Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଶିକ୍ଷକ କର୍ମଚାରୀମାନଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବା ଦାବି

ଭୁବନେଶ୍ୱର: ଆମ ରାଜ୍ୟରେ ବର୍ତ୍ତମାନ କରୋନା ହୁ ହୁ ହୋଇ ମାଡ଼ିଚାଲିଛି। ଆସନ୍ତା ଫେବୃୟାରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ନିୟୋଜିତ ଶିକ୍ଷକ କର୍ମଚାରୀମାନଙ୍କୁ କରୋନା ବୁଷ୍ଟର ଡ଼ୋଜ ଟୀକାକରଣ ସୁନିଶ୍ଚିତ କରିବା ସହିତ ସେମାନଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସହିତ ଆଜି ଆଲୋଚନାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ନିବେଦନ କରାଯାଇଛି। ଶିକ୍ଷକ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେମାନଙ୍କ ମୃତ୍ୟୁ ହେଲେ ସେମାନଙ୍କ ପାଇଁ ୫୦ ଲକ୍ଷ ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଉ ଓ ସେମାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ଦେବାକୁ ସଂଘ ଦାବି କରିଛି।

ଆଜି ପର୍ଯ୍ୟନ୍ତି ଯେତେଥର ନିର୍ବାଚନ ହୋଇଛି, ସେଥିରେ ନିୟୋଜିତ ଶିକ୍ଷକ କର୍ମଚାରୀମାନଙ୍କୁ ମାଲବୁହା ଗାଡ଼ି ଯଥା-ଟ୍ରକ, ଟାଟାଏସି, ୪୦୭ ଓ ଡ଼ାଲାଅଟୋ ଭଳି ଗାଡ଼ିରେ ନିଆଯାଇଛି। କିନ୍ତୁ ଏଗୁଡ଼ିକୁ ତୁରନ୍ତ ନିଷିଦ୍ଧ କରାଯାଇ ପୁଲିଂ ପାର୍ଟିମାନଙ୍କ ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ ସେମାନଙ୍କୁ ଯାତ୍ରୀବାହୀ ଯାନର ସୁବ୍ୟବସ୍ଥା କରାଯାଉ। ପୁଲିଂ ପାର୍ଟିମାନଙ୍କର ରହଣୀସ୍ଥଳରେ ନିରାପଦ ଗୃହ, ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ୍ ଓ ଶୌଚାଳୟର ସୁବନ୍ଦୋବସ୍ତ କରିବା ପାଇଁ ସଂଘ ଦାବି କରିଛି। ପୁଲିଂ ପାର୍ଟିମାନଙ୍କର ଯେପରି ଯାତାୟତ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସମସ୍ୟା ନ ଉପୁଜେ, ସେଥିପ୍ରତି ଦୃଷ୍ଟି ଦେବାକୁ ସଂଘ ତରଫରୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରାଯାଇଛି।

ପ୍ରାଥମିକ ବିିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶାର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏକ ୭ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ୩ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ଟୁଲୁ ଦେଇ, ଜିତେନ୍ଦ୍ର କୁମାର ନାୟକ, ସୁବାସ ଚନ୍ଦ୍ର ଦାସ ଓ ତପନ ମେକପ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ-୧୯ ବିରୋଧରେ ଲଢ଼ୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ବୀମା ରାଶି ୪୮ ଘଣ୍ଟା ମଧ୍ୟରେ ମଞ୍ଜୁରି ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ସମ୍ମୁଖ ଭାଗରେ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କର ସୁରକ୍ଷାକୁ କେନ୍ଦ୍ର ସରକାର ଗୋଟିଏ ବର୍ଷର ଅବଧି ଲାଗି ଏହି ବୀମା ଯୋଜନାକୁ ସମ୍ପ୍ରସାରିତ କରିଛନ୍ତି। ଏହାଛଡ଼ା ଏଥିରେ ସେହି ସ୍ୱାସ୍ଥ୍ୟ କର୍ମୀମାନଙ୍କର ଆଶ୍ରିତମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଜାରି ରହିବ। ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(ପିଏମଜିକେପି) ଅନ୍ତର୍ଗତ କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୀମା ଯୋଜନା’କୁ ୩୦ ମାର୍ଚ୍ଚ, ୨୦୨୦ରେ ଆରମ୍ଭ କରଯାଇଥିଲା।

ଏହି ଯୋଜନାକୁ ପ୍ରାରମ୍ଭରେ ୯୦ ଦିନ ପର‌୍ୟ୍ୟନ୍ତ ଅବଧି ଲାଗି ୫୦ ଲକ୍ଷ ଟଙ୍କାର ବ୍ୟାପକ ବ୍ୟକ୍ତିଗତ ଦୁର୍ଘଟଣା କଭର ପ୍ରଦାନ କରିବା ନିମନ୍ତେ ଆରମ୍ଭ କରାଯାଇଥିଲା। ଏହାର ହିତାଧିକାରୀମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଓ ଘରୋଇ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନଙ୍କୁ ସାମିଲ କରାଯାଇଥିଲା। ସରକାର ଏହି ଯୋଜନାକୁ କୋଭିଡ ରୋଗୀଙ୍କ ଯତ୍ନ ନେବା ଲାଗି ତଥା ସେହି ଲୋକମାନଙ୍କ ପାଇଁ ପ୍ରସ୍ତୁତ କରିଥିଲେ ଯେଉଁମାନେ କୋଭିଡ ୧୯ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଛନ୍ତି ଏବଂ ସେମାନେ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଥିଲା। ନ୍ୟୁ ଇଣ୍ଡିଆ ଆସ୍ୟୋରାନ୍ସ କମ୍ପାନୀ (ଏନଆଇଏସିଏଲ)ର ବୀମା ପଲିସି ଜରିଆରେ ଏହାକୁ କାର‌୍ୟ୍ୟକାରୀ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ବୀମା ପଲିସିକୁ ଦୁଇଥର ସମ୍ପ୍ରସାରଣ କରାଯାଇ ସାରିଲାଣି।
ରାଜ୍ୟ ଓ ଅନ୍ୟ ଅଂଶୀଦାରମାନେ ବୀମା ଦାବିରେ ବିଳମ୍ବ ହେଉଥିବା ଅଭିଯୋଗ ଆଣିଛନ୍ତି। ଏହି ବିଳମ୍ବକୁ ଦୂର କରିବା ଏବଂ ବୀମା ଦାବି ପୂରଣ କରିବା କାର‌୍ୟ୍ୟକୁ ସୁସଂଗତ ଓ ସରଳ କରିବାକୁ ନେଇ ଦାବି ଅନୁମୋଦନ ଲାଗି ଏକ ନୂଆ ପ୍ରଣାଳୀ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ଅନ୍ତର୍ଗତ ଜିଲ୍ଲାପାଳଙ୍କ ସ୍ତରରେ ରାଜ୍ୟ ସରକାର ଯଥାସମ୍ଭବ ତତ୍ପରତାର ସହିତ କାମ କରିପାରିବେ।

ଜିଲ୍ଲାପାଳ ପ୍ରତ୍ୟେକ ମାମଲାର ଯାଞ୍ଚ କରିବେ ଏବଂ ବୀମାର ଦାବି ଯୋଜନା ମାନକ ପରିଚାଳନା ପଦ୍ଧତି (ଏସଓପି) ଅନୁଯାୟୀ ହୋଇଛି କି ନାହିଁ ତାହା ପ୍ରମାଣିତ କରିବେ। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ପ୍ରମାଣପତ୍ର ଆଧାରରେ ବୀମା କମ୍ପାନୀ ୪୮ ଘଣ୍ଟାର ଅବଧି ମଧ୍ୟରେ ଦାବି ଅନୁମୋଦନ ଓ ଏହାକୁ ପୂରଣ କରିବେ। ଏହାବ୍ୟତୀତ, ବ୍ୟବସ୍ଥିତ ଓ ତ୍ୱରିତ ସମାଧାନ ଲାଗି ଜିଲ୍ଲାପାଳ ମଧ୍ୟ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ ଡାକ୍ତରଖାନା ଏମ୍ସ କିମ୍ବା ରେଳବାଇ ଆଦି ପକ୍ଷରୁ ଆସୁଥିବା ମାମଲାରେ ମଧ୍ୟ ଜିଲ୍ଲାପାଳ ବୀମା ଦାବିଗୁଡ଼ିକୁ ପ୍ରମାଣିତ କରିବେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହିତ ତୁରନ୍ତ ଏହାକୁ କାର‌୍ୟ୍ୟକାରୀ କରିବା ନିମନ୍ତେ କୁହାଯାଇଛି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକା ନିର୍ବାଚନମଣ୍ଡଳୀରେ ୨୮୩ ଜଣ ଆଗଧାଡିର କୋଭିଡ ଯୋଦ୍ଧା ନେଲେ କରୋନା ଟିକା

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା କାଳରେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇଥିବା ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କୁ ଆଜି ସାରା ରାଜ୍ୟରେ  କରୋନା ଟିକା ପ୍ରଦାନ କରାଯାଉଛି। ପ୍ରଥମ ପର୍ଯାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏହି ଟିକାକରଣରେ ସାମିଲ କରାଯାଇଥିବାବେଳେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଆଗଧାଡିର କୋଭିଡ ଯୋଦ୍ଧାମାନେ କରୋନା ଟିକା ନେଉଛନ୍ତି।

ଏହି  ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା  ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ଉକ୍ତ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଅଛି। ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ ଚିଲିକା ବ୍ଲକ କାର୍ଯ୍ୟାଳୟ ପରିସରରେ ଟିକାକାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମେ ଚିଲିକା ବ୍ଲକ କାର୍ଯ୍ୟାଳୟ ସୁରକ୍ଷାକର୍ମୀ ପବିତ୍ର କୁମାର ପ୍ରଧାନ ଟିକା ନେବା ପରେ ଅନ୍ୟ ଅଧିକାରୀମାନେ ଯଥା ଚିଲିକା ବିଡ଼ିଓ,ଏବିଡ଼ିଓ, ତହସିଲଦାର, ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଆଦି କୋଭିଡ଼ ଟିକା ନେଇଥିଲେ।

ତେବେ ଚିଲିକାରେ ଆଜି ସମୁଦାୟ ୧୦୮ଜଣ କରୋନା ଯୋଦ୍ଧା ଟିକା ନେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ବାଲୁଗାଁ ଏନ.ଏ.ସି, ବାଲୁଗାଁ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ରହିଯାଇଥିବା ଅବଶିଷ୍ଟ କୋଭିଡ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଡ. ପଟ୍ଟନାୟକ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଆଜି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁରର ନେହେରୁ ସେବା ସଂଘ ସମେତ ଗମ୍ଭାରୀମୁଣ୍ଡା ଏବଂ ନୀଳାଦ୍ରିପ୍ରସାଦରେ ଏକାକାଳୀନ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା ଟିକା ନେବା ପରେ ଅନ୍ୟ ଅଧିକାରୀମାନେ ଯଥା ବାଣପୁର ଏବିଡ଼ିଓ, ଅଗ୍ନିଶମ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଏନ.ଏ.ସି କର୍ମଚାରୀ, ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ, ପୋଲିସ ଗୃହରକ୍ଷୀମାନେ  ଏବଂ  ଅଗ୍ନିଶମ ବିଭାଗର କର୍ମଚାରୀମାନେ କୋଭିଡ ଟିକା ଗ୍ରହଣ କରିଥିଲେ।

ତେବେ ବାଣପୁରରେ ୯୭ ଜଣ, ଗମ୍ଭାରୀମୁଣ୍ଡାରେ ୭0 ଜଣ, ନୀଳାଦ୍ରିପ୍ରସାଦ ରେ ୧୦ ଜଣ ଏଭଳି ସମୁଦାୟ ୧୭୭  ଜଣ କରୋନା ଯୋଦ୍ଧାମାନେ ଆଜି ଟିକା ନେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ବିଭିନ୍ନ ବିଭାଗର  ରହିଯାଇଥିବା ଅବଶିଷ୍ଟ କୋଭିଡ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଡ଼ା ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ଏବଂ ବାଲୁଗାଁର କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ମିଳିଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା 

ଖୋର୍ଦ୍ଧା: କୋଭିଡ଼ ଯୋଗୁଁ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସମ୍ପୃକ୍ତ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆବଶ୍ୟକ ରାଶି ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ବାଣପୁର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଏଏସଆଇ ସ୍ଵର୍ଗତ ମୁରଲୀଧର ବଳିଆରସିଂହଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସେହିପରି ଭୁବନେଶ୍ଵର ରିଜର୍ଭ ବାଟାଲିଅନର ପୂର୍ବତନ କନେଷ୍ଟବଳ ସ୍ଵର୍ଗତ ଆଶିଷ କୁମାର ମହାକୁଳଙ୍କ ପତ୍ନୀ ମାନସୀଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଥିବା ବେଳେ ବାଲିଅନ୍ତା ବ୍ଲକ ବଇଁଚୁଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ଵର୍ଗତ ବିଜୟ କୁମାର ସାହୁଙ୍କ ପତ୍ନୀ ବିଜୁଳିବତୀଙ୍କୁ ଏବଂ ବାଲୁଗାଁ ଏନଏସିର ଡ୍ରାଇଭର ସ୍ଵର୍ଗତ କବିନ୍ଦ୍ର କୁମାର ଜାଲିଙ୍କ ପତ୍ନୀ ଜ୍ୟୋତିର୍ମୟୀଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଭବାନୀପାଟଣା: ଅସ୍ଥାୟୀ କୋଭିଡ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଲେ କୋଭିଡ ଯୋଦ୍ଧା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସମଗ୍ର ଦେଶରେ ମହାମାରୀର ରୂପ ନେଇ ଥିବା କୋଭିଡ-୧୯ ର ମୁକାବିଲା ପାଇଁ ସରକାର ଯୁଦ୍ଧ କାଳୀନ ଭିତ୍ତିରେ କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଅସ୍ଥାୟୀ ଡାକ୍ତର ଖାନା ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି କରିଥିଲେ। କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀ ମାନେ ନିଜ ଜୀବନକୁ ବିପନ୍ନ କରି ଦିନରାତି ସଂକ୍ରମିତ ରୋଗୀ ମାନଙ୍କ ସେବା ପ୍ରଦାନ କରିଥିଲେ। ରାଜ୍ୟ ସରକାର ଏହି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ କୋଭିଡ ସଂକ୍ରମଣ କମିବା ପରେ ରାଜ୍ୟ ସରକାର ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି ଫଳରେ ଏହି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନେ ଭବାନୀପାଟଣା ସ୍ଥିତ ଅସ୍ଥାୟୀ କୋଭିଡ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଜିଲ୍ଲାରେ ନିଯୁକ୍ତ ୭୨ ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି। ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ପଜେଟିଭରୁ ନେଗେଟିଭ୍ ହେବା ପରେ ପୁଣି ଥରେ କାର୍ଯ୍ୟରେ ଯୋଗଦେଲେ କୋଭିଡ ଯୋଦ୍ଧା

ବ୍ରହ୍ମପୁର, ଗଂଜାମ ପୋଲିସରେ ପୁଣିଥରେ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ସାହାସ ବୃଦ୍ଧି ପାଇଛି। କାରଣ ହେଲା ନିକଟରେ କୋଭିଡ19 ଆକ୍ରାନ୍ତ ହୋଇପଡିଥିବା 7 ଜଣ ପୋଲିସ ଅଫିସର ଭଲ ହୋଇ ପୁଣି କାମରେ ଯୋଗ ଦେଇଛନ୍ତି। ଗଂଜାମରେ ଯେପରି କରୋନା ଭାଇରସ ସଂକ୍ରାମିତ ହେବାରେ ଲାଗିଛି ସେଥିରେ ଏହି କୋଭିଡ ଯୋଦ୍ଧାମାନେ ମଧ୍ୟ ଛାଡ ପାଇ ନାହାଁନ୍ତି। ଡାକ୍ତର ନର୍ସଙ୍କଠାରୁ ଆରମ୍ଭ କରି ପୋଲିସ ଅଫିସର ଏବଂ ଆଶା କର୍ମିମାନେ ଏହି ଭାଇରସ ଦ୍ବାରା ଆକ୍ରନ୍ତ ହେବାରେ ଲାଗିଛନ୍ତି।

ସେହିପରି ଗଂଜାମ ପୋଲିସ ଅଧିନରେ ଥିବା ଭଂଜନଗର ଥାନାର ସାତ ଜଣ ପୋଲିସ ଅଧିକାରୀ କୋଭିଡ ଆକ୍ରାନ୍ତ ହୋଇପଡିଲେ। ତାଙ୍କର ନମୂନା ପଜେଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ହେବା ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଲା। ଏହି ରିପୋର୍ଟ ଆସିବା ପରେ ପରେ ସେମାନେ ତୁରନ୍ତ କାମରେ ଯୋଗ ଦେଇଛନ୍ତି। ସେଥିପାଇଁ ଗଂଜାମ ପୋଲିସ ତରଫରୁ ତାଙ୍କୁ ସ୍ବାଗତ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ19 ମୁକାବିଲା କରିବା ପାଇଁ ବିଧାୟକଙ୍କୁ ସଚେତନ କଲେ ମୁଖ୍ୟମନ୍ତ୍ରୀ, ବୈଠକରେ କଣ କହିଲେ ଜାଣନ୍ତୁ

ଭୁବନେଶ୍ବର, ଲୋକଙ୍କ ଜୀବନ ରକ୍ଷା ହେଉଛି ଆମର ପ୍ରାଥମିକତା । ତେଣୁ ଲୋକଙ୍କ ଜୀବନ ରକ୍ଷାରେ ସମ୍ବଳ କେବେ ବି ବାଧକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୃଢତାର ସହ ଘୋଷଣା କରିଛନ୍ତି। କୋଭିଡ-୧୯ ସଂପର୍କରେ ବିଧାୟକମାନଙ୍କ ଏକ ସଚେତନତା କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସମ୍ବଳର କେବେ ବି ଅଭାବ ରହିବ ନାହିଁ।

କୋଭିଡ ଯୋଦ୍ଧା ମାନଙ୍କର ନିଷ୍ଠା ଓ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ କୋଭିଡ ଯୋଦ୍ଧା ଭାବରେ କାମ କରୁଥିବା ଓଡିଆ ଭାଇଭଉଣୀ ମାନେ ଦରମା ପାଇଁ ନୁହେଁ, ଏହି ଲଢେଇକୁ ଏକ ମିଶନ ଭାବରେ ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନରାତି ସେବା ଯୋଗାଇ ଚାଲିଛନ୍ତି। ସେମାନଙ୍କ ତ୍ୟାଗ ଓ ନିଷ୍ଠା ସାରା ଓଡିଶା ପାଇଁ ପ୍ରେରଣା। ସେମାନଙ୍କ ଭିତରେ, ସେମାନଙ୍କ ତ୍ୟାଗରେ ଜଣେ ଜଣେ ଗୋପବନ୍ଧୁ ଦାସ, ମଧୁବାବୁ, ମା ରମାଦେବୀ ଓ ପାର୍ବତୀ ଗିରି ଭଳି ମହାନ୍ ଦେଶସେବକ ରହିଛନ୍ତି। ସେହି ଯୋଦ୍ଧା ମାନଙ୍କ ତ୍ୟାଗକୁ ଓଡିଆ ଜାତି ସବୁଦିନ ପାଇଁ ମନେ ରଖିବ ଏବଂ ଏହା ଭବିଷ୍ୟତ ପୀଢିକୁ ପ୍ରେରଣା ଦେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବାପାଇଁ ସେ ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥା ହେଉଛନ୍ତି। ଏହି କଷ୍ଟସାଧ୍ୟ ଲଢେଇରେ ସେମାନଙ୍କ ମନୋବଳକୁ ଉଚ୍ଚ ରଖିବା ପାଇଁ ସେମାନଙ୍କ ତ୍ୟାଗକୁ ଆମେ ସମସ୍ତେ ସମ୍ମାନ ଜଣାଇବା ସହିତ ପୁରା ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ନିବେଦନ କରିଥିଲେ।
ଓଡିଶା ଆଜି ଏହି ଆହ୍ବାନକୁ ଦୃଢତାର ସହ ମୁକାବିଲା କରୁଛି । ଏହି ଲଢେଇରେ ସାମିଲ ହୋଇ ଆଗ ଧାଡିରେ ରହି ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ ଜାରି ରଖିଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର କୃତଜ୍ଞତା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ କଠିର ପରିଶ୍ରମ, ତ୍ୟାଗ ଯୋଗୁ ଆଜି ଆମ ରାଜ୍ୟର ୧୮ ହଜାର ଲୋକ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଆମେ ଅଧିକ ଲୋକଙ୍କ ଜୀବନ ରକ୍ଷା କରିପାରିଛୁ । ଏକ ଅନିଶ୍ଚିତ ପରିବେଶ ଭିତରେ ନିରନ୍ତର ଭାବରେ କାମ କରିବା ସହଜ କଥା ନୁହେଁ । କିନ୍ତୁ ନିଜେ ସଂକ୍ରମିତ ହେବା ସତ୍ତ୍ବେ ନିଜ ପରିବାର ଲୋକମାନେ ସଂକ୍ରମିତ ହେବା ସତ୍ତ୍ବେ ଏବଂ ଅନେକ କ୍ଷେତ୍ରରେ ନିଜେ ମୃତ୍ୟୁବରଣ କରୁଥିଲେ ମଧ୍ୟ, ଆମର କୋଭିଡ ଯୋଦ୍ଧା ମାନେ ଯେଭଳି ବୀରତ୍ବର ସହ ଗତ ୧୫୦ ଦିନ ହେଲା କାମ କରିଚାଲିଛନ୍ତି, ତାର ପଟାନ୍ତର ନାହିଁ ।

ଗତ ମାର୍ଚ୍ଚ ୧୩ ତାରିଖରେ ରାଜ୍ୟ ବିଧାନସଭାରେ ତାଙ୍କ ସମ୍ବୋଧନ ବିଷୟରେ ସ୍ମରଣ କରାଇ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପୃଥିବୀ ଇତିହାସରେ ବହୁତ କମ୍ ସମୟ ମାନବଜାତି ତା କଳ୍ପନା ବାହାରେ ଏଭଳି ଏକ ଆହ୍ବାନର ସମ୍ମୁଖୀନ ହେଇଛି । ପ୍ରାୟ ଗତ ୫ ମାସ ହେଲା ସାରା ବିଶ୍ବର ବିଭିନ୍ନ ଦେଶକୁ ଏହି ମହାମାରୀ ପ୍ରଭାବିତ କରିଛି। ଏପରିକି ଯେଉଁ ଦେଶମାନେ ମହାମାରୀରୁ ମୁକ୍ତ ହୋଇସାରିଥିଲେ, ସେମାନେ ମଧ୍ୟ ପୁଣି ଥରେ ତା କବଳକୁ ଆସିଯାଇଛନ୍ତି। ଭାରତର ପ୍ରତ୍ୟେକ ରାଜ୍ୟ ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ପ୍ରତି ଦୁଇ ଦିନରେ ଏକ ଲକ୍ଷ ନୂଆ ସଂକ୍ରମିତ ସୃଷ୍ଟି ହେଉଛନ୍ତି। ଭାରତ ଆଜି ବିଶ୍ବର ତୃତୀୟ ସ୍ଥାନରେ ଅଛି ।

ଓଡିଶାରେ କୋଭିଡ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାତ୍ରାରୁ ସଂଗରୋଧ, ପରୀକ୍ଷା, Tracing, ଚିକିତ୍ସା,ଖାଦ୍ୟ, ରହଣୀ ସବୁକିଛି ଏଠାରେ କୋଭିଡ ରୋଗୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । ଯେତେବେଳେ ଅନ୍ୟ ରାଜ୍ୟର ଡାକ୍ତରଖାନା ଗୁଡିକ କୋଭିଡ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦାବୀ କରୁଛନ୍ତି, ଓଡିଶା ସରକାର ସବୁକିଛି ମାଗଣାରେ ଯୋଗାଉଛନ୍ତି। ସାରା ବିଶ୍ବରେ ଯେକୌଣସି ଅଞ୍ଚଳରେ କୋଭିଡ ରୋଗ ପାଇଁ ଶ୍ରେଷ୍ଠ ଚିକିତ୍ସା ମିଳୁଛି, ତାକୁ ଆମେ ଓଡିଶାରେ କାର‌୍ୟ୍ୟକାରୀ କରୁଛୁ ଏବଂ କେହି ଲୋକ ଯେପରି ଏହି ସୁବିଧାରୁ ବଞ୍ଚିତ ନ ହେବେ, ସେଥିପାଇଁ ମାଗଣାରେ ଯୋଗାଇ ଦେଉଛୁ ।

ଏହି ଅବସରରେ ପ୍ଲାଜମା ଚିକିତ୍ସା ପଦ୍ଧତିର ଉତ୍ସାହଜନକ ସଫଳତା ଏବଂ କୋଭିଡ ଟୀକା ସଂପର୍କରେ Serum Instituteର CEOଙ୍କ ସହ ତାଙ୍କ ଆଲୋଚନା ବିଷୟରେ ମୁଖ୍ୟମନ୍ତ୍ରୀ ଅବତାରଣା କରିଥିଲେ। ମହାମାରୀର କୁପ୍ରଭାବ ସଂପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଏହି ମହାମାରୀ ଦ୍ବାରା ପୃଥିବୀର ପ୍ରତ୍ୟେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସ୍ଥାନୀୟ, ଜାତୀୟ ଏବଂ ବିଶ୍ବସ୍ତରରେ ଅର୍ଥନୀତିକୁ ଏହା ବିପୁଳ ଭାବରେ କ୍ଷତିଗ୍ରସ୍ତ କରିଛି । ଆମ ରାଜ୍ୟ ଓଡିଶା ବିଭିନ୍ନ ଜୀବିକା କାର‌୍ୟ୍ୟକ୍ରମ ତଥା ଶିଳ୍ପ ପାଇଁ କିଛି ନୂଆ ଉଦ୍ୟମ ଜରିଆରେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଉଦ୍ୟମ କରିଛି । ଏହା ଫଳପ୍ରଦ ହେବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଅତୀତରେ ଓଡିଶା ଅନେକ ବିପର‌୍ୟ୍ୟୟର ମୁକାବିଲା କରିଛି। ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଏବଂ ପୁଣିଥରେ ଦୃଢ ଭାବରେ ପୂର୍ବ ସ୍ଥିତିକୁ ଫେରିଆସିବାର ଶକ୍ତି ପ୍ରତିଟି ଓଡିଆଙ୍କ ରକ୍ତରେ ରହିଛି । ମହାମାରୀ ଚାଲିଯିବା ପରେ ଓଡିଶା ଅଧିକ ଦୃଢ ଓ ସମୃଦ୍ଧ ଭାବରେ ତାର ସ୍ଥିତି ଜାହିର କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାପୋଷଣା କରିଥିଲେ।

ଏହି ଅବସରରେ ବିଧାନସଭାର ମାନ୍ୟବର ବିଧାୟକ ମାନେ ବ୍ୟକ୍ତିଗତଭାବେ ନିଜର ଯତ୍ନ ନେବା ସହିତ ସେମାନଙ୍କ ଅଞ୍ଚଳରେ ଏହି ପରିସ୍ଥିତିରେ ପ୍ରେରଣାଦାୟୀ ନେତୃତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। କୋଭିଡରେ ସଂକ୍ରମିତ ହୋଇଥିବା ୩ ଜଣ ବିଧାୟକ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦବ୍ୟକ୍ତ କରିଥିଲେ ।

ବିଧାୟକମାନେ ସେମାନଙ୍କ ଅଞ୍ଚଳରେ କୋଭିଡ ଯୋଦ୍ଧା ମାନଙ୍କର ଯତ୍ନ ନେବା ସହିତ ପ୍ଲାଜମା ଦାନକୁ ଉତ୍ସାହିତ କରିବା ଏବଂ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହାତ ଧୋଇବା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟର ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ କୋଭିଡ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ସେ କହିଥିଲେ ଯେ ପ୍ରାକୃତିକ ବିପର‌୍ୟ୍ୟୟ ହେଉ, ବା ମହାମାରୀ ପ୍ରତ୍ୟେକଟି ମଣିଷର ଜୀବନ ରକ୍ଷା କରିବା ତାଙ୍କର ପ୍ରାଥମିକ ଦାୟିତ୍ବ। ସରକାର କୋଭିଡ ନିୟମାବଳୀକୁ କାର‌୍ୟ୍ୟକାରୀ କରିବା ପାଇଁ ସବୁ ଘରେ ବା ସବୁ ରାସ୍ତାରେ ରହିବା ସମ୍ଭବ ନୁହେଁ । ସମସ୍ତେ ଏକାଠି ହୋଇ ଏହି ମହାମାରୀ ବିରୁଦ୍ଧରେ ଲଢେଇ କରିବା ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଦାୟିତ୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।