଂହ, ବୀର ସୁରେନ୍ଦ୍ର ସାଏ ପ୍ରମୁଖଙ୍କ ନେତୃତ୍ୱର ବୀରଗାଥା ଗୋଁଣ୍ଡ ଜନଜାତି ତଥା ସମସ୍ତ ଭାରତୀୟଙ୍କୁ ଗର୍ବ କରିବାକୁ ବାଧ୍ୟ କରେ। ଗୋଁଣ୍ଡୱାନା ଛକକୁ ବିପ୍ଳବୀ ବୀର ତଥା ଶହୀଦ କରୁଣାକର ସିଂହ ନାଏକଙ୍କ ନାଁରେ ନାମିତ କରାଗଲେ ଏହି ମହାନାୟକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଝାରସୁଗୁଡ଼ାବାସୀ ଏବଂ ଗୋଁଣ୍ଡ ସମାଜ ପ୍ରତି ଉପଯୁକ୍ତ ସମ୍ମାନ ମିଳିବ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ମୁକ୍ତି ସଂଗ୍ରାମରେ ଗଣ୍ଡ ସମାଜର ତ୍ୟାଗ ଏବଂ ବଳିଦାନ ଅବିସ୍ମରଣୀୟ। ଆମେ ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଅଛେ, ଜନଜାତି ସମାଜର ସଂଗ୍ରାମୀ ବୀର–ବୀରାଙ୍ଗନାମାନଙ୍କର ଅକୁହା-ଅଲେଖା କଥା-କାହାଣୀଗୁଡ଼ିକୁ ଲୋକଲୋଚନକୁ ଆଣିବାର ଗୁରୁଦାୟିତ୍ୱ ବି ଆମେ ତୁଲାଉଛେ। ଓଡ଼ିଶାର, ବିଶେଷ କରି ପଶ୍ଚିମାଞ୍ଚଳର ଜନଜାତି ଅଧିନାୟକମାନଙ୍କୁ ସର୍ବଭାରତୀୟ ପାଠ୍ୟଖସଡ଼ାରେ ଯଥାସ୍ଥାନ ଦେବା ନିମନ୍ତେ ଆମେ ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୧୧ ତାରିଖରେ ଝାରସୁଗୁଡାର କଟାପାଲି ଷ୍ଟାଡିୟମ ଠାରେ ‘ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା’ର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ ସ୍ଥାନୀୟ ସମାଜର ଦାବୀ କ୍ରମେ ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ମତ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ନୂଆ ଦଳୀୟ ଦାୟିତ୍ବ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାହା ହେଲା ଦଳୀୟ ଦାୟିତ୍ବ। ଆଜି ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କର୍ଣ୍ଣାଟକର ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଆଗକୁ କର୍ଣ୍ଣାଟକ ନିର୍ବାଚନ ଥିବାରୁ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି।

ପୂର୍ବରୁ ଧର୍ମେନ୍ଦ୍ର ବିହାର ପରି ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ ପାଇଥିଲେ। ଏହାପରେ ଗତ ୟୁପି ନିର୍ବାଚନ ବେଳେ ତାଙ୍କୁ ସେଠାକାର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିଲା। ସେଠାରେ ବିଜେପି ସରକାର ଗଠନ କରିବାରେ ସକ୍ଷମ ହୋଇପାରିଛି। ସେହି ଭରସା କରି ତାଙ୍କୁ ଦଳ କର୍ଣ୍ଣାଟକ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ନିର୍ବାଚନ ଲଢିବେ ବୋଲି କହିଲେ ଧର୍ମେନ୍ଦ୍ର, ହେଲେ ଲୋକସଭା ନା ବିଧାନସଭା !

ଭୁବନେଶ୍ବର: ଏଥର ନିର୍ବାଚନ ଲଢିବେ, ଏହି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ବରରେ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଖବରକାଗଜ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ହେଲେ ତାଙ୍କୁ ଯେତେବେଳେ ପଚରାଗଲା ଯେ, ଲୋକସଭା ନା ବିଧାନସଭା ନିର୍ବାଚନ ଲଢିବେ, ତାହାର କୌଣସି ଉତ୍ତର ରଖିଲେ ନାହିଁ। ଚତୁରତା ସହିତ ସେ ଏହି ଉତ୍ତରକୁ ଏଡାଇ ଦେଲେ।

ସେ କହିଲେ ଯେ, ଏଥର ନିର୍ବାଚନ ଲଢିବା ପାଇଁ ମୁଁ ଦଳକୁ ଅନୁରୋଧ କରିଛି। ଦଳ ଅନୁସାରେ ମୁଁ ନିର୍ବାଚନ ଲଢିବି। ତେବେ କେଉଁ ଆସନରୁ ଛିଡା ହେବେ ବୋଲି ପଚାରିବା ପରେ ତାହାର ଉତ୍ତର ମଧ୍ୟ ସେ ଦେଇ ନ ଥିଲେ। ଫଳରେ ଧର୍ମେନ୍ଦ୍ର ତାଙ୍କର ଭବିଷ୍ୟତ ରାଜନୀତି ସଂପର୍କରେ କିଛି କହିଲେ ଆଉ କିଛି ଲୁଚାଇ ଦେଲେ। ଯାହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

ତେବେ ଧର୍ମେନ୍ଦ୍ରଙ୍କ କିଛି ବର୍ଷର କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ସେ ଢେଙ୍କାନାଳ ଲୋକସଭା ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ପ୍ରତି ମାସରେ ସେ ଏହି ଲୋକସଭା ଆସନରେ କିଛି ନା କିଛି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। ଏପରିକି ତାଙ୍କର ଧର୍ମପତ୍ନୀ ମଧ୍ୟ ସେଠାରେ ବିଭିନ୍ନ ଅଞ୍ଚଳ ବୁଲିବାରେ ଲାଗିଛନ୍ତି। ଢେଙ୍କାନାଳ ତାଙ୍କ ଅଞ୍ଚଳ ହୋଇଥିବାରୁ ସେ ସେଠାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି।

କେବଳ ଢେଙ୍କାନାଳ ନୁହେଁ, ସେ କୁଆଡେ ସମ୍ବଲପୁର ଲୋକସଭା ଆସନ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି। କାରଣ ଢେଙ୍କାନାଳରେ ତାଙ୍କ ପାଇଁ କିଛି ଅଡୁଆ ହେବ ବୋଲି ଧର୍ମେନ୍ଦ୍ର ଅନୁଭବ କରୁଛନ୍ତି। ସେଥିପାଇଁ ହାତରେ ଆଉ ଏକ ଆସନ ରଖିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମ ଓଡିଶାରେ ବିଜେପିର ଦବଦବା ରହିଥିବାରୁ ସେହି ଆସନ ତାଙ୍କ ପାଇଁ ସୁରକ୍ଷିତ ହେବ ବୋଲି ସେ ଚିନ୍ତା କରିଛନ୍ତି। କେବଳ ସମୟ ଆଉ ରାଜନୈତିକ ପାଣିପାଗକୁ ଅପେକ୍ଷା କରିଛନ୍ତି।

ପୂର୍ବରୁ ଧର୍ମେନ୍ଦ୍ର ୨୦୦୦ ମସିହାରେ ପାଲଲହଡାରୁ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୪ ମସିହାରେ ତତକାଳୀନ ଦେବଗଡ଼ ଲୋକସଭା ଆସନରୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଧର୍ମେନ୍ଦ୍ରଙ୍କ ବାପା ଦେବେନ୍ଦ୍ର ପ୍ରଧାନ ମଧ୍ୟ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ତେଣୁ ଧର୍ମେନ୍ଦ୍ରଙ୍କର ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ଅଭିଜ୍ଞତା ରହିଛି। ହେଲେ ବର୍ତ୍ତମାନ ସମୟରେ ସେହି ଅଭିଜ୍ଞତା କିପରି କାମ କରିବ ତାହା ପ୍ରଶ୍ନବାଚୀ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ରାଉରକେଲା ବିମାନର ଶୁଭାରମ୍ଭ ବେଳେ କାହିଁକି କ୍ଷୋଭ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ଭୁବନେଶ୍ବର ବିମାନ ବନ୍ଦରରେ ଭୁବନେଶ୍ବର ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ଦୁଇମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଟୁକୁନି ସାହୁ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯୋଗ ଦେଇଥିଲା।

ତେବେ ତା ପୂର୍ବରୁ ବିମାନ ବନ୍ଦର ହଲରେ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ଓଡିଶାର ଏହି ଦୁଇ ମନ୍ତ୍ରୀ ଯୋଗ ଦେଇଥିଲେ। ଏଥିରେ ଧର୍ମେନ୍ଦ୍ର ଭାଷଣ ଆରମ୍ଭ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ। ହେଲେ ଶେଷ ଆଡକୁ ସେ କ୍ଷୋଭ ପ୍ରକାଶ କରିଥିଲେ।

ଧର୍ମେନ୍ଦ୍ର ଏହି ବୈଠକରେ କହିଥିଲେ ଯେ, ଆଜି ସେ ବିଭିନ୍ନ ଖବରକାଗଜରେ ଏକ ବିଜ୍ଞାପନ ଦେଖିଲେ। ସେଥିରେ ଭୁବନେଶ୍ବର ରାଉରକେଲାକୁ ବିମାନ ଚଳାଚଳ କରିବ ବୋଲି ବିଜ୍ଞାପନ ଦିଆଯାଇଛି। ହେଲେ ଦୁଃଖର କଥା ସେହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋଟିଏ ଦିଆଯାଇ ନାହିଁ। ଏହି ବିମାନ ଉଡାଣ ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ସମ୍ଭବ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କର ଫଟୋଟିଏ ଦେଇ ନାହାଁନ୍ତି।

ଓଡିଶାର ଦୁଇମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଟୁକୁନି ସାହୁଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଯେ ଆପଣମାନେ ଏହା ଉପରେ ଚିନ୍ତା କରନ୍ତୁ। ଆପଣ ବିଜେଡି ଆମେ ବିଜେପି, ହେଲେ ଓଡିଶାର ଉନ୍ନତି କଥା ଆସିବା ବେଳେ ସମସ୍ତେ ଏକାଠି ହେବା ଉଚିତ। ମୁଖ୍ୟମନ୍ତ୍ରୀ ହକି ପାଇଁ ସର୍ବଦଳୀୟ ବୈଠକ କଲେ। ତାହାକୁ ଆମେ ସ୍ବାଗତ କରିଛୁ। ହେଲେ ଏହି ଉଦଘାଟନ ବେଳେ କଣ ପାଇଁ ଏପରି ପାତର ଅନ୍ତର କରାଯାଉଛି।

ତେବେ ଏପରି ପ୍ରଶ୍ନ ଉଠାଇ ଧର୍ମେନ୍ଦ୍ର ପ୍ରକୃତରେ କଣ କହିବାକୁ ଚାହୁଁଛନ୍ତି ତାହା କେହି ବୁଝିପାରିଲେ ନାହିଁ। କାରଣ ସେହି ବିଜ୍ଞାପନ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପ୍ରକାଶ କରିଛି। ସେହି ରାଜ୍ୟ ସରକାରଙ୍କ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କିପରି ଲାଗିବ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ପୂର୍ବରୁ ଓଡିଶାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖି କେନ୍ଦ୍ର ସରକାର ବିଜ୍ଞାପନ ଦେଇଛନ୍ତି। ହେଲେ ସେଥିରେ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇ ନ ଥିଲା। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିବ ବୋଲି ଧର୍ମେନ୍ଦ୍ର କିପିରି ଆଶା କଲେ ତାହା ଆଶ୍ଚର୍ଯ୍ୟ କରିଛି।

ଆଉ ଏକ ବଡ ଆଶ୍ଚର୍ଯ୍ୟ ହେଉଛି ବିମାନ ବନ୍ଦର ଭିତରେ ଯେଉଁ କାର୍ଯ୍ୟକ୍ରମ କରାଯାଇଥିଲା ତାହା ଖୋଦ କେନ୍ଦ୍ର ସରକାରଙ୍କର ଥିଲା। ହେଲେ କାହିଁ ସେଥିରେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀଙ୍କର କିମ୍ବା ଧର୍ମେନ୍ଦ୍ରଙ୍କର ଫଟୋ ଲଗାଇ ନାହାଁନ୍ତି। ସେଠାରେ କାହାର ଭୁଲ ବୋଲି ଧର୍ମେନ୍ଦ୍ର କହିବେ।

ତେବେ ଏହାର ଉତ୍ତର ଦେବା ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା ମାଇକ ମାଗୁଥିବା ବେଳେ ଧର୍ମେନ୍ଦ୍ର ନାହିଁ କରି ମାଇକ ଧରି ପଳାଇଲେ। ତେବେ ସେଠାରେ ଥିବା କେତେକ ଅତିଥୀ ମଜାରେ କଥା ହେଉଥିଲେ ଯେ, ଧର୍ମେନ୍ଦ୍ରଙ୍କର କେଉଁଠି ଫଟୋଟିଏ ଲାଗି ନ ଥିବାରୁ ସେ କୁଆଡେ ମନେ ମନେ ରାଗିଯାଇଛନ୍ତି।

Categories
Hockey Worldcup23 ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହକି ବିଶ୍ବକପ୍ ପାଇଁ ସବୁ ରାଜନୈତିକ ଦଳ ଏକାଠି, ନବୀନଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ପୁରୁଷ ବିଶ୍ବକପ୍‌ ହକି ୨୦୨୩ ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍‌ଭେନସେଣ୍ଟରଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ ।

ବିଶ୍ବକପ୍‌ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶ୍ବକପ୍‌ ହକି ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶ୍ଵ କପ ହକି ର ଆୟୋଜନ ରେ କେବଳ ଓଡ଼ିଶା ନୂହେଁ ସାରା ଦେଶର ସମ୍ମାନ ଜଡିତ .ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ.

ଆଲୋଚନାରେ ଭାଗ ନେଇ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଲଗାତର ଭାବେ ଦ୍ବିତୀୟ ଥର ବିଶ୍ବକପ୍‌ର ଆୟୋଜନ ସାରା ବିଶ୍ବରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି କରିଛି ବୋଲି ମତ ଦେଇ କ୍ରୀଡାର ଏହି ଉନ୍ନତି ଦିଗରେ ସରକାରଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇ ଥିଲେ।

ବୈଠକରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କର ପ୍ରଶଂସା କରିବା ସହ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ୨୦୩୬ ଅବସରରେ ଯେପରି ଓଡିଶାରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ମତପ୍ରକାଶ କରିଥିଲେ।

ଏତଦ୍‌ବ୍ୟତୀତ କ୍ରମାଗତଭାବେ ଦୁଇ ଥର ବିଶ୍ବକପ୍‌ ହକି ଆୟୋଜନ ଭଳି ବିରଳ ଘଟଣାକୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବା, ଉଭୟ ଭୁବନେଶ୍ବର-ରାଉରକେଲାର ସ୍ବଚ୍ଛତା ପାଇଁ ନାଗରିକ ମାନଙ୍କୁ ସାମିଲ କରିବା, ସ୍ଥାନୀୟ ଓଡିଆ ଖେଳର ପ୍ରସାର କରିବା, ରାଉରକେଲା-ଭୁବନେଶ୍ବର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବା ଆଦି ବିଭିନ୍ନ ସୁଚିନ୍ତିତ ମତାମତ ଦେଇ କେନ୍ଦ୍ରସରକାରଙ୍କ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର କହିଲେ ଯେ ରାଜ୍ୟର ସବୁ ଜିଲ୍ଲାରେ ହକି ଷ୍ଟାଡିଅମ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ଉପସଭାପତି ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ଶ୍ରୀ ଦେବୀପ୍ରସାଦ ମିଶ୍ର, ବିଜେଡିର ସଂଗଠନ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ।

ସେହିପରି ବିଜେପିର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସିପିଆଇର ଜାତୀୟ ସଂପାଦକ ଶ୍ରୀ ରାମକୃଷ୍ଣ ପଣ୍ଡା, ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆଇ ଏମ ର ରାଜ୍ୟ ସମ୍ପାଦକ ଶ୍ରୀ ଅଳିକିଶୋର ପଟ୍ଟନାୟକ, ସିପିଆଇ ର ଶ୍ରୀ ଅଭୟ ସାହୁ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ରବି ବେହେରା, ଆପ୍‌ର ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର, ଆରଜେଡିର ସଭାପତି ଶ୍ରୀ ହେମନ୍ତ କୁମାର ପ୍ରମୁଖ ଭାଗ ନେଇ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।

କ୍ରୀଡା ମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା ବୈଠକକୁ ସଂଯୋଜନା କରିଥିଲେ।

କ୍ରୀଡା ସଚିବ ଶ୍ରୀ ଆର. ଭିନିଲକ୍ରିଷ୍ଣା ଆଗାମୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୧୭ ଦିନିଆ ଭବ୍ୟ କ୍ରୀଡା ମହୋତ୍ସବର ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ବୈଠକରେ ଉପସ୍ଥାପନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଫସଲ ବୀମା ପାଇଁ ଏଚ୍‍ଡିଏଫ୍‍ସି ବ୍ୟାଙ୍କ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ଓଡିଶା ଚାଷୀଙ୍କ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟବାସୀ ବିଜେପିର ନାଟକବାଜି, ମିଥ୍ୟା ପ୍ରଚାର ଏବଂ ନକଲି କାରବାରକୁ ଦେଖୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଶ୍ରୀମତୀ ମିଶ୍ର କହିଛନ୍ତି ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ସରକାର କାହିଁକି ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀରେ ବୀମା କମ୍ପାନୀ ଭାବରେ ଏଚଡିଏଫ୍‍ସିକୁ ମନୋନୀତ କରିଛନ୍ତି ?

ବୋଧହୁଏ ସେ ଜାଣି ନାହାଁନ୍ତି ଯେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ନିଜ ଦଳ-ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଏକ କାର୍ଯ୍ୟକାରୀ କମ୍ପାନୀ ଭାବରେ ଏଚଡିଏଫ୍‍ସିକୁ ବାଛିଛନ୍ତି । ଏହି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଅନ୍ୟାୟ କରିଥିବା ସେ କହିବାକୁ ଚାହୁଁଛନ୍ତି କି ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଓଡ଼ିଶାର ଲୋକମାନେ ସତ କ’ଣ ଜାଣିବାକୁ ଚାହାନ୍ତି । ପିଏମ୍‍ଏଫ୍‍ବିୱାଇ ପାଇଁ ବୀମା ଏଜେନ୍ସିଗୁଡିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଟେଣ୍ଡର ଜରିଆରେ ମନୋନୀତ ହୋଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଛନ୍ତି । ଏଚଡିଏଫ୍‍ସି କେନ୍ଦ୍ର ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ । କେନ୍ଦ୍ର ମନ୍ତ୍ରୀ ଏହାକୁ ଅସ୍ୱୀକାର କରିପାରିବେ କି? ରାଜ୍ୟଗୁଡିକ କେବଳ ତାଲିକାଭୁକ୍ତ ବୀମା କମ୍ପାନୀଗୁଡିକ ମଧ୍ୟରେ ଟେଣ୍ଡର କରିଥାନ୍ତି । ଏହି ପ୍ରକ୍ରିୟା ସର୍ବତ୍ର ହୋଇଥାଏ ଏବଂ ଓଡିଶାରେ ସମାନ ପ୍ରକ୍ରିୟା ଅନୁସରଣ କରାଯାଇଛି ।

