ଚିଲିକା ନିର୍ବାଚନମଣ୍ଡଳୀରେ ୨୮୩ ଜଣ ଆଗଧାଡିର କୋଭିଡ ଯୋଦ୍ଧା ନେଲେ କରୋନା ଟିକା

Published: Feb 6, 2021, 5:42 pm IST

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା କାଳରେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇଥିବା ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କୁ ଆଜି ସାରା ରାଜ୍ୟରେ  କରୋନା ଟିକା ପ୍ରଦାନ କରାଯାଉଛି। ପ୍ରଥମ ପର୍ଯାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏହି ଟିକାକରଣରେ ସାମିଲ କରାଯାଇଥିବାବେଳେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଆଗଧାଡିର କୋଭିଡ ଯୋଦ୍ଧାମାନେ କରୋନା ଟିକା ନେଉଛନ୍ତି।

ଏହି  ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା  ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ଉକ୍ତ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଅଛି। ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ ଚିଲିକା ବ୍ଲକ କାର୍ଯ୍ୟାଳୟ ପରିସରରେ ଟିକାକାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମେ ଚିଲିକା ବ୍ଲକ କାର୍ଯ୍ୟାଳୟ ସୁରକ୍ଷାକର୍ମୀ ପବିତ୍ର କୁମାର ପ୍ରଧାନ ଟିକା ନେବା ପରେ ଅନ୍ୟ ଅଧିକାରୀମାନେ ଯଥା ଚିଲିକା ବିଡ଼ିଓ,ଏବିଡ଼ିଓ, ତହସିଲଦାର, ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଆଦି କୋଭିଡ଼ ଟିକା ନେଇଥିଲେ।

ତେବେ ଚିଲିକାରେ ଆଜି ସମୁଦାୟ ୧୦୮ଜଣ କରୋନା ଯୋଦ୍ଧା ଟିକା ନେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ବାଲୁଗାଁ ଏନ.ଏ.ସି, ବାଲୁଗାଁ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ରହିଯାଇଥିବା ଅବଶିଷ୍ଟ କୋଭିଡ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଡ. ପଟ୍ଟନାୟକ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଆଜି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁରର ନେହେରୁ ସେବା ସଂଘ ସମେତ ଗମ୍ଭାରୀମୁଣ୍ଡା ଏବଂ ନୀଳାଦ୍ରିପ୍ରସାଦରେ ଏକାକାଳୀନ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା ଟିକା ନେବା ପରେ ଅନ୍ୟ ଅଧିକାରୀମାନେ ଯଥା ବାଣପୁର ଏବିଡ଼ିଓ, ଅଗ୍ନିଶମ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଏନ.ଏ.ସି କର୍ମଚାରୀ, ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ, ପୋଲିସ ଗୃହରକ୍ଷୀମାନେ  ଏବଂ  ଅଗ୍ନିଶମ ବିଭାଗର କର୍ମଚାରୀମାନେ କୋଭିଡ ଟିକା ଗ୍ରହଣ କରିଥିଲେ।

ତେବେ ବାଣପୁରରେ ୯୭ ଜଣ, ଗମ୍ଭାରୀମୁଣ୍ଡାରେ ୭0 ଜଣ, ନୀଳାଦ୍ରିପ୍ରସାଦ ରେ ୧୦ ଜଣ ଏଭଳି ସମୁଦାୟ ୧୭୭  ଜଣ କରୋନା ଯୋଦ୍ଧାମାନେ ଆଜି ଟିକା ନେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ବିଭିନ୍ନ ବିଭାଗର  ରହିଯାଇଥିବା ଅବଶିଷ୍ଟ କୋଭିଡ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଡ଼ା ମହାପାତ୍ର ସୂଚନା ଦେଇଛନ୍ତି।

Related posts