Categories
ଆଜିର ଖବର ଜାତୀୟ ଖବର

ବିଜ୍ଞାପନରେ ବିଭ୍ରାନ୍ତିକର ଦାବି ବନ୍ଦ କରନ୍ତୁ, ନଚେତ୍ ଲାଗିବ ଜରିମାନା: ପତଞ୍ଜଳି ଆୟୁର୍ବେଦକୁ ଚେତାବନୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଲୋପାଥି ଭଳି ଆଧୁନିକ ଚିକିତ୍ସା ବ୍ୟବସ୍ଥା ବିରୋଧରେ ବିଭ୍ରାନ୍ତିକର ଦାବି ଓ ବିଜ୍ଞାପନ ପ୍ରକାଶ କରିଥିବା ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍ଏ) ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅମାନୁଲ୍ଲା ମୌଖିକଭାବେ କହିଥିଲେ ଯେ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ବନ୍ଦ କରିବାକୁ ହେବ, ଯାହାର ଉଲ୍ଲଂଘନକୁ ଆମେ ଗମ୍ଭୀରତାର ସହ ବିଚାର କରିବୁ। ଯଦି କୌଣସି ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ମିଥ୍ୟା ଦାବି କରାଯାଏ ତେବେ ଏଭଳି ପ୍ରତ୍ୟେକ ଉତ୍ପାଦ ଉପରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ଭବିଷ୍ୟତରେ ଆମେ ଆଦୌ କରିବୁ ନାହିଁ

ଶୁଣାଣି ସମୟରେ ପତଞ୍ଜଳି ଆୟୁର୍ବେଦର ଓକିଲ ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ଭବିଷ୍ୟତରେ ଏଭଳି କୌଣସି ବିଜ୍ଞାପନ ପ୍ରକାଶ କରିବେ ନାହିଁ ଏବଂ ଗଣମାଧ୍ୟମରେ ଯେପରି ଏଭଳି ବୟାନ ନ ପ୍ରକାଶ କରାଯିବ ତାହା ମଧ୍ୟ ସୁନିଶ୍ଚିତ କରିବେ। ଏହି ପ୍ରତିଶ୍ରୁତିକୁ ମଧ୍ୟ କୋର୍ଟ ତାଙ୍କ ଆଦେଶରେ ରେକର୍ଡ କରିଛନ୍ତି।

ସୁପାରିସଗୁଡ଼ିକୁ ବିଚାର କରି ଉପସ୍ଥାପନ କରନ୍ତୁ

ଖଣ୍ଡପୀଠ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ଆଲୋପାଥି ବନାମ ଆୟୁର୍ବେଦ ବିତର୍କରେ ପରିଣତ କରିବାକୁ ଚାହୁଁନାହାଁନ୍ତି ବରଂ ବିଭ୍ରାନ୍ତିକର ବିଜ୍ଞାପନ ସମସ୍ୟାର ପ୍ରକୃତ ସମାଧାନ ଖୋଜିବାକୁ ଚାହୁଁଛନ୍ତି । ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜଙ୍କୁ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି ଉପଯୁକ୍ତ ସୁପାରିସ ଆଣିବାକୁ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୪ ଫେବ୍ରୁଆରି ୫ରେ ହେବ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ମହାମାରୀ ବେଳେ ଶବ ସତ୍କାର କରୁଥିଲେ, ଆଜି ସେ ଶବ ହୋଇଗଲେ

ଭୁବନେଶ୍ବର: କୋଭିଡ଼ ମହାମାରୀରେ ଶବର ସାଥି ସାଜିଥିଲେ ରୋହିତ, ଆଜି ସେ ନିଜେ ଆରପାରିକୁ ଚାଲି ଯାଇଛନ୍ତି। ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ସହକର୍ମୀମାନେ। ସମସ୍ତଙ୍କୁ ସାହାଯ୍ୟ କରୁଥିବା ଏହି ରୋହିତଙ୍କ ଶେଷକୃତ୍ୟ ସସମ୍ମାନେ ସମ୍ପନ୍ନ କଲା ଓଡ଼ିଶା-ମୋ ପରିବାର।

ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ସାରୁଅ ଅଞ୍ଚଳର ବାସିନ୍ଦା ରୋହିତ ନାୟକ(୪୮ବର୍ଷ) ଭୁବନେଶ୍ଵରସ୍ଥିତ ସତ୍ୟନଗର ଶ୍ମଶାନରେ ରହି ଶବ ପୋଡ଼ୁଥିଲେ। କୋଭିଡ଼ ମହାମାରୀ ସମୟରେ, ବିଦ୍ୟୁତ ଚୁଲ୍ଲାରେ ସେ ଅନେକ ଶବ ସତ୍କାର କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ମନରେ ସେ ଗୋଟିଏ ଜାଗା ତିଆରି କରି ନେଇଥିଲେ ଯେପରି। ତାଙ୍କ ଗାଁ ସାରୁଅ ନାଁ’ରେ ଖୁବ୍ ପରିଚିତ ଥିଲେ ସେ।

ହଠାତ୍, ମଧୁମେହ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଗଲେ ରୋହିତ ଏବଂ ଦୁର୍ଭାଗ୍ୟବଶତଃ, ଗତକାଲି ଶେଷ ନିଃଶ୍ଵାସ ତ୍ୟାଗ କଲେ। ପରିବାର କହିଲେ ତାଙ୍କ ପତ୍ନୀ ଏବଂ ଦୁଇ ପୁଅ ଓ ବୋହୁ। ତାଙ୍କ ମୃତ୍ୟୁରେ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏବଂ ଶବ ସତ୍କାର କରିବା ପାଇଁ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କର ସହାୟତା ଲୋଡ଼ିଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଶ୍ରୀ ସାମନ୍ତରାୟ ତୁରନ୍ତ ପଦକ୍ଷେପ ନେଇ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ ତାଙ୍କ ମୃତ ଶରୀରକୁ ଜନ୍ମମାଟି ସାରୁଅକୁ ସ୍ଥାନାନ୍ତର କରି ରୋହିତଙ୍କ ମୃତଶରୀରକୁ ସସମ୍ମାନେ ସତ୍କାର କରାଇଥିଲେ।

ଶେଷରେ, ଅଞ୍ଚଳବାସୀ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ରୋହିତଙ୍କ ଶବ ସ୍ଥାନାନ୍ତର ହୋଇଥିଲା ଏବଂ ଏହି ସମୟରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ସମେତ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ଓଡ଼ିଶା-ମୋ ପରିବାରର ସ୍ଵେଚ୍ଛାସେବୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ଲିଖିତ ପ୍ରବନ୍ଧକୁ ସେୟାର କଲା ପିଏମ୍‍ଓ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ “ୱାନ ୱାର୍ଲଡ, ୱାନ ହେଲ୍‍ଥ” କୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସେୟାର କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏକ ଟୁଇଟ୍‍କୁ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଟୁଇଟ୍‍ କରିଛି;

https://twitter.com/PMOIndia/status/1667059358407200768?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1667059358407200768%7Ctwgr%5Eb80c7f79a5d03ffde171028bca48d80fe3f2ffab%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1931250

“କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କୋଭିଡ ମହାମାରୀ ସମୟରେ ବିଭିନ୍ନ ପ୍ଲାଟଫର୍ମ ଯଥା କୋ ୱିନ୍‍ ଏବଂ ଇ-ସଞ୍ଜିବନୀ କିଭଳି ଟୀକା ପ୍ରଦାନ ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗେମ୍‍ ଚେଞ୍ଜର ହୋଇଥିଲା ତାହା ଉପରେ ଲେଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ଯକ୍ଷ୍ମା ନିରାକରଣରେ ବାଧକ ହେଉଛି: ବିଶେଷଜ୍ଞ

ଭୁବନେଶ୍ୱର: କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ବିଭିନ୍ନ ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଯକ୍ଷ୍ମା (ଟିବି) ଭଳି ମାରାତ୍ମକ ବ୍ୟାଧିକୁ ଏତେଟା ଗୁରୁତ୍ୱ ମିଳିପାରୁ ନାହିଁ ବୋଲି ଶନିବାର ମନ୍ତବ୍ୟ ଦେଇଛନ୍ତି ବିଶିଷ୍ଟ ଫୁସ୍‌ଫୁସ୍ ରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ଦିଗମ୍ବର ବେହେରା।

ବିଭିନ୍ନ ପ୍ରକାର ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଥିବାରୁ ସାରା ଦେଶରେ ଫୁସ୍‌ଫୁସ୍ ରୋଗ ବିଶେଷଜ୍ଞମାନେ ଏହି ରୋଗର ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି। ତେବେ ଚିରାଚରିତ ଶ୍ୱାସଜନିତ ସମସ୍ୟାକୁ ମଧ୍ୟ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଓଡ଼ିଶା ଚେଷ୍ଟ ସୋସାଇଟିର ୧୯ତମ ବାର୍ଷିକ ସମ୍ମିଳନୀ “ଚେଷ୍ଟକନ୍ ଓଡ଼ିଶା-୨୦୨୩” ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ବେହେରା ମତ ରଖିଛନ୍ତି।

ଏହି ପ୍ରକ୍ରିୟାରେ ଆମେ ଯକ୍ଷ୍ମାକୁ ଭୁଲିଯାଉଛୁ ଏବଂ ଆମର ଧ୍ୟାନ ଅନ୍ୟ ଆଡ଼କୁ ଯାଉଛି ବୋଲି କହିବା ସହ ସେ କେନ୍ଦ୍ର ସରକାର ଦେଶରେ ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ଦୂର କରିବା ନେଇ ରଖିଥିବା ଲକ୍ଷ୍ୟ ସାଧିତ ହେବା କଷ୍ଟକର ହେବ ବୋଲି କହିଥିଲେ।

ବିଶ୍ୱର ୨୭ ପ୍ରତିଶତ ଯକ୍ଷ୍ମା ରୋଗୀ ଭାରତରେ ଥିବା ବେଳେ ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ନ୍ୟାସ୍‌ନାଲ୍ ଟ୍ୟୁବରକ୍ୟୁଲୋସିସ୍ ଏଲିମିନେସନ୍ ପ୍ରୋଗ୍ରାମ୍ (ଏନ୍‌ଟିଇପି)କୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ ବୋଲି ବିଶେଷଜ୍ଞ ପ୍ରଫେସର ବେହେରା କହିଥିଲେ।

ପ୍ରଫେସର ବେହେରା କହିଥିଲେ ଯେ ଯକ୍ଷ୍ମା ଫୁସ୍‌ଫୁସ୍ ଛଡ଼ା ଶରୀରର ଅନ୍ୟାନ୍ୟ ଅଙ୍ଗକୁ ଆକ୍ରାନ୍ତ କରିଥାଏ ଓ ଅନ୍ୟ ଡାକ୍ତରମାନେ ଏହି ସମସ୍ୟାର ଚିକିତ୍ସା କରିଥାନ୍ତି।

କୋଭିଡ ପରବର୍ତ୍ତୀ ସମୟର ଚିକିତ୍ସା ଉପରେ ଗୁରୁତ୍ୱ ଦେଇ ପ୍ରଫେସର ବେହେରା କହିଥିଲେ ଯେ ଡାକ୍ତରମାନଙ୍କୁ ଏହି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ସେହିପରି ଫୁସ୍‌ଫୁସ୍ ପ୍ରତ୍ୟାରୋପଣ ବର୍ତମାନ ଅଧିକ ମାତ୍ରାରେ କରାଯାଉଥିବା ସେ କହିଛନ୍ତି। ତେବେ ଖୁବ୍ କମ୍ ସମୟ ମଧ୍ୟରେ ଅନେକ କାର୍ଯ୍ୟକୁ ସଠିକ୍ ଭାବେ କିଭଳି କରାଯାଏ ତାହା ଆମକୁ କୋଭିଡ ଶିଖାଇଛି ବୋଲି ସେ ମତ ରଖିଥିଲେ।

ଯକ୍ଷ୍ମା ଭଳି ଫୁସ୍‌ଫୁସ୍ କର୍କଟ ମଧ୍ୟ ଆମ ଦେଶରେ ଅଧ୍ଚଳ ମାତ୍ରାରେ ଦେଖାଯାଉଛି। ମୁଖ ଗହ୍ୱର କ୍ୟାନ୍ସର ପରେ ଫୁସ୍‌ଫୁସ୍ ଜନିତ କ୍ୟାନ୍ସର ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ସେ ପ୍ରକାଶ କରିଥିଲେ।

ସେହିପରି ଫୁସ୍‌ଫୁସ୍ ଜନିତ ସମସ୍ୟା (ସିଓପିଡି)କୁ ନେଇ ପ୍ରଫେସର ବେହେରା କହିଥିଲେ ଯେ ଯଦିଓ ଏହି ରୋଗକୁ ସମ୍ପୂର୍ଣ୍ଣ ଭାବେ ମୁଳୋତ୍ପାଟନ କରାଯାଇପାରିବ ନାହିଁ ତେବେ ଡାକ୍ତରମାନେ ନିଜ ଚିକିତ୍ସା ପଦ୍ଧତି ବଳରେ ରୋଗୀମାନଙ୍କୁ ଆରାମ ପ୍ରଦାନ କରିପାରିବେ।
କୋଭିଡ ପରବର୍ତୀ ପରିସ୍ଥିତିରେ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ଏବଂ ପଲ୍‌ମୁନାରୀ ମେଡିସିନ୍ ବିଭାଗର ଡାକ୍ତରମାନେ ଏକାଠି ଚିକିତ୍ସା କରିବା ଆବଶ୍ୟକ ବୋଲି ସେ କହିଥିଲେ।

କରୋନା ମହାମାରୀ ସମୟରେ କୋଭିଡ ଆକ୍ରାନ୍ତମାନଙ୍କ ଚିକିତ୍ସା ସେବାକୁ ନେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ପ୍ରଫେସର ବେହେରା ପ୍ରଶଂସା କରିବା ସହ ଯେଉଁଭଳି ଭାବରେ ଏହି ଡାକ୍ତରଖାନା ରୋଗୀମାନଙ୍କର ଚିକିତ୍ସା କରିଛି ତାହା ଖୁବ୍ ଉଚ୍ଚକୋଟୀର ଏବଂ ଏହା ଫଳରେ ଏହି ହସ୍ପିଟାଲ୍‌ଟି ଏକ ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଭାବେ ଉଭା ହୋଇଥିବା ସେ କହିଛନ୍ତି।

ଦକ୍ଷ ଫୁସଫୁସ ରୋଗ ବିଶେଷଜ୍ଞମାନଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ପ୍ରଫେସର ବେହେରା କହିଥିଲେ ଯେ ଡାକ୍ତରମାନେ ଏମ୍‌ଡି କିମ୍ବା ଡିଏମ୍ ଡିଗ୍ରୀ ହାସଲ କରିଛନ୍ତି କି ନାହିଁ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଦେଶରେ ଉତମ ପ୍ରଶିକ୍ଷଣ ଲାଭ କରିଥିବା ଡାକ୍ତରଙ୍କ ଆବଶ୍ୟକତା ଅଧିକ ରହିଛି।

ଓଡ଼ିଶା ଚେଷ୍ଟ ସୋସାଇଟିର ସଭାପତି ପ୍ରଫେସର (ଡାକ୍ତର) ସମୀର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ଓଡ଼ିଶା ଚେଷ୍ଟ ସୋସାଇଟିର ସଂପାଦକ ଡାକ୍ତର ମନୋଜ କୁମାର ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପଲ୍‌ମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାରମ୍ୟାନ ପ୍ରଫେସର (ଡାକ୍ତର) ବନାନୀ ଜେନା ଏହି ଅବସରରେ କହିଥିଲେ ଯେ ସମ୍ ହସ୍ପିଟାଲ୍‌ରେ ଏକ ଇଂଟରଭେନ୍‌ସନାଲ ପଲମୁନୋଲଜି ସେଂଟର ସହିତ ନିଦ୍ରାଜନିତ ସମସ୍ୟାକୁ ନେଇ ଗବେଷଣା ଏବଂ ଚିକିତ୍ସା ନିମନ୍ତେ ଏକ ଉଚ୍ଚକୋଟୀର ସ୍ଲିପ୍ ଲ୍ୟାବ୍ ଆରମ୍ଭ କରାଯିବାର ଯୋଜନା ରହିଛି। ସେହିପରି ଏକ ରେସ୍‌ପିରେଟୋରୀ ଆଇସିୟୁ ଏବଂ ଆଲର୍ଜି ଆଣ୍ଡ ଇମ୍ୟୁନୋଲୋଜି କ୍ଲିନିକ୍ ମଧ୍ୟ ଖୁବ୍ ଶୀଘ୍ର ପତିଷ୍ଠା କରାଯିବ ବୋଲି ସେ କହିଥିଲେ।

Categories
ବିଶେଷ ଖବର

କ୍ୱାଡ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା: ବାଇଡେନ କହିଲେ, ଭାରତ ସଫଳ ଚୀନ୍ ବିଫଳ

ନୂଆଦିଲ୍ଲୀ: ଟୋକିଓରେ କ୍ୱାଡ ସମ୍ମିଳନୀର ଏକ ଅଧିବେଶନରେ ଆମେରିକାର ରାଷ୍ଟ୍ରପତି ବାଇଡେନ ଗଣତାନ୍ତ୍ରିକ ଉପାୟରେ କୋଭିଡ ମହାମାରୀକୁ ସଫଳତାର ସହ ମୁକାବିଲା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ ଭାରତର ସଫଳତାକୁ ଚୀନ୍‌ର ମହାମାରୀର ମୁକାବିଲା କରିବାରେ ବିଫଳତା ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ରରେ କିଛି ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳତା ବିଶ୍ୱକୁ ଦର୍ଶାଇଛି।

ଏହା ସହ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ସେହି ଅଧିବେଶନରେ କହିଛନ୍ତି ଯେ, ଭାରତକୁ ଅନ୍ୟ ଦେଶକୁ ଯୋଗାଇ ଦିଆଯାଉଥିବା ଟିକା ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିଛି।

ଜାପାନର ପ୍ରଧାନମନ୍ତ୍ରୀ କିଶିଦା ମଧ୍ୟ ଭାରତର ଅବଦାନକୁ ପ୍ରଶଂସା କରିଛନ୍ତି। ଏବଂ ସ୍ମରଣ କରିଛନ୍ତି ଯେ, କ୍ୱାଡ ଭ୍ୟାକ୍ସିନ ଇନିସିଏଟିଭ ଅଧୀନରେ ଦିଆଯାଇଥିବା ଭାରତୀୟ ନିର୍ମିତ ଟିକାକୁ ଥାଇଲ୍ୟାଣ୍ଡ ଏବଂ କମ୍ବୋଡିଆରେ କୃତଜ୍ଞତା ସହ ଗ୍ରହଣ କରାଯାଇଛି। ଏଥିସହ ସେ କହିଛନ୍ତି ଯେ, କମ୍ବୋଡିଆରେ ପ୍ରଧାନମନ୍ତ୍ରୀ ହୁନ ସେନ ନିଜେ ଟିକା ପ୍ରଦାନ ସମାରୋହରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିକା କୂଟନୈତିକକୁ ଏବେ ବିଶ୍ୱ ପ୍ରଶଂସା କରୁଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଉ ୪ ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି (ସିଆଇପିଇଟି) ର ଉଦଘାଟନ କରିଛନ୍ତି। ଏହା ସହିତ ସେ ରାଜସ୍ଥାନର ୪ ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କୋଭିଡ ମହାମାରୀରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ନିଷ୍ପତ୍ତି ନେଇଛି। ରାଜସ୍ଥାନରେ ୪ ଟି ମେଡିକାଲ୍ କଲେଜ ନିର୍ମାଣ ଏବଂ ପେଟ୍ରୋକେମିକାଲ୍ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟର ଉଦଘାଟନ ପାଇଁ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୨୦୧୪ ମସିହାରୁ ରାଜସ୍ଥାନର ୨୩ ଟି ନୂତନ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ସେଥିମଧ୍ୟରୁ ୭ ଟି ମେଡିକାଲ କଲେଜ ଆରମ୍ଭ ହୋଇଛି। ଆଜି ବାଂଶୱାଡା, ସିରୋହି, ହନୁମାନଗଡ ଏବଂ ଦୌସା ଠାରେ ନୂତନ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ୬-୭ ବର୍ଷ ଭିତରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଁ ଯେଉଁ ତ୍ରୁଟି ଦେଖୁଛି, ସେଗୁଡିକୁ ହଟାଇବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ୬-୭ ବର୍ଷ ମଧ୍ୟରେ ୧୭୦ ରୁ ଅଧିକ ନୂତନ ମେଡିକାଲ କଲେଜ ନିର୍ମାଣ କରାଯାଇଛି। ୧୦୦ ରୁ ଅଧିକ ନୂତନ ମେଡିକାଲ କଲେଜରେ କାର୍ଯ୍ୟ ଚାଲିଛି। ୨୦୧୪ ମସିହାରେ, ଦେଶରେ ମେଡିକାଲ୍ ସ୍ନାତକ ଏବଂ ସ୍ନାତକୋତ୍ତର ର ମୋଟ ସିଟ୍ ପାଖାପାଖି ୮୨ ହଜାର ଥିଲା, ଆଜି ତାହାର ସଂଖ୍ୟା ୧ ଲକ୍ଷ ୪୦ ହଜାରକୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ପକ୍ଷରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ସହାୟତା

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ସହାୟତାର ହାତ ବଢ଼ାଇଛି ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇବା ନିମନ୍ତେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ରୋଗୀ ଆସୁଛନ୍ତି। ଡାକ୍ତରଖାନାର ଔଷଧ ଦୋକାନ (ଫାର୍ମାସି)ରୁ ଅନେକ ଔଷଧ ମଧ୍ୟ କିଣୁଛନ୍ତି।

ତେବେ କରୋନା ମହାମାରୀ ସମୟରେ ଡିଜିଟାଲ୍ ବ୍ୟାଙ୍କିଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଔଷଧ ଦୋକାନରେ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ୍ ନିମନ୍ତେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ସମ୍ ଫାର୍ମାସୀକୁ କେତେ ଗୁଡିଏ ପଏଂଟ ଅଫ୍ ସେଲ୍‌ (ପିଓଏସ୍‌) ବା ସ୍ୱାଇପ୍ ମେସିନ୍ ପ୍ରଦାନ କରାଯାଇଛି।

ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଭୁବନେଶ୍ୱର ଜୋନାଲ୍ ଅଫିସର ଜୋନାଲ୍ ମ୍ୟାନେଜର ସଞ୍ଜୀବ ଭରଦ୍ୱାଜ ମଙ୍ଗଳବାର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆସି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମେସିନ୍ ଗୁଡ଼ିକର ଉଦ୍‌ଘାଟନ କରିଛନ୍ତି। ସେହିପରି ରୋଗୀ ସେବା ନିମନ୍ତେ ପିଏନ୍‌ବି ପକ୍ଷରୁ ଏକ ଷ୍ଟ୍ରେଚର୍ ଓ ହ୍ୱିଲ୍ ଚେୟାର ମଧ୍ୟ ପ୍ରଦାନ କରାଯାଇଛି। ଏହି ଅବସରରେ ହସ୍ପିଟାଲ୍ ପରିସରରେ ବୃକ୍ଷ ରୋପଣ କରିଛନ୍ତି ଶ୍ରୀ ଭରଦ୍ୱାଜ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ଡିନ୍ ଡାକ୍ତର ଅଜୟ ଜେନା, ସୋଆର ଚାର୍ଟାଡ ଆକାଉଂଟାଂଟ ସରୋଜକାନ୍ତ ସାମଲ୍‌, ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଭୁବନେଶ୍ୱର ସର୍କଲ୍ ମୁଖ୍ୟ ପରେଶ କୁମାର ଦାସ, ଗଭର୍ଣ୍ଣମେଂଟ ବିଜିନେସ୍ ଭର୍ଟିକାଲ୍ ପ୍ରତାପ ବୈରସିଂ, ସମ୍ ଫାର୍ମାସୀ ମୁଖ୍ୟ ଯସ୍ମୀନ୍ ପଣ୍ଡା, ଫ୍ରନ୍‌ଟ ଅଫିସ୍ ମ୍ୟାନେଜର ପୁଷ୍ପାଞ୍ଜଳୀ ରାଉତ, ଓଏସ୍‌ଡି ପ୍ରହ୍ଲାଦ ମହାନ୍ତି , ଡେପୁଟି ଡାଇରେକ୍ଟର୍ ପ୍ରିୟବ୍ରତ ଦାସ, ପେସେଂଟ ରିଲେସନ୍‌ସ ଅଫିସର ଲିଙ୍ଗରାଜ ରଥ ଓ ଆକାଉଂଟସ୍ ଅଫିସର୍ ଦୀପ୍ତିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅକ୍ସିଜେନ କନସେଣ୍ଟ୍ରେଟରର ବିକ୍ରି ଉପରେ ୭୦ ପ୍ରତିଶତ ସୀମା ନିର୍ଦ୍ଧାରଣ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି କାରଣରୁ ନିକଟରେ ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ସଂଗ୍ରହ କରିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ବିତରକ ସ୍ତରରେ ବିକ୍ରୟ ସୀମା ୧୯୮%କୁ ବୃଦ୍ଧି ପାଇଛି।

ବ୍ୟାପକ ଜନହିତକୁ ଦୃଷ୍ଟିରେ ରଖି ଡିପିସିଓ, ୨୦୧୩ର ପାରା ୧୯ ଅଧୀନରେ ପ୍ରଦତ୍ତ ଅସାଧାରଣ କ୍ଷମତାକୁ କାର‌୍ୟ୍ୟକାରୀ କରି ଏନପିପିଏ ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ମୂଲ୍ୟକୁ ନିୟନ୍ତ୍ରଣ କରିଛି। ବିତରକଙ୍କୁ ଦିଆଯାଉଥିବା ମୂଲ୍ୟର ସୀମା ସର୍ବାଧିକ ୭୦% ରହିବ। ଏଥିପୂର୍ବରୁ ଫେବୃଆରୀ ୨୦୧୯ରେ ଏନପିପିଏ ପକ୍ଷରୁ ସଫଳତା ପୂର୍ବକ କ୍ୟାନସର ନିରୋଧୀ ଔଷଧ ଉପରେ ସୀମା ନିର୍ଦ୍ଧାରଣ କରାଯାଇଥିଲା।

ବିଜ୍ଞପିତ କାରବାର ସୀମାକୁ ଆଧାର କରି ତିନି ଦିନ ମଧ୍ୟରେ ସଂଶୋଧିତ ଏମଆରପି ସମ୍ପର୍କରେ ରିପୋର୍ଟ କରିବାକୁ ଏନପିପିଏ ପକ୍ଷରୁ ଉତ୍ପାଦକ ଓ ରପ୍ତାନିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ପାଦନକାରୀ ଯୋଗାଇ ଦେଇଥିବା ମୂଲ୍ୟର ତାଲିକା ସମସ୍ତ ଖୁଚୁରା ବ୍ୟବସାୟୀ, ଡିଲର, ଡାକ୍ତରଖାନା ଓ ସଂସ୍ଥାନ କର୍ତ୍ତୃପକ୍ଷ ସେମାନଙ୍କ କାରବାର ପରିସରର ଏକ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ କରିବେ, ଯାହାଫଳରେ ଏ ସମ୍ପର୍କରେ ପରାମର୍ଶ ଚାହୁଁଥିବା ଯେକୌଣସି ବ୍ୟକ୍ତି ଏହା ସହଜରେ ଦେଖିପାରୁଥିବେ।

ଯେଉଁ ଉତ୍ପାଦନକାରୀ ବା ରପ୍ତାନିକାରୀ ବିକ୍ରି ସୀମା ନିର୍ଦ୍ଧାରଣ ପରେ ସଂଶୋଧିତ ଏମଆରପିକୁ ପାଳନ କରିବେ ନାହିଁ ସେମାନଙ୍କୁ ଅତିରିକ୍ତ ମୂଲ୍ୟ ୧୫ ପ୍ରତିଶତ ସୁଧ ସହିତ ଫେରାଇବାକୁ ପଡ଼ିବ ଏବଂ ଜୋରିମାନା ଆକାରରେ ଶତପ୍ରତିଶତ ମୂଲ୍ୟ ପରିଶୋଧ କରିବାକୁ ପଡ଼ିବ। ଔଷଧ (ମୂଲ୍ୟ ନିୟନ୍ତ୍ରଣ) ଆଦେଶ, ୨୦୧୩ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅନୁଯାୟୀ ସେମାନେ ଏହି ଦଣ୍ଡର ଭାଗୀ ହେବେ।

କୌଣସି ଉତ୍ପାଦନକାରୀ, ବିତରକ, ଖୁଚୁରା ବ୍ୟବସାୟୀ ସଂଶୋଧିତ ମୂଲ୍ୟ ଠାରୁ ଅଧିକ ଦରରେ ଅକ୍ସିଜେନ ବିକ୍ରି କରୁଥିଲେ, ଏହାର କଳାବଜାର ରୋକିବା ନିମନ୍ତେ ରାଜ୍ୟ ଔଷଧ ନିୟନ୍ତ୍ରକମାନେ ଉପରୋକ୍ତ ଆଦେଶର ଅନୁପାଳନ ସୁନିଶ୍ଚିତ କରିବେ। ଏହି ଆଦେଶ ୩୦ ନଭେମ୍ବର, ୨୦୨୧ ପର‌୍ୟ୍ୟନ୍ତ ଲାଗୁ ହେବ, ତେବେ ଏହାର ସମୀକ୍ଷା କରାଯାଇପାରେ।

କରୋନା ମହାମାରୀର ଦ୍ବିତୀୟ ଲହରୀ ବ୍ୟାପିବା ସମୟରେ ଦେଶରେ ମେଡ଼ିକାଲ ଅକ୍ସିଜେନର ଚାହିଦା ବୃଦ୍ଧି ପାଇଛି। ସରକାର ମହାମାରୀ ସମୟରେ ଯଥେଷ୍ଟ ପରିମାଣରେ ଅକ୍ସିଜେନ ଓ ଅକ୍ସିଜେନ କନସେଣ୍ଟ୍ରେଟର ବାଧାମୁକ୍ତ ଭାବେ ଯୋଗାଇ ଦେବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅକ୍ସିଜେନ କନସେଣ୍ଟ୍ରେଟର ହେଉଛି ଏକ ଅଣ-ଅନୁସୂଚିତ ଔଷଧ ଏବଂ ଏହା ବର୍ତ୍ତମାନ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ଲାଇସେନ୍ସ ବ୍ୟବସ୍ଥା ଅନୁଯାୟୀ କାର‌୍ୟ୍ୟ କରୁଛି। ଡିପିସିଓ ୨୦୧୩ର ବ୍ୟବସ୍ଥା ଅନୁଯାୟୀ ଏହାର ମୂଲ୍ୟକୁ ନିରୀକ୍ଷଣ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବୁଲା ପ୍ରାଣୀଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ସହାୟତା ମଞ୍ଜୁର

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟରେ ୫ ମହାନଗର ନିଗମ, ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସି ମାନଙ୍କୁ ୬୭ ଲକ୍ଷ ୫୨ ହଜାର ଟଙ୍କା ସହାୟତା ମଞ୍ଜୁର କରିଛନ୍ତି।

ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ।

ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ପଞ୍ଚାବନ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା ଏହି ଦୁଇ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିରୁ ମୋଟ ୧ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଦେଶର ୧୧ ପ୍ରତିଶତରୁ ଅଧିକ ମେଡିକାଲ ଗ୍ରେଡ ଅମ୍ଳଜାନ ମାଗଣାରେ ଯୋଗାଉଛି ରିଲାଏନ୍ସ

ମୁମ୍ବଇ/ଭୁବନେଶ୍ୱର: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି। ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଳଜାନ ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି। ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି। ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କଂପ୍ଲେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସଂପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛିଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ । ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି। ଏହି ଅମ୍ଳଜାନ କୋଭିଡ-୧୯ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯାଉଛି।

ରିଲାଏନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲାଏନ୍ସ ପକ୍ଷରୁ ଭାରତରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ସ୍ଥିତି ମଜଭୁତ କରିବାକୁ ଜାମନଗରଠାରେ ଦୁଇସୂତ୍ରୀ ଆଭିମୁଖ୍ୟ କାର୍ଯ୍ୟକାରୀ କରାଯାଉଛି। ପ୍ରଥମତଃ ରିଲାଏନ୍ସର ଜାମନଗର ଏବଂ ଅନ୍ୟାନ୍ୟ ୟୁନିଟରେ ଥିବା ଶିଳ୍ପଭିତିକ ପ୍ରକ୍ରିୟାରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନକୁ ଅଗ୍ରାଧିକାର ଦିଆଯାଉଛି। ଦ୍ୱିତୀୟରେ ଉତ୍ପାଦିତ ଅମ୍ଳଜାନକୁ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସୁରୁଖୁରୁରେ ଓ ନିରାପଦରେ ପଠାଇବାକୁ ବୋଝେଇ ଓ ପରିବହନ ବ୍ୟବସ୍ଥାକୁ ଅଧିକ ସୁସଂହତ କରାଯାଉଛି। କୋଭିଡ ମହାମାରୀ ପୂର୍ବରୁ ରିଲାଏନ୍ସ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁନଥିଲା।

ତେବେ ରିଲାଏନ୍ସର ଇଞ୍ଜିନିୟରମାନେ ଖୁବ କମ ସମୟ ମଧ୍ୟରେ ବିଶୋଧନାଗାର ଏବଂ ପେଟ୍ରୋରସାୟନ ଗ୍ରେଡ ଅମ୍ଳଜାନ ଉତ୍ପାଦନ ଡିଜାଇନକୁ ଅତ୍ୟନ୍ତ ଶୁଦ୍ଧ ମେଡିକାଲ ଗ୍ରେଡ ଅମ୍ଳଜାନରେ ରୂପାନ୍ତରିତ କରିବା ଏବଂ ଉତ୍ପାଦନ ବୃଦ୍ଧି ଘଟାଇବା କାର୍ଯ୍ୟ ସମ୍ପାଦନ କରିଥିଲେ। ମେଡିକାଲ ଗ୍ରେଡ ତରଳ ଅକ୍ସିଜେନକୁ ସାଧାରଣତଃ ତରଳ ଆକାରରେ ବିଯୁକ୍ତ ୧୮୩ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପ୍ରସ୍ତୁତ କରାଯାଇଥାଏ ଯାହା ପ୍ରାୟତଃ ୯୯.୫% ଶୁଦ୍ଧ ହୋଇଥାଏ। ସେଥିପାଇଁ ଏହି ଅମ୍ଳଜାନ ଉତ୍ପାଦନ ଏବଂ ଏହାର ପରିମାଣ ବୃଦ୍ଧି କରିବା କ୍ଷେତ୍ରରେ ଅନେକ ଆପଦ ରହିଥାଏ।

ରିଲାଏନ୍ସ ସଂପ୍ରତି ତାହାର ମେଡିକାଲ ଗ୍ରେଡ ଅମ୍ଳଜାନ ଉତ୍ପାଦନ ବସ୍ତୁତଃ ଶୂନ୍ୟ ସ୍ତରରୁ ଦିନକୁ ୧୦୦୦ ଟନ୍‌କୁ ଖୁବ କମ ସମୟ ମଧ୍ୟରେ ପହଂଚାଇବା ସହିତ ଉତ୍ପାଦନ ବୃଦ୍ଧି କରାଇ ପାରିଛି। ରିଲାଏନ୍ସ ଇଞ୍ଜିନିୟରମାନେ ଅକ୍ଳାନ୍ତ ଭାବରେ କାର୍ଯ୍ୟକରି ଏବଂ କ୍ରାୟୋଜେନିକ ବାୟୁ ପୃଥକିକରଣ ୟୁନିଟଗୁଡିକକୁ ସର୍ବାଧିକ କାର୍ଯ୍ୟକ୍ଷମ କରାଇ ତଥା ସେଥିରେ ଆବଶ୍ୟକ ପରିବର୍ତନ ଆଣି ଏହା ସମ୍ଭବ କରିପାରିଛନ୍ତି। ସଂପ୍ରତି ରିଲାଏନ୍ସ ଦେଶରେ ଉତ୍ପାଦିତ ମୋଟ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନର ୧୧ ପ୍ରତିଶତରୁ ଅଧିକ ଉତ୍ପାଦନ କରୁଛି।

ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଏହି ଅମ୍ଳଜାନ ମାଗଣାରେ ଯୋଗାଇ ଦିଆଯାଉଛି ଏବଂ ଏହା ପ୍ରତିଦିନ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରୁଛି। କେବଳ ଅପ୍ରେଲ୍ ମାସରେ ରିଲାଏନ୍ସ ୧୫୦୦୦ ମେଟ୍ରିକ୍ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇଥିବା ବେଳେ ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ରିଲାଏନ୍ସ ସମଗ୍ର ଦେଶରେ ୫୫,୦୦୦ ମେଟ୍ରିକ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇ ସାରିଛି।

ଉଚ୍ଚ ଗୁଣମାନର ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହିତ ତାହାକୁ ଦେଶର ବିଭିନ୍ନ ଭାଗକୁ ପରିବହନ କରିବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବା ଆଉ ଏକ ଆହ୍ୱାନ ହୋଇଛି। ସେଥିପାଇଁ ଏହାର ନିରାପଦ ଏବଂ ତ୍ୱରିତ ପରିବହନ ନିମନ୍ତେ ରିଲାଏନ୍ସ ନିଜର ବୋଝେଇ କ୍ଷମତା ବୃଦ୍ଧି ଘଟାଇବା ଆବଶ୍ୟକତା ଦେଖାଦେଇଥିଲା। ଏହା ହାସଲ କରିବାକୁ ରିଲାଏନ୍ସର ଇଞ୍ଜିନିୟରମାନେ ରେଳ ଏବଂ ସଡକ ପରିବହନ ବ୍ୟବସ୍ଥାରେ ସ୍ମାର୍ଟ ଲଜିଷ୍ଟିକ୍ସ ପରିବର୍ତନ କରିଥିଲେ। ସେଥିମଧ୍ୟରେ ସମାନ୍ତରାଳ ଲାଇନ ବିଛାଇବାହୋସ୍ ବ୍ୟବହାର କରିବା ଏବଂ ପ୍ରେସର ଡିଫରେନ୍ସିଆଲ ଜରିଆରେ ତରଳ ଟ୍ୟାଙ୍କରଗୁଡିକୁ ବୋଝେଇ କରିବା ଆଦି ଅନ୍ତର୍ଭୁକ୍ତ। ଅନ୍ୟଏକ ନୂତନ ପଦକ୍ଷେପ ସ୍ୱରୂପ ରିଲାଏନ୍ସ ନାଇଟ୍ରୋଜେନ ଟ୍ୟାଙ୍କରଗୁଡିକୁ ମେଡିକାଲ ଗ୍ରେଡ ଅମ୍ଳଜାନ ପରିବହନ ପାଇଁ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତା ସଂଗଠନ ଦ୍ୱାରା ଅନୁମୋଦିତ ନିରାପଦ ପ୍ରକ୍ରିୟାରେ ପରିବହନକାରୀ ଟ୍ରକରେ ରୂପାନ୍ତରିତ କରିଥିଲା।

ଏଥିସହିତ ରିଲାଏନ୍ସ ସାଉଦି ଆରବଜର୍ମାନୀବେଲଜିୟମହଲାଣ୍ଡ ଏବଂ ଥାଇଲାଣ୍ଡ୍‌ରୁ ୨୪ଟି ଆଇଏସ୍‌ଓ କଂଟେନର ବିମାନଯୋଗେ ଭାରତକୁ ଆଣିବା ବ୍ୟବସ୍ଥା କରିଥିଲା। ଏଥିସହ ଦେଶର ତରଳ ଅମ୍ଳଜାନ ପରିବହନ କ୍ଷମତାରେ ବୃଦ୍ଧି ଘଟାଇ ରିଲାଏନ୍ସ ୫୦୦ ମେଟ୍ରିନ ଟନ୍ ଅତିରିକ୍ତ ପରିବହନ କ୍ଷମତା ଯୋଗ କରିଛି। ଏହି ଆଇଏସ୍‌ଓ କଂଟେନରଗୁଡିକ ଦେଶରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ପରିବହନ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବାରେ ସହାୟକ ହେବ। ବିମାନ ଯୋଗେ ଆଇଏସ୍‌ଓ କଂଟେନରଗୁଡିକ ଭାରତ ଆଣିବାରେ ଭାରତୀୟ ବାୟୁସେନା ସହଯୋଗ ପ୍ରଦାନ କରିଥିବାରୁ କମ୍ପାନୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସେହିଭଳି ଆଇଏସ୍‌ଓ କଂଟେନରଗୁଡିକ ଅଧିଗ୍ରହଣ କରିବାରେ ରିଲାଏନ୍ସର ସହଯୋଗୀ ସାଉଦି ଆରାମକୋ ଏବଂ ବିପି ପୂର୍ଣ୍ଣ ସହଯୋଗ ଯୋଗାଇଦେଇଛନ୍ତି।

ଏହି ସମସ୍ତ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନି କହିଛନ୍ତି, “ସମଗ୍ର ଭାରତ କୋଭିଡ-୧୯ ମହାମାରୀର ନୂଆ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ମୋ ପାଇଁ ଏବଂ ରିଲାଏନ୍ସରେ ଆମ ସମସ୍ତଙ୍କ ପାଇଁ ପ୍ରତ୍ୟେକଟି ଜୀବନ ବଂଚାଇବା ଠାରୁ ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଭାରତରେ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ ଏବଂ ପରିବହନ କ୍ଷମତାର ବଢାଇବାର ତୁରନ୍ତ ଆବଶ୍ୟମତା ରହିଛି। ଜାମନଗରରେ କାର୍ଯ୍ୟରତ ଯୁବ ଇଞ୍ଜିନିୟରମାନଙ୍କ ସାହସ ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ମୁଁ ଗର୍ବିତ କାଣ ସେମାନେ ଦେଶର ଏହି ଜରୁରୀ ଆବଶ୍ୟକତା ସମୟରେ ଧୈର୍ଯ୍ୟର ସହ କାର୍ଯ୍ୟ କରି ନିଜର ଦୃଢ ସଂକଳ୍ପ ବଳରେ ସଫଳତା ହାସଲ କରିଛନ୍ତି। ”

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ଆମ ଦେଶ ସଂପ୍ରତି ଏକ ଅପ୍ରତ୍ୟାଶିତ ସଙ୍କଟ ଦେଇ ଗତିକରୁଛି। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଯଥାସମ୍ଭବ ସହାୟତା ଯୋଗାଣ ଜାରି ରଖିବୁ। ପ୍ରତ୍ୟେକଟି ଜୀବନ ମୂଲ୍ୟବାନ। ଆମର ଜାମନଗର ବିଶୋଧନାଗାରରେ ଥିବା ଆମ ପ୍ଲାଂଟଗୁଡିକରେ ପରିବର୍ତନ ଆଣି ରାତାରାତି ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରିବାକୁ ପ୍ରସ୍ତୁତ କରାଯାଇଛିଯାହାକୁ ସମଗ୍ର ଦେଶରେ ଯୋଗାଇ ଦିଆଯାଉଛି। ଆମର ଭାବନା ଏବଂ ଆମର ପ୍ରାର୍ଥନା ଆମର ପ୍ରିୟ ଦେଶବାସୀ ଓ ସମସ୍ତ ମହିଳାଙ୍କ ସହିତ ରହିଛି । ସମ୍ମିଳିତ ଭାବରେ ଉଦ୍ୟମ ଜାରିରଖି ଏକାଠି ଏହି ଜଟିଳ ସମସ୍ୟାକୁ ଆମେ ଦୂର କରିବା।”