ପିଏମ୍‍ବିଏସୱାଇ ହେଉଛି ଏକ କେନ୍ଦ୍ରୀୟ ଯୋଜନା । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବଜେଟ୍ ପାରିତ ହୋଇଛି ଏବଂ ଯେତେବେଳେ କୃଷକ ଏବଂ ବୀମା କମ୍ପାନୀ ମଧ୍ୟରେ ବିବାଦ ଦେଖାଦିଏ ସେତେବେଳେ କେନ୍ଦ୍ର ସରକାର ହେଉଛନ୍ତି ‘ଆପିଲେଟ ଅଥରିଟୀ’ । ବର୍ତ୍ତମାନ ମାମଲାରେ ଆବେଦନ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି ।

ଯଦି କେନ୍ଦ୍ର ମନ୍ତ୍ରୀଙ୍କର କୃଷକମାନଙ୍କ ପାଇଁ ପ୍ରକୃତ ଚିନ୍ତା ଅଛି ତେବେ ସେ ମିଥ୍ୟା ପ୍ରଚାର କରିବା ପରିବର୍ତ୍ତେ ଓଡିଶାର କୃଷକମାନଙ୍କୁ ନ୍ୟାୟ ଦେବାପାଇଁ ତାଙ୍କ ସହଯୋଗୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ କଥା ହେବା ଉଚିତ । ବାସ୍ତବରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି ।

ଚାଷୀ ପ୍ରସଙ୍ଗରେ ବିଜେପି ଦ୍ୱାରା ପ୍ରଦର୍ଶିତ ହେଉଥିବା ନାଟକବାଜି ଏବଂ ମିଥ୍ୟାକୁ ଓଡିଶାର ଲୋକମାନେ ପସନ୍ଦ କରନ୍ତି ନାହିଁ ଏବଂ ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଧାମନଗରରେ ଧର୍ମେନ୍ଦ୍ର, ପ୍ରଚାର କଲେ ଜୋରଦାର

ଧାମନଗର/ଭୁବନେଶ୍ୱର: ଧାମନଗରରେ ମାତୃଶକ୍ତି ଓ ଯୁବଶକ୍ତି ଆମ ଦଳ ବିଜେପିକୁ ବିଜୟୀ କରିବ। ଏହି ଉପନିର୍ବାଚନରେ ଜନଆସ୍ଥା ଦ୍ୱାରା ବିଜେପିର ବଡ଼ ବିଜୟ ହେବ ବୋଲି ଶୁକ୍ରବାର ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଧାମନଗର ନିର୍ବାଚନମଣ୍ଡଳୀର ଦୋବଲ ବଜାରରୁ ପ୍ରଥମେ ପଦଯାତ୍ରା ଆରମ୍ଭ କରିଥିଲେ। ପରେ ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ, ଅସୁରାଳୀ ଓ ଶହୀଦ ନଗରରେ ନିର୍ବାଚନୀ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀ ସୂରଜଙ୍କୁ ଭୋଟ୍ ଦେବା ପାଇଁ ନାଗରିକଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଭିମାନୀ ଧାମନଗର ଜନତାଙ୍କ ବିଜେପି ପ୍ରତି ଆସ୍ଥା ଅବର୍ଣ୍ଣନୀୟ।

ନିର୍ବାଚନ ପ୍ରଚାର ସମୟରେ ଶ୍ରୀ ପ୍ରଧାନ ଧାମନଗର ଏନଏସି ସ୍ଥିତ ‘ମହତାବ ସେବା ସଦନ’ ପରିସରରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡା. ହରେକୃଷ୍ଣ ମହତାବ ଏବଂ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ‘ସାଗର ଭୂୟାଁ ଶିଶୁ ଉଦ୍ୟାନ’ ପ୍ରାଙ୍ଗଣରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସାଗର ଭୂୟାଁଙ୍କ ପବିତ୍ର ସ୍ମୃତି ପୀଠ ଓ ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଧାମନଗର ଯିବାବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଚଣ୍ଡିଖୋଲ, ଧର୍ମଶାଳା, କୂଆଖିଆ, ପାଣିକୋଇଲି, ଧାମନଗର ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତିହିଡି ବ୍ଲକର ପାଳିଆ ବଜାର, ଗଉମାଳା ଓ ବୋଡାକ ଠାରେ ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଧାମନଗର ଉପନିର୍ବାଚନ ପ୍ରଚାରକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଠାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ତଥା ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର‌୍ୟ୍ୟବଂଶୀ ସୂରଜଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ପ୍ରଚାର କରିବେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ ଓ ଅସୁରାଳୀରେ ପ୍ରଚାର କରିବେ । ପରେ ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସେହି ସ୍ଥାନରେ ଶ୍ରୀ ପ୍ରଧାନଙ୍କ ପ୍ରଚାର କରିବାର କାର‌୍ୟ୍ୟକ୍ରମ ରହିଛି ।

ସେହିପରି ଅକ୍ଟୋବର ୨୯ରେ ତିହିଡି ବ୍ଲକର ପାଳିଆ ବଜାର, ଗୌମାଳା ଓ ବୋଡାକ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର‌୍ୟ୍ୟକ୍ରମ ରହିଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ଏମିତି କାହିଁକି କଲେ? ମନୋଜ ମିଶ୍ରଣ ବେଳକୁ ଆସିଲେ, ତେଜେଶ୍ବର ବେଳକୁ ନାହିଁ

ଭୁବନେଶ୍ବର: ଓଡିଶା ବିଧାନାସଭା ନିର୍ବାଚନ ଆହୁରି ପ୍ରାୟ ବର୍ଷେ ପାଖାପାଖି ରହିଛି। ହେଲେ ଓଡିଶା ରାଜନୀତି ଏବେ ବେଶ୍ ସକ୍ରିୟ ହୋଇଯାଇଛି। ସାଧାରଣତଃ ନିର୍ବାଚନର କିଛି ମାସ ପୂର୍ବରୁ ଦଳ ଡିଆଁ ପର୍ବ ହୋଇଥାଏ। ହେଲେ ଏବେଠାରୁ ଏହି ଦଳବଦଳ ଉତ୍ସବ ଆରମ୍ଭ ହୋଇଯାଇଛି। ବିଶେଷ ଭାବେ ବିଜେଡି ଓ ବିଜେପି ଦଳରୁ ନେତାମାନେ ଡିଆଁଡିଇଁ ଆରମ୍ଭ କରିସାରିଲେଣି।

ସେହିପରି ଉତ୍ସବ ଗତ କିଛିଦିନ ଧରି ବିଜେପି ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ହେବାରେ ଲାଗିଛି। ଏହି ଉତ୍ସବ ବିଜେପି ପାଇଁ କେତେ ଲାଭ ବା କ୍ଷତି ହେବ ତାହା ଭିନ୍ନ କଥା। କିନ୍ତୁ ଏହି ଉତ୍ସବରୁ ବାରି ହୋଇପଡୁଛି ଦଳ ଭିତରେ ଥିବା ଅନ୍ତଃଦ୍ବନ୍ଦ। କାରଣ କେଉଁ ନେତା କାହାକୁ ଦଳକୁ ଆଣିଲେ ଆଉ ସେହି ମିଶ୍ରଣ ଉତ୍ସବରେ କିଏ ଟୋପି ପିନ୍ଧାଇବ ତାହା ହିଁ ଏହି ଅନ୍ତଃଦ୍ବନ୍ଦକୁ ପଦାରେ ପକାଇଛି। ଏହାର ପ୍ରମାଣ ଗତି କିଛିଦିନ ତଳେ ଦୁଇଟି ମିଶ୍ରଣ ପର୍ବରୁ ସ୍ପଷ୍ଟ ହୋଇଛି।

ଗତ ସେପ୍ଟେମ୍ବର ୩୦ ତାରିଖରେ ବିଜେଡିର ମୁଖପାତ୍ର ତଥା କେନ୍ଦ୍ରାପଡାର ଯୁବ ନେତା ତେଜେଶ୍ବର ପରିଡା ବିଜେପିରେ ମିଶିଲେ।  ତାଙ୍କ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ପ୍ରମୁଖ ରହିଲେ। ସେଦିନ ସେହି ଅଫିସ ଭିତରେ ଖୋଦ ରାଜ୍ୟ ବିଜେପିର ହର୍ତ୍ତାକର୍ତ୍ତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ହେଲେ ମିଶ୍ରଣ ପର୍ବକୁ ଆସିଲେ ନାହିଁ। ଦୁଇ ମିନଟ ପାଇ ମଧ୍ୟ ମିଶ୍ରଣ ପର୍ବରେ ନିଜକୁ ସାମିଲ ନ କରି ଅଫିସରେ ଅନ୍ୟକାମ ପାଇଁ ବସି ରହିଲେ।

ସେହିପରି ଆଉ ଏକ ଘଟଣାକୁ ଦେଖିବା। ଏଇ ଅକ୍ଟୋବର ୪ ତାରିଖରେ ବିଜେପିରେ ମିଶିଲେ କଂଗ୍ରେସର ମୁଖପାତ୍ର ମନୋଜ ମହାପାତ୍ର ଏବଂ ତାଙ୍କ ସମର୍ଥକ। ସେହି ମିଶ୍ରଣ ପର୍ବରେ କିନ୍ତୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମନୋଜ ଏବଂ ତାଙ୍କ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ। ତେବେ ପ୍ରଶ୍ନ ଉଠୁଛି ଯେ, ଧର୍ମେନ୍ଦ୍ର ଏପରି କାହିଁକି କଲେ। ତେଜେଶ୍ବର କଣ ଭୁଲ କଲେ ଯେ, ସେ ଅଫିସରେ ଥାଇ ମଧ୍ୟ ତାଙ୍କୁ ସ୍ବାଗତ କଲେ ନାହିଁ। ଆଉ ମନୋଜ ମହାପାତ୍ର କଣ ହେଲେ ଯେ ତାଙ୍କୁ ସ୍ବାଗତ କଲେ।

ଏହାର କାରଣରେ ଏତିକି କୁହାଯାଇପାରେ ଯେ, ତେଜେଶ୍ବରଙ୍କୁ ବୈଜୟନ୍ତ ପଣ୍ଡା ଆଣିଛନ୍ତି। ତେଣୁ ସେ ସେହି କାର୍ଯ୍ୟକ୍ରମରେ ରହିବା ଉଚିତ ମଣିଲେ ନାହିଁ। ଏହା ନୁହେଁ ଯେ, ତେଜେଶ୍ବର ବିଜେପିରେ ସାମିଲ ହେବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ସହିତ କଥା ହୋଇ ନ ଥିବେ।  ଏହା ନୁହେଁ ଯେ ଧର୍ମେନ୍ଦ୍ର ଏହି ମିଶ୍ରଣକୁ ଅନୁମତି ଦେଇ ନ ଥିବେ। ତାଙ୍କ ଜାଣତରେ ଏହା ନିଶ୍ଚିତ ହୋଇଥିବା। ହେଲେ ସେ ଏହି ମିଶ୍ରଣ ପର୍ବରେ ଯୋଗଦେବାକୁ ଉଚିତ ମନେ କଲେ ନାହିଁ। ଏହା ହିଁ ସ୍ପଷ୍ଟ ଯେ, ବୈଜୟନ୍ତ ଆଉ ଧର୍ମେନ୍ଦ୍ର ମଧ୍ୟରେ ରାଜନୈତିକ ସଂପର୍କ କିପରି ରହିଛି।

ବିଗତ ଦିନକୁ ଦେଖିଲେ ଏହା ସ୍ପଷ୍ଟ ଯେ, ଦଳର ଏମିତି କୌଣସି ମିଶ୍ରଣ ପର୍ବ ନାହିଁ ଯାହା କି ଧର୍ମେନ୍ଦ୍ର ଓଡିଶାରେ ଥିବେ ଆଉ ଏଥିରେ ଯୋଗ ଦେବେ ନାହିଁ। କୌଣସି ନେତା ବିଜେପିର ସାମିଲ ହେବାକୁ ଥିଲେ ଧର୍ମେନ୍ଦ୍ର ଦିଲ୍ଲୀରୁ ଦୈଡି ଆସନ୍ତି। ନିଜେ ମିଶ୍ରଣ ପୂର୍ବର ସମସ୍ତ କଥାବାର୍ତ୍ତା କରି ଦିନ ଧର୍ଯ୍ୟ କରନ୍ତି। ହେଲେ ସେଦିନ ଖୋଦ ଧର୍ମେନ୍ଦ୍ର ମିଶ୍ରଣ ପର୍ବ ବେଳେ ଦଳୀୟ କାର୍ଯ୍ୟାଳୟରେ ରହି ଏଥିରେ ଯୋଗ ନ ଦେବା ଏବଂ ମନୋଜ ମହାପାତ୍ରଙ୍କ ମିଶ୍ରଣରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଚାଲିଛି।

ତେବେ ଏ ସବୁ ବାଦବିବାଦ ଭିତରେ ତେଜେଶ୍ବର ପରିଡାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସନ୍ଦେହ ଜନକ। କାରଣ ‘ପ୍ରଧାନ’ ଆଉ ‘ପଣ୍ଡା’ ଙ୍କ ବଳ କଷାକଷି ମଝିରେ ‘ପରିଡା’ ଲହୁଲୁହାଣ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ବିଜେପିର ଯାତ୍ରା’ ପୁସ୍ତକକୁ ଉନମୋଚନ କଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଆଜି ‘ଅମିତ ସାହା ଏବଂ ବିଜେପି ଯାତ୍ରା’ ପୁସ୍ତକର ଓଡିଆ ଅନୁବାଦକୁ ଉନମୋଚନ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ସେ ଏହି ଉତ୍ସବର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକୁ ଉନମୋଚନ କରିଛନ୍ତି।

ଭୁବନେଶ୍ବରର ମେ ଫାୟାର କନଭେନସନ ହଲରେ ଆୟୋଜିତ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ସମୀର ମହାନ୍ତି ଏବଂ ସାମ୍ବାଦିକ ସପନ ଦାସଗୁପ୍ତା ମଧ୍ୟ ଯୋଗ ଦେଇଥିଲେ।

ହିନ୍ଦି ଓ ଇଂରାଜୀରେ ଏହି ପୁସ୍ତକକୁ ରଚନା କରିଛନ୍ତି ଅର୍ନିବାଣ ଗାଙ୍ଗୋଲି ଏବଂ ଶିବାନନ୍ଦ ଦ୍ବିବେଦୀ। ଯାହାର ଓଡିଆ ଅନୁବାଦ କରାଯାଇଛି। ଏହି ଉତ୍ସବରେ ସୌମ୍ୟରଂଜନ ଯୋଗ ଦେଇ ଅମିତ ସାହାଙ୍କ ରଣନୀତିକୁ ବେଶ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, ଏହି ପୁସ୍ତକଟି କେବଳ ବିଜେପି ନୁହେଁ ଅନ୍ୟ ଦଳର ନେତା ମଧ୍ୟ ପାଠ କରିବା ଉଚିତ। କାରଣ ଜଣେ ସଫଳ ନେତା ହେବା ପାଇଁ ଯାହା ଦରକାର ତାହା ଏହି ପୁସ୍ତକରେ ରହିଛି। ତେବେ ବିଜେଡି ବିଧାୟକ ଭାବେ ବିଜେପି ଯାତ୍ରା ପୁସ୍ତକୁ ଉନମୋଚନ କରିବା ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍‌ସିଟି’ର ସମାବର୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ ଏପରି କଥା

ସିଲଙ୍ଗ୍‌:  ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଇଡ଼ିଆ, ଇନୋଭେସନ ଏବଂ ଆକାଂକ୍ଷାର ଅପୂର୍ବ ସମାହାର ବୋଲି ଶନିବାର ମେଘାଳୟର ସିଲଙ୍ଗ୍ ସ୍ଥିତ ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍‌ସିଟିର ୨୭ତମ ସମାବର୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦୁଇଦିନିଆ ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମେଘାଳୟର ମୁଖ୍ୟମନ୍ତ୍ରୀ କରନାଡ୍ ସାଙ୍ଗମା, ଶିକ୍ଷା ମନ୍ତ୍ରୀ ଲାକ୍ଷମେନ୍ ରିମ୍ବୱିଙ୍କ ସହ ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟିର ସମାବର୍ତନ ସମାରୋହରେ ଯୋଗ ଦେଇଛନ୍ତି। ସମାରୋହରେ ବିଦ୍ୟାର୍ଥୀଙ୍କୁ ଡ଼ିଗ୍ରୀ ଓ ପଦକ ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ବିଶ୍ୱବିଦ୍ୟାଳୟ ଗୁଡିକ ସମାଜ ଓ ମାନବ ଜାତିର କଲ୍ୟାଣ ପାଇଁ ଗବେଷଣା କରିବାର ଏକ ଉପଯୁକ୍ତ ସ୍ଥାନ। ଲୋକଙ୍କ ଜୀବନଯାପନକୁ ସୁଗମ କରିବା ଦିଗରେ ଗବେଷଣା କରିବା ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ ପ୍ରୋତ୍ସାହନ ପ୍ରଦାନ କରିଥାଏ।

ଏ ମର୍ମରେ ପୂର୍ବତୋର ପର୍ବତୀୟ ବିଶ୍ୱବିଦ୍ୟାଳୟ ଉତର ପୂର୍ବାଂଚଳରେ ଗୁଣାତ୍ମକ ଶିକ୍ଷା କେନ୍ଦ୍ର ସ୍ଥାପନ କରିଅଛି। ସ୍ଥାନୀୟ ଅଂଚଳର ନାଗରିକଙ୍କ କଲ୍ୟାଣ ପାଇଁ ଉଚ୍ଚସ୍ତରୀୟ ଗବେଷଣା ଏବଂ ଜ୍ଞାନର ପ୍ରଚାରପ୍ରସାର ପାଇଁ ଏହି ଶିକ୍ଷାନୁଷ୍ଠାନର କାର୍ଯ୍ୟ ବାସ୍ତବପକ୍ଷେ ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ପ୍ରଣୟନ ହୋଇଥିବା ନୂଆ ରଷ୍ଟ୍ରୀୟ ଶିକ୍ଷା ନୀତି ଆମ ସମସ୍ତଙ୍କୁ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ଦିଗରେ ପଥ ପ୍ରଦର୍ଶକ ସାଜିବ। ଶିକ୍ଷା ନୀତିରେ ଶିଶୁଙ୍କ ସାମଗ୍ରିକ ବିକାଶ ସହ ଆଂଚଳିକ ଭାଷାରେ ଶିକ୍ଷାଦାନକୁ ଯଥେଷ୍ଟ ମହତ୍ୱ ଦିଆଯାଇଛି। ଅନୁରୂପ ଭାବରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାତା ହେବା ପାଇଁ ପ୍ରୋତ୍ସାହନ କରିବା ସହ କହିଛନ୍ତି ଆମେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଯୁବପିଢି ନିଜ ନିଜ ଦାୟିତ୍ୱକୁ ଗୁରୁତ୍ୱ ଦେବା ଉଚିତ୍।

ନର୍ଥ ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ଦୃଢ଼ ଆଲୁମିନି ନେଟୱାର୍କ ଗଠନ କରିବା ଦିଗରେ କାର୍ଯ୍ୟ କରନ୍ତୁ। ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ରାଜ୍ୟ, ଦେଶ ଏବଂ ମାନବ ସମାଜର ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି। ସେହିପରି ଶ୍ରୀ ପ୍ରଧାନ ସିଲଙ୍ଗ ଠାରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀ ଠାରେ ଆୟୋଜିତ ୪୯ତମ ଇଂଟରନ୍ୟାସନାଲ ଫେଡେରେସନ ଅଫ୍ ଟ୍ରେନିଂ ଏଣ୍ଡ୍ ଡେଭଲପମେଂଟ ଅର୍ଗାନାଇଜେନ (ଆଇଏଫଟିଡ଼ିଓ) ବିଶ୍ୱ ସମ୍ମିଳନୀ ଓ ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି।

‘ଷ୍ଟ୍ରାଟେଜିକ୍ସ ଫର୍ ଆନ୍ ଏଜାଇଲ ୱାର୍କ କଲଚର ; ପାଥୱେ ଟୁ ଦ ନ୍ୟୁ ଏଜ୍‌’ ବିଷୟ ଉପରେ ଆୟୋଜିତ ଏହି ଆଲୋଚନାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସମୟନୁସାରେ କାର୍ଯ୍ୟ କରିବାର ଶୈଳି ବଦଳିଛି। ଏହି ପରିବର୍ତିତ ଦୃଶ୍ୟପଟ୍ଟରେ ଏକ କୌଶଳ ରଣନୀତି ମାଧ୍ୟମରେ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପ୍ରତ୍ୟେକ କ୍ଷେତ୍ରରେ କ୍ଷମତା ଗଠନକୁ ଗୁରୁତ୍ୱ ଦିଆଯାଉଛି। କାପାସିଟି ବିଲଡିଂ କମିଶନ ଅଫ୍ ଇଣ୍ଡିଆ ବିଭିନ୍ନ ସଂସ୍ଥା ମଧ୍ୟରେ ଯୋଗସୁତ୍ର ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ ସାଙ୍ଗମା, ରାଜ୍ୟ ଶିକ୍ଷା ମନ୍ତ୍ରୀ ଶ୍ରୀ ରିମ୍ବୱି ଓ ସରକାରୀ ଅଧିକାରୀଙ୍କ ସହ ମେଘାଳୟରେ ପ୍ରାଥମିକ ଶିକ୍ଷା, ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ପରିସଂସ୍ଥାନ ଉପରେ ପ୍ରସ୍ତୁତ ଏକ ପ୍ରଜେଂଟେସନର ସମୀକ୍ଷା କରିଥିଲେ। ମେଘାଳୟ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରୁଥିବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING NEWS: ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କାରଣ କଣ ?

ଭୁବନେଶ୍ବର, ଆଜି ବିଜେପିର ପାଣିପାଗରେ ବଡ ପରିବର୍ତ୍ତନ ଘଟିଛି। ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳେ ବିଜୟଙ୍କ ବାସଭବନ ଯାଇ ତାଙ୍କ ସହିତ ଆଲୋଚନା କରିଛନ୍ତି। ସାକ୍ଷାତ ପରେ ଖୋଦ୍ ମନ୍ତ୍ରୀ ଧର୍ମେନ୍ଦ୍ର ତାଙ୍କର ସାମାଜିକ ଗଣମାଧ୍ୟମରେ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଆମ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସୌଜନ୍ୟ ସାକ୍ଷାତ କଲି।

ତେବେ ଦୁଇଜଣ ଯେହେତୁ ଗୋଟିଏ ଦଳର ନେତା ସେଥିପାଇଁ ଭେଟିବାରେ କିଛି ଅସୁବିଧା ନାହିଁ। ହେଲେ ରାଜନୈତିକ ପାଣିପାଗ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛି। କାରଣ ବିଜୟ ମହାପାତ୍ର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଭଲ ପଡୁ ନାହିଁ ବୋଲି ସମସ୍ତେ ଜାଣନ୍ତି। ବିଜୟ ମହାପାତ୍ର ବିଜେପିରେ ଥିଲେ ମଧ୍ୟ ତାଙ୍କୁ କଣଠୋସା କରି ରଖାଯାଇଥିଲା। ଦଳ ଭିତରୁ ତାଙ୍କୁ ଦୃଢ ସମର୍ଥନ ମିଳୁ ନ ଥିଲା। ଏହା ପଛରେ ଯେ ଧର୍ମେନ୍ଦ୍ରଙ୍କ ହାତ ଥିଲା ଏହା ସମସ୍ତେ ଜାଣିଛନ୍ତି।

ତେବେ ହଠାତ କଣ ହେଲା ଯେ, ମନ୍ତ୍ରୀ ଧର୍ମେନ୍ଦ୍ର, ବିଜୟଙ୍କୁ କୋଳାଇବାକୁ ବାଧ୍ୟ ହେଲେ। ସୁତ୍ର ଅନୁସାରେ ବର୍ତ୍ତମାନ କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ପତିୟାରା ହ୍ରାସ ପାଇବାରେ ଲାଗିଛି। ଏହାର କାରଣ ହେଲା ଧର୍ମେନ୍ଦ୍ର ରାଜ୍ୟ ସଂଗଠନକୁ ଠିକ ବାଟରେ ପରିଚାଳିତ କରିପାରୁ ନାହାଁନ୍ତି। ମୁଖ୍ୟତଃ ଧର୍ମେନ୍ଦ୍ରଙ୍କ ହମବଡା ନୀତି ପାଇଁ ଦଳରେ ଅନେକ ବରିଷ୍ଠ ଏପରିକି ତୃଣମୂଳ ନେତା ଅସନ୍ତୁଷ୍ଠ ମଧ୍ୟ ହେଉଛନ୍ତି। ଏସବୁ କେନ୍ଦ୍ରୀୟ ନେତା ଜାଣିବା ପରେ ଧର୍ମେନ୍ଦ୍ରଙ୍କ ପକ୍ଷ ଛେଦନ କରିଛନ୍ତି। ତାଙ୍କୁ ତାଗିଦ ମଧ୍ୟ କରିଛନ୍ତି।

ଏସବୁ ଘଟଣା ନିଜେ ଧର୍ମେନ୍ଦ୍ର ବୋଧହୁଏ ହୃଦବୋଧ କରିସାରିଲେଣି। ସେଥିପାଇଁ ଦଳରେ ବର୍ତ୍ତମାନ ଏକଚାଟିଆ ରାଜନୀତି ଆଉ ଚଳିବ ନାହିଁ ବୋଲି ଧର୍ମେନ୍ଦ୍ର ଅନୁଭବ କଲେଣି। ବିଭିନ୍ନ ନିର୍ବାଚନରେ ଦଳର ବିପୁଳ ପରାଜୟ ପ୍ରସଂଗକୁ ତୃଣମୂଳ ସ୍ତରର ନେତା ଆଉ ଗ୍ରହଣ କରୁ ନାହାଁନ୍ତି। କେଉଁଠି ନା କେଉଁ ତାଙ୍କର ହମବଡା ନିଷ୍ପତି ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି।

କାହାକୁ କଣଠୋସା କରିବା, କାହାକୁ ହାଇରାଣ କରିବା, କାହାକୁ ରାଗ ତମତମ ହେବା ପ୍ରଭୃତି କାମକୁ ଓଡିଶା ଲୋକେ ଆଉ ପସନ୍ଦ କରୁ ନାହାଁନ୍ତି। ସେ ସବୁକୁ ଅନୁଭବ କରି ଧର୍ମେନ୍ଦ୍ର ନିଜକୁ ସଜାଡିବାରେ ଲାଗିଛନ୍ତି। ଯାହାର ପ୍ରଥମ ପଦକ୍ଷେପ ହେଲା ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରି ମାନଭଞ୍ଜନ କରିବା। ଧର୍ମେନ୍ଦ୍ର ହୃଦବୋଧ କରିସାରିଲେଣି ଯେ, ଯଦି ସେ ସମସ୍ତଙ୍କୁ ସାଥିରେ ନ ନେଇ ଚାଲିବେ, ତେବେ ଆଗାମୀ ଦିନରେ ହୁଏତ ତାଙ୍କର ମନ୍ତ୍ରୀ ପଦ ମଧ୍ୟ ଖସିଯିବାର ସମ୍ଭାବନା ସୃଷ୍ଟି ହୋଇପାରେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବର୍ତ୍ତମାନ ଓଡିଶା ବିଜେପିର ପୋଷ୍ଟର ବଏ କିଏ ହେବ, ଅଶ୍ବିନୀ ନା ଧର୍ମେନ୍ଦ୍ର, ଚିନ୍ତାରେ ଦଳର ନେତା

ଭୁବନେଶ୍ବର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଶ୍ବିନୀ ବୈଷ୍ଣବଙ୍କ କ୍ଷମତା ବୃଦ୍ଧି ଏବଂ ଧର୍ମେନ୍ଦ୍ରଙ୍କ ଶକ୍ତିହ୍ରାସ ପରେ ଚିନ୍ତାରେ ରାଜ୍ୟ ବିଜେପି। କାରଣ ହେଲା ବର୍ତ୍ତମାନ ଓଡିଶାର ବିଭିନ୍ନ ପୋଷ୍ଟର ବ୍ୟାନରରେ ବିଜେପିର ମୁଖ୍ୟ ଆକର୍ଷଣରେ କିଏ ରହିବ। ଏ ନେଇ ଦଳ ଭିତରେ ଚାଲିଛି ଘଣ୍ଟାଚକଟା ।

ପୂର୍ବରୁ ଶକ୍ତିଶାଳୀ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କର ଓଡିଶା ବିଜେପିରେ ଅଖଣ୍ଡ କ୍ଷମତା ଥିଲା। ସେହି ଆଧାରରେ ସେ ଓଡିଶା ବିଜେପିର ଅଘୋଷିତ ସୁପ୍ରିମୋ ଭାବେ କାର୍ଯ୍ୟ କରୁଥିଲେ। ବିଜେପିର ସମସ୍ତ କାର୍ଯ୍ୟକ୍ରମର ପ୍ରଚାର ପତ୍ରରେ ଧର୍ମେନ୍ଦ୍ର ମୁଖ୍ୟ ଆକର୍ଷଣ ହୋଇଛନ୍ତି। ଅନେକ ପୋଷ୍ଟର ଏବଂ ହୋଡିଂସରେ ଧର୍ମେନ୍ଦ୍ରଙ୍କ ବଡମୁଣ୍ଡ ଏବଂ ରାଜ୍ୟର ଅନ୍ୟ ନେତାମାନଙ୍କ ଛୋଟ ମୁଣ୍ଡ ରହୁଥିଲା। ତାଙ୍କୁ ଧରି ବର୍ତ୍ତମାନ ବିଜେପି ରାଜ୍ୟରେ ରାଜନୀତି କରୁଛି।

ତେବେ ବର୍ତ୍ତମାନ ଅଶ୍ବିନୀ ବୈଷ୍ଣବ ପାୱାରଫୁଲ ମନ୍ତ୍ରୀ ହେବା ପରେ ତାଙ୍କୁ ପୋଷ୍ଟରବଏ କରାଯିବ କି ନାହିଁ ସେହି ଚିନ୍ତା ବିଜେପି ନେତାଙ୍କୁ ଘାରିଛି। ହେଲେ ଅଶ୍ବିନୀଙ୍କୁ ନେଇ ଓଡିଶା ବିଜେପି ପାଇଁ ଦୁଇଟି ବଡ ଅଡୁଆ ରହିଛି। ତାହା ହେଲା ସେ ହେଉଛନ୍ତି ରାଜ୍ୟ ଶାସକ ଦଳ ବିଜେଡିର ସମର୍ଥିତ ସାଂସଦ। ତେଣୁ ତାଙ୍କୁ ପୋଷ୍ଟର ବଏ କଲେ ଲୋକେ ଏହାକୁ କେତେଦୂର ଗ୍ରହଣ କରିବେ ସେ ନେଇ ସନ୍ଦେହ ରହିଛି।

ଦ୍ବିତୀୟରେ ତାଙ୍କୁ ଓଡିଶାର ଲୋକେ ଭଲ ଭାବେ ଜାଣନ୍ତି ନାହିଁ। ଏପରିକି ସେ ଓଡିଶା ରାଜନୀତିରେ ସକ୍ରିୟ ରହିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଅନ୍ୟ ଏକ ବଡ କଥା ହେଲା ଯେ, ଅଶ୍ବିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିରୋଧରେ କେବେ କିଛି କହିପାରିବେ ନାହିଁ। ତେଣୁ ବିଜେଡିକୁ ଯେଉଁ ମାଡ ମାରିବ ବୋଲି ବିଜେପି ଭାବିଛି ତାହା ଅଶ୍ବିନୀଙ୍କ ଦ୍ବାରା ହୋଇପାରିବ ନାହିଁ।

ଏସବୁକୁ ନେଇ ବିଜେପି ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛି। ଅଶ୍ବିନୀଙ୍କୁ ପୋଷ୍ଟର ବଏ କଲେ କିଛି ଲାଭ ହେବ ନାହିଁ ବୋଲି ଦଳ ଭାବୁଛି। ହେଲେ ସେ କେନ୍ଦ୍ରରେ ଜଣେ ପାୱାରଫୁଲ ମନ୍ତ୍ରୀ ହୋଇଥିବାରୁ ତାଙ୍କୁ ପୁରା ବାଇପାଶ ମଧ୍ୟ କରିପାରିବ ନାହିଁ। ଫଳରେ ବର୍ତ୍ତମାନ କଣ କରାଯିବ ସେ ନେଇ ଚିନ୍ତାରେ ପଡିଯାଇଛି ବିଜେପି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ପ୍ରାଧାନ୍ୟ ଅଙ୍କ ସବୁ ହୋଇଗଲା ଭୁଲ, ଏବେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ନା ଗୁରୁତ୍ବହୀନ କହିବ

ଭୁବନେଶ୍ବର, ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଆଶାଥିଲା ପେଟ୍ରୋଲିୟମ ଆଉ ଇସ୍ପାତ ବିଭାଗ ଯାଉ ପଛେ ରାଜ୍ୟସଭାରେ ବିଜେପି ସଂସଦୀୟ ନେତା ପଦ ମିଳୁ। ହେଲେ ସେଥିରେ ମଧ୍ୟ ତାଙ୍କୁ ହତାସ ହେବାକୁ ପଡିଛି।  ଆଜି ପୀୟୁଶ ଗୋଏଲଙ୍କୁ ବିଜେପି ଏହି ପଦ ପାଇଁ ମନୋନିତ କରିଛି। ତେବେ ଧର୍ମେନ୍ଦ୍ର କଣ ପାଇବେ ଆଉ ନ ପାଇବେ ତାହା ବଡ କଥା ନୁହେଁ। ବଡକଥା ହେଲା ଯେଉଁ ଗଣମାଧ୍ୟମ ତାଙ୍କୁ ମୋଦି ବେଶ ଗୁରୁ ଦାୟିତ୍ବ ଦେଇଛନ୍ତି ଏବଂ ଆଉ ଦେବେ ବୋଲି ପ୍ରଚାର କରୁଥିଲେ ସେମାନେ ଏବେ କହିବେ କଣ ?

ଧର୍ମେନ୍ଦ୍ରଙ୍କୁ ଯେତେବେଳେ ପେଟ୍ରୋଲିୟମ ଓ ଇସ୍ପାତ ବିଭାଗରୁ ବାହାର କରି ଶିକ୍ଷା ମନ୍ତ୍ରୀ କରାଗଲା ସେତେେବଳେ ଏହି ଗଣମାଧ୍ୟମଗୁଡିକର ପ୍ରଚାର ଥିଲା ଭିନ୍ନ। ଏମାନେ ଧର୍ମେନ୍ଦ୍ରଙ୍କୁ ମୋଦି ବେଶ ଗୁରୁତ୍ବ ଦେଇଛନ୍ତି ବୋଲି ପ୍ରଚାର କରିଥିଲେ। ଶିକ୍ଷା ବିଭାଗର ଗୁରୁତ୍ବ କେତେ ସେହିମାନେ ହିଁ ଜାଣିଥିବେ, ହେଲେ ସାଧାରଣ ଲୋକେ ଏହା ଠିକ୍ ବୁଝିଥିଲେ।

ଏହାପରେ ପୁଣି ଜାତୀୟ ଏବଂ ରାଜ୍ୟ ଗଣମାଧ୍ୟମରେ ପ୍ରଚାର କରାଗଲା ଯେ, ମୋଦି ଧର୍ମେନ୍ଦ୍ରଙ୍କୁ ପୁଣି ଏକ ଗୁରୁ ଦାୟିତ୍ବ ଦେବେ। ତାହା ଥିଲା ସେ କୁଆଡେ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳର ନେତା ହେବେ। ଏହା ଦ୍ବାରା ତାଙ୍କର କ୍ଷମତା ବଢିବ। ଏହାକୁ ବେଶ କିଛିଦିନ ଧରି ପ୍ରମୁଖ ଖବର ଭାବେ ପ୍ରଚାର ପ୍ରସାର କରାଗଲା। ହେଲେ ତାହା ମଧ୍ୟ ନ ମିଳିବା ପରେ ସେମାନେ ଏବେ ଚୁପ ହୋଇଯାଇଛନ୍ତି।

ନିକଟରେ ଧର୍ମେନ୍ଦ୍ରଙ୍କୁ ଯେତେବେଳେ କେତେକ ସଂସଦୀୟ କମିଟର ସଦସ୍ୟ କରାଗଲା ତାହାକୁ ମଧ୍ୟ ଏହି ଗଣମାଧ୍ୟମ ବେଶ ଗୁରୁତ୍ବପୂର୍ଣ ବୋଲି କହି ବୁଲିଲେ। ପ୍ରକୃତରେ ସଂସଦୀୟ କମଟିର ସଦସ୍ୟ ହେବା ଦ୍ବାରା କଣ ହୁଏ ତାହା ସାଧାରଣ ଜନତା ଜାଣନ୍ତି ନାହିଁ। ହେଲେ ଏହି କମିଟରେ ରହିବା ଦ୍ବାରା ଧର୍ମେନ୍ଦ୍ରଙ୍କ କୁଆଡେ କ୍ଷମତା ବୃଦ୍ଧି ହେଲା ବୋଲି କୁହାଗଲା।

ଏସବୁ ରିପୋର୍ଟ ଦେଖିବା ପରେ ଜଣଙ୍କର ମନରେ ପ୍ରଶ୍ନ ଆସିବ ଯେ, ଧର୍ମେନ୍ଦ୍ର କଣ କ୍ଷମତା ଲୋଭୀ କି ? ଧର୍ମେନ୍ଦ୍ର କଣ ବିନା କ୍ଷମତାରେ ରାଜନୀତି କରିପାରିବେ ନାହିଁ କି ? ଏସବୁ ଭିତରେ ଆମେ ଏକ ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ପାଇଛୁ। ତାହା ହେଲା, ଧର୍ମେନ୍ଦ୍ରଙ୍କୁ ସଂସଦୀୟ ନେତା କରିବା ପରେ କିପରି ଖବର ପ୍ରସାରଣ ହେବ ସେଥିପାଇଁ କରାଯାଇଥିଲା ଏକ ବଡ ଯୋଜନା।

ନୂଆଦିଲ୍ଲୀର କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଅନୁସାରେ ଧର୍ମେନ୍ଦ୍ରଙ୍କର କୋଟେରୀ ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେମାନେ ଜାତୀୟ ସ୍ତରର କେତେକ ଗଣମାଧ୍ୟମ ସହିତ ଯୋଗାଯୋଗ କରି ଏଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ କହିଥିଲେ। ଓଡିଶାରେ ମଧ୍ୟ ଧର୍ମେନ୍ଦ୍ରଙ୍କ ସମର୍ଥିତ ଚ୍ୟାନେଲ ବ୍ୟତିତ ଆଉ ତିନୋଟି ଚ୍ୟାନେଲ ସହିତ ଯୋଗାଯୋଗ କରାଯାଇଥିଲା। କେଉଁ ଲାଇନରେ ଖବର ଏବଂ ଆଲୋଚନା ହେବ ସେ ନେଇ ସେମାନଙ୍କୁ ଇଂରାଜୀ ଓ ଓଡିଆ ଭାଷାରେ ତଥ୍ୟ ମଧ୍ୟ ଯୋଗାଇ ଦିଆଯାଇଥିଲା।

ଯଦି ଧର୍ମେନ୍ଦ୍ରଙ୍କ ନାମ ସଂସଦୀୟ ନେତା ଭାବେ ଘୋଷଣା ହୋଇଥାଆନ୍ତା ତେବେ ଏମାନେ ସିଂହ ଲମ୍ପ ପ୍ରଦାନ କରିବା ପରି ଷ୍ଟୁଡିଓକୁ ଓହ୍ଲାଇ ଥାଆନ୍ତେ। ଧର୍ମେନ୍ଦ୍ରଙ୍କ କ୍ଷମତା ବଢିଲା ବୋଲି ଘନଘନ ପ୍ରଚାର କରିଥାଆନ୍ତେ। ହେଲେ ଶେଷ ମୂହୁର୍ତ୍ତରେ ଧର୍ମେନ୍ଦ୍ର ପ୍ରାଧାନ୍ୟ ଅଙ୍କ ସବୁ ଭୁଲ ହୋଇଗଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କ ଶିକ୍ଷା ବିଭାଗ ଯଦି ବଡ ଗୁରୁତ୍ବପୂର୍ଣ୍ଣ; ତେବେ ଅର୍ଥ, ଗୃହ, ପ୍ରତିରକ୍ଷା ଏବଂ ରେଳ ବିଭାଗ ସବୁ କଣ

ଭୁବନେଶ୍ବର, ଗତ ସାତ ତାରିଖରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଅଦଳବଦଳ ହୋଇଛି। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ବିଭାଗରୁ ବଦଳାଇ ଶିକ୍ଷା ବିଭାଗ ଦିଆଯାଇଛି। ପୂର୍ବରୁ ସେ ପେଟ୍ରୋଲିୟମ ସହିତ ଇସ୍ପାତ ବିଭାଗ ଦାୟିତ୍ବରେ ମଧ୍ୟ ଥିଲେ। ଏମିତି ଦେଖିଲେ ଏହି ଦୁଇଟି ବିଭାଗ ବଡ ଗୁରୁତ୍ବ ପୂର୍ଣ୍ଣ।

ହେଲେ ଏପରି ବିଭାଗରୁ ଶିକ୍ଷା ବିଭାଗକୁ ବଦଳି ହେବା ଖୋଦ ଧର୍ମେନ୍ଦ୍ର ଏବଂ ତାଙ୍କର ପ୍ରଶଂସକଙ୍କର ବୋଧହୁଏ ହଜମ ହୋଇପାରୁ ନାହିଁ। ସେଥିପାଇଁ ଜାତୀୟ ତଥା ଆଞ୍ଚଳିକ ଗଣମାଧ୍ୟମରେ ବେଶ ଜୋରଦାର ପ୍ରଚାର ହେଉଛି ଯେ, ଧର୍ମେନ୍ଦ୍ରଙ୍କୁ ମୋଦି ଏକ ଗୁରୁତ୍ବ ପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଏହାକୁ ଦେଖି ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଯଦି ଶିକ୍ଷା ବିଭାଗ ଗୁରୁତ୍ବପୂର୍ଣ୍ଣ ତେବେ ଅର୍ଥ, ଗୃହ, ପ୍ରତିରକ୍ଷା ଆଉ ରେଳ ବିଭାଗସବୁ କଣ ?

ଯେତେ ପ୍ରଚାର ପ୍ରସାର କଲେ ମଧ୍ୟ ସାଧାରଣ ଲୋକେ ଜାଣିପାରିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ମୋଦି ଗୁରୁତ୍ବ ଦେଲେ କି ଗୁରୁତ୍ବହୀନ କଲେ। କାରଣ ଯେ କେହି ଜାଣିପାରୁଛି ଯେ ପେଟ୍ରୋଲିୟମ ଏବଂ ଇସ୍ପାତ ବିଭାଗ କଣ ଏବଂ ଶିକ୍ଷା ବିଭାଗ କଣ। ଏଥିରେ ଧର୍ମେନ୍ଦ୍ରଙ୍କର କେଉଁ ପଟୁ ଗୁରୁତ୍ବ ବଢିଲା ବୋଲି ପ୍ରଚାର ଚାଲିଛି ତାହା ବୁଝାପଡୁ ନାହିଁ।

ବର୍ତ୍ତମାନ ଶିକ୍ଷା ବିଭାଗ କଥାକୁ ଆସିବା। ଏହି ବିଭାଗ ଏପରି ଏକ ବିଭାଗ ଯେଉଁଠି କେବଳ ବ୍ୟୟ କରାଯାଏ ସିନା ଆୟ ହୁଏ ନାହିଁ। ଅନ୍ୟପଟେ ଏହି ବିଭାଗ ଅଧିନରେ ଅଧିକାଂଶ ସଂସ୍ଥା ସବୁ ସ୍ବଂୟଶାସିତ ବ୍ୟବସ୍ଥାରେ ପରିଚାଳିତ। ୟୁଜିସି, ସିବିଏସଇ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଏନସିଆରଟି ପରି ବହୁ ସ୍ବଂୟଶାସିତ ସଂସ୍ଥା ରହିଛି। ଏସବୁ ସଂସ୍ଥା ସ୍ବାଧୀନ ଭାବେ କାର୍ଯ୍ୟ କରୁଛନ୍ତି। ଏସବୁ ସଂସ୍ଥାକୁ ମନ୍ତ୍ରଣାଳୟ ତରଫରୁ କେବଳ ଅର୍ଥ ବରାଦ କରିବା ବ୍ୟତିତ ଅନ୍ୟ ନିଷ୍ପତିରେ ମୁଣ୍ଡ ପୁରାଇ ପାରିବେ ନାହିଁ।

ଏସବୁ ନିଜେ ଧର୍ମେନ୍ଦ୍ର ଏବଂ ତାଙ୍କ ପ୍ରଶଂସକମାନେ ଅବଗତ ହୋଇଛନ୍ତି। ସେଥିପାଇଁ ସେମାନଙ୍କର କୌଣସି ପ୍ରକାରରେ ଏହି ବିଭାଗକୁ ନେଇ ଭିତରେ ଭିତରେ ଖୁସି ନାହାଁନ୍ତି। ପୂର୍ବରୁ ଧର୍ମେନ୍ଦ୍ରଙ୍କର ଯେପରି ପତିୟାରା ଥିଲା ତାହା ଯେ କ୍ଷୁର୍ଣ୍ଣ ହୋଇଛି ଏଥିରେ ସନ୍ଦେହ ନାହିଁ। ସେଥିରେ ପ୍ୟାଚଅପ ପକାଇବା ପାଇଁ ରିତିମତ ଧର୍ମେନ୍ଦ୍ରଙ୍କର ଗୁରୁତ୍ବ ବଢିଲା ବୋଲି  ପ୍ରଚାର କରାଯାଉଛି।

ଏହା ସହିତ ଆଉ ଏକ ଯୋଜରଦାର ପ୍ରଚାର ଚାଲିଛି ଯେ, ମୋଦି କୁଆଡେ ଧର୍ମେନ୍ଦ୍ରଙ୍କୁ ଦଳର ରାଜ୍ୟସଭା ନେତା କରିବେ। ଏହା ବହୁତ ଗୁରୁ ଦାୟିତ୍ବ ବୋଲି ଅନେକ ଗଣମାଧ୍ୟମ ପ୍ରଚାର କରିବାରେ ଲାଗିଛନ୍ତି। ସତ କଥା ଦଳୀୟ କାର୍ଯ୍ୟକର୍ତ୍ତା ଭାବେ ରାଜ୍ୟସଭାର ନେତା ହେବା ଭଲକଥା। ହେଲେ ପ୍ରଂଶସକମାନେ ଜାଣିବା ଉଚିତ ଯେ ରାଜ୍ୟସଭା ନେତା, ଶିକ୍ଷା ମନ୍ତ୍ରଣାଳୟ ମିଶାଇଲେ ମଧ୍ୟ କେବଳ ପେଟ୍ରୋଲିୟମ ବିଭାଗ ସହିତ ସମାନ ହେବ ନାହିଁ। ଇସ୍ପାତ ବିଭାଗକୁ ହିସାବରେ ସାମିଲ କରାଯାଇ ନାହିଁ।

ଯାହା ହେଲେ ବି ଧର୍ମେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି ସେଥିରେ ସେ ଖୁସି ହେବା କଥା। କାରଣ ଯେତେବେଳେ ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭେଦକର, ଡ ହର୍ଷବର୍ଦ୍ଧନ ପରି ନେତାଙ୍କୁ ଛୁଟି କରି ଦିଆଯାଇଛି ସେତେବେଳେ ଧର୍ମେନ୍ଦ୍ର କ୍ୟାବିନେଟ ବର୍ଥକୁ ସଂରକ୍ଷିତ କରି ରଖିଛନ୍ତି। ସେଥିରେ ସେ ଖୁସି ହେବା କଥା। ହେଲେ ତାହା ନ ହୋଇ ମୋଦି ତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ବୋଲି ପ୍ରଚାର ପ୍ରସାର କରାଇବା ଦ୍ବାର ନିଜର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି ସିନା ଲାଭ କିଛି ହେଉ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏହି ସପ୍ତାହରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ, ବଦଳିବ ଓଡିଶା ଚେହେରା

ନୂଆଦିଲ୍ଲୀ, ବହୁଦିନ ଧରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ତଥା ସଂପ୍ରସାରଣ ହେବ ବୋଲି ଚର୍ଚ୍ଚା ଜାରି ରହିଛି। ବର୍ତ୍ତମାନ ଏହାର ବାସ୍ତବ ରୂପ ନେବା ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସପ୍ତାହରେ କ୍ୟାବିନେଟ୍ ସଂପ୍ରସାରଣ ସହ ଅଦଳ ବଦଳ କରିବେ। ରିପୋର୍ଟ ଅନୁଯାୟୀ, 7 କିମ୍ବା 8 ଜୁଲାଇରେ ଏହି ସଂପ୍ରସାର ହେବ ବୋଲି ଅନୁମାନ କରାଯାଇଛି।

ବିଜେପି ସଭାପତି ଜେପି ନାଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ଆଲୋଚନା କରିଛନ୍ତି। ଅନେକ ନୂଆ ଚେହେରା ଏହି ସଂପ୍ରସାରଣରେ ସ୍ଥାନ ପାଇବେ। ଏମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ନାମ ପ୍ରାୟ ସ୍ଥିର ହୋଇଛି ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦିଆଯିବ।

ଅନେକ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ଖବର ଅନୁଯାୟୀ, ମୋଦୀ କ୍ୟାବିନେଟର ସମ୍ପ୍ରସାରଣରେ ଏନଡିଏର ସହଯୋଗୀ ଜନତା ଦଳ ୟୁନାଇଟେଡ ଏବଂ ଲୋକ ଜନଶକ୍ତି ପାର୍ଟିର ପାରାସ ଦଳର ନେତାମାନଙ୍କୁ ମଧ୍ୟ ସ୍ଥାନ ଦିଆଯିବ। ଦୁଇ ବର୍ଷରୁ ଅଧିକ ସମୟ ପରେ ମୋଦୀଙ୍କ କ୍ୟାବିନେଟ-୨ ଗଠନ ହେବାକୁ ଯାଉଛି।

ବିଜେପିର ସୂତ୍ରରୁ ପ୍ରକାଶ ଯେ ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ଏପରି ଲୋକଙ୍କୁ ସ୍ଥାନ ଦେବାକୁ ଚେଷ୍ଟା କରାଯାଉଛି ଯେଉଁମାନେ ଦଳକୁ ଦୃଢ ସମର୍ଥନ କରୁଛନ୍ତି। କାରଣ ବର୍ତ୍ତମାନ ମୁଦ୍ରାସ୍ଫୀତି, କରୋନା, ରାମ ମନ୍ଦିର ଭଳି ସମସ୍ୟା ରହିଛି, ଯାହା ଉପରେ ଦଳର ପକ୍ଷ ଦୁର୍ବଳ ଥିବା ଜଣାପଡିଛି।

କେଉଁମାନେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ

ଖବର ଅନୁଯାୟୀ, ମୋଦୀ କ୍ୟାବିନେଟ 19-20 ଜଣ ନୂଆ ଚେହେରା ମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବନନ୍ଦ ସୋନୋୱାଲ, ବିହାରର ପୂର୍ବତନ ଡେପୁଟି ସିଏମ, ବରୁଣ ଗାନ୍ଧୀ, ସନ୍ତୋଷ କୁଶୱା, ଜାମିଆଙ୍ଗ ସେରିଙ୍ଗ ନାମଗିଆଲ, ଲକେଟ ଚାଟାର୍ଜୀ ପାଇପାରିବେ। ଏକ ସ୍ଥାନ ଏହା ବ୍ୟତୀତ ଏଲଜେପି ନେତା ପଶୁପତି ପରାସଙ୍କ ନାମ ମଧ୍ୟ ଆଲୋଚନା ଚାଲିଛି। ତାଙ୍କୁ କ୍ୟାବିନେଟରେ ମଧ୍ୟ ଏକ ପଦ ଦିଆଯାଇପାରେ।

ନୂତନ ମନ୍ତ୍ରୀ ମଣ୍ଡଳରେ ଓଡିଶାର ଚେହେରା କଣ ହବ

ମୋଦୀଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ କିଏ ରହିବ ସେ ନେଇ ଚାଲିଛି ବିଶେଷ ଚର୍ଚ୍ଚା। ସେହି ଅନୁସାରେ କହିବାକୁ ଗଲେ ଧର୍ମେନ୍ଦ୍ର ପ୍ରଧାନଙ୍କର ପୂର୍ବପରି ପେଟ୍ରୋଲିୟମ ବିଭାଗ ରହିବ। ହେଲେ ଇସ୍ପାତ ବିଭାଗଟି ତାଙ୍କ ହାତରୁ ଖସିପାରେ। ଏପରି ଦିଲ୍ଲୀରେ ମଧ୍ୟ ଚର୍ଚ୍ଚା ଚାଲିଛି ଯେ ଧର୍ମେନ୍ଦ୍ରଙ୍କ ପୁରା ବିଭାଗ ବଦଳି ଯିବ, ତାଙ୍କୁ ନୂଆ ବିଭାଗର ଦାୟିତ୍ବ ପ୍ରଦାନ କରାଯିବ। ସେହିପରି ଓଡିଶାର ଅନ୍ୟତମ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ପଦ ଚାଲିଯାଇପାରେ ବୋଲି ଆଲୋଚନା ଚାଲିଛି। କାରଣ ତାଙ୍କର ବିଭାଗରେ ସେ ସନ୍ତୋଷଜନକ କାର୍ଯ୍ୟ କରିପାରି ନାହାଁନ୍ତି।

ତେବେ ଏହି ମନ୍ତ୍ରୀମଣ୍ଡଳରେ ଓଡିଶାରୁ ଯିଏ ସ୍ଥାନ ପାଇବେ ସେ ହେଉଛନ୍ତି ରାଜ୍ୟ ସଭା ସାଂସଦ ଅଶ୍ବନୀ ବୈଷ୍ଣବ। ତାଙ୍କର ଦିଲ୍ଲୀ ଦରବାରରେ ବେଶ ଦବଦବା ରହିଥିବାରୁ ତାଙ୍କୁ କ୍ୟାବିନେଟ ପ୍ୟାହା ଦିଆଯିବ। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମ ପ୍ରଥମେ ଚର୍ଚ୍ଚାରେ ଥିଲା। ହେଲେ ପରବର୍ତ୍ତି ସମୟରେ ତାଙ୍କ ନାମ ଆଉ ଆଲୋଚନା କରାଯାଉ ନାହିଁ। ଫଳରେ ସେ ମନ୍ତ୍ରୀ ହେବା ସମ୍ଭାବନା ନାହିଁ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, କରିପାରନ୍ତି ପ୍ୟାକେଜ ଘୋଷଣା

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରର ବିମାନ ବନ୍ଦରରେ ବାତ୍ୟା ୟଶ କ୍ଷୟକ୍ଷତି ଉପରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହିଛନ୍ତି।

ଏଥିସହିତ ମୁଖ୍ୟଶାସନ ସଚିବ, ପୋଲିସ ଡିଜି ଏବଂ ଏସଆରସିଙ୍କ ସହିତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସ୍ବାଗତ କରିଥିଲେ। ଏହାପରେ ସମୀକ୍ଷା ବୈଠକ ବିମାନ ବନ୍ଦର ଭିତରେ କରାଯାଇଥିଲା।

ଏହି ବୈଠକ ପରେ ମୋଦି ଆକାଶ ମାର୍ଗରୁ ବାତ୍ୟା ପରିସ୍ଥିତି ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଓଡିଶାର ବାତ୍ୟା କ୍ଷୟକ୍ଷତି ଉପରେ ପ୍ରଧାନମନ୍ତ୍ରୀ କିଛି ଘୋଷଣା କରିବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ଉପରକୁ ଆକ୍ରମଣ, ଜଣେ ବିଜେପି କର୍ମୀ ଆହତ

କୋଲକାତା, ପଶ୍ଚିମବଂଗ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ଉପରକୁ ଆକ୍ରମଣ ହୋଇଛି । ଧର୍ମେନ୍ଦ୍ର ନନ୍ଦିଗ୍ରାମରେ ରାଲି କରି ଯାଉଥିବା ବେଳେ କେତେକ ଦୁର୍ବତ ହଠାତ ଆକ୍ରମଣ କରିଥିଲେ।

ଏଥିରେ ଦକ୍ଷିଣ ମଣ୍ଡଳର ଜଣେ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଧର୍ମେନ୍ଦ୍ର ନନ୍ଦିଗ୍ରାମର ସୋନଚୂରାରେ ଏକ ଜନସଭାକୁ ସମ୍ବୋଧନ କରିବା ପାଇଁ ରାଲିରେ ଯାଉଥିଲେ। ସେହିଠାରେ ହିଁ  ଆକ୍ରମଣ କରାଯାଇଛି।

ଏନେଇ ନିର୍ବାଚନ ଆୟୋଗଙ୍କୁ ବିଜେପି ପକ୍ଷରୁ ଅବଗତ କରାଯାଇଛି । ଅଧିକ ଅର୍ଦ୍ଧ ସାମରିକ ବଳ ମୁତୟନ ପାଇଁ ବିଜେପି ଦାବି କରିବା ସହ ନିରପେକ୍ଷ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି । ଏହି ଆକ୍ରମଣ ଟିଏମସି କର୍ମୀମାନେ କରିଛନ୍ତି ବୋଲି ଅଭିଯୋଗ ହୋଇଛି।