Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଘୋଷଣା, ବୃଦ୍ଧି ପାଇଲା କ୍ରୀଡା ଓ କଳା ଶିକ୍ଷକଙ୍କ ପାରିଶ୍ରମିକ

ଭୁବନେଶ୍ବର: ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ସାତ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି।

ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨ ମାସ ପାଇଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଏବଂ ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ।

ଏହା ସହିତ ଅନ୍ୟ ସରକାରୀ କର୍ମଚାରୀମାନଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଆବଶ୍ୟକ ସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ।

ସୂଚନାଯୋଗ୍ୟ ଯେ 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟତ୍ରୀ ଉପକୃତ ହେବେ।

ସୂଚନାଯୋଗ୍ୟ ଯେ ରାଜ୍ୟର କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ କଳା ଓ ଶାରୀରିକ ଶିକ୍ଷା ତାଲିମ ଦେବା ପାଇଁ ସାମୟିକ କଳା ଓ କ୍ରୀଡା ଶିକ୍ଷକ ନିୟୋଜିତ କରାଯାଇଛି।

Categories
ଆଞ୍ଚଳିକ

ବଡକୂଳ ହାଇସ୍କୁଲର କ୍ରୀଡା ଶିକ୍ଷକ ବୈଷ୍ଣବ ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବଡକୂଳ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୂଳରେ ଥିବା ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ବୈଷ୍ଣବ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସ୍କୁଲର ଶିକ୍ଷକ ତଥା ଛାତ୍ରାଛାତ୍ରୀଙ୍କ ମିଳିତ ସହଯୋଗରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀଯୁକ୍ତ ନାୟକଙ୍କ କୃତିତ୍ବ ସଂପର୍କରେ ଅବଗତ କରାଯାଇଥିଲା।

ଶ୍ରୀଯୁକ୍ତ ନାୟକ ଏହି ସ୍କୁଲରେ ପ୍ରଥମ କ୍ରୀଡା ଶିକ୍ଷକଭାବେ ଯୋଗଦେଇ ଦୀର୍ଘ 35 ବର୍ଷ ଧରି କାର୍ଯ୍ୟ କରି ଆସିଥିଲେ। ସେ ସ୍କୁଲରେ କ୍ରୀଡାର ପ୍ରଚାର ପ୍ରସାର କରାଇବା ସହିତ ଜିଲ୍ଲା ସ୍ତରରେ ଛାତ୍ରଛାତ୍ରୀଙ୍କୁ ଖେଳାଳୀ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର କ୍ରୀଡା ଛାତ୍ରମାନେ ଆଜି ଜିଲ୍ଲା, ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର କ୍ରୀଡାରେ ବେଶ ସୁନାମ ଅର୍ଜନ କରିଛନ୍ତି।

ସେ ସରକାରୀ ଚାକିରୀରୁ ଅବସର ନେଇଥିଲେ ମଧ୍ୟ କ୍ରୀଡା ପ୍ରସାରରେ ବ୍ୟକ୍ତିଗତ ସ୍ତରରେ ନିଜକୁ ନିୟୋଜିତ ରଖିବେ ବୋଲି ସେ ଅବସର ବେଳେ ଘୋଷଣା କରିଛନ୍ତି।