Categories
ଆଜିର ଖବର ଜାତୀୟ ଖବର

ରାଉରକେଲା ଇସ୍ପାତ କାରଖାନାର ତତ୍‌‌କାଳୀନ ଏଜିଏମ୍‌ଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡାଦେଶ

ନୂଆଦିଲ୍ଲୀ: ଏକ ଠକେଇ ଓ ଜାଲିଆତି ମାମଲାରେ ସିବିଆଇର ଭୁବନେଶ୍ୱରସ୍ଥିତ ଏକ ସ୍ୱତନ୍ତ୍ର ଅଦାଲତ ‘ସେଲ’ ଅଧୀନରେ ଥିବା ରାଉରକେଲା ଇସ୍ପାତ କାରାଖାନାର ତତ୍‌କାଳୀନ ସହକାରୀ ସାଧାରଣ ପରିଚାଳକ ଏଜିଏମ୍‌) କେ. ବାଳ ଗଙ୍ଗାଧରଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୫ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି।

ଏହି ଠକେଇ ଓ ଜାଲିଆତି ମାମଲାରେ ତତ୍କାଳୀନ ଏଜିଏମ୍ ବାଳ ଗଙ୍ଗାଧରଙ୍କ ସମେତ ଅନ୍ୟମାନଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଭିତ୍ତିରେ ସିବିଆଇ ମାମଲାର ତଦନ୍ତ ଦାୟିତ୍ୱ ହାତକୁ ନେବା ସହିତ ଅଭିଯୁକ୍ତମାନଙ୍କ ନାମରେ କେସ୍ ଦାଏର କରିଥିଲା। ଅଭିଯୋଗ ଅନୁସାରେ ଏହି ଅଭିଯୁକ୍ତମାନେ ଏକ ଘରୋଇ ସଂସ୍ଥା ସହିତ ମିଶି ଅପରାଧିକ ଷଡଯନ୍ତ୍ର ରଚନା କରିବା ସହିତ ରାଉରକେଲା ଇସ୍ପାତ କାରଖାନାରୁ ପ୍ରାୟ ୨୪ଲକ୍ଷ ୪୧ହଜାର ଟଙ୍କା ଠକି ନେଇଥିଲେ। ଏହି ଜାଲିଆତିରେ ସମ୍ପୃକ୍ତ ବ୍ୟକ୍ତିମାନେ ଜାଲ କାଗଜପତ୍ର ବ୍ୟବହାର କରିବା ସହିତ ନିଜ ପଦର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା। ସେମାନେ ବେଆଇନ ଆର୍ଥିକ ଲାଭ ପାଇଁ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ଆର୍‌ଏସ୍‌ପିର ହଟ ଷ୍ଟ୍ରିମ ମିଲ (ଏଚଏମ୍‌ଏମ୍‌)ର ମରାମତି, ରଙ୍ଗ ଓ ସଫେଇ କାମ ଦେଇଥିଲେ।

ମାମଲାର ତଦନ୍ତ ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୦୦୧ ନଭେମ୍ବର ୨୯ରେ ଅଭିଯୋଗ ପତ୍ର ଦାଖଲ ହୋଇଥିଲା।

ମାମଲାର ଦୀର୍ଘ ବିଚାର ସମୟରେ ଛ’ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିଲା। ଫଳରେ ସେମାନଙ୍କ ବିରୋଧରେ ଚାଲିଥିବା ମାମଲାକୁ ପ୍ରତ୍ୟାହାର କରାଯାଇଥିଲା। ବାକି ଦୁଇଜଣଙ୍କ ବିରୋଧରେ ସିବିଆଇର ସ୍ୱତନ୍ତ୍ର ଟାଏଲ କୋର୍ଟରେ ମକଦ୍ଦମା ଜାରି ରହିଥିଲା। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ତତ୍କାଳୀନ ଏଜିଏମ୍‌ଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି। ତେବେ ସମ୍ପୃକ୍ତ ଘରୋଇ ସଂସ୍ଥାର ସଂସ୍ଥାପକ ଯାହାଙ୍କ ବିରୋଧରେ ମଧ୍ୟ ମାମଲା ଚାଲିଥିଲା, ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି।