Categories
ବିଶେଷ ଖବର

କୋଭିଡ ମୁକାବିଲା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ଏବଂ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କୋଭିଡ -୧୯ ପରିସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା ପ୍ରସ୍ତୁତି, ଦେଶରେ ଟିକାକରଣ ଅଭିଯାନର ସ୍ଥିତି ଏବଂ ନୂତନ କୋଭିଡ -୧୯ ପ୍ରକାରର ଉତ୍ପତ୍ତି ଏବଂ ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କେତେକ ଦେଶରେ କୋଭିଡ-୧୯ ମାମଲାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହୋଇଛି।

ସ୍ୱାସ୍ଥ୍ୟ ସଚିବ ଏବଂ ନୀତି ଆୟୋଗର ସଦସ୍ୟଙ୍କ ଦ୍ୱାରା ଦେଶରେ ବୃଦ୍ଧି ପାଉଥିବା ମାମଲା ସମେତ ବିଶ୍ୱରେ କୋଭିଡ -୧୯ ପରିସ୍ଥିତିକୁ ନେଇ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ଭାରତରେ ୨୨ ଡିସେମ୍ବର, ୨୦୨୨ ରେ ଶେଷ ହୋଇଥିବା ସପ୍ତାହରେ ଦୈନିକ ହାରାହାରି ମାମଲା ସଂଖ୍ୟା ୧୫୩ କୁ ଏବଂ ସାପ୍ତାହିକ ପଜିଟିଭ ହାର ୦.୧୪% ନିୟମିତ ହ୍ରାସ ପାଇବାରେ ଲାଗିଛି। ତେବେ ଗତ ୬ ସପ୍ତାହ ମଧ୍ୟରେ ସମଗ୍ର ବିଶ୍ୱରେ ହାରାହାରି ଦୈନିକ ୫.୯ ଲକ୍ଷ ମାମଲା ରିପୋର୍ଟ ହେଉଛି।

ପ୍ରଧାନମନ୍ତ୍ରୀ ଆତ୍ମସନ୍ତୋଷ ବିରୋଧରେ ଚେତାବନୀ ଦେଇଛନ୍ତି ଏବଂ କଡାକଡି ଭାବେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଦୋହରାଇଛନ୍ତି ଯେ କୋଭିଡ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ ଏବଂ ବିଶେଷ କରି ଅନ୍ତର୍ଜାତୀୟ ବିମାନବନ୍ଦରରେ ଚାଲିଥିବା ନୀରିକ୍ଷଣ ପଦକ୍ଷେପକୁ ଦୃଢ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସବୁ ସ୍ତରରେ କୋଭିଡ ଯନ୍ତ୍ରପାତି, ପ୍ରସ୍ତୁତି ପ୍ରକ୍ରିୟା ଏବଂ ମାନବ ସମ୍ବଳ ଦୃଷ୍ଟିରୁ ଭିତ୍ତିଭୂମିକୁ ଏକ ଉଚ୍ଚ ସ୍ତରରେ ପ୍ରସ୍ତୁତି ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଅମ୍ଳଜାନ ସିଲିଣ୍ଡର, ପିଏସ୍‍ଏ ପ୍ଲାଣ୍ଟ, ଭେଣ୍ଟିଲେଟର ଏବଂ ମାନବ ସମ୍ବଳ ସମେତ ହସ୍ପିଟାଲ ଭିତ୍ତିଭୂମିର କାର୍ଯ୍ୟ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କୋଭିଡ ପାଇଁ ଥିବା ବ୍ୟବସ୍ଥାଗୁଡିକର ଅଡିଟ୍ କରିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ପରୀକ୍ଷା ଏବଂ ଜେନୋମିକ୍ ସିକ୍ୱେନ୍ସିଂ ବଢାଇବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟମାନଙ୍କୁ ଜେନୋମ ସିକ୍ୱେନ୍ସିଂ ପାଇଁ ର୍ନିଦ୍ଦିଷ୍ଟ ଆଇଏନଏସଏସିଓଜି ଜେନୋମ ସିକ୍ୱେନ୍ସିଂ ପରୀକ୍ଷାଗାର (ଆଜିଏସଏଲଏସ) ସହିତ ଅଧିକ ସଂଖ୍ୟକ ନମୂନା ପଠାଇବାକୁ କୁହାଯାଇଛି। ଏହା ସଠିକ୍ ସମୟରେ ଏହି ନୂତନ ପ୍ରଜାତିକୁ ଚିହ୍ନଟ କରିପାରିବ, ଯଦି ଏହା ଥାଏ, ତେବେ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ସହଜ ହେବ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୋଭିଡ ଉପଯୁକ୍ତ ଆଚରଣ ପାଳନ ବିଶେଷ କରି ଆଗାମୀ ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ବିଶେଷ ଭାବରେ ସମ୍ବେଦନଶୀଳ ଏବଂ ବୟସ୍କ ବର୍ଗଙ୍କ ପାଇଁ ସତର୍କତାର ଡୋଜ୍‍ ଫଳପ୍ରଦ ହୋଇପାରେ।

ଔଷଧ, ଟିକା ଏବଂ ଡାକ୍ତରଖାନା ଶଯ୍ୟା ସମ୍ବନ୍ଧରେ ପର୍ଯ୍ୟାପ୍ତ ଉପଲବ୍ଧତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ନିୟମିତ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ସମୁଖ ଭାଗରେ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ କାର୍ଯ୍ୟକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମାନ ନିଃସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ଢଙ୍ଗରେ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ; ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀନ ପାୱାର; ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର, ନୀତି ଆୟୋଗ ସିଇଓ ପରମେଶ୍ୱରନ୍ ଆୟର, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପାଲ; କ୍ୟାବିନେଟ ସଚିବ ରାଜୀବ ଗୌବା; ପିଏମଓ ଉପଦ୍ଦେଷ୍ଟା ଅମିତ ଖେର; ଗୃହ ସଚିବ ଏ କେ ଭଲ୍ଲା;  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ସଚିବ (ଡିଏଚଆର) ଡକ୍ଟର ରାଜୀବ ବାହଲ, ସଚିବ ଫାର୍ମାସ୍ୟୁଟିକାଲ୍ସ (ଆଇ / ସି) ଅରୁଣ ବାରୋକାଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବଢ଼ିଲା କୋଭିଡ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନାର ଅବଧି

ନୂଆଦିଲ୍ଲୀ: ‘‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମଜିକେପି) ଅନୁଯାୟୀ କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’’ର ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଭିଡ -୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ନିର୍ଭରଶୀଳ ଆତ୍ମୀୟ ସ୍ବଜନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏହି ଯୋଜନାର ଅବଧି ସମ୍ପ୍ରସାରଣ ଲାଗି ନିଷ୍ପତ୍ତି ନିଆଯାଇଛି।

ଏ ସଂକ୍ରାନ୍ତରେ ୧୯ ଏପ୍ରିଲ ୨୦୨୨ରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ବାସ୍ଥ୍ୟ)/ ପ୍ରମୁଖ ସଚିବ (ସ୍ବାସ୍ଥ୍ୟ)/ ସଚିବ (ସ୍ବାସ୍ଥ୍ୟ)ମାନଙ୍କୁ ଏକ ପତ୍ର ଲେଖାଯାଇଛି। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ବୀମା ଯୋଜନାର ଅବଧି ସମ୍ପ୍ରସାରଣ ସମ୍ପର୍କରେ ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଏହି ପତ୍ରରେ ପରାମର୍ଶ ଦିଆଯାଇଛି।

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିଏମଜିକେପି ବୀମା ଯୋଜନା ୩୦ ମାର୍ଚ୍ଚ ୨୦୨୦ରେ ଆରମ୍ଭ କରାଯାଇଥିଲା। କୋଭିଡ-୧୯ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କୁ ଚିକିତ୍ସା କରୁଥିବା ସରକାରୀ ସ୍ବାସ୍ଥ୍ୟ କର୍ମୀ ଏବଂ ଘରୋଇ ସ୍ବାସ୍ଥ୍ୟ କର୍ମୀ ଏହି ରୋଗ ଦ୍ବାରା ପ୍ରଭାବିତ ହେଲେ ସେମାନଙ୍କୁ ବୀମା ଯୋଜନାର ଲାଭ ମିଳିପାରିବ। ଦେଶର ୨୨.୧୨ ଲକ୍ଷ ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ଯୋଜନାରେ ୫୦ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ଆହୁରି, ବିଶେଷ ପରିସ୍ଥିତିରେ, ରାଜ୍ୟ/କେନ୍ଦ୍ର ସରକାରଙ୍କ ଡାକ୍ତରଖାନା, ରାଜ୍ୟ/କେନ୍ଦ୍ର/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସ୍ବୟଂଶାସିତ ଡାକ୍ତରଖାନା/ ଏମ୍ସ ଓ ଜାତୀୟ ଗୁରୁତ୍ବ ବହନ କରୁଥିବା ସଂସ୍ଥାନ (ଆଇଏନଆଇ)/କେନ୍ଦ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଡାକ୍ତରଖାନା ଦ୍ବାରା କୋଭିଡ-୧୯ ଚିକିତ୍ସା ପାଇଁ ଆବଶ୍ୟକତା ଅନୁଯାୟୀ ନିୟୋଜିତ ହୋଇଥିବା ଘରୋଇ ଡାକ୍ତରଖାନାର କର୍ମଚାରୀ/ଅବସରପ୍ରାପ୍ତ/ସ୍ବେଚ୍ଛାସେବୀ/ସ୍ଥାନୀୟ ସହରାଞ୍ଚଳ ପ୍ରଶାସନ/ଚୁକ୍ତିଭିତ୍ତିକ/ଦିନ ମଜୁରି/ଆଡହକ/ଆଉଟସୋର୍ସରେ ରହିଥିବା କର୍ମଚାରୀଙ୍କୁ ମଧ୍ୟ ପିଏମଜିକେପି ବୀମା ଯୋଜନାର ଲାଭ ମିଳିପାରିବ।ଏହି ଯୋଜନା ଆରମ୍ଭ ହେବା ପରଠାରୁ, ଏବେ ସୁଦ୍ଧା ୧୯୦୫ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ବୀମା ସହାୟତା ଯୋଗାଇ ଦିଆଯାଇଛି। କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ପ୍ରାଣ ହରାଇଥିବା ଏହିସବୁ ସ୍ବାସ୍ଥ୍ୟକର୍ମୀଙ୍କ ପରିବାରଜନଙ୍କୁ ବୀମା ସୁରକ୍ଷା ଅର୍ଥ ମିଳିଛି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ ମୁକାବିଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଦାୟିତ୍ୱ ଏବଂ ପ୍ରୟାସ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଓଡ଼ିଶା ସମେତ ପାଞ୍ଚଟି ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ କୋଭିଡ ୧୯ ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଡକ୍ଟର ମାଣ୍ଡଭିୟ କହିଥିଲେ ଯେ କୋଭିଡ ମହାମାରୀ ମୁକାବିଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ୱ ଏବଂ ପ୍ରୟାସ। ସହଯୋଗୀ ଭାବନା ନେଇ ସମସ୍ତେ ଏହି ଜନସ୍ୱାସ୍ଥ୍ୟ ଆହ୍ବାନର ମୁକାବିଲା କରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜ୍ୟମାନଙ୍କର ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସୂଚନା କମିଶନରମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବମାନେ ଅଂଶଗ୍ରହଣ କରିଥିଲେ। ଏହି ଭର୍ଚୁଆଲ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ମଧ୍ୟ କୋଭିଡ ୧୯ ପ୍ରତିରୋଧ ଏବଂ ପରିଚାଳନା ତଥା ଜାତୀୟ କୋଭିଡ ୧୯ ଟିକାକରଣର ଅଭିଯାନର ଅଗ୍ରଗତି ନିମନ୍ତେ ଜନସ୍ୱାସ୍ଥ୍ୟ ମୁକାବିଲା ସ୍ଥିତି ସମୀକ୍ଷା କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଝାଡ଼ଖଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତା, ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି ଏସ ସିଂ ଦେଓ ଏବଂ ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମଙ୍ଗଲ ପାଣ୍ଡେ ଅଂଶଗ୍ରହଣ କରିଥିଲେ। କୋଭିଡ ମହାମାରୀ ପରିଚାଳନା ପାଇଁ ଭାରତ ସରକାରଙ୍କ ନିରନ୍ତର ସହାୟତା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ସର୍ବସମ୍ମତି କ୍ରମେ ଧନ୍ୟବାଦ ଅର୍ପଣ କରିଥିଲେ।

ଡକ୍ଟର ମାଣ୍ଡଭିୟ କହିଥିଲେ ଯେ, ଯେତେ କୋଭିଡ ଭାରିଏଣ୍ଟ ଆସୁ ପଛେ, ‘ନମୁନା ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଉପଯୁକ୍ତ ବ୍ୟବହାର’ ଏବେ ବି କୋଭିଡ ମୁକାବିଲା ପାଇଁ ସବୁଠୁ ପ୍ରାମାଣିକ ରଣନୀତି ହୋଇ ରହିଛି। ଗତ ଦୁଇ ସପ୍ତାହ ମଧ୍ୟରେ ଅଧିକାଂଶ ରାଜ୍ୟରେ ସକ୍ରିୟ ସଂକ୍ରମିତ ଏବଂ ପଜିଟିଭିଟି ହାର ହ୍ରାସ ପାଇଛି। କିନ୍ତୁ ଆମକୁ ସତର୍କ ରହିବାକୁ ହେବ ଏବଂ ମୁକାବିଲାକୁ ସୁଦୃଢ଼ ରଖିବାକୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ। ଅଧିକାଂଶ ରାଜ୍ୟ ଆରଟି-ପିସିଆର ପରୀକ୍ଷାରେ ପଛରେ ପଡ଼ିଛନ୍ତି। ତେଣୁ ଆରଟି-ପିସିଆର ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବା ଏବଂ ଦୈନିକ ପଜିଟିଭିଟି ହାର ଉପରେ ନଜର ରଖିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେଉଥିବା ଏବଂ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ମଧ୍ୟ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟ ସ୍ତରରେ କେତେଜଣ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ମୃତ୍ୟୁବରଣ କରିଛନ୍ତି, ଭେଣ୍ଟିଲେଟର ଏବଂ ଅକ୍ସିଜେନ୍‌ ସହାୟତାରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ଟିକା ନେଇଥିବା ଏବଂ ନେଇନଥିବା ଲୋକଙ୍କ ସଂଖ୍ୟା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରି।

ଇସିଆରପି-୨ ପାଣ୍ଠିକୁ ପ୍ରଭାବୀ ଢଙ୍ଗରେ ତଥା ସମ୍ପୂର୍ଣ୍ଣ ଭାବେ ବିନିଯୋଗ କରି ବର୍ତ୍ତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଆବଶ୍ୟକତା ଅନୁଯାୟୀ ନୂଆ ଭିତ୍ତିଭୂମି ସୃଷ୍ଟି କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କ ଆଗରେ ଦୋହରାଇଥିଲେ। ବର୍ତ୍ତମାନ ଆବଣ୍ଟିତ ଇସିଆରପି-୨ ପାଣ୍ଠି ୩୧ ମାର୍ଚ୍ଚ ୨୦୨୨ରେ ଶେଷ ହେଉଥିବାରୁ ନିୟମିତ ବ୍ୟବଧାନରେ ଏହାର ଖର୍ଚ୍ଚ ସମୀକ୍ଷା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ପାଣ୍ଠି ସମ୍ପୂର୍ଣ୍ଣ ବିନିଯୋଗ ହେଲେ କେବଳ ବର୍ତ୍ତମାନର ମହାମାରୀ ସମୟରେ ନୁହେଁ ବରଂ ଭବିଷ୍ୟତର ସ୍ୱାସ୍ଥ୍ୟ ଭିତ୍ତିଭୂମି ଆବଶ୍ୟକତାକୁ ମଧ୍ୟ ପୂରଣ କରିବ। ପିଏସଏ ପ୍ଲାଣ୍ଟ, ଏଲଏମଓ ଷ୍ଟୋରେଜ୍‌ ଟ୍ୟାଙ୍କ ଏବଂ ଏମଜିପିଏସ ସଂଯୋଗ ଏବଂ ସଞ୍ଚାଳନ କାର୍ଯ୍ୟ ତୁରନ୍ତ ସାରିବାକୁ ସେ ପରାମର୍ଶ ଦେଇଥିଲେ।

ମହାମାରୀ ମୁକାବିଲାରେ ଟିକାକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡଭିୟ ସମସ୍ତ ଯୋଗ୍ୟ ଜନସଂଖ୍ୟା, ବିଶେଷ କରି ୧୫-୧୭ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଏବଂ ଦ୍ବିତୀୟ ଡୋଜ୍‌ ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ଇ-ସଞ୍ଜିବନୀ ଭଳି ପ୍ଲାଟଫର୍ମର ଉପଯୋଗ କରି ଟେଲି ପରାମର୍ଶ ସେବାର ଅଧିକ ଲାଭ ନେବା ପାଇଁ ଡକ୍ଟର ମାଣ୍ଡଭିୟ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳରେ ଏକ ଟେଲି ପରାମର୍ଶ କେନ୍ଦ୍ର ପ୍ରତିଷ୍ଠା କରିବା ଏବଂ ସମସ୍ତ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ର ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ଏହା ଦେଶର ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧତା ବଢ଼ାଇବା ସହିତ ଅପହଞ୍ଚ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବ।

କୋଭିଡ ପରିଚାଳନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ହସ୍ପିଟାଲ ଭିତ୍ତିଭୂମି ବଢ଼ାଇବା, ପରୀକ୍ଷା ବଢ଼ାଇବା, ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ଲାଗି କଠୋର ପଦକ୍ଷେପ ଗ୍ରହଣ କରିବା, ଲୋକମାନଙ୍କ ମଧ୍ୟରେ କୋଭିଡ ଉପଯୁକ୍ତ ବ୍ୟବହାର ବଢ଼ାଇବା ନେଇ ଆଲୋଚନା ହୋଇଥିଲା। ରାଜ୍ୟମାନେ ଏହି ସମୀକ୍ଷା ବୈଠକରେ ସେମାନଙ୍କର ଶ୍ରେଷ୍ଠ ବିଧି ବିଷୟରେ ସୂଚନା ପ୍ରଦାନ କରିଥିଲେ। ଟିକାକରଣ ପାଇଁ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ଝାଡ଼ଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା। ପଜିଟିଭ୍‌ ଚିହ୍ନଟ ହେଉଥିବା ଲୋକଙ୍କ ମଧ୍ୟରେ ଟିକା ନେଉଥିବା ଏବଂ ନେଉନଥିବା ଲୋକମାନଙ୍କର ସଠିକ୍‌ ବିଶ୍ଳେଷଣ କରାଯାଉଥିବା ଛତିଶଗଡ଼ ପକ୍ଷରୁ ଉଲ୍ଲେଖ କରାଯାଇଥିଲା। ଗୃହ ସଙ୍ଗରୋଧରେ ରହୁଥିବା ଲୋକମାନଙ୍କୁ ସ୍ପିଡ୍‌ ପୋଷ୍ଟ ଜରିଆରେ ମେଡ଼ିସିନ ଯୋଗାଇ ଦିଆଯାଉଥିବା ବିହାର ପକ୍ଷରୁ ସୂଚନା ଦିଆଯାଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗ୍ନାନୀ, ନୂଆଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ, ଏନସିଡିଟି ନିର୍ଦ୍ଦେଶକ ଡକ୍ଟର ସୁଜିତ କୁମାର ସିଂ ଏବଂ ରାଜ୍ୟମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ସମଗ୍ର ବିଶ୍ୱ “ କରୋନା” ବା କୋଭିଡ୍‌- ୧୯ ଭୂତାଣୁ ଦ୍ୱିତୀୟ ଲହର ବିରୁଦ୍ଧରେ ଯୁଦ୍ଧ କରୁଛି। ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ ମୁକାବିଲାକୁ ଶାଣିତ କରାଯାଇଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ କରୋନାର ମୁକାବିଲା ଓ ମାନବିକତା ଗତିବିଧିକୁ କ୍ରିୟାଶୀଳ କରି ରଖିବା ଉଦ୍ଦେଶ୍ୟରେ ଓଡିଶା କ୍ଷୁଦ୍ରଶିଳ୍ପ ନିଗମ (OSIC) ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି “କୋଭିଡ୍–୧୯” କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରି ସରକାରଙ୍କୁ ସହଯୋଗର ହାତ ବଢ଼େଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ ଏହି ରାଶିର ଚେକ୍‌ ପ୍ରଦାନ କରିଛନ୍ତି।

ଏହି ଅବସରରେ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଦୂରଦର୍ଶୀ କୋଭିଡ୍ ପରିଚାଳନା ଯୋଗୁଁ ଓଡ଼ିଶାରେ କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି। ଏହି ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ଯଥାସମ୍ଭବ ପାଳନ କରି ନିଜ ଘରେ ନିଜକୁ ଆବଦ୍ଧ ରଖି ନିଜର ଆତ୍ମୀୟସ୍ୱଜନ ଓ ପରିବାରବର୍ଗଙ୍କୁ ବିଶ୍ୱ ମହାମାରୀ କରୋନା ରୁ ସୁରକ୍ଷିତ ରଖିବାକୁ ଶ୍ରୀ ଚିନ୍ମୟ ସାହୁ ବିନମ୍ର ଅନୁରୋଧ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

କୋଭିଡ ମୁକାବିଲାରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ 40ଟି ଦେଶ

ନୂଆଦିଲ୍ଲୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଦେଶରେ ଅନେକ ମେଡିକାଲ ଉପକରଣ ଏବଂ ଔଷଧର ଆବଶ୍ୟକତା ପୂରଣ କରିବା ପାଇଁ 40 ଟି ଦେଶ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ ବିଭିନ୍ନ ଦେଶରୁ ଚିକିତ୍ସା ଉପକରଣ ଏବଂ ଔଷଧର ସାମଗ୍ରୀ ଭାରତରେ ପହଞ୍ଚିବା ଆରମ୍ଭ କରିଛି।

ସେ କହିଛନ୍ତି ଯେ ମହାମାରୀ ବିରୋଧରେ ଲଢେଇରେ ଭାରତକୁ ସାହାଯ୍ୟ କରିବାକୁ ଆମେରିକା ପ୍ରତିଶ୍ରୁତି ଦେଇଛି। ଶ୍ରୀଙ୍ଗଲା କହିଛନ୍ତି ଯେ ଆମେରିକାରୁ ତିନିଟି ବିମାନ ଏକ ସପ୍ତାହ ମଧ୍ୟରେ ଭାରତ ଆସିବାକୁ ପ୍ରସ୍ତୁତ।

ଏଥିସହିତ ଅମ୍ଳଜାନ ଉତ୍ପାଦନ ଉପକରଣ ଏବଂ ଅମ୍ଳଜାନ ସିଲିଣ୍ଡର ଧାରଣ କରିଥିବା ଦୁଇଟି ବିମାନ ଆସନ୍ତାକାଲି ଭାରତରେ ପହଞ୍ଚିବ। ସେହିପରି ସଂଯୁକ୍ତ ଆରବ ଏମିରେଟ୍ସରୁ ଭେଣ୍ଟିଲେଟର ଏବଂ ଫାଭିପିରାଭିର ଔଷଧ ସହିତ ଏକ କାର୍ଗୋ ବିମାନ ଆଜି ରାତିରେ ପହଞ୍ଚିବ।

ବୈଦେଶିକ ସଚିବ କହିଛନ୍ତି ଯେ ତରଳ ଅମ୍ଳଜାନ ଯୋଗାଣ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।  କିଛି ଦିନ ମଧ୍ୟରେ ପାଞ୍ଚଶହରୁ ଅଧିକ ଅମ୍ଳଜାନ ଉତ୍ପାଦନ ଉପକରଣ ଏବଂ ଚାରି ହଜାର ଅମ୍ଳଜାନ କଣ୍ଟେନର ଭାରତରେ ପହଞ୍ଚିବ। ଶ୍ରୀଙ୍ଗଲା ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ରେମଡେସୀର, ଟୋସିଲଜୁମାବ ଏବଂ ଫାଭିପିରାଭିର ଭଳି ଔଷଧର ବିଶ୍ବର ଅନେକ ଫାର୍ମାସ୍ୟୁଟିକାଲ୍ ନିର୍ମାତା ମଧ୍ୟ ଦେବାକୁ ପ୍ରତିଶୃତି ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କୋଭିଡ ମୁକାବିଲା ପାଇଁ 17 ଟି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ଆମଦାନୀ କରିବାକୁ ଅନୁମତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ, ଦେଶରେ କୋଭିଡ ମହାମାରୀ ସ୍ଥିତିରୁ ଉତ୍ପନ୍ନ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣର ଚାହିଦା ମଧ୍ୟରେ ସରକାର ଏହାର ଆମଦାନୀ ପ୍ରକ୍ରିୟା ଶେଷ କରିଛନ୍ତି। କୋଭିଡ ରୋଗୀଙ୍କୁ ରିଲିଫ ଯୋଗାଇବା ପାଇଁ ଆବଶ୍ୟକ 17 ଟି ଡାକ୍ତରୀ ଉପକରଣ ଆମଦାନୀ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।

ସେଗୁଡିକ ହେଲା ନେବୁଲାଇଜର, ଅମ୍ଳଜାନ ଏକାଗ୍ରତା, CPAP ଏବଂ BIPAP, ଭାକ୍ୟୁମ୍ ପ୍ରେସର ସୁଇଙ୍ଗ୍ ଆଡଜଷ୍ଟମେଣ୍ଟ୍, ଅମ୍ଳଜାନ ଉଦ୍ଭିଦ, କ୍ରାୟୋଜେନିକ୍ ଅମ୍ଳଜାନ ବାୟୁ ପୃଥକ ୟୁନିଟ୍ ଆମଦାନୀକୁ  ଅନୁମତି ଦିଆଯାଇଛି। ଏଥିସହ ଅମ୍ଳଜାନ କ୍ୟାଣ୍ଟର, ଅମ୍ଳଜାନ ଭରିବା ପ୍ରଣାଳୀ ଏବଂ କ୍ରାୟୋଜେନିକ୍ ସିଲିଣ୍ଡର ଏବଂ ଭେଣ୍ଟିଲେଟର ସମେତ ଅମ୍ଳଜାନ ସିଲିଣ୍ଡର ଆମଦାନୀକୁ ଅନୁମତି ଦିଆଯାଇଛି।

ଏସବୁକୁ ଆମଦାନୀ ଏବଂ କଷ୍ଟମ୍ସ କ୍ଲିୟରାନ୍ସ ପାଇଁ ରିହାତି ପ୍ରଦାନ କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ଆମଦାନୀକାରୀଙ୍କୁ କଷ୍ଟମ୍ସରୁ ଶୀଘ୍ର କ୍ଲିୟରାନ୍ସ ପରେ ବାଧ୍ୟତାମୂଳକ ଭାବେ ଘୋଷଣା ଫର୍ମ ଦେବାକୁ ପଡିବ। ଏହା କରିବା ଦ୍ୱାରା, ପ୍ରକ୍ରିୟାଗତ କାରଣରୁ ଆବଶ୍ୟକ ଚିକିତ୍ସା ଉପକରଣ ପରିବହନରେ ବିଳମ୍ବକୁ ଏଡାଇ ଦିଆଯିବ। ଉପଭୋକ୍ତା ବ୍ୟାପାର ବିଭାଗ ଗତକାଲି ଏକ ନିର୍ଦ୍ଦେଶ ଜାରି କରିଛି ଯାହା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଆମଦାନୀ ହେଉଥିବା ସମସ୍ତ ଉପକରଣ ବିଷୟରେ ଆମଦାନୀକାରୀମାନେ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି। ଚିକିତ୍ସା ଉପକରଣର ଚାହିଦା ବଢୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭାଗୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗ କହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର କୋଭିଡଙ୍କ ପରିସ୍ଥିତିର ମୁକାବିଲା ପାଇଁ ସେନାର ପ୍ରସ୍ତୁତି ଏବଂ ପଦକ୍ଷେପ ଉପରେ ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ତଥା ସେନା ମୁଖ୍ୟ ଏମ୍ ନରୱାନେ କୋଭିଡ ପରିଚାଳନାରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ସେନା ପଦକ୍ଷେପ ଏବଂ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।

ସେନା ମୁଖ୍ୟ ନରୱେନ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ସେନା ଏହାର ଡାକ୍ତରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ସେବାରେ ନିୟୋଜିତ କରିଛି। ସେ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ସେନା ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରୁଛି। ସେନା ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଯେ ସାଧାରଣ ନାଗରିକଙ୍କ ପାଇଁ ସେନା ମଧ୍ୟ ଏହାର ଡାକ୍ତରଖାନା ଖୋଲୁଛି। ସେ କହିଛନ୍ତି ଯେ ଯେଉଁଠାରେ ସେମାନଙ୍କ ପରିଚାଳନା ପାଇଁ ବିଶେଷ କୌଶଳ ଆବଶ୍ୟକ ସେନା ବାହିନୀ ସାହାଯ୍ୟ କରୁଛି ।

ଦେଶରେ କୋଭିଡ -19 ର ସ୍ଥିତି ସମ୍ପର୍କରେ ଆସନ୍ତା କାଲି ସକାଳ 11 ଟାରେ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ ମୁକାବିଲା: ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଏଡାଇବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଉରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି। ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି କୋଭିଡ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବାକୁ ହେଲେ ଆମକୁ କୋଭିଡ ନିୟମ ଯଥା – ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡାକଡି ଭାବରେ ଜାରି ରଖିବାକୁ ପଡିବ। ଏଥିରେ ଆଦୌ କୋହଳ କରାଯାଇପାରିବ ନାହିଁ। କାରଣ ଲକ୍‌ଡାଉନ ପରି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର କମି ଥିବାରୁ ଓ ଆରୋଗ୍ୟ ହାର ବଢୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଓନାମ୍‌ ପର୍ବ ପାଳନ ପରେ କେରଳରେ ଉପୁଜିଥିବା ଅବସ୍ଥା ଏବଂ ଦିଲ୍ଲୀର ବର୍ତ୍ତମାନ ଅବସ୍ଥା ସଂପର୍କରେ ଉଦାହରଣ ଦେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ଏ କ୍ଷେତ୍ରରେ ସାମାନ୍ୟ ଢିଲାପଣ ଗ୍ରହଣୀୟ ନୁହେଁ ବୋଲି କହିଥିଲେ।

ଗତ ପୂଜା ସମୟରେ କୋଭିଡ ନିୟମ ମାନି ଜନସାଧାରଣ ଶୃଙ୍ଖଳା ଓ ସଂଯମତାର ସହିତ ପର୍ବ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ସମୟରେ ପ୍ରଶାସନ ଓ ପୋଲିସ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ। ଆଗକୁ ଦୀପାବଳି ଆସୁଥିବାରୁ ସେହିଭଳି ଶୃଙ୍ଖଳା ଓ ସଂଯମତା ରକ୍ଷା କରି ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଦୀପାବଳି କଟକଣା ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ଜିଲ୍ଲାଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏହି କଟକଣାକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କୋଭିଡରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ସେମାନଙ୍କ ଠାରେ କେତେକ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିବା ଜଣାପଡିଛି। ତେଣୁ ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିବା ସହିତ ଉପଯୁକ୍ତ ପ୍ରୋଟୋକଲ୍‌ ପ୍ରସ୍ତୁତ କରିବା ଏବଂ ଏଥିପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଏତଦ୍‌ବ୍ୟତୀତ କୋଭିଡ ପରବର୍ତ୍ତୀ ସ୍ବାସ୍ଥ୍ୟର ଯତ୍ନ ସଂପର୍କରେ ବ୍ୟାପକ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡ ଜନିତ ଆର୍ଥିକ ଶିଥିଳତା ସମୟରେ ଆମର ଗରିବ ଲୋକମାନେ ଯେଭଳି ବିଶେଷ ପ୍ରଭାବିତ ନ ହେବେ, ତାକୁ ଦୃଷ୍ଟିରେ ରଖି ଜୀବିକା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗକୁ ପରାମର୍ଶ ଦେଇଥିଲେ। ମନେରେଗା, ମିଶନ ଶକ୍ତି ଏବଂ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ପରି କାର୍ଯ୍ୟକ୍ରମକୁ ଜାରି ରଖିବା ସହିତ ଗରିବ ଲୋକଙ୍କ ଆର୍ଥିକ ନିରାପତ୍ତା ଯେପରି ବ୍ୟାହତ ନ ହେବ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଗତ ଏସଏଲବିସି ବୈଠକ ସମୟରେ ମିଶନ ଶକ୍ତି, ଏମଏସଏମଇ ଓ ଚାଷୀ ମାନଙ୍କୁ ଠିକ୍‌ ସମୟରେ ଋଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ ମାନଙ୍କୁ ଦେଇଥିବା ପରାମର୍ଶ ସଂପର୍କରେ ସ୍ମରଣ କରାଇ ଦେଇ ସଂପୃକ୍ତ ବିଭାଗ ମାନେ ଏହା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ।

କୋଭିଡ ପରିଚାଳନା ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିଛି ଏବଂ ହସ୍‌ପିଟାଲରେ ଆଇସିୟୁ ଓ ଶଯ୍ୟା ସନ୍ତୋଷଜନର ରହିଛି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ପରବର୍ତ୍ତୀ ଯତ୍ନ ପାଇଁ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ପ୍ରସ୍ତୁତ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ସେହିପରି ବ୍ୟାପକ ଟୀକାକରଣକୁ ଦୃଷ୍ଟିରେ ରଖି କୋଲ୍ଡ ଚେନ ଓ ଡାଟା ବେସ କାମ ଜାରି ରହିଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ।

କୋଭିଡ ପରିଚାଳନା ସଂପର୍କରେ ସ୍ବତନ୍ତ୍ର ଉପସ୍ଥାପନା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର କହିଥିଲେ ଯେ ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୩ ହଜାର ପରୀକ୍ଷା ହେଉଥିବା ବେଳେ, ଆମ ରାଜ୍ୟରେ ୧ ଲକ୍ଷ ୨ ହଜାର ଟେଷ୍ଟିଂ କରାଯାଇଛି। ଜାତୀୟ ସ୍ତରରେ ଆରୋଗ୍ୟ ହାର ୯୨ ପ୍ରତିଶତ ଥିବାବେଳେ, ଆମ ରାଜ୍ୟରେ ଏହା ୯୫.୩୨ ପ୍ରତିଶତରେ ପହଞ୍ଚିଛି। ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଁ ୦.୪୬ ପ୍ରତିଶତ ରହିଛି। ରାଜ୍ୟରେ ଟୀକାକରଣ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଙ୍ଗ କମିଟି ଗଠନ କରାଯାଇଥିବା ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଏବଂ ଜିଲ୍ଲାପାଳ ମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଟୀକାକରଣ ନିମନ୍ତେ ୩୭୫୨ଟି ସରକାରୀ ଓ ଘରୋଇ ପ୍ରତିଷ୍ଠାନ ଚିହ୍ନଟ କରାଯାଇଥିବା ବେଳେ ୩ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି ବୋଲି ବୈଠକରୁ ଜଣାଯାଇଛି।

ଭୁବନେଶ୍ବରରେ ସେରୋ ସର୍ଭେ ଶେଷ ହୋଇଥିବା ବେଳେ ହାଇ ରିସ୍କ ଗୃପର ସେରୋ ସର୍ଭେ ଗତ ୩ ତାରିଖିରେ ଶେଷ ହୋଇଛି। ବର୍ତ୍ତମାନ କଟକରେ ସେରୋ ସର୍ଭେ ଚାଲିଥିବା ବେଳେ ପୁରୀ, ସମ୍ବଲପୁର ଓ ବାଲେଶ୍ବରରେ ଆଗାମୀ ଡିସେମ୍ବରରେ କରାଯିବ ବୋଲି ସୂଚନା ଦେଇଥିଲେ।

ବୈଠକରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବ୍ୟାଙ୍କ ଖାତାରେ ପଡିରହିଥିବା ଟଙ୍କାକୁ ସରକାର ଫେରାଇ ଆଣି କୋଭିଡ ମୁକାବିଲାରେ ଖର୍ଚ୍ଚ କରିବେ

ଭୁବନେଶ୍ବର, ବିଭିନ୍ନ ଉନ୍ନୟନ କାମ ପାଇଁ ବିଭିନ୍ନ ବିଭାଗକୁ ଦିଆଯାଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଛି। ଏ ନେଇ ଅର୍ଥ ବିଭାଗ ସଂପୃକ୍ତ ବିଭାଗକୁ ବାରମ୍ବାର ତାଗିଦ କରିବା ସତ୍ବେ ସେସବୁ ଟଙ୍କା ବିଭାଗ ଖର୍ଚ୍ଚ କରିପାରୁ ନାହାଁନ୍ତି। ଫଳରେ ସେହି ଗଚ୍ଛିତ ଟଙ୍କାକୁ ପୁଣି ଥରେ ଟ୍ରେଜେରୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି।

ଅର୍ଥ ବିଭାଗର ହିସାବ ଅନୁସାରେ ବର୍ତ୍ତମାନ ଖର୍ଚ୍ଚ ନ ହୋଇ ବିଭିନ୍ନ ବ୍ୟାଙ୍କରେ ପ୍ରାୟ 7 ହଜାର କୋଟି ଟଙ୍କା ପଡି ରହିଛି। ସେ ମଧ୍ୟରୁ ଅର୍ଥ ବିଭାଗ ମାତ୍ର 2300 କୋଟି ଏକାଠି କରିବାରେ ସକ୍ଷମ ହୋଇଛି। ପରବର୍ତ୍ତ ସମୟରେ ସମସ୍ତ ଟଙ୍କା ଏକାଠି କରି ଟ୍ରେଜେରୀକୁ ଫେରାଇ ଅଣାଯିବ। ସେହି ଟଙ୍କାସବୁ କୋଭିଡ ମୁକିବିଲାରେ ଖର୍ଚ୍ଚ କରାଯିବ ବୋଲି ଅର୍ଥ ବିଭାଗ ନିଷ୍ପତି କିରଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ମୁକାବିଲା ପାଇଁ ଚାରୋଟି ଜିଲ୍ଲାରେ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ (Location Specific Strategy) ଅବଲମ୍ବନ କରିବାପାଇଁ ପରାମର୍ଶ ଦେଇଛନ୍ତି, ଯାହାଫଳରେ ଆସନ୍ତା ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାରେ positivity rate ହ୍ରାସ କରିବା ଦିଗରେ ଆମେ ଅଗ୍ରଗତି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ ଆଜି ପ୍ରତି ୧୦ ଲକ୍ଷ ସଂଖ୍ୟାରେ ୧୦୯୬ ଟେଷ୍ଟ କରି ଓଡିଶା ଆଜି ଜାତୀୟ ସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟରେ ପରିଗଣିତ ହୋଇଛି । ଏହାସହିତ ସପ୍ତାହ ମଧ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି । ଏହା ଉପରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ସେମାନଙ୍କ ଟିମ୍ ତଥା ସମସ୍ତ ଡାକ୍ତର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏହା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ରାଜ୍ୟରେ କୋଭିଡରେ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକ ଟ୍ରେନିଂ ପାଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ପଞ୍ଚାୟତିରାଜ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ, କୋଭିଡ କମିଟି ସଦସ୍ୟ ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଅଛନ୍ତି। ଏହା ବାସ୍ତବରେ ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର‌୍ୟ୍ୟକେ ନିୟୋଜିତ ଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଗୃହ ସଂଗରୋଧକୁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ପ୍ରଚାର ଅଭିଯାନ ସହିତ ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ କେୟାର କମିଟି ଗୁଡିକର ସହାୟତା ନେବା ପାଇଁ ମଧ୍ୟ ସେ କହିଛନ୍ତି। ଲୋକଙ୍କ ମନରେ ଗୃହ ସଂଗରୋଧ ସଂପର୍କରେ ଯଦି କୌଣସି ସନ୍ଦେହ ଥାଏ, ତାକୁ ଦୂର କରିବା ଦିଗରେ ଏହା ସହାୟକ ହେବ। ଏ କ୍ଷେତ୍ରରେ ଜିଲ୍ଲା ପର‌୍ୟ୍ୟବେକ୍ଷକମାନେ ସ୍ବତନ୍ତ୍ର ଗୁରୁତ୍ବ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ରାଜ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରରେ ପହଞ୍ଚି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହି ଧାରା ବଜାୟ ରଖିବା ପାଇଁ କହିଥିଲେ। ଏଥିପାଇଁ test kit supply chainକୁ ଉତ୍ତମ ରୂପେ ପରିଚାଳନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍ ରହିଛି । ଏହାକୁ ଆହୁରି କମ୍ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ ବୋଲି ସେ କହିଥିଲେ। ବିଭିନ୍ନ କର୍ପୋରେଟ୍ କ୍ଷେତ୍ର ଓ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ସ୍ଥାପନ କରାଯାଉଥିବା Covid Care Centreର ଆହୁରି ଅଧିକ ସଂଖ୍ୟାରେ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ପ୍ଲାଜମାଦାତା ମାନଙ୍କର ମହାନ କାର‌୍ୟ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ ହସ୍‌ପିଟାଲରେ କାମ କରୁଥିବା କୋଭିଡ ଯୋଦ୍ଧା ଓ ରୋଗୀ ମାନଙ୍କ ସହିତ ସିଧାସଳଖ ଫୋନ୍ ଯୋଗେ ଆଲୋଚନା କରି ସେମାନଙ୍କ ଠାରୁ feedback ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର‌୍ୟ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତ୍ତମାନ ସୁଦ୍ଧା ୫ଟି Plasma Therapy Unit ସ୍ଥାପିତ ହୋଇଛି। କୋଭିଡ ରୋଗର ଚିକିତ୍ସା କ୍ଷେତ୍ରରେ Plasma Therapy ଏକ ଉପାଦେୟ ପଦ୍ଧତି ଭାବରେ ପ୍ରମାଣିତ ହୋଇଛି । କୋରାପୁଟ ମେଡିକାଲ କଲେଜରେ ଆଉ ଏକ Plasma Bank କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ଆସନ୍ତା ସପ୍ତାହ ସୁଦ୍ଧା ସ୍ଥାପନ କରାଯିବ ବୋଲି ଜଣାଯାଇଛି।

ପରିଶେଷରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ଷାଜନିତ ପରିସ୍ଥିତି, କୃଷି କାର୍ଯ୍ୟକ୍ରମ, ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଏବଂ MSME ସଂପର୍କରେ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। କୃଷି କ୍ଷେତ୍ରରେ ସମସ୍ତ କାର‌୍ୟ୍ୟ ଯେପରି ସୂଚାରୁରୂପେ ଜାରି ରହିବ ଓ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଗୁରୁତ୍ବ ଦେବାପାଇଁ ସେ ଅଧିକାରୀମାନଙ୍କୁ ଦୃଢ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ୟୁରିଆ ସାର ସ୍ଥିତି ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି ବୁଝି ଥିଲେ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍ କରିବା ପାଇଁ Medical Education & Training ନିର୍ଦ୍ଦେଶାଳୟ ଦ୍ବାରା ୭ଟି ମେଡିକାଲ କଲେଜର ପ୍ରଫେସର ମାନଙ୍କୁ ନେଇ Multi Disciplinary Technical Team ଗଠନ କରାଯାଇଛି। ସେମାନେ ଏ କ୍ଷେତ୍ରରେ ଉପଯୁକ୍ତ ପରାମର୍ଶ ଦେଇ କୋଭିଡ ଚିକିତ୍ସାକୁ ଫଳପ୍ରଦ କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର ରାଜ୍ୟରେ କୋଭିଡ ମୁକାବିଲା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ବାଲେଶ୍ବର, ମୟୁରଭଞ୍ଜ ଓ ଭଦ୍ରକର କୋଭିଡ ରୋଗୀମାନଙ୍କ ଚିକିତ୍ସା ପାଇଁ ବାଲେଶ୍ବରରେ ଏକ ପ୍ଲାଜମା Storage Unit ସ୍ଥାପନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ମଧ୍ୟ କୋଭିଡ ପରିଚାଳନା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ଗୃହ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଲୋଚନା ସଂଚାଳନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପଦକ୍ଷେପ, ପାରାଦ୍ଵୀପ କୋଭିଡ୍ କେୟାର କେନ୍ଦ୍ରରେ ଶଯ୍ୟାସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ

ରମେଶ ମହାନ୍ତି

ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାକୁ ଗତକାଲି ସୁଦ୍ଧା ୧୭, ୯୧୪ ଜଣ ପ୍ରବାସୀ
ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ବିଭିନ୍ନ ବ୍ଲକକୁ ୧୬,୪୫୨ ଜଣ ଆସିଥିବା ବେଳେ ପାରାଦ୍ୱୀପ ଓ ଜଗତସିଂହପୁର ପୈାରାଚଂଳକୁ ୧୪୬୨ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୧୭, ୧୧୧ ଜଣଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଛାଡି ଦିଆଯାଇଥିବା ବେଳେ ୮୦୩ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି । ଜିଲ୍ଲାରେ ଗତକାଲି ସୁଦ୍ଧା  ୧୧,୬୩୩ ଟି ସ୍ୱାବ ସଂଗ୍ରହ ହୋଇଥିବା ବେଳେ ସେଥି ମଧ୍ୟରୁ ୧୦, ୬୩୩ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଛି, ୪୧୧ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

୧୦୪ ଜଣ ଆକ୍ରାନ୍ତ କିମ୍‌ସ ଓ କୋଭିଡ୍ ହସ୍‌ପିଟାଲ,ପାରାଦ୍ୱୀପରେ ଚିକିତ୍ସିତ ହେଉଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାପାଳ  ସଂଗ୍ରାମ କେଶରୀ ମହାପାତ୍ର ଗତକାଲି କୁଜଙ୍ଗ ବ୍ଲକ ଓ ପାରାଦ୍ୱୀପ କୋଭିଡ୍ ହସ୍ପିଟାଲ ଗସ୍ତ କରିଥିଲେ । କୁଜଙ୍ଗ ବ୍ଲକରେ ଜିଲ୍ଲାପାଳ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମରାମତି ଖର୍ଚ୍ଚ ତୁରନ୍ତ ପ୍ରଦାନ କରିବାକୁ ସମସ୍ତ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରେ ଜିଲ୍ଲାପାଳ ମଙ୍ଗରାଜପୁର ଠାରେ ପୋଲିସ ବାରାକ୍ ପରିଦର୍ଶନ କରି ଏହାର ମରାମତି ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ । ପରେ ପରେ ଜିଲ୍ଲାପାଳ ପାରାଦ୍ୱୀପ କୋଭିଡ୍ ହସ୍‌ପିଟାଲ ପରିଦର୍ଶନ କରି ଏହାର କାର୍ଯ୍ୟ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ପାରାଦ୍ୱୀପରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିଲେ ।

ପାରାଦ୍ୱୀପ ଟ୍ରେଡ୍ ସେଣ୍ଟରରେ ହୋଇଥିବା କୋଭିଡ୍ କେୟାର ସେଣ୍ଟର ବୁଲି ଦେଖିଥିଲେ । ପାରାଦ୍ୱୀପ କୋଭିଡ୍ କେୟାର କେନ୍ଦ୍ରରେ ପ୍ରାଥମିକ ଭାବେ ୧୦୦ ଶଯ୍ୟା ପ୍ରସ୍ତୁତ କରାଯିବ ଓ ପରେ ଆହୁରି ବୃଦ୍ଧି କରାଯାଇ ୨୦୦ ଶଯ୍ୟା ବିଶିଷ୍ଟ କରାଯିବ । ପାରାଦ୍ୱୀପରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ଓ ଘରୋଇ ସଂସ୍ଥା ଗୁଡିକ ନିଜ କର୍ମଚାରୀଙ୍କ ପାଇଁ କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ କରିବା ପାଇଁ ସମସ୍ତ ଶିଳ୍ପ ସଂସ୍ଥା ଓ କଂପାନୀ ମାନଙ୍କ ସହିତ ଆଲୋଚନା କରିବାକୁ ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀରଙ୍କୁ ପରାମର୍ଶ ଦେଇଥିଲେ ।

ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀର, କୋଭିଡ୍ ହସ୍‌ପିଟାଲର ଚିକିତ୍ସକ ଡା.ବି.କେ.ରାଉତ, କୁଜଙ୍ଗ ବି.ଡି.ଓ, ନିର୍ବାହୀ ଅଧିକାରୀ ପୈାର ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ରୋଗୀଙ୍କ ଭଲମନ୍ଦ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଫୋକସରେ 5 ଜିଲ୍ଲା

ଭୁବନେଶ୍ବର, କୋଭିଡ ରୋଗୀଙ୍କ ସୁବିଧା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେବାକୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିବା ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଛନ୍ତି। କୋଭିଡ ଯୋଦ୍ଧାମାନଙ୍କ ମନୋବଳ ଯେପରି ଅତୁଟ ରହିବ ସେଥିପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ।

CM's Relief Fund must be allowed to accept grants from pvt co ...

ପରୀକ୍ଷା ପାଇଁ ଅଧିକ ଲାବୋରେଟୋରୀ ଟେକନିସିଆନ ଓ ଅଧିକ ଆମ୍ବୁଲାନ୍‌ସ ମୁତୟନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ସତ୍କାର କରାଯିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ବିଷୟଗୁଡ଼ିକ ଉପରେ କୋଭିଡ ଯୋଦ୍ଧାମାନଙ୍କୁ ନିୟମିତ ତାଲିମ ଓ ଉତ୍ତମ ଖାଦ୍ୟ ଯୋଗାଣ ପାଇଁ ସେ ବୈଠକରେ ଜୋର୍ ଦେଇଛନ୍ତି।

ରାଜ୍ୟର 5ଟି ଜିଲ୍ଲା ଗଞ୍ଜାମ,କଟକ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧାରେ ଅଧିକ ପ୍ରବାସୀଙ୍କ ଆଗମନ ତଥା ଯିବା ଆସିବା କାରଣରୁ ପରିସ୍ଥିତି ଗମ୍ବୀର ରହିଛି। ତେଣୁ ଏହିସବୁ ଜିଲ୍ଲା ଉପରେ ଅଧିକ ଫୋକସ୍‌ କରାଯାଇ ପଦକ୍ଷେପ ନିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ଅଧିକ ମାନବ ସମ୍ବଳ ସହିତ ଅଧିକ ଭେଣ୍ଟିଲେଟର, ଆମ୍ବୂଲାନ୍ସ, ଶଯ୍ୟା ଆଦିର ବ୍ୟବସ୍ଥା କରି ସମସ୍ତ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ ମୁକାବିଲା ପାଇଁ ଥିବା ସମସ୍ତ ନୀତି ଓ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଛି।