Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶର ମଥୁରାରେ ସନ୍ଥ ମୀରାବାଇଙ୍କ ଜନ୍ମୋତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତରପ୍ରଦେଶର ମଥୁରାଠାରେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସନ୍ଥ ମୀରାବାଇ ଜନ୍ମୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ସନ୍ଥ ମୀରା ବାଇଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ସେ ଏକ ପ୍ରଦର୍ଶନୀରେ ବୁଲିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଛନ୍ତି। ଏହି ଅବସରରେ ସନ୍ଥ ମୀରାବାଇଙ୍କ ସ୍ମୃତିରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରି ବ୍ରଜ ଭୂମିରେ ଏବଂ ବ୍ରଜବାସୀଙ୍କ ଗହଣରେ ଉପସ୍ଥିତ ଥିବାରୁ ଖୁସି ଓ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ଏହି ଭୂମିର ଦିବ୍ୟ ମହତ୍ତ୍ୱ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଭଗବାନ ଶ୍ରୀକୃଷ୍ଣ, ରାଧା ରାଣୀ, ମୀରା ବାଇ ଏବଂ ବ୍ରଜର ସମସ୍ତ ସନ୍ଥଙ୍କୁ ପ୍ରଣାମ କରିଥିଲେ । ମଥୁରାର ସାଂସଦ ଭାବରେ ଶ୍ରୀମତୀ ହେମା ମାଳିନୀଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିମଗ୍ନ କରିଛନ୍ତି ।

ଗୁଜରାଟ ସହିତ ଭଗବାନ କୃଷ୍ଣ ଏବଂ ମୀରାବାଈଙ୍କ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ତାଙ୍କ ମଥୁରା ଗସ୍ତକୁ ଆହୁରି ସ୍ୱତନ୍ତ୍ର କରିଥାଏ । “ଗୁଜରାଟ ଗସ୍ତ କରିବା ପରେ ମଥୁରାର କହ୍ନୈୟା ଦ୍ୱାରକାଧୀଶରେ ପରିଣତ ହୋଇଥିଲେ”, ସେ  କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ରାଜସ୍ଥାନରୁ ଆସି ମଥୁରାର କୋଣଅନୁକୋଣକୁ ସ୍ନେହ ଏବଂ ପ୍ରେମରେ ଭରି ଦେଇଥିବା ସନ୍ଥ ମୀରାବାଇ ଗୁଜରାଟର ଦ୍ୱାରକାରେ ତାଙ୍କ ଜୀବନର ଶେଷ ଦିନ ବିତାଇଥିଲେ । ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ବ୍ୟାପିଥିବା ଥିବା ବ୍ରଜ ଭୂମି ଦର୍ଶନ କରିବାର ସୁଯୋଗ ମିଳିବା ପରେ ଗୁଜରାଟର ଲୋକମାନେ ଏହାକୁ ଦ୍ୱାରକାଧୀଶଙ୍କ ଆଶୀର୍ବାଦ ବୋଲି ବିବେଚନା କରନ୍ତି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ୨୦୧୪ ମସିହାରେ ସେ ବାରଣାସୀରୁ ସାଂସଦ ହେବା ପରଠାରୁ ଉତ୍ତରପ୍ରଦେଶର ଅଂଶ ବିଶେଷ ହୋଇ ରହି ଆସିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ କେବଳ ଏକ ଜୟନ୍ତୀ ନୁହେଁ ବରଂ ‘‘ଭାରତରେ ପ୍ରେମର ବ୍ୟାପକ ସଂସ୍କୃତି ଏବଂ ପରମ୍ପରାର ଏକ ଉତ୍ସବ। ନର ଓ ନାରାୟଣ, ଜୀବ ଓ ଶିବ, ଭକ୍ତ ଓ ଭଗବାନଙ୍କୁ ଏକ ଭାବରେ ବିବେଚନା କରୁଥିବା ଚିନ୍ତାଧାରାର ଏକ ଉତ୍ସବ।’’

ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, ମୀରାବାଇ ବଳିଦାନ ଏବଂ ବୀରତ୍ୱର ଭୂମି ରାଜସ୍ଥାନରୁ ଆସିଥିଲେ । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ୮୪ ‘କୋଶ’ ବ୍ରଜ ମଣ୍ଡଳ ଉଭୟ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ଅଂଶ ବିଶେଷ। ମୀରାବାଇ ଭକ୍ତି ଓ ଆଧ୍ୟାତ୍ମିକତା ସହ ଭାରତୀୟ ଚେତନାକୁ ପୋଷଣ କରିଥିଲେ। ତାଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆମକୁ ଭାରତର ଭକ୍ତି ପରମ୍ପରା ସହିତ ଭାରତର ବୀରତ୍ୱ ଏବଂ ବଳିଦାନ ବିଷୟରେ ମନେ ପକାଇଦିଏ କାରଣ ରାଜସ୍ଥାନବାସୀ ଭାରତର ସଂସ୍କୃତି ଏବଂ ଚେତନାକୁ ରକ୍ଷା କରିବା ଲାଗି ପ୍ରାଚୀର ପରି ଅଟଳ ରହିଥିଲେ ।

‘‘ଭାରତ ପ୍ରାଚୀନ କାଳରୁ ନାରୀ ଶକ୍ତିକୁ ସମ୍ମାନ ଦେଇ ଆସୁଛି’’, ବୋଲି ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ରଜବାସୀମାନେ ହିଁ ଏହାକୁ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, କହ୍ନେୟାଙ୍କ ଭୂମିରେ ପ୍ରତ୍ୟେକ ସ୍ୱାଗତ, ଅଭିଭାଷଣ ଏବଂ ସମ୍ବର୍ଦ୍ଧନା ‘ରାଧେ ରାଧେ’ରୁ ଆରମ୍ଭ ହୋଇଥାଏ। “ରାଧାଙ୍କ ସହ ଯୋଡ଼ି ହେଲେ ହିଁ କୃଷ୍ଣଙ୍କ ନାମ ସମ୍ପୂର୍ଣ୍ଣ ହୋଇଯାଏ”, ଶ୍ରୀ ମୋଦୀ କହିଥିଲେ। ଏହି ଆଦର୍ଶକୁ ସେ ଦେଶ ନିର୍ମାଣ ଏବଂ ସମାଜ ପାଇଁ ମାର୍ଗ ପ୍ରଶସ୍ତ କରିବା ଦିଗରେ ମହିଳାଙ୍କ ଅବଦାନକୁ ଶ୍ରେୟ ଦେଇଥିଲେ। ମୀରାବାଈଙ୍କୁ ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ତାଙ୍କ ଦ୍ୱାରା ଏକ କବିତା ପାଠ କରିଥିଲେ । ଆକାଶ ଏବଂ ପୃଥିବୀ ମଧ୍ୟରେ ଯାହା ବି ପଡ଼ିବ ତାହା ଦିନେ ଶେଷ ହୋଇଯିବ ବୋଲି କବିତାର ଅନ୍ତର୍ନିହିତ ବାର୍ତ୍ତାକୁ ସେ ବୁଝାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୀରାବାଇ ସେହି କଠିନ ସମୟରେ ଦେଖାଇ ଦେଇଛନ୍ତି ଯେ ଜଣେ ମହିଳାଙ୍କ ଆଭ୍ୟନ୍ତରୀଣ ଶକ୍ତି ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରିବାରେ ସକ୍ଷମ । ସନ୍ଥ ରବିଦାସ ତାଙ୍କର ଗୁରୁ ଥିଲେ। ସନ୍ଥ ମୀରାବାଇ ମଧ୍ୟ ଜଣେ ମହାନ ସମାଜ ସଂସ୍କାରକ ଥିଲେ । ତାଙ୍କର ପଦ୍ୟାବଳୀଗୁଡ଼ିକ ଆଜି ବି ଆମକୁ ମାର୍ଗ ଦେଖାଇଥାଏ। ସେ ଆମକୁ ନିର୍ଦ୍ଦିଷ୍ଟ ଧାରଣାରେ ବାନ୍ଧି ହୋଇ ନ ରହି ଆମର ମୂଲ୍ୟବୋଧ ସହିତ ଜଡ଼ିତ ରହିବାକୁ ଶିକ୍ଷା ଦିଅନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତର ଅମରତ୍ୱ ଭାବନା ଉପରେ ଆଲୋକପାତ କରି କହିଥିଲେ, ଯେତେବେଳେ ଭାରତର ଚେତନା ଆକ୍ରମଣର ଶିକାର ହୋଇଛି କିମ୍ବା ଦୁର୍ବଳ ହୋଇଛି ସେତେବେଳେ ଦେଶର କୌଣସି ପ୍ରାନ୍ତରୁ ଏକ ଜାଗ୍ରତ ଶକ୍ତି ଉତ୍ସ ସର୍ବଦା ସୃଷ୍ଟି ହୋଇଛି । ସେ କହିଥିଲେ ଯେ, କିଛି ବିଶିଷ୍ଟ ବ୍ୟକ୍ତି ଯୋଦ୍ଧା ହୋଇଥିବା ବେଳେ କିଛି ସାଧୁ ହୋଇଥିଲେ। ଭକ୍ତି କାଳର ସନ୍ଥ ଦକ୍ଷିଣ ଭାରତର ଅଲୱର ଓ ନୟନାର ସନ୍ଥ ଏବଂ ଆଚାର୍ଯ୍ୟ ରାମାନୁଜାଚାର୍ଯ୍ୟ, ଉତ୍ତର ଭାରତର ତୁଲସୀଦାସ, କବୀରଦାସ, ରବିଦାସ ଓ ସୁରଦାସ, ପଞ୍ଜାବର ଗୁରୁ ନାନକ ଦେବ, ପୂର୍ବବଙ୍ଗର ଚୈତନ୍ୟ ମହାପ୍ରଭୁ, ଗୁଜରାଟର ନରସିଂହ ମେହେଟା ଏବଂ ପଶ୍ଚିମରେ ମହାରାଷ୍ଟ୍ରର ତୁକାରାମ ଓ ନାମଦେବଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ତ୍ୟାଗର ମାର୍ଗ ତିଆରି କରିଥିଲେ ଏବଂ ଭାରତର ଚେତନାକୁ ମଧ୍ୟ ଆକାର ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦିଓ ସେମାନଙ୍କ ଭାଷା ଓ ସଂସ୍କୃତି ପରସ୍ପରଠାରୁ ଭିନ୍ନ ଥିଲା, ତଥାପି ସେମାନଙ୍କ ବାର୍ତ୍ତା ସମାନ ଏବଂ ସେମାନେ ନିଜ ଭକ୍ତି ଏବଂ ଜ୍ଞାନ ଦ୍ୱାରା ସମଗ୍ର ଦେଶକୁ ଆଲୋକିତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ମଥୁରା ହେଉଛି ‘ଭକ୍ତି ଆନ୍ଦୋଳନ’ର ବିଭିନ୍ନ ଧାରାର ସଙ୍ଗମସ୍ଥଳୀ। ସେ ମାଲୁକ ଦାସ, ଚୈତନ୍ୟ ମହାପ୍ରଭୁ, ମହାପ୍ରଭୁ ବଲ୍ଲଭଚାର୍ଯ୍ୟ, ସ୍ୱାମୀ ହରି ଦାସ ଏବଂ ସ୍ୱାମୀ ହିତ ହରିବଂଶ ମହାପ୍ରଭୁଙ୍କ ଉଦାହରଣ ଦେଇଥିଲେ, ଯେଉଁମାନେ ଦେଶରେ ନୂତନ ଚେତନା ଜାଗ୍ରତ କରାଇଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ଆଜି ଏହି ଭକ୍ତି ଯଜ୍ଞକୁ ଆଗେଇ ନିଆଯାଉଛି ବୋଲି ସେ କହିଥିଲେ।

ଭାରତର ଗୌରବମୟ ଅତୀତର ଭାବନାରୁ ବଞ୍ଚିତ ଲୋକମାନେ ଦାସତ୍ୱର ମାନସିକତାରୁ ନିଜକୁ ମୁକ୍ତ କରି ପାରିନଥିବାରୁ ମଥୁରାକୁ ସେଭଳି ଗୁରୁତ୍ୱ ମିଳୁନାହିଁ ଏବଂ ବ୍ରଜ ଭୂମି ବିକାଶରୁ ବଞ୍ଚିତ ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଅମୃତ କାଳର ଏହି ସମୟରେ ଦେଶ ପ୍ରଥମ ଥର ପାଇଁ ଦାସତ୍ୱ ମାନସିକତାରୁ ବାହାରିଛି । ସେ କହିଛନ୍ତି ଯେ ଲାଲକିଲ୍ଲାର ପ୍ରାଚୀରରୁ ପଞ୍ଚ ପ୍ରାଣ ଶପଥ ନିଆଯାଇଛି। କାଶୀ ବିଶ୍ୱନାଥ ଧାମ, କେଦାର ନାଥ ଧାମର ପୁନର୍ବିକାଶ ଏବଂ ଶ୍ରୀରାମ ମନ୍ଦିରର ଆଗାମୀ ଉଦଘାଟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିକାଶର ଏହି ଦୌଡ଼ରେ ମଥୁରା ଏବଂ ବ୍ରଜ ପଛରେ ରହିବେ ନାହିଁ। ବ୍ରଜର  ବିକାଶ ପାଇଁ ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ପ୍ରତିଷ୍ଠା ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଭକ୍ତଙ୍କ ସୁବିଧା ଓ ତୀର୍ଥଯାତ୍ରାର ବିକାଶ ପାଇଁ ଏହି ପରିଷଦ ଅନେକ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

ସମଗ୍ର ଅଞ୍ଚଳ କାହ୍ନାର ‘ଲୀଳା’ ସହ ଜଡ଼ିତ ବୋଲି ଶ୍ରୀ ମୋଦୀ ଦୋହରାଇଥିଲେ । ବ୍ରଜ ଅଞ୍ଚଳ ଅଧୀନରେ ଥିବା ମଥୁରା, ବୃନ୍ଦାବନ, ଭରତପୁର, କରୌଲି, ଆଗ୍ରା, ଫିରୋଜାବାଦ, କାସଗଞ୍ଜ, ପଲୱାଲ, ବଲ୍ଲଭଗଡ଼ ଭଳି ସ୍ଥାନର ଉଦାହରଣ ସେ ଦେଇଥିଲେ ଯାହା ବିଭିନ୍ନ ରାଜ୍ୟରେ ପଡ଼େ । ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି ସମଗ୍ର ଅଞ୍ଚଳର ବିକାଶ ପାଇଁ ପ୍ରୟାସ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ବ୍ରଜ ଅଞ୍ଚଳ ଏବଂ ଦେଶରେ ଘଟୁଥିବା ପରିବର୍ତ୍ତନ ଓ ବିକାଶ କେବଳ ବ୍ୟବସ୍ଥାର ପରିବର୍ତ୍ତନ ନୁହେଁ ବରଂ ଦେଶର ପୁନଃଜାଗ୍ରତ ଚେତନାର ପରିବର୍ତ୍ତିତ ପ୍ରକୃତିର ପ୍ରତୀକ । “ମହାଭାରତ ଏହି ପ୍ରମାଣ ଦେଇଥାଏ ଯେ ଭାରତ ଯେଉଁଠାରେ ପୁନର୍ଜନ୍ମ ନେଇଛି, ତା’ ପଛରେ ନିଶ୍ଚୟ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଛି।” ସେ ଶେଷରେ କହିଥିଲେ ଯେ ଦେଶ ଏହାର ସଂକଳ୍ପ ପୂରଣ କରିବ ଏବଂ ଏକ ବିକଶିତ ଭାରତ ନିର୍ମାଣ କରିବ।

ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଏବଂ ମଥୁରା ସାଂସଦ ହେମା ମାଳିନୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମା’ ଉଗ୍ରତାରା ଦର୍ଶନ କଲେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

ଖୋର୍ଦ୍ଧା: ଚାଲିଛି ନବରାତ୍ର ପୂଜା। ଆଜି ସପ୍ତମ ଦିନରେ ମା’ କାଳରାତ୍ରୀ ଭାବେ ପୂଜା ପାଉଛନ୍ତି। ମା’ଙ୍କୁ ଦର୍ଶନ କରିବା ପାଇଁ ଦେବୀ ପୀଠରେ ଭକ୍ତ ମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ତେବେ ଆଜି ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଉଗ୍ରତାରାଙ୍କୁ ଦର୍ଶନ କରିବା ଲାଗି ସୁଦୂର ଉତ୍ତର ପ୍ରଦେଶରୁ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଛୁଟି ଆସିଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଟାଙ୍ଗୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଛି।

Categories
ଆଜିର ଖବର ଜାତୀୟ ଖବର

ବିଧାନ ପରିଷଦର ନେତା ପଦରୁ ଇସ୍ତଫା ଦେଲେ ସ୍ଵତନ୍ତ୍ର ଦେବ ସିଂ, କେଶବ ମୌର୍ଯ୍ୟଙ୍କୁ ମିଳିଲା ଦାୟିତ୍ଵ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଜେପି ସହ ଜଡିତ ଏକ ବଡ ଖବର ଆସୁଛି। ୟୁପି ବିଧାନ ପରିଷଦରେ ଗୃହର ନେତା ସ୍ଵତନ୍ତ୍ର ଦେବ ସିଂ ଗୃହର ନେତା ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟସ୍ତତା ତାଙ୍କ ଇସ୍ତଫା ପଛର କାରଣ ବୋଲି ସ୍ଵତନ୍ତ୍ର ଦେବ ଉଲ୍ଲେଖ କରିଛନ୍ତି। ନିକଟରେ ସେ କ୍ୟାବିନେଟ ମନ୍ତ୍ରୀ ତଥା ବିଧାନ ପରିଷଦର ନେତା ଭାବରେ ମନୋନୀତ ହୋଇଥିଲେ। ସ୍ଵତନ୍ତ୍ର ଦେବଙ୍କ ଇସ୍ତଫା ପରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଏହି ବଡ ଦାୟିତ୍ଵ ଦିଆଯାଇଛି।

ୟୁପି ବିଧାନ ପରିଷଦର ବାଚସ୍ପତି ସ୍ଵତନ୍ତ୍ର ଦେବ ସିଂଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇ କେଏମ ସିଂ କହିଛନ୍ତି ଯେ, ସେ ୟୁପି ବିଧାନ ପରିଷଦରେ ଗୃହର ନେତା ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ବ୍ୟସ୍ତତା କାରଣରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ପରେ ଏହି ଦାୟିତ୍ୱ ବର୍ତ୍ତମାନ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଦିଆଯାଇଛି। କେଶବ ମୌର୍ଯ୍ୟଙ୍କୁ ବିଧାନ ପରିଷଦରେ ଗୃହର ନେତା କରାଯାଇଛି। ଅନ୍ୟପକ୍ଷରେ ସ୍ଵତନ୍ତ୍ର ଦେବ ସିଂଙ୍କ ହଠାତ୍ ଇସ୍ତଫା ଯୋଗୁଁ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଏହି ଦାୟିତ୍ୱ ଦିଆଯିବା ପରେ ସ୍ଵତନ୍ତ୍ର ଦେବ ସିଂ ଖୁସି ବ୍ୟକ୍ତ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମାନ୍ୟବର କେଶବ ପ୍ରସାଦ ମୌର୍ଯ୍ୟ ଜୀଙ୍କୁ ବିଧାନ ପରିଷଦରେ ଗୃହର ନେତା ହେବାରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

ସ୍ଵତନ୍ତ୍ର ଦେବ ସିଂ ବିଜେପିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ପୂରଣ କରିଛନ୍ତି। ଯୋଗୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ତାଙ୍କୁ ପରିବହନ ବିଭାଗର ଦାୟିତ୍ୱ ଦିଆଯାଇଥିଲା, ଏହା ପରେ ତାଙ୍କୁ ବିଜେପି ରାଜ୍ୟ ସଭାପତି କରାଯାଇଥିଲା। ଯୋଗୀ ୨.୦ରେ ମଧ୍ୟ ତାଙ୍କୁ ଏକ ବଡ ଦାୟିତ୍ଵ ଦେଇ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ସେ ଯୋଗୀ ସରକାରରେ ଜଳଶକ୍ତି ମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରୁଛନ୍ତି।