Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ୧.୫୫ କୋଟି ଠକେଇ: ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନେଇଥିବା ୦୨ ଜଣ ସାଇବର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, ତୟବ ଖାନ ଏବଂ ଫିରୋଜ ଖାନ। ଉଭୟଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ ୨୦୨୫ ମସିହା ଜାନୁୟାରୀ ଏକ ତାରିଖରେ ଭୁବନେଶ୍ବରରେ ରହୁଥିବା ଜଣେ ବ୍ୟକ୍ତି ସାଇବର ଥାନାରେ ରିପୋର୍ଟ କରିଥିଲେ। ଅନଲାଇନରେ ପୁଞ୍ଜିନିବେଶ କରି ସେ ଠକାମିର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ଅଧିକ ଟଙ୍କା ଫେରସ୍ତ କରିବାର ଲୋଭ  ଦେଖାଇ ପୁଞ୍ଜିନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ। ଯାହା ଫଳରେ ଅଭିଯୋଗକାରୀ ଜଣକ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷତି ହେବା ସତ୍ତ୍ୱେ  ସାଇବର ଠକ ମାନଙ୍କ ପ୍ରରୋଚନାରେ ଅଧିକ ଟଙ୍କା ନିବେଶ କରିବାକୁ ଚାପ ପକାଉଥିଲେ। କିନ୍ତୁ ଟଙ୍କା  ଉଠାଇବାକୁ ଚେଷ୍ଟା କରିବା ସମୟରେ ସେମାନେ ଅଧିକ ଟଙ୍କା ନିବେଶ କରିବାକୁ ଦାବି କରୁଥିଲେ। ଦିନ ପରେ ଦିନ ଗଡ଼ିବା ସତ୍ତ୍ୱେ ତାଙ୍କ   ଆକାଉଣ୍ଟରୁ ଟଙ୍କା ଫେରି ନଥିଲା। ପରେ ସେ ଏହା ସାଇବର ଠକଙ୍କ କାମ ବୋଲି  ଜାଣିପାରିଥିଲେ। ଏ ସଙ୍କ୍ରାନ୍ତରେ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ମଧ୍ୟପ୍ରଦେଶର ତୟବ ଖାନ (୨୩)  ଏବଂ ଫିରୋଜ ଖାନ (୩୬) ଙ୍କୁ ଗିରଫ କରିଛି।

ଅଭିଯୁକ୍ତ ୦୨ ଜଣ ନିଜକୁ ଟ୍ରେଡ ଆନାଲିଷ୍ଟ ଭାବେ ଉପସ୍ଥାପନ କରି ଅଭିଯୋଗକାରୀଙ୍କ ଠାରୁ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ। ତଦନ୍ତକାରୀ ଟିମ ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ, ପ୍ୟାନ୍ କାର୍ଡ ଇତ୍ୟାଦି ସମେତ ବିଭିନ୍ନ ଅପରାଧମୂଳକ ସାମଗ୍ରୀ ଜବତ କରିଛି। ଏହି ମାମଲାରେ ପୂର୍ବରୁ ଠକମାନଙ୍କର ଏକାଧିକ  ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଦେଶରେ ଚାକିରୀ କରାଇ ଦେବାର ନାଁ ରେ କୋଟି କୋଟି ଠକେଇ: ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର: ବିଦେଶରେ ଉଚ୍ଚ ଦରମାରେ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ୨୦୧୮ ମସିହାରୁ ଲୋକଙ୍କ ନିକଟରୁ ଟଙ୍କା ଠକିନେଇ ଫେରାର ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଅଭିଯୁକ୍ତ  ବିଷ୍ଣୁ ପ୍ରସାଦ ପଟ୍ଟନାୟକକୁ ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।

ଡିଜିପିଙ୍କ ସୂଚନା ମୁତାବକ, ଅଭିଯୁକ୍ତ ବିଷ୍ଣୁ ଗୁଣୁପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିଦେଶରେ ଉଚ୍ଚ ଦରମାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେଇଥିଲେ। ବ୍ରିଟିଶ ଏୟାରୱେଜ୍ ଏବଂ  ଲୁଫସ୍ଥାନ୍ସା ଏୟାରୱେଜ୍‌ ଭଳି କମ୍ପାନୀରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୯୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହା ସହ ସେ ତାଙ୍କୁ   ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ନିଯୁକ୍ତି ପତ୍ରଟି ସମ୍ପୂର୍ଣ୍ଣ ଜାଲ ବୋଲି ବ୍ୟକ୍ତି ଜଣକ  ଜାଣିବା ପରେ ଗୁଣୁପୁର ଥାନାର ଦ୍ୱାରସ୍ଥ ହୋଇଥିଲେ।

ସେହିପରି ଅନ୍ୟ ଏକ ମାମଲାରେ ଅଭିଯୁକ୍ତ ବିଷ୍ଣୁ  ଅନ୍ୟଜଣେ ବ୍ୟକ୍ତିଙ୍କ ପୁଅକୁ  ବିଦେଶରେ ଏକ ଲାଭଜନକ ଚାକିରି ଯୋଗାଇ ଦେବା ବାହାନାରେ ୧୫ ଲକ୍ଷ ଟଙ୍କା ଠକି ନେଇଥିଲେ। ଉଭୟ ମାମଲା ଗୁଣୁପୁର ଥାନାରେ ପଞ୍ଜୀକୃତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଦୁଇ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ଅଭିଯୁକ୍ତ ବିଷ୍ଣୁ ବିଭିନ୍ନ ସମୟରେ ନିଜକୁ ଡାକ୍ତର, ପ୍ରଫେସର, ଇଞ୍ଜିନିୟର ପରିଚୟ ଦେବାସହ ନିଜର ଠିକଣା ପ୍ରମାଣ, ଡ୍ରାଇଭିଂ ଲାଇସେନ୍ସର ଜାଲ  କାଗଜ ପତ୍ର ପ୍ରସ୍ତୁତ କରିଥିଲେ। ।  ଏତଦବ୍ଯତୀତ ଅଭିଯୁକ୍ତ HR Maxons ଏବଂ Lufthansa Technik ଭଳି ଅନ୍ତର୍ଜାତୀୟ ପରାମର୍ଶଦାତା କମ୍ପାନୀ ନାମରେ ନକଲି ପ୍ରସ୍ତାବ ଏବଂ ନିଯୁକ୍ତି ପତ୍ର ପ୍ରସ୍ତୁତ କରୁଥିଲା ବୋଲି ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ପୋଲିସ ଜାଣିବାକୁ ପାଇଥିଲା।

ଏହାସହ ତଦନ୍ତ ଚାଲିଥିବା ସମୟରେ ଗିରଫଦାରୀରୁ ରକ୍ଷା ପାଇବା ପାଇଁ ଅଭିଯୁକ୍ତ ବିଷ୍ଣୁ କାମ୍ବୋଡିଆ ପଳାଇ ଯାଇଥିଲେ ଏବଂ ନିଜର ପରିଚୟ ଲୁଚାଇବା ପାଇଁ ଦ୍ୱିତୀୟ ପାସପୋର୍ଟ ମଧ୍ୟ ତିଆରି କରିଥିଲେ। ବିଷ୍ଣୁଙ୍କ ବିରୁଦ୍ଧରେ ୨୦୧୯ରେ ପୋଲିସ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା।

ଅଭିଯୁକ୍ତ ବିଷ୍ଣୁ ବିଶାଖାପାଟଣା, ବ୍ରହ୍ମପୁର, ଭୁବନେଶ୍ୱର ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଚାକିରି ଯୋଗାଇବା ବାହାନାରେ ଲୋକଙ୍କୁ ଟଙ୍କା ଠକେଇ କରିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ତାଙ୍କୁ ରାୟଗଡ଼ା ଜିଲ୍ଲା ଗୁଣୁପୁରର ଏସଡିଜେଏମଙ୍କ ସମ୍ମୁଖରେ ହାଜର କରାଯାଇଥିବା ବେଳେ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡରେ ଅଣାଯିବ ବୋଲି ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କ୍ରାଇମବ୍ରାଞ୍ଚ ବି. ଗଙ୍ଗାଧର ମଧ୍ୟ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାଇବର କ୍ରାଇମ ପୋଲିସର ପରିଚୟ ଦେଇ କୋଟିଏରୁ ଉର୍ଦ୍ଧ୍ଵ ଠକେଇ: ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର: ନିଜକୁ  ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୋଲିସ କର୍ମଚାରୀର ପରିଚୟ ଦେଇ ଗିରଫ କରିବାର ଧମକ ଦେବା ସହ ଜଣେ ବ୍ୟକ୍ତିଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଠକିବାର ଅଭିଯୋଗରେ କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ତେଲେଙ୍ଗାନା ନିଜାମାବାଦର ଅବଦୁଲ ସଲିମ (୩୩)। ପୋଲିସ ଅଭିଯୁକ୍ତ ଠାରୁ ମୋବାଇଲ ଫୋନ, ୩ଟି ସିମ କାର୍ଡ, ସାଉଦି ଆରବର ସିମକାର୍ଡ, ପାସବୁକ, ପାସପୋର୍ଟ, ଆଧାର କାର୍ଡ, ପାନ କାର୍ଡ, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଜବତ କରିଛି। ଅଭିଯୁକ୍ତ ସଲିମ ନାମରେ ସାରା ଦେଶରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି  ଥିବା ତଦନ୍ତରେ ପୋଲିସ ଜାଣିବାକୁ ପାଇଛି।

ବ୍ରହ୍ମପୁରରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଏହି ଡିଜିଟାଲ ଗିରଫ ଭଳି ଠକାମୀର ଶିକାର ହୋଇଥିଲେ। ଠକମାନେ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନର ପୋଲିସ କର୍ମଚାରୀ ବୋଲି ପରିଚୟ ଦେବା ସହ ତାଙ୍କ ଆଧାରକାର୍ଡରେ  ଲିଙ୍କ ହୋଇଥିବା ଏକ ଅଜଣା ମୋବାଇଲ ନମ୍ବର ସମ୍ପର୍କରେ ପଚାରିଥିଲେ। ସେହି ମୋବାଇଲ ନମ୍ବରଟି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ  ଡ୍ରଗ୍ସ ଭଳି ମାରାତ୍ମକ ଜିନିଷ  କିଣିବାରେ  ବ୍ୟବହୃତ ହୋଇଛି ବୋଲି ପ୍ରଥମେ ଭୟଭୀତ କରିଥିଲେ।

ଏହା ବ୍ୟତୀତ ଉକ୍ତ ନମ୍ବରରୁ ମହାରାଷ୍ଟ୍ରର ଅନେକ ବ୍ୟକ୍ତିଙ୍କୁ ଧମକ ପୂର୍ଣ୍ଣ କଲ୍ ଯାଇଥିବା କଥା ସମ୍ପର୍କରେ ମଧ୍ୟ ଠକମାନେ ଉଲ୍ଲେଖ କରିଥିଲେ। ଏଥିନିମନ୍ତେ ତାଙ୍କୁ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ ବୋଲି କହିବା ସହ  ଠକ ମାନେ ତାଙ୍କୁ ହ୍ଵାଟ୍ସଆପ ଜରିଆରେ ଭିଡିଓ କଲ କରି ଅଟକ ରଖିଥିଲେ। ଅଭିଯୋଗକାରୀ ଜଣକ ମାନସିକ ଅବସାଦର ସମ୍ମୁଖୀନ ହୋଇଥିଲେ  ଯାଞ୍ଚ ପାଇଁ ତାଙ୍କର ସମସ୍ତ ଟଙ୍କାକୁ ଅଭିଯୁକ୍ତର ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲେ। ଏହାସହ ଯାଞ୍ଚ ସମାପ୍ତ ହେବାପରେ ସମ୍ପୂର୍ଣ ଟଙ୍କା ତାଙ୍କ ଆକାଉଣ୍ଟକୁ  ଫେରାଇ ଦିଆଯିବ ବୋଲି ଅଭିଯୁକ୍ତ କହିଥିଲେ। ସେହି ଅନୁଯାୟୀ  ଅଭିଯୋଗକାରୀ ବରିଷ୍ଠ ନାଗରିକ ଠକର  ଆକାଉଣ୍ଟକୁ  ଦୁଇଥରରେ ୧  କୋଟି ଟଙ୍କା ଜମା  କରିଥିଲେ।

ପରେ ସେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସଲିମକୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୭  ମସିହାରେ ଅଭିଯୁକ୍ତ ସଲିମ ୯  ମାସ ପାଇଁ  ଏବଂ ୨୦୨୪ ରେ ମଧ୍ୟ ସାଉଦି ଆରବ ଯାଇଥିଲା ବୋଲି ପୋଲିସ ତଦନ୍ତରେ ଜାଣିବାକୁ ପାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୦ କୋଟି ଠକେଇ ମାମଲା: ମହିଳା ଅଭିଯୁକ୍ତାଙ୍କୁ ଗିରଫ କଲା ବାଣପୁର ପୋଲିସ, କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ବାଣପୁର (ସୀତାରାମ ଅଗ୍ରୱାଲ): ୧୦ କୋଟି ଠକେଇ ମାମଲାରେ ମହିଳା ଅଭିଯୁକ୍ତାଙ୍କୁ ଆଜି ବାଣପୁର ପୋଲିସ କାବୁ କରିଛି। ଅଭିଯୁକ୍ତା ବିଷ୍ନୁପ୍ରିୟା ଥାନାରେ ଥିବା ଖବର ପାଇ ଦାମିଆ ଓ ନୀଳାଦ୍ରି ଗ୍ରାମପଞ୍ଚାୟତର କ୍ଷତିଗ୍ରସ୍ତ ଶହଶହ ମହିଳା ଥାନାର ଦ୍ୱାରସ୍ତ ହୋଇଥିଲେ। ସେମାନେ ଗରିବ ଓ ଅଶିକ୍ଷିତ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଋଣଟଙ୍କା ଫେରସ୍ତ ସହ ଆମେ କେଉଁଠାରୁ ଟଙ୍କା ଆଣି କମ୍ପାନୀକୁ ସୁଝିବୁ ବୋଲି ଥାନାରେ ଅଭିଯୋଗ କରିଥିଲେ।

ଦୀର୍ଘସମୟ ଧରି ମହିଳାମାନେ ଥାନାରୁ ନ ଯିବା ଏବଂ ଉତ୍ତେଜନା ସୃଷ୍ଟି ହେବାରୁ ସ୍ଥାନୀୟ ସରପଞ୍ଚ ଏବଂ ବ୍ଲକ ଅଧକ୍ଷ ପହଂଚିବା ପରେ ଆଇଆଇସି ରମେଶ ଦେବତା କ୍ଷତିଗ୍ରସ୍ତ ମହିଳା ମାନଙ୍କୁ ବୁଝାସୁଝା କରିଥିଲେ। ଅଭିଯୁକ୍ତାଙ୍କୁ ଗିରଫ କରିବା ସହ କୋଟିଏ ଟଙ୍କାରୁ ଅଧିକ ଠକେଇ ହୋଇଥିବାରୁ ଏହା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେବ ବୋଲି କହିଥିଲେ।  ନିଶ୍ଚିତ ଭାବରେ ଏହାର ଉପଯୁକ୍ତ ଦଦନ୍ତ ହେବା ସହ ସମସ୍ତ କ୍ଷତିଗ୍ରସ୍ତ ମହିଳା ମାନଙ୍କ ଠାରୁ ଆଧାର କାର୍ଡ ଏବଂ ଠକେଇ ପରିମାଣର ପ୍ରମାଣ ପୋଲିସ ତରଫରୁ ସଂଗ୍ରହ କରାଯାଇଥିବା ଜଣାପଡିଛି।

ଖବରରୁ ଜଣାପଡିଛି ଅଭିଯୁକ୍ତା ବିଷ୍ନୁପ୍ରିୟା ବିଭିନ୍ନ ଫାଇନାନ୍ସ କମ୍ପାନୀ ମାନଙ୍କ ସହିତ ଯୋଗାସୁତ୍ର କରି ଉପରୋକ୍ତ ପଞ୍ଚାୟତର ହଜାର ହଜାର ମହିଳାଙ୍କ ନାମରେ ଲୋନ କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ତେବେ ମହିଳା ଅଭିଯୁକ୍ତ ବିଷ୍ନୁପ୍ରିୟା ପଞ୍ଚାୟତ ସ୍ତରୀୟ ମହିଳା ସଙ୍ଘର ସଭାନେତ୍ରୀ ଥିବାବେଳେ ଏକ ସପ୍ତାହ ତଳେ ବିଡ଼ିଓଙ୍କୁ ତାଙ୍କର ଇସ୍ତଫା ପତ୍ର ଦେଇଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଦଳ ପାଇଁ କାର୍ଯ୍ୟ କରୁଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏସଟିଏଫକୁ ବଡ ସଫଳତା: ଖୋର୍ଦ୍ଧା ବାଘମାରୀରୁ ୧ କୋଟି ମୂଲ୍ୟର ବ୍ରାଉନ ସୁଗାର ଜବତ

ଭୁବନେଶ୍ଵର: ଆଜି କ୍ରାଇମବ୍ରାଞ୍ଚ ଏସଟିଏଫକୁ ବଡ ସଫଳତା ମିଳିଛି। ଖୋର୍ଦ୍ଧା ବାଘମାରୀ ଅଞ୍ଚଳରୁ ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ଏହା ସହିତ ଜଣେ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ବାଘମାରୀ ଅଞ୍ଚଳରେ ବ୍ରାଉନ ସୁଗାର ଡିଲ ହେଉଥିବାର ଏସଟିଏଫ ପାଖକୁ ସୂଚନା ଆସିଥିଲା। ତେବେ ବିଳମ୍ବ ନକରି କାରବାର ଚାଲିଥିବା ବେଳେ ଏସଟିଏଫ ଘଟଣାସ୍ଥଳରେ ପହଞ୍ଚିଯାଇଥିଲା। ଯାହାଫଳରେ ଏସଟିଏଫ ୧ କିଲୋ ୧୦୦ ଗ୍ରାମର ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଥିଲା। ଏବଂ ସେଠାରୁ ଜଣେ ଡିଲରଙ୍କୁ ଏସଟିଏଫ ଗିରଫ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ଔଷଧ କାରବାରରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିସ୍ତାର ନାହିଁ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ସମୟରେ ନକଲି ଔଷଧ କାରବାର ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି। ନକଲି ଔଷଧ କାରବାରରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର ହୋଇ ଉଠିଛନ୍ତି। ସେଥିପାଇଁ ଏହି ଘଟଣା ଉପରେ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖା ଯୋଗ୍ୟ ଯେ, ରାଜ୍ୟରେ ଫାଭିଫିରାଭିର ସମେତ ୯ ଟି ନକଲି ଔଷଧକୁ ଠାବ କରାଯାଇଥିଲା। କଟକର କନିକା ଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲ ଦୋକାନରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ମଧ୍ୟ ଜବତ ହୋଇଥିଲା।

ତେଣୁ ଏହାକୁ ଗୁରୁତର ସହ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନକଲି ଔଷଧ କାରବାରରେ ସାମିଲ ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ତେବେ ଏହି ଘଟଣାର ତଦନ୍ତ ପାଇଁ ଆଜି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କ୍ରାଇମବ୍ରାଞ୍ଚକୁ ବଡ ସଫଳତା: କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବ୍ରାଉନ ସୁଗାର କାରବାର ବଢି ଚାଲିଛି। ଆଜି ବ୍ରାଉନ ସୁଗାର ଡିଲରକୁ କ୍ରାଇମବ୍ରାଞ୍ଚର ସ୍ଵତନ୍ତ୍ର ଟାସ୍କ ଫୋର୍ସ କବ୍ଜା କରିବାରେ ସକ୍ଷମ ହୋଇଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଦୁଇଜଣଙ୍କୁ ଗିରଫ କରିବା ସହ ୧ କୋଟି ୩୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବ କରିଛି। ଅଭିଯୁକ୍ତ ଦ୍ୱୟଙ୍କୁ ବାଲେଶ୍ଵରର ସହଦେବଖୁଣ୍ଟା ଅଞ୍ଚଳରୁ ଗିରଫ କରାଯାଇଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏତଲା ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କାରାଯାଇଛି। ଦୁଇ ଜଣ ସିକ୍ୟୁରିଟି ଗାର୍ଡ ସମେତ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ଇନଫୋସିଟି ନାବାଳିକ ଗଣଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ୧୬ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ପୋଲିସ ଡିଜି ଅଭୟ ବ୍ୟକ୍ତିଗତ ଭାବରେ ଉଚ୍ଚ ନ୍ୟାୟାଳୟ ହାଜର ହୋଇଥିଲେ। ତେବେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ୪ ଅଭିଯୁକ୍ତଙ୍କୁ ହେପାଜତରେ ନେଇ ଜେରା ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଉଠେଇନେଇଥିବା ଅଭିଯୋଗ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ ବ୍ରାଞ୍ଚ ଉଠେଇନେଇଥିବାର ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ପତ୍ନୀ ସୁଜାତାଙ୍କ ଅଭିଯୋଗ ଅନୁଯାୟୀ, ସନ୍ଧ୍ୟାରେ ଚାରୋଟି ଗାଡିରେ କିଛି ଲୋକ କ୍ରାମ ବ୍ରାଞ୍ଚର କର୍ମଚାରୀର ପରିଚୟ ଦେଇ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ତାଙ୍କୁ କିଛି ତଦନ୍ତ କରିବା ପାଇଁ ଇଓଡବ୍ଲୁ କାର୍ଯ୍ଯାଳୟକୁ ଆସିବା ପାଇଁ ନିବେଦନ କରିଥିଲେ।

ହେଲେ ତାଙ୍କ ଘରଠାରୁ ଇଓଡବ୍ଲୁ କାର୍ଯ୍ଯାଳୟ ମାତ୍ର ୮ ମିନିଟର ରାସ୍ତା। କିନ୍ତୁ ଘଣ୍ଟେ ବିତିଯାଇଥିଲେ ମଧ୍ୟ ପ୍ରଦୀପ ଏପର୍ଯ୍ଯନ୍ତ କାର୍ଯ୍ଯାଳୟରେ ପହଞ୍ଚି ନଥିବା ସୁଜାତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏନେଇ ସୁଜାତା ଦୁଃଖପ୍ରକାଶ କରିବା ସହିତ ତାଙ୍କ ସ୍ବାମୀଙ୍କର କିଛି କ୍ଷତି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ମୋ ସ୍ବାମୀଙ୍କ ବିରୋଧରେ ଥାନାରେ ଏଯାବତ କୌଣସି ଏତଲା ନଥିଲେ ମଧ୍ୟ ସେମାନେ କେଉଁ କରାଣରୁ ତାଙ୍କୁ ଉଠାଇନିଆଗଲା ସେ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରୁ ଯାଉଥିବା ଗଞ୍ଜେଇ ବୋଝେଇ ଟ୍ରକକୁ ସୁରତରେ ଜବତ କଲା କ୍ରାଇମବ୍ରାଞ୍ଚ: ତିନି ଓଡିଆ ଯୁବକ ଗିରଫ

ସୁରତ: ଗୁଜୁରାଟର ସୁରତରୁ ଗଞ୍ଜେଇ ବୋଝେଇ ଟ୍ରାକକୁ ଜବତ କରିଛି ପୋଲିସ। ଓଡିଶାରୁ ଗୁଜୁରାଟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୫୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କ୍ରାଇମବ୍ରାଞ୍ଚ ସୁରତର ପୂର୍ଣ୍ଣା ଗାଁ ନିକଟରୁ ଏହି ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିଛି। ଯାହାର ପରିମାଣ ୫୬୨ କିଲୋ ବୋଲି ସୂଚନା ମିଳିଛି। ଗଞ୍ଜେଇ ସହ ୩ ଓଡିଶା ଯୁବକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ଅନୁଗୁଳ : ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ । ଆନନ୍ଦ ମାଝୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟିମ୍‌ । ଆନନ୍ଦ ମାଝୀଙ୍କୁ ଗିରଫ କରାଯିବା ନେଇ ପୋଲିସ୍‌ ଡିଜିଙ୍କ ସୂଚନା । ଅନୁଗୁଳ ହଣ୍ଡପା ଅଞ୍ଚଳରୁ ଗିରଫ କରାଯାଇଥିବାର ସୂଚନା ଦେଇଛନ୍ତି ଡିଜିପି । ହଣ୍ଡପା ଥାନାର ଏକ ଜଙ୍ଗଲିଆ ଅଞ୍ଚଳରୁ କ୍ରାଇମବାଞ୍ଚ ଧରିଥିବାର ସୂଚନା ରହିଛି । ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଅଭିଯୁକ୍ତ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ଦୁଷ୍କର୍ମ ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । କିଛି ଦିନ ତଳେ ତାଙ୍କୁ ନିଲମ୍ୱନ କରାଯାଇଥିବା ବେଳେ ଆଜି ସକାଳେ ଚାକିରିରୁ ବରଖାସ୍ତ କରାଯାଇଥିଲା । ଏହା ସହିତ ନାବାଳିକାଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ଡିଜିପି ।