Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆସିଲା କୋଭିଡ19 ଟୀକା, ଆସନ୍ତା ସପ୍ତାହରେ ଲୋକଙ୍କୁ ଦେବା ପାଇଁ ସରକାର କଲେ ଘୋଷଣା

ବ୍ରିଟେନ, ଆସନ୍ତା ସପ୍ତାହରେ ଜନସାଧାରଣଙ୍କୁ କୋଭିଡ19 ଟୀକା ପ୍ରଦାନ କରାଯିବ। ଏ ନେଇ ବ୍ରିଟେନ ସରକାର ଆଜି ଘୋଷଣା କରିଛନ୍ତି। ଫଳରେ ବିଶ୍ବରେ ବ୍ରିଟେନ ହେବ ପ୍ରଥମ ଦେଶ ଯେ କି କୋଭିଡ 19 ଟୀକା ପ୍ରଦାନ କରିବ। କୋଭିଡ 19 ଟୀକା ବେଶ୍ ଫଳପ୍ରଦ ହୋଇଛି ବୋଲି ଫାଇଜର କଂପାନୀ ବ୍ରିଟେନ ସରକାରଙ୍କୁ ଆବେଦନ କରିଥିଲା। ମାସକ ତଳେ କରାଯାଇଥିବା ଏହି ଆବେଦନକୁ ସରକାର ଅନୁଧ୍ୟାନ କରିବା ପରେ ଆଜି ଲୋକଙ୍କୁ ଦେବା ପାଇଁ ଘୋଷଣା କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ 40 ନିୟୁଟ ଡୋଜ ପ୍ରଦାନ କରିବା ପାଇଁ ବ୍ରିଟେନ ଏହି ଟୀକା କିଣିଛି।

ବ୍ୟବହାର ପାଇଁ Pfizer-BioNTech ର COVID-19 ଟିକାକୁ ଅନୁମୋଦନ କରିବା ପାଇଁ ସରକାର ଆଜି ସ୍ବାଧୀନ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଉତ୍ପାଦ ନିୟାମକ ଏଜେନ୍ସି (MHRA) ର ସୁପାରିଶକୁ ଗ୍ରହଣ କରିଛନ୍ତି। ଏହା ମାସେ ଧରି ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣ ଏବଂ MHRA ର ବିଶେଷଜ୍ଞଙ୍କ ଦ୍ବାରା ହୋଇଥିବା ତଥ୍ୟର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ଏହାର ନିରାପତ୍ତା, ଗୁଣବତ୍ତା ଏବଂ କାର୍ଯ୍ୟକାରିତାକୁ ପୂରଣ କରିଛନ୍ତି ବୋଲି ବ୍ରିଟେନ ସରକାର ଏକ ବିବୃତ୍ତିରେ କହିଛନ୍ତି। ଟୀକାକରଣ ପାଇଁ ବ୍ରିଟେନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ-19 ଟୀକାର ଗବେଷଣା ଓ ବିତରଣ ବ୍ୟବସ୍ଥାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନମୁନା ପରୀକ୍ଷଣ ସମ୍ପର୍କିତ ପ୍ରଯୁକ୍ତି, ରୋଗ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ, ଔଷଧ ଓ ଅନ୍ୟାନ୍ୟ ଉପଚାର ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

ଭାରତର ଟୀକା ପ୍ରସ୍ତୁତ ଓ ନିର୍ମାଣକାରୀମାନେ କୋଭିଡ-19ର ମୁକାବିଲା ନିମନ୍ତେ କରୁଥିବା ଉଦ୍ୟମ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏ ଦିଗରେ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ଅତ୍ୟାଧୁନିକ ପ୍ରକ୍ରିୟା ଓ ନୂଆ ନୂଆ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ବିଶେଷଜ୍ଞମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ଟୀକାର ବଣ୍ଟନ ଓ ଯୋଗାଣ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା ବିଶେଷ କାର୍ଯ୍ୟକ୍ରମର ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଏଥିରେ ଟୀକା ଆହରଣ ପାଇଁ ଆବଶ୍ୟକ ବିଭିନ୍ନ ବୈଷୟିକ ପ୍ରକ୍ରିୟା ଓ ଦକ୍ଷତା ସମ୍ପନ୍ନ ଯୋଗାଣ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଉଭୟ ସେରୋ ସର୍ଭେ ଏବଂ ନମୁନା ପରିକ୍ଷଣକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯଥା ସମ୍ଭବ ଶୀଘ୍ର ନିୟମିତ ପରୀକ୍ଷା ଏବଂ ଏଥିରେ ମିତବ୍ୟୟିତ ଉପରେ ସେ ଗୁରୁତ୍ଵାରୋପ କରିଥିଲେ ।

ପାରମ୍ପରିକ ଭେଷଜ ଉପଚାରର ବୈଧତା, ବିଜ୍ଞାନସମ୍ମତ ପରୀକ୍ଷା ନିରୀକ୍ଷା ନିରବଚ୍ଛିନ୍ନ ଓ ଦ୍ରୁତଗତିରେ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ଗବେଷଣା ଉପରେ ପର୍ଯ୍ୟବସିତ ତଥା ନିର୍ଭରଯୋଗ୍ୟ ସମାଧାନ ଦେବା ପାଇଁ ସେ ଆୟୁଷ ମନ୍ତ୍ରଣାଳୟର ଉଦ୍ୟମକୁ ପ୍ରଶଂସା କରିଥିଲେ ।

କମ ଖର୍ଚ୍ଚରେ ଓ ସହଜରେ ଉପଲବ୍ଧ ଟୀକା, ଔଷଧ, ପରୀକ୍ଷା ଇତ୍ୟାଦି କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱକୁ ଯୋଗାଇବା ପାଇଁ ଭାରତ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହିତ ପ୍ରକାଶ କରିଥିଲେ । ବୈଶ୍ଵିକ ମହାମାରୀର ମୁକାବିଲା ନିମନ୍ତେ ସବୁବେଳେ ପ୍ରସ୍ତୁତ ଓ ସତର୍କ ରହିବାକୁ ମୋଦୀ ଆହ୍ଵାନ ଜଣାଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ, ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା, ବରିଷ୍ଠ ବୈଜ୍ଞାନିକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ ।