Categories
ଆଜିର ଖବର ଜାତୀୟ ଖବର

କୌଣସି ମିଥ୍ୟା ବିଜ୍ଞାପନ କରିନାହୁଁ, ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ପାଇଁ ପ୍ରସ୍ତୁତ: ପତଞ୍ଜଳି ଆୟୁର୍ବେଦ

ନୂଆଦିଲ୍ଲୀ: ବାବା ରାମଦେବଙ୍କ ନେତୃତ୍ୱାଧୀନ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ବୁଧବାର ଦିନ କହିଛି ଯେ, ଏହାର ଉତ୍ପାଦ ସମ୍ବନ୍ଧରେ କୌଣସି ‘ମିଥ୍ୟା ବିଜ୍ଞାପନ କିମ୍ବା ପ୍ରଚାର’ କରୁନାହିଁ। ଯଦି ତାଙ୍କର ଦାବି ବିଭ୍ରାନ୍ତିକର ବୋଲି ଜଣାପଡେ ତେବେ ସୁପ୍ରିମକୋର୍ଟ ଜୋରିମାନା କିମ୍ବା ମୃତ୍ୟୁଦଣ୍ଡ ପ୍ରଦାନ କଲେ ତାଙ୍କର କୌଣସି ଆପତ୍ତି ନାହିଁ।

ଏହାର ଗୋଟିଏ ଦିନ ପୂର୍ବରୁ ସର୍ବୋଚ୍ଚ ଅଦାଲତ ପତଞ୍ଜଳି ଆୟୁର୍ବେଦକୁ ଅନେକ ରୋଗର ଚିକିତ୍ସାରେ ଏହାର ଔଷଧ ସମ୍ବନ୍ଧରେ ମିଥ୍ୟା ତଥା ବିଭ୍ରାନ୍ତିକର ବିଜ୍ଞାପନ ପ୍ରଦର୍ଶନ ନକରିବାକୁ ଚେତାବନୀ ଦେଇଥିଲେ। ଗୋଟିଏ ଦିନ ପରେ ପତଞ୍ଜଳି ଆୟୁର୍ବେଦ କହିଛି ଯେ, ଏଥିରେ ‘ଏକ କୋଟିରୁ ଅଧିକ ଲୋକଙ୍କ ରେକର୍ଡ ରହିଛି’। ଯେଉଁଥିରେ ସମଗ୍ର ବିଶ୍ୱରୁ ‘ପ୍ରକୃତ ପ୍ରମାଣ’ ରହିଛି।

କମ୍ପାନୀ କହିଛି ଯେ ,ଏହା କୋର୍ଟକୁ ସମ୍ମାନ କରେ ଏବଂ ଯଦି ଆମର ବିଜ୍ଞାପନ ମିଥ୍ୟା ବୋଲି ଜଣାପଡେ ତେବେ ମାନ୍ୟବର କୋର୍ଟ ଆମ ଉପରେ କୋଟି କୋଟି ଟଙ୍କା ଜୋରିମାନା ଲଗାଇଲେ କିମ୍ବା ଆମକୁ ମୃତ୍ୟୁଦଣ୍ଡ ମଧ୍ୟ ଦେଇପାରିବେ, ଏଥିରେ କୌଣସି ଆପତ୍ତି ନାହିଁ।

ହରିଦ୍ୱାରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରାମଦେବ କହିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ତାଙ୍କ ପକ୍ଷ ଶୁଣିବା ଉଚିତ୍।

ରାମଦେବ କହିଛନ୍ତି ଯେ, ଯଦି ସୁପ୍ରିମକୋର୍ଟ ତାଙ୍କୁ ତାଙ୍କ ମାମଲା ଉପସ୍ଥାପନ କରିବାର ସୁଯୋଗ ଦିଅନ୍ତି, ତେବେ ସେ ନିଜେ ତାଙ୍କ ଦାବିକୁ ସମର୍ଥନ କରି ସମ୍ପୂର୍ଣ୍ଣ ତଥ୍ୟ, କ୍ଲିନିକାଲ୍ ପ୍ରମାଣ ଏବଂ ବୈଜ୍ଞାନିକ ଅନୁସନ୍ଧାନ କାଗଜପତ୍ର ସହିତ କୋର୍ଟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି।

ସେ କହିଛନ୍ତି ଯେ, ଆୟୁର୍ବେଦ ଏବଂ ଯୋଗ ମାଧ୍ୟମରେ ଗୁରୁତର ରୋଗକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବା ଦାବିରେ ସେ ନିଶ୍ଚିତ ଅଟନ୍ତି।

ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଏକ ବେଞ୍ଚ ମଙ୍ଗଳବାର ଦିନ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ର ଆବେଦନ ଶୁଣାଣି କରି ମୌଖିକ ମନ୍ତବ୍ୟ ଦେଇ କହିଛନ୍ତି ଯେ, ପତଞ୍ଜଳି ଆୟୁର୍ବେଦକୁ ଏହିପରି ସମସ୍ତ ମିଥ୍ୟା ତଥା ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ ପଡିବ।

Categories
ଆଜିର ଖବର ଜାତୀୟ ଖବର

ବିଜ୍ଞାପନରେ ବିଭ୍ରାନ୍ତିକର ଦାବି ବନ୍ଦ କରନ୍ତୁ, ନଚେତ୍ ଲାଗିବ ଜରିମାନା: ପତଞ୍ଜଳି ଆୟୁର୍ବେଦକୁ ଚେତାବନୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଲୋପାଥି ଭଳି ଆଧୁନିକ ଚିକିତ୍ସା ବ୍ୟବସ୍ଥା ବିରୋଧରେ ବିଭ୍ରାନ୍ତିକର ଦାବି ଓ ବିଜ୍ଞାପନ ପ୍ରକାଶ କରିଥିବା ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍ଏ) ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅମାନୁଲ୍ଲା ମୌଖିକଭାବେ କହିଥିଲେ ଯେ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ବନ୍ଦ କରିବାକୁ ହେବ, ଯାହାର ଉଲ୍ଲଂଘନକୁ ଆମେ ଗମ୍ଭୀରତାର ସହ ବିଚାର କରିବୁ। ଯଦି କୌଣସି ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ମିଥ୍ୟା ଦାବି କରାଯାଏ ତେବେ ଏଭଳି ପ୍ରତ୍ୟେକ ଉତ୍ପାଦ ଉପରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ଭବିଷ୍ୟତରେ ଆମେ ଆଦୌ କରିବୁ ନାହିଁ

ଶୁଣାଣି ସମୟରେ ପତଞ୍ଜଳି ଆୟୁର୍ବେଦର ଓକିଲ ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ଭବିଷ୍ୟତରେ ଏଭଳି କୌଣସି ବିଜ୍ଞାପନ ପ୍ରକାଶ କରିବେ ନାହିଁ ଏବଂ ଗଣମାଧ୍ୟମରେ ଯେପରି ଏଭଳି ବୟାନ ନ ପ୍ରକାଶ କରାଯିବ ତାହା ମଧ୍ୟ ସୁନିଶ୍ଚିତ କରିବେ। ଏହି ପ୍ରତିଶ୍ରୁତିକୁ ମଧ୍ୟ କୋର୍ଟ ତାଙ୍କ ଆଦେଶରେ ରେକର୍ଡ କରିଛନ୍ତି।

ସୁପାରିସଗୁଡ଼ିକୁ ବିଚାର କରି ଉପସ୍ଥାପନ କରନ୍ତୁ

ଖଣ୍ଡପୀଠ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ଆଲୋପାଥି ବନାମ ଆୟୁର୍ବେଦ ବିତର୍କରେ ପରିଣତ କରିବାକୁ ଚାହୁଁନାହାଁନ୍ତି ବରଂ ବିଭ୍ରାନ୍ତିକର ବିଜ୍ଞାପନ ସମସ୍ୟାର ପ୍ରକୃତ ସମାଧାନ ଖୋଜିବାକୁ ଚାହୁଁଛନ୍ତି । ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜଙ୍କୁ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି ଉପଯୁକ୍ତ ସୁପାରିସ ଆଣିବାକୁ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୪ ଫେବ୍ରୁଆରି ୫ରେ ହେବ।