Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୭୫ ଦିନିଆ- ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍‌ ୧୫ ଜୁଲାଇ ୨୦୨୨ ଠାରୁ ୭୫ ଦିନିଆ – ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ଅନ୍ତର୍ଗତ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ଟିକା ଦିଆଯିବ। ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶବିଶେଷ ସ୍ୱରୂପ ଏହି ସ୍ୱତନ୍ତ୍ର କୋଭିଡ ଟିକାକରଣ ଅଭିଯାନକୁ ‘ମିଶନ୍‌ ମୋଡ’ରେ କାର୍ଯ୍ୟକାରୀ କରାଯିବ। ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ୍‌ ଟିକା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏହି ବିଶେଷ ଅଭିଯାନ କାର୍ଯ୍ୟକାରୀ ହେବାକୁ ଯାଉଛି।

ଏଥିପାଇଁ ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସଚିବ ଏବଂ ଏନଏଚଏମ ଏମଡିମାନଙ୍କୁ ନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଅଧ୍ୟକ୍ଷତା କରିଥିଲେ। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦେବା ଏବଂ ସେମାନଙ୍କୁ ବୁଷ୍ଟର ଡୋଜ୍‌ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ଏକ ବ୍ୟାପକ ଏବଂ ମହତ୍ବାକାଂକ୍ଷୀ ପୂର୍ଣ୍ଣ କୋଭିଡ ୧୯ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିବେଦନ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସର ହିତାଧିକାରୀମାନଙ୍କ ମଧ୍ୟରେ ବୁଷ୍ଟର ଡୋଜ ଟିକାକରଣ ପ୍ରତିଶତ ଖୁବ୍‌ କମ୍‌ (୮%) ରହିଛି। ସେହିପରି ୬୦ ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସର ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହା ମାତ୍ର ୨୭% ରହିବା ଚିନ୍ତାର ବିଷୟ। ୧୮ ବର୍ଷରୁ ଅଧିକ ବୟସର ନାଗରିକମାନଙ୍କୁ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ବୁଷ୍ଟର ଡୋଜ୍‌ ଦେବା ଲାଗି ଭାରତ ସରକାର ଏକ ସ୍ୱତନ୍ତ୍ର ଅଭିଯାନ ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’ ଆରମ୍ଭ କରିଛନ୍ତି। ଏହି ଅଭିଯାନ ୧୫ ଜୁଲାଇ ଠାରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୫ ଦିନ ଧରି ଜାରି ରହିବ। ୧୮ ବର୍ଷରୁ ଅଧିକ ସବୁ ବ୍ୟକ୍ତି ଯେଉଁମାନେ ଦ୍ବିତୀୟ ଡୋଜ୍‌ ଟିକା ନେବାର ୬ ମାସ (୨୬ ସପ୍ତାହ) ପୂରଣ କରିସାରିଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ନେବା ଲାଗି ଯୋଗ୍ୟ ହୋଇପାରିବେ।

୭୫ ଦିନିଆ ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’କୁ ଏକ ‘ଜନ ଅଭିଯାନ’ ଆକାରରେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ନିବେଦନ କରାଯାଇଛି। ଏଥିପାଇଁ ବ୍ୟାପକ ଜନ ସଚେତନତା ଏବଂ ଶିବିର ଆୟୋଜନ ଆଭିମୁଖ୍ୟ ନେଇ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ଉତ୍ତରାଖଣ୍ଡର ଚାରଧାମ ଯାତ୍ରା, ଜମ୍ମୁ କଶ୍ମୀର ଅମରନାଥ ଯାତ୍ରା, ଉତ୍ତର ଭାରତର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ କାଉଁରିଆ ଯାତ୍ରା ସହିତ ସବୁ ବଡ଼ ମେଳା ଏବଂ ଜନସମାରୋହ ସ୍ଥଳୀରେ ବିଶେଷ ଟିକାକରଣ ଶିବିର ଆୟୋଜନ ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟାଳୟ ପରିସର (ସରକାରୀ ଏବଂ ଘରୋଇ), ଶିଳ୍ପ ପ୍ରତିଷ୍ଠାନ, ରେଳ ଷ୍ଟେସନ, ଆନ୍ତଃରାଜ୍ୟ ବସ୍‌ ଷ୍ଟାଣ୍ଡ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟସ୍ଥଳୀ ଟିକାକରଣ ଶିବିର ଆୟୋଜନ ଲାଗି ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଛି। ଏପରି ସବୁ ବିଶେଷ ଟିକାକରଣ ଶିବିରରେ କୋୱିନ ଜରିଆରେ ବାଧ୍ୟତାମୂଳକ ଭାବେ ଟିକାକରଣ କରାଯିବ ଏବଂ ଟିକାକରଣ ପ୍ରମାଣପତ୍ର ଯୋଗାଇ ଦିଆଯିବ।

ଏହି ଅଭିଯାନକୁ ସଫଳ କରିବା ଲାଗି ଜିଲ୍ଲା/ବ୍ଲକ/ସିଭିସି ସ୍ତରରେ ମହତ୍ବାକାଂକ୍ଷୀ ଟିକାକରଣ ଅଧିବେଶନ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସବୁ ଯୋଗ୍ୟ ଜନସଂଖ୍ୟାଙ୍କୁ ଯେପରି ବୁଷ୍ଟର ଡୋଜ୍‌ ଟିକା ଦିଆଯିବ ତାହା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦିଆଯାଇଛି। ଛାପା, ବୈଦ୍ୟୁତିକ, ସାମାଜିକ ଏବଂ ଅନ୍ୟ ଗଣମାଧ୍ୟମ ଜରିଆରେ ଏହି ଅଭିଯାନ ସମ୍ପର୍କରେ ଆଗୁଆ ବ୍ୟାପକ ସଚେନତା ସୃଷ୍ଟି କରିବା ଲାଗି ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଛି। ରାଜ୍ୟ ସ୍ତରରେ ଅଭିଯାନର ପ୍ରଗତି ସମ୍ପର୍କରେ ନିୟମିତ ସମୀକ୍ଷା କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ସଚିବମାନଙ୍କୁ ଅନୁରୋଧ କରାଯାଇଛି।

ଉପଲବ୍ଧ କୋଭିଡ ଟିକାର ଡୋଜ୍‌କୁ ଠିକ୍‌ ସମୟରେ ଉପଯୋଗ କରିବା ଲାଗି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଛି। କୌଣସି ସରକାରୀ କିମ୍ବା ଘରୋଇ କେନ୍ଦ୍ରରେ କୋଭିଡ ଟିକା ଯେପରି ନଷ୍ଟ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। କୋଭିଡ ଟିକା ଏକ ଗୁରୁତ୍ବପୂର୍ଣ୍ଣ ଜାତୀୟ ସମ୍ବଳ ହୋଇଥିବାରୁ ୭୫ ଦିନର ସ୍ୱତନ୍ତ୍ର ଅଭିଯାନ ପାଇଁ ଯୋଗ୍ୟ ଜନସଂଖ୍ୟା ସମୂହଙ୍କ ଟିକାକରଣ ଆବଶ୍ୟକତା ଆକଳନ କରିବା ସହିତ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ଲାଗି ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି।

ଏହାଫଳରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଆବଶ୍ୟକତା ଅନୁଯାୟୀ ଯଥେଷ୍ଟ ସଂଖ୍ୟାରେ କୋଭିଡ ଟିକାର ଡୋଜ୍‌ ଯୋଗାଇ ଦିଆଯାଇ ପାରିବ। ଏହି ଟିକାକରଣ ଅଭିଯାନରେ ପ୍ରଥମ ଏକ୍ସପାଏରୀ, ପ୍ରଥମ ଆଉଟ୍‌ ନୀତି କାର୍ଯ୍ୟକାରୀ କରାଯିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସମଗ୍ର ଦେଶରେ ଦୁଇମାସ ବ୍ୟାପୀ ‘ହର୍ ଘର୍ ଦସ୍ତଖ ୨.୦’ ଅଭିଯାନ ଆରମ୍ଭ

ଭୁବନେଶ୍ଵର/ନୂଆଦିଲ୍ଲୀ: ସମଗ୍ର ଦେଶରେ ଦୁଇମାସ ବ୍ୟାପି ‘ହର୍ ଘର୍ ଦସ୍ତକ୍ ୨.୦’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ କାଳରେ ଦେଶରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ। ଏହି କାର୍ଯ୍ୟକ୍ରମଟି ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବାରୁ ଏଥିରେ ସବୁ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ କୋଭିଡ ଟିକା ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଗତ ସପ୍ତାହରେ ସବୁ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଦେଶର କୋଭିଡ ଟିକାଦାନ କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ଏହା ଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏଥିରେ ହର୍ ଘର୍ ଦସ୍ତଖ ଅଭିଯାନର ପ୍ରଥମ ସଂସ୍କରଣର  ଅଭିଜ୍ଞତା ଓ ଅନୁଭୂତିକୁ କାର୍ଯ୍ୟରେ ଲଗାଇ ଏହାର ଦ୍ୱିତୀୟ ସଂସ୍କରଣକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରି ଲକ୍ଷ୍ୟପୂରଣ କରିବାକୁ ସେ ତାଙ୍କ ଚିଠି ପ୍ରାଦେଶିକ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଥମ ‘ହର ଘର୍ ଦସ୍ତଖ’ ଅଭିଯାନ ୨୦୨୧ ନଭେମ୍ବରରେ ଆରମ୍ଭ ହୋଇଥିଲା। ଏବେ ‘ହର୍ ଘର୍ ଦସ୍ତଖ’ ଅଭିଯାନ ୨.୦’ ଚଳିତ ୨୦୨୨ ଜୁନ ପହିଲାରୁ ଆରମ୍ଭ ହୋଇଛି ଓ ଏହା ଜୁଲାଇ ୩୧ ଯାଏ ଚାଲିବ। ଏହି ଅଭିଯାନର ଲକ୍ଷ୍ୟ ହେଲା ଘରକୁ ଘର ବୁଲି ସବୁ ଯୋଗ୍ୟ ନାଗରିକଙ୍କୁ କୋଭିଡ ଟିକାର ସମସ୍ତ ୩ଟି ଯାକ ୍‌ଡୋଜ (ପ୍ରଥମ, ଦ୍ୱିତୀୟ ଓ ବୁଷ୍ଟର) ପ୍ରଦାନ କରିବା। କେହି ଯେପରି କୋଭିଡ ଟିକାର କୌଣସି ଡୋଜରୁୁ ବାଦ ନ ପଡନ୍ତି ଏବଂ ସମସ୍ତେ ପୂର୍ଣ୍ଣାଙ୍ଗ ଡୋଜ ନିଅନ୍ତି ତାହାକୁ ରାଜ୍ୟ ସରକାରମାନେ ଏହି ଅଭିଯାନ କାଳରେ ସୁନିଶ୍ଚିତ କରିବେ। ଏଥିରେ ୬୦ବର୍ଷ ବୟସରୁ  ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ତୃତୀୟ ବା ବୁଷ୍ଟର ଡୋଜ ପ୍ରଦାନ ଏବ ୧୨-୧୪ ବର୍ଷ ବୟସ ବର୍ଗର ପିଲାଙ୍କ  ଟିକାକରଣକୁ  ତ୍ୱରାନ୍ୱିତ କରିବାକୁ ଗୁରୁ୍‌ତ୍ୱ  ଦିଆଯିବ। ଏହାଛଡା ସବୁ ଜରାଶ୍ରମ ଓ କାରଗାର ଅନ୍ତେଃବାସୀ ସ୍ମୁଲ, କଲେଜ ପିଲା ଓ ସ୍କୁଲ ଆସୁ ନ ଥିବା ୧୨ରୁ ୧୫ବର୍ଷ ବୟସ ପିଲା ଓ ଇଟାଭାଟି ଆଦିରେ କାମ କରୁଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ  ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି। ସବୁ ହିତାଧିକାରୀଙ୍କ ଟିକାକରଣକୁ ନିବିଡଭାବେ ନିରୀକ୍ଷଣ କରିବା ସହିତ ଟିକା ନେଇଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ସେହିଭଳି ୧୮ରୁ ୫୯ବର୍ଷ ବୟସର ଯେଉଁ ଲେକାମାନେ ଘରୋଇ ହସ୍‌ପିଟାଲରେ ପ୍ରିକସନ ଡୋଜ ଟିକା ନେଇଛନ୍ତି ତା’ଉପରେ ନଜର ଦେଇ ତାହାର ନିୟମିତ ହିସାବ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଜାତୀୟ କୋଭିଡ ଟିକାକରଣ ଅଭିଯାନ ଭାରତ ସରକାରଙ୍କ ସବିଶେଷ ଯୋଜାନ ଓ ବ୍ୟାପକ ଉଦ୍ୟମ ଫଳରେ ଅଦ୍ୱିତୀୟ ସଫଳତା ହାସଲ କରିଛି। ଏଯାବତ୍ ସମଗ୍ର ଦେଶରେ ୧୯୩.୫୭କୋଟି କୋଭିଡ ଡୋଜ ଲୋକଙ୍କୁ ପ୍ରଦାନ କରାଯାଇଛି। ପନ୍ଦର ବର୍ଷ ବୟସରୁ ଅଧିକ ୯୬.୩ ଭାଗ ଲୋକ ଅତିକମ୍‌ରେ ଏହି ଟିକାର ଗୋଟିଏ ଡୋଜ ନେଇଥିବାବେଳେ ୮୬. ୩% ଦୁଇଟି ଡୋଜ ନେଇଛନ୍ତି। ‘ହର ଘର ଦସ୍ତଖ’ ଟିକାକରଣ ଅଭିଯାନକୁ ମିଶନ ଇନ୍ଦ୍ରଧନୁଷର ସଫଳ ରଣନୀତି ଆଧାରରେ କାର୍ଯ୍ୟକାରୀ କରାଯାଉଛି। ଏଥିରେ ଯେଉଁମାନେ ପ୍ରଥମ ଓ ଦ୍ୱିତୀୟ ଡୋଜ କୋଭିଡ ଟିକା ନେଇନାହାନ୍ତି ସେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟକରି  ସେମାନଙ୍କୁ ଟିକା ଦିଆଯାଉଛି।

ଟିକା ନେବା ପାଇଁ ମଧ୍ୟ ସଚେତନତା ଅଭିଯାନକୁ ବ୍ୟାପକ କରାଯାଇ ଲୋକଙ୍କ ଘର ପାଖରେ ପହଂଚି ସେମାନଙ୍କୁ ଟିକାଦିଆଯାଉଛି। ପ୍ରଥମେ ଏହି ହର୍ ଘର୍ ଦସ୍ତଖ ଅଭିଯାନ ୨୦୨୧ ନଭେମ୍ବର ୩ତାରିଖରୁ ଆରମ୍ଭ ହୋଇ ଘର ଘର ବୁଲି ଟିକା ପ୍ରଦାନ କରାଯାଇଥିଲା। ଏହି ପ୍ରଥମ ଅଭିଯାନ ବିଶେଷ ସଫଳତା ପାଇଥିଲା। ଦୂରଦୂରାନ୍ତ, ପ୍ରତିକୂଳ ସ୍ଥିତି ଓ ଅଗମ୍ୟ ଅଞ୍ଚଳରେ ଥିବା ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ଏବଂ  ଟିକା ପ୍ରତି ବିମୁଖ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଶାତୀତ ସଂଖ୍ୟାରେ କୋଭିଡ ଟିକା ଦିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିଜ କାର ଭିତରେ ବସ, ଟିକା ନିଅ, ବିଏମସି ଆରମ୍ଭ କଲା ନୂଆ ଅଭିଯାନ, ପାର୍କିଂ ଭ୍ୟାକସିନ

ଭୁବନେଶ୍ବର, ସୁବିଧା ଉପାୟରେ କିପରି କୋଭିଡ ଟିକାକରଣ କରାଯିବ ସେ ନେଇ ଭୁବନେଶ୍ବର ମହାନଗର ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ। କାର ପାର୍କିଂଗୁଡିକ ଏହି ଟିକାକରଣ ପାଇଁ ନିର୍ଦ୍ଧାରିଣ କରାଯାଇଛି। ଯେଉଁମାନେ 45 ବର୍ଷରୁ ଉର୍ଦ୍ଧ ଏବଂ 2ୟ ଡୋଜ ନେବେ, ସେମାନେ ଏହି ପାର୍କିଂ ଭ୍ୟାକିସନର ସୁବିଧା କରାଯାଇଛି।

ଏଥିପାଇଁ ବିଏମସି ଭୁବନେଶ୍ବରର କେତେକ ପାର୍କିଂ ସ୍ଥାନକୁ ନିର୍ଦ୍ଧାରଣ କରିଛି। ସେଗୁଡିକ ହେଲା କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ, ସିମ୍ପୋନୀ ମଲ, କିଟ୍ କ୍ରିକେଟ ଷ୍ଟାଣ୍ଡିୟମ, ଡିଏନ ରିଗାଲିଆ। ପ୍ରଥମେ ଏକ୍ସପ୍ଲାନେଟରେ ଏହି ଆରମ୍ଭ ହୋଇଯାଇଛି। ଏହାଦ୍ବାରା ଟିକା ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ସହିତ ସ୍ବାସ୍ଥ୍ୟ କର୍ମିମାନଙ୍କ ପାଇଁ ଏହା ଭଲ ହୋଇପାରିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭାରତରେ ମୋଟ କୋଭିଡ ଟିକାକରଣ ୧୩ କୋଟି ୮୩ ଲକ୍ଷକୁ କଲା ଅତିକ୍ରମ

ନୂଆଦିଲ୍ଲୀ, ବିଶ୍ୱର ବୃହତମ କୋଭିଡ ଟିକାକରଣ ଅଭିଯାନରେ ଏ ପର‌୍ୟ୍ୟନ୍ତ ଭାରତରେ ୧୩.୮୩ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି । ଆଜି ସକାଳ ୭ଟା ସୁଦ୍ଧା ୧୯ ଲକ୍ଷ ୮୦ ହଜାର ୧୦୫ ସେସନରେ ମୋଟ ୧୩ କୋଟି ୮୩ ଲକ୍ଷ ୭୯ ହଜାର ୮୩୨ ଡୋଜ୍ ଟିକା ଦିଆଯାଇଛି ।

ଏହା ମଧ୍ୟରେ, ୯୨ ଲକ୍ଷ ୬୮ ହଜାର ୨୭ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୯ ଲକ୍ଷ ୫୧ ହଜାର ୭୬ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧ କୋଟି ୧୮ ଲକ୍ଷ ୫୧ ହଜାର ୬୫୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୧ ଲକ୍ଷ ୯୪,  ହଜାର ୮୫୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪ କୋଟି ୯୧ ଲକ୍ଷ ୪୫ ହଜାର ୨ ଶହ ୬୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୭୧ ଲକ୍ଷ ୬୫ ହଜାର ୩୩୮ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୪ କୋଟି ୬୬ ଲକ୍ଷ ୭୧ ହଜାର ୫୪୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨୧ ଲକ୍ଷ ୩୨ ହଜାର ୮୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି

ଦେଶରେ ହୋଇଥିବା ମୋଟ ଟିକାକରଣର ୫୮.୯୨% ଟିକା ଆଠଟି ରାଜ୍ୟରେ ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି । ଟିକାକରଣ ଅଭିଯାନର ୯୮ତମ ଦିବସ (୨୩, ଏପ୍ରିଲ ୨୦୨୧)ରେ ୨୯,୦୧,୪୧୨ ଡୋଜ୍ ଟିକା ଦିଆଯାଇଛି ।

୨୬,୯୨୭ ସେସନରେ ୧୮,୬୩,୦୨୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦,୩୮,୩୮୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି।  ଭାରତରେ ଏ ପର‌୍ୟ୍ୟନ୍ତ ମୋଟ ୧,୩୮,୬୭,୯୯୭ ଜଣ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ୮୩.୪୯% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୨,୧୯,୮୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରୁ ୮୨.୯୪% ସୁସ୍ଥ ୧୦ଟି ରାଜ୍ୟରେ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୪୬,୭୮୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦେଶର ନୂଆ କରୋନା ମାମଲାରୁ ୭୪.୧୫% ମାମଲା ଆସିଛି ।

ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ ସର୍ବାଧିକ ୬୬,୮୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୬,୬୦୫ ଓ କେରଳରେ ୨୮,୪୪୭ ଜଣ ସଂକ୍ରମିତ ହୋଇଛନ୍ତି ।

ଭାରତରେ ମୋଟ ସକ୍ରିୟ କରୋନା ମାମଲା ୨୫,୫୨,୯୪୦ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୫.୩୭% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୧,୨୪,୩୨୪ ମାମଲା ବୃଦ୍ଧି ପାଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ଗୁଜରାଟ, କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୬.୬୬% ମାମଲା ରହିଛି । ଜାତୀୟ ମୃତ୍ୟୁ ହାର ଏବେ ହ୍ରାସ ପାଇ ଚାଲିଛି ଏବଂ ୧.୧୪%ରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୨୪ ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆ ମୃତ୍ୟୁ ମଧ୍ୟରୁ ଦଶଟି ରାଜ୍ୟରେ ୮୨.୨୮% ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଗୋଟିଏ ଦିନର ସର୍ବାଧିକ ୭୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୩୪୮ ଜଣଙ୍କ ମୃତ୍ୟୁ ହୋଇଛି ।

୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ମେଘାଳୟ, ମିଜୋରାମ, ଲାକ୍ଷାଦ୍ୱୀପ, ସିକିମ, ମଣିପୁର, ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।