Categories
ଆଜିର ଖବର ଜାତୀୟ ଖବର

ସିଆରସିଏସଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ପୁଣେ ଠାରେ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ବି.ଏଲ ବର୍ମାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶାହ କହିଥିଲେ, ମହାରାଷ୍ଟ୍ରରୁ ହିଁ ସମବାୟ ସଂସ୍କୃତି ସାରା ଦେଶରେ ବିସ୍ତାରିତ ହୋଇଥିଲା ଏବଂ ମହାରାଷ୍ଟ୍ରର ସମବାୟ ମଡେଲ ଦେଶରେ ସମବାୟ ଆନ୍ଦୋଳନକୁ ଆଗେଇ ନେଉଛି। ସେ କହିଥିଲେ, ଯଦି ଆମେ ଆଜି ସମବାୟ ଆନ୍ଦୋଳନର କ୍ରମ ବିକାଶକୁ ଦେଖିବା ତା’ହେଲେ ଏହା ଗୁଜରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବିଶେଷ ଭାବେ ବିକଶିତ ହୋଇଥିବା ଦେଖିବାକୁ ମିଳିବ । ପୂର୍ବରୁ ଏହି କ୍ଷେତ୍ର ବମ୍ବେ ରାଜ୍ୟ ଅଧୀନରେ ଥିଲା। ତେଣୁ  କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟ ମହାରାଷ୍ଟ୍ରରୁ ଆରମ୍ଭ କରାଯିବାର ବିଶେଷ ପ୍ରାସଙ୍ଗିକତା ରହିଛି । ଶ୍ରୀ ଶାହା କହିଥିଲେ, ବିଭିନ୍ନ ବହୁମୁଖ ସମବାୟ ସମିତିକୁ ପରିଚାଳନା କରୁଥିବା କେନ୍ଦ୍ରୀୟ ନିବନ୍ଧକ (ସିଆରସିଏସ)ଙ୍କ କାର୍ଯ୍ୟ ଆଜି ଠାରୁ ସମ୍ପୂର୍ଣ୍ଣ ଡିଜିଟାଲ ହେଲା । ନୂଆ ଶାଖା ଖୋଲିବା, ଅନ୍ୟ ରାଜ୍ୟକୁ ସମ୍ପ୍ରସାରଣ କିମ୍ବା ଅଡିଟିଂ ଭଳି ସମବାୟ ସମିତିଗୁଡ଼ିକର ସବୁ କାର୍ଯ୍ୟ ଏବେ ଅନଲାଇନରେ ହେବ ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ, ଅନେକ ଚିନ୍ତା କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘‘ସହକାର ସେ ସମୃଦ୍ଧି’’ ବିଚାର ଉପସ୍ଥାପନ କରିଥିଲେ । ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର କୋଟି କୋଟି ଗରିବ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗରିବ ଓ ବଞ୍ଚିତ ମାନଙ୍କୁ ଆବାସ, ବିଦ୍ୟୁତ ସଂଯୋଗ, ଶୁଦ୍ଧ ପାନୀୟ ଜଳ, ଗ୍ୟାସ ସିଲିଣ୍ଡର, ଶୌଚାଳୟ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା, ମୁଣ୍ଡ ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି । ଦେଶର କୋଟି କୋଟି ଲୋକ ପୂର୍ବରୁ ବ୍ୟାଙ୍କ ସେବାରୁ ବଞ୍ଚିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ପାଇଁ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ଜରିଆରେ ଗରିବ ଲୋକଙ୍କୁ ଦେଶର ଅର୍ଥବ୍ୟବସ୍ଥା ସହ ଯୋଡ଼ିପାରିଛନ୍ତି । ସେ କହିଥିଲେ, ଯଦି ଦେଶର ଗରିବ ଲୋକଙ୍କ ପାଖରେ ଏକ ଉଦ୍ୟୋଗ ଆରମ୍ଭ କରିବା ଲାଗି ପୁଞ୍ଜିର ଅଭାବ ରହିଛି ତା’ହେଲେ ସମବାୟ ଆନ୍ଦୋଳନ ହିଁ ଏକମାତ୍ର ମାର୍ଗ ଯାହା ଜରିଆରେ ଅନେକ ଲୋକ ଅଳ୍ପ ପୁଞ୍ଜି ସହିତ ଏକତ୍ରିତ ହୋଇ ଏକ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ।

ଶ୍ରୀ ଶାହା କହିଥିଲେ ଯେ, ‘‘ସହକାରସେ ସମୃଦ୍ଧି’’ର ଅର୍ଥ ହେଉଛି ଗରିବ ଲୋକଙ୍କ ଜୀବନରେ ସୁଧାର ଆଣିବା, ସେମାନଙ୍କୁ ଦେଶର ଆର୍ଥିକ ବିକାଶ ଯୋଗଦାନ ଦେବା ପାଇଁ ମଞ୍ଚ ଯୋଗାଇ ଦେବା ଏବଂ ସମବାୟ ଜରିଆରେ ସେମାନଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା । ଏହି ଉଦ୍ଦେଶ୍ୟ ନେଇ ଶ୍ରୀ ମୋଦୀ ସମବାୟ ମନ୍ତ୍ରଣାଳୟ ଗଠନ କରିଥିବା ସେ କହିଥିଲେ । ଶ୍ରୀ ଶାହା କହିଥିଲେ, ଆଜି ଶୁଭାରମ୍ଭ କରାଯାଇଥିବା ପୋର୍ଟାଲ ଦ୍ୱାରା ଦେଶର ୧୫୫୫ ବହୁମୁଖୀ ସମବାୟ ସମିତି ଲାଭବାନ ହେବେ ଏବଂ ଏସବୁ ୧୫୫୫ ସମବାୟ ସମିତି ମଧ୍ୟରୁ କେବଳ ୪୨% ମହାରାଷ୍ଟ୍ରରେ ଅଛନ୍ତି । ଏହା ମହାରାଷ୍ଟ୍ରରେ ସମବାୟ ଆନ୍ଦୋଳନର ସାମର୍ଥ୍ୟକୁ ଦର୍ଶାଉଛି। ଅନୁରୂପ ଭାବେ ମୋଦୀ ସରକାର ସବୁ ରାଜ୍ୟର ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟଗୁଡ଼ିକୁ କମ୍ପ୍ୟୁଟରୀକରଣ କରିବାକୁ ଯାଉଛନ୍ତି ଯାହାକି ଦେଶବ୍ୟାପୀ ରହିଥିବା ୮ ଲକ୍ଷ ସମବାୟ  ସମିତିଗୁଡ଼ିକର ଯୋଗାଯୋଗକୁ ସହଜ କରିବ ବୋଲି ସେ କହିଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ, ଆଧୁନିକତା, ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ବିନା ଦେଶରେ ସମବାୟ ଆନ୍ଦୋଳନ ଆଗକୁ ବଢ଼ିପାରିବ ନାହିଁ । ସେ କହିଥିଲେ ଯେ, ଅଧିକ ସମବାୟ ପ୍ରତି ଗ୍ରହଣୀୟତା ବଢ଼ାଇବାକୁ  ହେଲେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ହେବ ଏବଂ ପାରଦର୍ଶିତା ଆଣିବାକୁ ହେବ । ଅମୁଲ, ଇଫକୋ ଏବଂ କ୍ରିଭକୋ ଭଳି ସମବାୟର ଅନେକ ସଫଳ କାହାଣୀ ଭାରତ ସାରା ଦୁନିଆକୁ ଦେଖାଇଛି । ବର୍ତ୍ତମାନ ଏସବୁକୁ ଆଗେଇ ନେଇ ଆମକୁ ସମବାୟ ଆନ୍ଦୋଳନକୁ ଏକ ନୂଆ ଗତି ଦେବାକୁ ହେବ ।

ଶ୍ରୀ ଶାହା କହିଥିଲେ ଯେ ନିକଟରେ ବହୁମୁଖୀ ସମବାୟ ସମିତି ଆଇନରେ ସଂଶୋଧନ ଅଣାଯାଇଛି । ଏହି ଆଇନ ଅଧୀନରେ ଆମେ ନିର୍ବାଚନୀ ସଂସ୍କାର କାର୍ଯ୍ୟକାରୀ କରିଛୁ, ସମବାୟ ପ୍ରଶାସନ ପାଇଁ ନୂଆ ନିୟମ ନିର୍ଦ୍ଧାରଣ କରିଛୁ, ଆର୍ଥିକ ଶୃଙ୍ଖଳା ଓ ପାଣ୍ଠି ପାଇଁ ବ୍ୟବସ୍ଥା କରିଛୁ, ବ୍ୟବସାୟିକ ସୁଗମତା ପାଇଁ ବ୍ୟବସ୍ଥା କରିଛୁ, ନିର୍ବାଚନ ଆୟୋଗଙ୍କ ଭଳି ଏକ ନିରପେକ୍ଷ ସଂସ୍ଥା ସମବାୟ ନିର୍ବାଚନ ପାଇଁ କାର୍ଯ୍ୟ କରିବ, ପରିଷଦ ପରିଚାଳନା ପାଇଁ ନିୟମିରେ ପରିବର୍ତ୍ତନ କରାଯାଇଛି, ପାରଦର୍ଶିତା ଆଣିବା ଲାଗି ପରିଷଦ ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯାଇଛି । ବହୁମୁଖୀ ସମବାୟ ସମିତି ଆଇନ, ୨୦୨୨ ସମବାୟ ସମିତିଗୁଡ଼ିକର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ସହିତ ପ୍ରିୟାପ୍ରୀତି ତୋଷଣକୁ ସମାପ୍ତ କରିବ ଯାହାଫଳରେ ଯୁବ ପ୍ରତିଭା ସମବାୟ ଆନ୍ଦୋଳନରେ ସାମିଲ ହୋଇପାରିବେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ନିରନ୍ତର ମାର୍ଗଦର୍ଶନ ଫଳରେ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ଅଧିକ ବ୍ୟବହାର୍ଯ୍ୟ କରିବା ଲାଗି ଅନେକ କାର୍ଯ୍ୟ କରାଯାଉଛି । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୩ ଲକ୍ଷ ନୂଆ ପ୍ରାଥମିକ କୃଷି ସମବାୟ ସମିତି ପ୍ରତିଷ୍ଠା କରି ମୋଦୀ ସରକାର ସମବାୟ ଆନ୍ଦୋଳନକୁ ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ୭୦ ବର୍ଷ ମଧ୍ୟରେ ଦେଶରେ ୯୩ ହଜାର ପ୍ରାଥମିକ କୃଷି ସମବାୟ ସମିତି ନିର୍ମାଣ ହୋଇଥିବା ବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ୩ ଲକ୍ଷ ନୂଆ ପ୍ରାଥମିକ କୃଷି ସମବାୟ ସମିତି ନିର୍ମାଣ କରାଯିବ । ମୋଦୀ ସରକାରଙ୍କ ଦ୍ୱାରା ଦେଶର ସବୁ ପ୍ରାଥମିକ କୃଷି ସମବାୟ ସମିତିର କମ୍ପ୍ୟୁଟରୀକରଣ କାମ ଶେଷ କରାଯାଇଛି ବୋଲି ଶ୍ରୀ ଶାହା କହିଥିଲେ। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ଏବେ ଜନ ସେବା କେନ୍ଦ୍ର (ସିଏସସି) ଭାବେ ପରିଣତ ହୋଇ ବିଭିନ୍ନ ପ୍ରକାର କାର୍ଯ୍ୟ କରିପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବିଶ୍ୱର ସର୍ବବୃହତ ଓ ବହୁମୁଖୀ ଭଣ୍ଡାରଣ ଯୋଜନାକୁ ମଞ୍ଜୁର କରିଛନ୍ତି । ବର୍ତ୍ତମାନ ଜିଇଏମ ପ୍ଲାଟଫର୍ମର ଲାଭ ମଧ୍ୟ ସମବାୟ ସଂସ୍ଥାଗୁଡ଼ିକୁ ମିଳୁଛି ।

ବର୍ତ୍ତମାନ ସୁଦ୍ଧା ୯୫% ଜାତୀୟ ସମବାୟ ଡେଟାବେସ ତିଆରି କାମ ଶେଷ ହୋଇଛି । ଆମେ ଏକ ନୂଆ ସମବାୟ ନୀତି ଆଣିବାକୁ ଯାଉଛୁ । ଆମେ ଏକ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛୁ ଯାହା ମାଧ୍ୟମରେ ସମବାୟର ବୈଷୟିକ ଶିକ୍ଷା ଏବଂ ଏହାର ସମସ୍ତ ବିଭାଗକୁ ଯୋଡ଼ାଯାଇପାରିବ । ସେ କହିଥିଲେ ଯେ ଶ୍ରୀ ମୋଦୀ ୩ଟି ନୂଆ ବହମୁଖି ସମବାୟ ସମିତି ଗଠନ କରିଛନ୍ତି । ଗୋଟିଏ ସମିତି ବହୁମୁଖି ଜୈବିକ ଉତ୍ପାଦ ବିକ୍ରି ପାଇଁ ପ୍ରତିଷ୍ଠା କରାଯାଇଛି ଯାହାକି ‘ଭାରତବ୍ରାଣ୍ଡ’ ନାମରେ ପ୍ରାକୃତିକ କୃଷି ଉତ୍ପାଦ ବିକ୍ରି କରୁଛି । ଏହାର ସମ୍ପୂର୍ଣ୍ଣ ଲାଭ ଚାଷୀଙ୍କ ଏକାଉଣ୍ଟକୁ ଯାଉଛି । ଏହି ୩ଟି ନୂଆ ବହମୁଖି ସମବାୟ ସମିତି ଦ୍ୱାରା ଦେଶର ୧୦ କୋଟି ଚାଷୀ ଲାଭବାନ ହେଉଛନ୍ତି ଏବଂ ଏଗୁଡ଼ିକ ଆଗାମୀ ଦିନରେ କୋଟି ଚାଷୀଙ୍କ ସମୃଦ୍ଧି ନିମନ୍ତେ ମାର୍ଗ ପ୍ରଶସ୍ତ କରିବ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହା କହିଥିଲେ, ପୂର୍ବରୁ ସମବାୟ ସଂସ୍ଥାଗୁଡ଼ିକ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଥିଲା କିନ୍ତୁ ଏବେ ସମବାୟ ସଂସ୍ଥାଗୁଡ଼ିକୁ କର୍ପୋରେଟ୍‌ ସଂସ୍ଥା ଭଳି ସୁବିଧାସୁଯୋଗ ମିଳିପାରୁଛି । ଆୟକରରେ ରହିଥିବା ଦୋହରା ଟିକସ ବ୍ୟବସ୍ଥାକୁ ମଧ୍ୟ ଉଚ୍ଛେଦ କରାଯାଇଛି । ଅନେକ ବର୍ଷ ଧରି ପଡ଼ିରହିଥିବା ଚିନି କଳଗୁଡ଼ିକର ବିଭିନ୍ନ ସମସ୍ୟାକୁ ମୋଦୀ ସରକାର ସମାଧାନ କରିଛନ୍ତି ।  ଚାଷୀଙ୍କ ଲାଭ ଉପରେ ସରକାର ଟିକସ ଲାଗୁ କରି ପାରିବେ ନାହିଁ, ସମବାୟ କ୍ଷେତ୍ର ପାଇଁ ସରକାର ଏହି ନୀତି ଆପଣାଇଛନ୍ତି । ଅର୍ଥ ମନ୍ତ୍ରଣାଳୟ ଏହି ନିଷ୍ପତ୍ତିକୁ ଗ୍ରହଣ କରିବା ସମବାୟ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପୂର୍ବରୁ କେବର ସହରାଞ୍ଚଳ ସମବାୟ ବ୍ୟାଙ୍କକୁ ଗୃହ ଋଣ ପ୍ରଦାନ କରିବାର କ୍ଷମତା ଥିଲା ଏବେ ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ଏ ସୁବିଧା ମିଳିଛି । ଏବେ ସହରାଞ୍ଚଳ ସମବାୟ ବ୍ୟାଙ୍କକୁ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଯୋଗାଇ ଦେବାର ଅନୁମତି ମିଳିଛି । ସରକାରୀ ବ୍ୟାଙ୍କ ଭଳି ସହରାଞ୍ଚଳ ସମବାୟ ବ୍ୟାଙ୍କକୁ ମଧ୍ୟ ନୂଆ ଶାଖା ଖୋଲିବା ଲାଗି ଅନୁମତି ପ୍ରଦାନ କରାଯିବା ସହିତ ଏକକାଳୀନ ସେଟଲମେଣ୍ଟ ଅଧିକାର ଦିଆଯାଇଛି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଏବଂ ବିଶ୍ୱର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ରୂପରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସମବାୟ କ୍ଷେତ୍ର ଏ ଦିଗରେ ଯୋଗଦାନ ସେବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଉଚିତ୍‌ । ଶ୍ରୀ ମୋଦୀଙ୍କର ‘‘ସହକାର୍‌ ସେ ସମୃଦ୍ଧି’’ ସଂକଳ୍ପକୁ ସାକାର କରିବା ଦିଗରେ, ସମବାୟ ମନ୍ତ୍ରଣାଳୟ ଏହି ଡିଜିଟାଲ ପୋର୍ଟାଲ ଶୁଭାରମ୍ଭ ସହିତ ଏକ ନୂଆ ଯାତ୍ରା ଆରମ୍ଭ କରିଥିବା ସେ କହିଥିଲେ ।

Categories
ବିଶେଷ ଖବର

ଭୁବନେଶ୍ୱର ଠାରେ ୭୬୧ କୋଟି ବ୍ୟୟରେ ନିର୍ମିତ କାମାକ୍ଷାନଗର-ଡୁବୁରୀ ରାଜପଥରର ଲୋକାର୍ପଣ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ୱର ଠାରେ ୭୬୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର-ଡୁବୁରୀ ସେକ୍ସନର ୪ ଲେନ୍‌ ବିଶିଷ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଲୋକାର୍ପଣ କରିବା ସହିତ ୩୪ କୋଟି ଟଙ୍କା ବ୍ୟୟରେ ତିଆରି ହେବାକୁ ଥିବା ମୋଟେର-ବାନେର ଭାୟା ଲଡ଼ୁଗାଁ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ୨୦୧୯ ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରି ଧାରା ୩୭୦ ଉଚ୍ଛେଦ ସହିତ କାଶ୍ମୀରକୁ ସବୁଦିନ ପାଇଁ ଭାରତ ସହିତ ଯୋଡ଼ିବା ପାଇଁ ପଦକ୍ଷେପ ନେଇଥିଲେ । ଆଜି କାଶ୍ମୀର କେବଳ ମୁଖ୍ୟଧାରାରେ ସାମିଲ ହୋଇନାହିଁ ବରଂ ଏଠାରେ ଶାନ୍ତି ଓ ବିକାଶ ପାଇଁ ବାଟ ଖୋଲିଛି।

ଅମିତ ଶାହ କହିଥିଲେ ଯେ, ଆଜି ଏଠାରେ କାମାକ୍ଷାନଗର-ଡୁବୁରୀ ସେକ୍ସନରେ ଚାରି ଲେନ୍‌ ବିଶିଷ୍ଟ ରାଜପଥ ପ୍ରଶସ୍ତିକରଣ କାମ ଲୋକାର୍ପଣ କରାଯାଇଛି । ୫୧ କିଲୋମିଟର ଲମ୍ବ ଏହି ସଡ଼କ ପାଇଁ ୭୬୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ରାଜପଥ ଓଡ଼ିଶାର ଖଣିଜ ସମୃଦ୍ଧ ଜିଲ୍ଲା ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ରାଜ୍ୟର ଅବଶିଷ୍ଟ ଭାଗ ସହିତ ଯୋଡ଼ିବ । ଏହାଛଡ଼ା ଜାତୀୟ ରାଜପଥ ମାଧ୍ୟମରେ ଦେଶର ଅବଶିଷ୍ଟ ଭାଗ ସହିତ ଦୁଇ ଜିଲ୍ଲାକୁ ଯୋଡ଼ିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ । ସେ କହିଥିଲେ ଯେ, ଦେଶର ଭାଗ୍ୟ, ବିକାଶ, ଅର୍ଥବ୍ୟବସ୍ଥାର ବିକାଶ ରାଜପଥ ସହ ଯୋଡ଼ି ହୋଇ ରହିଛି । ଶ୍ରୀ ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ, ବିଗତ ୯ ବର୍ଷ ମଧ୍ୟରେ ରାଜପଥର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଆଜି କଳାହାଣ୍ଡିର ମୋଟେର ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡ଼ୁଗାଁ ହୋଇ ଏକ ସଡ଼କର ପ୍ରଶସ୍ତିକରଣ ଓ ଉନ୍ନତିକରଣ କାମ ମଧ୍ୟ ଆରମ୍ଭ ହୋଇଛି । ପାଖାପାଖି ୧୫ କିଲୋମିଟର ଲମ୍ବା ଏହି ରାଜପଥ ପ୍ରକଳ୍ପ ପାଇଁ ୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୯ ବର୍ଷ ମଧ୍ୟରେ ଦେଶରେ ଭିତ୍ତିଭୂମି ବିକାଶ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ଏବଂ ଏଥିପାଇଁ କୌଣସି ପ୍ରକାରରେ ବଜେଟ୍‌ର ଅଭାବ ରଖାଯାଇନାହିଁ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରରେ ଭିତ୍ତିଭୂମି ବିକାଶ ବିନା ଦେଶର ବିକାଶ ହୋଇପାରିବ ନାହିଁ, ରାଜପଥ ନିର୍ମାଣ ଦ୍ୱାରା ସ୍ୱାଭାବିକ ଭାବେ ଦେଶରେ ଆର୍ଥିକ ଗତିବିଧି ତ୍ୱରାନ୍ୱିତ ହେବ । ଶ୍ରୀ ଶାହ ଆହୁରି କହିଥିଲେ ଯେ ମୋଦୀ ସରକାର ଫାଷ୍ଟଟ୍ୟାଗ ଜରିଆରେ ଟୋଲ୍‌ ସଂଗ୍ରହକୁ ଦ୍ରୁତ କରିଛନ୍ତି, ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଦକ୍ଷତା ଆସିଛି, ବିବାଦର ଶୀଘ୍ର ସମାଧାନ, ସୂଚନା ପ୍ରଯୁକ୍ତି ଉପରେ ଗୁରୁତ୍ୱ, ପାଣ୍ଠି ଯୋଗାଣର ବିକଳ୍ପ ଉପାୟ ଖୋଜିବା ଆଦି ବୈଜ୍ଞାନିକ ସମନ୍ୱୟ ଆଣି ରାଜପଥ ନିର୍ମାଣର ଗତିକୁ ତ୍ୱରାନ୍ୱିତ କରିଛନ୍ତି । ରାଜପଥ ନିର୍ମାଣ ଦ୍ୱାରା ସ୍ୱାଭାବିକ ଭାବେ ଦେଶରେ ଆର୍ଥିକ ଗତିବିଧି ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ ।

ଶ୍ରୀ ଶାହ କହିଥିଲେ ଯେ ଓଡ଼ିଶା ପାଇଁ ମୋଦୀ ସରକାର ଅନେକ ବିକାଶ ପ୍ରକଳ୍ପ ଆରମ୍ଭ କରିଛନ୍ତି, ଯାହାଦ୍ୱାରା ରାଜ୍ୟର ଅର୍ଥବ୍ୟବସ୍ଥା ଗତିଶୀଳ ହୋଇଛି । ସେ କହିଥିଲେ ଯେ ନରେନ୍ଦ୍ର ମୋଦୀ ୨୦୧୪ରେ କହିଥିଲେ ଯେପର୍ଯ୍ୟନ୍ତ ଦେଶର ପୂର୍ବାଞ୍ଚଳର ବିକାଶ ହେବ ନାହିଁ, ସେପର୍ଯ୍ୟନ୍ତ ଦେଶର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ପୂର୍ବ ଭାରତକୁ ଗୁରୁତ୍ୱ ଦେଇ ଆସିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ଦେଶର ପୂର୍ବ ଓ ପଶ୍ଚିମ କ୍ଷେତ୍ରର ବିକାଶର ସ୍ତର ଏକସମାନ ହେଲେ ଦେଶର ବିକାଶ ହୋଇପାରିବ । ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର ସବୁବେଳେ ପୂର୍ବ ଭାରତକୁ ଏବଂ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦେଇ ଆସିଛନ୍ତି । ଶ୍ରୀ ଶାହା କହିଥିଲେ, ଏକଦା ଏହି ସମ୍ପୂର୍ଣ୍ଣ କ୍ଷେତ୍ର ନକ୍ସଲ ପ୍ରଭାବିତ ଥିଲା, କିନ୍ତୁ ବିଗତ ୯ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦୀ ସରକାର ରାଜ୍ୟ ସରକାରଙ୍କ ସହ ମିଶି ନକ୍ସଲବାଦ ଉପରେ ଅଙ୍କୁଶ ଲଗାଇବାକୁ ସଫଳ ପ୍ରୟାସ କରିଛନ୍ତି ଏବଂ ଏହାର ପରିଣାମ ମଧ୍ୟ ଦେଖିବାକୁ ମିଳିଛି । ନକ୍ସଲବାଦ ଉପରେ ଅଙ୍କୁଶ ଲଗାଇବାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛନ୍ତି । ମୋଦୀ ସରକାର ନକ୍ସଲବାଦ ବିରୋଧରେ ମଜବୁତ ଲଢ଼େଇ ପାଇଁ ସଂକଳ୍ପବଦ୍ଧ ଅଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ ଯେ, ନରେନ୍ଦ୍ର ମୋଦୀ ସରକାର ଓଡ଼ିଶା ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ସେ କହିଥିଲେ ଯେ କେନ୍ଦ୍ରରେ ଥିବା ପୂର୍ବ ସରକାରଙ୍କ ସମୟରେ ହସ୍ତାନ୍ତରଣ ବା ଡିଭୋଲ୍ୟୁସନ୍‌ ଏବଂ ଗ୍ରାଣ୍ଟ ଇନ୍‌ ଏଡ୍‌ ବା ଅନୁଦାନ ଆକାରରେ ଓଡ଼ିଶାକୁ ୧,୧୪,୦୦୦ କୋଟି ଟଙ୍କା ମିଳିଥିଲା। ମୋଦୀ ସରକାର ଉଭୟ ଉତ୍ସରୁ ୪,୫୭,୦୦୦ କୋଟି ଟଙ୍କା ଦେଇଛନ୍ତି । ଏହା ବ୍ୟତୀତ ମୋଟ୍‌ ଆବଣ୍ଟନକୁ ୩ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି କରି ୧୮ ଲକ୍ଷ କୋଟି ଟଙ୍କା କରିବାର କାର୍ଯ୍ୟ ମୋଦୀ ସରକାର କରିଛନ୍ତି, ଯାହାକି ୬ ଗୁଣ ଠାରୁ ମଧ୍ୟ ଅଧିକ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ରେଳବାଇ ପାଇଁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି, ୮୦୦ କୋଟି ଟଙ୍କାରେ ଇଣ୍ଡିଆନ ଅଏଲ୍‌ ପାଇପଲାଇନ କାମ କରିଛନ୍ତି, ଆଇଆଇଟି ଭୁବନେଶ୍ୱର ଏବଂ ଏମ୍ସ ନିର୍ମାଣ କରିଛନ୍ତି । ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା କେନ୍ଦ୍ର ମଧ୍ୟ ଏଠାରେ ଖୋଲାଯାଇଛି । ଭୁବନେଶ୍ୱର ଇଏସଆଇ ହସ୍ପିଟାଲର ଉନ୍ନତିକରଣ ଏବଂ ୧୫୦୦ ଶଯ୍ୟା ବିଶିଷ୍ଟ ଭୁବନେଶ୍ୱର ଏମ୍ସର ମଧ୍ୟ ପ୍ରତିଷ୍ଠା କରାଯାଇଛି ।

ଅମିତ ଶାହା କହିଥିଲେ ଯେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଓଡ଼ିଶାର ବିକାଶରେ ଆଦୌ ହେଳା କରିବାକୁ ଚାହୁଁ ନାହିଁ ଏବଂ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ କହିଥିଲେ ଯେ କିଷାନ ସମ୍ମାନ ନିଧି ଯୋଜନା ଅଧୀରେ ରାଜ୍ୟର ୪୦ ଲକ୍ଷ ଚାଷୀ ଲାଭବାନ ହୋଇଛନ୍ତି । ଜଳ ଜୀବନ ମିଶନ ଅଧୀନରେ ୫୪ ଲକ୍ଷ ଘରକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିଛି । ୯୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାସିକ ୫ କିଲୋଗ୍ରାମ ମାଗଣା ଚାଉଳ ମିଳୁଛି, ୬ ଲକ୍ଷ ଉଜ୍ଜ୍ୱଳା ସଂଯୋଗ ଦିଆଯାଇଛି ଏବଂ ୧୭ ଲକ୍ଷ ଗ୍ରାମୀଣ ପରିବାରକୁ ଆବାସ ଯୋଗାଣ ଭଳି କାମ ମୋଦୀ ସରକାର କରି ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ କିନ୍ତୁ ବିପର୍ଯ୍ୟୟ ପରିଚାଳନା ପାଇଁ ମୋଦୀ ସରକାରଙ୍କ ସବୁ ଯୋଜନାକୁ ଶ୍ରୀ ନବୀନ ପଟ୍ଟନାୟକ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିଛନ୍ତି । ନିଜେ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରି ସାରା ଦେଶକୁ ଦେଖାଇ ଦେଇଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ସାଥୀ ହୋଇ କାମ କଲେ ପ୍ରାକୃତିକ ବିପର୍ଯ୍ୟୟକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ ।

ଶ୍ରୀ ଶାହ କହିଥିଲେ ଯେ, ୧୯୯୯ରେ ଓଡ଼ିଶାରେ ଆସିଥିବା ମହାବାତ୍ୟା ଯୋଗୁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ କିନ୍ତୁ ଆଜି ଯେତେବେଳେ ଓଡ଼ିଶାକୁ ବାତ୍ୟା ଆସୁଛି, ଏଠାରେ ଶୂନ୍ୟ ମୃତ୍ୟୁହାର ଦେଖିବାକୁ ମିଳୁଛି ଯାହାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଡିଆରଏଫ, ଏନଡିଏମଏ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନାକୁ ପ୍ରଶାସନର ସ୍ୱଭାବରେ ପରିଣତ କରିଛନ୍ତି ଏବଂ ଓଡ଼ିଶା ସରକାର ଏଥିରେ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଇକନିକ୍‌ ସପ୍ତାହ: କଟକରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଆଇକନିକ ସପ୍ତାହ ପାଳନ କରାଯାଉଛି। ଜାନୁଆରୀ ୨୦ ତାରିଖରେ ନେତାଜୀଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସିଆରପିଏଫ, ଆଇଟିବିପି ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୁଲ୍ୟରେ ନେତାଜୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।

ଆସନ୍ତା ୨୦ ତାରିଖ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ହାଇକୋର୍ଟ ଠାରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସିଆରପିଏଫ, ଆଇଟିବିପି ଏବଂ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହେବେ।  ସେହିପରି ସକାଳ ସାଢ଼େ ୭ଟା ଠାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ହାଇକୋର୍ଟରୁ ନେତାଜୀଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜନ କରାଯିବ। ଏଥିରେ ମଧ୍ୟ ସିଆରପିଏଫ ଓ ଆଇଟିବିପି ଯବାନ, ସାଧାରଣ ନାଗରିକ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏହାଛଡ଼ା ସମାନ ସ୍ଥାନରେ ସକାଳ ସାଢ଼େ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଇକେଲ ରାଲି ଆୟୋଜନ କରାଯିବ।

ଅନ୍ୟପକ୍ଷରେ ଖୋର୍ଦ୍ଧାସ୍ଥିତ ଆଇଟିବିପି ଶିବିର ଏବଂ ଭୁବନେଶ୍ବରସ୍ଥିତ ସିଆରପିଏଫ ଗ୍ରୁପ କେନ୍ଦ୍ର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କଟକ ଷ୍ଟିୱ।ର୍ଟ କଲେଜ ପରିସରରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ କରାଯିବ। ଅପରାହ୍ନ ୫ଟାରେ କଟକ ସାରଳା ଭବନ ପରିସରରେ ଆଇଟିବିପି ଏବଂ ସିଆରପିଏଫ ପକ୍ଷରୁ ସହିଦଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଠାରେ ସାଢ଼େ ୫ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।  କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଡାକ ଟିକଟ ପ୍ରଦର୍ଶନୀ ଏବଂ ନେତାଜୀଙ୍କ ଜୟନ୍ତୀ ଉପରେ ଡାକ ଟିକଟ ଉନ୍ମୋଚନ କରାଯିବ। ସେହିପରି ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। କଟକସ୍ଥିତ ଓଡ଼ିଶା ସାହିତ୍ୟ ଏକାଡେମୀ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ।

ଚଳିତ ବର୍ଷ ନେତାଜୀ ଜୟନ୍ତୀ ସମାରୋହକୁ ଜନଭାଗିଦାରୀ ମାଧ୍ୟମରେ ଦେଶବ୍ୟାପୀ ବ୍ୟାପକ ଆକାରରେ ଆୟୋଜନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାକୁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସେମିନାରକୁ ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍ୱରାଜର ବାଖ୍ୟାରେ ସ୍ୱଦେଶୀ, ସ୍ୱଭାଷା, ସ୍ୱଧର୍ମ, ଆମର ସଂସ୍କତି ଏବଂ ଦେଶର ସର୍ବୋଚ୍ଚ ବିଚାର ସର୍ବପ୍ରଥମେ ସ୍ୱତଃପ୍ରବୃତ ମନକୁ ଆସିଥାଏ। କିନ୍ତୁ ସ୍ୱାଧୀନତା ପରବର୍ତୀ ସମୟରେ ସ୍ୱରାଜର ଏହି ସମସ୍ତ ବାଖ୍ୟାକୁ ଅଣଦେଖା କରି କେବଳ ଶାସନ ବ୍ୟବସ୍ଥାରେ ସୀମିତ କରାଗଲା। ବର୍ତ୍ତମାନ ସମୟରେ ଏ ସମସ୍ତ ବିଷୟ ଗୁଡିକର ପୁନର୍ବିଚାର ଜରୁରୀ। ସ୍ୱରାଜର ସମ୍ପୂର୍ଣ୍ଣ କଳ୍ପନା ହିଁ ନୂଆ ଇଣ୍ଡିଆର ବିଚାର ଏବଂ ଏହି ବିଚାର ହିଁ ଏହାର ମୂଳ ଆଧାର ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

ଗୁରୁବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅନ୍ତରାଷ୍ଟ୍ରୀୟ ସେମିନାରକୁ ଉଦଘାଟନ କରିବା ଅବସରରେ ଶ୍ରୀ ଶାହ ଉପସ୍ଥିତ ପ୍ରାଧ୍ୟାପକ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି। “‘ସ୍ୱରାଜ ରୁ ନୂଆ ଭାରତ’ପର୍ଯ୍ୟନ୍ତ ଭାରତ ବିଚାରର ପୁନରାବଲୋକନ ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଶାହ କହିଛନ୍ତି ଯେ ଆମ ସ୍ୱରାଜ କଳ୍ପନାରେ ‘ସ୍ୱ’ ଶବ୍ଦର ମହତ୍ୱ ଅଧିକ ଏବଂ ‘ରାଜ’ର ଅର୍ଥ ବ୍ୟବସ୍ଥା ଆଣିବା। ମାତ୍ର ସ୍ୱାଧୀନତା ପରେ ‘ସ୍ୱ’କୁ ଧ୍ୟାନ ନ ଦିଆଯାଇ ଶାସନକୁ ପ୍ରାଧାନ୍ୟ ଦିଆଗଲା। ଏହି କାରଣରୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏ ସମସ୍ତ ବିଷୟର ପୁର୍ନବିଚାର ଜରୁରୀ। ସେ ଆହୁରି କହିିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ୧୦୦ ବର୍ଷ ପୂରଣ କରିବା ଏବଂ ଆଗାମୀ ଦିନର ରୂପରେଖ ପ୍ରସ୍ତୁତ କରିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଏକ ବଡ ଉପଲବ୍ଧି  ପରିବର୍ତନର ଯେଉଁ ବିଚାର, ନୀତି କିମ୍ବା କଳ୍ପନା ରହିଛି, ଏହାର ବାହକ ହେଉଛି ବିଶ୍ୱବିଦ୍ୟାଳୟ ଏବଂ ଏହାର ବିଦ୍ୟାର୍ଥୀ। କାଳଖଣ୍ଡ ଯାହା ବି ହେଉ ଅର୍ଥାତ୍ ଯେବେ ବି ଯୁଗ ପରିବର୍ତନ ହୁଏ, ପରିବର୍ତନର ବାହକ ସର୍ବଦା ବିଶ୍ୱବିଦ୍ୟାଳୟ ରୁହେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେମିନାରରେ ଯୋଗଦେଇ କହିଛନ୍ତି ଯେ ବିଗତ ୮ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଭାରତ ଗଠନ କରିବା ଏବଂ ଭାରତକୁ ଏକ ଆର୍ôଥକ ମହାଶକ୍ତି ଭାବରେ ସ୍ଥାପିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଦେଶରେ ଅଭୁତପୂର୍ବ ଗତିରେ କାମ ସମ୍ପନ୍ନ ହେଉଅଛି। ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ୱାରା ଏକବିଂଶ ଶତାବ୍ଦୀରେ ଭାରତ ଏକ ଜ୍ଞାନ ଆଧାରିତ ମହାଶକ୍ତି ହେବା ଦିଗରେ ଅଗ୍ରସର ହେଉଛି। ଆଜି ଆମର ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ପେଟେଂଟ୍‌-ପ୍ରୋସେସ, ବ୍ଲକଚେନ୍ ଆକାଉଂଟି, ଇ-କମର୍ସ ଆରବିଟ୍ରେସନ ଭଳି ଭବିଷ୍ୟତର ପାଠ୍ୟକ୍ରମ ଗୁଡ଼ିକ ଦେଶର ଯୁବପିଢ଼ିଙ୍କ ସୃଜନ ଶକ୍ତି ଏବଂ ରୋଜଗାରକୁ ଅଧିକ ପ୍ରାଧାନ୍ୟ ଦେବାର ସକ୍ଷମ ରଖିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନକୁ ଅତ୍ୟାଧୁନିକ କୌଶଳ, ପରିବର୍ତିତ ନିଯୁକ୍ତି ଦୃଶ୍ୟପଟ୍ଟ ଏବଂ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ରଖି କୁଶଳ ମାନବସମ୍ବଳ ପ୍ରସ୍ତୁତ କରିବା ଦିଗରେ ଅଧିକ ପ୍ରୟାସ କରିବାକୁ ପଡ଼ିବ।

କରୋନା ସମୟରେ ଉତ୍ପନ୍ନ ହୋଇଥିବା ଚ୍ୟାଲେଞ୍ଜ ପରେ ମଧ୍ୟ ଭାରତର ଗତିଶୀଳ ଅର୍ଥନୀତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନମଙ୍ଗଳ ଏବଂ ସୁଶାସନ ମଡ଼େଲ ଆଜି ସମଗ୍ର ଦୁନିଆ ପାଇଁ ଉଦାହରଣ ଭାବରେ ଉଭା ହୋଇଛି। ଦେଶ ଏବଂ କେନ୍ଦ୍ର ଶାସିତ ଅଂଚଳର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଗତ ୮୦ କୋଟି ନାଗରିକଙ୍କ ଖାଦ୍ୟ ସୁରକ୍ଷା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟି ଭଳି ଭାରତର ଜନକଲ୍ୟାଣକାରୀ ବ୍ୟବସ୍ଥା ଗୁଡ଼ିକ ମାନବ କଲ୍ୟାଣ ଦିଗରେ ବଡ଼ ପଦକ୍ଷେପ। ଭାରତ ଏବଂ ବିଶ୍ୱର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବୈଶ୍ୱିକ ସ୍ତର ପର୍ଯ୍ୟନ୍ତ ନେବା ତଥା ଗ୍ଲୋବାଲ ମଡେଲ ଭାବରେ ପ୍ରତିଷ୍ଠିତ ହେବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଆଜି ଆମେ ଅମୃତ ମହୋତ୍ସବ ଏବଂ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଅଛେ। ଏହି ଶୁଭ ସମୟରେ ସ୍ୱରାଜରୁ ନୂଆ ଭାରତ ପର୍ଯ୍ୟନ୍ତର ପରିକଳ୍ପନା ପାଇଁ ସମସ୍ତେ ଏକାଠୀ ହେବା ସୌଭାଗ୍ୟର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ଯୋଗେଶ ସିଂହ, ବରିଷ୍ଠ ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ ଅତିଥିଗଣ ସାମିଲ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏନ୍‌ଆଇଏ ର ୧୩ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ର ୧୩ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଗୃହମନ୍ତ୍ରୀ ମଧ୍ୟ ଏନଆଇଏର ଅଧିକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥାର ମହାନିର୍ଦ୍ଦେଶକ ନିଶିଥ ପ୍ରମାଣିକ, ଦିଲ୍ଲୀ ପୁଲିସ୍‍ କମିଶନର ଏବଂ ଏନ୍‍ଆଇଏର ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଜାତୀୟ ତଦନ୍ତକାରୀ ସଂସ୍ଥା ସହିତ ଗୃହ ମନ୍ତ୍ରଣାଳୟ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ଯେହେତୁ ଏନଆଇଏ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ତ୍ୱରାନ୍ୱିତ ଏବଂ ଦକ୍ଷତାର ସହିତ ପରିଚାଳନା କରୁଛି। ସେ କହିଛନ୍ତି ଯେ ଏନ୍‌ଆଇଏକୁ ଏଭଳି ଅପରାଧର ତଦନ୍ତ କରିବାକୁ ପଡ଼ିବ ଯେଉଁଠାରେ ସାକ୍ଷୀ ଏବଂ ପ୍ରମାଣ ପାଇବାରେ ଅସୁବିଧା ଅଛି କିନ୍ତୁ ତଥାପି ଦୋଷୀ ସାବ୍ୟସ୍ତ କରିବାରେ ଏନଆଇଏ ଯେଉଁ ସଫଳତା ହାସଲ କରିଛି ତାହା ଦେଶର ପୋଲିସ ଏବଂ ସମସ୍ତ ଆତଙ୍କବାଦୀ ବିରୋଧୀ ସଂସ୍ଥା ପାଇଁ ପ୍ରେରଣାର ଉତ୍ସ ଏବଂ ଏଥିପାଇଁ ମୁଁ ସମଗ୍ର ଏନ୍‍ଆଇଏ ପରିବାରକୁ ବହୁତ ବହୁତ ବଧାଇ ଜଣାଉଛି।

ଅମିତ ଶାହା କହିଛନ୍ତି ଯେ କୌଣସି ଅନୁଷ୍ଠାନ ପାଇଁ ୧୩ ବର୍ଷ ଅବଧି ଏକ ଶିଶୁ ପର୍ଯ୍ୟାୟ ପରି, କିନ୍ତୁ ଦେଶର ଗୃହମନ୍ତ୍ରୀ ଭାବରେ ମୁଁ ନିଶ୍ଚିତ ଭାବରେ କହିପାରେ ଯେ ଖୁବ୍ କମ୍ ସମୟ ମଧ୍ୟରେ ଏନଆଇଏ ୯୦ ପ୍ରତିଶତ ହାରରୁ ଅଧିକ ଦୋଷୀ ସାବ୍ୟସ୍ତ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତଙ୍କବାଦ ମୁକ୍ତ ଭାରତ ଏବଂ ଶତ ପ୍ରତିଶତ ଶୂନ୍ୟ ସହନଶୀଳତାର ଲକ୍ଷ୍ୟ ପୂରଣ କରିବାରେ ଏନଆଇଏର ଏକ ପ୍ରମୁଖ ଭୂମିକା ରହିଛି। ଗୃହମନ୍ତ୍ରୀ କହିଛନ୍ତି ଯେ ମୁଁ ପୁରା ଏନଆଇଏ ପରିବାରକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇ ଭାରତ ସରକାର ଆଗକୁ ବଢୁଛନ୍ତି। ଏଥିରେ ଏନ୍‍ଆଇଏ କୁ ଯାହା ସାହାଯ୍ୟ ଆବଶ୍ୟକ କରୁଛି, ଭାରତ ସରକାର ସେଥିପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ସେ କହିଛନ୍ତି ଯେ ଆଜି ଆମ ଦେଶ ବିକାଶ ପଥରେ ଅଗ୍ରଗତି କରିଛି ଏବଂ ଆଜି ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ ଭାରତ ବିନା ବିଶ୍ୱର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ, ତେଣୁ ଭାରତର ଆଭ୍ୟନ୍ତରୀଣ ସୁରକ୍ଷିତ ରହିବା ଅତ୍ୟନ୍ତ ଜରୁରୀ ଅଟେ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ କୌଣସି ସଭ୍ୟ ସମାଜ ପାଇଁ ଆତଙ୍କବାଦ ଏକ ଅଭିଶାପ, ଯଦି ଦୁନିଆର କେହି ଏହି ଅଭିଶାପର ସବୁଠାରୁ ବଡ ଯନ୍ତ୍ରଣା ଭୋଗୁଛନ୍ତି, ତେବେ ତାହା ହେଉଛି ଆମ ଦେଶ। ଆତଙ୍କବାଦ ଅପେକ୍ଷା ମାନବିକ ଅଧିକାରର କୌଣସି ବଡ ଉଲ୍ଲଂଘନ ହିଁ ନାହିଁ। ତେଣୁ ମାନବିକ ଅଧିକାରର ସୁରକ୍ଷା ପାଇଁ ଆତଙ୍କବାଦକୁ ସମ୍ପୂର୍ଣ୍ଣରୂପେ ବିଲୋପ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆତଙ୍କବାଦକୁ ନିଷ୍ଠାର ସହିତ ଶେଷ କରିବା ଦିଗରେ ଏନ୍‍ଆଇଏ ଆଗକୁ ବଢିବା ଉଚିତ୍‍। ଶ୍ରୀ ଶାହା କହିଛନ୍ତି ଯେ ଗତ ୭ ବର୍ଷ ମଧ୍ୟରେ ଅନେକ କଠିନ କ୍ଷେତ୍ରରେ ଏନଆଇଏ ବହୁତ ଭଲ କାମ କରିଛି ଏବଂ ମୁଁ ଜାମ୍ମୁ କାଶ୍ମୀରର ଏକ ବିଶେଷ ଉଦାହରଣ ଦେବାକୁ ଚାହୁଁଛି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢିବା ଗୋଟିଏ କଥା କିନ୍ତୁ ଆତଙ୍କବାଦର ମୂଳୋତ୍ପାଟନ କରିବା ଅନ୍ୟ ଏକ ଜିନିଷ, ଯଦି ଆମେ ଏହାକୁ ହଟାଇବାକୁ ଚାହୁଁ, ତେବେ ଆମକୁ ସେମାନଙ୍କର ସମସ୍ତ ଆତଙ୍କବାଦୀ ପାଣ୍ଠି ଯୋଗାଣ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ପହିବ।

ମୋଦୀ ଜୀ ପ୍ରଧାନମନ୍ତ୍ରୀ ହେବା ପରେ ଏନଆଇଏ ଦ୍ୱାରା ଯେଉଁସବୁ ଆତଙ୍କବାଦ ପାଣ୍ଠି ମାମଲା ରୁଜୁ ହୋଇଛି, ମୁଁ ଆତ୍ମବିଶ୍ୱାସ ସହ କହିପାରେ ଯେ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦକୁ ମୂଳୋତ୍ପାଟନ କରିବାରେ ତାହା ବହୁତ ସାହାଯ୍ୟ କରିଛି । ଆଜି ଏନଆଇଏର ସତର୍କତା ହେତୁ ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଇବାର ବାଟକୁ କ୍ରମଶଃ ବନ୍ଦ କରାଯାଇଛି, ଜାମ୍ମୁ କାଶ୍ମୀରରେ ରହୁଥିବା ଓଭରଗ୍ରାଉଣ୍ଡ କର୍ମଚାରୀଙ୍କ ବିରୋଧରେ ଏନଆଇଏ ଅନେକ ମାମଲା ରୁଜୁ କରିଛି ଏବଂ ସେମାନଙ୍କ ସ୍ଲିପର ସେଲ୍‍କୁ ନଷ୍ଟ କରିବାରେ ବହୁତ ଭଲ କାମ କରିଛି।

୨୦୧୮ ଏବଂ ୨୦୧୯ ରେ ପ୍ରଥମ ଥର ପାଇଁ ଏନ୍‍ଆଇଏ ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲା ଆଜି ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଇବା ରାସ୍ତାକୁ ବନ୍ଦ କରିଦେଇଛି । ଏହା ସେମାନଙ୍କର ଲଜିଷ୍ଟିକ୍ସ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ଏକ ବଡ ଝଟକା ଦୋଇଛି, ଯେଉଁମାନେ ଆତଙ୍କବାଦକୁ ମଧ୍ୟ ସାହାଯ୍ୟ କରିଥିଲେ ଏବଂ ସମାଜରେ ସମ୍ମାନର ସହ ବଞ୍ଚଥିଲେ ସେମାନଙ୍କୁ ଏନ୍‍ଆଇଏ ସର୍ବ ସମ୍ମୁଖକୁ ଆଣିବା ସହିତ ଅଦାଲତର କାଠଗଡାକୁ ଟାଣିଛି। ବାମପନ୍ଥୀ ଉଗ୍ରବାଦ ମାମଲାରେ ଏନଆଇଏ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛି ଏବଂ ଗୁଳି ଓ ସାମଗ୍ରୀ ଯୋଗାଣକାରୀ ଏବଂ ବାମପନ୍ଥୀ ଉଗ୍ରବାଦୀ ସଂଗଠନର ପାଣ୍ଠି ଯୋଗାଣର ମୂଳରେ ପହଞ୍ଚିବା ପାଇଁ ଏନଆଇଏକୁ କିଛି ମାମଲା ଦିଆଯାଇଛି ଏବଂ ଏହା ଆଶା କରାଯାଉଛି ଯେ ଏହା ଜାମ୍ମୁ କାଶ୍ମୀର ପରି କରାଯିବ, ଏଥିରେ ମଧ୍ୟ ବଡ଼ ସଫଳତା ମିଳିବ। ଆତଙ୍କବାଦ ପାଣ୍ଠି ଯୋଗାଣ ସମ୍ବନ୍ଧୀୟ ୧୦୫ ମାମଲା ପଞ୍ଜିକୃତ ହୋଇଛି, ୮୭୬ ଅଭିଯୁକ୍ତଙ୍କ ବିରୋଧରେ ୯୪ ଟି ଚାର୍ଜସିଟ୍ ଦାଖଲ କରାଯାଇଛି, ୭୯୬ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ଏବଂ ସେଥିମଧ୍ୟରୁ ୧୦୦ ଅଭିଯୁକ୍ତଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି, ଏହା ଏକ ବଡ଼ ସଫଳତା।

ଶ୍ରୀ ଅମିତ ଶାହା କହିଛନ୍ତି ଯେ ସମସ୍ତ ଅଳତଙ୍କବାଦ ସମ୍ବନ୍ଧୀୟ ତଥ୍ୟକୁ ସବୁ ରାଜ୍ୟର ପୋଲିସ ଏବଂ ଏଜେନ୍ସି ସହ ସେୟାର କରିବା, ଆତଙ୍କବାଦ ବିରୋଧୀ ଆଇନକୁ ମଜବୁତ ତଥା ଦୃଢ଼ କରିବା, ଆତଙ୍କବାଦ ବିରୋଧୀ ଅନୁଷ୍ଠାନକୁ ମଜବୁତ କରିବା ସରକାରଙ୍କ ଉଦ୍ୟମ ଏବଂ ଆତଙ୍କବାଦୀ ମାମଲାରେ ଶତ ପ୍ରତିଶତ ଦୋଷୀ ସାବ୍ୟସ୍ତ କରିବା ଲକ୍ଷ୍ୟ ନେଇ ଚାଲିଛୁ। ଏହି ଚାରୋଟି ସ୍ତମ୍ଭରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟ ଅଗ୍ରଗତି କରିପାରିବ ଏବଂ ମୁଁ ଖୁସି ଯେ ଏହି ଚାରୋଟି ସ୍ତମ୍ଭ ଉପରେ ଏନଆଇଏ ବହୁତ ଭଲ ଅଗ୍ରଗତି କରିଛି। ସେ କହିଛନ୍ତି ଯେ ଯଦି ଆମେ ୨୦୦୦ ରୁ ୨୦୨୨ ପର୍ଯ୍ୟନ୍ତ ଦେଶରେ ଆତଙ୍କବାଦୀ ମାମଲା ବିଶ୍ଳେଷଣ କରୁ, ତେବେ ଅନେକ ଘଟଣା ମନକୁ ଆସେ, କିନ୍ତୁ କିଛି ଘଟଣା ଏପରି ଅଟେ ଯାହା ବ୍ୟବସ୍ଥାରେ ସଂସ୍କାର ଆଣିଥାଏ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଏପରି ଏକ ଘଟଣା ଥିଲା ଯାହା ପରେ ଜାତୀୟ ଆତଙ୍କାବାଦୀ ନିରୋଧି ସଂସ୍ଥା ଗଠନ କରାଯାଇଥିଲା, ଉପକୂଳ ସୁରକ୍ଷା ପାଇଁ ମଧ୍ୟ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇବା ପାଇଁ ସମସ୍ତ ଏଜେନ୍ସି ସଚେତନ ହୋଇଥିଲେ, ଆତଙ୍କବାଦ ତଦନ୍ତ ଏବଂ ଗୁଇନ୍ଦା ବ୍ୟବସ୍ଥାରେ ମଧ୍ୟ ଗୁଣାତ୍ମକ ଉନ୍ନତି ଘଟିଛି ଏବଂ ଠିକ୍ ସମୟରେ ବୁଦ୍ଧିର ସଠିକ୍ ବ୍ୟବହାର ପାଇଁ, ବହୁତ ସମୟପଯୋଗୀ କାର୍ଯ୍ୟକ୍ରମ ମଧ୍ୟ ଅଛି। ସେ କହିଛନ୍ତି ଯେ ଏହି ବର୍ବର ଆକ୍ରମଣରୁ ପୋଲିସ ଏବଂ ଦେଶର ସମସ୍ତ ଏଜେନ୍ସି ଶିକ୍ଷାଲାଭ କରି ଆଜି ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ମଜବୁତ କରିଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଏନଆଇଏ ଗଠନ ହେବାର ୧୩ ବର୍ଷ ବିତିଗଲାଣି, ଯେଉଁଥିରେ ୪୦୦ ରୁ ଅଧିକ ମାମଲା ରୁଜୁ ହୋଇଛି, ୩୪୯ ରୁ ଅଧିକ ମାମଲାରେ ଚାର୍ଜସିଟ୍‍ ଦାଖଲ ହୋଇଛି, ପ୍ରାୟ ୨୪୯୪ ଅପରାଧୀଙ୍କୁ ଧରାଯାଇଛି, ୩୯୧ ଜଣଙ୍କୁ ଦଣ୍ଡ ଦିଆଯାଇଛି ଏବଂ ୯୩.୨୫ ପ୍ରତିଶତ ସଫଳତା ଏଥିରେ ହାସଲ କରାଯାଇଛି, ଏହି ସଫଳତା ଅନେକ ଅଭିନନ୍ଦନ ପାଇବାକୁ ଯୋଗ୍ୟ। ସେ କହିଛନ୍ତି ଯେ ୨୦୧୪ ମସିହାରୁ ଦେଶରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ପରେ ଏନଆଇଏର ସଶକ୍ତିକରଣ ପାଇଁ ଅନେକ କାର୍ଯ୍ୟ କରାଯାଇଛି। ଆମେ ଚାହୁଁ ଯେ ଏନ୍‍ଆଇଏ ଅଧିକ ଶକ୍ତିଶାଳୀ ଏବଂ ଦକ୍ଷ ହେଉ ଏବଂ ଏନ୍‍ଆଇଏକୁ ସମଗ୍ର ବିଶ୍ୱରେ ଆତଙ୍କବାଦ ନିରୋଧୀ ଏଜେନ୍ସି ଭାବରେ ସ୍ୱୀକୃତି ମିଳୁ। ସେ କହିଛନ୍ତି ଯେ ଆମେ ଏନଆଇଏ ଆକ୍ଟ ଏବଂ ୟୁଏପିଏ ଆକ୍ଟକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଛୁ।

ଶ୍ରୀ ଶାହା କହିଛନ୍ତି ଯେ ସେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ବିଲ୍ ଆଣିଥିଲେ, ଏହା ପରେ ଏନଆଇଏକୁ ଅନେକ ପ୍ରକାରର କ୍ଷମତା ମିଳିଛି। ଭାରତ ବାହାରେ ଯେକୌଣସି ଆତଙ୍କବାଦୀ ଆକ୍ରମଣରେ ଯେଉଁଠାରେ ଭାରତୀୟମାନେ ଆହତ ହୋଇଛନ୍ତି, ସେଠାରେ ତଦନ୍ତ କ୍ଷମତା ଏନଆଇଏକୁ ଦିଆଯାଇଛି ଏବଂ ଏକ ଆନ୍ତର୍ଜାତୀୟ ଏଜେନ୍ସି ଭାବରେ ଗ୍ରହଣୀୟ ହେବା ଲକ୍ଷ୍ୟରେ ଏନ୍‌ଆଇଏ ଏହାକୁ ପ୍ରମାଣ କରିବା ଉଚିତ୍‍। ନୂତନ ସଂଶୋଧନରେ, ଆମେ ଏନଆଇଏକୁ ଅନୁପ୍ରବେଶ, ବିସ୍ଫୋରକ ପଦାର୍ଥ ଏବଂ ସାଇବର ଅପରାଧର ଅଧିକାର ମଧ୍ୟ ଦେଇଛୁ। ପୂର୍ବରୁ ଆତଙ୍କବାଦୀ ସଂଗଠନକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବାର ଅଧିକାର ଥିଲା, ବର୍ତ୍ତମାନ ଭାରତରେ ପ୍ରଥମ ଥର ପାଇଁ ଆମେ ଏନଆଇଏକୁ ସଂଗଠନ ତଥା ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷିତ କରିବାର ଅଧିକାର ଦେଇଛୁ ଏବଂ ଏପର୍ଯ୍ୟନ୍ତ ୩୬ ଜଣଙ୍କୁ ଆତଙ୍କବାଦୀ ଘୋଷିତ କରାଯାଇଛି, ଏହା ହେଉଛି ଏକ ନୂତନ ପ୍ରକାର ଆରମ୍ଭ।

ଅମିତ ଶାହା କହିଛନ୍ତି ଯେ ଦେଶର ପୋଲିସର ତଦନ୍ତ ପଦ୍ଧତିରେ ଏକ ଆମୂଳଚୂଳ ପରିବର୍ତ୍ତନ ହେବା ଉଚିତ, ବର୍ତ୍ତମାନର ତଦନ୍ତ ଥାର୍ଡ ଡିଗ୍ରୀ ଉପରେ ନୁହେଁ ବରଂ ଡାଟା ଏବଂ ସୂଚନାର ଡିଗ୍ରୀ ଉପରେ ର୍ନିଭର କରିବା ଉଚିତ। ବର୍ତ୍ତମାନ ଥାର୍ଡ ଡିଗ୍ରୀର ଯୁଗ ନୁହେଁ, କିନ୍ତୁ ଯଦି ଏହି ପରିବର୍ତ୍ତନ ଅ ।ଣିବାକୁ ପଡିବ, ତେବେ ଡାଟାବେସ୍ ପ୍ରସ୍ତୁତ କରିବାକୁ ପଡିବ ଏବଂ ଡିଜିଟାଲ୍ ଫୋରେନସିକ୍‍ରେ ବି ପାରଦର୍ଶିତା ହାସଲ କରିବାକୁ ପଡିବ । ନିଶା କାରବାର, ହାୱାଲା କାରବାର, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ନକଲି ମୁଦ୍ରା, ବୋମା ବିସ୍ଫୋରଣ, ଆତଙ୍କବାଦ ପାଣ୍ଠି ଯୋଗାଣ ଏବଂ ଆତଙ୍କବାଦ ଭଳି ସାତୋଟି କ୍ଷେତ୍ରରେ ଏକ ଜାତୀୟ ଡାଟାବେସ୍ ସୃଷ୍ଟି କରିବାକୁ ଏନ୍‍ଆଇଏକୁ ଦାୟିତ୍ୱ ଦିଆଯାଇଛି ଏବଂ ଏହାର ଆରମ୍ଭ ଖୁବ୍‍ ଭଲ ହୋଇଛି।

ଯଦି ଏହି ଜାତୀୟ ଡାଟାବେସ୍ ତିଆରି ହୁଏ, ତେବେ ଏହା କେବଳ ଜାତୀୟ ଏଜେନ୍ସିଗୁଡ଼ିକୁ ନୁହେଁ ବରଂ ଦେଶର ପୋଲିସ୍ ଏଜେନ୍ସିଗୁଡ଼ିକୁ ମଧ୍ୟ ସାହାଯ୍ୟ କରିବ। ସେ କହିଛନ୍ତି ଯେ ନିକଟରେ ସେ ଲୋକସଭାରେ ଏକ ବିଲ୍ ଆଣିଛନ୍ତି ଯେଉଁଥିରେ ଆମେ ଜେଲକୁ ବି ଏଥିରେ ସଂଯୋଗ କରିବା କାର୍ଯ୍ୟ କରିଛୁ। ଶ୍ରୀ ଶାହା କହିଛନ୍ତି ଯେ ଏକ ମୋଡସ୍ ଅପେରାଣ୍ଡି ବ୍ୟୁରୋ ଗଠନ କରାଯାଉଛି, ଯେଉଁଥିରେ ମଧ୍ୟ ନୂତନ ବାଳକମାନଙ୍କୁ ଆତଙ୍କବାଦ ସହ ଯୋଡିବାର ମୋଡସ୍ ଅପରେଣ୍ଡିକୁ ଅଧ୍ୟୟନ କରିବାରେ ବିପିଆରଏଣ୍ଡଡି କୁ ସାହାଯ୍ୟ କରିବ।

ଶ୍ରୀ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସିଆରପିସି, ଆଇପିସି ଏବଂ ସାକ୍ଷ୍ୟପ୍ରମାଣ ଆଇନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଆମେ ବିଶ୍ୱାସ କରୁ ଯେ ଏଗୁଡ଼ିକ ବହୁତ ପୁରୁଣା ନିୟମ ଏବଂ ସମୟ ସମୟରେ ସେଗୁଡିକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି।

ସେ କହିଛନ୍ତି ଯେ ମୁଁ ଏନ୍‌ଆଇଏର ତାଲିମ ଉପରେ ଅଧିକ ଗୁରୁତ୍ୱ ଦେଉଥିଲି ଏବଂ ମୁଁ ଖୁସି ଯେ ଜୁଲାଇ ୨୦୨୧ ରେ ଜାତୀୟ ପୋଲିସ୍ ଏକାଡେମୀ, ହାଇଦ୍ରାବାଦ ସହିତ ଏନଆଇଏର ତାଲିମ ଏବଂ ଦକ୍ଷତା ବୃଦ୍ଧି ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ଏବଂ ଏହି କାର୍ଯ୍ୟ ଆଗକୁ ବଢିଛି। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଏଜେନ୍ସିଗୁଡିକ ସହିତ ସମାନ ଭାବରେ ଏନ୍‍ଆଇଏର ବିକାଶ ଏବଂ ଏହାର ବୃତ୍ତିଗତ ଦକ୍ଷତାକୁ ବଢାଇବା ପାଇଁ ଦୁଇଜଣ ବିଶେଷଜ୍ଞଙ୍କୁ ନେଇ ଏକ ସେଲ୍ ମଧ୍ୟ ସ୍ଥାପନ କରାଯାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ସମ୍ମୁଖରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ସ୍ଥିର କରିଛନ୍ତି ଏବଂ ଏହା ହାସଲ କରିବା ପାଇଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହା କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି ଏବଂ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଏନ୍‍ଆଇଏ ମଧ୍ୟ ଆଗାମୀ ୨୫ ବର୍ଷ ପାଇଁ ଏହାର ଲକ୍ଷ୍ୟ ସ୍ଥିର କରିବା ଉଚିତ୍‍ ଏବଂ ସେମାନଙ୍କ ସଫଳତା ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ଉଚିତ୍‍।

ସେ କହିଛନ୍ତି ଯେ ଯଦି ସଫଳତା ସନ୍ତୋଷ ସୃଷ୍ଟି କରେ, ତେବେ ଆଳସ୍ୟତା ସୃଷ୍ଟି ହୁଏ, କିନ୍ତୁ ଯଦି ସଫଳତା ଆଗକୁ ବଢିବା ପାଇଁ କ୍ଷୁଧା ସୃଷ୍ଟି କରେ, ତେବେ ଅନୁଷ୍ଠାନଗୁଡ଼ିକ ଆଗକୁ ବଢନ୍ତି, ତେଣୁ ଏନ୍‍ଆଇଏକୁ ଏହି ସଫଳତାକୁ ଏକୀଭୂତ ଏବଂ ଆନୁଷ୍ଠାନିକ କରିବା ଉଚିତ୍‍। ଶ୍ରୀ ଶାହା କହିଛନ୍ତି ଯେ ଏନଆଇଏ ହେଉଛି ଏକ ଜାତୀୟ ଏଜେନ୍ସି ଏବଂ ଯଦି ଏହା ଆନୁଷ୍ଠାନିକ ନହୁଏ ତେବେ ବ୍ୟବସ୍ଥା ଏବଂ ସୂଚନା ପ୍ରଣାଳୀ ଆନୁଷ୍ଠାନିକ ହେବ ନାହିଁ, ଆଗକୁ ବଢିବା ବି  ସମ୍ଭବ ନୁହେଁ । ସେ କହିଛନ୍ତି ଯେ ସଫଳତା ମାମଲା ବିଷୟରେ ଚିନ୍ତା କରାଯିବା ଉଚିତ ନୁହେଁ ବରଂ ସଫଳତାକୁ ପଦ୍ଧତିରେ ପରିଣତ କରିବା ଉଚିତ, ସଫଳତା ବ୍ୟକ୍ତିଗତ ସଫଳତା ନୁହେଁ ବରଂ ଅନୁଷ୍ଠାନିକ ସଫଳତା ହେବା ଉଚିତ।

Categories
ବିଶେଷ ଖବର

ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ ଆସାମ ଓ ମେଘାଳୟ ମଧ୍ୟରେ ଐତିହାସିକ ରାଜିନାମା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆସାମ ଏବଂ ମେଘାଳୟ ମଧ୍ୟରେ ସୀମା ବିବାଦର ସମାଧାନ ଲାଗି ଏକ ଐତିହାସିକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କୋନରାଡ ସାଙ୍ଗମା ଏହି ରାଜିନାମାରେ ସ୍ୱାକ୍ଷର କରିଥିଲେ। ଆନ୍ତଃରାଜ୍ୟ ସୀମା ବିବାଦର ମୋଟ୍‌ ୧୨ଟି କ୍ଷେତ୍ର ମଧ୍ୟରୁ ୬ଟି କ୍ଷେତ୍ରରେ ବିବାଦର ସମାଧାନ ଲାଗି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ରାଜିନାମା ଅଧୀନରେ ସହମତ ହୋଇଛନ୍ତି। ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଉତ୍ତର ପୂର୍ବାଞ୍ଚଳ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଏହି ରାଜିନାମା ଏକ ମାଇଲଖୁଣ୍ଟ। ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଆସାମ ସରକାର ଏବଂ ମେଘାଳୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜିନାମା ଅବସରରେ କହିଥିଲେ ଯେ, ବିବାଦମୁକ୍ତ ଉତ୍ତର ପୂର୍ବାଞ୍ଚଳ ପାଇଁ ଆଜିର ଦିନ ଐତିହାସିକ। ସେ କହିଥିଲେ ଯେ, ୨୦୧୪ରେ ଯେତେବେଳେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେଲେ, ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ପ୍ରକ୍ରିୟା, ବିକାଶ, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଅନେକ ପ୍ରୟାସ କରାଯାଇଛି, ଆମେ ସମସ୍ତେ ଏହାର ସାକ୍ଷୀ ରହିଛୁ। ସେ କହିଥିଲେ ଯେ, ୨୦୧୯ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ଯାଇଥିଲେ। ଚାରିଟି କ୍ଷେତ୍ର ପ୍ରତି ପ୍ରାଥମିକତା ଦେବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ। ସେ କହିଥିଲେ ଯେ ୨୦୧୯ ଠାରୁ ୨୦୨୨ ପର୍ଯ୍ୟନ୍ତ ଏହି ଯାତ୍ରା ଏକ ବହୁତ ବଡ଼ ମାଇଲଖୁଣ୍ଟ ହାସଲ କରିବାରେ ସଫଳ ହୋଇଛି।

ଶ୍ରୀ ଅମିତ ଶାହା କହିଥିଲେ ଯେ, ବିଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଆତଙ୍କବାଦକୁ ସମାପ୍ତ କରିବା ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ଅନେକ ରାଜିନାମା ସ୍ୱାକ୍ଷରିତ ହୋଇଛି। ସେ କହିଥିଲେ ଯେ ତ୍ରିପୁରାରେ ଉଗ୍ରବାଦୀମାନଙ୍କୁ ସମାଜର ମୁଖ୍ୟଧାରାକୁ ଫେରାଇ ଆଣିବା ପାଇଁ ଅଗଷ୍ଟ, ୨୦୧୯ରେ ଏନଏଲଏଫଡି (ଏସଡି) ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଫଳରେ ତ୍ରିପୁରା ଆଜି ଏକ ଶାନ୍ତ ରାଜ୍ୟ ହୋଇପାରିଛି। ଏହାପରେ ୨୩ ବର୍ଷ ପୁରୁଣା ବ୍ରୁ-ରିୟାଙ୍ଗ ଶରଣାର୍ଥୀ ସଙ୍କଟକୁ ସବୁଦିନ ପାଇଁ ସମାଧାନ କରିବା ଲାଗି ୧୬ ଜାନୁଆରୀ ୨୦୨୦ରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହା ଅଧୀନରେ କଷ୍ଟପୂର୍ଣ୍ଣ ଜୀବନ ନିର୍ବାହ କରୁଥିବା ୩୭,୦୦୦ରୁ ଅଧିକ ଆଦିବାସୀ ଭାଇ-ଭଉଣୀମାନେ ଆଜି ସମ୍ମାନପୂର୍ଣ୍ଣ ଜୀବନ ବଞ୍ଚି ପାରୁଛନ୍ତି। ଶ୍ରୀ ଶାହା କହିଥିଲେ ଯେ ୨୭ ଜାନୁଆରୀ ୨୦୨୦ରେ ବୋଡୋ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଯାହାକି ଆସାମର ମୂଳ ସ୍ୱରୂପକୁ ବଜାୟ ରଖି ୫୦ ବର୍ଷ ପୁରୁଣା ବୋଡୋ ପ୍ରସଙ୍ଗର ସମାଧାନ କଲା। ଆସାମ ଏବଂ ଭାରତ ସରକାର ଏହି ରାଜିନାମାର ୯୫ ପ୍ରତିଶତ ସର୍ତ୍ତ ପୂରଣ କରିସାରିଛନ୍ତି ଏବଂ ଆଜି ବୋଡୋଲ୍ୟାଣ୍ଡ ଏକ ଶାନ୍ତିପୂର୍ଣ୍ଣ କ୍ଷେତ୍ର ଭାବେ ମୁଣ୍ଡ ଟେକିଛି ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି। ୪ ସେପ୍ଟେମ୍ବର ୨୦୨୧ରେ ଆସାମର କାର୍ବୀ କ୍ଷେତ୍ରରେ ଦୀର୍ଘ ସମୟ ଧରି ଲାଗି ରହିଥିବା ବିବାଦର ସମାଧାନ ଲାଗି କାର୍ବୀ-ଅଙ୍ଗଲଙ୍ଗ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହା ଅଧୀନରେ ପାଖାପାଖି ୧୦୦୦ରୁ ଅଧିକ ସଶସ୍ତ୍ର କ୍ୟାଡର ଆତ୍ମସମର୍ପଣ କରିବା ସହିତ ସମାଜର ମୁଖ୍ୟଧାରାରେ ସାମିଲ ହୋଇପାରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଆଜି ୫୦ ବର୍ଷ ପୁରୁଣା ଆଉ ଏକ ବିବାଦ ଏହି ରାଜିନାମା ବଳରେ ସମାଧାନ ହେବାକୁ ଯାଉଛି। ସେ କହିଥିଲେ ଯେ ଖୁବ୍‌ କମ ସମୟ ମଧ୍ୟରେ ଆଜି ଆସାମ ଏବଂ ମେଘାଳୟ ମଧ୍ୟରେ ୧୨ଟି ମଧ୍ୟରୁ ୬ଟି ପ୍ରସଙ୍ଗରେ ବୁଝାମଣା ହୋଇଛି ଏବଂ ଦୁଇ ରାଜ୍ୟ ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ସୀମା ବିବାଦମୁକ୍ତ ହୋଇପାରିଛି। ସେ କହିଥିଲେ ଯେ, ରାଜ୍ୟମାନଙ୍କ ମଧ୍ୟରେ ବିବାଦର ସମାଧାନ ଏବଂ ସଶସ୍ତ୍ର ଗୋଷ୍ଠୀ ଆତ୍ମସମର୍ପଣ ନକରିବା ପର୍ଯ୍ୟନ୍ତ, ଉତ୍ତର ପୂର୍ବାଞ୍ଚଳରେ ବିକାଶ ସମ୍ଭବ ନୁହେଁ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ ଧନ୍ୟବାଦ ଜଣାଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାନ୍ତ ଓ ସମୃଦ୍ଧ ଉତ୍ତର ପୂର୍ବାଞ୍ଚଳ ସ୍ୱପ୍ନକୁ ସାକାର କରିବା ଲାଗି ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷରେ ପ୍ରୟାସ କରାଯିବା ଆବଶ୍ୟକ। ସେ କହିଥିଲେ ଯେ ୨୦୧୯ରୁ ୨୦୨୨ ମଧ୍ୟରେ ୬୯୦୦ରୁ ଅଧିକ ସଶସ୍ତ୍ର କ୍ୟାଡର ଆତ୍ମସମର୍ପଣ କରିସାରିଛନ୍ତି ଏବଂ ପାଖାପାଖି ୪୮୦୦ରୁ ଅଧିକ ଅସ୍ତ୍ର ପ୍ରଶାସନ ନିକଟରେ ସରେଣ୍ଡର କରାଯାଇଛି। ଏହା ଏକ ବହୁତ ବଡ଼ ଉପଲବ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପୂର୍ବାଞ୍ଚଳକୁ ଅଷ୍ଟଲକ୍ଷ୍ମୀ ଭାବେ ଅଭିହିତ କରିଥାନ୍ତି ଏବଂ ଏସବୁ ପ୍ରୟାସ ବଳରେ ଉତ୍ତର ପୂର୍ବ ଭାରତ ମୁଖ୍ୟଧାରାରେ ସାମିଲ ହେବା ସହିତ ଦେଶର ବିକାଶକୁ ଆଗେଇ ନେବାରେ ଏକ ବାହକ ଶକ୍ତି ହୋଇପାରିବ । ସେ କହିଥିଲେ ଯେ, ମୋଦୀ ସରକାର ଅନେକଗୁଡ଼ିଏ ଅଭିଯାନ ଆରମ୍ଭ କରିଛନ୍ତି ଯେଉଁଥିରେ ନିଶାଦ୍ରବ୍ୟ ମୁକ୍ତ, ବନ୍ୟାମୁକ୍ତ ଏବଂ ଅନୁପ୍ରବେଶ ମୁକ୍ତ ଉତ୍ତର ପୂର୍ବାଞ୍ଚଳ ସାମିଲ ରହିଛି, ଏସବୁ ଦିଗରେ ସମୟବଦ୍ଧ ଢଙ୍ଗରେ ଭାରତ ସରକାର ଏବଂ ଉତ୍ତର ପୂର୍ବାଞ୍ଚଳ ସରକାର ଆଗକୁ ବଢ଼ୁଛନ୍ତି।

ଶ୍ରୀ ଅମିତ ଶାହା କହିଥିଲେ, ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି ଯେ, ଆସାମ ଓ ମେଘାଳୟ ମୁଖ୍ୟମନ୍ତ୍ରୀମାନେ ଯେଉଁ ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦେଇଛନ୍ତି ସେହିପରି ସବୁ ରାଜ୍ୟମାନଙ୍କ ସହିତ ଆଲୋଚନା କରି ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳକୁ ବିବାଦମୁକ୍ତ କରାଯିବ।

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ବହୁ ଦଶନ୍ଧି ଧରି ପଡ଼ି ରହିଥିବା ଏହି ସମସ୍ୟାର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହଯୋଗରେ ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ କରାଯିବା ସମ୍ଭବ ହୋଇପାରିବ, ଭାରତ ସରକାର ସବୁବେଳେ ଏହି ଦୃଷ୍ଟିକୋଣ ନେଇ କାମ କରି ଆସୁଛନ୍ତି । ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଆପୋସ ସାମଞ୍ଜସ୍ୟ ଓ ତାଳମେଳ ଭାବନା ନେଇ ସୀମା ବିବାଦର ସମାଧାନ କରିବା ଲାଗି ସୁବିଧା ପ୍ରଦାନକାରୀ ଭାବେ କେନ୍ଦ୍ର ସରକାର କାମ କରୁଛନ୍ତି। ଏହି ରାଜିନାମା ଫଳରେ ଏହି କ୍ଷେତ୍ରରେ ରହୁଥିବା ଲୋକମାନେ ଲାଭବାନ ହେବେ କାରଣ ଦୀର୍ଘକାଳୀନ ଶାନ୍ତି ସୁନିଶ୍ଚିତ ହେବ ଏବଂ ବିକାଶ ପ୍ରକ୍ରିୟା ଆଗକୁ ବଢ଼ିପାରିବ। ଏହି ରାଜିନାମା ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ଉଦାହରଣ, ଯାହାକି ରାଜ୍ୟମାନଙ୍କ ମଧ୍ୟରେ ରହିଥିବା ଅନ୍ୟ ସୀମା ବିବାଦ ସମାଧାନ ଲାଗି ଏକ ରୋଡମ୍ୟାପ୍‌ ପ୍ରଦାନ କରିବ।

Categories
ବିଶେଷ ଖବର

ଉଚ୍ଚସ୍ତରୀୟ ବୈଠକରେ ଦେଶର ସୁରକ୍ଷା ପରିସ୍ଥିତି ସମୀକ୍ଷା କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି। ସେ ମଧ୍ୟ ଦେଶ ପ୍ରତି ରହିଥିବା ସମ୍ଭାବ୍ୟ ସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଶ କରିଛନ୍ତି।

ଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସିଗୁଡ଼ିକର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ବିଶେଷ କରି ବିଭିନ୍ନ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ସେନାବାହିନୀର ଗୁଇନ୍ଦା ବିଭାଗ, ରାଜସ୍ୱ ଓ ଆର୍ଥିକ ଗୁଇନ୍ଦା ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଏତଦବ୍ୟତୀତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୁଲିସ ମହାନିର୍ଦ୍ଦେଶକମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।

ଆତଙ୍କବାଦ ଓ ବିଶ୍ୱ ଆତଙ୍କବାଦୀ ଗୋଷ୍ଠୀ, ଆତଙ୍କବାଦକୁ ପାଣ୍ଠି ଯୋଗାଣ, ନିଶାଦ୍ରବ୍ୟ କାରବାର, ସଂଗଠିତ ଅପରାଧ-ଆତଙ୍କବାଦ ମଧ୍ୟରେ ରହିଥିବା ସମ୍ପର୍କ, ସାଇବର କ୍ଷେତ୍ରର ବେଆଇନ ଉପଯୋଗ, ବିଦେଶୀ ଆତଙ୍କବାଦୀଙ୍କ ଗତିବିଧି ଆଦି ବିପଦ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଆତଙ୍କବାଦ ମୁକାବିଲା ଏବଂ ସୁରକ୍ଷା ଆହ୍ୱାନର ପରିଦୃଶ୍ୟ କ୍ରମାଗତ ଭାବେ ବଦଳି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଉନ୍ନତ ସମନ୍ୱୟ ଏବଂ ସହଭାଗିତା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଗୁରୁତ୍ୱାରୋପ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ତଦନ୍ତରେ ଉତ୍କର୍ଷତା ପାଇଁ ଓଡିଶାରୁ ୪ ଜଣ ସହ ୧୨୧ ଜଣ ପୁଲିସଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ,ପଢନ୍ତୁ ପୁରା ତାଲିକା

ନୂଆଦିଲ୍ଲୀ, ୨୦୨୦ ବର୍ଷରେ ୧୨୧ ଜଣ ପୁଲିସ ଅଧିକାରୀଙ୍କୁ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମେଡାଲ” ପ୍ରଦାନ କରାଯାଇଛି। ଅପରାଧିକ ତଦନ୍ତରେ ଉଚ୍ଚ ପେସାଦାର ମାନକକୁ ପ୍ରୋତ୍ସାହିତ କରିବା ସହ ତଦନ୍ତକାରୀ ଅଫିସରଙ୍କ ଦ୍ୱାରା ହୋଇଥିବା ଉତ୍କୃଷ୍ଟ ତଦନ୍ତକୁ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇ ୨୦୧୮ରେ ଏହି ମେଡାଲର ସ୍ଥାପନ କରାଯାଇଥିଲା।

ଚଳିତ ବର୍ଷ ଏହି ପୁରସ୍କାର ପାଇଥିବା ଅଧିକାରୀଙ୍କ ମଧ୍ୟରେ ସିବିଆଇରୁ ୧୫ ଜଣ ଥିଲା ବେଳେ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପୁଲିସରୁ ୧୦ ଜଣ ଲେଖାଏଁ, କେରଳ ଓ ପଶ୍ଚିମବଙ୍ଗ ପୁଲିସରୁ ୭ ଜଣ ଲେଖାଏଁ, ଓଡ଼ିଶା ପୁଲିସରୁ ୪ ଜଣ ଏବଂ ବଳକା ପୁଲିସ ଅଧିକାରୀମାନେ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର। ଏଥର ମେଡାଲ ପାଇଥିବା ଅଧିକାରୀଙ୍କ ମଧ୍ୟରେ ୨୧ ଜଣ ମହିଳା ପୁଲିସ ଅଫିସର ଅଛନ୍ତି।

“ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମେଡାଲ”ରେ ପୁରସ୍କୃତ ହୋଇଥିବା ଓଡ଼ିଶା ପୁଲିସର ଅଧିକାରୀମାନେ ହେଲେ, ଇନ୍ସପେକ୍ଟର ଶ୍ରୀମତୀ ସୁଷମା ତିର୍କୀ, ସବ୍-ଇନ୍ସପେକ୍ଟର ଶ୍ରୀ ଯୁଗଳ କିଶୋର ଦାଶ, ସବ୍-ଇନ୍ସପେକ୍ଟର ଶ୍ରୀମତୀ ସନ୍ତୋଷୀ ବାରିକ, ସବ୍-ଇନ୍ସପେକ୍ଟର ଶ୍ରୀ ବାବା ଶଙ୍କର ସରାଫ୍।