ଧାମନଗରରେ ଧର୍ମେନ୍ଦ୍ର, ପ୍ରଚାର କଲେ ଜୋରଦାର

Published: Oct 28, 2022, 11:53 pm IST

ଧାମନଗର/ଭୁବନେଶ୍ୱର: ଧାମନଗରରେ ମାତୃଶକ୍ତି ଓ ଯୁବଶକ୍ତି ଆମ ଦଳ ବିଜେପିକୁ ବିଜୟୀ କରିବ। ଏହି ଉପନିର୍ବାଚନରେ ଜନଆସ୍ଥା ଦ୍ୱାରା ବିଜେପିର ବଡ଼ ବିଜୟ ହେବ ବୋଲି ଶୁକ୍ରବାର ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଧାମନଗର ନିର୍ବାଚନମଣ୍ଡଳୀର ଦୋବଲ ବଜାରରୁ ପ୍ରଥମେ ପଦଯାତ୍ରା ଆରମ୍ଭ କରିଥିଲେ। ପରେ ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ, ଅସୁରାଳୀ ଓ ଶହୀଦ ନଗରରେ ନିର୍ବାଚନୀ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀ ସୂରଜଙ୍କୁ ଭୋଟ୍ ଦେବା ପାଇଁ ନାଗରିକଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଭିମାନୀ ଧାମନଗର ଜନତାଙ୍କ ବିଜେପି ପ୍ରତି ଆସ୍ଥା ଅବର୍ଣ୍ଣନୀୟ।

ନିର୍ବାଚନ ପ୍ରଚାର ସମୟରେ ଶ୍ରୀ ପ୍ରଧାନ ଧାମନଗର ଏନଏସି ସ୍ଥିତ ‘ମହତାବ ସେବା ସଦନ’ ପରିସରରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡା. ହରେକୃଷ୍ଣ ମହତାବ ଏବଂ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ‘ସାଗର ଭୂୟାଁ ଶିଶୁ ଉଦ୍ୟାନ’ ପ୍ରାଙ୍ଗଣରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସାଗର ଭୂୟାଁଙ୍କ ପବିତ୍ର ସ୍ମୃତି ପୀଠ ଓ ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଧାମନଗର ଯିବାବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଚଣ୍ଡିଖୋଲ, ଧର୍ମଶାଳା, କୂଆଖିଆ, ପାଣିକୋଇଲି, ଧାମନଗର ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତିହିଡି ବ୍ଲକର ପାଳିଆ ବଜାର, ଗଉମାଳା ଓ ବୋଡାକ ଠାରେ ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

Related posts