Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାରେ ଆୟୋଜନ ହେବ ମାଗଣା ସ୍ବାସ୍ଥ୍ୟ ଶିବିର

ଖୋର୍ଦ୍ଧା: ଆସନ୍ତା ଅକ୍ଟୋବର ପହିଲାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉକ୍ତ ଦିନ ଜିଲ୍ଲାରେ ଥିବା ୧୭ଟି ଯାକ ବୃଦ୍ଧାଶ୍ରମରେ ଅନ୍ତେବାସୀ ମାନଙ୍କ ଚକ୍ଷୁ, ହେମୋଗ୍ଲୋବିନ, ରକ୍ତଚାପ, ବ୍ଲଡ ସୁଗାର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଚଷମା, ଆଶାବାଡି, ନି କ୍ୟାପ ପ୍ରଦାନ କରାଯିବ। ଏଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ଦିନ ଟାଉନ ହଲ ଠାରେ ବିରଷ୍ଠ ନାଗରିକ ମାନଙ୍କ ନିମନ୍ତେ ମଧ୍ୟ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ। ଏଥିରେ ଯୋଗ ଦେଇ ଆବଶ୍ୟକୀୟ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରାମର୍ଶ ଦିଆଯାଇଛି।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ

ଖୋରଧା: ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ କ୍ରିୟାନୁଷ୍ଠାନ କମିଟି ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ପ୍ରାରମ୍ଭରେ ଚଳିତ ବର୍ଷର ବିଷୟବସ୍ତୁ “ମହିଳା ଓ ସ୍ବାସ୍ଥ୍ୟ, ଶିଶୁ ଓ ଶିକ୍ଷା” ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା। ନବଜାତ ଶିଶୁ ମାନଙ୍କୁ କ୍ଷୀରଦାନ,ଉତ୍ତମ ଯତ୍ନ, ପରିବେଶ ପରିଷ୍କାର ଓ ପରିଚ୍ଛନ୍ନ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଓଜନ ମାପ ସହ ପୁଷ୍ଟି ଉପରେ ନଜର ରଖିବା ନିମନ୍ତେ ସଚେତନ ସୃଷ୍ଟି ଉପରେ ବୈଠକରେ ଆଲୋଚନା ହୋଇଛି।

ଏଥିନିମନ୍ତେ ଅଙ୍ଗନୱାଡି ଓ ଆଶା କର୍ମୀ ମାନେ ନିୟମିତ ଭାବେ ଘର ଘର ବୁଲି ମହିଳା ଓ ଶିଶୁ ମାନଙ୍କ ଯତ୍ନ ଏବଂ ପୋଷଣ ଉପରେ ଧ୍ୟାନ ଦେବା ସହ ଶୁଦ୍ଧ ପାନୀୟ ଜଳ, ବାହ୍ୟ ମଳମୂତ୍ର ତ୍ୟାଗ, ଟୀକାକରଣ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ମାନସିକତା ପରିବର୍ତ୍ତନ ସହ ଭଲ କାର୍ଯ୍ୟ କରୁଥିବା ଅଙ୍ଗନୱାଡି କର୍ମୀ ମାନଙ୍କୁ ପୁରସ୍କୃତ କରିବା ସହ ଦାୟିତ୍ବରେ ଅବହେଳା କରୁଥିବା କର୍ମୀଙ୍କୁ ତାଗିଦ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। କୁପୋଷଣକୁ ହଟେଇବା ନିମନ୍ତେ ଦୀର୍ଘମିଆଦୀ ଅଭିଯାନ ବିଗତ ବର୍ଷ ଗୁଡିକରୁ ଚାଲୁଥିବାରୁ ଏହାକୁ ତ୍ବରାନ୍ବିତ କରିବାକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ ଥିବା ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ପି.କେ. ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ସିଡିପିଓ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆଜି ସୁଦ୍ଧା ଦେବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାରେ ବନ୍ୟା ପରବର୍ତ୍ତି ସ୍ଥିତିର ସମୀକ୍ଷା କରିଛନ୍ତି। ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବନ୍ୟାଞ୍ଚଳରେ ପାନୀୟ ଜଳ,ସ୍ବାସ୍ଥ୍ୟ, ସଡକ ପଥ, ବିଦ୍ୟୁତ ସଂଯୋଗ ପୁନଃ କାର୍ଯ୍ୟକ୍ଷମ କରିବା ସହ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଏଭଳି ଅଭିଯୋଗ ଆସିବା ପରେ ଯାଞ୍ଚ କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଆଜି ତୁରନ୍ତ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ଆକଳନ ସମୟରେ ଯୋଗ୍ୟ ହିତାଧିକାରୀ ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନହୁଅନ୍ତି ଏବଂ ଅଯୋଗ୍ୟ ବ୍ୟକ୍ତି କ୍ଷତିପୂରଣ ପାଇବା ତାଲିକାଭୁକ୍ତ ନହେବାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଆକଳନ ନିମନ୍ତେ ପ୍ରତି ବ୍ଲକସ୍ତରରେ ଟିମ ମାନ ଗଠନ କରାଯାଇ ଉକ୍ତଟିମରେ ପଞ୍ଚାୟତିରାଜ, ରାଜସ୍ବ ଏବଂ ସଂପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ରଖିବା ନିମନ୍ତେ ପୂର୍ବ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା।

ଉକ୍ତ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ୍ତ ସାହୁ, ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣା, ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବ୍ଲକରେ ସଂପୃକ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ କେ. ସୁଦର୍ଶନ ଚକ୍ରବର୍ତ୍ତୀ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ପୂର୍ବାହ୍ନ ୯ ଘଟିକାରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ ଠାରୁ ନୂତନ ଜିଲ୍ଲାପାଳ ଦାଇତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଏହାପରେ ନୂତନ ଜିଲ୍ଲାପାଳ ସଦର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଉପସ୍ଥିତ ଥିଲେ। ପରେ ଜିଲ୍ଲାପାଳ ବିଜେବି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପୁଣି କାର୍ଯ୍ୟାଳୟକୁ ଫେରିଥିଲେ।

୨୦୧୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ଶ୍ରୀ ଚକ୍ରବର୍ତ୍ତୀ ପୁର୍ବରୁ ବାଲେଶ୍ଵର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ସେଠାରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସମୟରେ ସେ ଜିଲ୍ଲାରେ କୋଭିଡ ମ୍ୟାନେଜମେଣ୍ଟକୁ ବେସ୍ ସୁଚାରୁରୂପେ ପରିଚାଳନା କରିପାରିଥିଲେ।

ତେବେ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଅବାଧ ମଦ ବିକ୍ରିକୁ ରୋକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର, ଶିଳ୍ପର ଉନ୍ନତିକରଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି ନୂତନ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ।

ସୂଚନା ଥାଉକି ଗତ ସପ୍ତାହରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ।