Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: କୋଭିଡ ସମେତ ସମସ୍ତ ଔଷଧପତ୍ର ମହଜୁଦ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଦେଶର କୋଭିଡ ପରିଚାଳନା ପାଇଁ ଔଷଧପତ୍ର ଉପଲବ୍ଧତା ସହ ଉତ୍ପାଦନ ସାମର୍ଥ୍ୟ ନେଇ ଔଷଧ କମ୍ପାନୀ ପ୍ରତିନିଧିଗଣଙ୍କ ସହ ଆଭାସୀ ମାଧ୍ୟମରେ ଆଜି (୨୯-୧୨.୨୦୨୨)  ସମୀକ୍ଷା କରିଛନ୍ତି। ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ନେଇ ପ୍ରସ୍ତୁତ ରହିବା ହେଉଛି ଏହି ସମୀକ୍ଷାର ଉଦ୍ଦେଶ୍ୟ। ବିଶ୍ୱବ୍ୟାପୀ କେତେକ ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପରିପ୍ରେକ୍ଷୀରେ ଏହି ସମୀକ୍ଷା କରାଯାଇଛି।

ଏକ ପରୀକ୍ଷାମୂଳକ ପ୍ରଦର୍ଶନ ମାଧ୍ୟମରେ ବୈଶ୍ୱିକ କୋଭିଡ ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଦେଶରେ କୋଭିଡ ବୈଶ୍ୱିକ ମହାମାରୀ କାଳରେ ଅମୂଲ୍ୟ ଅବଦାନ ପାଇଁ ଡକ୍ଟର ମନସୁଖ ମାଣ୍ଡଭିୟ ଔଷଧ କମ୍ପାନୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ। “ଭାରତୀୟ ଔଷଧ ପ୍ରସ୍ତୁତକାରୀ ଶିଳ୍ପ ସମୂହ ଦୃଢ, ନମନୀୟ ଓ ଦକ୍ଷ। ସେମାନଙ୍କ ମଜବୁତ ସ୍ଥିତି ଯୋଗୁଁ ବୈଶ୍ୱିକ ମହାମାରୀ କାଳରେ ଆମେ ନିଜର ଚାହିଦା ପୂରଣ କରିବା ସହ ୧୫୦ଟି  ଦେଶକୁ ଔଷଧପତ୍ର ପଠାଇ ପାରିଛୁ।” ଔଷଧପତ୍ରର ଦରଦାମ ବୃଦ୍ଧି ନ କରି ତଥା ଗୁଣାତ୍ମକ ମାନରେ କୌଣସି ସାଲିସ ନ କରି ଆମେ ଏହା କରିପାରିଛୁ ବୋଲି ସେ କହିଥିଲେ।

ଔଷଧ କମ୍ପାନୀଗୁଡିକୁ ବୈଶ୍ୱିକ ଯୋଗାଣ ବ୍ୟବସ୍ଥା ଉପରେ ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି। କୋଭିଡ ପରିଚାଳନା ପାଇଁ ଆବଶ୍ୟକୀୟ ଔଷଧ ଉତ୍ପାଦନ ଓ ଏ.ପି.ଆଇ. ଉପଲବ୍ଧତା ଉପରେ ମଧ୍ୟ ତୀକ୍ଷ୍ମ ଦୃଷ୍ଟି ଦେବାକୁ କୁହାଯାଇଛି। ପର୍ଯ୍ୟାପ୍ତ ଅନ୍ୟାନ୍ୟ ଔଷଧ ମହଜୁଦ୍ ରଖିବା ସହ କୋଭିଡ ଔଷଧର ପାଇକାରୀ ଯୋଗାଣ ଧାରା ଉପରେ ପଦକ୍ଷେପ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ସମୟୋଜିତ ସମୀକ୍ଷା ବୈଠକ ପାଇଁ ଔଷଧ ପ୍ରସ୍ତୁତିକାରୀ କମ୍ପାନୀମାନେ ପ୍ରଶଂସା କରିବା ସହ ସେମାନଙ୍କ ନିରବିଚ୍ଛିନ୍ନ ସମର୍ଥନ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। କୋଭିଡ ଔଷଧ ଯୋଗାଣ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସେମାନଙ୍କ ଦୃଢ ବିଶ୍ୱାସଥିବା ମଧ୍ୟ ଜଣାଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଫାର୍ମା ସଚିବ ଏସ. ଅପର୍ଣ୍ଣା, ଏନପିପିଏ ଅଧ୍ୟକ୍ଷ କମଳେଶ ପନ୍ଥ, ଡିସିଜିଆଇ ଡକ୍ଟର ଭି.ଜି. ସୋମାନୀ ଓ ଔଷଧ କମ୍ପାନୀ ପ୍ରତିନିଧିଗଣ ସମୀକ୍ଷା ବୈଠକ କାଳରେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ତୃତୀୟ ଲହରକୁ ନିୟନ୍ତ୍ରଣ ପାଇଁ ପର୍ବପର୍ବାଣୀରେ ସାବଧାନ ରୁହନ୍ତୁ, ମୁଖ୍ୟମନ୍ତ୍ରୀ କରାଇଲେ ସତର୍କ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।

କୋଭିଡ ଆଚରଣବିଧି ହେଉଛି,କୋଭିଡ ବିରୁଦ୍ଧରେ ଲଢିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ । କୋଭିଡ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଚିମ୍ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ହାଟ ବଜାର, ଧର୍ମାନୁଷ୍ଠାନ, ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ ନିୟମ କଡାକଡି ପାଳନ ଉପରେ ପ୍ରଶାସନ ଦୃଷ୍ଟି ରଖିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସ୍ବାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଏବଂ ପୋଲିସ – ଏହି high risk group ର ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ କେତେକ କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସୁଛି । ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ଓ ନମୂନା ସଂଗ୍ରହ କରୁଥିବା ଟିମ୍ ମାନଙ୍କୁ କୋଭିଡ ନିୟମ ସଂପର୍କରେ ବାରମ୍ବାର ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଡେଲ୍‌ଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ Micro Contentment Zone କରି ନିରନ୍ତର ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛି । ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗକୁ ପାର୍ବଣ ଋତୁ ଆସୁଛି । କେରଳରେ ଓନାମ୍ ପର୍ବ ପାଳନ ପରେ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ପାର୍ବଣ ସମୟରେ ସମସ୍ତଙ୍କୁ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପରିସ୍ଥିତିର ଗୁରୁତ୍ବକୁ ଉପଲବ୍‌ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହାଦ୍ବାରା ଆମେ ଭବିଷ୍ୟତରେ ଲକ୍‌ଡାଉନକୁ ଏଡାଇ ପାରିବା ଏବଂ ଲୋକଙ୍କ ଆର୍ଥିକ ଅବସ୍ଥାରେ କ୍ଷତି ହେବ ନାହିଁ ।

ପାର୍ବଣ ଋତୁ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକ୍ଡାଉନ କୋହଳ କରାଯାଇଛି। କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ନିୟମ ପାଳନରେ ଢିଲା କରିବା । ତେଣୁ ଯଦି ଆବଶ୍ୟକ ପଡେ, ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅନୁପାଳନ ଉପରେ ଗୁରୁତ୍ବ ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ବିଭାଗୀୟ କାର‌୍ୟ୍ୟକ୍ରମ ଉପରେ ଉପସ୍ଥାପନା ରଖିଥିଲେ ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ କୋଭିଡ ନିୟମ ଅନୁପାଳନ ଉପରେ ପୋଲିସର ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ବି.ଏମ୍‌.ସି ଏବଂ ସି.ଏମ୍‌.ସିର କମିଶନର, ଦେବଗଡ ଓ ପୁରୀର ଜିଲ୍ଲାପାଳମାନେ ସେମାନଙ୍କ ଅଞ୍ଚଳର ପରିସ୍ଥିତି ଉପରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ କାର‌୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ଟିକାକରଣ ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ

ଭୂବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ଏହାସହିତ ଘରକୁ ଘର ବୁଲି ଚାଲିଥିବା ସର୍ଭେ କାର୍ଯ୍ୟକ୍ରମ ଦ୍ବାରା କୋଭିଡ ତଥା ଅନ୍ୟନ୍ୟ ରୋଗୀ ମାନଙ୍କର ଚିହ୍ନଟ ଏବଂ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇପାରୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହାକୁ ଆହୁରି ଗୁରୁତର ସହ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ।

ତୃତୀୟ ଲହରରେ ପ୍ରସ୍ତୁତି ସ୍ବରୂପ ଶିଶୁ ରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ତଥା ଡାକ୍ତରମାନଙ୍କର ଏ ସଂପର୍କିତ ତାଲିମକୁ ପ୍ରାଥମିକତା ଦେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି ବିଭିନ୍ନ ଡାକ୍ତରଖାନା ମାନଙ୍କରେ ଅକ୍‌ସିଜେନ ପ୍ଲାଣ୍ଟ ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ ହୋଇପାରିବ, ତାହା ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶୀଘ୍ର ଟିକାକରଣ ଆଗାମୀ କିଛି ମାସ ପାଇଁ ଆମର ମୁଖ୍ୟ ଫୋକସ ହୋଇରହିବ। ବର୍ତ୍ତମାନ ଆମେ ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେଉଛୁ ବୋଲି ପ୍ରକାଶ କରି ଟିକା କେନ୍ଦ୍ର ମାନଙ୍କରେ ବିଭିନ୍ନ ସୁବିଧାର ବିକାଶ ପାଇଁ ଜିଲ୍ଲାପାଳ ମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। କୋଭିଡ ନିୟମ ସଂପର୍କରେ ଲୋକମାନଙ୍କୁ ବାରମ୍ବାର ସଚେତନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଭିଡ ନ ଯିବା ଆଦି କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

ସମୀକ୍ଷାରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଞ୍ଚଳର ୧୭ଟି ଜିଲ୍ଲାରେ ଆଂଶିକ ଅନ୍‌ଲକ୍‌ ପରେ ମଧ୍ୟ କୋଭିଡ କେସ୍‌ରେ କୌଣସି ବୃଦ୍ଧି ହୋଇନାହିଁ। କିନ୍ତୁ ଉପକୂଳ ଓ ଉତ୍ତର ଓଡିଶାର ଅଭିବକ୍ତ ପୁରୀ, କଟକ, ବାଲେଶ୍ବର ଓ ମୟୁରଭଂଜ ଆଦି ଜିଲ୍ଲା ମାନଙ୍କରେ ସଂକ୍ରମଣ ହାର ଅଧିକ ଥିବାରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଥିଲେ ଯେ ଗଞ୍ଜାମ ଓ ଝାରସୁଗୁଡା ଜିଲ୍ଲାରେ ସଂକ୍ରମଣ ହାର ଏକ ପ୍ରତିଶତରୁ ତଳେ ଥିବାବେଳେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୯-୧୫ ପ୍ରତିଶତ ରହୁଥିବାରୁ ଏହା ଉପରେ ଅଧିକ ଫୋକସ କରାଯାଇଛି। ଲକ୍‌ଡାଉନ କଡାକଡି ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ, ଟେଷ୍ଟିଙ୍ଗ ଆଦି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଜୁଲାଇ ୧୫ ବେଳକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଏହି ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ସବୁ ହିତାଧିକାରୀଙ୍କୁ ଆଗୁଆ ୩ ମାସର ଭତ୍ତା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟର ସମସ୍ତ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଅଗ୍ରୀମ ୩ ମାସର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କରୋନାରେ ଅନାଥ ଓ ବିଧବା ହୋଇଥିବା ପୀଡ଼ିତଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଚିହ୍ନଟ କରି ୧୫ ଦିନ ଭିତରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପୀଡିତଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ବ୍ଲାକ ଫଙ୍ଗସ ନିରାକରଣ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ହୋଇଛି। ସମ୍ଭାବ୍ୟ ତୃତୀୟ ଲହରୀରେ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ ପରିସ୍ଥିତିର ରାଜ୍ୟ ଓ ଜିଲ୍ଲା ୱାରି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ-୧୯ ପରିସ୍ଥିତିର ଆଜି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଦେଶରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ୱାରୀ କୋଭିଡ ସଂକ୍ରମଣ ନେଇ ତାଙ୍କୁ ସବିଶେଷ ଅବଗତ କରାଯାଇଛି । ଯେଉଁ ୧୨ଟି ରାଜ୍ୟରେ ଏକଲକ୍ଷ ବା ତା’ଠାରୁ ଅଧିକ ମାମଲା ଅଛି ସେ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି । ଯେଉଁ ଜିଲ୍ଳାଗୁଡିକରେ ସଂକ୍ରମଣ ଅଧିକ ହୋଇଛି ସେ ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଯାଇଥିଲା ।

ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟଗତ ଭିତ୍ତିଭୂମିକୁ କିପରି ସଜଡା ଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଯେଉଁ ରାଜ୍ୟରେ ଏହାର ଆବଶ୍ୟକତା ରହିଛି ସେ ରାଜ୍ୟଗୁଡିକୁ ସାହାଯ୍ୟ ଓ ମାର୍ଗଦର୍ଶନ ଦେବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଶୀଘ୍ର ଓ ସମ୍ପୂର୍ଣ୍ଣ ସଙ୍ଗରୋଧଜନିତ ପଦକ୍ଷେପର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଯେଉଁ ଜିଲ୍ଲାଗୁଡିକରେ ସଂକ୍ରମଣ ପଜିଟିଭ ହାର ଶତକଡା ଦଶଭାଗ ବା ଶତକଡା ୬୦ଭାଗ ଅମ୍ଳଜାନ ସଂଯୋଗ ହୋଇଥିବା ଶଯ୍ୟା ବା ଆଇସିୟୁ ଅଧିକୃତ ହୋଇଥିବ ସେମାନଙ୍କୁ ଚିହ୍ନଟ କରିବାକୁ ରାଜ୍ୟଗୁଡିକୁ ମାର୍ଗଦର୍ଶିକା ପଠାଯାଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଔଷଧପତ୍ରର ଉପଲବ୍ଧତାର ମଧ୍ୟ ସମୀକ୍ଷା କରିଥିଲେ । ରେମଡେସିଭିର ସମେତ ଅନ୍ୟ ଔଷଧର ଆଶୁ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା ।

ଟିକାକରଣର ସ୍ଥିତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବା ସହ ଆଗାମୀ କିଛି ମାସ ମଧ୍ୟରେ କିପରି ଟିକା ମାତ୍ରା ଉତ୍ପାଦନ ବୃଦ୍ଧି କରାଯିବ ସେ ସମ୍ପର୍କରେ ମଧ୍ୟ ବୁଝିଥିଲେ । ଏପର‌୍ୟ୍ୟନ୍ତ ୧୭.୭କୋଟି ଟିକା ବିଭିନ୍ନ ରାଜ୍ୟକୁ ପଠାଯାଇଥିବା ତାଙ୍କୁ ସୂଚନା ଦିଆଯାଇଥିଲା । ରାଜ୍ୟୱାରୀ ଟିକା ନଷ୍ଟ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

ଦେଶରେ ଶତକଡା ୩୧ଭାଗ ୪୫ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଅନୂନ୍ୟ ଗୋଟିଏ ମାତ୍ରା ଦିଆଯାଇଥିବା ତାଙ୍କୁ ଅବଗତ କରାଯାଇଥିଲା । ଯେପରି ରାଜ୍ୟଗୁଡିକରେ ଟିକାକାରଣ କାର‌୍ୟ୍ୟକ୍ରମରେ ଶିଥିଳତା ନ ଆସେ ସେ ସମ୍ପର୍କରେ ରାଜ୍ୟଗୁଡିକୁ ସମ୍ବେଦନଶୀଳ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାଆରୋପ କରିଥିଲେ । ଲକ୍ଡାଉନ ସତ୍ୱେ ଜନସାଧାରଣଙ୍କ ଟିକାଦାନ ପ୍ରକ୍ରିୟା ବନ୍ଦ ନ ହେବା ତଥା ଏଥିରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅନ୍ୟ କାର‌୍ୟ୍ୟରେ ନ ଲଗାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସର୍ବଶ୍ରୀ ରାଜନାଥ ସିଂ, ଅମିତ ଶାହା, ଡକ୍ଟର ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ, ମନସୁଖ ମାଣ୍ଡଭିୟା ଓ ଶ୍ରୀମତୀ ନିର୍ମଳା ସୀତାରମଣ ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀଗଣ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ପଚାଶ ପ୍ରତିଶତ କରୋନା ଟିକା ରାଜ୍ୟ ସରକାର ସହ ଘରୋଇ ହସ୍ପିଟାଲଗୁଡିକ ସଂଗ୍ରହ କରିପାରିବେ

ନୂଆଦିଲ୍ଲୀ, ବୁଧବାର ଦିନ ପୂର୍ବ ଭାରତର ୫ଟି ରାଜ୍ୟର କରୋନା ସ୍ଥିତି ସଂପର୍କରେ କେନ୍ଦ୍ର ସ୍ବାସ୍ଯ୍ ସଚିବ ରାଜେଶ ଭୂଷଣ ଏକ ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ସୂଚୀତ କରାଯାଇଥିଲା ଯେ ସମସ୍ତ ରାଜ୍ୟ ସରଳୀକୃତ ମୂଲ୍ୟ ଓ ତ୍ୱରାନ୍ୱିତ ଜାତୀୟ କୋଭିଡ଼ ୧୯ ଟିକାକରଣ ରଣନୀତି ପର୍ଯ୍ୟାୟ -୩ର ଅଂଶବିଶେଷ ସ୍ୱରୂପ କେନ୍ଦ୍ରୀୟ ଡ୍ରଗ୍‍ ପରୀକ୍ଷାଗାର ସ୍ୱୀକୃତି ପ୍ରଦାନ କରିଥିବା ପ୍ରତ୍ୟେକ ଟିକା ଉତ୍ପାଦନକାରୀଙ୍କ ଠାରୁ ୫୦% ଟିକା ରାଜ୍ୟ ସରକାର ତଥା ଘରୋଇ ହସପିଟାଲମାନେ ସଂଗ୍ରହ କରିବେ।

ରାଜ୍ୟମାନଙ୍କୁ ଆହୁି ପରାମର୍ଶ ଦିଆଯାଇଛି ଯେ ସେମାନେ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦନକାରୀଙ୍କ ଠାରୁ ଟିକା ଗ୍ରହଣ କରିବା ସହିତ ସେମାନଙ୍କ ଏହାର ମୂଲ୍ୟ ପ୍ରଦାନ କରିବେ। ଦେଶବ୍ୟାପୀ କରାଯାଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ସମୟରେ ଏହି ନୀତି ଅବଲମ୍ବନ କରାଯିବ। ଭାରତ ସରକାର ପ୍ରତି ମାସରେ ସିଡ଼ିଏଲ ଦ୍ୱାରା ମଂଜୁର ଟିକାର ୫୦% ସଂଗ୍ରହ କରିବା ସହିତ ରାଜ୍ୟମାନଙ୍କୁ ସେସବୁ ଉପଲବ୍ଧ କରାଇବେ ଯାହାକି ପୂର୍ବଭଳି ସଂପୂର୍ଣ୍ଣ ରୂପେ ମାଗଣାରେ ଯୋଗାଇ ଦିଆଯିବ।

ବୈଠକରେ ଦର୍ଶାଯାଇଥିଲା ଯେ କେଉଁମାନେ ଦ୍ୱିତୀୟ ଡୋଜ୍‍ କୋଭିଡ଼ ଟିକା ପାଇବେ ତାହାକୁ ରାଜ୍ୟମାନେ କୌଣସି ମତେ ଅଣଦେଖା କରିବେନାହିଁ। ରାଜ୍ୟମାନଙ୍କୁ ଟିକା ଯୋଗାଣରେ, ୭୦% ପ୍ରତିଶତ ଟିକା ଦ୍ୱିତୀୟ ଡୋଜ୍‍ ଭାବେ ଯୋଗାଇ ଦିଆଯିବ , ଯଦ୍ୟପି ୩୦% ଟିକା ପ୍ରଥମ ଡୋଜ୍‍ ପାଇଁ ସଂରକ୍ଷିତ ରଖାଯିବ।

ବୈଠକରେ ଡକ୍ଟର ଭି କେ ପଲ୍‍ ଏହି ପ୍ରସଙ୍ଗ ଉପରେ ରାଜ୍ୟମାନଙ୍କୁ ଗୁରୁତ୍ୱର ସହ ପରାମର୍ଶ ଦେଇଥିଲେ ଯେ ସେମାନେ ହସପିଟାଲର ସାମର୍ଥ୍ୟ ଓ କ୍ଲିନିକାଲ ପରିଚାଳନା କ୍ଷମତାକୁ ବୃଦ୍ଧି କରିଚାଲିବା ଦରକାର। ଏଥି ମଧ୍ୟରେ ଆମ୍ବୁଲାନ୍ସ ସେବାର ସଫଳ ପରିଚାଳନା, ଜିଲ୍ଲାମାନଙ୍କରେ ଟେଷ୍ଟିଂ ସୁବିଧା ଯାହାକି ଜାତୀୟ ହାରଠାରୁ ଅଧିକ ହେବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ନୂତନ ପରିବର୍ଦ୍ଧିତ ବ୍ୟବସ୍ଥା ଅନୁସାରେ ଏଚଆରକୁ ବୃଦ୍ଧି କରାଯିବା ଉପରେ ନିର୍ଦ୍ଦିଷ୍ଟ ସମୟରେ ରାଜ୍ୟମାନେ ନିଷ୍ପତ୍ତି ଗ୍ରହଣ କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି।

ସେହିଭଳି ଟେଲିମେଡ଼ିସିନ୍‍ ସେବାରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଯଦ୍ୱାର ସରକାରୀ ଚିକିତ୍ସା ବ୍ୟବସ୍ଥା ଉପରେ ପଡ଼ୁଥିବା ଚାପ ହ୍ରାସ ପାଇବ ଏବଂ ଏ ଦିଗରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଣ୍ଟେନମେଣ୍ଟ ବ୍ୟବସ୍ଥା ନିମନ୍ତେ ଦିଆଯାଇଥିବା ନିର୍ଦ୍ଦେଶକୁ ବିଧିବଦ୍ଧ ଭାବେ ଅନୁପାଳନ ନିମନ୍ତେ କୁହାଯାଇଛି।

ସେହିଭଳି ଆଇସିଏମଆରର ମହା ନିର୍ଦ୍ଦେଶକ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସଂଶୋଧିତ ଟେଷ୍ଟିଂ ନିୟମାବଳୀ ଅନୁସାରେ ଟେଷ୍ଟିଂ ସାମଗ୍ରୀ ଯଥା ଆରଟି- ପିସିଆର ପଜିଟିଭ୍‍ ଚିହ୍ନଟକୁ ନିର୍ଦ୍ଦିଷ୍ଟ ସମୟ ଅବଧି ପରେ ଓହରାଇ ଅଣାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ସବୁ ଜିଲ୍ଲାମାନଙ୍କରେ ସଂକ୍ରମଣ ମାତ୍ରା ୧୦% ଉପରେ ରହିଛି ସେଠାରେ ଲକ୍‍ଡାଉନ୍‍ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ଏବଂ ସେଠାରେ ଆରଟି ପିସିଆର ଟେଷ୍ଟିଂ, ଟିକାକରଣ ଏବଂ ମେଡ଼ିକାଲ କାର୍ଯ୍ୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଡକ୍ଟର ପଲ୍‍ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏନସିଡ଼ିସିର ନିର୍ଦ୍ଦେଶକ ଏହି ସମୀକ୍ଷା ବୈଠକରେ ଅବସ୍ଥା ବିଗିଡ଼ିବା ପୂର୍ବରୁ ଯଥାଶୀଘ୍ର କୋଭିଡ଼ କେଶ୍‍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏଥିପାଇଁ ୧୦% ରୁ ଅଧିକ ସଂକ୍ରମଣରେ ଥିବା ଜିଲ୍ଲାମାନଙ୍କୁ କଣ୍ଟେନମେଣ୍ଟ୍‍ ଜୋନ୍‍ ଅଧୀନରେ ଆଣିବା ନିମନ୍ତେ ସେ ମତ ପୋଷଣ କରିଥିଲେ। ଟେଷ୍ଟିଂ ସଂସାଧନ ବୃଦ୍ଧି ଦ୍ୱାରା ଲୋକମାନଙ୍କର କୋଭିଡ଼ ପରୀକ୍ଷା ସହଜରେ କରାଯାଇପାରିବ ବୋଲି ସେ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶା ସହ ପୂର୍ବ ଭାରତର ୫ଟି ରାଜ୍ୟର କରୋନା ମୁକାବିଲା ନେଇ କେନ୍ଦ୍ର ସରକାର କଲେ ସମୀକ୍ଷା

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ବୁଧବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବ ଭାରତର ପାଞ୍ଚଟି ରାଜ୍ୟରେ କରୋନା ମହାମାରୀ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ପାଞ୍ଚଟି ରାଜ୍ୟ ହେଲେ ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ବିହାର ଓ ଝାଡ଼ଖଣ୍ଡ ।

ଏହି ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ପରିଚାଳନା ତଥା କଣ୍ଟେନମେଣ୍ଟ ପାଇଁ କି କି ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏବେ ଲକ୍ଷ୍ୟ କରାଯାଇଛି ଯେ ମହାମାରୀ କରୋନା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ଦିଗରେ ଗତି କରୁଛି ଏବଂ ସେହିସବୁ ରାଜ୍ୟରେ ପ୍ରତିଦିନ ନୂତନ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଏହି ସମୀକ୍ଷା ବୈଠକରେ ଯେଉଁ ପାଞ୍ଚଟି ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରାଯାଇଥିଲା ସେଗୁଡ଼ିକ ହେଲା ସଂପୃକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ଯୋଗୁ ଉତ୍ପନ୍ନ ସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ତଥା ଚାଲେଞ୍ଜର ମୁକାବିଲା । ଏହିସବୁ ରାଜ୍ୟମାନଙ୍କରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତଥା ମୃତ୍ୟୁ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି ।

କୋଭିଡ଼ ଜନିତ ପରିସ୍ଥିତିର ମୁକାବିଲା ସକାଶେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାନବ ସମ୍ବଳର ଆବଶ୍ୟକତା ତଥା କ୍ଲିନିକାଲ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଥିଲା । ହସପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଣ ନିମନ୍ତେ ସଂପୃକ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏଥି ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚଓ) ମାନଙ୍କୁ କାର୍ଯ୍ୟ ଆଧାରିତ ପେମେଣ୍ଟ ପ୍ରଦାନ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର (ଏଚଡ଼ବ୍ଲୁସି)ମାନଙ୍କରେ ପ୍ରଦାନ କରାଯିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଏଏନଏମ ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉପଯୁକ୍ତ ସମୟରେ ସେମାନଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ କୁହାଯାଇଛି । ଏଥିପାଇଁ ରାଜ୍ୟମାନଙ୍କ ଏନଏଚଏମ ପାଣ୍ଠିକୁ ଉପଯୋଗ କରିବା ସକାଶେ ପରାମର୍ଶ ଦିଆଯାଇଛି ।

ଏହା ବ୍ୟତିତ କେନ୍ଦ୍ର ସରକାର ନିକଟରେ ଅନେକ ଗୁଡ଼ିଏ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେଉଁଥିରେ ଏମବିବିଏସ ପାଠ୍ୟକ୍ରମର ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସେବାକୁ ଚିକିତ୍ସାସେବାରେ ଉପଯୋଗ କରାଯିବା, ଯେଉଁ ଛାତ୍ରଛାତ୍ରୀମାନେ ଏବେ ସୁଦ୍ଧା ନିଟ୍‍ ପରୀକ୍ଷା ଦେବାକୁ ଅଛି, ଯାହାକି ଘୁଞ୍ଚାଇ ଦିଆଯାଇଛି, ସେମାନଙ୍କ ସେବା; ଫାଇନାଲ୍‍ ବର୍ଷର ନର୍ସିଂ ଛାତ୍ରଛାତ୍ରୀଙ୍କ ସେବା; ଏବଂ ଇଣ୍ଟର୍ଣ୍ଣମାନଙ୍କ ସେବାକୁ କୋଭିଡ଼ ସଂପର୍କୀତ ଚିକିତ୍ସା ସେବା ପାଇଁ ଉପଯୋଗ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଦେଶର ସମସ୍ତ ଜିଲ୍ଲା ଯେଉଁଠାରେ କରୋନା ପଜିଟିଭିଟି ହାର ୨୦ ପ୍ରତିଶତ ଉପରେ ରହିଛି ତାହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବ୍‍ ସାଇଟ୍‍ରେ ପ୍ରଦର୍ଶିତ କରାଯାଇଛି । ଏହି ତାଲିକା ପରିବର୍ତ୍ତନଶୀଳ ଏବଂ ନିୟମିତ ଆଧାରରେ ଏହାକୁ ଅପ୍‍ଡେଟ୍‍ କରାଯିିବ । ସଂପୃକ୍ତ ରାଜ୍ୟମାନେ ସେହିସବୁ ଜିଲ୍ଲାମାନଙ୍କରେ ଟେଷ୍ଟିଂ, ସଂକ୍ରମିତ ଲୋକଙ୍କୁ ଘରେ ସଙ୍ଗରୋଧ ବାସ, କୌଣସି ସ୍ଥାନରେ ଅଯଥାରେ ଭିଡ଼ ନଜମାଇବା ଓ ଲୋକମାନଙ୍କ ମଧ୍ୟରେ ଅବାଧ ମିଳାମିଶା ଯଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବ ସେଭଳି କାର୍ଯ୍ୟକୁ ରୋକିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ।

ଏହା ବ୍ୟତୀତ ଅନ୍ୟାନ କଣ୍ଟେନମେଣ୍ଟ୍‍ କାର୍ଯ୍ୟ ଆଦି ମଧ୍ୟ କରିବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ରାଜ୍ୟ ଭିତରେ ଲୋକମାନଙ୍କ ଚଳାଚଳ ଉପରେ ମଧ୍ୟ କଡ଼ାକଡ଼ି ଭାବେ ନିଷେଧାଦେଶ ଜାରି କରିବା ନିମନ୍ତେ କୁହାଯାଇଛି । ଏହି ସମୟକୁ ହସପିଟାଲରେ ସଂସାଧନ ବୃଦ୍ଧି ଯେଉଁଥିରେ ଅସ୍ଥାୟୀ ହସପିଟାଲ ନିର୍ମାଣ ହୋଟେଲମାନଙ୍କୁ ହସପିଟାଲରେ ପରିଣତ କରିବା ନିମନ୍ତେ ଅଧିଗ୍ରହଣ ଓ କ୍ଷେତ୍ରୀୟ ହସପିଟାଲ ସ୍ଥାପନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ରାଜ୍ୟମାନଙ୍କୁ ଏହା ନିର୍ଦ୍ଦିଷ୍ଟ ଭାବେ ସୂଚୀତ କରାଯାଇଛି ଯେ ଗତ ବର୍ଷ ସେମାନଙ୍କୁ ଏକ ଆଡଭାଇଜରୀ ପ୍ରଦାନ କରାଯାଇଥିଲା ଯେଉଁଥିରେ ହସପିଟାଲରେ ଦାଖଲ ହୋଇଥିବା ରୋଗୀମାନଙ୍କ କ୍ଲିନିକାଲ ପରିଚାଳନା ନିମନ୍ତେ ଅକ୍ସିଜେନ୍‍ ବ୍ୟବହାରର ସାମଗ୍ରିକ ନିୟମାବଳୀ ସୂଚୀତ କରାଯାଇଥିଲା । ଏହା ପ୍ରତ୍ୟେକ ରାଜ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ଥିଲା । ବିଭିନ୍ନ ବର୍ଗର ରୋଗୀମାନଙ୍କ ସକାଶେ ହସପିଟାଲରେ କ୍ଲିନିକାଲ କେୟାର ସକାଶେ ଅକ୍ସିଜେନ୍‍ ଆବଶ୍ୟକର ମାତ୍ରା ଭିନ୍ନ ହୋଇଥାଏ ଯାହାକି ଏହି ଆଡ଼ଭାଇଜରୀରେ ସୂଚୀତ କରାଯାଇଥିଲା ।

କେତେକ ରାଜ୍ୟଙ୍କୁ ଛାଡ଼ି ଅନ୍ୟ ରାଜ୍ୟମାନେ ଏହି ନିର୍ଦ୍ଦେଶାବଳୀକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିଛନ୍ତି । ଏହି ନିର୍ଦ୍ଦେଶାବଳୀକୁ ବିଧିବଦ୍ଧ ଭାବେ ପାଳନ କରିିବା ସକାଶେ ରାଜ୍ୟମାନଙ୍କୁ ପୁଣି ଥରେ ସୂଚୀତ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏ ପିଏସଏ ପ୍ଲାଣ୍ଟ୍‍ ସ୍ଥାପନ ନିମନ୍ତେ, ୧୦୦୦ ପିଏସଏ ପ୍ଲାଣ୍ଟ୍‍ ନିମନ୍ତେ ସାରା ଦେଶରେ ଯୋଜନା ପ୍ରସ୍ତୁତ କରାଯାଇଛି । ରାଜ୍ୟମାନଙ୍କୁ ଏଭଳି ପିଏସଏ ପ୍ଲାଣ୍ଟ୍‍ ନିମନ୍ତେ ସ୍ଥାନ ନିରୂପଣ କରିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଡିଆରଡ଼ିଓ ଏବଂ ସିଏସଆଇଆର ରାଜ୍ୟମାନଙ୍କୁ ଏହି ପ୍ରୟାସରେ ସହଯୋଗ କରିବେ ।

ବୈଠକରେ ରାଜେଶ ଭୂଷଣଙ୍କ ବ୍ୟତୀତ ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡକ୍ଟର ବିନୋଦ କୁମାର ପଲ୍‍,ସ୍ୱାସ୍ଥ୍ୟ ଗବେଷଣା ସଚିବ ତଥା ଆଇସିଏମଆର ମହା ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ ଏବଂ ଡିଜିଏଚଏସ ଡକ୍ଟର  ସୁନୀଲ କୁମାର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଆରତୀ ଆହୁଜା, ଏନସିଡିସିର ନିର୍ଦ୍ଦେଶକ ଡକ୍ଟର ସୁଜିତ କେ ସିଂହ ତଥା ପ୍ରମୁଖ ସଚିବ ଏନଏଚଏମର ମିଶନ ନିର୍ଦ୍ଦେଶକ ଏବଂ ସଂପୃକ୍ତ ରାଜ୍ୟମାନଙ୍କ ସର୍ଭେଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: କଲେ କୋଭିଡ଼ ସମୀକ୍ଷା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଚାନକ ଭାବେ ବାଣପୁର ଗସ୍ତ କରିଥିଲେ। ଜିଲ୍ଲାପାଳ ସ୍ୱଳ୍ପ ସମୟ ରହଣି ମଧ୍ୟରେ ବାଣପୁରର ବିଭିନ୍ନ ପ୍ରଶାସନିକ ବିଭାଗଗୁଡିକ ପରିଦର୍ଶନ କରିଥିଲେ। ପ୍ରଥମେ ଜିଲ୍ଲାପାଳ ସବ ଜେଲ ଗସ୍ତ କରି  କୋଭିଡ ଗାଇଡଲାଇନ ଅନୁଧ୍ୟାନ କରିବା ସହ କଏଦୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

ଏହାପରେ ଜିଲ୍ଲାପାଳ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ନୂଆକରି ମେଡିକାଲ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ଅଂଶୁଘାତ ପ୍ରକୋଷ୍ଠ କେନ୍ଦ୍ରକୁ ବୁଲି ଦେଖିବା ସହ ଏହାର ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକଟ କରିଥିଲେ। ମେଡିକାଲରେ ନିରାମୟ ଯୋଜନା ଅନ୍ତର୍ଗତ ଔଷଧ ସବୁ ଠିକ ଭାବେ ରୋଗୀଙ୍କୁ ମିଳୁଛି କି ନାହିଁ ତଦାରଖ କରିବା ସହ କିଛି ରୋଗୀଙ୍କ ସହ ସିଧାସଳଖ ଭାବେ କଥା ହୋଇଥିଲେ ଜିଲ୍ଲାପାଳ।

ପରିଶେଷରେ ଜିଲ୍ଲପାଳ ବାଣପୁର ଏନଏସି କାର୍ଯ୍ୟାଳୟ ପରିଦର୍ଶନକୁ ଯାଇ ଏକ ଛୋଟ ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ବାଣପୁର ଏନଏସି ଏବଂ ବାଣପୁର ବ୍ଲକରେ ଗୋଟାଏ ଲେଖାଏଁ ଟିଏମସି କେନ୍ଦ୍ର ଖୋଲିବାକୁ ଉଭୟ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବାଣପୁରକୁ ଯେଉଁ ପ୍ରବାସୀମାନେ ଆସୁଛନ୍ତି ପୂର୍ବରୁ ସେମାନେ ନିଜ ଗୃହରେ ସଂଗରୋଧ ଭାବେ ରହୁଥୁବା ବେଳେ ବର୍ତ୍ତମାନ ଉକ୍ତ ଟିଏମସିରେ ସଙ୍ଗରୋଧରେ ରହିବେ। ତତ ସହିତ ପ୍ରବାସୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ଗସ୍ତ ସୂଚୀର ସମସ୍ତ ତଥ୍ୟ ବିବରଣୀ ରଖିବାକୁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଭାବେ ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏନ୍ଫୋର୍ସମେଣ୍ଟକୁ ଆହୁରି କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ସ୍ଥାନୀୟ ଏବଂ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।  ଖାସକରି ରାତ୍ରିକାଳୀନ କର୍ଫ୍ୟୁକୁ କଡାକଡି କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ ଦେଇଥିଲେ।

ତେବେ ବାଣପୁର ଥାନାରେ କର୍ମଚାରୀ ଅଭାବ ଥିବାରୁ ଏନ୍ଫୋର୍ସମେଣ୍ଟ କିପରି ଭାବେ କଡ଼ାକଡ଼ି ହେବ ବୋଲି ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପ୍ରଶ୍ନ ପଚାରିବାରୁ ସେ ଏବିଷୟରେ ଅବଗତ ଥିବା କହିବା ସହ ଏସପିଙ୍କ ସହ ମଧ୍ୟ ଏବାବଦରେ କଥା ହୋଇଥିବାର ସୂଚନା ଦେଇଛନ୍ତି। ସ୍ଥାନୀୟ ତହସିଲଦାର ଯେତେବେଳେ ଆବଶ୍ୟକ କରିବେ ସେତେବେଳେ ଏସପି ସଙ୍ଗେସଙ୍ଗେ ଅତରିକ୍ତ ଫୋର୍ସ ଯୋଗାଇଦେବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ତହସିଲଦାର ମନ୍ମଥ ବେହେରା, ବ୍ଲକ ଅତିରିକ୍ତ ବିଡ଼ିଓ ସୀମାଦ୍ରୀ ପାତ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର, ସବଜେଲ ସୁପରିଟେଣ୍ଡେଣ୍ଟ କୋଶଳ ପଦ୍ମିନୀ ଦଳବେହେରା ଏବଂ ବାଣପୁର ପୋଲିସ ଏସଆଇ ବିଜୟ ମଲ୍ଲିକ ଓ ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ମୁକାବିଲା ପାଇଁ ଚାରୋଟି ଜିଲ୍ଲାରେ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ (Location Specific Strategy) ଅବଲମ୍ବନ କରିବାପାଇଁ ପରାମର୍ଶ ଦେଇଛନ୍ତି, ଯାହାଫଳରେ ଆସନ୍ତା ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାରେ positivity rate ହ୍ରାସ କରିବା ଦିଗରେ ଆମେ ଅଗ୍ରଗତି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ ଆଜି ପ୍ରତି ୧୦ ଲକ୍ଷ ସଂଖ୍ୟାରେ ୧୦୯୬ ଟେଷ୍ଟ କରି ଓଡିଶା ଆଜି ଜାତୀୟ ସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟରେ ପରିଗଣିତ ହୋଇଛି । ଏହାସହିତ ସପ୍ତାହ ମଧ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି । ଏହା ଉପରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ସେମାନଙ୍କ ଟିମ୍ ତଥା ସମସ୍ତ ଡାକ୍ତର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏହା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ରାଜ୍ୟରେ କୋଭିଡରେ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକ ଟ୍ରେନିଂ ପାଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ପଞ୍ଚାୟତିରାଜ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ, କୋଭିଡ କମିଟି ସଦସ୍ୟ ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଅଛନ୍ତି। ଏହା ବାସ୍ତବରେ ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର‌୍ୟ୍ୟକେ ନିୟୋଜିତ ଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଗୃହ ସଂଗରୋଧକୁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ପ୍ରଚାର ଅଭିଯାନ ସହିତ ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ କେୟାର କମିଟି ଗୁଡିକର ସହାୟତା ନେବା ପାଇଁ ମଧ୍ୟ ସେ କହିଛନ୍ତି। ଲୋକଙ୍କ ମନରେ ଗୃହ ସଂଗରୋଧ ସଂପର୍କରେ ଯଦି କୌଣସି ସନ୍ଦେହ ଥାଏ, ତାକୁ ଦୂର କରିବା ଦିଗରେ ଏହା ସହାୟକ ହେବ। ଏ କ୍ଷେତ୍ରରେ ଜିଲ୍ଲା ପର‌୍ୟ୍ୟବେକ୍ଷକମାନେ ସ୍ବତନ୍ତ୍ର ଗୁରୁତ୍ବ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ରାଜ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରରେ ପହଞ୍ଚି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହି ଧାରା ବଜାୟ ରଖିବା ପାଇଁ କହିଥିଲେ। ଏଥିପାଇଁ test kit supply chainକୁ ଉତ୍ତମ ରୂପେ ପରିଚାଳନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍ ରହିଛି । ଏହାକୁ ଆହୁରି କମ୍ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ ବୋଲି ସେ କହିଥିଲେ। ବିଭିନ୍ନ କର୍ପୋରେଟ୍ କ୍ଷେତ୍ର ଓ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ସ୍ଥାପନ କରାଯାଉଥିବା Covid Care Centreର ଆହୁରି ଅଧିକ ସଂଖ୍ୟାରେ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ପ୍ଲାଜମାଦାତା ମାନଙ୍କର ମହାନ କାର‌୍ୟ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ ହସ୍‌ପିଟାଲରେ କାମ କରୁଥିବା କୋଭିଡ ଯୋଦ୍ଧା ଓ ରୋଗୀ ମାନଙ୍କ ସହିତ ସିଧାସଳଖ ଫୋନ୍ ଯୋଗେ ଆଲୋଚନା କରି ସେମାନଙ୍କ ଠାରୁ feedback ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର‌୍ୟ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତ୍ତମାନ ସୁଦ୍ଧା ୫ଟି Plasma Therapy Unit ସ୍ଥାପିତ ହୋଇଛି। କୋଭିଡ ରୋଗର ଚିକିତ୍ସା କ୍ଷେତ୍ରରେ Plasma Therapy ଏକ ଉପାଦେୟ ପଦ୍ଧତି ଭାବରେ ପ୍ରମାଣିତ ହୋଇଛି । କୋରାପୁଟ ମେଡିକାଲ କଲେଜରେ ଆଉ ଏକ Plasma Bank କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ଆସନ୍ତା ସପ୍ତାହ ସୁଦ୍ଧା ସ୍ଥାପନ କରାଯିବ ବୋଲି ଜଣାଯାଇଛି।

ପରିଶେଷରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ଷାଜନିତ ପରିସ୍ଥିତି, କୃଷି କାର୍ଯ୍ୟକ୍ରମ, ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଏବଂ MSME ସଂପର୍କରେ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। କୃଷି କ୍ଷେତ୍ରରେ ସମସ୍ତ କାର‌୍ୟ୍ୟ ଯେପରି ସୂଚାରୁରୂପେ ଜାରି ରହିବ ଓ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଗୁରୁତ୍ବ ଦେବାପାଇଁ ସେ ଅଧିକାରୀମାନଙ୍କୁ ଦୃଢ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ୟୁରିଆ ସାର ସ୍ଥିତି ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି ବୁଝି ଥିଲେ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍ କରିବା ପାଇଁ Medical Education & Training ନିର୍ଦ୍ଦେଶାଳୟ ଦ୍ବାରା ୭ଟି ମେଡିକାଲ କଲେଜର ପ୍ରଫେସର ମାନଙ୍କୁ ନେଇ Multi Disciplinary Technical Team ଗଠନ କରାଯାଇଛି। ସେମାନେ ଏ କ୍ଷେତ୍ରରେ ଉପଯୁକ୍ତ ପରାମର୍ଶ ଦେଇ କୋଭିଡ ଚିକିତ୍ସାକୁ ଫଳପ୍ରଦ କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର ରାଜ୍ୟରେ କୋଭିଡ ମୁକାବିଲା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ବାଲେଶ୍ବର, ମୟୁରଭଞ୍ଜ ଓ ଭଦ୍ରକର କୋଭିଡ ରୋଗୀମାନଙ୍କ ଚିକିତ୍ସା ପାଇଁ ବାଲେଶ୍ବରରେ ଏକ ପ୍ଲାଜମା Storage Unit ସ୍ଥାପନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ମଧ୍ୟ କୋଭିଡ ପରିଚାଳନା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ଗୃହ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଲୋଚନା ସଂଚାଳନା କରିଥିଲେ।