ବିଜ୍ଞାପନରେ ବିଭ୍ରାନ୍ତିକର ଦାବି ବନ୍ଦ କରନ୍ତୁ, ନଚେତ୍ ଲାଗିବ ଜରିମାନା: ପତଞ୍ଜଳି ଆୟୁର୍ବେଦକୁ ଚେତାବନୀ

Published: Nov 22, 2023, 11:31 am IST

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଲୋପାଥି ଭଳି ଆଧୁନିକ ଚିକିତ୍ସା ବ୍ୟବସ୍ଥା ବିରୋଧରେ ବିଭ୍ରାନ୍ତିକର ଦାବି ଓ ବିଜ୍ଞାପନ ପ୍ରକାଶ କରିଥିବା ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍ଏ) ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅମାନୁଲ୍ଲା ମୌଖିକଭାବେ କହିଥିଲେ ଯେ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ବନ୍ଦ କରିବାକୁ ହେବ, ଯାହାର ଉଲ୍ଲଂଘନକୁ ଆମେ ଗମ୍ଭୀରତାର ସହ ବିଚାର କରିବୁ। ଯଦି କୌଣସି ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ମିଥ୍ୟା ଦାବି କରାଯାଏ ତେବେ ଏଭଳି ପ୍ରତ୍ୟେକ ଉତ୍ପାଦ ଉପରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ଭବିଷ୍ୟତରେ ଆମେ ଆଦୌ କରିବୁ ନାହିଁ

ଶୁଣାଣି ସମୟରେ ପତଞ୍ଜଳି ଆୟୁର୍ବେଦର ଓକିଲ ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ଭବିଷ୍ୟତରେ ଏଭଳି କୌଣସି ବିଜ୍ଞାପନ ପ୍ରକାଶ କରିବେ ନାହିଁ ଏବଂ ଗଣମାଧ୍ୟମରେ ଯେପରି ଏଭଳି ବୟାନ ନ ପ୍ରକାଶ କରାଯିବ ତାହା ମଧ୍ୟ ସୁନିଶ୍ଚିତ କରିବେ। ଏହି ପ୍ରତିଶ୍ରୁତିକୁ ମଧ୍ୟ କୋର୍ଟ ତାଙ୍କ ଆଦେଶରେ ରେକର୍ଡ କରିଛନ୍ତି।

ସୁପାରିସଗୁଡ଼ିକୁ ବିଚାର କରି ଉପସ୍ଥାପନ କରନ୍ତୁ

ଖଣ୍ଡପୀଠ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ଆଲୋପାଥି ବନାମ ଆୟୁର୍ବେଦ ବିତର୍କରେ ପରିଣତ କରିବାକୁ ଚାହୁଁନାହାଁନ୍ତି ବରଂ ବିଭ୍ରାନ୍ତିକର ବିଜ୍ଞାପନ ସମସ୍ୟାର ପ୍ରକୃତ ସମାଧାନ ଖୋଜିବାକୁ ଚାହୁଁଛନ୍ତି । ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜଙ୍କୁ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି ଉପଯୁକ୍ତ ସୁପାରିସ ଆଣିବାକୁ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୪ ଫେବ୍ରୁଆରି ୫ରେ ହେବ।

Related posts