Categories
ଆଜିର ଖବର ଜାତୀୟ ଖବର

କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ହଠାତ୍ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା

ନୂଆଦିଲ୍ଲୀ: ଆଜି ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଛି। ପଶ୍ଚିମବଙ୍ଗର ସିଲିଗୁଡିରେ ନିତିନ ଗଡକରୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଶର୍କରା ସ୍ତର ହ୍ରାସ ହେତୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ଏହା ପରେ ଡାକ୍ତରଖାନାର ଡାକ୍ତରଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମଗ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ। ଏହା ପରେ ନିତିନ ଗଡକରୀଙ୍କୁ ସେହି ସ୍ଥାନରୁ ବାହାର କରାଯାଇଥିଲା। ସୂଚନାନୁସାରେ, ବର୍ତ୍ତମାନ ସେ ବରସାନାସ୍ଥିତ ରାଜୁ ବିଷ୍ଟ ବାସଭବନକୁ ଯାଇ ବିଶ୍ରାମ ନେବେ। କେନ୍ଦ୍ର ମନ୍ତ୍ରୀଙ୍କ ଚିକିତ୍ସା ପାଇଁ ମାଟିଗଡା ସ୍ଥିତ ତାଙ୍କ ବାସଭବନରେ ବ୍ୟବସ୍ଥା କରାଯିବ। ତାଙ୍କ ସହିତ ଜଣେ ଡାକ୍ତର ମଧ୍ୟ ଅଛନ୍ତି।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉଦଘାଟିତ ହେଲା ଫିଫା ଅଣ୍ଡର ୧୭ ମହିଳା ଫୁଟବଲ ବିଶ୍ବକପ, ଯୋଗଦେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି।

ଶ୍ରୀ ଠାକୁର ଭାରତ ଏବଂ ଆମେରିକା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ମଧ୍ୟ ଦେଖିଥିଲେ। ଉଦଘାଟନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ଏହି ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ।

୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ସମେତ ନଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟସ୍‌ ଷ୍ଟାଡିୟମ ଏବଂ ଗୋଆର ପିଜେଏନ ଷ୍ଟାଡିୟମକୁ ମିଶାଇ ତିନୋଟି ସ୍ଥାନରେ ମିଳିତ ଭାବେ ଆୟୋଜନ କରାଯାଉଛି।

ଏହି କ୍ରୀଡ଼ା ମହାକୁମ୍ଭରେ ୧୬ଟି ଦେଶ ଭାଗ ନେଇଛନ୍ତି। ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ବସ୍ତରୀୟ ଏହି ସମ୍ମାନଜନକ ପ୍ରତିଯୋଗିତାର ସପ୍ତମ ସଂସ୍କରଣରେ ୪ଟି ଗ୍ରୁପରେ ବିଭାଜିତ ହୋଇ ଦଳଗୁଡ଼ିକ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିବେ। ଅକ୍ଟୋବର ୩୦ ତାରିଖରେ ନଭି ମୁମ୍ବାଇ ଠାରେ ଫାଇନାଲ ମୁକାବିଲା ଖେଳାଯିବ।

୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ବକପ ପ୍ରତିଯୋଗିତାରେ ତିନି ପୂର୍ବତନ ଚାମ୍ପିଅନ ଫ୍ରାନ୍ସ, ଜାପାନ ଏବଂ ସ୍ପେନ୍‌ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟପକ୍ଷରେ କାନାଡା, ଜର୍ମାନୀ, ନ୍ୟୁଜିଲାଣ୍ଡ ଓ ଜାପାନ ସବୁଥର ଭଳି ଚଳିତ ସଂସ୍କରଣରେ ମଧ୍ୟ ଭାଗ ନେବାର ରେକର୍ଡ ବଜାୟ ରଖିଛନ୍ତି।

ଏଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରୁଛି। ୨୦୧୭ରେ ୧୭ ବର୍ଷରୁ କମ୍‌ ପୁରୁଷ ଫୁଟବଲ ବିଶ୍ବକପ ପରେ ଭାରତୀୟ ମହିଳା ଦଳ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ ରଖିଛି।

ଅନ୍ୟପକ୍ଷରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାରେ କ୍ରୁଟ୍‌ ଦ୍ବାରା ପରିଚାଳିତ ‘ମୋ ବସ୍‌ ଓ ମୋ ଇ-ରାଇଡ୍‌’ ସେବାକୁ  ପୁରସ୍କୃତ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ନୂଆଦିଲ୍ଲୀ ଠାରେ ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସାର୍ବଜନୀନ ପରିବହନ ସେବା ପ୍ରଦାନ କରୁଥିବା ମୋ ବସ୍‌ ଓ ମୋ ଇ-ରାଇଡକୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଛି। ସ୍ମାର୍ଟ ସିଟୀରେ କାର୍ଯ୍ୟକାରୀ ହେଉଥିବା ସଫଳ ସମାଧାନ ବା ସଲ୍ୟୁସନ୍ସ ବର୍ଗରେ ଓଡ଼ିଶାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ବାରା ପ୍ରଦାନ କରାଯାଉଥିବା ‘ମୁଭିଂ ୱିଦ୍‌ ପ୍ରାଇଡ୍‌’ ବା ସମ୍ମାନର ସହ ଯାତ୍ରା ସେବା (ମୋ ବସ ଓ ମୋ ଇ-ରାଇଡ୍‌)କୁ ପୁରସ୍କାର ମିଳିଛି।

ଦିବ୍ୟାଙ୍ଗ, ମହିଳା ଓ ବାଳିକା ଏବଂ ବୟସ୍କମାନେ ସମ୍ମୁଖିନ ହେଉଥିବା ସମସ୍ୟା ଦୂର କରିବା ସହିତ ସେମାନଙ୍କୁ ସହରସ୍ତରୀୟ ଅଭିଗମ୍ୟତା ଓ ସମାବେଶିତା ପ୍ରଦାନ କରିବା ଲାଗି ଜାତୀୟ ସହରାଞ୍ଚଳ ବ୍ୟାପାର ସଂସ୍ଥାନ (ଏନଆଇୟୁଏ) ଏବଂ ଭାରତରେ ମିଳିତ ଜାତିସଂଘ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ଅବସରରେ ଭାରତରେ ମିଳିତ ଜାତିସଂଘର ଆବାସିକ ସଂଯୋଜକ ଶ୍ରୀ ଶୋମ୍ବି ଶାର୍ପ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ସ୍ମାର୍ଟ ସିଟି ମିଶନର ଯୁଗ୍ମ ସଚିବ ତଥା ମିଶନ ନିର୍ଦ୍ଦେଶକ କୁନାଲ କୁମାରଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ପୁରୀ କହିଥିଲେ ଯେ, ଅଭିନବ ସମାଧାନଗୁଡ଼ିକର ସୃଜନଶୀଳ କ୍ଷମତା ଏବଂ ଦିବ୍ୟାଙ୍ଗ, ମହିଳା ଓ ବୟସ୍କଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଏଥିରେ ରହିଥିବା ସମାଧାନ ଦେଖିବାକୁ ମିଳିବା ଆନନ୍ଦର ବିଷୟ। ଶ୍ରେଷ୍ଠ ସମାଧାନଗୁଡ଼ିକ ସବୁବେଳେ ସରଳ ହୋଇଥାଏ ଏବଂ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରିଥାଏ। ଏହାର ସ୍ପଷ୍ଟ ଲାଭ ରହିଥାଏ ଏବଂ ଏହାକୁ ବ୍ୟବହାରକାରୀମାନେ ବ୍ୟାପକ ଭାବେ ଗ୍ରହଣ କରିଥାନ୍ତି। ଏହି ସମାଧାନଗୁଡ଼ିକ ସାର୍ବଜନୀନ ଡିଜାଇନକୁ ସମନ୍ବିତ କରିବା ସହିତ ସବୁ ଦୁର୍ବଳ ବର୍ଗଙ୍କ ପାଇଁ ଏକ ନିରାପଦ, ସମାବେଶୀ ଓ ଅଭିଗମ୍ୟ, ସବୁଜ ଓ ସାର୍ବଜନୀନ ସ୍ଥାନ ଯୋଗାଇ ଦେବା ନିମନ୍ତେ ଏସଡିଜି ଲକ୍ଷ୍ୟ ୧୧.୭କୁ ହାସଲ କରିବାରେ ସହାୟକ ହେବ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଭାରତରେ ଦିବ୍ୟାଙ୍ଗ ବ୍ୟକ୍ତି ଅଧିକାର ଆଇନ ୨୦୧୬ କାର୍ଯ୍ୟକାରୀ କରାଯିବା ପରେ ମାନ୍ୟତାପ୍ରାପ୍ତ ଭିନ୍ନକ୍ଷମତା ତାଲିକା ୭ରୁ ୨୧କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ପୂର୍ବରୁ ଆକଳନ କରାଯାଉଥିବା ସଂଖ୍ୟା ଠାରୁ ଖୁବ ଅଧିକ ସଂଖ୍ୟକ ଲୋକ କୌଣସି ନା କୌଣସି ଅକ୍ଷମତା ସହିତ ଭାରତରେ ରହୁଛନ୍ତି।

ଶ୍ରୀ ପୁରୀ କହିଥିଲେ ଯେ, ମିଳିତ ଜାତିସଂଘ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଏସଡିଜି-୨୦୩୦କୁ ମୋଦୀ ସରକାର ପୂର୍ବରୁ କାର୍ଯ୍ୟକାରୀ କରି କରିସାରିଛନ୍ତି। ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଛି। ସବୁଠୁ ପଛରେ ରହିଥିବା ବ୍ୟକ୍ତିଙ୍କ କଲ୍ୟାଣ ନିମନ୍ତେ ଆମେ ସର୍ବୋଦୟରୁ ଅନ୍ତ୍ୟୋଦୟ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛୁ। ଏହା ଭାରତରେ ଏସଡିଜି ଲକ୍ଷ୍ୟକୁ ସଫଳ କରିପାରିବ। ଏସଡିଜିର ସଫଳତା ପାଇଁ ଭାରତ ଏସବୁ ଲକ୍ଷ୍ୟରେ ଭଲ ପ୍ରଦର୍ଶନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।

ଶ୍ରୀ ପୁରୀ କହିଥିଲେ ଯେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୌଳିକ ଅଧିକାରକୁ ସୁଦୃଢ଼ କରିବା ସହିତ ମୌଳିକ କର୍ତ୍ତବ୍ୟ ପାଳନ ଉପରେ ଗୁରୁତ୍ବାରୋପ କରାଯାଉଛି। ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦୀ ତାଙ୍କର ସ୍ବାଧୀନତା ଦିବସ ଅଭିଭାଷଣରେ ଏଥିପ୍ରତି ଜୋର ଦେଇ ‘ପଞ୍ଚ ପ୍ରଣ’  ବିଷୟରେ କହିଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଏହା ଜରୁରି। ନିଜ ଦେଶର ନାଗରିକମାନଙ୍କ କଲ୍ୟାଣ ପାଇଁ ଉତ୍ତରଦାୟିତ୍ବ ଏବଂ ବିଶ୍ବସ୍ତତାର ସହିତ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଏବଂ ନିଜ ଭିତରେ ଏକ ସମ୍ବେଦନଶୀଳତା ବିକଶିତ କରିବା ଲାଗି ଭାରତୀୟମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି।

ଶ୍ରୀ ପୁରୀ କହିଥିଲେ ଯେ, ଆମ ସହର ପାଇଁ ନାଗରିକ କୈନ୍ଦ୍ରିକ ଓ ସହଭାଗୀ ସମାଧାନ ଆବଶ୍ୟକ, ଯାହା ଏପରି ଏକ ଇକୋସିଷ୍ଟମ ନିର୍ମାଣ କରିବ ଯେଉଁଠି ଭାରତୀୟମାନେ ଦିବ୍ୟାଙ୍ଗମାନଙ୍କ ଆବଶ୍ୟକତା ପ୍ରତି ଅଧିକ ସହାନୁଭୂତିଶୀଳ ହେବେ। ସେ ଆହୁରି କହିଥିଲେ ଯେ, ଭାରତରେ ବିଶେଷ କରି ସହାୟକ ପ୍ରଯୁକ୍ତିର ପୂର୍ବରୁ କାର୍ଯ୍ୟକ୍ଷମତା ରହିଛି। ସୁବିଧାଜନକ ଏବଂ ସମାବେଶୀ ସହରାଞ୍ଚଳ କ୍ଷେତ୍ର ନିର୍ମାଣ କରିବା ଲାଗି ଆମେ ଏହି ଧାରାକୁ ଉପଯୋଗ କରିବା ଉଚିତ୍‌।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ହେଉଛି ଏପରି ଏକ ବ୍ୟବସ୍ଥା ଯାହା ମାଧ୍ୟମରେ ଆମେ ଦିବ୍ୟାଙ୍ଗମାନଙ୍କୁ ସୁବିଧାଜନ ଓ ସମାବେଶୀ ପରିବେଶ ଯୋଗାଇ ଦେଇପାରିବା। ଦିବ୍ୟାଙ୍ଗତାକୁ ନେଇ ରହିଥିବା ଭେଦଭାବ ଦୂର କରିବାକୁ ହେଲେ ସାମାଜିକ ସଚେତନତା ଜରୁରି। ସେ ଆହୁରି କହିଥିଲେ ଯେ, ଏହି ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ପାଇଁ ସମାଧାନ ବିକଶିତ କରିବାରେ ସ୍ଥାନୀୟ ଉଦ୍ୟୋଗୀମାନେ ସ୍ବଦେଶୀ ପ୍ରଯୁକ୍ତି ବିନିଯୋଗ କରିବା ଉତ୍ସାହଜନକ। ସବୁ ୧୦୦ଟି ସ୍ମାର୍ଟ ସିଟିରେ ସମନ୍ବିତ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିଛି। ସହର ମଧ୍ୟରେ ଉନ୍ନତ ସମନ୍ବୟ ପାଇଁ ପ୍ରଯୁକ୍ତିକୁ ବିନିଯୋଗ କରିବାରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୀ କହିଥିଲେ।

ଆଦର୍ଶ ସ୍ବଦେଶୀ ପ୍ରଯୁକ୍ତିଗତ ନବସୃଜନ ଏବଂ ସମାଧାନକୁ ବିନିଯୋଗ କରିବା ସହିତ ଜନକୈନ୍ଦ୍ରିକ ଡିଜାଇନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସ୍ମାର୍ଟ ସଲ୍ୟୁସନ୍ସ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ଚଳିତ ବର୍ଷ ଏପ୍ରିଲ ମାସରେ ଶୁଭାରମ୍ଭ କରାଯାଇଥିଲା।

ଏକ ଖୋଲା ଆବେଦନ ପ୍ରକ୍ରିୟାରେ ଏଥିପାଇଁ ୧୦୦ରୁ ଅଧିକ ଆବେଦନ ମିଳିଥିଲା। ଏଥିମଧ୍ୟରୁ ୧୦ଟି ପ୍ରଯୁକ୍ତି ଆଧାରିତ ନବସୃଜନକୁ ଚିହ୍ନଟ କରାଯାଇଥିଲା। ୭ ଜଣିଆ ବିଚାରକ ମଣ୍ଡଳୀ ବ୍ୟାପକ ଯାଞ୍ଚ କରିବା ପରେ ବିଜେତା ସମାଧାନ ବା ସଲ୍ୟୁସନ୍ସ ଭାବେ ଏହିସବୁ ପ୍ରଯୁକ୍ତି ଆଧାରିତ ନବସୃଜନକୁ ବାଛିଥିଲେ। ଏହି ଦଶଟି ପ୍ରଯୁକ୍ତି ଆଧାରିତ ସଲ୍ୟୁସନ୍ସକୁ ସମାବେଶୀ ସହର ପୁରସ୍କାର ୨୦୨୨; ପ୍ରଦାନ କରାଯାଇଛି।

ବର୍ଗ ୧: ପ୍ରାରମ୍ଭିକ ସ୍ତରର ନବସୃଜନ

ଗ୍ଲୋଭାଟ୍ରିକ୍ସ ପ୍ରାଃ ଲିଃ ଦ୍ବାରା ପ୍ରସ୍ତୁତ ଫିଫ୍‌ଥ୍‌ ସେନ୍ସ

ଓଲା ମୋବିଲିଟି ଇନଷ୍ଟିଚ୍ୟୁଟ୍‌ ଦ୍ବାରା ଡିଜିଟାଲ ମୋବିଲିଟୀ ସବସିଡି

ଆକ୍ସେସେବଲ ଡିଜାଇନ୍ସ ଏଲଏଲପି ଦ୍ବାରା ଆକ୍ସେସେବଲ ପ୍ଲେସେସ

ବର୍ଗ ୨: ବଜାର ପ୍ରସ୍ତୁତ ସମାଧାନ

ଡେକ୍ସେଟ୍ରୋୱେର ଡିଭାଇସେସ ଦ୍ବାରା ମାଉସୱେର

ଇନକ୍ଲୁଇଷ୍ଟିକ୍‌ ପ୍ରାଇଭେଟ୍‌ ଲିମିଟେଡ/ଫ୍ରେଣ୍ଡସ୍‌ ଫର ଇନକ୍ଲୁଜନ ଦ୍ବାରା ସାଇନର. ଏଆଇ

ଆଇଆଇଟି ଦିଲ୍ଲୀର ଗବେଷକ ବିକାଶ ଉପାଧ୍ୟାୟଙ୍କ ପ୍ରସ୍ତୁତ ଇନକ୍ଲୁମ୍ୟାପ୍ସ

ବର୍ଗ ୩: କାର୍ଯ୍ୟକାରୀ ହୋଇଥିବା ସମାଧାନ

ବେଲଗାଭୀ ସ୍ମାର୍ଟ ସିଟୀ ଲିମିଟେଡ ଦ୍ବାରା ପ୍ରସ୍ତୁତ ବହୁମୁଖି ସମାବେଶୀତା : ଶିକ୍ଷା ଓ ସାକ୍ଷରତା ପାଇଁ ଆଧୁନିକ ପ୍ରଯୁକ୍ତିର ବ୍ୟବହାର

ଟେକ୍ରା ସଲ୍ୟୁସନ୍ସ ପ୍ରାଃ ଲିଃ ଦ୍ବାରା ପ୍ରସ୍ତୁତ ମାଇ ଉଡ଼ାନ୍‌

ଓଡ଼ିଶାର କ୍ୟାପିଟାଲ ରିଜିଅନ ଉର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ବାରା ପ୍ରଦାନ କରାଯାଉଥିବା ‘ମୁଭିଂ ୱିଦ୍‌ ପ୍ରାଇଡ୍‌’ ବା ସମ୍ମାନର ସହ ଯାତ୍ରା ସେବା (ମୋ ବସ ଓ ମୋ ଇ-ରାଇଡ୍‌)

ସାଗର ସ୍ମାର୍ଟ ସିଟୀ ଲିଃ ଦ୍ବାରା ପ୍ରସ୍ତୁତ ନିର୍ଭୟା ଆପ୍‌

ଏହି କାର୍ଯ୍ୟକ୍ରମ ଅବସରରେ ‘କମ୍ପେଡିୟମ ଅଫ୍‌ ସ୍ମାର୍ଟ ଏଣ୍ଡ ଇନୋଭେଟିଭ୍‌ ଫର ଏନ୍‌ ଇନକ୍ଲୁସିଭ୍‌ ଏଣ୍ଡ ଆକ୍ସେସିବଲ ଅର୍ବାନ ଫ୍ୟୁଚର’ ଦସ୍ତାବିଜ ଉନ୍ମୋଚନ କରାଯାଇଥିଲା। ଏହି କମ୍ପେଡିୟମରେ ଭାରତରେ ଉପଲବ୍ଧ ପ୍ରଯୁକ୍ତି ନବସୃଜନ ଏବଂ ଶ୍ରେଷ୍ଠ ପଦ୍ଧତି ସମ୍ପର୍କରେ ଦସ୍ତାବିଜ ପ୍ରସ୍ତୁତ କରିବା ସହିତ ସୂଚନାର ପ୍ରସାର କରିବା ଲାଗି ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଚୟନ କରାଯାଇଥିବା କେତେକ ସମାଧାନ ବା ସଲ୍ୟୁସନ୍ସ ରହିଛି। ସହରାଞ୍ଚଳ ବିଶେଷଜ୍ଞମାନେ ଏହାକୁ ସହରରେ ଏକ ସମ୍ବଳ ଭାବେ ବ୍ୟବହାର କରିପାରିବେ। ସାରା ବିଶ୍ବରେ, ବିଶେଷ କରି କମ୍‌ ଆୟ ବର୍ଗର ଦେଶ ପାଇଁ ମଧ୍ୟ ଏହି ଦସ୍ତାବିଜ ଉପଯୋଗୀ ସାବ୍ୟସ୍ତ ହୋଇପାରିବ।

Categories
ଆଞ୍ଚଳିକ

କେନ୍ଦ୍ର ମନ୍ତ୍ରୀଙ୍କ ଚିଲିକା ଗସ୍ତ: ଆରମ୍ଭ କଲେ ହର ଘର ତ୍ରିରଙ୍ଗା ଅଭିଯାନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସ୍ୱାଧି ନିରଞ୍ଜନ ଜ୍ୟୋତି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ସେ ବାଲୁଗାଁ ଗାନ୍ଧୀ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗାର ପ୍ରଚାର ପ୍ରସାର ପାଇଁ ବଜାର ପରିକ୍ରମା କରିବା ସହ ୭ ନଂ ୱାର୍ଡ ପାଟଣା ସାହି ପର୍ଯ୍ୟନ୍ତ ପଦ ଯାତ୍ରା କରିଛନ୍ତି। ଏଥିସହିତ ୭ନଂ ୱାର୍ଡ କାଉନସିଲର ରୁନୁ ବେହେରାଙ୍କ ଘର ଠାରୁ ହର ଘର ତ୍ରିରଙ୍ଗାର ଅଭିଯାନ ଆରମ୍ଭ କରିଛନ୍ତି।

ଦୀର୍ଘ ଦୁଇ ବର୍ଷ ଧରି ମହାମାରୀ କରୋନା ପ୍ରଭାବରେ ବହୁ ଜନଜୀବନ ମୃତ୍ୟୁ ତାଣ୍ଡବରେ ଲୀନ ହେଇଥିବା ସହ ଘୋର ଆର୍ଥିକ ଅନଟନ ମଧ୍ୟ ଦେଖାଦେଇଥିଲା। ଯାହାକି ଏଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ଏକ ମାତ୍ର ବିଶଲ୍ୟକରଣୀ ଥିଲା କୋଭିଡ ଟୀକା।ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଜନସାଧାରଣଙ୍କୁ ଟୀକାକରଣ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଦାଇତ୍ୱ ଦିଆଯାଇଥିଲା। ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ୱାଧି ବିଭିନ୍ନ ଟୀକାକରଣ କେନ୍ଦ୍ରମାନ ପରିଦର୍ଶନ କରିଛନ୍ତି। ଏବଂ ଏହାକୁ ଅଧିକ ତ୍ୱରିତ କରିବାପାଇଁ ସିଏଚସି ଅଧିକାରୀ ଡା. ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।

ବାଲୁଗାଁ କାର୍ଯ୍ୟକ୍ରମ ସାରି କେନ୍ଦ୍ରମନ୍ତ୍ରୀ ବାଣପୁର ଗସ୍ତ କରିଛନ୍ତି। ବିଷରପାଟଣା ଛକରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ କେନ୍ଦ୍ରମନ୍ତ୍ରୀ ସିଧାସଳଖ ଗମ୍ଭାରୀମୁଣ୍ଡା ଯାଇ ସେଠାରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହାପରେ ଦେଓଗାଁରେ ‘ବୁଥ କମିଟି’ ଓ ‘ପନ୍ନା ପ୍ରବାସ’ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ବିମାନବନ୍ଦର ଫେରିଯାଇଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତ ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତରେ କେନ୍ଦ୍ର ପର୍ଯ୍ୟଟନ ଅଧ୍ୟକ୍ଷ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼ା. ସମ୍ବିତ ପାତ୍ର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଏବଂ ବହୁ ଜିଲ୍ଲାସ୍ତରୀୟ ଓ ଆଞ୍ଚଳିକ ବିଜେପି ନେତାମାନେ ସାମିଲ ଥିଲେ।

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନାଇଜର ଭୁବନେଶ୍ୱର ଠାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳାର ନୂଆଦିଲ୍ଲୀ ଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କ ସହ ଆୟୋଜିତ ଏ ସମ୍ପର୍କୀତ ଏକ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅତ୍ୟାଧୁନିକ କ୍ୟାନସର  ହସ୍ପିଟାଲ ନିର୍ମାଣରେ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ନାଇଜର ୧୭ ଏକର ପରିମିତ ଜମି ପ୍ରଦାନ କରି ସାରିଥିବା ବେଳେ ଅତିରିକ୍ତ ୧୦ ଏକର ପରିମିତ ଜମି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୋଗାଇ ଦେବ।

ଏହି କ୍ୟାନସର ହସ୍ପିଟାଲକୁ ଟାଟା ଟ୍ରଷ୍ଟ ନିର୍ମାଣ କରିବା ପରେ ଭାରତ ସରକାରଙ୍କୁ ହସ୍ତାନ୍ତର କରିବେ। ହସ୍ପିଟାଲ ନିର୍ମାଣ ସହ କ୍ୟାମ୍ପସ ପରିସରରେ କର୍ମଚାରୀଙ୍କ ପାଇଁ ବାସଗୃହ, ରୋଗୀଙ୍କ ପାଇଁ ଧର୍ମଶାଳା, ହଷ୍ଟେଲ ନିର୍ମାଣ କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି କ୍ୟାନସର ହସ୍ପିଟାଲରେ ନିଯୁକ୍ତ ହେବାକୁ ଥିବା ମେଡ଼ିକାଲ କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭାଗୀୟ ମନ୍ତ୍ରଣାଳୟ ତରଫରୁ ଏକ ‘ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର’ ଖୋଲାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡ଼ିଶା ସମେତ ସମଗ୍ର ଭାରତର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ତଥା ପୂର୍ବ ଭାରତର ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ଏହି ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି। ଏହି ହସ୍ପିଟାଲ ନିର୍ମାଣ ହେଲେ ଓଡ଼ିଶାବାସୀ ଉପକୃତ ହୋଇପାରିବେ ଓ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ହୋଇପାରିବ ବୋଲି ସେ କହିଛନ୍ତି।

ଏହି ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଟଟା ମେମୋରିଆଲ ସେଣ୍ଟରର ଅଧିକାରୀ, ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଓ ଆଟୋମିକ ଏନର୍ଜି ବିଭାଗର ବରିଷ୍ଠ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଆଇଟି ଭୁବନେଶ୍ୱରକୁ ଅନୁମୋଦନ ପତ୍ର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଇଆଇଟି ଭୁବନେଶ୍ୱର ଗସ୍ତରେ ଆସି ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଛନ୍ତି।

ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଭାରତରେ ୭୪ ହଜାର ଷ୍ଟାର୍ଟଅପ୍ ଅଛି, ଯାହା ୨୦୧୪-୧୫ ରେ ମାତ୍ର ୪ ଶହ ଥିଲା। ଏହାପୂର୍ବରୁ ଶ୍ରୀ ବୈଷ୍ଣବ ଆଇଆଇଟି/ଭୁବନେଶ୍ୱର ଲାବୋରେଟୋରୀ ପରିଦର୍ଶନ କରି ଖୁସିବ୍ୟକ୍ତ କରିବା ସହିତ ଆଜାଦୀର ଅମୃତ ମହୋତ୍ସବ କାଳରେ ନୂତନ ଚିନ୍ତାଧାରା ଏବଂ ନୂତନତ୍ୱ ଆଣିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଇଲେକ୍ଟ୍ରୋନିକ୍ସ ଚିପ୍ସକୁ ଷ୍ଟାର୍ଟଅପ୍ ପ୍ରୋଗ୍ରାମ୍ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀ ବୈଷ୍ଣବ ଆଇଆଇଟି ଭୁବନେଶ୍ୱରକୁ ଭାରତ ସରକାରଙ୍କ ଅନୁମୋଦନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ଯାହା ସେମିକଣ୍ଡକ୍ଟର ପ୍ରସ୍ତୁତି ପାଇଁ ଦେଶର ୩୧ ତମ ଅନୁଷ୍ଠାନ ହେବ।

ଆଇଆଇଟି ଭୁବନେଶ୍ୱରରେ ଛାତ୍ରଛାତ୍ରୀମାନଙ୍କୁ ଚ୍ୟାଲେଞ୍ଜ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଯଦି ଛାତ୍ରଛାତ୍ରୀମାନେ ୫ଜି ପାଇଁ ଅତି କମରେ ୧୦ ଟି କୌଶଳର ପରିକଳ୍ପନା ଯୋଗାଇ ଦେବେ, ତେବେ ଆଇଆଇଟି ଭୁବନେଶ୍ୱର ୫ଜି ବ୍ୟବହାରର ପ୍ରସ୍ତୁତି ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ମାନ୍ୟତା ଦିଆଯିବ।

ଭୁବନେଶ୍ୱରରେ ଆଇଆଇଟିଆନଙ୍କ ସହ ଜ୍ଞାନକୌଶଳ ବିନିମୟ କରି ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଯଦି ପ୍ରସ୍ତାବ ଦିଆଯିବ ତେବେ ଆଇଆଇଟି ଭୁବନେଶ୍ୱରକୁ ରେଳ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଗତି ଶକ୍ତି ସହିତ ନିବନ୍ଧନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ: ଝିଅଙ୍କ ବିଷୟରେ ଲଗାଇଲା ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଦଳ ସ୍ମୃତି ଇରାନୀଙ୍କ ଇସ୍ତଫା ତୁରନ୍ତ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ବାସ୍ତବରେ ଇରାନୀଙ୍କ ଝିଅ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଉଛି। ଯେଉଁଥିରେ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଚାଲୁଥିବା ବାରରେ ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ଏହି ଲାଇସେନ୍ସକୁ ନକଲି ଢଙ୍ଗରେ ଦିଆଯାଇଛି। ଯାହାର ଅନୁସନ୍ଧାନ କରାଯିବା ଉଚିତ୍।

କଂଗ୍ରେସ ନେତା ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଇରାନୀଙ୍କ ଇସ୍ତଫା ଦାବିକରିଛୁ। ଏହା ଇରାନୀଙ୍କ ବିରୁଦ୍ଧରେ ଅଭିଯୋଗ ନୁହେଁ, ଏହା ସମ୍ପୂର୍ଣ୍ଣ ଦଲିଲ ଯାହା ଆରଟିଆଇରୁ ନିଆଯାଇଛି। ଗୋଆରେ ଚାଲୁଥିବା ଏକ ବାରରେ ସ୍ମୃତି ଇରାନୀଙ୍କ ଝିଅଙ୍କ ଦ୍ଵାରା ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି। ଏହା ବେଆଇନ ଭାବରେ ଘଟିଛି। ମୃତ ବ୍ୟକ୍ତିଙ୍କ ନାମରେ ଏହି ଲାଇସେନ୍ସ ନିଆଯାଇଛି। ଗୋଆର ନିୟମ ଅନୁଯାୟୀ ରେଷ୍ଟୁରାଣ୍ଟକୁ ଏକ ଲାଇସେନ୍ସ ମିଳିପାରିବ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାକୁ ମିଳିଛି ୧୨୦୮.୮୬ କୋଟି: କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶା ଆଠଟି ତ୍ୱରାନ୍ୱିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ (ଏଆଇବିପି) ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ଯଥା ଉପର ଇନ୍ଦ୍ରାବତୀ, ରୁକୁଡା, ରେତ, ତେଲଙ୍ଗିର ଓ ନିମ୍ନ ଇନ୍ଦ୍ରାବତୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାଛଡା ସୁବର୍ଣ୍ଣରେଖା, ସମନ୍ୱିତ ଆନନ୍ଦପୁର ବ୍ୟାରେଜ ଓ କାନୁପୁର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଏପ୍ରିଲ ୨୦୧୬ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୧୨୦୮.୮୬ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଆକାରରେ ଯୋଗାଇ ଦେଇଛନ୍ତି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଟୁଡୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାରେ ଚାଲୁଥିବା କାର୍ଯ୍ୟର ତଥ୍ୟ ପ୍ରଦାନ କରିଛନ୍ତି।

ଶ୍ରୀ ଟୁଡୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାରେ ଆଠଟି ପ୍ରକଳ୍ପ ମାଧ୍ୟମରେ ୨୪୯.୫୩ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା କରାଯାଇଛି। ସେହିଭଳି କମାଣ୍ଡ ଏରିଆ ବିକାଶ ଓ ଜଳ ପରିଚାଳନା ପାଇଁ କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ସୁଦ୍ଧା ୧୩୧.୯୬ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହାଫଳରେ ୭୧.୫୯ ହଜାର ହେକ୍ଟର ଜମିକୁ ଚାଷ ଉପଯୋଗୀ କରାଯାଇପାରିଛି।

ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ ଜଳ ଉତ୍ସଗୁଡିକର ମରାମତି ଓ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ସୁଦ୍ଧା ଓଡିଶାକୁ ୧୪୫.୧୯ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏଥିରେ ଦୁଇଟି କ୍ଲଷ୍ଟରର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ୪୭.୯୬ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ କାମ ଚାଲିଛି।

ସେ ଆହୁରି କହିଛନ୍ତି ଯେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥିରେ ନଦୀ ପରିଚାଳନା, କୂଳକ୍ଷୟ ରୋକିବା, ନଷ୍ଟ ହୋଇଯାଇଥିବା ବନ୍ୟା ନିରୋଧକ ବ୍ୟବସ୍ଥାର ପୁନରୁଦ୍ଧାର, ସମୁଦ୍ରକୂଳ କ୍ଷୟକୁ ରୋକିବା ଓ ବନ୍ୟା ନିୟନ୍ତ୍ରଣ ପାଇଁ ୮୦୦୦କୋଟି ଟଙ୍କାର କେନ୍ଦ୍ରୀୟ ବ୍ୟୟ ବରାଦ ରହିଛି। ଏକାଦଶ ଓ  ଦ୍ୱାଦଶ ଯୋଜନାରେ ଓଡିଶାର ଏଭଳି ୬୮ଟି ପ୍ରକଳ୍ପକୁ କେନ୍ଦ୍ରୀୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ତଦନୁସାରେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଓଡିଶାକୁ କେନ୍ଦ୍ର ସରକାର ୧୧୯.୪୧ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ୬୬ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହାଫଳରେ ୧୯୩୭୪୯ ହେକ୍ଟର ଜମି ଓ ୧୧, ୫୪, ୩୦୦ ଲୋକଙ୍କୁ ବନ୍ୟା ଦାଉରୁ ସୁରକ୍ଷିତ କରାଯାଇଛି।

ମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ସହାୟତାରେ ପରିଚାଳିତ ଡ୍ୟାମ ମରାମତି ଓ ବିକାଶ ପ୍ରକଳ୍ପ (ଡ୍ରିପ)ରେ ଓଡିଶା ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମ ୨୦୧୨ରୁ ୨୦୨୧ ମଧ୍ୟରେ କାର୍ଯ୍ୟକାରୀ ହୋଇଥିଲା। ଏହି ପ୍ରଥମ ପଯ୍ୟାୟ କାର୍ଯ୍ୟରେ ଓଡିଶାର ୨୬ଟି ଡ୍ୟାମର ମରାମତି ଓ ବିକାଶ କରାଯାଇଛି। ଏଥିପାଇଁ ୩୩୬କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ଡ୍ରିପ-୨ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଓଡିଶାର ୩୬ ଡ୍ୟାମ ଅନ୍ତର୍ଭୁକ୍ତ ହୋଇଛି ଏବଂ ଏ ବାବଦରେ ମୋଟ ୮୦୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି କାର୍ଯ୍ୟକ୍ରମ ୨୦୨୧ ଅକ୍ଟୋବର ୧୨ରୁ ଆରମ୍ଭ ହୋଇଛି।

ଓଡିଶାର ଭୂତଳ ଜଳ ଓ ତାହାର ପରିଚାଳନା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ ଓଡିଶାର ୨୫ ଜିଲ୍ଲାର ୨୪୫ବ୍ଲକରେ ୧,୨୦, ୫୯୯ ବର୍ଗ କିମି. ଅଞ୍ଚଳ ଜାତୀୟ ଆକ୍ୱାଫର ମ୍ୟାଫିଙ୍ଗ ଆଣ୍ଡ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୭ଶତାଂଶ ଅଞ୍ଚଳର ମାନଚିତ୍ରକରଣ କରାଯାଇସାରିଲାଣି। ଏସବୁ ଅଞ୍ଚଳରେ ଭୂତଳ ଜଳଉତ୍ସର ସ୍ତର ବୃଦ୍ଧି କରିବାକୁ ଉଦ୍ୟମ କରାଯାଉଛି। ସେହିଭଳି ଭଦ୍ରକ, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ପାନୀୟ ଜଳରେ ଲୁଣାପାଣି ମିଶୁଥିବାରୁ ତାହାକୁ ରୋକିବାକୁ ପଦକ୍ଷେପ ଆରମ୍ଭ କରାଯାଇଛି  ଏବଂ ଯୋଡ, ନାଳ ଓ ଉପନାଳଗୁଡିକର ବିକାଶ କାର୍ଯ୍ୟ ଚାଲିଛି।

ଏହାଛଡା ଜାତୀୟ ହାଇଡ୍ରୋଲୋଜି ପ୍ରକଳ୍ପ ପାଇଁ ବିଶ୍ୱ ବ୍ୟାଙ୍କ ୫୦ ଶତାଂଶ ଋଣ ଯୋଗାଇ ଦେଉଛି। ଜଳସେଚନ ଓ ଜଳ ପରିଚାଳନା ସଂକ୍ରାନ୍ତ ବିଶ୍ୱସନୀୟ ଡାଟା ସଂଗ୍ରହ, ତାହାର ସୁରକ୍ଷା, ପରିଚାଳନା ଓ ବ୍ୟବହାର ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ନିର୍ମାଣ ଏହି ପ୍ରକଳ୍ପର ଲକ୍ଷ୍ୟ। ଓଡିଶା ସରକାରଙ୍କ ଜଳସେଚନ ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି। ଏଥିପାଇଁ ୯୧.୧୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। କେନ୍ଦ୍ର ସରକାର ଏ ବାବଦରେ ଓଡିଶାକୁ ଏପର୍ଯ୍ୟନ୍ତ ୧୫.୨୫କୋଟି ଟଙ୍କା ଅନୁଦାନ ଆକାରରେ ଯୋଗାଇ ଦେଇଛନ୍ତି ବୋଲି ଟୁଡୁ କହିଛନ୍ତି।

ତାଙ୍କ ଉତ୍ତରରେ ଜଳସଚେନ ରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଜଳସମ୍ପଦ ପ୍ରକଳ୍ପଗୁଡିକୁ ରାଜ୍ୟ ସରକାର ନିଜର ସମ୍ବଳ ଅନୁସାରେ ଯୋଜନା କରି ପାଣ୍ଠି ଯୋଗାଇଥାଆନ୍ତି ଓ ତାହାର ରକ୍ଷଣାବେକ୍ଷଣ କରିଥାନ୍ତି। ଏଥିରେ କେନ୍ଦ୍ର ସରକାରଙ୍କର ଭୂମିକା ସୀମିତ। କେନ୍ଦ୍ର କେବଳ ଏଥିରେ ରାଜ୍ୟମାନଙ୍କୁ ବୈଷୟିକ ସହାୟତା, କେତେକ କ୍ଷେତ୍ରରେ ଆଂଶିକ ଆର୍ଥିକ ସାହାଯ୍ୟ ଯୋଗାଇ ସୁବିଧାଯୋଗାଣକାରୀ ଭୂମିକା  ନିର୍ବାହ କରିଥାଏ। ଜଳ ନିରାପତ୍ତା ପାଇଁ କେନ୍ଦ୍ରୀୟ ଯୋଜନା ବାହାରେ ରାଜ୍ୟମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ସୀମିତ ସହାୟତା ସ୍ଥଳ ବିଶେଷରେ ଯୋଗାଉଛନ୍ତି ବୋଲି ଶ୍ରୀ ଟୁଡୁ କହିଛନ୍ତି। (ପି.ଆଇ.ବି.)

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଠାରେ ଲୋକ ମେଳା ଓ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ସନ୍ଧ୍ୟାରେ ବିଂଶତମ ଲୋକମେଳା ଓ ୧୩ ତମ କୃଷି ମେଳା ୨୦୨୨ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏହି ଲୋକ ମେଳା ସମେତ ଜାତୀୟ ସ୍ତରର କୃଷି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳା ପରିସରରେ ବିଭିନ୍ନ ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିସହିତ ଜନଜାତି ସମ୍ପ୍ରଦାୟ ଦ୍ବାରା ପ୍ରସ୍ତୁତ ବନ୍ୟଜାତ, କୃଷି ଓ ପାରମ୍ପରିକ ସାମଗ୍ରୀର ଷ୍ଟଲ୍ ମଧ୍ୟ ପଡ଼ିଛି। ଅଣଲାଭକାରୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା (ଏସଏସଏସ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏସଏସଏସ ସଂଗଠନ ଲୋକ କଳା ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ କରିବା ସହିତ ସମାଜର ସାମାଜିକ-ସାଂସ୍କୃତିକ ଚରିତ୍ରକୁ ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଥାଏ।

ବିଂଶତମ ଲୋକମେଳାକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ, ଭାରତର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଦିଗରେ ଏପରି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ। ଦୀର୍ଘ ୨୦ ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଖୁସିର ବିଷୟ। ବିଭିନ୍ନ ରାଜ୍ୟରୁ ଆସିଥିବା ଜନଜାତି ସାମଗ୍ରୀ, କୃଷି ଉତ୍ପାଦର ଷ୍ଟଲ୍‌ ପଡ଼ିଥିବାରୁ ଏସବୁ ସାମଗ୍ରୀ କିଣିବା ଲାଗି କେନ୍ଦ୍ର ମନ୍ତ୍ରୀ ଆହ୍ବାନ କରିଥିଲେ। କୃଷି କ୍ଷେତ୍ରରେ ଅଭିନବ ଉଦ୍ଭାବନ ଏବଂ ଜ୍ଞାନକୌଶଳ ବିଷୟରେ ଜ୍ଞାନ ଆହରଣ କରିବା ଲାଗି ପ୍ରଦର୍ଶନୀ ଏକ ସୁଯୋଗ ଆଣି ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଜନଜାତି, ଲୋକକଳା ସଂସ୍କୃତି ବିଷୟରେ ଜ୍ଞାନବୃଦ୍ଧି ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଏକ ସୁଅବସର ଆଣିଛି। ରାଜ୍ୟରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ଓଡ଼ିଶା ଏକ ଜନଜାତି ବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ୬୨ଟି ଜନଜାତି ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି। ଜନଜାତି ବର୍ଗଙ୍କ କଲ୍ୟାଣ ପାଇଁ ରାଜ୍ୟରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ବିଗତ କିଛି ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ମଧ୍ୟ ରାଜ୍ୟ ବିଶେଷ ପ୍ରଗତି ହାସଲ କରିଛି। ଜନଜାତି ସମୁଦାୟର ଜୀବନଶୈଳୀ, ଜୀବିକା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଦିଗରେ ଲୋକମେଳା ଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ ବୋଲି ଶ୍ରୀ ସ୍ବାଇଁ କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ।  ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉଦଘାଟନୀ ସନ୍ଧ୍ୟାରେ ଲୋକ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ବିଶେଷ ଖବର

ୟୁଏଇର ମନ୍ତ୍ରୀ ଡକ୍ଟର ସୁଲତାନ ଅଲ ଜବେରଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ

ନୂଆଦିଲ୍ଲୀ: ୟୁଏଇର ଜଳବାୟୁ ରାଷ୍ଟ୍ରଦୂତ ତଥା ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ସୁଲତାନ ଅଲ ଜବେରଙ୍କ ସହିତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ସେମାନେ ଜଳବାୟୁ ପରିବର୍ତ୍ତନ, ସିଓପି ୨୮ ଆୟୋଜନ ଏବଂ ଅନ୍ୟାନ୍ୟ ତତ୍‌ସଂକ୍ରାନ୍ତ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଦ୍ବିପାକ୍ଷିକ ବୈଠକ ପୂର୍ବରୁ ମାନନୀୟ ମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ ଉପରେ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏହି ବୁଝାମଣାପତ୍ରର ମୂଳ ଉଦ୍ଦେଶ୍ୟ ହେଉଛି ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଦ୍ବିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଓ ବଢ଼ାଇବା ଲାଗି ଏକ ଫ୍ରେମୱର୍କ ପ୍ରତିଷ୍ଠା କରିବା। ଏହା ମଧ୍ୟ ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯୋଗଦାନ ଦେଇପାରିବ।

ଦ୍ବିପାକ୍ଷିକ ବୈଠକ ଅବସରରେ, କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଥିଲେ ଯେ, ୟୁଏଇ ୨୦୨୩ରେ ସିଓପି ୨୮ ଆୟୋଜନ କରିବ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ବିଶେଷ କରି ଆର୍ଥିକ ଓ ପ୍ରଯୁକ୍ତି କ୍ଷେତ୍ର ସମେତ କାର୍ଯ୍ୟକାରୀ ସହାୟତା କ୍ଷେତ୍ରରେ ଆମକୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଚିନ୍ତା ପ୍ରତି ପ୍ରାଥମିକତା ଦେବାକୁ ହେବ।

କେନ୍ଦ୍ର ପରିବେଶ ମନ୍ତ୍ରୀ ଏହି ଅବସରରେ ଜୋର ଦେଇ କହିଥିଲେ ଯେ, ସିଓପି ୨୬ ପରବର୍ତ୍ତୀ ସମୟରେ, ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପାଣ୍ଠି ଯୋଗାଣ, ଅନୁକୂଳ ପଦକ୍ଷେପ ଗ୍ରହଣ, କ୍ଷତି ଓ ହାନି ଭଳି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୟୁଏଇ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ଯାଦବ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଓ ସକ୍ଷମ ନେତୃତ୍ବରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପକ୍ଷରୁ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ବିପର୍ଯ୍ୟୟ ପ୍ରଶମନକ୍ଷମ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ଏବଂ ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ବ ଗୋଷ୍ଠୀ (ଲିଡ୍‌ ଆଇଟି)ରେ ଯୋଗ ଦେବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ୟୁଏଇକୁ ଅନୁରୋଧ କରିଥିଲେ।

ଉଭୟ ପକ୍ଷ ଏହା ସ୍ବୀକାର କରିଥିଲେ ଯେ, ବୁଝାମଣାପତ୍ର ସ୍ବାକ୍ଷରିତ ହେବା ପରେ ଦୁଇ ଦେଶ ଆପୋସ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଉପଯୁକ୍ତ ମାର୍ଗର ସନ୍ଧାନ କରିପାରିବେ। ବିଶେଷ କରି ବୁଝାମଣପତ୍ରରେ ନିର୍ଦ୍ଧାରିତ କ୍ଷେତ୍ର ଓ କାର୍ଯ୍ୟକ୍ରମ ଜରିଆରେ ଏ ଦିଗରେ ଉଭୟ ପକ୍ଷ ପଦକ୍ଷେପ ଗ୍ରହଣ କରିବେ।

  • ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଦ୍ବିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଏବଂ ବଢ଼ାଇବା ଲାଗି ଏକ ଫ୍ରେମୱର୍କ ପ୍ରତିଷ୍ଠା ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷରିତ
  • ବିଶେଷ କରି ଆର୍ଥିକ ଓ ପ୍ରଯୁକ୍ତି ସମେତ କାର୍ଯ୍ୟକାରୀ ସହାୟତା କ୍ଷେତ୍ରରେ ଆମକୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଚିନ୍ତା ପ୍ରତି ପ୍ରାଥମିକତା ଦେବାକୁ ହେବ : ଶ୍ରୀ ଭୂପେନ୍ଦ୍ର ଯାଦବ

ୟୁଏଇର ଜଳବାୟୁ ରାଷ୍ଟ୍ରଦୂତ ତଥା ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ସୁଲତାନ ଅଲ ଜବେରଙ୍କ ସହିତ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ସେମାନେ ଜଳବାୟୁ ପରିବର୍ତ୍ତନ, ସିଓପି ୨୮ ଆୟୋଜନ ଏବଂ ଅନ୍ୟାନ୍ୟ ତତ୍‌ସଂକ୍ରାନ୍ତ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଦ୍ବିପାକ୍ଷିକ ବୈଠକ ପୂର୍ବରୁ ମାନନୀୟ ମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ ଉପରେ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏହି ବୁଝାମଣାପତ୍ରର ମୂଳ ଉଦ୍ଦେଶ୍ୟ ହେଉଛି ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଦ୍ବିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଓ ବଢ଼ାଇବା ଲାଗି ଏକ ଫ୍ରେମୱର୍କ ପ୍ରତିଷ୍ଠା କରିବା। ଏହା ମଧ୍ୟ ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯୋଗଦାନ ଦେଇପାରିବ।

ଦ୍ବିପାକ୍ଷିକ ବୈଠକ ଅବସରରେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ କହିଥିଲେ ଯେ, ୟୁଏଇ ୨୦୨୩ରେ ସିଓପି ୨୮ ଆୟୋଜନ କରିବ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ବିଶେଷ କରି ଆର୍ଥିକ ଓ ପ୍ରଯୁକ୍ତି କ୍ଷେତ୍ର ସମେତ କାର୍ଯ୍ୟକାରୀ ସହାୟତା କ୍ଷେତ୍ରରେ ଆମକୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଚିନ୍ତା ପ୍ରତି ପ୍ରାଥମିକତା ଦେବାକୁ ହେବ।

କେନ୍ଦ୍ର ପରିବେଶ ମନ୍ତ୍ରୀ ଏହି ଅବସରରେ ଜୋର ଦେଇ କହିଥିଲେ ଯେ, ସିଓପି ୨୬ ପରବର୍ତ୍ତୀ ସମୟରେ, ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ପାଣ୍ଠି ଯୋଗାଣ, ଅନୁକୂଳ ପଦକ୍ଷେପ ଗ୍ରହଣ, କ୍ଷତି ଓ ହାନି ଭଳି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୟୁଏଇ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ଯାଦବ ପ୍ରଶଂସା କରିଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଓ ସକ୍ଷମ ନେତୃତ୍ବରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପକ୍ଷରୁ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ବିପର୍ଯ୍ୟୟ ପ୍ରଶମନକ୍ଷମ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ଏବଂ ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ବ ଗୋଷ୍ଠୀ (ଲିଡ୍‌ ଆଇଟି)ରେ ଯୋଗ ଦେବା ନିମନ୍ତେ କେନ୍ଦ୍ର ମନ୍ତ୍ରୀ ୟୁଏଇକୁ ଅନୁରୋଧ କରିଥିଲେ।

ଉଭୟ ପକ୍ଷ ଏହା ସ୍ବୀକାର କରିଥିଲେ ଯେ, ବୁଝାମଣାପତ୍ର ସ୍ବାକ୍ଷରିତ ହେବା ପରେ ଦୁଇ ଦେଶ ଆପୋସ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଉପଯୁକ୍ତ ମାର୍ଗର ସନ୍ଧାନ କରିପାରିବେ। ବିଶେଷ କରି ବୁଝାମଣପତ୍ରରେ ନିର୍ଦ୍ଧାରିତ କ୍ଷେତ୍ର ଓ କାର୍ଯ୍ୟକ୍ରମ ଜରିଆରେ ଏ ଦିଗରେ ଉଭୟ ପକ୍ଷ ପଦକ୍ଷେପ ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଭାରତୀୟ କାହାଣୀ ବିଶ୍ବର ଦର୍ଶକଙ୍କ ମନ ଓ ମସ୍ତିଷ୍କ ଉପରେ ପ୍ରଭାବ ବିସ୍ତାର କରିଛି: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ‘‘ହେ ପ୍ରୀତ୍‌ ଜହାଁ କୀ ରୀତ୍‌ ସଦା, ମେ ଗୀତ୍‌ ୱାହାଁ କା ଗାତା ହୁଁ, ଭାରତ କା ରେହନେ ୱାଲା ହୁଁ ଭାରତ୍‌ କି ବାତ୍‌ ସୁନାତା ହୁଁ (ଯେଉଁଠି ଭଲ ପାଇବାର ପରମ୍ପରା ରହିଛି, ମୁଁ ସେଠାକାର ଗୀତ ଗାଉଛି, ମୁଁ ଭାରତବାସୀ, ଭାରତର କଥା କହୁଛି।’’ ଏହି ଉକ୍ତି ସହିତ  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କାନ୍ସ ଚଳଚ୍ଚିତ୍ର ମହୋତ୍ସବ ପରିସରରେ ପ୍ରସିଦ୍ଧ ପାସେଲ ଡେସ ମହୋତ୍ସବରେ ଅନୁଷ୍ଠିତ ଭାରତୀୟ ଫୋରମକୁ ସମ୍ବୋଧିତ କରିଛନ୍ତି। ୬ହଜାର ବର୍ଷ ପୁରୁଣା ସଂସ୍କୃତି ଓ ୧୩୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର ମନ୍ତ୍ରୀ ଏଠାରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ତାଙ୍କ ଭାଷଣକୁ ବିଦେଶୀ ଚଳଚ୍ଚିତ୍ର ନିର୍ମାତା, ସାମ୍ବାଦିକ, ପ୍ରତିନିଧିମାନେ ଶୁଣିଥିଲେ। ଏହି କାର୍ଯ୍ୟକ୍ରମକୁ ବାଣୀ ତ୍ରିପାଠୀ ପରିଚାଳନା କରିଥିବା ବେଳେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର, ଗୀତିକାର ପ୍ରସୂନ ଯୋଶୀ, ଅଭିନେତା ଆର. ମାଧବନ, ନିର୍ଦ୍ଦେଶକ ଶେଖର କପୁରଙ୍କ ସମେତ ହଲିଉଡ ରିପୋର୍ଟରର ସମ୍ପାଦକ ସ୍କଟ୍‌ ରକ୍ସବରୋ, ପ୍ରଯୋଜକ ଫିଲିପ ଆଭରିଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ବହୁ ବର୍ଷ ଧରି କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଭାରତ-ଫ୍ରାନ୍ସ ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ଭାରତୀୟ କାହାଣୀ ବିଶ୍ବର ଦର୍ଶକଙ୍କ ମନ ଓ ମସ୍ତିଷ୍କ ଉପରେ ପ୍ରଭାବ ବିସ୍ତାର କରିଛି ବୋଲି ମନ୍ତ୍ରୀ କହିଥିଲେ। ୧୯୪୬ରେ ଚେତନ ଆନନ୍ଦଙ୍କ ଚଳଚ୍ଚିତ୍ର ‘ନିଚ୍ଚା ନଗର’ ଏବଂ ଏହାର ଏକ ଦଶନ୍ଧି ପରେ ୧୯୫୬ରେ ସତ୍ୟଜିତ୍‌ ରାଏଙ୍କ ଚଳଚ୍ଚିତ୍ର ‘ପାଥେର ପାଞ୍ଚାଲି’ ପାଲମ୍‌ ଡି ଓର୍‌ ପୁରସ୍କାର ଜିତିଥିବା ମନ୍ତ୍ରୀ ଶ୍ରୀ ଠାକୁର ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଭାରତୀୟ ଚଳଚ୍ଚିତ୍ରର ଉତ୍କର୍ଷତା ଭାରତକୁ ‘ବିଶ୍ବର ଏକ କାହାଣୀ କେନ୍ଦ୍ର’ ବା କଣ୍ଟେଣ୍ଟ ହବ୍‌ରେ ପରିଣତ କରିବାକୁ ଯାଉଛି।

ଭାରତର ବର୍ତ୍ତମାନର ସ୍ଥିତି ବିଷୟରେ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଭାରତ ନିକଟରେ ବିଶ୍ବ ଦର୍ଶକଙ୍କ ପାଇଁ ଅନେକ କିଛି ରହିଛି। ଚଳଚ୍ଚିତ୍ର ଉତ୍କର୍ଷତା, ପ୍ରଯୁକ୍ତିର ଶକ୍ତି, ସମୃଦ୍ଧ ସଂସ୍କୃତି ଏବଂ କାହାଣୀ କହିବାର ଏକ ଉଜ୍ଜ୍ବଳ ପରମ୍ପରା ଭାରତ ନିକଟରେ ରହିଛ । କାନ୍ସରେ ଭାରତୀୟ ଷ୍ଟାର୍ଟଅପ୍ସର ଉପସ୍ଥିତି ବିଷୟରେ ମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମିଡିଆ ଓ ମନୋରଞ୍ଜନ କ୍ଷେତ୍ରର ଏହି ଷ୍ଟାର୍ଟଅପ୍‌ଗୁଡ଼ିକ ସେମାନଙ୍କର ପ୍ରଯୁକ୍ତି ଶକ୍ତି ପ୍ରଦର୍ଶିତ କରିବେ। ଏଥିରେ ଏଭିଜିସି ଦୁନିଆର ଶ୍ରେଷ୍ଠ ଦିଗ ପ୍ରଦର୍ଶିତ ହେବ। ଆନିମେସନ ପେସାଦାରମାନଙ୍କର ଏକ ଦୃଢ଼ ପ୍ରତିନିଧି ଦଳ ଏଥିରେ ସାମିଲ ରହିଛନ୍ତି।

ଚଳଚ୍ଚିତ୍ର ସହ ପ୍ରଯୋଜନା, ଶୁଟିଂ ଏବଂ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଦିଗରେ ଗତ ଆଠ ବର୍ଷ ମଧ୍ୟରେ ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଶି ବିଭିନ୍ନ ପଦକ୍ଷେପ ନେଇଥିବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ୨୦୨୫ ସୁଦ୍ଧା ଭାରତର ମିଡିଆ ଓ ମନୋରଞ୍ଜନ କ୍ଷେତ୍ରରେ କାରବାର ୫୩ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଏ ଦିଗରେ ଏକ ପଦକ୍ଷେପ ସ୍ବରୂପ ଭାରତ ସରକାର ଅଡିଓ ଭିଜୁଆଲ ସେବା କ୍ଷେତ୍ରକୁ ୧୨ଟି ଚାମ୍ପିଅନ ସର୍ଭିସ୍‌ କ୍ଷେତ୍ର ମଧ୍ୟରୁ ଅନ୍ୟତମ ଭାବେ ମାନ୍ୟତା ଦେଇଛନ୍ତି ଏବଂ ନିକଟରେ ବିଶେଷଜ୍ଞମାନଙ୍କୁ ନେଇ ଏକ ଏଭିଜିସି ଟାସ୍କ ଫୋର୍ସ ଗଠନ କରିଛନ୍ତି।

ଭାରତରେ ମନୋରଞ୍ଜନ ଓ ମିଡିଆ କ୍ଷେତ୍ରରେ ଅପାର ସମ୍ଭାବନା ରହିଥିବା ଶ୍ରୀ ଠାକୁର କହିଥିଲେ। ଗୋଟିଏ ପଟେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଭର୍ଚୁଆଲ ରିଅଲିଟୀ, ମେଟାଭର୍ସ ଭଳି ଇମର୍ସିଭ ଟେକ୍ନୋଲୋଜି ସହିତ ଭାରତର କୁଶଳୀ ଆଇଟି କର୍ମଶକ୍ତି ରହିଥିବା ବେଳେ ଭାରତରେ ଓଟିଟି ମାର୍କେଟ୍‌ ୨୦୨୪ ସୁଦ୍ଧା ବାର୍ଷିକ ପ୍ରାୟ ୨୧% ହାରରେ ବଢ଼ିବାର ସମ୍ଭାବନା ରହିଛି।

ସାରା ବିଶ୍ବରୁ ସହ-ପ୍ରଯୋଜନା ସହଭାଗିତାକୁ ତ୍ବରାନ୍ବିତ କରିବା ଲାଗି ସବୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଠାକୁର ଆଶ୍ବାସନା ଦେଇଥିଲେ। ଭାରତକୁ ବିଶ୍ବର ପ୍ରମୁଖ କଣ୍ଟେଣ୍ଟ ହବ୍‌ରେ ପରିଣତ କରିବା ଲାଗି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ଉନ୍ନତ ମାନର କାହାଣୀ ପ୍ରଯୋଜନା କରୁଥିବା ରାଷ୍ଟ୍ର ମଧ୍ୟରେ ଭାରତ ପରିଗଣିତ ହେବ ବୋଲି ଶ୍ରୀ ଠାକୁର କହିଥିଲେ।

ଏହି ଅବସରରେ ନିର୍ମାତା ତଥା ନିର୍ଦ୍ଦେଶକ ଶେଖର କପୁର କହିଥିଲେ ଯେ, ଭାରତର ବିଶ୍ବର ସର୍ବବୃହତ ପ୍ରଭାବଶାଳୀ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି ଏବଂ ଯୁବ ଚଳଚ୍ଚିତ୍ର ନିର୍ମାତାମାନେ ଖୁବ୍‌ଶୀଘ୍ର ଚଳଚ୍ଚିତ୍ରର ନୂଆ ପରିଭାଷା ନିର୍ଦ୍ଧାରଣ କରିବେ।

ଭାରତରେ ଅସୀମିତ ସ୍ବପ୍ନ ରହିଛି, ଏସବୁ ଆହୁରି ବଡ଼ ରୂପରେ ଉଭା ହେବାର ସମୟ ଆସିଛି ବୋଲି ପ୍ରସୂନ ଯୋଶୀ କହିଥିଲେ।

ଏହି ଅବସରରେ ସଚିବ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ଲଞ୍ଚ ବକ୍ସ, ମିଷ୍ଟର ଏଣ୍ଡ ମିସେସ ଆୟାର ଓ ରକେଟ୍ରୀ ଭଳି ଚଳଚ୍ଚିତ୍ରର କାହାଣୀ ଭାରତୀୟ ହୋଇଥିଲେ ବି ବିଶ୍ବ ଦର୍ଶକଙ୍କୁ ଧରି ରଖିବାର କ୍ଷମତା ଏଥିରେ ରହିଛି।

ଅଭିନେତା ତଥା ନିର୍ମାତା ନିର୍ଦ୍ଦେଶକ ଆର ମାଧବନ କହିଥିଲେ ଯେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଭାରତରେ ଅନେକ ସୁଯୋଗ ରହିଛି। ଆର୍ଯ୍ୟଭଟ୍ଟଙ୍କ ଠାରୁ ଆରମ୍ଭ କରି ସୁନ୍ଦର ପିଚାଇଙ୍କ ପର୍ଯ୍ୟନ୍ତ ଭାରତରେ ଅନେକ ଅଦ୍ଭୂତ କାହାଣୀ ରହିଛି ଯାହାକି ବିଶ୍ବର ଯୁବପିଢ଼ିଙ୍କ ଆଶାଆକାଂକ୍ଷା ସହ ଯୋଡ଼ି ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁଙ୍କ ମାଡ଼ ଅଭିଯୋଗ

ବାରିପଦା: ୨ ଜଣ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମାଡ ମାରିଥିବା ଅଭିଯୋଗ ହୋଇଛି। ୨ ଜଣ ଅଧିକାରୀଙ୍କୁ ଅଫିସ ଡାକି ମାଡ ମାରିଥିବା ଅଭିଯୋଗ ହୋଇଛି। ଉଭୟ ଅଧିକାରୀଙ୍କୁ ଚେୟାରରେ ପିଟିବାରୁ ଜଣଙ୍କର ହାତ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଆହତ ହୋଇଥିବା ଦୁଇ ଅଧିକାରୀ ହେଲେ ଜିଲ୍ଲା ଯୋଜନା ବିଭାଗ ଡେପୁଟି ଡ଼ିରେକ୍ଟର ଅଶ୍ଵିନୀ ମଲିକ ଏବଂ ଆସିଷ୍ଟାଣ୍ଡ ଡ଼ିରେକ୍ଟର ଦେବାଶିଷ ମହାପାତ୍ର ବୋଲି ଜଣାପଡିଛି। ତେବେ ଉଭୟଙ୍କୁ ଆହତ ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲେ ସେପଟେ କେନ୍ଦ୍ର ମନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟିଠାରେ ନୂତନ ବ୍ୟବସ୍ଥା ସୌଧକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି ଯେ, ଭାରତର ଭବିଷ୍ୟତର ଅର୍ଥନୀତି ନିମନ୍ତେ ତଟୀୟ ଓ ସାମୁଦ୍ରିକ ଉତ୍ସରୁ ଉତ୍ତୋଳିତ ସାମୁଦ୍ରିକ ଖଣିଜ ସମ୍ପଦ ପ୍ରମୁଖ ଭୂମିକା ଗ୍ରହଣ କରିବ। ମନ୍ତ୍ରୀ ଡକ୍ଟର ସିଂହ କହିଲେ ଯେ, ଏହା ବ୍ୟତୀତ ନିକେଲ ଏବଂ କୋବାଲ୍ଟ ଭଳି ଧାତବ ଦ୍ରବ୍ୟ ଅକ୍ଷୟ ଶକ୍ତି ଉତ୍ପାଦନ ପ୍ରଯୁକ୍ତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଯାହାକି ଜଳବାୟୁ ପରିବର୍ତ୍ତନ ଭଳି ଚାଲେଞ୍ଜ ବିରୁଦ୍ଧରେ ମୁକାବିଲା ନିମନ୍ତେ ଏକାନ୍ତ ଜରୁରି।

ଭୁବନେଶ୍ୱରଠାରେ ସିଏସଆଇଆର- ଆଇଏମଏମଟି (ଇନଷ୍ଟିଚୁଟ୍‍ ଅଫ୍‍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲୋଜି) ଠାରେ ଏକ ନୂତନ ସୌଧ ବ୍ୟବସ୍ଥାର ଉଦ୍ଘାଟନ ପରିବା ଅବସରରେ ବୈଜ୍ଞାନିକ ଓ ଛାତ୍ରଛାତ୍ରୀମାନଙ୍କୁ କହିଲେ ଯେ ଆଇଏମଏମଟି ଧାତବଦ୍ରବ୍ୟ ଏବଂ ବସ୍ତୁବିଜ୍ଞାନ ପ୍ରଯୁକ୍ତି କ୍ଷେତ୍ରରେ ଦେଶର ଗବେଷଣା ଓ ବିକାଶ କ୍ଷେତ୍ରର ଏକ ଅଗ୍ରଣୀ ବିଜ୍ଞାନାଗାର ଯାହାକି ସିଏସଆଇଆର ଅଧୀନରେ କାର୍ଯ୍ୟ କରିଆସୁଛି ଏବଂ ଶିଳ୍ପସଂସ୍ଥାମାନଙ୍କର ପୋଷଣୀୟ ବିକାଶ ଦିଗରେ ସେମାନଙ୍କର ସକଳ ପ୍ରକାର ସମସ୍ୟାର ସମାଧାନ କରିଚାଲିଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସାମୁଦ୍ରିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ ହୋଇଛଇ ଏବଂ ଏବେ ମହାସାଗର ଶଯ୍ୟାରୁ ସମ୍ପଦ ଅନୁସନ୍ଧାନ କାର୍ଯ୍ୟରେ ସକ୍ରିୟ ଭାବେ ନିୟୋଜିତ ରହିଛି ଯାହାକି ଦେଶର ଭବିଷ୍ୟତର ଶକ୍ତି ଏବଂ ଧାତବ ଚାହିଦାକୁ ପୂରଣ କରିପାରିବ। ସେ କହିଲେ ଯେ ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଗଭୀର ସମୁଦ୍ର ଅଭିଯାନ’ ବିଭିନ୍ନ ପ୍ରକାର ନୂତନ ସମ୍ପଦରେ ଦେଶକୁ ସମୃଦ୍ଧ କରିବ ଏବଂ “ନୀଳ ଅର୍ଥନୀତି”କୁ ମଧ୍ୟ ସହାୟକ ହେବ।

ଡକ୍ଟର ଜିତେନ୍ଦ୍ର ସିଂହ କହିଲେ ଯେ ଆଇଆଇଏମଟି ଏବଂ ଚେନ୍ନାଇର ଏନଆଇଓଟି (ଜାତୀୟ ସାମୁଦ୍ରିକ ପ୍ରଯୁକ୍ତି ପ୍ରତିଷ୍ଠାନ) ମଧ୍ୟରେ ନିବିଡ଼ ସମନ୍ୱୟ ଏବଂ ସହଯୋଗ ମାଧ୍ୟମରେ ଏବେ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଉଛି ଯାହାକି ଭାରତର ନୀଳ ଅର୍ଥନୀତିକୁ ତ୍ୱରିତ ବିକଶିତ କରିବା ଏବଂ ସାମୁଦ୍ରିକ ସମ୍ପଦର ଉତ୍ତୋଳନ ଦିଗରେ ସହାୟକ ହୋଇପାରିବ। ସେ କହିଲେ ଯେ କେତେକ ସ୍ଥାନରେ ଗଭୀର ସମୁଦ୍ରରେ ଖଣିତ ସମ୍ପଦର ଅନୁସନ୍ଧାନ ଓ ଉତ୍ତୋଳନ ନିମନ୍ତେ ଉପଯୁକ୍ତ ପ୍ରଯୁକ୍ତିର ବିକାଶ ଏବଂ ଏହାର ସଫଳ ପ୍ରୟୋଗ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ଗ୍ୟାସ ହାଇଡ୍ରେଟ୍‍ ସମ୍ପଦ ଉତ୍ତୋଳନ ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି।

ସ୍ମରଣଯୋଗ୍ୟ ଯେ, ଚଳିତ ବର୍ଷ ଅକ୍ଟୋବର ମାସରେ ମନ୍ତ୍ରୀ ଡକ୍ଟର ସିଂହ ଭାରତର ପ୍ରଥମ ମାନମଯୁକ୍ତ ସମୁଦ୍ର ଅଭିଯାନ ‘ସମୁଦ୍ରାୟନ’ର ଶୁଭାରମ୍ଭ ଚେନ୍ନାଇଠାରେ କରିଥିଲେ ଯାହାକି ଗଭୀର ସମୁଦ୍ର ତଳେ ପଲିମେଟାଲିକ୍‍ ମାଙ୍ଗାନିଜ୍‍ ନୋଡୁଲ, ଗ୍ୟାସ୍‍ ହାଇଡ୍ରେଟ୍‍, ହାଇଡ୍ରୋ- ଥର୍ମାଲ ସଲଫାଇଡ୍‍ ଏବଂ କୋବାଲ୍ଟ କ୍ରଷ୍ଟ ଭଳି ନିର୍ଜୀବ ସମ୍ପଦର ଅନୁସନ୍ଧାନ ପାଇଁ ଉଦ୍ଦିଷ୍ଟ। ଏହିସବୁ ସମ୍ପଦ ୧୦୦୦ରୁ ୫୫୦୦ ମିଟର ଗଭୀର ସମୁଦ୍ର ଶଯ୍ୟାରେ ଗଚ୍ଛିତ ରହିଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଲେ ଯେ ଗତ ସାତବର୍ଷ ମଧ୍ୟରେ, ସିଏସଆଇଆର- ଆଇଏମଏମଟିର ଗବେଷଣା ଓ ବିକାଶ କାର୍ଯ୍ୟରେ ଭାରତୀୟ ଶିଳ୍ପସଂସ୍ଥାମାନେ କିଭଳି ବୈଶ୍ୱିକ ଚାଲେଞ୍ଜର ସମ୍ମୁଖୀନ ହୋଇପାରିବେ ସେଥି ନିମନ୍ତେ ସେମାନଙ୍କୁ ସଶକ୍ତ କରିବା ନିମନ୍ତେ ଅଧିକ ଗୁରୁତ୍ୱ ଆରୋପ କରାଯାଇଆସୁଛି। ସେମାନଙ୍କୁ ଅତ୍ୟାଧୁନିକ ତଥା ଜିରୋ ବର୍ଜ୍ୟଯୁକ୍ତ ପ୍ରଯୁକ୍ତି ସାଧନ ଓ ପରାମର୍ଶ ସେମା ଯୋଗାଇ ଦିଆଯାଉଛି ଯଦ୍ୱାରା ସେମାନେ ସରକାରୀ- ଘରୋଇ ସହଭାଗୀତା (ପିପିପି) ପଦକ୍ଷେପ ମାଧ୍ୟମରେ ପ୍ରାକୃତିକ ସମ୍ପଦର ବ୍ୟାବସାୟିକ ଉତ୍ତୋଳନ କରିବାକୁ ସକ୍ଷମ ହୋଇପାରିବେ। ସେ କହିଲେ ଯେ ଏଭଳି କାର୍ଯ୍ୟ ଏବଂ ପ୍ରଯୁକ୍ତିଗତ ପ୍ରୟାସ ଯାହାକି ସିଏସଆଇଆର- ଆଇଏମଏମଟି ଦ୍‍ବାରା ଶିଳ୍ପସଂସ୍ଥାମାନଙ୍କୁ ଯୋଗାଇ ଦିଆଯାଉଛି ତାହା ଅନେକ ଧାତବ ପଦାର୍ଥ ଏବଂ ସେଥିରୁ ଆହରଣ କରାଯାଉଥିବା ମିଶ୍ରଧାତୁ ଆଧାରିତ ଶିଳ୍ପସଂସ୍ଥାମାନଙ୍କ ପାଇଁ ପ୍ରଥମ ପସନ୍ଦ ହୋଇଛି। ସେହିଭଳି ଅଧିକ ମୂଲଯୁକ୍ତ କରିବା ସକାଶେ ଅତ୍ୟାଧୁନିକ ଧାତବପଦାର୍ଥ ଏବଂ ଜଟିଳ କଞ୍ଚାମାଲକୁ ଅଧିକ ସକ୍ରିୟତାର ସହ କାର୍ଯ୍ୟ କରିବା କ୍ଷେତ୍ରରେ ସିଏସଆଇଆର- ଆଇଏମଏମଟି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି।

ସିଏସଆଇଆର- ଆଇଏମଏମଟି ଠାରେ ସାଧାରଣ ଗବେଷଣା ଏବଂ ପ୍ରଯୁକ୍ତି ବିକାଶ ହବ୍‍ (ସିଆରଟିଡିଏଚ) ସ୍ଥାପନ କରାଯାଇଛି ଯାହାକି ସିଏସଆଇଆର- ଆଇଏମଏମଟି ଏବଂ ଭାରତ ସରକାରଙ୍କ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗ (ଡିଏସଆଇଆର)ଙ୍କର ଏକ ମିଳିତ ଉପକ୍ରମ; ତାହା ପ୍ରଯୁକ୍ତିଗତ ସମାଧାନ ଠାରୁ ମେଣ୍ଟର ଉଦ୍ଦ୍ୟୋଗୀ/ଷ୍ଟାର୍ଟ ଅପ୍‍ ତଥା ଷ୍ଟାର୍ଟ ଅପମାନଙ୍କୁ ଇନକୁବେସନ୍‍ ସୁବିଧାସୁଯୋଗମାନ ଯୋଗାଇ ଦେଉଛି। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଲା ଏମଏସଏମଇମାନଙ୍କ ଠାରେ ନବସୃଜନର ଭାବନା ସୃଷ୍ଟି କରିବା ଓ ତାହାକୁ ପ୍ରୋତ୍ସାହନ ଯୋଗାଇବା ଏବଂ ସେମାନଙ୍କ ସକଳ ପ୍ରକାର ଗବେଷଣା ଓ ବିକାଶ ଅଥବା ନୂତନ ବସ୍ତୁ ଓ ରାସାୟନିକ ପ୍ରକ୍ରିୟା କ୍ଷେତ୍ରରେ ଜ୍ଞାନଭିତ୍ତିକ ସହଯୋଗ ଯୋଗାଇବା। ଏହାର ତିନିଗୋଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି:

-ଏମଏସଏମଇ ଏବଂ ଷ୍ଟାର୍ଟ ଅପ୍‍ମାନଙ୍କୁ ଗବେଷଣା ଓ ବିକାଶ ଏବଂ ଜ୍ଞାନ ଆଧାରିତ ସମର୍ଥନ

-ଏମଏସଏମଇମାନଙ୍କ ଠାରେ ନବସୃଜନର ବିକାଶ ଘଟାଇବା ନିମନ୍ତେ ସେମାନଙ୍କ ପାଇଁ ମେଣ୍ଟର ହେବା, ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବ, ସହଯୋଗ କରିବା ଏବଂ ସେମାନଙ୍କ ହାତଧରି ଆଗକୁ ଅଗ୍ରସର କରାଇବା

-ଆଇପିଆର ସମର୍ଥନ, ବିଜ୍ଞାନାଗର ସୁବିଧା, ଗୁଣାତ୍ମକ ମାନ ସୁନିଶ୍ଚିତ କରିବା ନିମନ୍ତେ ପରୀକ୍ଷଣ ଏବଂ ବିଶ୍ଳେଷଣ ସହଯୋଗ ତଥା ବର୍ତ୍ତମାନର ଉତ୍ପାଦନ ପଦ୍ଧତିର ଅଡିଟିଂ ଆଦି କାର୍ଯ୍ୟ ସମର୍ଥନ।

ବର୍ତ୍ତମାନ ସିଆରଟିଡିଏଚ କାର୍ଯ୍ୟକ୍ରମ ଅଧୀନରେ ମେଟାଲର୍ଜିକାଲ/ ଆଗ୍ରୋ/ ବଏଲର/ ଇଲେକ୍ଟ୍ରୋନିକ୍‍/ ଧାତବ – ଏମଏସଏମଇ/ ଷ୍ଟାର୍ଟ ଅପ୍‍ଙ୍କ ସହିତ ଅନେକଗୁଡ଼ିଏ ସହଯୋଗଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ଯାହା ନୂତନ ବସ୍ତୁ, କୋଟିଂ, କୃଷି ବର୍ଜ୍ୟରୁ ସଂପଦ ସୃଷ୍ଟି (କେ-ସମୃଦ୍ଧ ସାର), ଇଲେକ୍ଟ୍ରୋନିକ୍‍ ବର୍ଜରୁ ସଂପଦ (ସେଥିରୁ ମୂଲ୍ୟବାନ ଧାତବ ଦ୍ରବ୍ୟ ସଂଗ୍ରହ) ଆଦି କାର୍ଯ୍ୟ ସଂପାଦନ କରାଯାଉଛି । ଏପର୍ଯ୍ୟନ୍ତ ଏହା ୪ଟି କୃଷି ଓ ମେଟାଲର୍ଜିକାଲ/ଧାତବ ଶିଳ୍ପ ସଂକ୍ରାନ୍ତ ପ୍ରଯୁକ୍ତିଗତ ସମାଧାନ ପନ୍ଥା ଏବଂ ୧୦ଟି କୋଭିଡ଼ ବିରୁଦ୍ଧରେ ଉପଯୋଗ କରିବା ଭଳି ସାନିଟାଇଜର, ତରଳ ସାବୁନ, ବିଶୋଧକ କିଟ୍‍ ଆଦି ୧୪ଟି ଏମଏସଏମଇଙ୍କୁ ଯୋଗାଇ ସାରିଛି।

ଇଲେକ୍ଟ୍ରନ୍‍ ମାଇକ୍ରୋସ୍କୋପ୍‍ ପ୍ରସାରଣ (ଟିଇଏମ):

ପ୍ରସାରଣ ଇଲେକ୍ଟ୍ରନ୍‍ ମାଇକ୍ରୋସ୍କୋପ୍‍ (ଟିଇଏମ) ଏକ ଉଚ୍ଚକ୍ଷମତାସମ୍ପନ୍ନ ଉପକରଣ ଯାହାକି ଅତ୍ୟାଧୁନିକ ପରୀକ୍ଷଣ ସୁବିଧା ନିମନ୍ତେ ଆହରଣ କରାଯାଇଛି ଏବଂ ତାହା ଗବେଷଣା ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ବିଭିନ୍ନ ପ୍ରତିଷ୍ଠାନକୁ ସହାୟକ ହୋଇପାରୁଛି। ଏହା ଫଳରେ ଅତ୍ୟାଧୁନିକ ଗବେଷଣାର ବିକାଶ ସମ୍ଭବପର ହୋଇପାରୁଛି।

ଏକ ଅତ୍ୟାଧୁନିକ ପ୍ରଯୁକ୍ତି ହୋଇଥିବାରୁ ସିଏସଆଇଆର- ଆଇଏମଏମଟିର ଟିଇଏମ ଫାସିଲିଟି ବିଭିନ୍ନ ପଦାର୍ଥର ଗଠନ, ପର୍ଯ୍ୟାୟକ୍ରମିକ ଗଠନ ଏବଂ ସ୍ୱରୂପ ଆଦିକୁ ନାନୋସ୍କେଲ୍‍ରେ ନିର୍ଦ୍ଧାରଣ କରିବାରେ ସକ୍ଷମ ହୋଇପାରୁଛି। ଏହା ଚୁମ୍ବକୀୟ ନାନୋପାର୍ଟିକିଲକୁ ଲୋରେଞ୍ଜ ଲେନ୍ସ ବ୍ୟବହାର କରି ସେସବୁର ଚାରିତ୍ରିକ ସ୍ୱରୂପ ଜାଣିବାରେ ମଧ୍ୟ ସକ୍ଷମ ହେଉଛି ଏବଂ ଭୂପୃଷ୍ଠ ଓ ପିଣ୍ଡର ୩ଡି ସୂଚନାକୁ ଏକାସଙ୍ଗେ ସଂଗ୍ରହ କରିପାରୁଛି। ଅତ୍ୟାଧୁନିକ ଗବେଷଣା ସୁଯୋଗ ପାଇଁ ଏଭଳି ନୂତନ ସୁବିଧା ବ୍ୟବସ୍ଥା ବେଅଜ୍ଞାନିକ, ଗବେଷକ ଏବଂ ଶୈକ୍ଷିକ ଅନୁଷ୍ଠାନର ଶିକ୍ଷକମାନଙ୍କୁ ତଥା ଶିଳ୍ପସଂସ୍ଥାମାନଙ୍କର ପଦାର୍ଥ ବିକାଶ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ସହାୟକ ହେଉଛି। ଏହା ନୂତନ ଗବେଷଣା ଓ ବିକାଶ ସୁଯୋଗ ଜ୍ଞାନ ସୃଷ୍ଟି, ମାନବ ସମ୍ବଳ ବିକାଶ, ଇସିଏଫ ସୃଜନ, ପ୍ରକାଶନ/ ପାଟେଣ୍ଟ୍‍ , ନୂତନ ଗବେଷଣା ଓ ବିକାଶ ସୁଯୋଗ ସୃଷ୍ଟିରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟଗୁଡିକ ସହ ଡିଏପି, ୟୁରିଆ ଉପଲବ୍ଧତା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ ସାର ଉପଲବ୍ଧତା ସ୍ଥିତିର ସମୀକ୍ଷା କରିବାବେଳେ କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉତ୍ପାଦନ ହେଉଛି ଏବଂ ଏହାର ଅଭାବ ନାହିଁ। ସମୀକ୍ଷା ବୈଠକରେ ୧୮ ଟି ରାଜ୍ୟର କୃଷି ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।

କୃଷକ ଏବଂ କୃଷି କ୍ଷେତ୍ରରେ ସାର ଆବଶ୍ୟକତାର ପରିଚାଳନା କେନ୍ଦ୍ର ଏବଂ ରାଜ୍ୟଗୁଡିକର ସାମୂହିକ ଦାୟିତ୍ୱ ବୋଲି ଉଲ୍ଲେଖ କରି ଡକ୍ଟର ମନସୁଖ ମାଣ୍ଡଭ୍ୟ ଗତ କିଛି ମାସ ମଧ୍ୟରେ ଡିଏପି ପାଇଁ ଚାଷୀଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ଉଦ୍ୟମ କରିଥିବାରୁ ରାଜ୍ୟ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସାମୂହିକ ପ୍ରୟାସର ପରିଣାମ ସ୍ୱରୂପ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ନିରନ୍ତର ସମନ୍ୱୟ ରହିଆସିଛି ବୋଲି ସେ କହିଛନ୍ତି। ଗତ କିଛି ମାସ ମଧ୍ୟରେ ଅନେକ ରାଜ୍ୟରେ ଡିଏପିର ଚାହିଦା ବଢିଥିବା ବେଳେ ସେମାନଙ୍କ ସାର ଆବଶ୍ୟକତା ପୂରଣ କରିଥିବାରୁ ରାଜ୍ୟ କୃଷି ମନ୍ତ୍ରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ମନ୍ତ୍ରୀମାନଙ୍କୁ ସେ ଫର୍ଟିଲାଇଜର ଡ୍ୟାସବୋର୍ଡ ସଂକ୍ରାନ୍ତର ଅବଗତ କରିଥିଲେ ଯାହା ଗତ ଦୁଇମାସରୁ କାର୍ଯ୍ୟକ୍ଷମ ରହିଛି ଏବଂ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାପ୍ତ ସାର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ। ଅଧିକ ପ୍ରଭାବଶାଳୀ ଏବଂ ଉତ୍ପାଦନକାରୀ ଢଙ୍ଗରେ ସାର ପରିଚାଳନା ପାଇଁ ସେ ପ୍ରତିଦିନ “ଫର୍ଟିଲାଇଜର ଡ୍ୟାସବୋର୍ଡ” ରେ ଆବଶ୍ୟକତା/ଯୋଗାଣ ଉପରେ ନଜର ରଖିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ। ସାପ୍ତାହିକ ଭିତ୍ତିରେ ଜିଲ୍ଲା ୱାରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗୁଆ ଯୋଜନା ପ୍ରସ୍ତୁତ କରିବା ଏବଂ ମୂଲ୍ୟାଙ୍କନ କରିବା ଜରୁରୀ ଅଟେ। ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ବ୍ୟବହାର ହୋଇନଥିବା ସାର ଅଛି। ଦୈନିକ ଏ ସଂକ୍ରାନ୍ତରେ ଆଗୁଆ ସୂଚନା ଆମକୁ ମିଳିପାରିଲେ ଏହାର ଉନ୍ନତ ପରିଚାଳନା ହୋଇପାରିବ। ସେମାନଙ୍କ ଦ୍ୱାରା ସୂଚିତ ଆବଶ୍ୟକତା ଅନୁଯାୟୀ ବିଳମ୍ବ ନକରି କେନ୍ଦ୍ର ସରକାର ରାଜ୍ୟକୁ ସାର ଯୋଗାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର ଉପରେ ସବସିଡି ପ୍ରଦାନ କରିବା ପାଇଁ କେନ୍ଦ୍ର ପ୍ରତିବଦ୍ଧ ଅଟେ ଯାହା ଦ୍ୱାରା ସେମାନଙ୍କର ଆର୍ଥିକ ବୋଝ ହ୍ରାସ ପାଇବ ବୋଲି ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି। ଆଗାମୀ ରବି ଋତୁରେ ଦେଶର ୟୁରିଆ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ନିରନ୍ତର ଭାବେ କାର୍ଯ୍ୟ କରୁଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ୟୁରିଆ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଏହା ଯେଭଳି ଶିଳ୍ପକୁ (ଯେପରିକି ଭିନିର, ପ୍ଲାଇଉଡ ଇତ୍ୟାଦି) କୁ ଚାଲାଣ ନହୁଏ ଏହା ଉପରେ ରାଜ୍ୟଗୁଡିକ ସକ୍ରିୟ ଭାବରେ ନଜର ରଖିବା ଉଚିତ। ସେ ସୂଚନା ଦେଇଛନ୍ତି ଯେ ରାଜ୍ୟ ପ୍ରଶାସନ ଦ୍ୱାରା ସକ୍ରିୟ ତଥା ପ୍ରଭାବଶାଳୀ ନୀରିକ୍ଷଣ ହେତୁ ଉତ୍ତରପ୍ରଦେଶ ଏବଂ ବିହାରରେ ସୀମାନ୍ତରେ ସାର ଚାଲାଣକୁ ରୋକାଯାଇ ପାରିଛି। ସେ କହିଛନ୍ତି, ରାଜ୍ୟଗୁଡିକ ଏହା ଉପରେ ନଜର ରଖିବା ଜରୁରୀ ଯେଭଳି କୃଷକମାନଙ୍କୁ ଯୋଗାଣ ହେଉଥିବା ସାର ଅନ୍ୟ କ୍ଷେତ୍ରକୁ ପଠାଯିବ ନାହିଁ, ଯାହାଦ୍ୱାରା କୃତ୍ରିମ ଅଭାବ ଦେଖାଦେଇଥାଏ। ସଚେତନତା ବୃଦ୍ଧି ତଥା ସାରର ଯଥାର୍ଥ ବ୍ୟବହାର ତଥା ଅପଚୟ ଏବଂ ଅପବ୍ୟବହାର ହ୍ରାସ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ଆସନ୍ତୁ ବିକଳ୍ପଗୁଡିକର ଅନୁସନ୍ଧାନ କରିବା ଏବଂ ବିକଳ୍ପ ସାରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଯେପରିକି ନାନୋ ୟୁରିଆ ଏବଂ ଜୈବକ ସାର ଯାହା ମାଟିକୁ ସୁରକ୍ଷା ଦେଇଥାଏ ଏବଂ ଅଧିକ ଉତ୍ପାଦନକ୍ଷମ କରିଥାଏ। କମ୍ ପରିମାଣର ନାନୋ ୟୁରିଆ ବର୍ତ୍ତମାନ ଅଧିକ ସାର ବ୍ୟବହାରର ବିକଳ୍ପ ଭାବରେ ବ୍ୟବହୃତ ହେବ ଏବଂ ଅଧିକ ପୁଷ୍ଟିକର ବ୍ୟବହାରରେ ସହାୟକ ହେବ ବୋଲି ଡକ୍ଟର ମନସୁଖ ମାଣ୍ଡଭ୍ୟ ସମୀକ୍ଷା ବୈଠକରେ କହିଛନ୍ତି। ଆକାର ଅନୁଯାୟୀ ଗୁଣବତ୍ତା, ମୃତ୍ତିକାରେ ଉଚ୍ଚ ଗୁଣ ମାନ ଏବଂ ଅନ୍ୟାନ୍ୟ ଗୁଣ ହେତୁ ନାନୋ-ସାର ଉଦ୍ଭିଦ ପୋଷଣରେ ପ୍ରୟୋଗ ପାଇଁ ପ୍ରତିଶ୍ରୁତିବଦ୍ଧ। ଇଫ୍‍କୋ ନାନୋ ୟୁରିଆର ଉତ୍ପାଦନ ଆରମ୍ଭ କରିଛି ଏବଂ ନାନୋ ଡିଏପି ଉପରେ କାର୍ଯ୍ୟ ଜାରି ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

‘ତାଲିବାନ ଭଳି ଶାସନ’: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫକୁ ନେଇ ବିଜେପିର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉପରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିଛି। ତେବେ ରାଣେଙ୍କୁ ଗିରଫ ପରେ ବିଜେପି ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳ କହିଛି ଯେ, କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫଦାରୀ ଗଣତାନ୍ତ୍ରିକ ନୁହେଁ। ସେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯାହା କହିଛନ୍ତି ତାହା ସହ ସହମତ ନୁହଁନ୍ତି, କିନ୍ତୁ ତାଙ୍କ ବିରୋଧରେ ଭୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଜେପି ସଭାପତି ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଜୀଙ୍କୁ ଗିରଫ କରିବା ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ। ଏହିପରି କାର୍ଯ୍ୟ ଦ୍ୱାରା ଆମେ ଭୟଭୀତ ହେବୁ ନାହିଁ। ଜନ-ଆଶୀର୍ବାଦ ଯାତ୍ରାରେ ବିଜେପିକୁ ମିଳୁଥିବା ସମର୍ଥନକୁ ନେଇ ଏହି ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେ ଗଣତାନ୍ତ୍ରିକ ଉପାୟରେ ଯୁଦ୍ଧ ଜାରି ରଖିବୁ, ଜଣ-ଆଶୀର୍ବାଦ ଯାତ୍ରା ଜାରି ରହିବ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ନେଇ ନାରାୟଣ ରାଣେଙ୍କ ବିବାଦୀୟ ମନ୍ତବ୍ୟରୁ ବିଜେପି ନିଜକୁ ଦୂରେଇ ରଖିଥିଲା, କିନ୍ତୁ ଏଥି ସହ କେନ୍ଦ୍ର ମନ୍ତ୍ରୀ ରାଣେଙ୍କୁ ସମର୍ଥନ କରିଥିଲା। ଦଳର ମୁଖ୍ୟ ଜେପି ନଡ୍ଡା ରାଣେଙ୍କ ଗିରଫଦାରୀକୁ ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ ବୋଲି କହିଥିବାବେଳେ ରାଜ୍ୟ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ତାଲିବାନ ଭଳି ଶାସନ ବିଷୟରେ କହିଛନ୍ତି।

ଫଡନାଭିସ୍ କହିଛନ୍ତି ଯେ ରାଣେଙ୍କ ମନ୍ତବ୍ୟକୁ ବିଜେପି ସମର୍ଥନ କରୁନାହିଁ, କିନ୍ତୁ ତାଙ୍କ ସହ ଦଳ ଶତପ୍ରତିଶତ ଛିଡା ହୋଇଛି। ରାଜ୍ୟ ପୋଲିସ ଫୋର୍ସକୁ “ପ୍ରତରୋଧ ରାଜନୀତି” ପାଇଁ ଏକ ଉପକରଣ ଭାବେ ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। “ତାଲିବାନ ଭଳି ଶାସନ” ନୁହେଁ ବରଂ ଆଇନ ଶୃଙ୍ଖଳା ରହିବା ଉଚିତ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

ନାରାୟଣ ରାଣେଙ୍କ ଗିରଫଦାରୀ ପ୍ରସଙ୍ଗରେ ବିଜେପି ମୁଖପାତ୍ର ସମ୍ବିଟ ପାତ୍ର କହିଛନ୍ତି ଯେ, ନାରାୟଣ ରାଣେଙ୍କ ମାମଲା ଗୁରୁତର। ନାରାୟଣ ରାଣେ ବ୍ୟବହାର କରିଥିବା କିଛି ଶବ୍ଦ ପ୍ରୟୋଗ କରିଛନ୍ତି, ଯାହାକୁ ଦୂରେଇ ରଖାଯାଇପାରେ। ମହାରାଷ୍ଟ୍ରର ୪୨ ଜଣଙ୍କ ମଧ୍ୟରୁ ୨୭ ଜଣ ମନ୍ତ୍ରୀ ଅଛନ୍ତି, ଯେଉଁମାନଙ୍କ ନାମରେ ମାମଲା ରହିଛି। ଅନିଲ ଦେଶମୁଖ ୧୦୦ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି, ସେ ଜେଲରେ ଅଛନ୍ତି କି? ପୋଲିସ ଅନିଲ ପରଖଙ୍କୁ ମଧ୍ୟ ପଚାରୁ ନାହିଁ। ଆଜି ମହାରାଷ୍ଟ୍ରରେ ଗଣତନ୍ତ୍ର ଲଜ୍ଜାଜନକ ହୋଇଛି। ସରଜିଲ ଇମାମଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇନାହିଁ। ମହିଳାଙ୍କ ବିରୋଧରେ ସଞ୍ଜୟ ରାଉତ ଅନେକ ଟିପ୍ପଣୀ ଦେଇଛନ୍ତି। କିନ୍ତୁ କୌଣସି ଏଫ୍ଆଇଆର୍ ପଞ୍ଜିକୃତ ହୋଇନାହିଁ।

ଜୁଲାଇ ମାସରେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ନାରାୟଣ ରାଣେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ସଙ୍ଗମେଶ୍ୱର ଯାଇଥିଲେ। ୨୦ ବର୍ଷ ମଧ୍ୟରେ ଗିରଫ ହୋଇଥିବା ରାଣେ ହେଉଛନ୍ତି ପ୍ରଥମ କେନ୍ଦ୍ର ମନ୍ତ୍ରୀ। ଗିରଫଦାରୀରୁ ସୁରକ୍ଷା ମାଗିଥିବା ଆବେଦନ ଉପରେ ଏକ ଜରୁରୀ ଶୁଣାଣିକୁ ବମ୍ବେ ହାଇକୋର୍ଟ ମନା କରିଦେଇଥିବା ବେଳେ ରାଣେଙ୍କ ଗିରଫଦାରୀ ଆଶଙ୍କା ବଢିଯାଇଥିଲା।