କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପଦକ୍ଷେପ, ପାରାଦ୍ଵୀପ କୋଭିଡ୍ କେୟାର କେନ୍ଦ୍ରରେ ଶଯ୍ୟାସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ

Published: Jul 15, 2020, 4:59 pm IST

ରମେଶ ମହାନ୍ତି

ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାକୁ ଗତକାଲି ସୁଦ୍ଧା ୧୭, ୯୧୪ ଜଣ ପ୍ରବାସୀ
ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ବିଭିନ୍ନ ବ୍ଲକକୁ ୧୬,୪୫୨ ଜଣ ଆସିଥିବା ବେଳେ ପାରାଦ୍ୱୀପ ଓ ଜଗତସିଂହପୁର ପୈାରାଚଂଳକୁ ୧୪୬୨ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୧୭, ୧୧୧ ଜଣଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଛାଡି ଦିଆଯାଇଥିବା ବେଳେ ୮୦୩ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି । ଜିଲ୍ଲାରେ ଗତକାଲି ସୁଦ୍ଧା  ୧୧,୬୩୩ ଟି ସ୍ୱାବ ସଂଗ୍ରହ ହୋଇଥିବା ବେଳେ ସେଥି ମଧ୍ୟରୁ ୧୦, ୬୩୩ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଛି, ୪୧୧ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

୧୦୪ ଜଣ ଆକ୍ରାନ୍ତ କିମ୍‌ସ ଓ କୋଭିଡ୍ ହସ୍‌ପିଟାଲ,ପାରାଦ୍ୱୀପରେ ଚିକିତ୍ସିତ ହେଉଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାପାଳ  ସଂଗ୍ରାମ କେଶରୀ ମହାପାତ୍ର ଗତକାଲି କୁଜଙ୍ଗ ବ୍ଲକ ଓ ପାରାଦ୍ୱୀପ କୋଭିଡ୍ ହସ୍ପିଟାଲ ଗସ୍ତ କରିଥିଲେ । କୁଜଙ୍ଗ ବ୍ଲକରେ ଜିଲ୍ଲାପାଳ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମରାମତି ଖର୍ଚ୍ଚ ତୁରନ୍ତ ପ୍ରଦାନ କରିବାକୁ ସମସ୍ତ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରେ ଜିଲ୍ଲାପାଳ ମଙ୍ଗରାଜପୁର ଠାରେ ପୋଲିସ ବାରାକ୍ ପରିଦର୍ଶନ କରି ଏହାର ମରାମତି ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ । ପରେ ପରେ ଜିଲ୍ଲାପାଳ ପାରାଦ୍ୱୀପ କୋଭିଡ୍ ହସ୍‌ପିଟାଲ ପରିଦର୍ଶନ କରି ଏହାର କାର୍ଯ୍ୟ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ପାରାଦ୍ୱୀପରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିଲେ ।

ପାରାଦ୍ୱୀପ ଟ୍ରେଡ୍ ସେଣ୍ଟରରେ ହୋଇଥିବା କୋଭିଡ୍ କେୟାର ସେଣ୍ଟର ବୁଲି ଦେଖିଥିଲେ । ପାରାଦ୍ୱୀପ କୋଭିଡ୍ କେୟାର କେନ୍ଦ୍ରରେ ପ୍ରାଥମିକ ଭାବେ ୧୦୦ ଶଯ୍ୟା ପ୍ରସ୍ତୁତ କରାଯିବ ଓ ପରେ ଆହୁରି ବୃଦ୍ଧି କରାଯାଇ ୨୦୦ ଶଯ୍ୟା ବିଶିଷ୍ଟ କରାଯିବ । ପାରାଦ୍ୱୀପରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ଓ ଘରୋଇ ସଂସ୍ଥା ଗୁଡିକ ନିଜ କର୍ମଚାରୀଙ୍କ ପାଇଁ କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ କରିବା ପାଇଁ ସମସ୍ତ ଶିଳ୍ପ ସଂସ୍ଥା ଓ କଂପାନୀ ମାନଙ୍କ ସହିତ ଆଲୋଚନା କରିବାକୁ ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀରଙ୍କୁ ପରାମର୍ଶ ଦେଇଥିଲେ ।

ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧୀର, କୋଭିଡ୍ ହସ୍‌ପିଟାଲର ଚିକିତ୍ସକ ଡା.ବି.କେ.ରାଉତ, କୁଜଙ୍ଗ ବି.ଡି.ଓ, ନିର୍ବାହୀ ଅଧିକାରୀ ପୈାର ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ ।

Related posts